STORYMIRROR

Nityananda Nandi

Drama Others

3  

Nityananda Nandi

Drama Others

ଲକଡାଉନ ସାଇଡ ଇଫେକ୍ଟ

ଲକଡାଉନ ସାଇଡ ଇଫେକ୍ଟ

2 mins
470



ଲକ୍ଷ୍ମୀ ପଣତ କାନିକୁ ମୁହଁରେ ଜାକି ଛିଡ଼ା ହେଲା କୁଞ୍ଜ ବାବୁଙ୍କ ଗେଟ ପାଖରେ। ଗେଟ ଭିତରୁ ବନ୍ଦ। କୁଞ୍ଜ ବାବୁ ଘର ଭିତରୁ ଚିତ୍କାର କଲେ, ଗେଟ ଛୁଇଁବୁନି। ଆଜିଠୁ ୧୫ ଦିନ ଆସିବା ଦରକାର ନାହିଁ। ମୁଁ ନିଜେ ରାନ୍ଧି ଖାଇନେବି। ତୁ ଯା .....


ଲକ୍ଷ୍ମୀର ମୁଣ୍ଡ କାମ କଲାନି। ଏମିତି ବି କୁଞ୍ଜ ବୁଢ଼ା ଭାରି କୃପଣ। ପନ୍ଦର ଦିନ କାମ ନାହିଁ ମାନେ ପଇସା ଦେବନି। ବୁଢ଼ା ଘରେ ପୂରା ଦିନ କାମ କରେ ଲକ୍ଷ୍ମୀ। ମାସକୁ ତିନି ହଜାର ଦରମା। ଖୁସିରେ ଚଳିଯାଏ। ଏ ମାସରେ ପକା ପନ୍ଦର ଶହ କାଟି ନେବ ସେ ତା ଦରମାରୁ। 


ଲକ୍ଷ୍ମୀକୁ ନିଦ ହଉନି। ପନ୍ଦର ଶହ ଘର ଭଡ଼ା ପରେ ଝିଅର ସ୍କୁଲ ଫି କେମିତି ଦେବ, ଗ୍ୟାସ କେମିତି ଭରିବ। ଡାଲି ଚାଉଳ କଥା ତ ଅଲଗା। ଝିଅ ପାଇଁ ମାସ୍କ୍ କିଣିବ ବୋଲି ଯାଇଥିଲା ଔଷଧ ଦୋକାନକୁ। ଦଶ ଟଙ୍କିଆ ମାସ୍କ , ଦୋକାନୀ ଚାରି ଶହ ଟଙ୍କା ମାଗିଲା। କୁଆଡୁ ଆଣିବ ସେ ଏତେ ଟଙ୍କା। ରୁମାଲ ବାନ୍ଧି ଦେଇଛି ଝିଅ ମୁହଁରେ। କାମ ନାହିଁ, କୁଞ୍ଜ ବୁଢ଼ାକୁ ଆଡଭାନସ ମାଗିଲେ କଣ ଦେବ ! କଞ୍ଜୁସ୍ ବୁଢ଼ା !

ପ୍ରତିଦିନ ଆସି କିନ୍ତୁ ଗେଟ୍ ପାଖରେ ଛିଡ଼ା ହୁଏ ଲକ୍ଷ୍ମୀ। ଆପାତତଃ କହି ପାରିବ, ମୁଁ ସବୁଦିନ ଆସୁଥିଲି, ତମ ଗେଟ ବନ୍ଦ ଥିଲା। ମୁଁ କଣ କରି ଥାଆନ୍ତି ଯେ....। ତମେ ମୋ ଦରମାରୁ ପନ୍ଦର ଶହ କାଟନି। ବୁଢ଼ା କିନ୍ତୁ ଦେବନି ସେ ଜାଣିଛି, ଭାରି କୃପଣ। ସବୁ ବେଳେ ଗଜର ଗଜର ହୁଏ। ଗୋଟାଏ ଦିନ ପାଞ୍ଚ ମିନିଟ ଲେଟ ହେଲେ ଦରମା କାଟିଦେବ ବୋଲି ଧମକାଏ।


ଆଜି ପଚିଶ ତାରିଖ। ଲକ୍ଷ୍ମୀର ଦରମା ବାରି। ତାରିଣୀ ପାଇଁ ନଡ଼ିଆ ସହିଛି। ବୁଢ଼ା ଦରମା ନ କାଟନ୍ତାକି ! ପନ୍ଦର ଶହ ତା ପାଇଁ ବହୁତ କିଛି।  ମୁହଁରେ ଲୁଗା କାନି କୁ ଜାକି ଗେଟ୍ ପାଖରେ ଆସି ଛିଡାହେଲା। ଲକ୍ଷ୍ମୀ ପାଇଁ ଜୀବନ ମରଣ ସମସ୍ୟା, ନିସହାୟତା ତାକୁ ସମଗ୍ର ଗିଳି ଯାଉଥିଲା। ଗରିବି ଯାତନା କୁ ଅତି ପାଖରୁ ଅନୁଭବ କରୁଥିଲା ସେ। ଥରୁଥିଲା, ଛିନ୍ନ ଭିନ୍ନ ହୋଇଯାଉଥିଲା ଅସହାୟ ଲକ୍ଷ୍ମୀ ର ମାଂସ ପେଶୀ । ବୁଢ଼ା କଣ ବୁଝିବ ତା ଦୁଃଖ କଥା !


ବୁଢ଼ା ଭଲଭାବେ ଜାଣେ ଆଜି ତା ଦରମା ବାରି। ଗେଟ ଭିତରୁ ରହି ପଇସା ବଢେଇ ଦେଲା ଲକ୍ଷ୍ମୀକୁ। ଲକ୍ଷ୍ମୀ ଖୋଲି ଦେଖିଲା ତିନି ହଜାର, ହସି ଦେଲା ବୁଢାକୁ ଦେଖି...। ଗୋଟାଏ ଅତି ସରଳ ହସ ଭିତରେ ଆଶାର କିରଣ ବିକିରିତ ହେଉଥିଲା ଲକ୍ଷ୍ମୀର ଆଶେ ପାଶେ। ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ବୁଢ଼ା ପୂରା ପଇସା ଦେବ ବୋଲି !

ମଉସା ! ଗେଟ ଖୋଲ। ନା ନା ନା.. ଏକୋଇଶ ଦିନ ପରେ ଆସିବୁ। 

ମନ ଦୁଃଖ କଲୁ କି ! ତୋ ପାଇସା କାଟିବିନି। ପଣତ କାନି ଜାକି ହୋଇଥିବା ନାକ ପାଖରେ ବାକିଥିବା ଅବଶିଷ୍ଟ ମୁହଁରୁ ହସଟିଏ ଉଦ୍ଭାସିତ ହେଉଥିଲା, ଭାବୁଥିଲା, ମଉସା ଦେଖିବାକୁ କୃପଣ ସିନା କିନ୍ତୁ ବଡ଼ ଦିଲ ବାଲା .....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama