ଲୀଳାମୟଙ୍କ ଲୀଳା
ଲୀଳାମୟଙ୍କ ଲୀଳା
ରାଧିକା: ଉଠ ହେ ! ଉଠ ମ ! ଶୀଘ୍ର ଉଠ ! କଣ ଯେ ମୋ କଥା ଶୁଣୁନ ଜମାରୁ । ଉଠ କହୁଛି ପରା !
ସରୋଜ: କାଇଁ ସକାଳ ନ ହେଉଣୁ ଉଠଉଛ ଯେ ! ଆଉ ଟିକେ ସମୟ ଶୋଇବାକୁ ଦେଲେ ହେବନି କି ! ସକାଳୁ ରାତି ଯାଏଁ ତ ତୁମର କଥା ହିଁ ଶୁଣିବି ହେଲେ ଏତେ ରାତିରେ କଣ ବାକି ରହିଗଲା ଯେ ଉଠି ଶୁଣିବି !
ରାଧିକା: ତୁମେ କାଇଁ ଅଜଥାରେ ସବୁବେଳେ ଏତେ ରାଗ ଯେ ! ଟିକି ଟିକି କଥାରେ ରାଗ ତୁମର । କିଛି ଗୋଟେ କାରଣ ଅଛି ବୋଲି ହିଁ ତ ଉଠିବାକୁ କହୁଛି ନା ! ନହେଲେ କାଇଁ ଉଠାନ୍ତି ଯେ ଆଉ ତୁମଠୁ ଦୁଇ ପଦ କଥା ଶୁଣନ୍ତି ଅଜଥାରେ !
ସରୋଜ: ଆଲୋ ମୋ ଫୁଲେଇ ତୁ ମୋତେ ଏତେ ଭଲ ପାଉ ଯେ ମୋ ରାଗକୁ ପାଣି ପରି ପିଇ ଯାଉ । ତୁ ଏମିତି ଢକ ଢକ ପିଇଯାଉ ବୋଲି ହିଁ ତୋତେ ମୁଁ ଟିକେ ରାଗିଦିଏ । ଆଉ କାହାକୁ ରାଗେ କି !
ରାଧିକା: ହେଲା ହେଲା ତୁମେ ଆଉ ଅଧିକ କଥା କହି ମୋତେ ଭୁଲେଇ ଦେଉନାହିଁ । ତୁମକୁ ଠିକ୍ ଚିହ୍ନେ ମୁଁ ।
ହଉ ଛାଡ ସେସବୁ କଥା । ମୋ କଥା ମନ ଦେଇ ଶୁଣ । ତୁମେ ଚାଲ ଜଲଦି ଉଠି ଗାଧୋଇ ଦେଇ ନଳକୂଅ ରୁ ପାଣି ଆଣିବାରେ ସାହାଯ୍ୟ କର ।
ସରୋଜ: କଣ କଣ ! ପାଣି ଆଣିବି ! କାହିଁକି ! ଆଜି କଣ ତୋ ଦେହ ଭଲ ନାହିଁ ନା ତୋର ପୂଜା ପର୍ବ କିଛି ପଡିଲା !
ରାଧିକା: କଥା କଣ କି ଆଜି ସ୍ବପ୍ନରେ ମୁଁ ସେଇ ଚକା ଆଖିଆ କାଳିଆ ଠାକୁରଙ୍କୁ ଦେଖିଲି । ସେ କହିଲେ କାଲି ତାଙ୍କୁ ଭାରି ଭୋକ ହେଲାରୁ ଆମ ଘରକୁ ଆସିଲେ ହେଲେ ଘରର ସବୁ କବାଟ ବନ୍ଦ ଥିଲା । ଅନେଇ ବେଳ ଯାଏଁ ଭାବିଲେ କାଳେ କିଏ ଆସି ଡାକିନେବ ଭିତରକୁ ହେଲେ ତାଙ୍କୁ କେହି ପାଛୋଟି ନେଲେନି । ଭାରି ମନ ଦୁଃଖରେ ଭୋକିଲା ପେଟରେ ଫେରିଯାଇ ସେମିତି ଶୋଇଗଲେ ।
ତାଙ୍କ କଥା ଶୁଣି ବହୁତ କାନ୍ଦିଲି । ମୋତେ ଲାଗିଲା ଯେମିତି ଆମେ ପେଟେ ଖାଇଦେଇ ଆରାମରେ ଶୋଇଲା କିନ୍ତୁ ତାଙ୍କୁ ଭୋକରେ ଛାଡିଦେଲା । ହାତ ଯୋଡି କ୍ଷମା ମାଗିଲି । ଆଉ ତାଙ୍କୁ ଆଜି ପାଇଁ ନିମନ୍ତ୍ରଣ କଲି ।
ପ୍ରଥମେ ତ ମନା କରୁଥିଲେ । ଆଜି ସ୍ନାନ ପୂର୍ଣ୍ଣିମା । ତାଙ୍କୁ ସ୍ନାନ ମଣ୍ଡପରେ ଭାଇ ଭଉଣୀଙ୍କ ସହ ଉପସ୍ଥିତ ରହିବାକୁ ହେବ । ୧୦୮ ଗରା ଶୁଦ୍ଧ ସୁବାସିତ ଜଳରେ ସ୍ନାନ କରିବେ । ତଥାପି ମୁଁ ଭାରି କାକୁତି ମୀନତି କଲି । ସେ ତ ଭାବରେ ବନ୍ଧା ଭାବଗ୍ରାହୀ । ବେଶୀ ଆଉ ମନା କରି ନ ପାରି କହିଲେ ସେ ଆସିବେ ହେଲେ ସାଥିରେ ଭାଇ ଭଉଣୀଙ୍କୁ ଧରି ଆସିବେ । ମୁଁ ଖୁସିରେ ତାଙ୍କ କଥାରେ ରାଜି ହେଲା ପରେ ପରେ ହିଁ ସେ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ମୋ ନିଦଟା ଭାଙ୍ଗିଗଲା ।
ସରୋଜ: ଆଲୋ ମୋ ବାୟାଣୀ ! ସତରେ ତୁ କଣ ବାୟାଣୀ ହୋଇଗଲୁଣି କି ! କାହିଁ ସେଇ ସ୍ନାନ ମଣ୍ଡପର ସିଂହାସନ କାହିଁ ଆମ ଛୋଟ କୁଟିଆ । ପୁଣି ସେଠାକାର ସୁବାସିତ ଶୁଦ୍ଧ ଜଳକୁ ଛାଡି ଆମ ଏଠି ନଳକୂଅ ପାଣିରେ କାହିଁ ବା ଗାଧୋଇବେ ! ଯାହା ସବୁ ଦେଖିଲ ସବୁ ସତ ନୁହେଁ ସ୍ବପ୍ନ ।
ରାଧିକା: କଣ କହିଲ । ୟା ମାନେ ଏସବୁକୁ ମୁଁ ମିଛ ବୋଲି ଭାବି ନେବି । ନା ନା କେବେ ନୁହେଁ ! ମୋର କାଳିଆ ଠାକୁରଙ୍କ ଉପରେ ଅତୁଟ ବିଶ୍ବାସ । ସେ ମୋତେ ଠକି ନାହାନ୍ତି । କଥା ଦେଇଛନ୍ତି ଯେବେ ନିଶ୍ଚୟ ଆସିବେ ସେ । ତୁମେ କୁହ ମୋତେ ସାହାଯ୍ୟ କରିବ କି ନାଇଁ !
ସରୋଜ: ମୋର ତ ଆଉ ଏତେ ସାହାସ ନାହିଁ ଯେ ତୁମ କଥାକୁ ଅମାନ୍ୟ କରିଦେବି । ଯାହା କହିବ ସବୁ କରିବି ହେଲେ ...।
ରାଧିକା: ପୁଣି କଣ ହେଲା ଯେ ! କେଉଁ କଥାରେ ପୁଣି ଅଟକିଗଲ !
ସରୋଜ: ୧୦୮ ଗରା ପାଣିରେ କେମିତି ଗାଧୋଇ ଫାରିବା ଆମେ । ପାଣି ଆଣିବାକୁ କଷ୍ଟ ନାହିଁ । ଘର ଆମର ଛୋଟ ଏତେ ପାଣି ଆଣିବା କେଉଁଠି, ରହିବା କେମିତି ?
ରାଧିକା: ତୁମେ କଣ ଭାବଗ୍ରାହୀଙ୍କୁ ଜାଣିନ କି ! ସେ ପରା ମନର ଭାବ ଖୋଜନ୍ତି ସବୁବେଳେ । ଆମେ ୧୦୮ ଗରା ପାଣି ଢାଳି ନ ପାରିଲେ ନାହିଁ ୧୦୮ ଆଞ୍ଜୁଳା ପାଣିରେ ଗାଧୋଇଦେବା ।
ଏବେ ଯାଅ ତୁମେ ଶୀଘ୍ର ଗାଧୋଇ ଆସ । ମୁଁ ଯାଏ ଠାକୁରଙ୍କ ପାଇଁ ନୂଆଁ ବସ୍ତ୍ର ତିଆରି କରିବି । ଗାଧୋଇ ଦେଲା ପରେ ସଜେଇ ଦେବି ।
******
ସମୟ ପାଖାପାଖି ୯ଟା ଉପରେ ହେଲାଣି । ପାଣି ଆଣି ସବୁ ପ୍ରକାରର ବ୍ୟବସ୍ଥା କରି ଦୁହେଁ ବାଟ ଚାହିଁ ରହିଥାନ୍ତି । ରାଧିକା ଦାଣ୍ଡ ପାଖେ ଅପେକ୍ଷାରେ ବସି ସ୍ନାନ ପରେ ସୁନା ମାଳି ପିନ୍ଧେଇ ପାରିବନ ବୋଲି ମଲ୍ଲୀ ମାଳ ଗୁନ୍ଥିବାରେ ବ୍ୟସ୍ତ । ସେତେବେଳେ ସରୋଜ କହେ ତ ମୁଁ କେତେ ଅପେକ୍ଷାରେ ବସିଥିବି । ଯାଏ ବାରିରେ କିଛି କାମ କରୁଥାଏ । ଠାକୁରଙ୍କୁ ଆସିବାର ଦେଖିଲେ ମୋତେ ଡାକ ଦେବୁ ।
ଦୁହେଁ ଦୁହିଁଙ୍କ କାର୍ଯ୍ୟର ବ୍ୟସ୍ତ ଥିବା ବେଳେ ବାରିପଟରୁ ସରୋଜ ବଡପାଟିରେ-ରାଧିକା .....ରାଧିକା .....ଦୌଡି ଆସ । ରାଧିକା ମନେ ମନେ ଡରି ଯାଇ ଦୌଡି ଦେଖେ ସରୋଜ ର ହାତରେ ତିନି ଠାକୁରଙ୍କ ପଥର ମୂର୍ତ୍ତିଟିଏ ।
ସରୋଜ କହେ ମାଟି ଖୋଳୁ ଖୋଳୁ ଏଇ ମୂର୍ତ୍ତିଟି ପାଇଲା । ଦୁହେଁ ଭାରି ଆର୍ଶ୍ଚଯ୍ୟ ହୋଇଗଲେ । ତାଙ୍କ ବାରିପଟ ମାଟି ତଳେ ମୂର୍ତ୍ତି ଆସିଲା କେଉଁଠୁ ! କେବେଠୁ ଅଛି ସେଠି ! ହେଲେ ରାଧିକା ଏତେ ସବୁ କଥାରେ ଧ୍ୟାନ ନ ଦେଇ ସରୋଜର ହାତରୁ ମୂର୍ତ୍ତିଟି ନେଇ କହେ ସେ ସବୁ ଚିନ୍ତା ପରର କଥା ସେ ଆମ ଘରକୁ ଆସିଲେ ଏବେ ମୁଁ ଯାଏ ସ୍ନାନ କରାଇବି ।
ଦୁହେଁ ମିଶି ଠାକୁରଙ୍କୁ ଗାଧୋଇଦେବାରେ ଲାଗିଲେ । ମନ ଭରି ଆଞ୍ଜୁଳା ଆଞ୍ଜୁଳା କରି ଗାଧୋଇ ଦେବା ପରେ ନୂଆଁ ଲୁଗା, ଫୁଲ, ଚନ୍ଦନ ଆଦିରେ ତାଙ୍କୁ ସଜେଇ ଦେଇ ମନ୍ଦିରରେ ଗୋଟେ ପିଣ୍ଡାରେ ବସେଇ ଦେଲେ । ହାତ ଯୋଡି କ୍ଷମା ମାଗିଲେ କାଲି ଭୋକରେ ରଖିଥିବାରୁ ।
ସଂଗେ ସଂଗେ ରାଧିକା ଠାକୁରଙ୍କ ପାଇଁ ମିଠା ଖେଚୁଡି ତିଆରି କରି ଆଣି କୋଳରେ ବସେଇ ଖୁଆଇ ଦେଲେ । ତା ସହ ସବୁ ଭୁଲର କ୍ଷମା ଥରକୁ ଥର ଭାଗିନେଲେ ।
ସରୋଜ ଏସବୁ ଦେଖି ଭାବରେ ମଜ୍ଜି ରହିଥାଏ । ସେ ବୁଝିଯାଏ ଯେ ଲୀଳାମୟଙ୍କ ଲୀଳା ଖୁବ୍ ଅପାର ଯାସା ତା ପରି ସାଧାରଣ ମଣିଷର ବୁଝିବା ଠାରୁ ଢେର ଉର୍ଦ୍ଧ୍ବରେ ।
