ଲଘୁଚାପ ବନାମ ମୌସୁମୀ
ଲଘୁଚାପ ବନାମ ମୌସୁମୀ


ବିଧାନସଭାର ମୌସୁମୀ ଅଧିବେଶନ । କହିବା ବାହୁଲ୍ୟ ଯେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ମୌସୁମୀ ଅଧିବେଶନ ବସେ । ଯଥା ସମୟରେ ସଭା ଆରମ୍ଭ ହେଲା । ପ୍ରଥମେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବା ପାଇଁ ବାଚସ୍ପତି ନିର୍ଦ୍ଦିଷ୍ଟ ବିଭାଗର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ । ମନ୍ତ୍ରୀ ଠିଆ ହୋଇ ଉତ୍ତର ଦେବା ପୂର୍ବରୁ ବିରୋଧୀ ଦଳର ଟୋକା ସଦସ୍ୟ ବିଧାନସଭାର ମଝିଆଡ଼କୁ ମାଡ଼ି ଆସିଲେ । ମୁଲତବୀ ପ୍ରସ୍ତାବ ଆଣି ଆଲୋଚନା କରିବାକୁ କହିଲେ । ଖବରକାଗଜର ମୁଖ୍ୟ ପୃଷ୍ଠାରେ ପ୍ରକାଶିତ ସମ୍ବାଦ “ବର୍ଷା ଯୋଗୁଁ ରାଜ୍ୟରେ ଜନଜୀବନ ବିପର୍ଯ୍ୟସ୍ତ । ସରକାରୀ ହିସାବ ଅନୁଯାୟୀ ୩୦ ଜଣଙ୍କର ପ୍ରାଣହାନୀ । ରିଲିଫ ଯୋଗାଇବାରେ ସରକାର ବିଫଳ ।” ବାଚସ୍ପତି କହିଲେ “ଆଲୋଚନା ହେବ । ଦିନ ସାରା ସମୟ ଅଛି । ପ୍ରଥମେ ଆପଣମାନେ ନିଜ ନିଜର ଆସନ ଗ୍ରହଣ କରନ୍ତୁ । ପ୍ରଶ୍ନୋତ୍ତର କାଳ ଏବେ ଆରମ୍ଭ ହେଲା । ଏଥିରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରନ୍ତୁ ।” କିନ୍ତୁ ବିରୋଧିଦଳର ଜିଦ୍ । ଏବେ ଆଲୋଚନା ହେବ । ଏଇ ହେଲା ବିଧାନସଭାର ସବୁଦିନିଆ କଥା । ଯାହା ସରକାର ‘ହଁ’ କହିବେ, ବିରୋଧି ଦଳ ‘ନା’ କହିବେ । ସେ ପରା ବିରୋଧି ଦଳ । ସବୁ କଥାରେ ବିରୋଧ କରିବେ, ଏଇ ତ ଚିରାଚରିତ କଥା ।
କିନ୍ତୁ ଲେଖକଙ୍କ ଭାଷାରେ “ଶାସକଦଳର ସବୁ କଥା ବିରୁଦ୍ଧରେ ଭୋଟ ଦିଅନ୍ତି, (ମାତ୍ର) ପେନ୍ସନ୍, ଭତ୍ତା, ଦରମା ବଢ଼ିବା ବିଲ୍ରେ ଦୁଇହାତ ଟେକିଥାନ୍ତି ।” ପରିସ୍ଥିତି ଅସମ୍ଭାଳ ହେଲା । ଉତ୍ତର ଦେବାକୁ ଠିଆ ହୋଇଥିବା ମନ୍ତ୍ରୀ ବସିପଡ଼ିଲେ । ବାଚସ୍ପତି ବାଧ୍ୟ ହୋଇ ଅଧଘଣ୍ଟା ପାଇଁ ସଭାକୁ ମୁଲତବୀ ଘୋଷଣା କଲେ । ଅଧଘଣ୍ଟା ପରେ ପୁଣି ସଭା ଆରମ୍ଭ ହେଲା । ପ୍ରଶ୍ନ ସଂଖ୍ୟା ୨୦୨ । ମାନ୍ୟବର ଜଳସଂପଦ ବିଭାଗ ମନ୍ତ୍ରୀ । ମନ୍ତ୍ରୀ ଠିଆ ହୋଇ ଉତ୍ତର ଦେବା ଆରମ୍ଭ କଲାବେଳକୁ ହଠାତ୍ ଘଣ୍ଟା ଶବ୍ଦ ଶୁଭିଲା । ଏହା ବିଧାନସଭାରେ ଲାଗିଥିବା କାନ୍ଥ ଘଣ୍ଟାର ଶବ୍ଦ ନ ଥିଲା । ମନ୍ଦିରରେ ବାଜୁଥିବା ଘଣ୍ଟାର ଶବ୍ଦ । ଗୋଟାଏ ନୁହେଁ, ଦିଟା ନୁହେଁ, ଦଶ ଦଶଟା ଘଣ୍ଟାର ଶବ୍ଦ । ସଭା କମ୍ପି ଉଠିଲା । ନିରୁପାୟ ହୋଇ ବାଚସ୍ପତି ପୁଣି ଘଣ୍ଟାଏ ପାଇଁ ସଭାକୁ ମୁଲତବୀ ଘୋଷଣା କଲେ । ବିରୋଧିଦଳ ନେତା, ଶାସକ ଦଳ ମୁଖ୍ୟ ସଚେତକ ଓ ଅନ୍ୟାନ୍ୟ ବିରୋଧି ଦଳର ନେତାଙ୍କୁ ବାଚସ୍ପତି ନିଜ ପ୍ରକୋଷ୍ଠକୁ ଡ଼ାକିଲେ । ଶେଷରେ ମଧ୍ୟାହ୍ନ ବିରତି ପରେ, ସଭାରେ ବିରୋଧି ଦଳ ପକ୍ଷରୁ ଆଗତ କରାଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ହେବ ବୋଲି ସ୍ଥିର ହେଲା ।
x x x x x
ମଧ୍ୟାହ୍ନ ବିରତି ପରେ ସଭା ଆରମ୍ଭ ହେଲା । ଆଲୋଚନା ଆରମ୍ଭ କରି ଶାସକଦଳର ପ୍ରମୁଖ ସଦସ୍ୟ କହିଲେ “ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ହେଉଛି । ସରକାର ଏଥିପାଇଁ ବର୍ଷାଋତୁ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି କରି ସାରିଥିଲେ । ତେଣୁ ବିଶେଷ ଅସୁବିଧା ହୋଇ ନାହିଁ । ରିଲିଫ୍ ଯୋଗଣ ମଧ୍ୟ ଚାଲିଛି । ଆଉ ଖବର କାଗଜ ବାଲା ଏମିତି ଖବର କାଢ଼ିବା ହେଉଛି ପୁରୁଣା କଥା । ବଡ଼ ବଡ଼ ଅକ୍ଷରରେ ପ୍ରଥମ ପୃଷ୍ଠାରେ ପ୍ରକାଶ ହେଲେ ମଧ୍ୟ ଏହାର ସତ୍ୟତା ନାହିଁ । କିନ୍ତୁ ତାଙ୍କ ପାଟିରୁ କଥା ଛଡ଼ାଇ ନେଇ ବିରୋଧିଦଳର ଜଣେ ଟାଣୁଆ ସଦସ୍ୟ କହିଲେ “ଏବେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ନୁହେଁ, ମୌସୁମୀ ବର୍ଷା ହେଉଛି । ମୁଁ ବାଚସ୍ପତିଙ୍କ ଜରିଆରେ ଏ ସମ୍ବନ୍ଧରେ ମାନ୍ୟବର ସଭ୍ୟଙ୍କଠାରୁ ସ୍ପଷ୍ଟୀକରଣ ଚାହୁଁଛି । ଆପଣ ଜାଣିଥିବେ ଯେ ଗତ ୫ ଦିନ ତଳେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏ ସମ୍ବନ୍ଧରେ ପାଣିପାଗ ବିଭାଗ ତରଫରୁ ଇଲେକ୍ଟ୍ରୋନିକ ଗଣମାଧ୍ୟମ, ସମ୍ବାଦପତ୍ରରେ ଖବର ପ୍ରଚାର ହୋଇସାରିଛି । ଏତେ ହେବା ପରେ ବି ମାନ୍ୟବର ସଭ୍ୟ ଏହା ଲଘୁଚାପ ଜନିତ ବର୍ଷା ବୋଲି ପ୍ରକାଶ କରିବା ଦୁର୍ଭାଗ୍ୟଜନକ ଅଟେ ।
ଯଦି ବର୍ଷା ସମ୍ବନ୍ଧରେ ମାନ୍ୟବର ସଭ୍ୟଙ୍କର ବିଶେଷ ଧାରଣା ନାହିଁ, ତେବେ ରିଲିଫ୍ ଯୋଗାଣ ସଂପର୍କରେ ମତ କେତେ ଦୂର ସତ ସହଜରେ ଅନୁମେୟ ।” ‘ବାସ୍ । ଆରମ୍ଭ ହୋଇଗଲା ବାକ୍ଯୁଦ୍ଧ । ପୁରୁଣା କ
ଥା । ପରସ୍ପର ବିରୋଧି ମନ୍ତବ୍ୟ । ଏମିତି ନ ହେଲେ କୁଆଡ଼େ ଏମାନଙ୍କର ଖାଦ୍ୟ ହଜମ ହୁଏନି । ଲଘୁଚାପ ବନାମ ମୌସୁମୀ । ଶାସକଦଳ କହୁଛନ୍ତି ଇଏ ଲଘୁଚାପ ବର୍ଷା - ବିରୋଧିଦଳ କହୁଛନ୍ତି ଇଏ ମୌସୁମୀ ବର୍ଷା । ସମସ୍ତେ ନିଜ କଥାରେ ଅଟଳ, ପାଦେ ଘୁଞ୍ଚିବା ପାଇଁ ନାରାଜ । ଏପରିକି ଜଣେ ବିରୋଧିଦଳ ସଦସ୍ୟ କହିଲେ, “ଶାସକ ଦଳ ମାନେ ଏହାକୁ ମୌସୁମୀ ବର୍ଷା ବୋଲି ସ୍ୱୀକାର କରୁନାହାନ୍ତି କାରଣ ପାଣିପାଗ ବିଭାଗ ହେଉଛି କେନ୍ଦ୍ର ସରକାରଙ୍କର ଏବଂ କେନ୍ଦ୍ର ସରକାରଙ୍କର କଥାର ବିରୋଧି ମନ୍ତବ୍ୟ ଦେବା ରାଜ୍ୟ ସରକାରଙ୍କର ଏକ ରୋଗ । କଥାଟା ଶୁଣୁଶୁଣୁ ଶାସକଦଳର ୩/୪ ଜଣ ସଭ୍ୟ ଥରକରେ ପାଟି କରି ଉଠିଲେ । କହିଲେ ମୌସୁମୀ ବର୍ଷା କ’ଣ ଏତେ ଜୋର୍ରେ କେବେ ହୋଇଛି ନା ହେବ । ଏହା ନିଶ୍ଚିତ ଲଘୁଚାପ ଜନିତ ବର୍ଷା । ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ପରିସ୍ଥିତି ଏପରି ହୋଇଛି । ଏହା କଦାପି ମୌସୁମୀ ବର୍ଷା ନୁହେଁ । ବିରୋଧି ଦଳଙ୍କର କିଛି କାମ ନ ଥିବାରୁ ଅଯଥା କଥା ଉଠାଇ ଗୃହର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତିଙ୍କ ମୁଣ୍ଡ ଗରମ ହୋଇଗଲା । ଆପଣମାନେ ଶାନ୍ତ ହୋଇ ନିଜ ନିଜ ସ୍ଥାନରେ ବସିବେ ନା ପୁଣି ମୁଲତବୀ କରିବି । ମାତ୍ର ତାଙ୍କ କଥା ଶୁୁଣୁଛି କିଏ ? ଲଘୁଚାପ - ମୌସୁମୀ, ମୌସୁମୀ ଲଘୁଚାପ, ଏ ଦୁଇଟି ଶବ୍ଦ ବ୍ୟତୀତ ଆଉ କିଛି ଶୁଣାଯାଉ ନ ଥିଲା । ଏପଟେ ଦଳେ ସଭ୍ୟ ନିଜ ସିଟ୍ରେ ନିର୍ବିକାର ଭାବରେ ବସି ରହିଥିଲେ ।
କହିବା ବାହୁଲ୍ୟ ଯେ ଦୁଇଦିନ ପୂର୍ବରୁ ବିଧାନସଭାର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା ତେଣୁ ସାରା ରାଜ୍ୟରେ ଲୋକେ ଏହା ଦେଖୁଥିଲେ । ମାତ୍ର ପାଟିତୁଣ୍ଡ କରିବା, ଅଧେ ଲୋକ ସିଟ୍ରେ ଘୁମେଇବା ଏମାନଙ୍କର ପୁରୁଣା ଅଭ୍ୟାସ । ସେମାନେ ଯାହାଦ୍ୱାରା ଭୋଟ ପାଇ ଏଠାକୁ ଆସିଛନ୍ତି ସେହି ଲୋକମାନେ ଏକଥା ଦେଖୁଛନ୍ତି, ସେ କଥା ଭୁଲି ଯାଇଛନ୍ତି । ବାଚସ୍ପତି ଦେଖିଲେ ପରିସ୍ଥିତି ଆଉ ସମ୍ଭାଳି ହେବନି । ବାଧ୍ୟ ହୋଇ ଦୁଇଘଣ୍ଟା ପାଇଁ ସଭାକୁ ମୁଲତବୀ ଘୋଷଣା କଲେ । ବିଧାନ ସଭାର ସିଧାପ୍ରସାରଣ ଦେଖିବା ପାଇଁ ସକାଳଠାରୁ ସଜବାଜ ହୋଇ ବସିଥିବା ଲୋକେ ବି କିଛି ବୁଝିପାରୁ ନ ଥିଲେ । କାହିଁ ତାଙ୍କ ଗାଁରେ/ପଞ୍ଚାୟତରେ ଖୋଲା ଜାଗାରେ ସଭା ହୋଇ ଏତେ ହୋ ହଲ୍ଲା ହେଉନାହିଁ । ଅବଶ୍ୟ ଟେଲିଭିଜନରୁ ଗୃହର ସାଜସଜ୍ଜା, ମାଇକ/କମ୍ପ୍ୟୁଟର ଦେଖି ଜାଣିଯାଇଥିଲେ ଯେ ବିଧାନସଭାରେ ଯେତେ ସମୟ ବସିଲେ ବି କଷ୍ଟ ଲାଗିବନି । ଅଧାପାଠୁଆ ଲୋକ ଯିଏ ମୁଲତବୀ ହେବା ପୂର୍ବରୁ ଆସି ଖାଲି ଲଘୁଚାପ-ମୌସୁମୀ ଶବ୍ଦ ଶୁଣିଥିଲା ତାର ମନ୍ତବ୍ୟ ଦେଲା “ଆରେ ! ମୌସୁମୀର ଏତେ ପ୍ରଭାବ ଯେ ଗୃହରେ ଲଘୁଚାପ କରିଦେଲା ।” ତା’ଠୁ ଟିକେ କମ୍ ବୁଦ୍ଧି ଥିବା ଶୁଣିଲା ଓ ସେ ଯାଇ ଆଉ ଜଣକୁ କହିଲା “ଆମ ହସ୍ପିଟାଲରେ ଥିବା ମୌସୁମୀ ନର୍ସକୁ ଦେଖିଲେ ଲୋକଙ୍କର ରକ୍ତଚାପ ବଢ଼ିଯାଉଛି । ସେହିପରି ଏଇ ବଡ଼ ମୌସୁମୀକୁ ଦେଖି ବିଧାନସଭାର ଲଘୁଚାପ ବଢ଼ିଯାଇଛି । ମୋତେ ଭାରି ଖରାପ ଲାଗିଲା । ରାଜ୍ୟର ପରିସ୍ଥିତି ଦେଖ ।
ଜନସାଧାରଣଠୁ ବିଧାନସଭା ପର୍ଯ୍ୟନ୍ତ ଯେଉଁ ଆଲୋଚନା ଚାଲିଛି ଦେଖ । ବର୍ଷା ମୌସୁମୀ ଯୋଗୁଁ ହେଉ ବା ଲଘୁଚାପ ଯୋଗୁଁ ହେଉ ଏହା ସତ । ଲୋକେ ରିଲିଫ୍ ପାଉଛନ୍ତି ନା ନାହିଁ, ଯଦି ପାଉନାହାନ୍ତି ତେବେ କେମିତି ପାଇବେ ? ମରିଥିବା ଲୋକଙ୍କର ଆତ୍ମୀୟ ସ୍ୱଜନଙ୍କର ଅବସ୍ଥା କଅଣ ? ଏଇ ମୂଳକଥା ଛାଡ଼ି ଯଦି ବିଧାନସଭାରେ ମୌସୁମୀ ବନାମ ଲଘୁଚାପ ବର୍ଷା କଥା ଉପରେ ସରଗରମ ପରିସ୍ଥିତି ହେବ କଅଣ କରାଯିବ ? ଅନ୍ୟପକ୍ଷରେ ଲୋକେ ମୌସୁମୀ କଅଣ ସଚେତନ ହୋଇନାହାନ୍ତି । ଲଘୁଚାପକୁ ରକ୍ତଚାପ ସହିତ ତୁଳନା କରୁଛନ୍ତି । ବର୍ଷା ଯାହା ପାଇଁ ହେଲେ ଅସୁବିଧା କଅଣ ? ରିଲିଫ୍ ଯିଏ ଯୋଗାଇଲେ ଅସୁବିଧା କଅଣ ? ଜୀବନହାନି ଘଟିଥିବା ଲୋକଙ୍କ ଦୁଆରେ ଯାଇ ଠିଆ ହେଲେ ଅସୁବିଧା କଅଣ ? ଏମିତି ଅନେକ ପ୍ରଶ୍ନ ମୋ ମନରେ ଉଠୁଥିଲା । ଭାବୁଥିଲି ବିଜୁଳି ଚାଲିଯାଆନ୍ତା କି ? ଗାଁରେ ଟେଲିଭିଜନରୁ ବିଧାନସଭାର ସିଧାପ୍ରସାରଣ ଦେଖିବାକୁ ବସିଥିବା ଲୋକେ ନିଜ ନିଜର କାମ କରିବାରେ ଲାଗିଯାଆନ୍ତେ ।