କ୍ୟାଲେଣ୍ଡର
କ୍ୟାଲେଣ୍ଡର
ହରିୟାନା ରାଜ୍ୟର ଯମୁନାନଗର ଜିଲ୍ଲାର ଚେଞ୍ଚରୋଲି ଏକ ଛୋଟକାଟିଆ ସହର । ଅପେକ୍ଷାକୃତ ଛୋଟ ସହର ହେଲେବି ସବୁ ପ୍ରକାର ସୁଖ ସୁବିଧାରେ ଭରପୂର କହିଲେ କିଛି ଭୂଲ ହେବନି । ଉନ୍ନତ ମାନର ବସଷ୍ଟାଣ୍ଡ ଅଛି , ହାଇଟେକ ରେଳଷ୍ଟେସନ ମଧ୍ୟ ଅଛି । ଚାରି ଘଣ୍ଟାରେ ଦେଶର ରାଜଧାନୀ ଦିଲ୍ଲୀ ଯାଇହେବ ସକାଳୁ ଯାଇ ସନ୍ଧ୍ୟାରେ ଫେରିହେବ । ଆପୋଲୋ ହସପିଟାଲ , ବିଗ ବଜାର ସୁପର ମାରକେଟ , ରିଲାଏନ୍ସ ଫ୍ରେଶ ....ଇତ୍ୟାଦି ଇତ୍ୟାଦି ...। କ’ଣ ବା ନାହିଁ ? ସବୁସୁବିଧା ହାତପାନ୍ତାରେ । ଭାରତର ପ୍ରଥମ ଯୋଜନାବଦ୍ଧ ସହର ଚଣ୍ଡୀଗଡ଼ ମାତ୍ର ଏକ ଘଣ୍ଟାର ରାସ୍ତା । କଥା କ’ଣ କି , ଚେଞ୍ଚରୋଲି ସୁଖର ନଗର ଓ ଜାକଜମକର ସହର ।
ସଞ୍ଜବେଳେ ଆଲୋକ ଜଳିଲେ ଏକ ପଶ୍ଚିମ ଦେଶର ସହର ପରି ଝଲସି ଉଠେ । ଝିଲମିଲ ରଙ୍ଗରେ ପାଟଶାଢୀ ପିନ୍ଧି ଯେମିତି ନବ ବଧୁ ଅବଗୁଣ୍ଠନବତୀ ରୂପ ସମ୍ଭାରରେ ସୁସଜ୍ଜିତା ବିମଣ୍ଡିତା କନକଲତାପରି । ମାତ୍ର ସେ ସହରରେ ରହୁଥିବା ଲତା (ପୁଷ୍ପଲତା )ର ମନ ଆଦୌ ଲାଗୁନି । ସବୁ ବେଳେ ଖାଁ ଖାଁ ସରାଗବିହୀନ ନିରସା ନିରସା ଲାଗୁଛି । ଖାଇବା ପିନ୍ଧିବାରେ କିଛି ଅସୁବିଧା ନାହିଁ ମାତ୍ର କ’ଣ ଯେମିତି ହଜିଯାଇଛି , କ’ଣ ଯେମିତି ଖୋଜି ଖୋଜି ପାଉନାହାନ୍ତି ସେ ...।
ବର୍ଷେ ହେବ ସେ ପତିଦେବ ହିମାଂଶୁ କୁମାର ଜେନାଙ୍କ ସହିତ ଚେଞ୍ଚରୋଲି ସହରକୁ ଆସିଲେଣି । ପ୍ରଥମ ଚାରି ପାଞ୍ଚ ମାସ ବେଶ ମଉଜ ମଜଲିସରେ, ଯାକ ଯମକରେ ତାମ-ଝାମରେ କଟିଗଲା । ମାତ୍ର ରହଣିର ମାସ ବଢିବା ସହିତ ମନର ପରିସ୍ଥିତି ଓ ଅବସ୍ଥା ଆହୁରି ଖରାପ ହୋଇଆସିଲା । ଦିନକୁଦିନ ନାନା ଅନୁଶୋଚନା –ତାଡନା-ପଶ୍ଚାତାପର କଳାବାଦଲ ମନ ମଗଜକୁ କାବୁ କରି ରଖୁଛି । ମାତ୍ର ଆଜି କାନ୍ଥରେ ଟଙ୍ଗା ରାଧାରମଣ ଓଡିଆ କ୍ୟାଲେଣ୍ଡରଟି ଦେଖି ମନ ଯେମିତି ଥୟ ଧରିବାକୁ ନାରାଜ । ଲୋତକ ସବୁ କୁହା ବୋଲ ନମାନି ଝରି ବୋହି ଚାଲିଛନ୍ତି ଅନବରତ । ଅଗଷ୍ଟ ୨୯ ତାରିଖରେ ଗହ୍ମାପୂର୍ଣ୍ଣମୀ ବା ରାକ୍ଷୀପୂର୍ଣ୍ଣିମା ପଡିବ । ରାକ୍ଷୀ କଥାରୁ ଯେମିତି କିଛି ପୁରୁଣା ସ୍ମୃତିଚାରଣ ହେଇଯାଇଛି କିଛି ପୁରୁଣା ଭାବନା-କଳ୍ପନା-ଜଳ୍ପନା ସବୁ ଉବୁଟୁବୁ ହୋଇ କୂଳ-କିନାରା ମାନୁ ନାହାନ୍ତି । ଲୁହର ଧାରେ ଧାରେ ଧାଇଁଛନ୍ତି ସେହି ଅତୀତ ଅଗଣା ପାଖକୁ, ସେହି ଅପାଶୋରା ବିଗତ ଦିନର କିଛି ସୁନେଲି ରୂପେଲି ମଖମଲି ମୁହୂର୍ତ୍ତ ପାଖକୁ । କୁଆଡେ ଲୋତକର ପଶ୍ଚାତାପ ଧାରାରେ କିଛି କଳୁଷିତ ପଙ୍କିଳ ଅତୀତକୁ କ୍ଷାଳନ –ପ୍ରକ୍ଷାଳନ –କରିହେବ , କିଛି ଶାନ୍ତି-ଆସ୍ଵସ୍ତି-ଆତ୍ମତୃପି ମିଳିଯିବ କାଣିଚାଏ ।
କହିରଖେ, ଲତା ଓରଫ ପୁଷ୍ପଲତା ପଣ୍ଡା ଓଡିଶା ରାଜ୍ୟର ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକର ରାଣୀଖୁଡୀ ଗ୍ରାମର ସନ୍ୟାସୀ ଚରଣ ପଣ୍ଡାଙ୍କର ଅଲିଅଳୀ କନ୍ୟା । ବଡଭାଇ ରମାନାଥ ପରେ ଯେବେ ଲତା ଘରକୁ ଆସିଲା, ମା’ ଦ୍ରୌପଦୀ ଦେବୀ ଆଦୌ ଖୁସି ନଥିଲେ ଅନ୍ୟ ତଥାକଥିତ ମମତାମୟୀ ମା’ ମାନଙ୍କ ପରି । ମନରେ ଅବସାଦ –ଅନୁଶୋଚନା ଖାଲି ଥିଲା । କାଳିଆ ଗଳାମାଳିଆ ଉପରେ ଅଭିମାନିଆ କଥାସବୁ ବଖାଣୁଥିଲେ । ଏତେ ଡାକିଲି , ଭକ୍ତିପୂତ ନୈବେଦ୍ୟ ବାଢିଲି ପୁଅଟିଏ ପାଇଁ ; ମାତ୍ର ବଧିରା ନଟନାଗର ଜଗତରନାଥ ଜଗନ୍ନାଥଙ୍କର କର୍ଣ୍ଣଗୋଚର ହେଲାନି । ସବୁ ବେଳେ ସକି ସକି ବାହୁନି-ବାତୁନି ହେଉଥିଲେ । ମାତ୍ର ସନ୍ୟାସୀ ବାବୁ ସହଧର୍ମିଣୀକୁ ବୁଝେଇ ଦେଇଥିଲେ , ହଲେଇ ଦେଇକରି କହିଥିଲେ -ଦେଖିବୁ ଲତା ଆମର ଲଟିକା ହୋଇ ମନ-ବୀଥିକାରେ କନକଲତା –ଚାରୁଲତା ସମ ଆଲୋକବର୍ତ୍ତିକାଟିଏ ହୋଇ କୂଳଦୁହିତା ହେବ । ଦୁଇ କୂଳକୁ ସମୁଜ୍ଜଳ କରିବ । ମୋ କଥାକୁ ଗଣ୍ଠି ପକେଇ କି ରଖ ଲୋ ରମା ବୋଉ ! କାନିରେ ଭିଡିକି ଗଣ୍ଠିଟେ ପକେଇଥା । ଖାଲି ପୁଅ ପୁଅ ରଟୁଥା । ଯୁଗ ସମାଜକୁ ତିଳେ ବି ନିଘା ଥିଲେ ସିନା ଏମିତି ମରହଟିଆ କଥା ତୁଣ୍ଡକୁ ଆସନ୍ତା କି ?
ମାତ୍ର ସହପାଠୀ ହିମାଂଶୁ ଜେନା ସାଙ୍ଗରେ ମୋବାଇଲ ପ୍ରେମ କରି ଅଜ୍ଞାତରେ ଚୂପ ଚାପ ଘର ଛାଡି ହରିୟାନା ପଳେଇଆସିଛି । ମ୍ୟାଟ୍ରିକ ଫେଲ ହିମାଂଶୁ କରତକଳରେ ଦିନ ମଜୁରିଆ ଅଛି । ମାସକୁ ୧୨ ହଜାର କମାଏ । ଗୁଜୁରାଣ ମେଣ୍ଟିଯାଏ । ମାତ୍ର ମନରେ ସବୁବେଳେ ଗ୍ଳାନି । ହୃଦୟରେ ସବୁବେଳେ ଅବସାଦର ଛଟା ବାପଘର ଗଲା ,ଶ୍ଵଶୁରଘର ମଧ୍ୟ ମଲା ଯୌବନର ଆଦିମ ନିଶାରେତ ଲତା ବାପା-ମା’, ଭାଇ-ଭାଉଜ,ବନ୍ଧୁ କୁଟୁମ୍ବ ,ଜ୍ଞାତି ସ୍ଵଜନ ସବୁ ଡେଇଁ ପଳେଇ ଆସିଲା । ମାତ୍ର କେତେ ମାସଟା ପରେ ଅନୁତାପର ଅନଳରେ ଅନୁଶୋଚନାର ଦାବାନଳରେ ଜଳିପୋଡିବାକୁ ଲାଗିଲା ।ଭୂଲ କରିଦେଲି ,ମସ୍ତବଡ ଅପରାଧ ହୋଇଗଲା ,ବିରାଟ ମହାପରାଧ କରିଦେଲି ଇତ୍ୟାଦି ---ଇତ୍ୟାଦି ଭାବିପାରନ୍ତିନି ।
ହିମାଂଶୁର ତ ବାର ଘଣ୍ଟିଆ ଡ୍ୟୁଟି । ଭାତ ଖାଇବାକୁ ମଝିରେ ଆସନ୍ତି । ନାଇଟ ଶିଫ୍ଟରେ କାମପଡିଲେ କଥା ସରିଲା । କଥା କହିବାକୁ କେହି ନାହିଁ । ଭାବର ଆଦାନ ପ୍ରଦାନ କରିବାକୁ ବି କେହି କାହିଁ ? ବନ୍ଦିନୀ ପରି ଜୀବନ । କେତେ ବା ଟିଭି ଦେଖିବ ! ପ୍ରଥମେ ପ୍ରଥମେ ରଙ୍ଗୀନ ଏଲିଡି ଟିଭି ପରଦାର ରଙ୍ଗୀନ ଚବିଶଘଣ୍ଟିଆ ସିନେମା ବହୁତ ଆନନ୍ଦ ଲାଗୁଥିଲା । ମାତ୍ର ସେହି ଘିଶାପିଟା ପ୍ରୋଗ୍ରାମ ସବୁ ମନକୁ ଶୀତଳତା ଦେଇପାରୁନି ବରଂ ମଗଜକୁ ଖରାପ କରିଦେଉଛି ଯେମିତି କିଛି ଖୋଜୁଛନ୍ତି ହଜିଯାଇଥିବା ଅତୀତ ଏବଂ ଆଶାତୀତ ଭବିଷ୍ୟତର ଦୋଛକିରେ ବେଶ ପେଷି ହୋଇ ଚାଲିଛନ୍ତି । ସାମାଜିକ କଳଙ୍କର କାଳିମାରେ ମଳିଚକଟି ଲୋଚାକୋଚା ଅତୀତ ଏବଂ ଦିଶାହୀନ ରୁଚିହିନ ନଷ୍ଟ ଲକ୍ଷ୍ୟଭ୍ରଷ୍ଟ ଭବିଷ୍ୟତର ଚଉହଦି ଚକ୍ରବ୍ୟୁହରେ ଘାଣ୍ଟି ହୋଇ ଚାଲିଛନ୍ତି ଲତା .....।
ଅଗଷ୍ଟ ମାସର କ୍ୟାଲେଣ୍ଡରଟା ସବୁ ଓଲଟ ପାଲଟ କରିଦେଲା । ରାକ୍ଷୀ ପୂର୍ଣ୍ଣିମାଟା ୨୯ ତାରିଖରେ ପଡିବ । ବଡ ଭାଇକୁ ରାକ୍ଷୀ ମୁଁ ବାନ୍ଧିପାରିବିନି ଅଗ୍ରଜ ପ୍ରତିମ ଦେବତୁଲ୍ୟ ରମାଭାଇ ହାତରେ ମୁଁ କାଳନାଗୁଣୀ ପାପିନୀ ଡାଙ୍କୁଣି ପବିତ୍ର ରାକ୍ଷୀ ବାନ୍ଧିବାରୁ ବଞ୍ଚିତ ରହିବି ,ଏହି ଅନୁଶୋଚନା ଏହି ଭାବାବେଗ ଭିତରୁ କୋରି ପକଉଥିଲା ଲତାଙ୍କୁ । ଭାଇ-ଭଉଣୀର ସେହି କମନୀୟ-ନମନୀୟ –ହସ-କାନ୍ଦର ଅନୁନୟ ଅଭିନୟରେ ଉଦଭାଷିତ ଅତୀତର ପେନ୍ଥା ପେନ୍ଥା ସ୍ମୃତି ସବୁ ଝାପସା ଝାପସା ଭାସିଆସିଲା ମାନସ ପଟଳକୁ ।
ସିନେମାର ରୂପେଲି ପରଦା ଉପରେ ଯେମିତି ଦୃଶ୍ୟ ପରେ ଦୃଶ୍ୟ ସବୁ ଭାସି ଭାସି ମନକୁ ଉଲ୍ଲସିତ କରି ଚାଲିଥାଏ , ସେମିତି ଲତା-ରମାନାଥର ବାଲ୍ୟ-କୈଶୋରର ଚପଳ କୋମଳ ରାକ୍ଷୀ ବନ୍ଧାର ଦୃଶ୍ୟ ମନକୁ ଆହୁରି ଆନ୍ଦୋଳିତ କରୁଥାଏ । ଅହେତୁକ ଲୋତକ ଅନବରତ ବହିଚାଲିଥାଏ ସଦାନିରା ତଟିନୀ ନିମାଗ୍ନା ପରି ।
ପୋଷ୍ଟରେ ରାକ୍ଷୀ ତ ପଠେଇ ଦେଲେ କେମିତି ହୁଅନ୍ତା । କୋରିୟରରେ ବି ପଠେଇ ହୁଅନ୍ତା ଯେମିତି ଆମାଜନ ବା ଫ୍ଲିପକାର୍ଟରେ ଅନଲାଇନ ଜିନିଷ ସବୁ ଡ଼ୁର ଟୁ ଡ଼ୁର ଡେଲିଭାରି ହେଉଛି । ତା’ ସହିତ ହାତ ଲେଖା ଚିଠି ଖଣ୍ଡେ ବି ଦେଲେ ହୁଏତ ବଡଭାଇ ସାନଭଉଣୀକୁ କ୍ଷମା କରିଦେଇ ସରାଗରେ ରାକ୍ଷୀଟା ବାନ୍ଦିଦିଅନ୍ତା ତାର ସୁନ୍ଦର ସୁଢଳ ଡାହାଣ ହାତର କଲାଇରେ-ବଳାଗଣ୍ଠିରେ । କେତେ ମାନନ୍ତା,କେତେ ସାଜନ୍ତା ଆଉ ବେଶୀ ଭାବି ପାରିଲାନି ଲତା ;ଚିଠି ଲେଖିବାକୁ ବସିପଡିଲା ଅଗତ୍ୟା
ଆଦରର ବଡଭାଇ , ଚେଞ୍ଚରୋଲି,ହରିୟାନା
ତା:୨୦-୦୮-୨୦୧୯
କାଳନାଗୁଣୀ –ହତଭାଗିନୀ –କଳଙ୍କିନୀ-କୁହୁକିନୀ ଲତାର ଭକ୍ତିପୂତ ଉଲଗି-ଜୁହାର ନେବ ଭାଇ । ମିତା ଭାଉଜଙ୍କୁ ମଧ୍ୟ ମୋର ପ୍ରଣାମ ଜଣେଇବ । କୈବଲ୍ୟକୁ ମୋର ସ୍ନେହ ଦେବ ।
ମୁଁ ଜାଣେ ମୁଁ ଜଣେ ଅପରାଧୀ , ଜଘନ୍ୟ ମହାପରାଧ କରିଛି । କଳଙ୍କର କାଳିମା ବୋଳିଦେଇ ପଳେଇଆସିଛି କେତେ ରାଜ୍ୟ ଡେଇଁ ଦଉଡି ବାଟ ହୁଡି । ଦେବତା ସମ ବାପା ମୋର ଲଜ୍ୟାହୀନ କାର୍ଯ୍ୟକୁ ଶହିନପାରି ହୃଦାଘାତରେ ଆରପାରିକୁ ଚାଲିଯାଇଛନ୍ତି । ଏ ସବୁ ପାଇଁ ମୁଁ ହିଁ ତିଳେତିଳେ ଦାୟୀ । ମୁଁ ମୋ ଅକ୍ଷମଣୀୟ ଅପରାଧକୁ ମଥାପାତି ମାନି ନଉଛି ଭାଇ ! ମୋର ଅପରିଣାମଦର୍ଶିତା –ଗର୍ହିତ କର୍ମକୁ ସ୍ଵୀକାର କରୁଛି ଭାଇ ! ମୋତେ କଠିନରୁ କଠିନତର କଠିନତମ ଦଣ୍ଡ ଦିଅ ଭାଇ ! ମୁଁ ସହିବାକୁ ଇଚ୍ଛୁକ –ଇଚ୍ଛାମତ । କାରଣ ମୁଁ ଭାରତ ଭୂଖଣ୍ଡରେ ଥିବା ସବୁଠାରୁ କଠିନତମ ଦଣ୍ଡରେ ଦଣ୍ଡିତ ହେଲେ ଆଉ ମୋ ପରି ଅଭାଗିନୀ,ଅଲାଜୁକି,ପ୍ରେମବାୟାଣୀ ,ପ୍ରେମପାଗଳି ଲତା-ବନିତା-କବିତା ମାନେ ଗୋଡ କାଢିବାକୁ –ଖସେଇବାକୁ-ଖସରିବାକୁ ସାହସ କରିବେନି ; ବରଂ ପରମ୍ପରାକୁ ସମ୍ମାନ ଦେବେ, ଡରିକରି ହେଉ ପଛେ ।
ମାତ୍ର ମୋ କଥା ଟିକେ ଶୁଣ ଭାଇ ? ମୋର ହୃଦୟ ପ୍ରଦେଶରୁ ଗଜରୁଥିବା ଭାବାବେଗକୁ ଟିକେ କର୍ଣ୍ଣଗୋଚର କର ଭାଇ ! ମୋର ବୁକୁଫଟା ଅନନ୍ତରଭେଦି ଭାବନାକୁ ହେଜ ଭାଇ ! ମୋର କେଉଁଠି ଭୂଲ ରହିଲା , ଦର୍ଶାଅ । ଅନ୍ୟ ବେଳେ ଛୋଟ ଛୋଟ ଭୂଲ ପାଇଁ ମୋ କାନ ଧରି , ବେଣୀ ଟାଣି କେତେ ଆକଟ କରୁଥିଲ , କେତେ ବିଧା-ଗୋଇଠା ମାରି ମୋତେ ବୁଝାଉ ଥିଲ ଆଜି ଟିକେ ଶୁଣିବ ଭାଇ !
ଘରେ କେବଲ ଟିଭି ଲଗେଇ ଦେଲ ମାସକୁ ୫୦ ଟଙ୍କା । ରାତି ଦିନ ଉଜାଗର ରହି ସିନେମା ସବୁ ଅହର୍ନିଶ ଦେଖିଲି । ତୁମ କଲେଜ ମ୍ୟାଗାଜିନ ସବୁ ପଢିଲି ଆଉ ଧୀରେ ଧୀରେ ପ୍ରେମମନସ୍କ ହୋଇଗଳି ମୋ ଅଜାଣତରେ ମୋ ଅଗୋଚରରେ । ପଞ୍ଚୁକ ବେଳେ ଆମ ଚକ୍ରାଣ୍ଡିଆ ଛକରେ “ଶିବଧନୁ” ପୌରାଣିକ ନାଟକ ମଞ୍ଛସ୍ଥ ହେଲା । ରାମ ଭୂମିକାରେ ଅଭିନୟ କରୁଥିବା ଆମ ଗାଁର ହିମାଂଶୁକୁ ସେହି ରାତିରେ ମୁଁ ମନେ ମନେ ଭଲ ପାଇବସିଲି । ମା’ଛେଉଣ୍ଡ ଝିଅ ମୁଁ ଜାଣିପାରିଲିନି ବ୍ରାହ୍ମଣ ଜାତିର ଝିଅ କେମିତି ନିଚ୍ଚ ଜାତିର ପୁଅକୁ ବାହାହେବ, ଯୌବନରେ ପାଦଦେଲେ କେଉଁଟା ଭୂଲ ଆଉ କେଉଁଟା ଖରାପ ମୁଁ ବିଚାର କରିପାରିଲିନି ----?
ତୁମେ ବାଲେଶ୍ଵରରେ ଫକିରମୋହନ କଲେଜରେ ପଢିଲ । ନର୍ଥ ହଷ୍ଟେଲରେ ରହିଲ । କେବେ ମାସକୁ ଦିମାସକୁ ଦିନେ ଦୁଇଦିନ ପାଇଁ କୁଣିଆ ହୋଇ ଆସିଲ ଗଲ । ବାପା ମନ୍ଦିର ପୂଜାପଠାରେ ଆଉ ଶ୍ରାଦ୍ଧ-ମେଳାରେ ବ୍ୟସ୍ତ ରହିଲେ । ମୁଁ ଘରେ ରହିଲି ଏକେଲା –ଅକେଲା । ମୁଁ ବି ଜଣେ ରକ୍ତ -ମାଂସ ଧାରୀ ମଣିଷ । କଥା ହେବା ପାଇଁ –ମନରେ ଗଜରୁଥିବା ଭାବନାକୁ ଶୁଣିବାକୁ କେହି କୁଆଡେ ନାହିଁ ? ଶୁନ ଶାନ ପରିବେଶ । ଭୂଲ ହେଇଗଲା । ଯଦି ମୋର ଜଣେ ମନକୁ ବୁଝିବା ପାଇଁ ବାପା-ଭାଇ ସବୁବେଳେ ପାଖରେ ଥାଆନ୍ତେ , ହୁଏତ ଅନ୍ୟଥା କିଛି ହୋଇଥାନ୍ତା । ତୁମେ ତୁମର ଭବିଷ୍ୟତ ଗଢିଲ ---ନିଜର ସୁନେଲି ମୀନାର ଗଢିଲ । ଟିକିଏ ସ୍ଵାର୍ଥପର ହୋଇ ସେଲଫିସ ହୋଇଗଲ ଭାଇ ! ତୁମକୁ ଦୋଷ ଦେଉନି । ବଯସର ଓଜାଣି ଶ୍ରୋତରେ ବେକାରି ସମସ୍ୟାର ଉତ୍ତାଳ ତରଙ୍ଗରେ ତୁମେ ବି ନିଜକୁ ଭସେଇନେଲ । ତୁମ ଅଜାଣତରେ ତୁମେ ବି ଛୋଟ ଗେଲ୍ହା ସାନ ଭଉଣୀ ପାଇଁ ନିଜ କରତବ୍ୟରେ ଟିକିଏ ହେଳା କରିଦେଇଛ ନା ଭାଇ ! ନିଜକୁ ଟିକେ ପଚାର ଭାଇ ! ତୁମକୁ ମୁଁ ଦୋଷ ଦଉନି । କେବଲ ଅନ୍ତର୍ମନ୍ଥନ କରାଉଛି । କେବଲ ବିବେକ ଉଦ୍ରେକ ଜରାଉଛି ଭାଇ !
ଭାଇ ! ମୋର ଗୋଟେ ଅଳି ରଖିବ ! କାରଣ ମୁଁ ଯୌତୁକ ବଞ୍ଚେଇଛି --- ମୋ ଭାଗ ମୁଁ ମାଗିବିନି । ମୋ ରାଣ ଭାଇ ! ତୁମେ ମୋ ରାକ୍ଷୀ ବାନ୍ଧିବ ଏବଂ ଆମ ସେହି ଅପାସୋରା ଭାଇ-ଭଉଣୀ ସପର୍କ କଥା ମାନେ ପକେଇବ ।
ଆମର ଆଉ ଦେଖା ହେବନି ସତ । କାରଣ ମୁଁ ବି ଆଉ ଓଡିଶା ମୁଁହା ହେବିନି ।
ମୁଁ ଭୂଲ କରିଛି –ମାନୁଛି ମୋ ଭୂଲଟା । ମାତ୍ର ତୁମେ ବି ଆଉ ବାପା ବି କିଛି କିଛି ମାତ୍ରାରେ ପରୋକ୍ଷରେ ଅଜାଣତରେ ଭୁଲ କରି ପକେଇଛ । ଆମେ ସମସ୍ତେ ଭୁଲ ପଥର ଯାତ୍ରୀ ସାଜିଛେ ।
ଅନୁତପ୍ତ ମୁଁ ଆଜି । ମୋର ଗୋଟିଏ ଅନୁରୋଧ ରଖିବ । ମୋ ରାକ୍ଷୀକୁ ପ୍ରତ୍ୟକ ବର୍ଷ ବାନ୍ଧିବ । ମୋର ବାପ ଘର ନାହିଁ-ସରିଯାଇଛି-ମରିଯାଇଛି –ହଜିଯାଇଛି । ମାତ୍ର ଭାଇଭଉଣି ସମ୍ପର୍କ କାଳକାଳକୁ ବଞ୍ଚିରହୁ ।
ଇତି ତୁମର ହତଭାଗିନୀ ଭଉଣୀ,
ଲତା ।
“ହେଇଟି ଶୁଣୁଛ ! ଏୟାର ବ୍ୟାଗଟା ଟିକେ ସଜାଡି ଦେବ । ସୁଜି ମଣ୍ଡା ୫ ଗଣ୍ଡା ପୁରେଇଥିବ । ବାଡି ପିଜୁଳି ୧୦ -୧୨ ଟା ଦେଇଥିବ । ମୁଁ କାଲି ହରିୟାନା ଯିବି ----“:-
ମୋବାଇଲରେ ଅଧା-ଖଣ୍ଡିଆ ମ୍ୟାସେଜ ଶ୍ରୀମତିଙ୍କୁ ଟାଇପ କରୁକରୁ ରମାନାଥ ବାବୁଙ୍କୁ ଆଉ କିଛି ଦେଖାଗଲାନି । ଆଖି ବୋଲମାନିବାକୁ ଏକାବେଳକେ ନାରାଜ । ଦୁଇ ଆଖିରୁ ଧାର ଧାର ହୋଇ ନାକ ପୁଡାକୁ ପ୍ଳାବିତ କରି ଚାଲିଥିଲା ଆଉ ମୋବାଇଲ ସ୍କ୍ରିନ ଉପରେ ଟପ ଟପ ହେଉଥିଲା । ଖୁସିର ଏକ ଆରୁଣିକ ଝଲକ ବେଶ ବାରି ହେଇପଡୁଥିଲା । ସେ ପ୍ରାୟ ସାନ ଭଉଣୀର ସେହି ପ୍ରେରିତ ଚିଠିର ମର୍ମକୁ ବୁଝିସାରିଥିଲେ ଆଉ ସବୁ ସଂକୀର୍ଣ୍ଣ ଚଉହଦି ଭିତରେ ବନ୍ଧା ଭାଇ-ଭଉଣୀର ସ୍ନେହ-ସଂପର୍କକୁ ମୁକୁଳେଇବାକୁ କିଛି ଦୁଃସାହସିକ ଯାତ୍ରା କରିବାକୁ ଭୀଷ୍ମ ପ୍ରତିଜ୍ଞା ନେଇସାରିଥିଲେ ।