Kanan Bala Nayak

Drama

4.5  

Kanan Bala Nayak

Drama

କଟି

କଟି

4 mins
226



    ଦୀର୍ଘ ତିରିଶ ବର୍ଷ ପରେ ପୁଣି ଥରେ ପ୍ରିୟାର ଅଙ୍କିତା ସହ ଭେଟ ହୋଇଛି ତାଙ୍କ ବ୍ଯାଚ୍ ପିଲାଙ୍କ ପାଇଁ ହେଉଥିବା ଗେଟଟୁଗେଦରରେ। ହେଲେ ତିନି ଦଶନ୍ଧି ପରେ ଭେଟିବା ପରେ ମଧ୍ୟ ପ୍ରିୟା ଅଙ୍କିତାକୁ ଦେଖି ଖୁସି ହୋଇ ପାରୁନି କି ନିଜ ତରଫରୁ କଥା ପଦେ ହେବା ପାଇଁ ଆଗେଇ ଆସୁନି। ଏତେ ବର୍ଷ ପରେ ମଧ୍ୟ ପ୍ରିୟାକୁ ଏମିତି ଦେଖି ଅଙ୍କିତା ପ୍ରିୟା ପାଖକୁ ଆସି ତାକୁ କୁଣ୍ଡାଇ ପକାଇ କହିଲା ପ୍ରିୟା ତିରିଶ ବର୍ଷ ତଳର ସେ ଘଟଣାକୁ ତୁ ଆଜି ଯାଏ ଭୁଲିନୁ। 


    ତିରିଶ ବର୍ଷ ତଳେ ଆମେ ସବୁ ପିଲା ଥିଲୁ ଭଲ ମନ୍ଦ କଣ ଜାଣିବାର ବୟସ ଆମର ହୋଇ ନଥିଲା। ତେଣୁ ସେ ସମୟରେ ପିଲାଳିଆ ଗୁଣ ଯୋଗୁଁ ଆମେ କେତେ କଣ ଦୁଷ୍ଟାମୀ କରିଥାଉ ଆଉ ମୁଁ ମଧ୍ୟ ସେ ସମୟରେ ତୋ ସହ କଣ ଟିକେ ଦୁଷ୍ଟାମୀ କରି ଦେଇଥିଲି। ଆଉ ସେଥିପାଇଁ ତୁ ସେଦିନ ପାଖରୁ ମୋ ସଙ୍ଗେ କଟି ହୋଇଛୁ ଯେ ଆଜି ତିରିଶ ବର୍ଷ ପରେ ବି ମିଟି ହେବୁନି ?


  ସତରେ ତୁ ଟା ସବୁ ଦିନ ଯେଉଁ ବୁଦ୍ଦୁକୁ ସେଇ ବୁଦ୍ଦୁ ହୋଇ ରହିଗଲୁ। ତିରିଶ ବର୍ଷ ଭିତରେ ଦୁନିଆରେ କେତେ ପରିବର୍ତ୍ତନ ହୋଇ ଗଲାଣି। କରୋନା ଭଳି ଭୟଙ୍କର ବେମାରୀ ସମଗ୍ର ପୃଥିବୀକୁ ଆତଙ୍କିତ କରି ସାରିଲାଣି। କେତେ ନିଜର ଲୋକ ଆମକୁ ଛାଡି ଚାଲିଗଲେଣି। ଆମେ ମାନେ ଛୋଟ ପିଲାରୁ ପିଲାଙ୍କ ବାପା ମାଆ ହୋଇ ଗଲେଣି । ତୁ ମଧ୍ୟ ଦୁଇଟି ପିଲାର ମାଆ ହୋଇ ସାରିଲୁଣି। ହେଲେ ତୁ ସେ ଦିନ ଯାହାଥିଲୁ ଆଜି ମଧ୍ୟ ସେଇଆ ଅଛୁ। ନାକ କାନ୍ଦୁରୀ, ବୁଦ୍ଧୁ। ସେ ଦିନର ସେଇ ଛୋଟ କଥାର ବୋଝକୁ ଆଜି ଯାଏ ବୋହି ଚାଲିଛୁ।


   ପ୍ରିୟା ଓ ଅଙ୍କିତା ପିଲାବେଳର ସହପାଠୀ । ଗୋଟିଏ ସ୍କୁଲରେ ପଢ଼ୁଥିଲେ । ପ୍ରିୟା ସ୍ବଭାବରେ ଧୀର ଶାନ୍ତ ଶିଷ୍ଟ । ସବୁବେଳେ ଚୁପ୍ ଚାପ୍ ରହିବାକୁ ଭଲପାଏ । ତା ଶ୍ରେଣୀର ଅନ୍ୟ ପିଲାମାନେ ଯେତେବେଳେ ବିଭିନ୍ନ ଖେଳ କସରତରେ ମାତନ୍ତି ପ୍ରିୟା ଚୁପ୍ ଚାପ୍ ବହି ଖଣ୍ତେ ଧରି ଗୋଟେ କୋଣରେ ବସିଥାଏ । ପ୍ରାୟ ସମୟରେ ନିଜ ଭିତରେ ମଗ୍ନ ଥାଏ। ବହିକୁ ଛାଡି ଦେଲେ ତାର ଆଉ ଦୁଇ ଜଣ ସାଙ୍ଗ ଜଣେ ରୋଜି ଓ ଜଣେ ସନ୍ଧ୍ୟା। ଯେଉଁ ମାନେ କି ତା ଗାଁର। ସେଇ ମାନଙ୍କ ସହ ସେ ସ୍କୁଲ ଯିବା ଆସିବା କରେ। ପ୍ରୀୟା ସବୁ ବେଳେ ଶ୍ରେଣୀରେ ପ୍ରଥମ ହୁଏ। ତେଣୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାକୁ ଭାରି ଭଲ ପାଆନ୍ତି। 


   ହେଲେ ଅଙ୍କିତା, ପ୍ରୀୟାର ପୁରାପୁରି ଓଲଟା। ସବୁବେଳେ ଚଳ ଚଞ୍ଚଳ । ଅନ୍ୟ ପିଲାମାନଙ୍କୁ ହଇରାଣ କରିବାକୁ ତାକୁ ମଜା ଲାଗେ। କେତେ ବେଳେ କାହା ବ୍ୟାଗ୍ ରୁ କେଉଁ ଖାତା ନେଇ କେଉଁଠି ଲୁଚାଇ ଦେଲେଣି, ତ କେତେବେଳେ କାହାର ଟିଫିନ୍ ନେଇ ଖାଇ ଦେଲେଣି, ତ କେତେବେଳେ କାହା ଚୁଟି ଟାଣିଲାଣି। ସେଥିପାଇଁ ଶ୍ରେଣୀର ସମସ୍ତ ପିଲାଙ୍କ ସହ ତାର ସବୁବେଳେ ଗଣ୍ଡଗୋଳ ହୁଏ‌‌। ପ୍ରୀୟାକୁ ଯେହେତୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ଭଲ ପାଉଥିଲେ ଅଙ୍କିତା ପ୍ରୀୟାକୁ ସବୁବେଳେ ଈର୍ଷା କରୁଥିଲା ଓ ତାକୁ କେମିତି ହଇରାଣ କରିବ‌ ସେଇ ଚେଷ୍ଟାରେ ଥିଲା। ଅନେକ ଥର ଚେଷ୍ଟା ମଧ୍ୟ କରିଥିଲା‌‌। କିନ୍ତୁ ସନ୍ଧ୍ୟା ଓ ରୋଜି ସବୁ ବେଳେ ତାକୁ ଅଟକାଇ ଦେଉଥିଲେ। ହେଲେ ଅଙ୍କିତା କି ଛାଡ଼ିବାର ପିଲା। ସେ ତ ସବୁବେଳେ ସୁଯୋଗ ଅପେକ୍ଷାରେ ରହୁଥାଏ। 


   ଦିନେ ସନ୍ଧ୍ୟା ଓ ରୋଜି ଦୁଇ ଜଣ ସାରା ସ୍କୁଲକୁ ଆସି ନଥାନ୍ତି ଆଉ ସେଇ ଦିନ ସ୍କୁଲ ଇନ୍ସପେକ୍ଟର ସ୍କୁଲ ପରିଦର୍ଶନ ପାଇଁ ଆସିବେ ଓ ଗଣିତ ଖାତା ଦେଖିବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରୀୟାର ଶ୍ରେଣୀ ପିଲା ଙ୍କୁ କହିଲେ। ଅଙ୍କିତା ଭାବିଲା ଆଜି ପ୍ରୀୟା କୁ ପାନେ ଦେବ। ତେଣୁ ସେ ସୁଯୋଗ ଦେଖି ଖାଇବା ଛୁଟିରେ ପ୍ରୀୟା ବ୍ୟାଗ୍ ରୁ ତା ଗଣିତ ଖାତା ଟିକୁ କାଢି ନେଇ ତା ବ୍ୟାଗ୍ ରେ ଲୁଚାଇ ଦେଲା। ଖାଇବା ଛୁଟି ପରେ ସ୍କୁଲ ଇନ୍ସପେକ୍ଟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ ପ୍ରୀୟା ଶ୍ରେଣୀ କୁ ଆସିଲେ ଓ ପିଲାଙ୍କ ଗଣିତ ଖାତା ମାଗିଲେ। ସବୁ ପିଲା ନିଜ ନିଜ ଗଣିତ ଖାତା ବଢାଇ ଦେଲେ । ହେଲେ ପ୍ରୀୟା ତା ଖାତା ଖୋଜି ପାଉନି। ବ୍ୟାଗ୍ ସାରା ଦରାଣ୍ଡି ସାରିଲାଣି ହେଲେ ପାଉନି। ଖାତା କୁଆଡେ ଗଲା‌ ? କିଏ ନେଲା ?


   ସେ ଆଉ ସ୍କୁଲ୍ ଆସିବା ସମୟରେ ଖାତା ବ୍ୟାଗ୍ ରେ ପୁରାଇବାକୁ ଭୁଲି ଯାଇନି ତ? ନାଁ ସେ ତ ଭଲ ଭାବରେ ବ୍ୟାଗ୍ ଚେକ୍ କରି ସ୍କୁଲ ଆସିଛି। ତେବେ ଖାତାଟା ଗଲା କୁଆଡେ ?କିଏ ନେଲା ? ପ୍ରୀୟା ଖାତା ନ ପାଇ ତଳକୁ ମୁହଁ କରି ରହିଲା‌। ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରୀୟାକୁ ଅନେକ କଥା କହି ଗାଳି କଲେ। କେୟାର ଲେସ୍ ମଧ୍ୟ କହିଲେ । ଯେଉଁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରୀୟାକୁ ନିଜ ଝିଅ ଠାରୁ ଅଧିକ ସ୍ନେହ କରୁଥିଲେ ତାଙ୍କ ଠାରୁ ସ୍କୁଲ ଇନ୍ସପେକ୍ଟରଙ୍କ ସାମ୍ନାରେ ଗାଳି ଶୁଣି ପ୍ରୀୟା କାନ୍ଦି ପକାଇଲା। ପ୍ରୀୟାକୁ ଗାଳି ଶୁଣି କାନ୍ଦିବାର ଦେଖି ଅଙ୍କିତା ସେଇ ମୂହୁର୍ତ୍ତରେ ଖୁସି ହୋଇଗଲା। 


  ସ୍କୁଲ ଇନ୍ସପେକ୍ଟର ଗଲା ପରେ ପ୍ରୀୟା ପ୍ରଧାନ ଶିକ୍ଷୟିତ୍ରୀକୁ କହି ସବୁ ପିଲାଙ୍କ ବ୍ୟାଗ୍ ଚେକ୍ କରାଇଲା । ଅଙ୍କିତା ବ୍ୟାଗ୍ ରୁ ଖାତାଟି ମିଳିଲା। ପ୍ରଧାନ ଶିକ୍ଷୟିତ୍ରୀ ପ୍ରୀୟାକୁ ବିନା ଦୋଷରେ ଗାଳି କରିଥିବାରୁ ମନ ଦୁଃଖ କଲେ ଓ ଅଙ୍କିତାକୁ ପ୍ରୀୟା ଠାରୁ କ୍ଷମା ମାଗିବା ପାଇଁ କହିଲେ। ସେ ଦିନ ପ୍ରୀୟା ସିନା ଅଙ୍କିତାକୁ ସମସ୍ତଙ୍କ ସାମ୍ନାରେ କିଛି କହିଲାନି କିନ୍ତୁ କ୍ଷମା ବି କରି ପାରିଲାନି।ଆଉ ତା ସହ ସ୍କୁଲ ଛାଡ଼ିବା ପର୍ଯ୍ୟନ୍ତ କଥାବାର୍ତ୍ତା ହେଲାନି। ଅଙ୍କିତା ସହ କଟି କରିଦେଲା। ସେଇ ଯେଉଁ କଥା ବନ୍ଦ ହୋଇଥିଲା ହୋଇଥିଲା। ଉଭୟ ସ୍କୁଲ ଛାଡ଼ି କଲେଜ ଗଲେ । ଚାକିରୀ କରି ଘର ସଂସାର ମଧ୍ୟ କଲେ ହେଲେ ସେ କଟି ଆଉ ମିଟି ହେଲାନି।


   ଏବେ ଏଇ ଘଟଣାକୁ ତିରିଶ ବର୍ଷ ହେଲାଣି। ତଥାପି ପ୍ରୀୟା ସେଦିନର କଥା ଭୁଲିନି। ତିରିଶ ବର୍ଷ ପରେ ଅଙ୍କିତା ସହ ଦେଖା ହେଲା ପରେ ମଧ୍ୟ ତା ସହ କଥା ନ ହୋଇ ମୁହଁ ବୁଲାଇ ଦେଉଛି। ତେଣୁ ଅଙ୍କିତା ଆଗେଇ ଆସିଛି ନିଜ ଭୁଲ୍ ର କ୍ଷମା ମାଗି ପ୍ରୀୟା ସହିତ ମିଟି ହେବା ପାଇଁ ଆଉ ସେଦିନର ସେ ପିଲାଳିଆ ଗୁଣ ପାଇଁ କରିଥିବା ଭୁଲ୍ କୁ ଭୁଲି ଯିବାକୁ କହୁଛି । ଅଙ୍କିତାର କଥା ଶୁଣି ପ୍ରୀୟା ମଧ୍ୟ ତାକୁ କୁଣ୍ଡାଇ ପକାଇ ଥିଲା ଆଉ ଉଭୟ ଙ୍କ କଟି ମିଟିରେ ପରିଣତ ହୋଇ ଥିବାର ଦେଖି ଅନ୍ୟ ସାଙ୍ଗମାନେ ଖୁସିରେ ତାଳି ମାରି ଉଠିଥିଲେ।


Rate this content
Log in

Similar oriya story from Drama