କଥାଟିଏ : ଚାଙ୍ଗୁଡିଏ ଖୁସିର ଫୁଲ
କଥାଟିଏ : ଚାଙ୍ଗୁଡିଏ ଖୁସିର ଫୁଲ
କାଞ୍ଚନ : ନିପଟ ମଫସଲ ଗାଆଁର ଝିଅ।ବୋହୂ ବି।
ଶାଶୁଘରେ ଲାଜ ତା'ର ଗହଣା।ମଥାରୁ ଓଢଣୀ ଖସେନାହିଁ।
କିଶୋର ତା'ର ସ୍ବାମୀ।ଟିକେ ଲାଜକୁଳା ସ୍ବଭାବର ମଣିଷ।
ଦିନତମାମ୍ ତା' ପାଖରେ ନା ବସି ପାରେ କାଞ୍ଚନ, ନା ହସଖୁସିରେ ପଦିଏ କଥା ହୋଇପାରେ।
ଶାଶୁ ଘରେ ବୋହୂ।ଘରେ ତା'ର ସବୁବେଳେ ଖାଲି କାମ ଆଉ କାମ।ରନ୍ଧାବଢା,ଘରକରଣା,ଶାଶୁଶ୍ବଶୁରଙ୍କ ସେବା - ଏଇ ସବୁ।ଖୁବ୍ ବ୍ୟସ୍ତ ରହେ ସେ।
ରାତି ହେଲେ ଆସି ଶାଶୁଙ୍କ ଗୋଡ ଘଷି ଦିଏ।ସେ ଶୋଇପଡନ୍ତି ।ତା'ପରେ ଶ୍ବଶୁରଙ୍କ ପାଖକୁ ଆସି ତାଙ୍କ ଗୋଡ ବି ଘଷି ଦିଏ।ସେ ବି ସେମିତି ଶୋଇପଡନ୍ତି।
ସେଇଠୁ ସେ ଦିଅରଙ୍କ କୋଠରୀ ପାଖକୁ ଆସେ।ସେ ଶୋଇ ପଡିଲେଣି କି ନାହିଁ ଦେଖେ।ତାଙ୍କ ଘୁଙ୍ଗୁଡ଼ି ଶୁଣି ନିଶ୍ଚିନ୍ତ ହୁଏ ଯେ ସେ ଶୋଇ ପଡିଲେଣି।ଶେଷରେ ସ୍ବାମୀ ପାଖକୁ ଆସେ।
କେତେବେଳେ ସେ ଆସିବ ବୋଲି ତା'ର ସ୍ବାମୀ ତାକୁ ଚାହିଁ ରହିଥାଏ।ଦେଖିଦେଲେ ଉଠି ବସେ।
ଏଇଠୁ ସ୍ବାମୀ ସ୍ତ୍ରୀ ଦୁହିଙ୍କ ମଧ୍ୟରେ କଥାବାର୍ତ୍ତା ଇତ୍ୟାଦି ଯାହା ସବୁ ହେବା କଥା ହୁଏ।ସାରା ଦିନର କର୍ମ କ୍ଳାନ୍ତି ଭୁଲି ଯାଏ ସେ।
ଦିନକର କଥା।ତା'ର ସ୍ବାମୀ କିଶୋର ତାକୁ କହିଲା - " କେତେ ଦିନରୁ ତତେ କଥାଟିଏ କହିବି କହିବି ହେଉଛି।ଅଥଚ କହି ପାରୁନାହଁ। "
- " କାହିଁକି ? " ସେ ପଚାରିଲା।
- " କେମିତି କହିବି ? କହିଲାବେଳକୁ ତୁ ତ ଲାଜ କରି ଓଢଣା ଟାଣି କବାଟ ପଛପଟେ ଲୁଚି ଯାଉଛୁ।କ'ଣ ଯେ ଫିସ୍ ଫିସ୍ କରି କହୁଛୁ ମୋତେ ଶୁଭୁନାହିଁ। " କିଶୋର କହିଲା।
- " ଏମିତି କୋଉ କଥା ଅଛପା ଅଛି ଯେ ତୁମ ଆଉ ମୋ ଭିତରେ ! ଗଲାସନରୁ ମୋ ପାଇଁ ଧଡିପକା ଶାଢୀ ଆଣି ଦେବା ପାଇଁ କହିଛ।କହିଛ ନାକକୁ ସୁନା ନୋଥ ଆଣି ଦେବ।ଅଣ୍ଟାକୁ ବିଛା,ମଥାକୁ ସିନ୍ଥି,ହାତକୁ ବଳା,ପାଦକୁ ପାଉଁଜି ଆଣି ଦେବାକୁ ବି କହିଛ।ହେଲେ କିଛି ଆଣି ଦେଇନାହଁ। " ସେ କହିଲା।
- " ସେକଥା ନୁହେଁ।ଜାଣେ ଆଣି ଦେଇ ପାରିନାହିଁ।ଗରିବ ସ୍ବାମୀମାନେ ସବୁବେଳେ ଏମିତି।ଦେବା ପାଇଁ କହନ୍ତି, ହେଲେ ଆଣି ଦେଇ ପାରନ୍ତିନି। " କିଶୋର କହିଲା।
- " ତୁମେ ମଜୁରୀ ଖଟୁଛ।କୁଆଡୁ ଆଣିବ ? ଚିରା ଫଟା ଶାଢ଼ୀ ପିନ୍ଧି ଚଳିଯାଉଛି।ଯଦି ରାତିକେ ହାତୀଏ ଆଣି ପାରୁଥାନ୍ତ ,ମୁଁ ତ ସେସବୁ କେବେଠୁ କରି ସାରନ୍ତିଣି। " ସେ ହସିଦେଇ କହିଲା।
- " ହଁ ଲୋ,ତୁ ଠିକ୍ କହିଛୁ।ମୋ ରୋଜଗାର କ'ଣ ଅଛପା ତତେ ! " କିଶୋର କହିଲା।
- " ସେଇଥିପାଇଁ ତ କେବେ ନାକ ସକେଇ,ମୁହଁ ଫୁଲେଇ ଫୁସୁରୁ ଫାସର ହେଇନି।କାଲି ତୁମ ପାଖରେ ପଇସା ହେଲେ ତୁମେ କ'ଣ ଆଣି ଦେବନି କି ମତେ ! " ସେ ଗେହ୍ଲେଇ ଗେହ୍ଲେଇ କହିଲା।
- " ହେଲେ ମୁଁ ତତେ ସେଇ କଥା କହିବାକୁ ଚାହୁଁନି ଲୋ। " କିଶୋର ଟିକେ ଲାଜେଇ ଯାଇ କହିଲା।
- " ଆଉ କୋଉ କଥା କହିବ ବୋଲି ଭାବିଛ ଯେ ? କେଉ କଥା ? " ସେ ଜାଣିବାକୁ ଚାହିଁଲା।
- " କଥାଟିଏ।କହିବି ? " କିଶୋର ଲାଜ ଲାଜ ହେଲା।
- " କୋଉ କଥା ? କହୁନା।ଲାଜ କରୁଛ ନା କ'ଣ ? " ସେ କହିଲା।
- " ମୁଁ ବାପା ହେବାକୁ ଯାଉଛି। " କହିଲା କିଶୋର।
- " ଓ....,ଏଇ କଥା ! ଇଏ ଗୋଟେ କଥା ନା କ'ଣ ? ତୁମେ କ'ଣ ବାପା ହେଇ ନ ଥାନ୍ତ ? ବାହା ହେଇଛ ପରା। " ସେ ହସିଦେଇ କହିଲା।
ଏବେ କିଶୋର ପାଖରୁ ସେ କିଛି ପାଇ ନ ଥିଲେ ବି ସବୁକିଛି ପାଇଥିବାର ଅନୁଭବ ତା' ଛାତିରେ ଖେଳିଲା।ନିଜ ଭିତରେ ବହୁତ ଖୁସି ହୋଇଗଲା ସେ।
ମନଖୋଲା ହସ ମେଞ୍ଚେ ହସିଲା କିଶୋର।ସେଇ ହସ ଚାଙ୍ଗୁଡିଏ ଖୁସିର ଫୁଲ ହୋଇ କୋଠରୀ ସାରା ବୁଣି ହୋଇଗଲା।

