କଥା କାଦମ୍ବରୀଭାଗ ୭୬ ଶାନ୍ତିଦୂତ
କଥା କାଦମ୍ବରୀଭାଗ ୭୬ ଶାନ୍ତିଦୂତ
ଶାନ୍ତିଦୂତ କେଶବ
ଭାରତ ଭୂଖଣ୍ଡକୁ ଏକ ଭୟାବହ ଯୁଦ୍ଧରୁ ରକ୍ଷା କରିବା ପାଇଁ ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଶ୍ରୀକୃଷ୍ଣ ହସ୍ତିନାକୁ ଶାନ୍ତିଦୂତ ଭାବେ ଯିବାପାଇଁ ପ୍ରସ୍ତୁତ ହେଲେ।ସାଙ୍ଗରେ ଥିଲେ ସାତ୍ୟକି ଏବଂ ଅନ୍ୟ କିଛି ଯାଦବ ବୀର।ଯାତ୍ରା ପୂର୍ବରୁ ପାଣ୍ଡବ ଭାଇମାନଙ୍କ ସହିତ ଏବଂ ଦ୍ରୌପଦୀଙ୍କ ସହିତ ସବିଶେଷ ଆଲୋଚନା କଲେ କେଶବ। ଯୁଧିଷ୍ଠିର ଶାନ୍ତି ସପକ୍ଷରେ ଥିଲେ ଏବଂ ପାଞ୍ଚ ଭାଇଙ୍କ ପାଇଁ ପାଞ୍ଚଖଣ୍ଡ ଗ୍ରାମ ପାଇ ପାରିଲେ ଯୁଦ୍ଧ ଏଡ଼ାଇ ହେବ ବୋଲି ମତ ପୋଷଣ କଲେ। ଏପରି କି ଭୀମସେନ ମଧ୍ୟ ଶାନ୍ତି ସପକ୍ଷରେ ମତ ଦେଲେ।କିନ୍ତୁ ଦ୍ରୌପଦୀ ଶାନ୍ତି ସପକ୍ଷରେ ନଥିଲେ।
ଅଶ୍ରୁଳ ନୟନରେ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚି ଯାଜ୍ଞସେନୀ କହିଲେ ..କେଶବ ! ଦେଖି ପାରୁଛ ତ ମୋ ମୁକ୍ତ କେଶ ! ଦୀର୍ଘ ତେର ବର୍ଷ ଧରି ଦୁଃଶାସନ ଛାତିର ରକ୍ତ ପିପାସା ନେଇ ମୁକୁଳିତ ହୋଇ ରହିଛି ମୋର କେଶ।ଅନ୍ୟ କେହି ସିନା ମୋ ଦୁଃଖ ବୁଝି ପାରିବେନି, ତୁମେ ପରା ବସ୍ତ୍ର ଦେଇ ମୋର ଲଜ୍ଜା ନିବାରଣ କରିଥିଲ ! ମୋ ଦୁଃଖ କାହାଣୀ କଣ ତୁମେ ଭୁଲିଗଲ କେଶବ, ମୁଁ ଯେବେ ରଜସ୍ଵଳା ହୋଇ ଏକ ବସ୍ତ୍ରରେ ପ୍ରାସାଦ ଭିତରେ ବସିଥିଲି, ନିର୍ଲଜ ଭେଡିଆ ଦୁଃଶାସନ ମୋର କେଶ ଝିଙ୍କି ରାଜସଭାକୁ ଟାଣିନେଇ ନିବସ୍ତ୍ର କରିବାକୁ ଚେଷ୍ଟା କରିଥିଲା।ସୂତପୁତ୍ର କର୍ଣ୍ଣ ମୋତେ ବାରାଙ୍ଗନା କହି ଗଣଭୋଗ୍ୟା ବୋଲି କହିଥିଲା।ପାଷଣ୍ଡ ଦୁର୍ଯ୍ୟୋଧନ ତାର ଜଂଘ ପିଟି ସେଠାରେ ବସିବାକୁ ଇସାରା କରି ଥିଲା। ମୋତେ ଉଲଗ୍ନ କରିବାକୁ ଚେଷ୍ଟା କଲାବେଳେ ନପୁଂସକ ଭଳି ମୁହଁକୁ ତଳକୁ ପୋତି ବସିରହିଥିଲେ ମୋ'ସ୍ବାମୀଗଣ;ମୋର ନଗ୍ନ ଶରୀରର ଦୃଶ୍ୟ ଉପଭୋଗ କରିବାକୁ ଉତ୍ସୁକ ହୋଇ ଚାହିଁ ରହିଥିଲେ କୁରୁ ସଭାରେ ରଥି ମହାରଥୀ ଗଣ।
କୃଷ୍ଣ ! ପାପାଶୟ ଦୁଃଶାସନର ଘୃଣ୍ୟ ହାତର ପୁତିଗନ୍ଧ ମୋ ଦେହରୁ ଯାଇନାହିଁ;ସେ ଅଟ୍ଟହାସ ଏବେ ବି ନିଶାର୍ଦ୍ଧରେ ହୃଦୟ ଥରାଇ ନିଦ୍ରା ଭଙ୍ଗ କରୁଛି କେଶବ! ଏମାନଙ୍କ ସହିତ କି ପ୍ରକାର ଶାନ୍ତି ସମ୍ଭବ ? ଯେଉଁ ଶାନ୍ତିରକ୍ଷା ଲକ୍ଷ ନେଇ ତୁମର ଏ ଯାତ୍ରା,ତାହା ଶ୍ମଶାନର ଶାନ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ।
ପାଣ୍ଡବ ପାଞ୍ଚଭାଇ ପାଞ୍ଚଖଣ୍ଡ ପଡା ପାଇ ସନ୍ତୁଷ୍ଟ ହେଲେ ମଧ୍ୟ ମୁଁ ନିରବ ହୋଇ ବସିବି ନାହିଁ। ମୁଁ ଅସହାୟା ନୁହେଁ, ଅବଳା-ଦୁର୍ବଳା ନୁହେଁ,ବିଶାଳ ପାଞ୍ଚାଳ ରାଜ୍ୟର ରାଜକନ୍ୟା ମୁଁ,ଆବଶ୍ୟକ ହେଲେ ଅସି-ହସ୍ତରେ, ପିତା ଦ୍ରୁପଦ, ଭ୍ରାତା ଧୃଷ୍ଟଦ୍ୟୂମ୍ନ,ସତ୍ୟଜୀତ ଏବଂ ଶିଖଣ୍ଡୀଙ୍କ ସହାୟତାରେ କୌରବଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବି। ମୋତେ ସାହାଯ୍ୟ କରିବା ପାଇଁ ମୋର ପାଞ୍ଚ ପୁତ୍ର ଅଛନ୍ତି। ସୁଭଦ୍ରା-ପୁତ୍ର ଅଭିମନ୍ୟୁ ମଧ୍ୟ ମୋର ସହାୟତା କରିବ। ଦୁଃଶାସନର ରକ୍ତରେ ମୁଁ ମୁକ୍ତକେଶ ନବାନ୍ଧିବା ପର୍ଯ୍ୟନ୍ତ କୌଣସି ଶାନ୍ତି ସମ୍ଭବ ନୁହେଁ କେଶବ।"
ଦ୍ରୌପଦୀଙ୍କ ଆଖିରୁ ବହି ଯାଉଥିଲା ଧାର ଧାର ଲୁହ। କୋହଭରା କଣ୍ଠରେ କୃଷ୍ଣଙ୍କୁ ଚାହିଁ ସେ କହିଲେ ..ତୁମ ଉପରେ ମୁଁ ସବୁବେଳେ ଭରସା କରି ଆସିଥିଲି;ତୁମେ ଶେଷରେ ମୋତେ ପରିତ୍ୟାଗ କଲ କେଶବ !"
ଦ୍ରୌପଦୀଙ୍କ ଲୁହ ଶ୍ରୀକୃଷ୍ଣଙ୍କ ହୃଦୟରେ ଗଭୀର ରେଖାପାତ କଲା। ଶାନ୍ତ୍ବନା ଭରା କଣ୍ଠରେ ଶ୍ରୀକୃଷ୍ଣ କହିଲେ ..ଏ ଅଭିମାନ ଭରା ଦୁଃଖ ତ୍ୟାଗକର କଲ୍ୟାଣୀ ! ଦୁର୍ଯ୍ୟୋଧନ ସହିତ ଶାନ୍ତି ପ୍ରତିଷ୍ଠା କଦାପି ସମ୍ଭବ ନୁହେଁ। ଯେଉଁ ବ୍ୟକ୍ତି ସୂଚ୍ୟାଗ୍ର ପରିମିତ ଭୂମି ଦେବାପାଇଁ ପ୍ରସ୍ତୁତ ନୁହେଁ,ସେ ପୁଣି ପାଣ୍ଡବଙ୍କୁ ପାଞ୍ଚ ଖଣ୍ଡ ଗ୍ରାମ ଦେବ? ଦୁର୍ଯ୍ୟୋଧନର ଏହି ମନୋଭାବ ଭଲ ଭାବରେ ଜାଣି ମଧ୍ୟ ମୁଁ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଛି,କାରଣ କାଲି ମୋତେ ଦୁନିଆଁ ଯୁଦ୍ଧପାଇଁ ଦାୟୀ କରିବନାହିଁ; କହିବ ନାହିଁ ଯେ ଶାନ୍ତି ପାଇଁ ପ୍ରଚେଷ୍ଟା ନକରି ମୁଁ ଭାରତ ଭୂଖଣ୍ଡକୁ ଯୁଦ୍ଧ ନିଆଁ ଭିତରକୁ ଠେଲିଦେଲି।"
ଅଳ୍ପ ନିରବତା ପରେ ଶ୍ରୀକୃଷ୍ଣ କହିଲେ .. ତୁମେ କିପରି କହିପାରୁଛ କଲ୍ୟାଣୀ ଯେ ମୁଁ ତୁମକୁ ପରିତ୍ୟାଗ କଲି !! ମନେ ପଡୁଛି କଲ୍ୟାଣୀ, ମୁଁ କଣ କହିଥିଲି ଯେତେବେଳେ ପ୍ରଥମ ଥର ପାଇଁ ତୁମକୁ ପାଞ୍ଚାଳ ରାଜ ପ୍ରାସାଦରେ ଭେଟିଥିଲି ?କହିଥିଲି.. କଲ୍ୟାଣୀ ! ଆର୍ଯ୍ୟାବର୍ତ୍ତରେ କଳ୍ମଷ ଦୂର କରି ଧର୍ମରାଜ୍ୟ ପ୍ରତିଷ୍ଠା କରିବା ପ୍ରୟାସରେ ତୁମେ ମୋର ସହାୟିକା ହେବ। ଆଜି ସେ ଦିନ ଆସିଛି କୃଷ୍ଣା ! ପାପର ବିନାଶ ପାଇଁ ବର୍ତ୍ତମାନ କ୍ଷେତ୍ର ପ୍ରସ୍ତୁତ। ଅର୍ଜୁନର ଗାଣ୍ଡିବ ଟଙ୍କାରରେ ପୃଥିବୀ କମ୍ପି ଉଠିବ,ମହାବଳୀ ଵୃକୋଦରଙ୍କ ଗଦାଘାତରେ ପାପୀ ଦୁର୍ଯ୍ୟୋଧନର ଜାନୁ ଭଙ୍ଗ ହେବ, ଦୁଃଶାସନର ଛାତି ଚିରି ଲହୁ ପାନ କରିବେ ପାବନୀ।ପାପର ଧ୍ବଂସ ପାଇଁ ମୋର ଏ ପ୍ରସ୍ତୁତି ଦ୍ରୌପଦୀ ! ତୁମେ ମୋ ଉଦ୍ଦେଶ୍ୟକୁ ନେଇ ସନ୍ଦେହ କରନାହିଁ। ମୁଁ ତୁମ ସହିତ ସବୁବେଳେ ଅଛି ଏବଂ ରହିବି କଲ୍ୟାଣୀ ! ନାରୀର ମର୍ଯ୍ୟାଦା ଏବଂ ଅସ୍ମିତା ରକ୍ଷା ପାଇଁ ତୁମର ଯୁଦ୍ଧରେ ମୁଁ ତୁମ ସହିତ ରହିବି କୃଷ୍ଣା,ମନରୁ ସନ୍ଦେହ ଦୂର କର। "
ଶ୍ରୀକୃଷ୍ଣଙ୍କର ଶାନ୍ତି ଦୂତ ଭାବରେ ଆଗମନର ସମ୍ବାଦ ପାଇ ଧୃତରାଷ୍ଟ୍ର ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାପାଇଁ ସମସ୍ତ ବ୍ୟବସ୍ଥା କଲେ। ଶ୍ରୀକୃଷ୍ଣ ଓ ସାତ୍ୟକି ଆସି ସଦଳବଳେ କୁକସ୍ଥଳ ନାମକ ନଗରରେ ଅବସ୍ଥାନ କଲେ। ହସ୍ତିନାରେ ପ୍ରଜାଗଣ ବାସୁଦେବଙ୍କ ସ୍ବାଗତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ କଲେ। ଧୃତରାଷ୍ଟ୍ରଙ୍କ ଆଦେଶ ଅନୁଯାୟୀ ଦୁଃଶାସନର ଭବନକୁ ବାସୁଦେବଙ୍କ ଅବସ୍ଥାନ ପାଇଁ ସୁନ୍ଦର ଭାବରେ ସଜ୍ଜିତ କରାଗଲା,କାରଣ ଏହି ଭବନଟି ଦୁର୍ଯ୍ୟୋଧନର ଭବନଠାରୁ ବେଶ୍ ବଡ ଏବଂ ସୁନ୍ଦର ଥିଲା। ସେଦିନ ରାତିରେ ଧୃତରାଷ୍ଟ୍ରଙ୍କ ଆଖିରୁ ନିଦ୍ରା ଦୂରେଇ ଯାଇଥିଲା।ବିଦୂରଙ୍କୁ ପାଖରେ ବସାଇ ପଚାରୁଥାନ୍ତି... ଶ୍ରୀକୃଷ୍ଣଙ୍କ ଅଭ୍ୟର୍ଥନା ପାଇଁ ସବୁ ପ୍ରକାର ବ୍ୟବସ୍ଥା ପୂର୍ଣ୍ଣ ହୋଇଛି ତ ବିଦୂର ?ସେ କେବଳ ଆମର ପାରିବାରିକ ବନ୍ଧୁ ନୁହଁନ୍ତି, ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ କୂଟନୀତିଜ୍ଞ ମଧ୍ୟ।ତାଙ୍କୁ ସନ୍ତୁଷ୍ଟ କରିପାରିଲେ ଆମର ସେ ସହାୟତା କରିବେ।"
ଅଳ୍ପ ହସି ବିଦୂର କହିଲେ .. ଶ୍ରୀକୃଷ୍ଣ ହସ୍ତିନାକୁ ଶାନ୍ତି ଦୂତ ଭାବରେ ଆସୁଛନ୍ତି ମହାରାଜ ! ସେ ଖାଦ୍ୟପେୟ ତଥା ରାଜକୀୟ ସମ୍ମାନରେ ସନ୍ତୁଷ୍ଟ ହେବା ବ୍ୟକ୍ତି ନୁହଁନ୍ତି। ଯେଉଁ ଉଦ୍ଦେଶ୍ୟରେ ଏଠାକୁ ତାଙ୍କର ଆଗମନ ତାହା ଯେବେ ଆପଣ ପୂରଣ କରିପାରିବେ ସେ ନିଶ୍ଚିତ ଭାବରେ ସନ୍ତୁଷ୍ଟ ହେବେ।ଆପଣ ପାଣ୍ଡବଙ୍କପ୍ରତି ନ୍ୟାୟ କରନ୍ତୁ ମହାରାଜ! ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇ ଆମର ଆତିଥ୍ୟ ଗ୍ରହଣ କରିବେ।"
ଧୃତରାଷ୍ଟ୍ରଙ୍କ ମନକୁ ବୃଶ୍ଚିକ ଦଂଶନ କରୁଥିଲା;ଏକ ପାଖରେ ପୁତ୍ର ମୋହର ଗଭୀର ଖାଇ ଅପର ପାଖରେ ଭ୍ରାତୃ ପୁତ୍ରଙ୍କ ପ୍ରତି କର୍ତ୍ତବ୍ୟର ଆହ୍ବାନ; ମଝିରେ ନିଜକୁ ଅସହାୟ ମନେ କରୁଥିଲେ ଧୃତରାଷ୍ଟ୍ର।ବିବ୍ରତ କଣ୍ଠରେ କହିଲେ... ମୁଁ କଣ କରିବି ବିଦୂର ! ମୋତେ ବୁଦ୍ଧି ବାଟ ଦେଖା ଯାଉନାହିଁ।ମୋ ପୁତ୍ର ମାନେ ଦୁଷ୍ଟ ଏବଂ ଅବିନୟୀ, ସେମାନେ ପିତାମହଙ୍କ କଥାକୁ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ସେମାନଙ୍କର ପାଣ୍ଡବ ମାନଙ୍କ ପ୍ରତି ଏପରି ଘୃଣ୍ୟ ମନୋଭାବ ନିଶ୍ଚୟ କୁରୁକୁଳକୁ ଧ୍ବଂସ କରିଦେବ।"
ବାସୁଦେବ ହସ୍ତିନାରେ ପ୍ରଥମେ ବିଦୂରଙ୍କ ବାସଭବନରେ ପହଞ୍ଚି ପିଉସୀ କୁନ୍ତୀଙ୍କ ଚରଣ ସ୍ପର୍ଶ କଲେ।ସ୍ନେହରେ କୃଷ୍ଣଙ୍କ କପାଳ ଚୁମ୍ବନ କଲେ କୁନ୍ତୀ। ଦୁଃଖ ଆବେଗ ଅଭିମାନର ଅଶ୍ରୁଧାରା ବହି ଯାଉଥାଏ ଗଣ୍ଡ ଦେଇ କୁନ୍ତୀଙ୍କର।ପୁତ୍ରମାନଙ୍କର ଦୁଃଖ ଏବଂ ଦୁର୍ଭାଗ୍ୟଜନକ ଜୀବନ କଥା କୃଷ୍ଣଙ୍କ ଆଗରେ ବର୍ଣ୍ଣନାକରି ଭାବପ୍ରବଣ ହୋଇଗଲେ କୁନ୍ତୀ, କହିଲେ..ମୋ ପୁତ୍ରମାନଙ୍କର ଦୁଃଖର ଦିନ କଣ ଅନ୍ତ ହେବନାହିଁ ଗୋବିନ୍ଦ !!"
କୁନ୍ତୀଙ୍କୁ ଶାନ୍ତ୍ବନା ଦେଇ ଶ୍ରୀକୃଷ୍ଣ ପିଉସୀଙ୍କ ଆଖିରୁ ଲୁହ ପୋଛି ଦେଇ କହିଲେ.. ଦୁଃଖ କରନ୍ତୁ ନାହିଁ,ଆପଣଙ୍କ ପୁତ୍ର ମାନଙ୍କର ଦୁର୍ଦ୍ଦିନ ଅନ୍ତ ହେବାପାଇଁ ଯାଉଛି। ଶାନ୍ତି ଦୂତ ଭାବରେ ମୁଁ ଯେବେ ସଫଳ ହୁଏ ତାହେଲେ ପାଣ୍ଡବମାନେ ହୃତ ରାଜ୍ୟ ଫେରି ପାଇବେ; ଯଦି ମୁଁ ବିଫଳ ହୁଏ ପାଣ୍ଡବଙ୍କ ସହିତ ମିଶି ମୁଁ ଏମାନଙ୍କୁ ଧ୍ବଂସ କରି ଯୁଧିଷ୍ଠିରଙ୍କ ଦ୍ଵାରା ଧର୍ମରାଜ୍ୟ ପ୍ରତିଷ୍ଠା କରିବି।"
ସେଠାରୁ ଯାଇ ପ୍ରଥମେ ଶ୍ରୀକୃଷ୍ଣ ଧୃତରାଷ୍ଟ୍ରଙ୍କୁ ସାକ୍ଷାତ କଲେ। ମଧ୍ୟାହ୍ନ ଭୋଜନ ପାଇଁ ଦୁର୍ଯ୍ୟୋଧନର ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ବାସୁଦେବ କହିଲେ .. ଶାନ୍ତିଦୂତ ତାର କାର୍ଯ୍ୟ ସମାପନ ନହେବା ପର୍ଯ୍ୟନ୍ତ ପ୍ରତିପକ୍ଷର ଆତିଥ୍ୟ ଗ୍ରହଣ କରେନାହିଁ ଦୁର୍ଯ୍ୟୋଧନ ! ତେଣୁ ତୁମ ରାଜପ୍ରସାଦରେ ମଧ୍ୟ ମୋର ରହିବା ଅନୁଚିତ। ମହାତ୍ମା ବିଦୂରଙ୍କ ଗୃହରେ ଶାଗଭଜା ଅନ୍ନ ଖାଇବାର ସୌଭାଗ୍ୟ ଆଜି ମୋ ପାଇଁ ଆସିଛି।କାଲି ମୋର ଶାନ୍ତି ପ୍ରତିଷ୍ଠା କାର୍ଯ୍ୟ ସଫଳତା ସହିତ ସମାପନ ହେବାପରେ ମୁଁ ତୁମର ଆତିଥ୍ୟ ଗ୍ରହଣ କରିବି ଦୁର୍ଯୋଧନ।"
ଶ୍ରୀକୃଷ୍ଣଙ୍କର ହସ୍ତିନାର ରାଜକୀୟ ଅଭ୍ୟର୍ଥନା ପ୍ରତ୍ୟାଖ୍ୟାନ କରିବା ଏବଂ ବିଦୂର-ନିବାସରେ ଭୋଜନ କରିବା ନିଷ୍ପତ୍ତି ଦୁର୍ଯ୍ୟୋଧନକୁ କ୍ରୋଧିତ କଲା। ପରଦିନ ରାଜସଭାରେ ଶ୍ରୀକୃଷ୍ଣଙ୍କର କ୍ଷତି ସାଧନ କରିବାପାଇଁ, ହିତୈଷୀ ମାନଙ୍କ ସହିତ ମିଶି ଯୋଜନା ପ୍ରସ୍ତୁତ କରିବାରେ ଲାଗିଗଲେ କୁରୁ ଯୁବରାଜ ଦୁର୍ଯ୍ୟୋଧନ।
