କଥା କାଦମ୍ବରୀଭାଗ ୭ ଅଭିଶପ୍ତ ବସୁ
କଥା କାଦମ୍ବରୀଭାଗ ୭ ଅଭିଶପ୍ତ ବସୁ
ମହାପରାକ୍ରମୀ,ପ୍ରଥିତଯଶା,ପ୍ରଜାବତ୍ସଳ 'ପୁରୁ'ଙ୍କ ପରେ ଯେଉଁ ରାଜାମାନେ ହସ୍ତିନାରେ ରାଜତ୍ଵ କଲେ ସେମାନଙ୍କ ନାମ ଚୁମ୍ବକେ ଚୁମ୍ବକେ ଜାଣିବା ଆବଶ୍ୟକ।ପୁରୁଙ୍କ ପୁତ୍ର ଥିଲେ ଦୁଷ୍ମନ୍ତ,ତାଙ୍କ ପୁତ୍ର ଭରତ ଏବଂ ଭରତଙ୍କ ପୁତ୍ର ଅଜାମିଧ ହସ୍ତିନା ସିଂହାସନ ବିମଣ୍ଡିତ କରିଥିଲେ।ପ୍ରବଳ ପରାକ୍ରାନ୍ତ ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ଭାରତ ବର୍ଷ।ଅଜାମିଧଙ୍କ ପୁତ୍ର ରକ୍ଷ ଏବଂ ରକ୍ଷଙ୍କ ପୁତ୍ର ଥିଲେ ସମ୍ବରଣ;ସମ୍ବରଣଙ୍କ ପୁତ୍ର "କୁରୁ"।କୁରୁଙ୍କ ପୁତ୍ର ଥିଲେ ଜହ୍ନୁ,ଜହ୍ନୁଙ୍କ ପୁତ୍ର ପ୍ରତିପ ଏବଂ ପ୍ରତିପଙ୍କ ପୁତ୍ରଙ୍କ ନାମ ଥିଲା ଶାନ୍ତନୁ। ସାଧାରଣତଃ ମହାଭାରତ ଆଖ୍ୟାନ ଶାନ୍ତନୁଙ୍କ ରାଜତ୍ଵ କାଳରୁ ବର୍ଣ୍ଣିତ ହୋଇଥାଏ।
ପାଞ୍ଚ ହଜାର ବର୍ଷରୁ କିଛି ଅଧିକ ହେବ,ଯେତେବେଳେ ହସ୍ତିନା ସିଂହାସନରେ ପୁରୁବଂଶୀ ଶାନ୍ତନୁ ରାଜତ୍ଵ କରୁଥିଲେ,ସେହି ସମୟରେ ଭାରତରେ ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜବଂଶଙ୍କ ଶାସନ ଥିଲା। ସେମାନଙ୍କ ଭିତରେ ମଗଧ,ପାଞ୍ଚାଳ,ଚେଦି,କାଶି,ବିଦର୍ଭ,କୁନ୍ତଭୋଜ,ମଥୁରା,କଳିଙ୍ଗ,ଅଙ୍ଗ,ପ୍ରାଗ୍-ଜ୍ୟୋତିଷ,ଗାନ୍ଧାର,ସିନ୍ଧୁ,ମତ୍ସ୍ୟ ଇତ୍ୟାଦି ରାଜ୍ୟଗୁଡ଼ିକ ପ୍ରମୁଖ ଥିଲେ।ଯେଉଁ ଭୂଖଣ୍ଡରେ ଆର୍ଯ୍ୟବଂଶୀ ରାଜାମାନେ ରାଜତ୍ଵ କରୁଥିଲେ ତାକୁ ଆର୍ଯ୍ୟାବର୍ତ୍ତ କୁହା ଯାଉ ଥିଲା।ନାଗବଂଶୀ ମାନେ ରାଜତ୍ଵ କରୁଥିବାଅଞ୍ଚଳକୁ ନାଗଲୋକ ଏବଂ ରାକ୍ଷସ ମାନେ ରାଜୁତି କରୁଥିବା ରାଜ୍ୟଖଣ୍ଡକୁ ରାକ୍ଷସାବର୍ତ୍ତ କୁହାଯାଉଥିଲା।
ହସ୍ତିନା ରାଜ୍ୟ ଆର୍ଯ୍ୟାବର୍ତ୍ତ ଅନ୍ତର୍ଗତ ଥିଲା।ରାଜା ଶାନ୍ତନୁ ବଡ଼ ଧର୍ମପରାୟଣ ଥିଲେ।ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖରେ କାଳାତିପାତ କରୁଥିଲେ। ଦେବୀ ଗଙ୍ଗାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ଶାନ୍ତନୁ ତାଙ୍କୁ ବିବାହ କରି ଦାମ୍ପତ୍ୟ ମଧୁ ଆକଣ୍ଠ ପାନ କରୁଥିଲେ।ଗଙ୍ଗାଙ୍କର ରୂପଲାବଣ୍ୟରେ ବିମୋହିତ ଶାନ୍ତନୁ ଯେତେବେଳେ ଗଙ୍ଗାଙ୍କୁ ଅର୍ଦ୍ଧାଙ୍ଗିନୀ ଭାବେ ପାଇବାକୁ ଇଚ୍ଛା କଲେ ସେ ସମୟରେ ଗଙ୍ଗା ଗୋଟିଏ ସର୍ତ୍ତ ରଖିଥିଲେ।ସେ ସର୍ତ୍ତ ଅନୁଯାୟୀ ଗଙ୍ଗା ଯାହାକିଛି କରିବେ ଶାନ୍ତନୁ ତାର ପ୍ରତିବାଦ କରିବେ ନାହିଁ;ଥରେ ମଧ୍ୟ ପ୍ରତିବାଦ କଲେ ଗଙ୍ଗା ତାଙ୍କୁ ତ୍ୟାଗକରି ଚାଲିଯିବେ। ଦେବୀ ଗଙ୍ଗା ଯେ ସ୍ବୟଂ ପବିତ୍ର ଗଙ୍ଗା ନଦୀର ମାନବୀ ଅବତାର ଥିଲେ ଏବଂ ଶାନ୍ତନୁଙ୍କ ସହିତ ତାଙ୍କର ବିବାହ ବିଧି ନିର୍ଦ୍ଦେଶିତ ଥିଲା ଏକଥା ଶାନ୍ତନୁ ଜାଣି ନଥିଲେ।
ଦିନେ ଦେବୀ ଗଙ୍ଗା,ଶାନ୍ତନୁଙ୍କ ଔରସରୁ ଜନ୍ମିତ ପ୍ରଥମ ପୁତ୍ରକୁ,ଜନ୍ମହେବା ପରେ ଗଙ୍ଗାନଦୀରେ ବିସର୍ଜନ କରି ଦେଲେ;ସେଦିନ ଶାନ୍ତନୁଙ୍କ ମନ ଦୁଃଖରେ ଭରିଗଲା।ଶାନ୍ତନୁ କିଛି ପ୍ରତିବାଦ କରିପାରିଲେ ନାହିଁ, କାରଣ ସର୍ତ୍ତ ଅନୁଯାୟୀ ପ୍ରତିରୋଧ ବା ପ୍ରତିବାଦ କଲେ ଗଙ୍ଗା ତାଙ୍କୁ ତ୍ୟାଗକରି ଚାଲିଯିବେ। ଶାନ୍ତନୁ ଗଙ୍ଗାଙ୍କୁ ପ୍ରାଣଭରି ଭଲ ପାଉଥିଲେ;ତାଙ୍କ ଅନୁପସ୍ଥିତିକୁ ସହ୍ୟକରିବା ଶକ୍ତି ତାଙ୍କର ନଥିଲା।ତେଣୁ ପୁତ୍ରର ମୃତ୍ୟୁ ଜନିତ ଦୁଃଖକୁ ମନ ଭିତରେ ଚାପିରଖି ନୀରବ ହୋଇ ରହିଲେ ଶାନ୍ତନୁ। ଗଙ୍ଗା ଏହିଭଳି ଶାନ୍ତନୁଙ୍କର ସାତୋଟି ପୁତ୍ରଙ୍କୁ ନଦୀରେ ଜଳସମାଧି ଦେଲାପରେ ଶାନ୍ତନୁଙ୍କର ଆଉ ସହ୍ୟ କରିବାର ଛାତି ନଥିଲା।ଶାନ୍ତନୁ ଭାବିଲେ...ଏ ମାଆ ନାମରେ ନିଶ୍ଚୟ ଏକ ରାକ୍ଷସୀ ! ଆଉ ନୁହେଁ,ଏଥର ନିଶ୍ଚୟ ବାଧାଦେବେ ସେ, ଗଙ୍ଗା ରହନ୍ତୁ ବା ନ'ରହନ୍ତୁ।
ଅଷ୍ଟମ ପୁତ୍ର ଜନ୍ମ ହେବା ପରେ ଯେତେବେଳେ ଗଙ୍ଗା ତାକୁ ଜଳସମାଧି ଦେବାପାଇଁ ନେଉଥିଲେ, ଚିତ୍କାର କରି ଉଠିଲେ ଶାନ୍ତନୁ...ଗାଙ୍ଗୀ, ବହୁତ୍ ଅନ୍ୟାୟ କଲ,ଆଉ ନୁହେଁ। ମୁଁ ଏ ପୁତ୍ରକୁ ନଦୀ ଜଳରେ ଭସାଇବାକୁ ଦେବି ନାହିଁ।
ଅଟକି ଗଲେ ଗଙ୍ଗା। କହିଲେ...ଆମ ଦୁଇଜଣଙ୍କର ସଂସାର ଯାତ୍ରା ଏହିଠାରେ ଶେଷ ଆର୍ଯ୍ୟପୁତ୍ର।ସର୍ତ୍ତ ଅନୁସାରେ ମତେ ଫେରିଯିବାକୁ ପଡ଼ିବ। କିନ୍ତୁ ଫେରିଯିବା ପୂର୍ବରୁ ମୁଁ କିଛି ରହସ୍ୟ ତୁମ୍ଭ ଆଗରେ ଉନ୍ମୋଚନ କରିବାକୁ ଚାହେଁ । ମୋର ହୃଦୟରେ ବାସ୍ତବରେ ରାକ୍ଷସୀର କଠୋରତା ନାହିଁ; ମୁଁ ମଧ୍ୟ ସେମାନଙ୍କ ମା',ଦଶମାସ ଦଶଦିନ ଗର୍ଭରେ ଧରିଛି ସେମାନଙ୍କୁ। ଆମ୍ଭ ପୁତ୍ର ମାନଙ୍କୁ ମୁଁ ମୃତ୍ୟୁ ଦେଇନାହିଁ ଆର୍ଯ୍ୟପୁତ୍ର, ମୁଁ ସେମାନଙ୍କୁ ମୁକ୍ତି ଦେଇଛି। ସେମାନେ ବାସ୍ତବରେ ଅଭିଶପ୍ତ ସପ୍ତବସୁ ଥିଲେ। ଯାହା ଘଟିଗଲା ତାହା ବିଧି ଅଭିପ୍ରେତ।
ଶାନ୍ତନୁ କିଛି ବୁଝି ପାରିଲେ ନାହିଁ। ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ। ଗଙ୍ଗା କହିଲେ....ଏହା ଅଷ୍ଟବସୁଙ୍କୁ ମହର୍ଷି ବଶିଷ୍ଠ ଦେଇଥିବା ଅଭିଶାପର ପରିଣତି; ତାହା ମୁଁ କହୁଛି, ଶୁଣନ୍ତୁ.... ଏକଦା ଅଷ୍ଟବସୁ(ଧର,ଅନଳ,ଅନିଳ,ଅପ,ପ୍ରତ୍ୟୁଷ,ସୋମ, ଧ୍ରୁବ,ପ୍ରଭାସ)ସେମାନଙ୍କ ଅର୍ଦ୍ଧାଙ୍ଗିନୀ ମାନଙ୍କ ସହିତ ସ୍ବର୍ଗରୁ ମର୍ତ୍ତ୍ୟ ମଣ୍ଡଳକୁ ଭ୍ରମଣ ପାଇଁ ଆସିଥିଲେ। ମହର୍ଷି ବଶିଷ୍ଠଙ୍କ ଆଶ୍ରମର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ସେଠାରେ ସେମାନେ କିଛି ସମୟ ବ୍ୟତୀତ କରିଥିଲେ।ସେ ସମୟରେ ମହର୍ଷି ବଶିଷ୍ଠ ଆଶ୍ରମରେ ଅନୁପସ୍ଥିତ ଥିଲେ।ଆଶ୍ରମରେ ମହର୍ଷିଙ୍କର ଅତୀବ ସୁନ୍ଦର ଧେନୁ ନନ୍ଦିନୀକୁ ଦେଖି 'ପ୍ରଭାସ' ନାମକ ବସୁ'ଙ୍କର ସହଧର୍ମିଣୀ ବିମୋହିତ ହୋଇ ତାଙ୍କୁ ସ୍ବର୍ଗକୁ ଘେନି ଯିବାପାଇଁ ଇଚ୍ଛାକଲେ।ପ୍ରଭାସ ଅନିଚ୍ଛା ପ୍ରକାଶ କରି କହିଲେ...ସ୍ବର୍ଗରେ ଆମର କଣ ଅଭାବ ଅଛି ପ୍ରିୟେ ! କାହିଁକି ଆମେ ମହର୍ଷି ବଶିଷ୍ଠଙ୍କ ଧେନୁଙ୍କୁ ନେବା? ମହର୍ଷି କଦାପି ଏହି ଧେନୁକୁ ଆମଙ୍କୁ ଦେବାପାଇଁ ସମ୍ମତ ହେବେ ନାହିଁ,କାରଣ ଏହା ଏକ 'କାମଧେନୁ' ; ମୁନିଙ୍କର ସମସ୍ତ ଆବଶ୍ୟକତା ଏହି ଗାଭୀ ପୂରଣ କରେ।
କିନ୍ତୁ ପ୍ରଭାସଙ୍କ ପତ୍ନୀ ଜିଦ୍ ଧରି କହିଲେ... ମହର୍ଷିଙ୍କୁ ଆମେ ମାଗିବାକୁ କାହିଁକି ଯିବା,ସେ ମନାକରିବା ଅବସର କାହିଁକି ଆସିବ?ଚାଲ,ସେ ଆଶ୍ରମକୁ ଫେରିବା ପୂର୍ବରୁ ଆମେ ଏହି ଧେନୁକୁ ହରଣ କରି ନେଇଯିବା।ଅନ୍ୟ ବସୁମାନେ ଧେନୁ ହରଣରେ ପ୍ରଭାସଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବେ ବୋଲି ସମ୍ମତ ହେଲେ।ସମସ୍ତେ ମିଶି ନନ୍ଦିନୀଙ୍କୁ ହରଣ କରିନେଲେ। ଏହି ସମୟରେ ବଶିଷ୍ଠ ଆଶ୍ରମକୁ ଫେରି ଦେଖିଲେ ବସୁମାନେ ନନ୍ଦିନୀଙ୍କୁ ହରଣ କରି ନେଇଯାଉଛନ୍ତି।ମୁନିଶ୍ରେଷ୍ଠ ସେମାନଙ୍କୁ ଅଭିଶାପ ଦେଇ କହିଲେ.... ସ୍ବର୍ଗ ଅଧିବାସୀ ହୋଇ ମଧ୍ୟ ଇତର ମାନବଙ୍କ ଭଳି ତୁମେମାନେ ଚୌର୍ଯ୍ୟବୃତ୍ତି ଅବଲମ୍ବନ କରୁଛ ! ମୁଁ ଅଭିଶାପ ଦେଉଛି ତୁମେମାନେ ମର୍ତ୍ତ୍ୟରେ ମନୁଷ୍ୟ ଯୋନିରେ ଜନ୍ମଲାଭ କରିବ।
ଅଭିଶାପ ଶୁଣି ଅଷ୍ଟବସୁ ମାନଙ୍କର ମନ ଦୁଃଖରେ ଭରିଗଲା। ମର୍ତ୍ତ୍ୟ ଲୋକରେ ମାନବ ଜନ୍ମ ନେଇ ଦୁଃଖକଷ୍ଟର ଜୀବନ ବିତାଇବା କଥା ଚିନ୍ତାକରି ସେମାନେ ଶିହରୀ ଉଠିଲେ। ବସୁ ମାନଙ୍କର ପତ୍ନୀମାନେ,ସ୍ବାମୀ ମାନଙ୍କୁ ହରାଇବା ଚିନ୍ତାରେ କାନ୍ଦଣା ରହରୀରେ ସେ ସ୍ଥାନକୁ ମୁଖରିତ କରିଦେଲେ। ନନ୍ଦିନୀ ସେତେବେଳକୁ ମୁକ୍ତିଲାଭ କରି,ମୁଣ୍ଡ ହଲାଇ, ଘଟଣାପ୍ରବାହର ମଜା ନେଉଥାନ୍ତି।ବସୁମାନେ ସପତ୍ନୀକ ବଶିଷ୍ଠଙ୍କ ପାଦତଳେ ପଡ଼ି କ୍ଷମାଭିକ୍ଷା କଲେ ଏବଂ ଅଭିଶାପ ଫେରାଇ ନେବାପାଇଁ ଆକୁଳ ଅନୁରୋଧ କଲେ।ଦୟା ପରବଶ ହୋଇ ବଶିଷ୍ଠ କହିଥିଲେ... ମୁଁ ଦେଇଥିବା ଅଭିଶାପ ଅନ୍ୟଥା ହେବନାହିଁ। କିନ୍ତୁ ତୁମମାନଙ୍କର ମର୍ତ୍ତ୍ୟରେ ଜନ୍ମ ପରେ କେହି ଯେବେ ଗଙ୍ଗାନଦୀରେ ତୁମକୁ ବିସର୍ଜନ କରିଦେବ, ତାହେଲେ ତୁମ୍ଭେମାନେ କିଛି ମୁହୂର୍ତ୍ତ ମର୍ତ୍ତ୍ୟରେ ରହି ସ୍ବର୍ଗକୁ ଫେରି ପାରିବ। କିନ୍ତୁ ପ୍ରକୃତ ଅପରାଧୀ ଅଷ୍ଟମବସୁ "ପ୍ରଭାସ"ଙ୍କୁ ଅଧିକଦିନ ମର୍ତ୍ତ୍ୟରେ କଟାଇବା ପାଇଁ ପଡିବ।
ବସୁଗଣ, ପତ୍ନୀ ମାନଙ୍କ ସହିତ ମୋ ପାଖରେ ପହଞ୍ଚି ମୋତେ ଅନୁନୟ ବିନୟ ହୋଇ, ସେମାନଙ୍କୁ ଜନ୍ମଦେଇ ନଦୀରେ ବିସର୍ଜନ କରିବାକୁ ଅନୁରୋଧ କରିଥିଲେ। ମୁଁ ସେମାନଙ୍କର ଅନୁରୋଧ ଉପେକ୍ଷା କରିପାରିଲି ନାହିଁ ଆର୍ଯ୍ୟପୁତ୍ର।ତୁମଠାରୁ ବଳି ସୁପୁରୁଷ ମର୍ତ୍ତ୍ୟ ମଣ୍ଡଳରେ କାହାକୁ ପାଇଲି ନାହିଁ।ତେଣୁ ତୁମକୁ ବିବାହ କରି ବସୁମାନଙ୍କୁ ମୁକ୍ତିଦେବାପାଇଁ ନିର୍ଣ୍ଣୟ ନେଇଥିଲି।
ତୁମେ ମୋ ଜୀବନକୁ ଯେଉଁ ପ୍ରଣୟ ମାଧୁରିମାରେ ଭରିଦେଇଛ ତାହା ଅବିସ୍ମରଣୀୟ ଆର୍ଯ୍ୟପୁତ୍ର। ତାହା ଅଲିଭା ଗାର ହୋଇ ମୋ ହୃଦୟ ଫଳକରେ ଚୀରଦିନ ରହିଥିବ। ବିଧିର ବିଧାନ ଅନୁଯାୟୀ ସପ୍ତବସୁ ମୁକ୍ତିଲାଭ କରିଛନ୍ତି। ଏହି ପୁତ୍ରଟି ଅଷ୍ଟମ ବସୁ ପ୍ରଭାସ।ଆମର ଏ ପୁତ୍ର, ମର୍ତ୍ତ୍ୟମଣ୍ଡଳରେ ତା'ପାଇଁ ଉଦ୍ଦିଷ୍ଟ ଜୀବନକାଳ ବ୍ୟତୀତ କରିବ ଆର୍ଯ୍ୟପୁତ୍ର।
କିଛି ନୀରବତା ପରେ ଗଙ୍ଗା କହିଲେ...ଆର୍ଯ୍ୟପୁତ୍ର, ବର୍ତ୍ତମାନ ଏପୁତ୍ର ତୁମର।ଏ ହେବ ହସ୍ତିନା ସିଂହାସନର ଉତ୍ତରାଧିକାରୀ।ନାମ ହେବ ଏହାର ଦେବବ୍ରତ।ମୁଁ ପୁତ୍ରକୁ ତୁମ ପାଖରେ ଛାଡିଦେଇ ଯାଇଥାନ୍ତି,କିନ୍ତୁ ତୁମେ ତାର ଲାଳନ ପାଳନ ଠିକ୍ ଭାବରେ କରି ପାରିବ ନାହିଁ।ମାତା ଯେପରି ଲାଳନ ପାଳନ କରିପାରିବ, ପିତା କଣ କରିପାରିବ?ଦେବବ୍ରତକୁ ଉଚିତ ଶିକ୍ଷା ଦୀକ୍ଷା ଦେଇ , ହସ୍ତିନା ସିଂହାସନରେ ବସିବାର ଯୋଗ୍ୟ ଦାୟାଦ ଭାବରେ ଗଢି ମୁଁ ଦିନେ ଆସି ପୁତ୍ରକୁ ତୁମ କୋଳରେ ଦେଇ ଚାଲିଯିବି।
ଗଙ୍ଗା ବିଦାୟ ନେବାପାଇଁ ବାହାରିଲେ। ଶାନ୍ତନୁଙ୍କ ମନ ଦୁଃଖରେ ଭରିଗଲା।ଯେତେ ଅନୁରୋଧ କଲେ ମଧ୍ୟ ଗଙ୍ଗା ଫେରିଲେ ନାହିଁ। ଗଙ୍ଗାନଦୀର ଜଳ ଦୁଇଭାଗ ହୋଇ ଗଲା ଏବଂ ଦେବବ୍ରତକୁ କୋଳରେ ଧରି ତା ଭିତରେ ବିଲୀନ ହୋଇଗଲେ ଦେବୀ ଗଙ୍ଗା।
କ୍ରମଶଃ......
