Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୬୯

କଥା କାଦମ୍ବରୀଭାଗ ୬୯

5 mins
181



ଅନ୍ତଃପୁରର ରମଣୀ ମାନଙ୍କ ଆଗରେ ଆତ୍ମବଡିମା ଦେଖାଇ ରାଜକୁମାର ଉତ୍ତର କହିଲେ.. ଆଜି ଯେବେ ମୋ ପାଖରେ ଜଣେ ଉତ୍ତମ ସାରଥି ଥାଆନ୍ତା, ମୁଁ ଦେଖାଇ ଦେଇଥାଆନ୍ତି ଯେ ମୁଁ ଅର୍ଜୁନଙ୍କ ସମକକ୍ଷ ବୀର। କୌରବମାନଙ୍କୁ ପାଣି ପିଆଇ ଛାଡିଥାନ୍ତି।ଏବେ ମୁଁ କରେ କ'ଣ?, ପିତା ସୁଶର୍ମାଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ଯାଇ ଫେରି ନାହାନ୍ତି;ଏଣେ କୌରବମାନେ ଆମ ଗୋଧନ ହରଣ କରି ନେଉଛନ୍ତି।"


ଏ'କଥା ଶୁଣି ସୈରିନ୍ଧ୍ରୀ ଟିକିଏ ହସି ଦେଇ, ରାଜକୁମାରୀ ଉତ୍ତରାଙ୍କ ପାଖରେ ପହଞ୍ଚି କହିଲେ..ରାଜ୍ୟ ଉପରକୁ ଘୋର ବିପଦ ମାଡି ଆସିଛି ରାଜ କୁମାରୀ।ଏଣେ ମହାରାଜା ଅନୁପସ୍ଥିତ;ତେଣେ କୌରବମାନେ ଗୋଧନ ହରଣ କରି ନେଉଛନ୍ତି। ସେମାନଙ୍କ ସହିତ ଯୁଦ୍ଧ କରିବାପାଇଁ କୁମାର ଉତ୍ତର ଅସମର୍ଥ କାରଣ ତାଙ୍କ ପାଖରେ, ରଥ ବାହିବା ପାଇଁ ଜଣେ ଉତ୍ତମ ସାରଥି ନାହିଁ।ଏ ସମ୍ବନ୍ଧରେ ତୁମକୁ ଗୋଟିଏ କଥା କହିବି ରାଜକୁମାରୀ,ତୁମ ନୃତ୍ୟ ଶିକ୍ଷକ ବୃହନ୍ନଳା ଜଣେ ଭଲ ସାରଥି; ମୁଁ ପାଣ୍ଡବଙ୍କ ରାଣୀ ଦ୍ରୌପଦୀଙ୍କର ପରିଚାରିକା ଥିବା ସମୟରୁ ତାଙ୍କୁ ଜାଣିଛି।ସେ କିଛି ଦିନ ଅର୍ଜୁନଙ୍କ ରଥରେ ସାରଥି ଥିଲେ। ତୁମେ ତାଙ୍କୁ ଅନୁରୋଧ କଲେ ସେ କୁମାରଙ୍କ ରଥରେ ସାରଥି ହୋଇ ଯୁଦ୍ଧରେ ସହଯୋଗ କରିବେ।"


ସୈରିନ୍ଧ୍ରୀଙ୍କ ଠାରୁ ଏହା ଶୁଣିବାପରେ ରାଜକୁମାରୀ ଉତ୍ତରା ବୃହନ୍ନଳା(ଛଦ୍ମବେଶୀ ଅର୍ଜୁନ)ଙ୍କ ପାଖରେ ପହଞ୍ଚି ତାଙ୍କୁ ଉତ୍ତରଙ୍କ ସାରଥି ହେବାପାଇଁ ଅନୁରୋଧ କଲେ।ରାଜକୁମାର ଉତ୍ତର ମଧ୍ୟ ବୃହନ୍ନଳାଙ୍କୁ ସାରଥି ରୂପେ ଗ୍ରହଣ କରିବାକୁ ସମ୍ମତ ହେଲେ।


ବୃହନ୍ନଳା ସାରଥିର ସାଞ୍ଜୁ ପିନ୍ଧିବା ବେଳେ ଏପରି ଅଭିନୟ କଲେ, ଯେମିତି ତାଙ୍କୁ ଜଣାନାହିଁ ସାରଥି କିପରି ସାଞ୍ଜୁ ପିନ୍ଧେ।ତାଙ୍କ ଡରିବାର ଅଭିନୟ ଦେଖି ଅନ୍ତଃପୁର ନାରୀମାନଙ୍କ ମଧ୍ୟରେ ହାସ୍ୟରୋଳ ଶୁଣାଗଲା।ଜଣେ ଦୁଇଜଣ କହିଲେ... କିଛି ଡରିବାର ନାହିଁ ବୃହନ୍ନଳା ! ଆମ କୁମାର ଅଛନ୍ତି ତୁମକୁ ରକ୍ଷା କରିବାକୁ।"


କିନ୍ତୁ ଯେତେବେଳେ ସେ ରଥ ଆରୋହଣ କରି ଅଶ୍ବମାନଙ୍କର ବାଗ-ଦଉଡି ହାତରେ ଧରିଲେ,ଜଣାଗଲେ ଯେପରି ଇନ୍ଦ୍ରଙ୍କ ସାରଥି ମାତଳି, କୁଶଳତା ସହିତ ରଥ ବାହି ନେବାପାଇଁ ପ୍ରସ୍ତୁତ। ପ୍ରାସାଦ ପ୍ରାଙ୍ଗଣରୁ ରଥ ବାହିନେବା ପୂର୍ବରୁ ଅନ୍ତଃପୁରବାସିନୀ ମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କରି ହସି ହସି ବୃହନ୍ନଳା କହିଲେ.. କୁମାରଙ୍କର ବିଜୟ ସୁନିଶ୍ଚିତ;ଆମେ କେବଳ ଗୋଧନ ଉଦ୍ଧାର କରିବୁ ନାହିଁ, ବୀର ମାନଙ୍କୁ ହରାଇ ସେମାନଙ୍କ ଝିଲିମିଲି ପୋଷାକ ମଧ୍ୟ ନେଇ ଆସିବୁ; ରାଜକୁମାରୀ ଉତ୍ତରା ତାଙ୍କ କଣ୍ଢେଇ ମାନଙ୍କୁ ପିନ୍ଧାଇବେ।‌ "ଜୟ ଉତ୍ତର କୁମାରଙ୍କର ଜୟ " ଶବ୍ଦରେ ନିନାଦିତ ହେଲା ଗଗନ ପବନ।


ପ୍ରବଳ ବେଗରେ ରଥ ଯୁଦ୍ଧ ଭୂମିରେ ପହଞ୍ଚିଲା।ଆଗରେ ଉଭା, ଭୀଷ୍ମଙ୍କ ଅଧ୍ୟକ୍ଷତାରେ ବିଶାଳ କୌରବ ବାହିନୀ।ସତେ ଯେମିତି ଏହା ସୈନ୍ୟ ଶ୍ରେଣୀ ନୁହେଁ,ଏକ ବିଶାଳ ସମୁଦ୍ର।ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପାଚାର୍ଯ୍ୟ ଏବଂ ଅଶ୍ଵତ୍ଥାମାଙ୍କ ଭଳି ବିଶାଳ ତିମି ଓ ତିମିଙ୍ଗିଳ ପୂରି ରହିଛନ୍ତି ସେହି ସାଗରରେ। ସୂର୍ଯ୍ୟ କିରଣ ପଡି ଝିଲିମିଲି ହେଉଥିବା ଖଡ୍ଗ ଓ ଭାଲ ‌ଜଣାଯାଉଥିଲେ ସାଗରରେ ଲମ୍ଫ ଦେଉଥିବା ସଫରୀମାନଙ୍କ ସଦୃଶ।ସୈନ୍ୟଙ୍କ ହୁଙ୍କାର, ଅଶ୍ବମାନଙ୍କର ହ୍ରେସା‌ରବ ସହିତ ହାତୀଙ୍କ ପିଙ୍କାର ମିଶି ସମୁଦ୍ର ଗର୍ଜନର ଭ୍ରମ ସୃଷ୍ଟି ହେଉଥିଲା।ବୃହନ୍ନଳାଙ୍କୁ ଚାହିଁ ଉତ୍ତର କୁମାର ପଚାରିଲେ ..ଏ ସମୁଦ୍ର ଭିତରକୁ ଆମ ରଥ କାହିଁକି ନେଉଛ ସାରଥି ?"


ଅର୍ଜୁନ କହିଲେ .. ଏହା ସମୁଦ୍ର ନୁହେଁ, କୁରୁ ସୈନ୍ୟ ସାଗର କୁମାର ଉତ୍ତର ! କିନ୍ତୁ ତୁମେ ଭୟ‌ କର‌ ନାହିଁ, ସାହସର ସହିତ ଯୁଦ୍ଧକର,ବିଜୟ ଆମର ସୁନିଶ୍ଚିତ।"

ଏହାଶୁଣି ଉତ୍ତର କୁମାର କହିଲେ ..ଏମାନଙ୍କ ସହିତ ମୁଁ ଏକା କିପରି ଯୁଦ୍ଧ କରିପାରିବି ବୃହନ୍ନଳା !! ଏ ବିଶାଳ କୌରବ ବାହିନୀ ଦେଖି ମୋ ଶରୀର କମ୍ପିତ ହେଉଛି,ହାତରୁ ଅସ୍ତ୍ର ଖସି ପଡୁଛି।ବିଶ୍ବର ଶ୍ରେଷ୍ଠ ବୀରମାନେ ରହିଛନ୍ତି ଏହି ଶତ୍ରୁ ସୈନ୍ୟ ଙ୍କ ମଧ୍ୟରେ । ଏମାନଙ୍କ ସହିତ ଏକା ଏକା ଲଢିବା ପାଇଁ ଚେଷ୍ଟା କରିବା ମୁର୍ଖତା ସହିତ ସମାନ।ରଥ ଲେଉଟାଅ ବୃହନ୍ନଳା;ପ୍ରାସାଦକୁ ଫେରି ଚାଲ।"


ବୃହନ୍ନଳାରୂପୀ ଅର୍ଜୁନ ହସିଲେ; କହିଲେ ..ନଗ୍ରରୁ ବାହାରିବା ସମୟର ଆତ୍ମବିଶ୍ବାସ କୁଆଡେ ଗଲା କୁମାର ? ସେତେବେଳେ କହୁଥିଲ ତୁମେ ଅର୍ଜୁନଙ୍କ ଭଳି ବୀର। ଏପରି କାପୁରୁଷତା ଦେଖାଇ ଫେରିଗଲେ, ପ୍ରାସାଦର ଯେଉଁ ନାରୀ-ସମାଜ ଆଗରେ ତୁମେ ବୀରତ୍ବ ଦେଖାଉଥିଲ, ତୁମ ଉପରେ କଣ ଧାରଣା ହେବ ସେମାନଙ୍କର ? ତୁମେ ମୋତେ ଡାକିବାରୁ ମୁଁ ତୁମର ସାରଥି ହୋଇ ଆସିଛି। ପଛଘୁଞ୍ଚା ଦେଇ ମୁଁ ଫେରି ଯାଇ ପାରିବି ନାହିଁ କୁମାର। କ୍ଷତ୍ରିୟ କେବେ ଯୁଦ୍ଧରେ ପଛଘୁଞ୍ଚା ଦିଏ ନାହିଁ । ସାହସିକତା ସହିତ ଯୁଦ୍ଧ କର।ଶେଷରେ ବିଜୟ ଆମର ହେବ।"


ଭୟରେ ଶରୀର କମ୍ପମାନ ଉତ୍ତର କୁମାରଙ୍କର; କହିଲେ ..ଅସମ୍ଭବ, ମୁଁ ଏମାନଙ୍କ ସହିତ ଯୁଦ୍ଧ କରିପାରିବି ନାହିଁ। ଅନ୍ତଃପୁରର ନାରୀମାନେ ଯାହା ଭାବିଲେ ଭାବନ୍ତୁ, ପ୍ରଜାମାନଙ୍କ ଧାରଣା ଯାହା ହେଉଛି ହେଉ। କୌରବମାନେ ପଛେ ଆମର ଗୋଧନ ହରଣ କରି ନେଇଯାଆନ୍ତୁ, କିନ୍ତୁ ଜୀବନକୁ ପାଣି ଛଡାଇ ମୁଁ ଏମାନଙ୍କ ସହିତ ଯୁଦ୍ଧ କରିପାରିବି ନାହିଁ।ରଥ ପ୍ରତ୍ୟାବର୍ତ୍ତନ କର ବୃ଼ହନ୍ନଳା, ନହେଲେ ମୁଁ ରଥରୁ ଓହ୍ଲାଇ ପାଦରେ ଚାଲି ଫେରିଯିବି।"


ଏହା କହି, ଧନୁର୍ବାଣ ଫିଙ୍ଗି ଦେଇ ରଥରୁ ଡେ଼ଇଁପଡ଼ି, ରାଜଧାନୀ ଅଭିମୁଖେ ଦଉଡିବାକୁ ଲାଗିଲେ ଉତ୍ତର କୁମାର। ଉତ୍ତର କୁମାରଙ୍କ ପଛେ ପଛେ ଧାଇଁଛନ୍ତି ବୃହନ୍ନଳା ରୂପୀ ଅର୍ଜୁନ। ମୁକୁଳିତ କେଶ ଫରଫର ଉଡୁଛି ପବନରେ,ତା'ସଙ୍ଗେ ସଙ୍ଗେ ପବନରେ ଉଡୁଛି ଅଙ୍ଗବାସ। କୌତୁହଳପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଛନ୍ତି କୌରବ ବାହିନୀ।ଯୁଦ୍ଧ କରିବାକୁ ଆସିଥିବା ବୀର ପଛଘୁଞ୍ଚା ଦେଇ ଫେରିଯାଉଛି ପ୍ରାଣ ଭୟରେ ଏବଂ ତାପଛରେ ଜଣେ ଅର୍ଦ୍ଧନାରୀ ଧାଇଁଛି ତାକୁ ଯୁଦ୍ଧପାଇଁ ପ୍ରବର୍ତ୍ତାଇବାକୁ; ଏହାଠାରୁ ଅଧିକ କୌତୁହଳପ୍ରଦ ଦୃଶ୍ୟ ଆଉ କ'ଣ ହୋଇପାରେ ?


ବୃହନ୍ନଳାକୁ ଦେଖି ଦ୍ରୋଣ କହିଲେ ..ଏ ଅର୍ଜୁନ ବ୍ୟତୀତ ଅନ୍ୟ କେହି ନୁହେଁ।" ଏହା ଶୁଣି କର୍ଣ୍ଣ କହିଲେ ... ଅସମ୍ଭବ,ସେ ଅର୍ଜୁନ କିପରି ହେବ ? ଅର୍ଜୁନ ହେଲେ ହେଉ;ସେ ଏକା ଆମର କଣ କ୍ଷତି କରିପାରିବ?ପିତାର ଅନୁପସ୍ଥିତିରେ ପୁତ୍ର ଉତ୍ତର ଆସିଛି ଯୁଦ୍ଧ କରିବାକୁ,ସାଙ୍ଗରେ ଅନ୍ତଃପୁରର ଗୋଟାଏ ଦାସୀଙ୍କୁ ଆଣିଛି ସାରଥି କରି।ବିଶାଳ ସୈନ୍ୟ ବାହିନୀ ଦେଖି ବିଚରା ଉତ୍ତର ଭୟରେ ଫେରିଯାଉଛି ଏବଂ ତାକୁ ଅଟକାଇବା ପାଇଁ ପରିଚାରିକା ତା ପଛରେ ଗୋଡାଇଛି।ଏହା ହିଁ ସତ୍ୟ। ଏଠାରେ କୌଣସି ଅର୍ଜୁନ ଫର୍ଜୁନ ନାହିଁ।"

ଦ୍ରୋଣଙ୍କ କଥା ଉପରେ କର୍ଣ୍ଣଙ୍କର ଏଭଳି ମନ୍ତବ୍ୟ ଗୁରୁଙ୍କ ମନକୁ କଷ୍ଟ ଦେଲା।


ଏଣେ କୁମାର ଉତ୍ତର'ର ଅବସ୍ଥା ଦୟନୀୟ।ବୃହନ୍ନଳା ତାର ପଥ ଓଗାଳି ଠିଆ ହୋଇଛନ୍ତି।ଅନୁନୟ ବିନୟ ହୋଇ ଉତ୍ତର କହୁଛି...ମୋର ପ୍ରାଣ ରକ୍ଷା କର ବୃହନ୍ନଳା,ମୋ ପିତା ମାତାଙ୍କର ମୁଁ ଏକମାତ୍ର ପୁତ୍ର।ବଡ଼ ଅଲିଅଳରେ ମାଆ କୋଳରେ ବଢ଼ି ଆସିଛି।କେବେ ଯୁଦ୍ଧ ରାକ୍ଷସର ସମ୍ମୁଖୀନ ହୋଇନାହିଁ ମୁଁ।ମୋର ପଥରୋଧ କଲେ ଏମାନେ ମୋତେ ନିର୍ମମ ଭାବେ ହତ୍ୟା କରିବେ। ମୋତେ ଛାଡି ଦିଅ, ମୁଁ ତୁମକୁ ଇଚ୍ଛା ଅନୁଯାୟୀ ଧନସମ୍ପତ୍ତି ଦେବି।"


ବୃହନ୍ନଳାରୂପୀ ଅର୍ଜୁନ କହିଲେ ..ଥୟଧର ରାଜପୁତ୍ର ! ଏପରି ପଳାୟନ କ୍ଷତ୍ରିୟୋଚିତ ନୁହେଁ। କ୍ଷତ୍ରିୟ ହୋଇ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ ଜୀବିତ ଥାଇ ମଧ୍ୟ ଜୀବନ୍ମୃତ ହୋଇ ରହିବାକୁ ପଡେ।ଅପଯଶରେ ପୂର୍ଣ୍ଣ ହୁଏ ଜୀବନ।ଭୟ କରନାହିଁ, ମୁଁ ଯୁଦ୍ଧ କରିବି,ତୁମେ କେବଳ ସାରଥୀ ହୋଇ ମୋର ରଥ ଚାଳନା କରିବ।ଆମର ବିଜୟ ସୁନିଶ୍ଚିତ।"


ଏହା କହି ଅର୍ଜୁନ ଉତ୍ତର କୁମାରକୁ ରଥରେ ବସାଇ ନିକଟସ୍ଥ ଶ୍ମଶାନରେ ଥିବା ଏକ ଶମି ବୃକ୍ଷ ପାଖକୁ ରଥ ବାହିବା ପାଇଁ ନିର୍ଦ୍ଦେଶ ଦେଲେ। ସେଠାରେ ପହଞ୍ଚି ଶମି ବୃକ୍ଷର କୋଟରରେ ଥିବା ଅସ୍ତ୍ରଶସ୍ତ୍ର ବାହାର କରିବାକୁ କହିଲେ।ଉତ୍ତର କହିଲା.. ଏହି ବୃକ୍ଷ ଡାଳରେ ସର୍ବଦା ଏକ ଶବ ଝୁଲୁଥାଏ।ଏହାର ପାଖକୁ କେହି ଆସନ୍ତି ନାହିଁ।ମୋତେ ଡର ଲାଗୁଛି ବୃହନ୍ନଳା।କାହାର ଏସବୁ ଅସ୍ତ୍ରଶସ୍ତ୍ର!!"


ଅର୍ଜୁନ କହିଲେ .. କୁମାର,ଡରିବା ଆବଶ୍ୟକ ନାହିଁ;ଏସବୁ ଅସ୍ତ୍ରଶସ୍ତ୍ର ପାଣ୍ଡବ ମାନଙ୍କର।ଅଜ୍ଞାତ ବାସରେ ତୁମ୍ଭ ରାଜ୍ୟରେ ରହିବା ପୂର୍ବରୁ ପାଣ୍ଡବମାନେ ସେମାନଙ୍କ ଅସ୍ତ୍ର ଶସ୍ତ୍ର ଏହି ବୃକ୍ଷ-କୋଟରରେ ରଖି, ସୁରକ୍ଷାପାଇଁ ବୃକ୍ଷରେ ଶ୍ମଶାନର ଏକ କଙ୍କାଳ ଝୁଲାଇ ଦେଇଥିଲେ।ମୁଁ ହେଉଛି ମଧ୍ୟମ ପାଣ୍ଡବ ଅର୍ଜୁନ।"


ଏହା ଶୁଣି ଅର୍ଜୁନଙ୍କ ପାଦତଳେ ପଡ଼ି କ୍ଷମା ଭିକ୍ଷା କଲେ ରାଜକୁମାର ଉତ୍ତର ଏବଂ କହିଲେ ..ପୂର୍ବ ଜନ୍ମର ସୁକୃତରୁ ମୁଁ ଆଜି ବିଶ୍ବର ଶ୍ରେଷ୍ଠ ଧନୁର୍ଦ୍ଧରଙ୍କ ସାନିଧ୍ୟ ପାଇଲି।"ତା'ପରେ ଶମି ବୃକ୍ଷ ଆରୋହଣ କରି କୋଟରରୁ ଅର୍ଜୁନଙ୍କ ଗାଣ୍ଡିବ ଧନୁ ଓ ଅକ୍ଷୟ ତୂଣୀର ବାହାର କରି ଅର୍ଜୁନଙ୍କ ହାତକୁ ବଢାଇ ଦେଲେ ଉତ୍ତର କୁମାର।ଧନୁ ଏବଂ ତୂଣୀର ସ୍ପର୍ଶକରି ଉତ୍ତର କୁମାର ଦେହରେ ଆସିଗଲା ଅମାପ ଶକ୍ତି ,ମନରେ ଅଦମ୍ୟ ସାହସ।


ଉତ୍ତର କୁମାରଙ୍କୁ ସାରଥି କରି ଅର୍ଜୁନ ଯୁଦ୍ଧ କ୍ଷେତ୍ରକୁ ଫେରି ଆସିଲେ ଏବଂ ଗାଣ୍ଡିବ ଧନୁରେ ଗୁଣ ଚଢାଇ ଦୁଇଥର ଟଙ୍କାର ଦେଲେ;ସେହି ଶବ୍ଦରେ କମ୍ପି ଉଠିଲା ତ୍ରିଭୁବନ। ଅର୍ଜୁନଙ୍କ ଗାଣ୍ଡିବ ଟଙ୍କାର ଶୁଣି ଦ୍ରୋଣ ଭୀଷ୍ମଙ୍କୁ କହିଲେ..ପିତାମହ!ଏଇ ଦେଖନ୍ତୁ ଆସିଗଲା ଅର୍ଜୁନ !"


ଏହାଶୁଣି ଦୁର୍ଯ୍ୟୋଧନ କହିଲେ..ସେ ଅର୍ଜୁନ ହେଲେ ମଧ୍ୟ ଆମର ଡରିବାର କିଛି ନାହିଁ। ଅଜ୍ଞାତବାସ ପୂର୍ବରୁ ଆମେ ତାଙ୍କୁ ଠାବ କରିପାରିଛନ୍ତି; ସେମାନେ ଆଉ ବାରବର୍ଷ ବନବାସ ଯିବେ।ଆମେ ସେଥିପାଇଁ ଆନନ୍ଦିତ ହେବା ଉଚିତ।"

ଭୀଷ୍ମ କହିଲେ ...ପୁତ୍ର ଦୁର୍ଯ୍ୟୋଧନ ! ତୁମର ଗଣନା ଠିକ୍ ନୁହେଁ; ଅଜ୍ଞାତବାସର ଅବଧି କାଲି ଶେଷ ହୋଇଯାଇଛି।



Rate this content
Log in

Similar oriya story from Classics