କଥା କାଦମ୍ବରୀଭାଗ ୬୮
କଥା କାଦମ୍ବରୀଭାଗ ୬୮
ଋଣ ପରିଶୋଧ
=====
ଛଦ୍ମବେଶୀ ଭୀମଙ୍କ ହାତରେ କୀଚକର ମୃତ୍ୟୁ ମତ୍ସ୍ୟ ଦେଶବାସୀ'ଙ୍କ ହୃଦୟରେ ଭୀଷଣ ଭୟ ସୃଷ୍ଟି କଲା।ଯେ'କୌଣସି ପୁରୁଷ ହୃଦୟରେ ସ୍ପନ୍ଦନ ସୃଷ୍ଟି କରିବା ଭଳି ଅପରୂପା ସୁନ୍ଦରୀ ଥିଲେ ସୈରିନ୍ଧ୍ରୀ;ଦ୍ବିତୀୟରେ ପାଞ୍ଚଜଣ ଗନ୍ଧର୍ବ ପତିଙ୍କ ଦ୍ବାରା ସେ ସୁରକ୍ଷିତା।ତାଙ୍କ ପ୍ରତି ପ୍ରଲୁବ୍ଧ ହେଲେ କୌଣସି ସମୟରେ କାହାର ମଧ୍ୟ ଭାଗ୍ୟ କୀଚକ ଭଳି ହେବା ଅସମ୍ଭବ ନୁହେଁ।ସେ ମତ୍ସ୍ୟ ଦେଶରେ ରହିବା ଅର୍ଥ ଅଣ୍ଟିରେ ନିଆଁ ସାଇତି ରଖିବା ସହିତ ସମାନ। ତେଣୁ ନଗ୍ରବାସୀମାନେ ରାଣୀ ସୁଦେଷ୍ଣାଙ୍କ ପାଖରେ ପହଞ୍ଚି ଅନୁରୋଧ କଲେ ସୈରିନ୍ଧ୍ରୀଙ୍କୁ ରାଜ୍ୟରୁ ବିତାଡିତ କରିବା ପାଇଁ।
ସୁଦେଷ୍ଣା ସୈରିନ୍ଧ୍ରୀଙ୍କୁ କହିଲେ .."ଏଥିରେ ସନ୍ଦେହ ନାହିଁ ଯେ ତୁମେ ସତୀ, ସାଧ୍ୱୀ ଏବଂ ଧର୍ମପରାୟଣା, କିନ୍ତୁ ମତ୍ସ୍ୟ ଦେଶରେ ତୁମର ରହଣି, ଉଭୟ ରାଜ୍ୟ ଏବଂ ରାଜପରିବାର ପାଇଁ ବିପଦପୂର୍ଣ୍ଣ,କାରଣ ତୁମର ଗନ୍ଧର୍ଵ ପତିମାନେ ଆମକୁ ଶାନ୍ତିରେ ରହିବାକୁ ଦେବେ ନାହିଁଁ;ତୁମେ ଯଥାଶୀଘ୍ର ଏ ରାଜ୍ୟ ତ୍ୟାଗକରି ଚାଲିଯାଅ।"
ସେତେବେଳକୁ ଅଜ୍ଞାତବାସ ଶେଷ ହେବାପାଇଁ ଆଉ ମାତ୍ର ଏକମାସ ସମୟ ବାକିଥିଲା।ସୈରିନ୍ଧ୍ରୀ କହିଲେ.. ମୋତେ ଆଉ ଗୋଟିଏ ମାସ ସମୟ ଦିଅନ୍ତୁ;ମୋର ଗନ୍ଧର୍ବ ପତିମାନେ ମାସଟିଏ ପରେ ସେମାନଙ୍କ କାମ ସାରି ଫେରି ଆସିବେ।ସେତେବେଳେ ମୁଁ ସ୍ବତଃ ଆପଣଙ୍କ ରାଜ୍ୟ ଛାଡି ଚାଲିଯିବି।ତା ପୂର୍ବରୁ ମୋତେ ବିତାଡିତ କଲେ ମୋ'ଗନ୍ଧର୍ବ ପତିମାନେ ଆପଣଙ୍କର କ୍ଷତି କରିପାରନ୍ତି।"
ଗନ୍ଧର୍ବଙ୍କ ନାଁ ଶୁଣି ସୁଦେଷ୍ଣା, ଭ୍ରାତା କୀଚକର ମର୍ମନ୍ତୁଦ ମୃତ୍ୟୁ କଥା ଚିନ୍ତା କରି ଭୟରେ ଶିହରୀ ଉଠିଲେ। ଅନିଚ୍ଛା ସତ୍ତ୍ବେ ସୈରିନ୍ଧ୍ରୀଙ୍କୁ ଗୋଟିଏ ମାସ ସମୟ ଦେଲେ ରାଜ୍ୟ ତ୍ୟାଗକରି ଚାଲିଯିବା ପାଇଁ।
ତେଣେ ବାରବର୍ଷ ବନବାସର ପରିସମାପ୍ତି ପରେ ଦୁର୍ଯ୍ୟୋଧନଙ୍କ ଗୁପ୍ତଚର ମାନେ ପାଣ୍ଡବଙ୍କ ସନ୍ଧାନ ପାଇଁ ଚତୁର୍ଦ୍ଦିଗ ଖୋଜି ବୁଲୁଥିଲେ। କୌଣସିଠାରେ ସେମାନଙ୍କ ସନ୍ଧାନ ନପାଇ ଦୁର୍ଯ୍ୟୋଧନଙ୍କ ଆଗରେ ସେମାନେ ଜଣାଇଲେ .. ବୋଧହୁଏ ଭୋକ ଉପାସରେ ପାଣ୍ଡବମାନେ ମୃତ୍ୟୁ ବରଣ କରିସାରିଛନ୍ତି।
ଏପରି ସମୟରେ କୀଚକର ମୃତ୍ୟୁ ସମ୍ବାଦ ଆର୍ଯ୍ୟାବର୍ତ୍ତରେ ସବୁ ରାଜ୍ୟରେ ବିଜୁଳି ବେଗରେ ବ୍ଯାପିଗଲା।ଜଣେ ନାରୀର ରୂପରେ ପ୍ରଲୁବ୍ଧ ହୋଇ କୀଚକ ସେ'ନାରୀର ଏକ ଗନ୍ଧର୍ଵ ପତି ହାତରେ ପ୍ରାଣ ହରାଇଥିବା ସମ୍ବାଦ ପାଇ ଦୁର୍ଯ୍ୟୋଧନ ଓ ଅନ୍ୟ କୌରବ ଭାଇମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଦୁର୍ଯ୍ୟୋଧନ ଭାବିଲେ.. କୀଚକକୁ ମଲ୍ଲଯୁଦ୍ଧରେ ହତ୍ୟା କରିବା ମାତ୍ର ଦୁଇଜଣଙ୍କ ଶକ୍ତିର ଅନ୍ତର୍ଭୂକ୍ତ ଏବଂ ଭୀମ ସେମାନଙ୍କ ମଧ୍ୟରୁ ଜଣେ;ଅନ୍ୟ ଜଣକ ବଳରାମ।କୀଚକକୁ ପ୍ରଲୁବ୍ଧ କରିଥିବା ନାରୀ ଦ୍ରୌପଦୀ ବ୍ୟତୀତ ଅନ୍ୟ କେହି ହୋଇ ନପାରନ୍ତି ଏବଂ କୀଚକ ଉପରେ ପ୍ରତିଶୋଧ ନେଇଥିବା ତଥା କଥିତ ଗନ୍ଧର୍ଵ, ଭୀମଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି।"
ପୂର୍ଣ୍ଣ ରାଜସଭାରେ ଏହି ସନ୍ଦେହ ବ୍ୟକ୍ତ କରି ଦୁର୍ଯ୍ୟୋଧନ କହିଲେ... ମତ୍ସ୍ୟରାଜ୍ୟ ଆମ ଶତ୍ରୁ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ।ରାଜା ବିରାଟଙ୍କୁ ଶିକ୍ଷା ଦେବାପାଇଁ ଆମେ ମତ୍ସ୍ୟ ଆକ୍ରମଣ କରି ତାଙ୍କ ଗୋଧନ ହରଣ କରି ଆଣିବା।
ମତ୍ସ୍ୟ ସହିତ ଯୁଦ୍ଧ ହେଲେ, ଯଦି ପାଣ୍ଡବମାନେ ସେଠାରେ ଅଜ୍ଞାତବାସରେ ଥିବେ, ନିଶ୍ଚିତ ଭାବରେ ଯୁଦ୍ଧ ପାଇଁ ଆଗେଇ ଆସିବେ। ଅଜ୍ଞାତବାସ ଶେଷ ହେବା ପୂର୍ବରୁ ଆମେ ସେମାନଙ୍କୁ ଠାବ କରିବା ଏବଂ ସେମାନେ ପୁଣି ଥରେ ବାରବର୍ଷ ପାଇଁ ବନବାସ ଯିବେ।"
ତ୍ରିଗର୍ତ୍ତ ଦେଶର ରାଜା ସୁଶର୍ମା ସଭାରେ ଉପସ୍ଥିତ ଥିଲେ। ଦୁର୍ଯ୍ୟୋଧନଙ୍କ ପ୍ରସ୍ତାବ ତାଙ୍କ ମନକୁ ଖୁବ୍ ପାଇଲା।ସେ କହିଲେ..ଆପଣ ଠିକ୍ କହିଛନ୍ତି; ବିରାଟ ମଧ୍ୟ ମୋର ଶତ୍ରୁ। ମୁଁ ଦକ୍ଷିଣ ଦିଗରୁ ଏବଂ ଆପଣ ଉତ୍ତର ଦିଗରୁ ଆକ୍ରମଣ କରିବେ।ଶଣ୍ଡୁଆସୀ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇ ଯିବ ମତ୍ସ୍ୟ ରାଜ୍ୟ।ଏବେ କୀଚକ ନାହିଁ ମତ୍ସ୍ୟକୁ ରକ୍ଷା କରିବା ପାଇଁ। ପାଣ୍ଡବମାନେ ସେଠାରେ ଯଦି ଆତ୍ମଗୋପନ କରିଥିବେ,ଜାଲରେ ମାଛ ପଡ଼ିବା ଭଳି ଛାଣି ହୋଇ ବାହାରି ପଡ଼ିବେ।"
କର୍ଣ୍ଣ ମଧ୍ୟ ତ୍ରିଗର୍ତ୍ତ ରାଜାଙ୍କ ଯୋଜନାକୁ ସମର୍ଥନ କଲେ।
ଯୋଜନା ଅନୁସାରେ ସୁଶର୍ମା ଦକ୍ଷିଣ ଦିଗରୁ ମତ୍ସ୍ୟ ଦେଶ ଉପରେ ଆକ୍ରମଣ କରିଦେଲେ।ବିରାଟ ଏହି ସମ୍ବାଦ ପାଇ ବିବ୍ରତ ହୋଇପଡିଲେ,କାରଣ କୀଚକର ମୃତ୍ୟୁ ମତ୍ସ୍ୟଦେଶକୁ ଦୁର୍ବଳ କରି ଦେଇଥିଲା।କଙ୍କ (ଯୁଧିଷ୍ଠିର) ବିରାଟଙ୍କୁ ଶାନ୍ତ୍ବନା ଦେଇ କହିଲେ..ଆପଣ ଚିନ୍ତା କରନ୍ତୁ ନାହିଁ ମହାରାଜ , ମୁଁ ନିଜେ ସନ୍ୟାସୀ ହେଲେ ମଧ୍ୟ ଯୁଦ୍ଧଵିଦ୍ୟା ମୋତେ ଭଲଭାବେ ଜଣା। ଯୁଧିଷ୍ଠିରଙ୍କ ପାଖରେ ଥିବା ସମୟରେ ମୁଁ ତାହା ଶିକ୍ଷା କରିଛି। ଆପଣଙ୍କ ପାଖରେ ସେବାରତ ବଲ୍ଲଭ,ତନ୍ତିପାଳ ଏବଂ ଗ୍ରନ୍ଥିକ ନାମକ ବ୍ୟକ୍ତିମାନେ ମଧ୍ୟ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ; ଏକଦା ସେମାନେ ସମସ୍ତେ ଯୁଧିଷ୍ଠିରଙ୍କ ସେନା ବାହିନୀରେ ଥିଲେ।ଆପଣ ମୋ ପାଇଁ ତଥା ବଲ୍ଲଭ,ତନ୍ତିପାଳ ଓ ଗ୍ରନ୍ଥିକଙ୍କ ପାଇଁ ରଥର ଆୟୋଜନ କରନ୍ତୁ।"
କଙ୍କପଣ୍ଡାଙ୍କ ପ୍ରେରଣା ରାଜା ବିରାଟଙ୍କ ମନୋବଳ ବୃଦ୍ଧି କଲା।ସେ କଙ୍କ,ବଲ୍ଲଭ,ତନ୍ତିପାଳ, ଏବଂ ଗ୍ରନ୍ଥିକଙ୍କୁ ନେଇ ସୁଶର୍ମା ବିରୁଦ୍ଧରେ ରଣହୁଙ୍କାର ଦେଲେ।ସୁଶର୍ମାଙ୍କ ଆକ୍ରମଣରେ ବିରାଟଙ୍କ ଅନେକ ଜନପଦ ଧ୍ବଂସ ପାଇଗଲା,ସୁନ୍ଦର ଉପବନ ବିଧ୍ୱସ୍ତ ହୋଇଗଲା। ଗୋରୁ ପଲଙ୍କୁ ନିଜ ଅକ୍ତିଆରକୁ ନେଇଗଲେ ସୁଶର୍ମାଙ୍କ ସେନାବାହିନୀ। ଗୋପାଳମାନେ ଭୟଭୀତ ହୋଇ ଆସି ରାଜାଙ୍କ ଆଗରେ ଗୁହାରୀ ଜଣାଇଲେ।ଆରମ୍ଭ ହୋଇଗଲା ଭୟଙ୍କର ଯୁଦ୍ଧ।
ସଂଶପ୍ତକ ଯୁଦ୍ଧରେ ପ୍ରବୀଣ ସୁଶର୍ମା ବିରାଟଙ୍କୁ ପରାସ୍ତ କରି ତାଙ୍କ ରଥ ଭଗ୍ନ କଲେ। ବିରାଟ ଅନ୍ୟ ଏକ ରଥ ଆରୋହଣ କରିବା ପୂର୍ବରୁ ତାଙ୍କୁ ବନ୍ଦୀ କରି ନେଇଗଲେ ସୁଶର୍ମା।
ରାଜାଙ୍କୁ ବନ୍ଦୀ ହେବା ଦେଖି ମତ୍ସ୍ୟ ଦେଶର ସୈନ୍ୟମାନେ ନିରୁତ୍ସାହିତ ହୋଇ ଭୟରେ ଇତସ୍ତତ ପଳାୟନ କରିବା ଆରମ୍ଭ କଲେ।ବିଜୟ ଗର୍ବରେ,ଆନନ୍ଦ ଉଲ୍ଲାସର ଚିତ୍କାର କରି ସେମାନଙ୍କୁ ଗୋଡାଇ ଗୋଡ଼ାଇ ମାରିଲେ ତ୍ରିଗର୍ତ୍ତ ସୈନ୍ୟ ବାହିନୀର ଯୋଦ୍ଧା ଗଣ।
ଏପରି ବିଷମ ସଙ୍କଟ ଦେଖି ଯୁଧିଷ୍ଠିର(କଙ୍କ)ଭୀମଙ୍କୁ ଆହ୍ବାନ ଦେଲେ ସୁଶର୍ମାଙ୍କୁ ପରାସ୍ତ କରି ବିରାଟଙ୍କୁ ମୁକ୍ତ କରିବା ପାଇଁ। ଚିରାଚରିତ ଭାବେ ଏକ ବିଶାଳ ବୃକ୍ଷ ଉତ୍ପାଟନ କରିବାକୁ ଯାଉଥିଲେ ଭୀମସେନ, ସୁଶର୍ମାଙ୍କ ଉପରେ ପ୍ରହାର କରିବାପାଇଁ। ଯୁଧିଷ୍ଠିର ଭୀମଙ୍କୁ କହିଲେ .. ବୃକ୍ଷ ଉପାଡିଲେ ତୁମେ ଭୀମସେନ ବୋଲି ସମସ୍ତେ ଜାଣିଯିବେ,କାରଣ ବର୍ତ୍ତମାନ ସମୟରେ ସେ ଶକ୍ତି କେବଳ ତୁମର ହିଁ ଅଛି।କିଛି ସମୟ ବାକି ଅଛି ଅଜ୍ଞାତବାସ ଶେଷ ହେବାପାଇଁ। ଧୈର୍ଯ୍ୟର ସହିତ କାମ କର।ବୃକ୍ଷର ସାହାଯ୍ୟ ନନେଇ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ କଲେ ମଧ୍ୟ ସୁଶର୍ମା ତୁମକୁ ବଳେଇ ଯିବେ ନାହିଁ।ଯାଅ, ବିରାଟଙ୍କୁ ମୁକ୍ତ କର। ଏହା ଆମପାଇଁ ମତ୍ସ୍ୟ ଦେଶର ଋଣ ପରିଶୋଧ କରିବା ସମୟ।
ଛତ୍ରଭଙ୍ଗ ଦେଇଥିବା ମତ୍ସ୍ୟ ଦେଶର ସୈନ୍ୟମାନଙ୍କୁ ଏକତ୍ରିତ କରି ଭୀମ ରୂପରେ ଭୀମସେନ ସୁଶର୍ମାଙ୍କ ଉପରେ ପାଲଟା ଆକ୍ରମଣ କରିଦେଲେ।ଭୟଙ୍କର ଯୁଦ୍ଧରେ ପରାସ୍ତ ହେଲେ ସୁଶର୍ମା।ତାଙ୍କ କବଳରୁ ବିରାଟଙ୍କୁ ମୁକ୍ତ କଲେ ଭୀମସେନ।ସୁଶର୍ମାଙ୍କୁ ରଥରେ ବନ୍ଦୀକରି ଫେରିଲେ ବୃକୋଦର।ତ୍ରିଗର୍ତ୍ତର ସୈନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାୟନ କଲେ।
ମତ୍ସ୍ୟ ଦେଶର ବିଜୟ ବାର୍ତ୍ତା ରାଜଧାନୀରେ ପହଞ୍ଚିବା ପରେ ଆନନ୍ଦ ଉତ୍ସବରେ ମାତିଗଲେ ନଗ୍ରବାସୀଗଣ।
କିନ୍ତୁ ଆଉ ଏକ ବିଷମ ସମସ୍ୟା।ଉତ୍ତର ଦିଗରୁ କୌରବ ବାହିନୀ ମାଡି ଆସୁଥିଲେ ରାଜଧାନୀ ଆଡ଼କୁ।ଉତ୍ତର ଦିଗରେ ଅରଣ୍ୟରେ ଥିବା ମତ୍ସ୍ୟଦେଶର ଗୋ'ସମ୍ପଦକୁ କୌରବମାନେ ନିଜ ଅକ୍ତିଆରକୁ ନେଇ ସାରିଥିଲେ। ସେମାନଙ୍କ ସହିତ ଯୁଦ୍ଧ କରିବ କିଏ? ରାଜଧାନୀରେ ଥିବା ଅବଶିଷ୍ଟ ସୈନ୍ୟ ଯୁଦ୍ଧ କରିବାପାଇଁ ପ୍ରସ୍ତୁତ, କିନ୍ତୁ କାହା ସେନାପତିତ୍ବରେ ଯୁଦ୍ଧ କରିବେ ସେମାନେ ?ରାଜା ବିରାଟ ଫେରି ଆସିବା ପାଇଁ ସମୟ ଲାଗିବ।ତାପୂର୍ବରୁ ମତ୍ସ୍ୟ ଅଧିକାର କରିନେବେ କୌରବ ବାହିନୀ।
ଗୋପାଳମାନେ ରାଜପ୍ରାସାଦରେ ପହଞ୍ଚି ରାଜକୁମାର ଉତ୍ତରଙ୍କୁ କହିଲେ..ରାଜାଙ୍କ ଅନୁପସ୍ଥିତିରେ ରାଜ୍ୟ ରକ୍ଷା କରିବା ଆପଣଙ୍କ ଦାୟିତ୍ଵ। କୌରବମାନେ ମାଡି ଆସୁଛନ୍ତି; ବାଧା ନଦେଲେ ସେମାନେ ରାଜଧାନୀ ଭିତରକୁ ପ୍ରବେଶ କରିବେ। ଆମର ବିଶାଳ ଗୋ'ସମ୍ପଦ ମଧ୍ୟ ନେଇ ଚାଲିଯିବେ।"
ଗୋପାଳମାନେ ଯେଉଁ ସମୟରେ ରାଜକୁମାର ଉତ୍ତରଙ୍କ ପାଖରେ ଏହି ଅଭିଯୋଗ କଲେ ସେଠାରେ ବୃହନ୍ନଳା (ଅର୍ଜୁନ) ଏବଂ ଅନ୍ତଃପୁରର କିଛି ମହିଳା ଉପସ୍ଥିତ ଥିଲେ। ସେମାନଙ୍କ ଆଗରେ ନିଜର ବଳବୀର୍ଯ୍ୟର ଆସ୍ଫାଳନ କରି ଉତ୍ତର କହିଲେ..ଏ କୌରବ ବାହିନୀ ମୋ ଆଗରେ କିଛି ନୁହଁନ୍ତି। ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ ମୁଁ ବାଣ ଆଘାତରେ ମହାଶୂନ୍ୟରେ ଉଡ଼ାଇ ଦେବି। ଦୁର୍ଭାଗ୍ୟକୁ ମୋ ପାଖରେ ଭଲ ସାରଥି ନାହାଁନ୍ତି।"
ରାଜକୁମାର ଉତ୍ତରଙ୍କ ଆସ୍ଫାଳନ ଦେଖି ମନେ ମନେ ହସୁଥିଲେ ବୃହନ୍ନଳାରୂପୀ ଅର୍ଜୁନ।
