କଥା କାଦମ୍ବରୀଭାଗ ୬୭
କଥା କାଦମ୍ବରୀଭାଗ ୬୭
କୀଚକ ପାପୀର ଦାରୁଣ ମୃତ୍ୟୁ
====
'କୀଚକ'ର ଆଭିଧାନିକ ଅର୍ଥ ହେଉଛି 'ପୋଲା ବାଉଁଶ'। କିନ୍ତୁ ରାଜା ବିରାଟଙ୍କ ଶାଳକ କୀଚକ ପୋଲା ବାଉଁଶ ନଥିଲା।ମଲ୍ଲ ଯୁଦ୍ଧରେ ସେ ସମୟରେ ଭାରତଖଣ୍ଡରେ ତିନିଜଣ ଶ୍ରେଷ୍ଠ ଯୋଦ୍ଧାଙ୍କ ଭିତରେ ତା'ର ଗଣତି ଥିଲା;ପ୍ରଥମ ଥିଲେ ଶ୍ରୀକୃଷ୍ଣଙ୍କ ଭାଇ ବଳରାମ, ଦ୍ବିତୀୟ ଭୀମସେନ ଏବଂ ତୃତୀୟ କୀଚକ।ବିରାଟ ଥିଲେ ନାମକୁ ମାତ୍ର ରାଜା;କୀଚକ ସର୍ବେସର୍ବା।ଲୋକେ କହୁଥିଲେ "କୀଚକ ବାହୁବଳେ ବିରାଟ ରାଜା।"ଅତ୍ୟନ୍ତ ଗର୍ବୀ, ଅହଂକାରୀ ଓ ସ୍ବେଚ୍ଛାଚାରୀ ଥିଲା ରାଣୀ ସୁଦେଷ୍ଣାଙ୍କର ଏହି ଭାଇ। ରାଣୀଙ୍କ ଉପ୍ରୋଧରେ ଶାଳକଙ୍କୁ କିଛି କହି ପାରୁ ନଥିଲେ ରାଜା ବିରାଟ, ବରଂ ଭୟଭୀତ ହୋଇ ରହୁଥିଲେ।
ଆଶ୍ଚର୍ଯ୍ୟ କଥା,ପାଣ୍ଡବ ପାଞ୍ଚଭାଇ ଏବଂ ଦ୍ରୌପଦୀଙ୍କ ଛଦ୍ମ ବେଶରେ ରାଜପ୍ରାସାଦରେ ପ୍ରବେଶ କୀଚକର ସନ୍ଦେହ ବଳୟ ଭିତରକୁ ଆସିନଥିଲା।ପାଣ୍ଡବ ପରିବାର ଏଭଳି ସନ୍ତର୍ପଣରେ ବିରାଟଙ୍କ ପ୍ରାସାଦ ଭିତରେ ନିଜ ନିଜର ଆସ୍ଥାନ ଜମେଇ ଥିଲେ ଯେ କାହାର ମଧ୍ୟ ସନ୍ଦେହ ହେଲାନାହିଁ ସେମାନେ ସେଠାରେ ଅଜ୍ଞାତବାସ ଅତିବାହିତ କରୁଛନ୍ତି। ଯୁଧିଷ୍ଠିର, ପଶାଖେଳ ଏବଂ ଶାସ୍ତ୍ର ଆଲୋଚନାରେ ବିରାଟଙ୍କ ମନ ବାନ୍ଧି ରଖିଥିଲେ।ଭୀମସେନଙ୍କ ସୁସ୍ବାଦୁ ଖାଦ୍ୟ ରାଜଅବରୋଧରେ ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା। ଅର୍ଜୁନ ତୃତୀୟଲିଙ୍ଗୀ ଅବତାରରେ ରାଜକନ୍ୟା ଉତ୍ତରାଙ୍କୁ ଏପରି କୁଶଳ ନୃତ୍ୟଶିକ୍ଷା ଦେଉଥିଲେ ଯେ ରାଜପରିବାର ସମସ୍ତେ ତାଙ୍କ ଉପରେ ଅତ୍ୟନ୍ତ ଆନନ୍ଦିତ ଥିଲେ।ନକୁଳ ଏବଂ ସହଦେବ ନିଜ ନିଜର କର୍ମ କୁଶଳତାରେ ବିରାଟଙ୍କ ଗୋଧନ ଏବଂ ଅଶ୍ବଶାଳାର ପ୍ରଭୂତ ଉନ୍ନତି ସାଧନ କରିଥିଲେ।ଦ୍ରୌପଦୀ ସୈରିନ୍ଧ୍ରୀ ରୂପରେ ରାଣୀ ସୁଦେଷ୍ଣାଙ୍କ ସେବା କରି ତାଙ୍କ ମନ କିଣି ନେଇଥିଲେ।
ଛଦ୍ମବେଶରେ ପାଣ୍ଡବ ଭାଇମାନେ ସଫଳତାର ସହିତ ନିଜକୁ ଲୁଚାଇ ପାରିଥିଲେ। କିନ୍ତୁ ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟ ଲୁଚୁଛି କେଉଁଠି ? ମଲ୍ଲୀ ଚହଟିଲେ ତା'ର ବାସ୍ନାକୁ କଣ ବାନ୍ଧି ରଖିହେବ ? ରାଣୀ ଅନ୍ତଃପୁରରେ ଲୁଚି ଲୁଚି ରହିଲେ ମଧ୍ୟ ତାଙ୍କ ରୂପରେ ଝଲକ କୀଚକର ଆଖିରେ ଥରେ ପଡ଼ିବା ପରେ କୀଚକ କାମାନ୍ଧ ପାଲଟି ଗଲା।
ପ୍ରକୃତିକବି ଗଙ୍ଗାଧର ମେହେର "କୀଚକ ବଧ" କାବ୍ୟରେ ଲେଖିଛନ୍ତି କାମାନ୍ଧ କୀଚକ ରାଣୀ ଅନ୍ତଃପୁରର,ଚପଳା ନାମକ ଗୋଟିଏ ଦାସୀକୁ..ବୋଇଲା "ଆଲୋ ଚପଳେ/ମୋ ତପ୍ତ ତନୁରେ ଶୀତଳ ଚନ୍ଦନ ବୋଳିପାରିବୁ କି ପଳେ ?"
ରାଣୀଙ୍କ ଭାଇଙ୍କ ମୁଖରୁ ଏହା ଶୁଣି ଚପଳା କହିଲା ...ପଳେ ଚନ୍ଦନ କାହିଁକି, କହିଲେ ମୁଁ ଆପଣଙ୍କ ତନୁରେ ଶହେ ପଳ ଚନ୍ଦନ ବୋଳି ପାରିବି।"
କୀଚକ କହିଲା ..ମୋର ସେ ଚନ୍ଦନ ଆବଶ୍ୟକ ନାହିଁ।ସୈରିନ୍ଧ୍ରୀର ପ୍ରୀତି ଚନ୍ଦନରୁ ମୋର ପଳେମାତ୍ର ଆବଶ୍ୟକ।କାମାନଳରେ ଦଗ୍ଧ ମୋ ତନୁକୁ ଶୀତଳ କରିବା ପାଇଁ ସେହି ପ୍ରୀତି ଚନ୍ଦନରୁ ପଳେମାତ୍ର ଦେବାପାଇଁ ବ୍ୟବସ୍ଥା କର ଚପଳା।"
ଚପଳା ଜିଭ କାମୁଡି କହିଲା ..ସେ କଥା କୁହନ୍ତୁ ନାହିଁ ବୀରପୁଙ୍ଗବ,ସେ ଅତ୍ୟନ୍ତ ସାଧ୍ୱୀ ନାରୀ।ସେ କଦାପି ଆପଣଙ୍କ ପ୍ରେମ ଜାଲରେ ପଡିବ ନାହିଁ।"
କୀଚକ ଚପଳାକୁ ଧନଦ୍ରବ୍ୟର ପ୍ରଲୋଭନ ଦେଖାଇବାରୁ ସେ ପ୍ରୟାସ କରିବା ପ୍ରତିଶ୍ରୁତି ଦେଇ ଚାଲିଗଲା।ଚପଳା, ରାଣୀ ସୁଦେଷ୍ଣାଙ୍କୁ ଭାଇ କୀଚକ'ର ସୈରିନ୍ଧ୍ରୀ-ରମଣ ଅଭିଳାଷା ଜଣାଇବାରୁ ସେ କାନରେ ହାତଦେଇ କହିଲେ.. ଏହା ଅସମ୍ଭବ କଥା,ସେ ବିବାହିତା ନାରୀ।ଏ' ପାପ ଚିନ୍ତାରୁ ନିବୃତ୍ତ ହେବାପାଇଁ ଭାଇକୁ ମୋର କହିବୁ ଚପଳା।"
ସୈରିନ୍ଧ୍ରୀଙ୍କ ଆଗରେ,ଚପଳା କୀଚକର ମନକଥା ଜଣାଇବାରୁ କ୍ରୋଧରେ ଆରକ୍ତହେଲା ପାଞ୍ଚାଳୀଙ୍କ ମୁଖମଣ୍ଡଳ। କହିଲେ.. ଏଭଳି ପ୍ରସ୍ତାବ ଦେବାକୁ ତୋର ସାହସ କିପରି ହେଲା ଚପଳା।ଶୀଘ୍ର ଯାଇ ସେ ଲମ୍ପଟ କୀଚକକୁ କହିବୁ ମୁଁ ଅସହାୟା ନୁହେଁ;ମୋର ପ୍ରବଳ ପ୍ରତାପୀ ପାଞ୍ଚଜଣ ଗନ୍ଧର୍ବ ପତି ଅଛନ୍ତି। ଯେଉଁଦିନ ମୋ ପ୍ରତି କେହି କୁ'ଦୃଷ୍ଟି ପାତ କରିବ ସେହି ଦିନ ତାର ଏ ପୃଥିବୀରେ ଶେଷ ଦିନ ହେବ। "
କୀଚକ ସମୀପରେ ଚପଳା ଏହି ବାର୍ତ୍ତା ପହଞ୍ଚାଇବା ପରେ ଅଟ୍ଟହାସ କରି କୀଚକ କହିଲା.. ଗନ୍ଧର୍ବ ଶବ୍ଦର ଅନ୍ୟ ଏକ ଅର୍ଥ ହେଉଛି "ମୃଗ"।ତାର ଯଦି ଗନ୍ଧର୍ଵ ପାଞ୍ଚ ପତି ଅଛନ୍ତି ସେମାନଙ୍କୁ ଗନ୍ଧର୍ଵ (ମୃଗ)ପରି ମୋ ଧନୁର୍ବାଣ ବଧ କରିବ।"
ଦ୍ରୌପଦୀଙ୍କୁ ବାରମ୍ବାର ପ୍ରେମ ଭିକ୍ଷା କରି କୀଚକ ଅସଫଳ ହେବା ପରେ ତାର ଜିଦ୍ ବଢିଗଲା। ରାଣୀ ଅନ୍ତଃପୁରରେ ପହଞ୍ଚି ଭଉଣୀ ସୁଦେଷ୍ଣାଙ୍କୁ ନିଜର ମନକଥା କହିଲା କୀଚକ। ସୁଦେଷ୍ଣା ଭାଇକୁ ଏଭଳି କାର୍ଯ୍ୟରୁ ନିବୃତ୍ତ କଲେ।କୀଚକ କହିଲା..ସୈରିନ୍ଧ୍ରୀ ବିନା ମୁଁ ବଞ୍ଚି ପାରିବି ନାହିଁ।ତାକୁ କୌଣସି ପ୍ରକାରେ ମୋ ପାଖକୁ ପଠାଇବା ପାଇଁ ବ୍ୟବସ୍ଥା କର,ନହେଲେ ମୁଁ ଆତ୍ମହତ୍ୟା କରିବି।"
ଏବେ ରାଣୀଙ୍କ ପାଇଁ ଘୋର ସଙ୍କଟ।ସୈରିନ୍ଧ୍ରୀକୁ ଭାଇର କାମ ବାସନା ଚରିତାର୍ଥ ପାଇଁ ନପଠାଇଲେ ଭାଇ ଆତ୍ମହତ୍ୟା କରିବ, ଏଣେ ସୈରିନ୍ଧ୍ରୀ ନାରାଜ।ଅନନୋପାୟ ହୋଇ ସୁଦେଷ୍ଣା ଗୋଟିଏ "ଚଷକ" ପାତ୍ର (ମଦ୍ୟ) ସୈରିନ୍ଧ୍ରୀ ହାତରେ ଧରାଇ କହିଲେ ..ଯାଅ ସୈରିନ୍ଧ୍ରୀ ମୋ ଭାଇ ପାଖରେ ଏହି ଚଷକ ପାତ୍ରଟି ପହୁଞ୍ଚାଇ ଦିଅ।"
ସୈରିନ୍ଧ୍ରୀ କହିଲେ..ମୋ ଉପରେ ଦୟା କରନ୍ତୁ,ଆପଣଙ୍କ ଭାଇଙ୍କ ପାଖକୁ ମୋତେ ପଠାନ୍ତୁ ନାହିଁ,ତାଙ୍କର ମୋ ଉପରେ ପାପ ଦୃଷ୍ଟି ରହିଛି; ଚପଳା ମାଧ୍ୟମରେ ମୋତେ ଡକାଇ ନିଜର କାମ ପୀପାସା ଚରିତାର୍ଥ କରିବାକୁ ଚାହୁଁଥିଲେ।ମୋର ଗନ୍ଧର୍ବ ପତିମାନେ ଏକଥା ଜାଣିପାରିଲେ ତାଙ୍କ ପାଇଁ ବିପଦ ସୁନିଶ୍ଚିତ।
ସୁଦେଷ୍ଣା ବିରକ୍ତ ହୋଇ କହିଲେ .. ବର୍ତ୍ତମାନ ଏଠାରେ ଅନ୍ୟ କୈାଣସି ଦାସୀ ନାହାନ୍ତି,କାହାକୁ ପଠାଇବି ?ମୋର ଦାସୀ ଭାବରେ ତୁମକୁ କର୍ତ୍ତବ୍ୟ ପାଳନ କରିବାକୁ ହେବ।
ସୈରିନ୍ଧ୍ରୀ ବାଧ୍ୟ ହୋଇ ଚଷକ ପାତ୍ରଟି ଧରି କୀଚକ ଭବନରେ ପହଞ୍ଚିଲେ।ଭୟରେ ହାତ ପାଦ ଥରୁଥାଏ।ସେ କୀଚକ ଭବନରେ ପହଞ୍ଚିବା ପରେ ତ୍ରସ୍ତା ହରିଣୀ ଉପରକୁ ମହାବଳ ଲମ୍ଫ ଦେଲାଭଳି ତାଙ୍କ ଉପରକୁ କୀଚକ ମାଡି ଆସିଲା।ଭୟରେ ଚଷକ ପାତ୍ରଟି ଫିଙ୍ଗିଦେଇ ସୈରିନ୍ଧ୍ରୀ ଦଉଡିବା ଆରମ୍ଭ କଲେ।ଅଳିନ୍ଦ ପରେ ଅଳିନ୍ଦ,ସୋପାନ ଶ୍ରେଣୀ ପରେ ସୋପାନ ଶ୍ରେଣୀ;ସୈରିନ୍ଧ୍ରୀ ଦଉଡୁଥାନ୍ତି, ମୁହଁରେ ଥାଏ କୃଷ୍ଣ ନାମ..ମୋ ଲାଜ ରକ୍ଷାକର କେଶବ,ଏ ଦୁରାତ୍ମାର କବଳରୁ ମୋତେ ରକ୍ଷାକର।"
କୀଚକ ତାଙ୍କୁ ଧରିନେବା ପୂର୍ବରୂ ରାଜସଭା ଭିତରେ ପ୍ରବେଶ କରି ସାରିଥିଲେ ସୈରିନ୍ଧ୍ରୀ।ଗହ ଗହ କମ୍ପୁଛି ପୂର୍ଣ୍ଣ ରାଜସଭା। ଉପସ୍ଥିତ ଅଛନ୍ତି ଜ୍ଞାନୀ ଗୁଣୀ ପଣ୍ଡିତ ମାନଙ୍କ ସହିତ କଙ୍କପଣ୍ଡା(ଯୁଧିଷ୍ଠିର)ମଧ୍ୟ। ରାଜସଭାରେ ସୈରିନ୍ଧ୍ରୀ କୀଚକର ପାପକର୍ମର ଅଭିଯୋଗ କରି ନ୍ୟାୟ ମାଗିଲେ। କୀଚକ ସେଠାରେ ପହଞ୍ଚି ସୈରିନ୍ଧ୍ରୀଙ୍କୁ ଅପଶବ୍ଦ ପ୍ରୟୋଗକରି,ପାଦରେ ପ୍ରହାର କରି କହିଲା .. ଏପରି ଅଭିଯୋଗର କିଛି ମୂଲ୍ୟ ନାହିଁ। ଏହି ରାଜ୍ୟରେ ମୁଁ ହିଁ ସର୍ବେସର୍ବା।କୀଚକ ହିଁ ତୋତେ କୀଚକ ହାତରୁ ରକ୍ଷା କରିପାରିବ।ତୋର ପାଞ୍ଚଜଣ ଗନ୍ଧର୍ଵ ପତି ଅଛନ୍ତି ପରା? ସେମାନଙ୍କୁ ଗୋଟି ଗୋଟି କରି ମୁଁ ହତ୍ୟାକରିବି;ଦେଖିବି କିଏ ତୋର ସହାୟତା କରିବ।"
ଅଶ୍ରୁଳ ନେତ୍ରରେ ଆକୁଳ କଣ୍ଠରେ ସୈରିନ୍ଧ୍ରୀ କହିଲେ ..ହେ ଧର୍ମ ଅବତାର,ମୋ ଗୁହାରିର ନିଷ୍ପତ୍ତି କରନ୍ତୁ।"
ବାସ୍ତବରେ ଏହା ଦ୍ବେର୍ଥ ବୋଧକ ସମ୍ବୋଧନ ଥିଲା।ଏକ ସମୟରେ ସେ ରାଜା ବିରାଟ ଏବଂ ଧର୍ମ ଅବତାର ଯୁଧିଷ୍ଠିରଙ୍କୁ ସମ୍ବୋଧନ କରି ନିଷ୍ପତ୍ତି ଜାଣିବାକୁ ଚାହୁଁଥିଲେ।କୀଚକ ଭୟରେ ବିରାଟ ମୌନ ରହିଲେ। କିନ୍ତୁ କଙ୍କପଣ୍ଡା ରୂପୀ ଯୁଧିଷ୍ଠିର କହିଲେ .. ଦ୍ବିତୀୟ ପତିଙ୍କୁ ଭଜ,ଏ ଆମ୍ଭ ବିଚାର।
"ସମସ୍ତେ ବୁଝିଲେ ଯେ ଦ୍ବିତୀୟ ସ୍ବାମୀ ଅର୍ଥାତ୍ କୀଚକକୁ ଗ୍ରହଣ କରିବାକୁ କଙ୍କ କହୁଛନ୍ତି;ସୈରିନ୍ଧ୍ରୀ ବୁଝିଲେ କଙ୍କ(ଯୁଧିଷ୍ଠିର) ତାଙ୍କୁ ଦ୍ବିତୀୟ ସ୍ବାମୀ ଅର୍ଥାତ୍ ଭୀମସେନଙ୍କ ପାଖକୁ ଯିବାପାଇଁ ନିର୍ଦ୍ଦେଶ ଦେଉଛନ୍ତି।ଗଙ୍ଗାଧର ମେହେର ଲେଖିଛନ୍ତି.. କୃତ୍ରିମ ବିଷାଦ ତହିଁ କରି ପ୍ରଦର୍ଶନ/ଲେଉଟିଲେ ଯାଜ୍ଞସେନୀ ନିଜ ନିକେତନ।"
ନିଶାର୍ଦ୍ଧରେ ଭୀମସେନଙ୍କ ପାଖରେ ପହଞ୍ଚି ଦ୍ରୌପଦୀ କୀଚକର ତାଙ୍କ ପ୍ରତି ପାପ ଦୃଷ୍ଟି କଥା ବର୍ଣ୍ଣନା କଲେ,ତା' ସଙ୍ଗେ ସଙ୍ଗେ ଯୁଧିଷ୍ଠିରଙ୍କର ଭୀମଙ୍କ ପ୍ରତି ସାଙ୍କେତିକ ନିର୍ଦ୍ଦେଶ ମଧ୍ୟ ଜଣାଇଲେ।
ସେତେବେଳକୁ ଅଜ୍ଞାତବାସ ଶେଷ ହେବାକୁ ଆଉ ମାତ୍ର ଏକମାସ ବାକି ଥାଏ। କୌରବମାନେ ଖୋଜି ବୁଲୁଛନ୍ତି ପାଣ୍ଡବଙ୍କୁ ଠାବକରି ଆଉ ବାରବର୍ଷ ବନବାସରେ ପଠାଇବା ପାଇଁ। ତେଣୁ କାର୍ଯ୍ୟ ସନ୍ତର୍ପଣରେ କରିବାକୁ ହେବ। ଦ୍ରୌପଦୀଙ୍କ ସହିତ ଆଲୋଚନା କରି ଭୀମ କୀଚକ ମୃତ୍ୟୁର ଯୋଜନା ପ୍ରସ୍ତୁତ କଲେ। ଯୋଜନା ଅନୁସାରେ ଯାଜ୍ଞସେନୀ କୀଚକ କଥାରେ ସମ୍ମତ ହୋଇ ପାପ ପ୍ରଣୟ ପାଇଁ ତାକୁ ନଗର ଶେଷରେ ଥିବା ରଙ୍ଗଶାଳାକୁ ରାତ୍ରିରେ ନିମନ୍ତ୍ରଣ କରିବେ।କୀଚକ ସେଠାରେ ପହଞ୍ଚିବା ବେଳକୁ ରଙ୍ଗଶାଳାରେ ଭୀମ ଶୟନ କରିଥିବେ।କୀଚକ ସହିତ ମଲ୍ଲଯୁଦ୍ଧ କରି ରାତିର ଅନ୍ଧକାର ଭିତରେ ଭୀମ କୀଚକକୁ ହତ୍ୟା କରିବେ।ସୈରିନ୍ଧ୍ରୀ ପରଦିନ ପ୍ରଚାର କରିବେ ଯେ ତାଙ୍କ ଗନ୍ଧର୍ଵ ପତିମାନେ,ପାପାସକ୍ତ କୀଚକକୁ ବଧ କରିଛନ୍ତି।"
ସୈରିନ୍ଧ୍ରୀ ଫେରିଯାଇ କୀଚକକୁ ପାପ ପ୍ରୀତି ପାଇଁ ସମ୍ମତି ଦେଇ କହିଲେ...ବୀର ପୁଙ୍ଗବ ! ତୁମେ ଏ ରାଜ୍ୟର ସର୍ବେ ସର୍ବା।ତୁମକୁ ଆଶ୍ରା କରିବା ବ୍ୟତୀତ ମୋର ଅନ୍ୟ ଉପାୟ ନାହିଁ। କିନ୍ତୁ ଆମର ପାପ ପ୍ରଣୟ ମୋ ଗନ୍ଧର୍ବ ପତିମାନେ ଜାଣିଲେ ମୋ'ପ୍ରତି ବିପଦ ମାଡି ଆସିବା। ତେଣୁ ଗୁପ୍ତରେ ନଗର ଉପାନ୍ତରେ ଥିବା ରଙ୍ଗଶାଳାରେ କାଲି ନିଶାର୍ଦ୍ଧରେ ମୁଁ ତୁମପାଇଁ ଅପେକ୍ଷା କରିଥିବି। ତୁମେ ସେଠାରେ ପହଞ୍ଚିଲେ ମୁଁ ତୁମକୁ ସୁ'ରତି ପ୍ରଦାନ କରି ତୁମ ଇଚ୍ଛା ପୂର୍ଣ୍ଣ କରିବି।"
କୀଚକର ଆନନ୍ଦର ସୀମା ରହିଲା ନାହିଁ।ସୈରିନ୍ଧ୍ରୀଙ୍କ ଯୋଜନା ଅନୁସାରେ ପରଦିନ ରାତିରେ ରଙ୍ଗ ମଣ୍ଡପରେ ନିଶାର୍ଦ୍ଧରେ କୀଚକ ପହଞ୍ଚିଲା।ରଙ୍ଗଶାଳା ଭିତରେ ବସନ ଘୋଡେ଼ଇ ହୋଇ ଶୟନ କରିଥିବା ଭୀମଙ୍କୁ ସୈରିନ୍ଧ୍ରୀ ମନେକରି କୀଚକ ଆଲିଙ୍ଗନ କରନ୍ତେ ଭୀମଙ୍କ ବଜ୍ର ମୁଷ୍ଠିରେ ତଳେ ପଡ଼ିଲା।ଗଙ୍ଗାଧର ମେହେର ଲେଖିଛନ୍ତି.."ବାମା ନୁହେଁ ବାମ ବୋଲି ଗର୍ଜିଲା କୀଚକ/ଏକଚକ୍ର ପୁରେ ଯଥା ଗର୍ଜେ ଦୁଷ୍ଟ ବକ।"
ପ୍ରବଳ ମଲ୍ଲଯୁଦ୍ଧରେ ମାତିଗଲେ ଦୁଇ ବୀର।କୀଚକ ପ୍ରବଳ ବଳଶାଳୀ ଥିଲା।କୀଚକକୁ ପରାସ୍ତ କରିବା ଏତେ ସହଜ କାମ ନ'ଥିଲା ଭୀମଙ୍କ ପାଇଁ। କିନ୍ତୁ ଶେଷରେ ଭୀମଙ୍କର ହିଁ ବିଜୟ ହେଲା।କୀଚକକୁ ବଧ କରି ,ତାର ଗୋଡହାତକୁ ମୋଡ଼ି,ଭାଙ୍ଗି ଶରୀରକୁ ଏକ ମାଂସପିଣ୍ଡୁଳାରେ ପରିଣତ କରିଦେଲେ ଭୀମସେନ।
ପ୍ରାସାଦକୁ ଫେରି,ଉତ୍କଣ୍ଠା ସହିତ ଅପେକ୍ଷା କରିଥିବା ଦ୍ରୌପଦୀଙ୍କୁ ସୁସମ୍ବାଦ ଦେଲେ ଦ୍ବିତୀୟ ପାଣ୍ଡବ।ତତ୍ପରେ ସ୍ନାନ ଶେଷ କରି ଆକଣ୍ଠ ଭୋଜନ କରି,ପାକଶାଳାରେ ତୃପ୍ତିର ନିଦରେ ହଜିଗଲେ ମହାବଳୀ।
ପରଦିନ କୀଚକର ମୃତ୍ୟୁ ସମ୍ବାଦ ବନଅଗ୍ନି ପରି ରାଜ୍ୟରେ ବ୍ୟାପିଗଲା।ସମସ୍ତେ ଜାଣିଲେ ଯେ ସୈରିନ୍ଧ୍ରୀର ଗନ୍ଧର୍ଵ ପତିମାନେ କୀଚକକୁ ବଧ କରିଛନ୍ତି।
