STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୬୬

କଥା କାଦମ୍ବରୀଭାଗ ୬୬

5 mins
200


ଅଜ୍ଞାତବାସ ପାଇଁ ପ୍ରସ୍ତୁତି

====

ବନବାସ ସମୟରେ ପାଣ୍ଡବମାନେ ଅକଥନୀୟ କଷ୍ଟ ସହ୍ୟ କରିଥିଲେ ସତ,ହେଲେ ସବୁ କଳାମେଘରେ ମଧ୍ୟ ବିଜୁଳି-ଚମକ ରହିଥାଏ। ବନବାସ ସମୟରେ ଅନେକ ଗୁଣୀ-ଜ୍ଞାନୀ ମୁନି-ଋଷି ମାନଙ୍କ ସାନ୍ନିଧ୍ୟ ପାଇ ପାଣ୍ଡବମାନଙ୍କର ମାନବୀୟ ଗୁଣ ଓ ଶାସକୀୟ ଜ୍ଞାନରେ ପରିପକ୍ବତା ଆସିଯାଇଥିଲା। ଅନେକ ଗରିବ ପ୍ରଜା ଓ ବ୍ରାହ୍ମଣମାନଙ୍କ ସହିତ ମିଶି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ହୃଦୟଙ୍ଗମ କରିବାର ଅବକାଶ ସେମାନେ ପାଇ ଥିଲେ;ରାଜ୍ୟ ଫେରିପାଇବା ପରେ ତାହା ସୁଧାରିବା ପାଇଁ ସ୍ଥିର କଲେ ଯୁଧିଷ୍ଠିର। ଅର୍ଜୁନ,ଦେବତା ମାନଙ୍କୁ ସନ୍ତୁଷ୍ଟ କରି ଅନେକ ଦିବ୍ୟ ଅସ୍ତ୍ର ପାଇପାରିଥିଲେ। ହନୁମାନଙ୍କ ସହିତ ଭୀମଙ୍କ ଭେଟ ତାଙ୍କ ପାଇଁ ବରଦାନ ସଦୃଶ ହୋଇଥିଲା। ଭବିଷ୍ୟତରେ ଯୁଦ୍ଧ ହେଲେ ହନୁମାନ ପାଣ୍ଡବଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ହନୁମାନ'ଙ୍କ ଆଲିଙ୍ଗନ ପାଇ ଭୀମଙ୍କ ଶାରୀରିକ ଶକ୍ତି ବହୁଗୁଣିତ ହୋଇଥିଲା। ମହର୍ଷି ଦୁର୍ବାସା ଏବଂ ଯମରାଜାଙ୍କ ଆଶୀର୍ବାଦ ପାଣ୍ଡବ ମାନଙ୍କର ଭବିଷ୍ୟତ ପାଇଁ ବରଦାନ ସଦୃଶ ହୋଇଥିଲା।


ବନବାସ ସମ୍ପୂର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପାଣ୍ଡବ ମାନେ,ତାଙ୍କ ସହିତ ରହିଥିବା ମୁନି ଋଷି ଓ ବ୍ରାହ୍ମଣମାନଙ୍କ ଠାରୁ ଅଶ୍ରୁଳ ବିଦାୟ ନେଲେ। ଦୁଃଖ ଦିନ ମାନଙ୍କରେ ସେମାନଙ୍କ ସହିତ ରହି ମନୋବଳ ବୃଦ୍ଧି କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇ ଯୁଧିଷ୍ଠିର କହିଲେ ..ଅଜ୍ଞାତବାସ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେଲେ ପୁଣି ଆପଣ ମାନଙ୍କ ସହିତ ଦେଖା।ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।"

ବ୍ରାହ୍ମଣ ମାନେ ବିଦାୟ ନେଇ ଚାଲିଯିବା ପରେ ମହର୍ଷି ଧୌମ୍ୟ'ଙ୍କ ସହିତ ବନଦେଶର ଏକ ନିଭୃତ ସ୍ଥାନରେ ପାଣ୍ଡବମାନେ ଗୁପ୍ତ ବିଚାର କଲେ, କେଉଁଠାରେ ଅଜ୍ଞାତ ବାସ କଟାଇବେ। 


ଯୁଧିଷ୍ଠିର ଅର୍ଜୁନଙ୍କୁ ପଚାରିଲେ ... ଧନଞ୍ଜୟ ! ତୁମେ ସମଗ୍ର ଭାରତ ଭୂଖଣ୍ଡ ଭ୍ରମଣ କରିଛ,ତୁମ ବିବେଚନା ଅନୁଯାୟୀ କେଉଁ ରାଜ୍ୟରେ ଆମେ ଆତ୍ମଗୋପନ କଲେ କୌରବମାନେ ଆମର ସନ୍ଧାନ ପାଇବେ ନାହିଁ?"ଅର୍ଜୁନ କହିଲେ ଏପରି ଦେଖିବାକୁ ଗଲେ ପାଞ୍ଚାଳ,ମତ୍ସ୍ୟ,ଚେଦି,ବିଦର୍ଭ,ମଗଧ,ଦଶର୍ଣ୍ଣା,ସୁରସେନ ଆଦି ଆମର ଅନେକ ମିତ୍ର ରାଜ୍ୟ ଅଛନ୍ତି ଯେଉଁଠାରେ ଆମେ ଅଜ୍ଞାତ ବାସ କଟାଇ ପାରିବା, କିନ୍ତୁ ଆପଣ ଏହା ଭିତରୁ ଯାହା ନିର୍ଣ୍ଣୟ କରିବେ ତାହା ଆମେ ଗ୍ରହଣ କରିବୁ।ମୋର ବ୍ୟକ୍ତିଗତ ମତ ଅନୁସାରେ ମତ୍ସ୍ୟ ରାଜ୍ୟ ଅଜ୍ଞାତ ବାସ ପାଇଁ ଉପଯୁକ୍ତ ସ୍ଥାନ ହେବ।

 ଯୁଧିଷ୍ଠିର କହିଲେ.. ତୁମେ ଠିକ୍ କହିଛ ଧନଞ୍ଜୟ, ମତ୍ସ୍ୟ ରାଜ୍ୟର ରାଜା ବିରାଟ ଆମର ପରମ ମିତ୍ର,ଧର୍ମପରାୟଣ, ଏବଂ ଶକ୍ତିଶାଳୀ।ସେ ଦୁର୍ଯ୍ୟୋଧନଙ୍କ ଶକ୍ତି ଆଗରେ ମଥା ନୁଆଁଇବା ବ୍ୟକ୍ତି ନୁହନ୍ତି।ଆମେ ସେହି ରାଜ୍ୟରେ ହିଁ ଅଜ୍ଞାତ ବାସ ବିତାଇବା।"


ମତ୍ସ୍ୟ ରାଜ୍ୟରେ ଅଜ୍ଞାତବାସ ବିତାଇବା ପାଇଁ ସର୍ବସମ୍ମତିକ୍ରମେ ସ୍ଥିର ହେବାପରେ ଅର୍ଜୁନ ଯୁଧିଷ୍ଠିରଙ୍କୁ ପଚାରିଲେ .. ରାଜା ବିରାଟଙ୍କ ଦରବାରରେ ଆପଣ କେଉଁ ନାମରେ ଏବଂ କେଉଁ କାମରେ ନିଜକୁ ଗୋପ୍ୟ ରଖିବେ ଜ୍ୟେଷ୍ଠଭ୍ରାତ?"ଏକଥା ପଚାରିବା ସମୟରେ ଅର୍ଜୁନଙ୍କ ଆଖି ଛଳଛଳ ହୋଇଗଲା; ଯେଉଁ ଧର୍ମରାଜ ଯୁଧିଷ୍ଠିର ଦିନେ ଇନ୍ଦ୍ରପ୍ରସ୍ଥ ରାଜସିଂହାସନରେ ଚକ୍ରବର୍ତ୍ତୀ ଭାବେ ଆସୀନ ହୋଇ ଲକ୍ଷେ ରାଜାଙ୍କ ମୁକୁଟ ମଣି ସଦୃଶ ପ୍ରତିଭାତ ହେଉଥିଲେ ସେ ପୁଣି ଆଜି ଛଦ୍ମବେଶରେ ରାଜା ବିରାଟଙ୍କ ଦରବାରରେ କର୍ମଚାରୀ ଭାବରେ କାର୍ଯ୍ୟ କରିବେ!!"


ଯୁଧିଷ୍ଠିର କହିଲେ .. ବିରାଟଙ୍କ ଦରବାରରେ ପହଞ୍ଚି ମୁଁ କହିବି ମୋ ନାମ "କଙ୍କପଣ୍ଡା" ।ଏକଦା ଇନ୍ଦ୍ରପ୍ରସ୍ଥ ଦରବାର ମୋର କର୍ମଭୂମି ଥିଲା ଏବଂ ପଶାଖେଳରେ ପାରଦର୍ଶିତା ମୋର ସ୍ଵତନ୍ତ୍ର ପରିଚୟ । ଶାସ୍ତ୍ର ଜ୍ଞାନରେ ମୋର ପାରଦର୍ଶିତା ରହିଛି ବୋଲି କହି ବିରାଟଙ୍କ ସଭାରେ ନିଯୁକ୍ତି ପାଇଁ ଅନୁରୋଧ କରିବି। ଏପରି କହିବା ମିଥ୍ୟା ବକ୍ତବ୍ୟରେ ବିବେଚିତ ହେବନାହିଁ,କାରଣ କଙ୍କପଣ୍ଡା ଅର୍ଥ ଛଦ୍ମବେଶୀ ବ୍ରାହ୍ମଣ। ମୋର ଅନ୍ୟ ସବୁ ବକ୍ତବ୍ୟ ଗୁଡ଼ିକ ମଧ୍ୟ ମିଥ୍ୟା ନୁହେଁ। ତେଣୁ ମୋର ସତ୍ୟବାଦୀତା ଅକ୍ଷୁର୍ଣ୍ଣ ରହିବ"। 


କିଛି ନିରବତା ପରେ ଯୁଧିଷ୍ଠିର ଭୀମଙ୍କୁ ପଚାରିଲେ ..ତୁମର ଏ‌'ଭୀମକାୟ ଶରୀରକୁ ତୁମେ କିପରି,କେଉଁଠାରେ ଲୁଚାଇବ ବୃକୋଦର ତଥା ତୁମର ଭୀଷଣ ବୁଭୁକ୍ଷା କିପରି ମେଣ୍ଟାଇବ ?"

ଭୀମସେନ କହିଲେ .. ସେଥିପାଇଁ ବିରାଟ ରାଜାଙ୍କ ପାକଶାଳା ହିଁ ଉପଯୁକ୍ତ ସ୍ଥାନ।ମୋର ଖାଦ୍ୟଲୋଭ ଯୋଗୁଁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ମୋର ସ୍ପୃହା ଓ ପାରଦର୍ଶିତା ରହିଛି।ପାକଶାଳାରେ ରହିବାର ଗୋଟିଏ ବଡ଼ ସୁବିଧା ହେଲା ପ୍ରଚୁର ଭୋଜନ ମିଳିବ।ବିରାଟଙ୍କ ପାଖରେ ନିଯୁକ୍ତି ପାଇଁ ଅନୁରୋଧ କରିବା ସମୟରେ ଜଣାଇବି ଯେ ମୋର ମଲ୍ଲଯୁଦ୍ଧରେ ପାରଦର୍ଶିତା ରହିଛି ଏବଂ ମଲ୍ଲ ମାନଙ୍କ ସହିତ ଲଢେ଼ଇ କରି ରାଜାଙ୍କ ମନୋରଞ୍ଜନ କରିପାରିବି। ମୋର ଦୃଢ ବିଶ୍ବାସ ବିରାଟ ମୋତେ ନିଯୁକ୍ତି ଦେବେ।ମୋ ନାମ ବଲ୍ଲବ ବୋଲି ମୁଁ ବିରାଟଙ୍କୁ ଜଣାଇବି।"


ଯୁଧିଷ୍ଠିରଙ୍କ ଆଖିରେ ପ୍ରଶ୍ନବାଚୀ ଦେଖି ଭୀମସେନ କହିଲେ..ଆପଣ ଭାବୁଛନ୍ତି କି ମଲ୍ଲଯୁଦ୍ଧ ସମୟରେ ମୋ ହାତରେ କେଉଁ ମଲ୍ଲର ଯେବେ ପ୍ରାଣ ଚାଲିଯିବ ଆମେ ଧରାପଡିଯିବା ? ନାଁ ଜ୍ୟେଷ୍ଠ ଭ୍ରାତ, ମୁଁ ମଲ୍ଲଯୁଦ୍ଧରେ କାହାକୁ ଯମପୁରକୁ ପଠାଇବି ନାହିଁ, ନିଶ୍ଚିନ୍ତ ରହନ୍ତୁ ।"


ଯୁଧିଷ୍ଠିର ଭୀମଙ୍କ କଥା ଶୁଣି ନ'ହସି ରହିପାରିବେ ନାହିଁ।

ତା'ପରେ ସେ ଅର୍ଜୁନଙ୍କୁ ପଚାରିଲେ... ସୂର୍ଯ୍ୟଙ୍କ ସମ ତେଜୋଦୀପ୍ତ ମଧ୍ୟମ ପାଣ୍ଡବ,ତୁମେ ବିରାଟ ରାଜ୍ୟରେ କିପରି ନିଜକୁ ଲୁଚାଇ ରଖିବ ?"

ଧନଞ୍ଜୟ କହିଲେ.. ଜ୍ୟେଷ୍ଠ ଭ୍ରାତ, ମୁଁ ଯେତେବେଳେ ସ୍ବର୍ଗପୁରକୁ ଦିବ୍ୟାସ୍ତ୍ର ପାଇଁ ଯାଇଥିଲି,ସ୍ବର୍ଗ ଗଣିକା ଉର୍ବଶୀ ମୋ ରୂପରେ ପ୍ରଲୁବ୍ଧ ହୋଇ ମୋତେ ପ୍ରେମ ଭିକ୍ଷା କରିଥିଲେ। ମୁଁ ପ୍ରତ୍ୟାଖ୍ୟାନ କରିବାରୁ କ୍ରୋଧରେ ଉର୍ବଶୀ ମୋତେ ନପୁଂସକ ହେବା ଅଭିଶାପ ଦେଇଥିଲେ।ସେ ଅଭିଶାପର ଅବଧିକୁ ଇନ୍ଦ୍ରଦେବ ଏକ ବର୍ଷକୁ ସଙ୍କୁଚିତ କରି କହିଥିଲେ ଯେ ଅଜ୍ଞାତବାସ ସମୟରେ ଏହି ଅଭିଶାପ ମୋ ପାଇଁ ବରଦାନ ସଦୃଶ ହେବ।ରାଜ ପ୍ରାସାଦରେ ମୁଁ ନିଜକୁ "ବୃହନ୍ନଳା" ନାମରେ ପରିଚୟ ଦେଇ ରାଜକନ୍ୟା ଉତ୍ତରାଙ୍କର ନୃତ୍ୟଗୁରୁ ଭାବରେ ନିଯୁକ୍ତି ପାଇଁ ଅନୁରୋଧ କରିବି।ମୋର ସ୍ବର୍ଗ-ରହଣି ସମୟରେ ଗନ୍ଧର୍ଵ ଚିତ୍ରସେନ ମୋତେ ଯେଉଁ ନୃତ୍ୟକଳା ଶିକ୍ଷା ଦେଇଥିଲେ ତାହା ଏଠାରେ ସହାୟକ ହେବ।ମୋର କାର୍ଯ୍ୟକ୍ଷେତ୍ର ଅନ୍ତଃପୁର ଭିତରେ ସୀମିତ ରହିବା ଯୋଗୁଁ ମୋର ପରିଚୟ ଗୋପନୀୟ ରହିବ।"


ନକୁଳ କହିଲେ..ଅଶ୍ବପାଳନ ଏବଂ ପ୍ରଶିକ୍ଷଣରେ ମୋର କୁଶଳତା,ବିରାଟ ରାଜାଙ୍କ ଅଶ୍ବଶାଳାରେ ମୋତେ ନିଯୁକ୍ତି ମିଳିବାରେ ସାହାଯ୍ୟ କରିବ।"ଗ୍ରନ୍ଥିକ"ନାମ ଧାରଣ କରି ମୁଁ ସେଠାରେ ନିଜକୁ ଗୋପ୍ୟ ରଖିପାରିଵି।"

ସହଦେବ କହିଲେ...ଗୋପାଳନ ଏବଂ ଗୋ'ସଂରକ୍ଷଣରେ ମୋର କୁଶଳତା ରହିଛି।ବିରାଟ ରାଜାଙ୍କର ବିଶାଳ ଗୋସମ୍ପଦର ରକ୍ଷଣାବେକ୍ଷଣ ପାଇଁ ମୁଁ ରାଜାଙ୍କ ପାଖରେ ଆବେଦନ କରିବି।ସେଠାରେ ନିଯୁକ୍ତି ପାଇବାରେ ମୋ ପାଇଁ କିଛି ଅସୁବିଧା ହେବନାହିଁ ବୋଲି ମୋର ବିଶ୍ବାସ।"ତନ୍ତିପାଳ" ନାମ ଧାରଣ କରି ମୁଁ ସେଠାରେ ନିଜକୁ ଗୋପ୍ୟ ରଖିପାରିବି।"


ଦ୍ରୌପଦୀଙ୍କ ଆଡ଼କୁ ଚାହିଁ ଯୁଧିଷ୍ଠିରଙ୍କ ଆଖିରେ ଅଶ୍ରୁ ଆସିଗଲା।ଭାବିଲେ.. ପାଞ୍ଚାଳର ରାଜକନ୍ୟା କେତେ ଦୁଃଖ ନ'ସହିଲେଣି ସତେ ! କୁରୁ ସଭାରେ ଅପମାନ,ଦୀର୍ଘ ବାର ବର୍ଷ ଅରଣ୍ୟପ୍ରାନ୍ତରେ ବଳ୍କଳ ବାସରେ ଦାରିଦ୍ର୍ୟ ଯାପନ ! ଆହା ସୁକୁମାରୀ ରାଜକୁମାରୀଙ୍କପାଇଁ ବିଧାତା ଆଉ କେତେ ଦୁଃଖ ଲେଖିଛନ୍ତି କିଏ ଜାଣେ !"ଏସବୁ ପାଇଁ ନିଜକୁ ଦାୟୀ କରି ମନଦୁଃଖରେ ବସିଗଲେ ଯୁଧିଷ୍ଠିର। ଶ୍ରେଷ୍ଠ ସୌନ୍ଦର୍ଯ୍ୟର ମୂର୍ତ୍ତିମୟୀ ପ୍ରତିମା, ରାଜକୀୟ ସମ୍ଭ୍ରାନ୍ତ ବ୍ୟବହାରରେ ଅନନ୍ୟା, ଜଗତ ଲକ୍ଷ୍ମୀଙ୍କ ଲୀଳା କମଳ ସଦୃଶା ଯାଜ୍ଞସେନୀ,ଅନ୍ୟ ନାରୀ ମାନଙ୍କଠାରୁ ସହଜରେ ବାରି ହୋଇଯିବେ। କେଉଁ ଠାରେ ଅବା ଲୁଚି ରହି ପାରିବେ ସେ !


ଯୁଧିଷ୍ଠିରଙ୍କ ମନକଥା ଜାଣିପାରି ଦ୍ରୌପଦୀ କହିଲେ.. ମୋ ପାଇଁ କିଛି ଚିନ୍ତା କରନ୍ତୁ ନାହିଁ ଧର୍ମରାଜ, ମୁଁ ବିରାଟ ରାଜାଙ୍କ ଅନ୍ତଃପୁରରେ ରାଣୀ ସୁଦେଷ୍ଣା'ଙ୍କ ପ୍ରସାଧନ କାର୍ଯ୍ୟରେ ନିଯୁକ୍ତିପାଇଁ ଆବେଦନ କରିବି।ମୁଁ, ରାଣୀ ଦ୍ରୌପଦୀଙ୍କ ସେବାରେ ଥିଲି ବୋଲି ଜାଣିଲେ ସୁଦେଷ୍ଣା ମୋତେ ନିଶ୍ଚୟ ନିଯୁକ୍ତି ଦେବେ। ସେଠାରେ ମୋ ନାମ ରହିବ "ସୈରିନ୍ଧ୍ରୀ"।


କର୍ମ ଅନୁସାରେ ନିଜ ନିଜର ବେଶ ଧାରଣ କରି ପାଣ୍ଡବମାନେ ଯେତେବେଳେ ଅଜ୍ଞାତବାସ ପାଇଁ ବିରାଟ ନଗର ଅଭିମୁଖେ ବାହାରିଲେ ସେ ସମୟରେ ଏହି ନିଷ୍ପତ୍ତିର ସାକ୍ଷୀ ଥିଲେ କେବଳ ମହର୍ଷି ଧୌମ୍ୟ। ସେମାନଙ୍କୁ ଆଶୀର୍ବାଦ ଦେଇ ମହର୍ଷି କହିଲେ..ପୁତ୍ର ଗଣ !, ତୁମେମାନେ ରାଜପ୍ରାସାଦରେ କର୍ମଚାରୀ ହେବାପାଇଁ ଯାଉଛ, ମନେ ରଖିଥିବ,ରାଜାଙ୍କ ପାଖରେ ସେବା କରିବା ଖଣ୍ଡା ଧାରରେ ଚାଲିବା ସହିତ ସମାନ।ରାଜା ଜ୍ଵଳନ୍ତ ଅଗ୍ନି ସହିତ ସମାନ; ଅଗ୍ନି ଆମର ଯେତେ ଉପକାରୀ ହେଲେ ମଧ୍ୟ ଏବଂ ଯେତେ ନିକଟରେ ଥିଲେ ମଧ୍ୟ ତାକୁ ଛୁଇଁଲେ ହାତ ପୋଡିଯିବା ସ୍ବାଭାବିକ।

ରାଜକର୍ମଚାରୀ ସବୁବେଳେ ଜଗିରଖି ଚଳିବା ଉଚିତ।ରାଜ କର୍ମଚାରୀ "ବଡବୋଲା" ବା ଭଡଭଡିଆ ହେବା ଅନୁଚିତ। ଆବଶ୍ୟକ ସମୟରେ ଉପଦେଶ ଦେବା ଉଚିତ,ସବୁବେଳେ ନୁହେଁ। ଯେତେବେଳେ ରାଜା ପ୍ରଶଂସାର ଯୋଗ୍ୟ,ତାଙ୍କୁ ପ୍ରଶଂସା କରିବା ଉଚିତ।ରାଜାଙ୍କ ଅତି ନିକଟତର ହେବାକୁ ଚେଷ୍ଟା କରିବା ଉଚିତ ନୁହେଁ କିମ୍ବା ଦେଖି ଅଣଦେଖା କରିବା ଉଚିତ ନୁହେଁ। ରାଜାଙ୍କର ଯେତେ ବିଶ୍ବସ୍ତ ହେଲେ ମଧ୍ୟ ଚିନ୍ତା କରିବା ଉଚିତ ଯେ କାର୍ଯ୍ୟରୁ ବିତାଡିତ ହେବାର ଖଡ୍ଗ ସବୁବେଳେ ମୁଣ୍ଡ ଉପରେ ଝୁଲୁଛି। ଯେତେ ବିଶ୍ବସ୍ତ ହେଲେ ମଧ୍ୟ ରାଜାଙ୍କ ଆସନରେ, ବାହନରେ କିମ୍ବା ରଥରେ କେବେ ବସିବାକୁ ଚେଷ୍ଟା କରିବନାହିଁ।


ରାଜକର୍ମଚାରୀ ସବୁବେଳେ ଆତ୍ମସଞ୍ଜମୀ ହେବା ଉଚିତ; ପୁରସ୍କାର ପାଇଲେ ଅତି ଆନନ୍ଦିତ ହେବା ଉଚିତ ନୁହେଁ କିମ୍ବା ତିରସ୍କାର ପାଇଲେ ମ୍ରିୟମାଣ ହେବା ଉଚିତ ନୁହେଁ।ରାଜାଙ୍କର କୌଣସି ଗୁପ୍ତ କଥା,ନିଜ ସ୍ତ୍ରୀ' ଆଗରେ ମଧ୍ୟ କର୍ମଚାରୀ ପ୍ରକାଶ କରିବା ଉଚିତ ନୁହେଁ।ରାଜକର୍ମଚାରୀ ପ୍ରଜାମାନଙ୍କ ଠାରୁ କିଛି ପୁରସ୍କାର,ରାଜାଙ୍କ ଅଜ୍ଞାତରେ ଗ୍ରହଣ କରିବା ଅନୁଚିତ।ଅନ୍ୟ ରାଜକର୍ମଚାରୀଙ୍କ ପ୍ରତି ଈର୍ଷାନ୍ବିତ ହେବା ଉଚିତ ନୁହେଁ।ରାଜା ବୋକା ଓ ଅପଗଣ୍ଡମାନଙ୍କୁ ଉଚ୍ଚ ପଦରେ ବସାଇ ଥିଲେ ମଧ୍ୟ,ରାଜାଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ସେମାନଙ୍କ ପଦବୀକୁ ଅସମ୍ମାନ ଦେଖାଇବା ଅନୁଚିତ।"


ଧୌମ୍ୟଙ୍କ ଉପଦେଶ ଓ ଆଶୀର୍ବାଦ ଗ୍ରହଣ କରି ପାଣ୍ଡବମାନେ ଅଜ୍ଞାତବାସ କଟାଇବା ପାଇଁ ମତ୍ସ୍ୟଦେଶ ଅଭିମୁଖେ ଯାତ୍ରା କଲେ।



Rate this content
Log in

Similar oriya story from Classics