କଥା କାଦମ୍ବରୀଭାଗ- ୬୪ (ଶ୍ରୀକୃଷ୍ଣଙ୍କ କ୍ଷୁଧା)
କଥା କାଦମ୍ବରୀଭାଗ- ୬୪ (ଶ୍ରୀକୃଷ୍ଣଙ୍କ କ୍ଷୁଧା)
ପାଣ୍ଡବମାନେ ବନବାସ ଜୀବନ ଅତିବାହିତ କରୁଥିବା ସମୟରେ ଦୁର୍ଯ୍ୟୋଧନ ହସ୍ତିନାରେ ଏକ ବିରାଟ ଯଜ୍ଞର ଆୟୋଜନ କଲେ। ଯୁଧିଷ୍ଠିର ଯେଉଁପରି ରାଜସୂୟ ଯଜ୍ଞ ଆୟୋଜନ କରିଥିଲେ ସେହି ପ୍ରକାର ଏକ ଯଜ୍ଞ ଆୟୋଜନ କରିବା ଇଚ୍ଛା ଥିଲା ଦୁର୍ଯ୍ୟୋଧନଙ୍କର, କିନ୍ତୁ ପଣ୍ଡିତମାନେ କହିଲେ.. ଧୃତରାଷ୍ଟ୍ର ଏବଂ ଯୁଧିଷ୍ଠିର ଜୀବିତ ଥିବା ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ରାଜସୂୟ ଯଜ୍ଞ ଅନୁଷ୍ଠାନ କରିପାରିବେ ନାହିଁ; ଅବଶ୍ୟ "ବୈଷ୍ଣବ ଯଜ୍ଞ" ଅନୁଷ୍ଠାନ କରି ପାରିବେ।
ଦୁର୍ଯ୍ୟୋଧନ ମହା ଆଡ଼ମ୍ବରରେ "ବୈଷ୍ଣବ ଯଜ୍ଞାନୁଷ୍ଠାନ" ସମାପନ କଲେ।ଯଜ୍ଞ ଶେଷରେ ହସ୍ତିନାର ଜନ ସାଧାରଣ କୁହିକୁହି ହେଲେ.. ଯାହା ହେଲେ କଣ ହେବ, ଯୁଧିଷ୍ଠିରଙ୍କ ଯଜ୍ଞାନୁଷ୍ଠାନର ଷୋଳ ଭାଗରୁ ଏକଭାଗ ସହିତ ମଧ୍ୟ ସମାନ ନୁହେଁ ଏହି ବୈଷ୍ଣବ ଯଜ୍ଞ।
ଦୁର୍ଯ୍ୟୋଧନଙ୍କ କାନରେ ଏକଥା ପଡ଼ିବା ପରେ ସ୍ବଭାବିକ ଭାବରେ ମନରେ ତାଙ୍କର ଦୁଃଖ ଆସିଲା। କର୍ଣ୍ଣ, ଦୁର୍ଯ୍ୟୋଧନଙ୍କୁ ଶାନ୍ତ୍ବନା ଦେଇ କହିଲେ ..ସଖା ! ଯେଉଁମାନେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞକୁ ପ୍ରଶଂସା କରୁଛନ୍ତି, ସେମାନେ ନିନ୍ଦୁକ ଶ୍ରେଣୀର ଲୋକ।ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ; ପାଣ୍ଡବମାନେ ଆଉ ଇନ୍ଦ୍ରପ୍ରସ୍ଥ ଫେରି ପାଇବେ ନାହିଁ।ଆପଣ ଇନ୍ଦ୍ରପ୍ରସ୍ଥରେ ରାଜା ହୋଇ ରାଜସୂୟ ଯଜ୍ଞ ଅନୁଷ୍ଠାନ କରିବେ। ତାହା ଏପରି ଭବ୍ୟ ଅନୁଷ୍ଠାନ ହେବ ଯେ ଯୁଗ ଯୁଗ ପାଇଁ ସମସ୍ତେ ତା'ର ପ୍ରଶଂସା କରିବେ। ଆଜି ମୁଁ ଆପଣଙ୍କ ପାଖରେ ଶପଥ କରି କହୁଛି, ପାଣ୍ଡବ ମାନଙ୍କୁ ମୁଁ ନିହତ ନକରିବା ପର୍ଯ୍ୟନ୍ତ ରାଜସିକ ଖାଦ୍ୟ ବା ସୋମରସ ଛୁଇଁବି ନାହିଁ।"
କର୍ଣ୍ଣଙ୍କ ଶପଥ ଶୁଣି ଦୁର୍ଯ୍ୟୋଧନଙ୍କ ଛାତି କୁଣ୍ଢେମୋଟ ହୋଇଗଲା। କର୍ଣ୍ଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଲେ କୌରବ ଶହେ ଭାଇ।
ଯୁଧିଷ୍ଠିରଙ୍କ କାନରେ କର୍ଣ୍ଣଙ୍କ ଶପଥ କଥା ଯେତେବେଳେ ପଡ଼ିଲା,ମନରେ ତାଙ୍କର ଶଙ୍କା ଭରିଗଲା,କାରଣ ସେ ରାଧେୟଙ୍କ ଶକ୍ତି ବିଷୟରେ ଭଲ ଭାବରେ ଜାଣିଥିଲେ। କିନ୍ତୁ ଅର୍ଜୁନ ଯୁଧିଷ୍ଠିରଙ୍କୁ କହିଲେ ..ଏ'ସବୁ ଫମ୍ପା ମାଠିଆର ଆବାଜ ଛଡ଼ା ଅନ୍ୟ କିଛି ନୁହେଁ, ଆପଣ ଅଯଥା ବିବ୍ରତ ହୋଇ ପଡ଼ୁଛନ୍ତି ଅଗ୍ରଜ।"
କାମ୍ୟକ ବନରେ ଅନେକ ଦିନ ରହିବା ଫଳରେ, ବ୍ରାହ୍ମଣ ଏବଂ ମୁନି ଋଷି ମାନଙ୍କର ଯୁଧିଷ୍ଠିରଙ୍କ ପାଖକୁ ଗତାଗତ ଯୋଗୁଁ ବନପ୍ରଦେଶର ଶାନ୍ତି ଭଙ୍ଗ ହେଲା ଏବଂ ବନ୍ୟ ପ୍ରାଣୀ ମାନଙ୍କର ଶାନ୍ତି ବ୍ୟାହତ ହେଲା। ତେଣୁ ସେ ସ୍ଥାନ ଛାଡି ଅନ୍ୟ ବନପ୍ରଦେଶକୁ ଯିବାପାଇଁ ସ୍ଥିର କଲେ ପାଣ୍ଡବମାନେ।
ଇତି ମଧ୍ୟରେ ଥରେ ହସ୍ତିନା ରାଜପ୍ରାସାଦରେ, ମହର୍ଷି ଦୁର୍ବାସା ତାଙ୍କର ଦଶହଜାର ଶିଷ୍ୟଙ୍କ ସହିତ ଆତିଥ୍ୟ ଗ୍ରହଣ କଲେ। ଦୁର୍ବାସାଙ୍କ କ୍ଷଣକୋପ ବିଷୟରେ ଦୁର୍ଯ୍ୟୋଧନ ଅବଗତ ଥିଲେ। ତେଣୁ ମହର୍ଷିଙ୍କ ସନ୍ତୁଷ୍ଟି ପାଇଁ ସୁଚାରୁରୂପେ ସବୁ ବ୍ୟବସ୍ଥା ନିଜେ ଦୁର୍ଯ୍ୟୋଧନ କରିଥିଲେ। କୁରୁ ପ୍ରାସାଦରେ ପ୍ରଦତ୍ତ ଆତିଥ୍ୟରେ ଅତ୍ୟନ୍ତ ପ୍ରୀତ ହେଲେ ଦୁର୍ବାସା। ଦୁର୍ଯ୍ୟୋଧନଙ୍କ ଛାତି ଭିତରୁ ଏକ ଦୀର୍ଘ ନିଃଶ୍ବାସ ବାହାରି ଆସିଲା..ଯା'ହେଉ କ୍ଷଣକୋପୀ ବୃଦ୍ଧ ବାବାଜୀ ସନ୍ତୁଷ୍ଟ ;ନହେଲେ ଅଭିଶାପ ଦେଇ କିଛି ବି କ୍ଷତି କରିବାର ସାମର୍ଥ୍ୟ ଅଛି ତାଙ୍କର। ହସ୍ତିନା ରାଜଭବନ ଛାଡ଼ିବା ସମୟରେ ଦୁର୍ବାସା ଦୁର୍ଯ୍ୟୋଧନଙ୍କୁ କହିଲେ..ତୁମ ଆତିଥ୍ୟରେ ଆମେ ଆନନ୍ଦିତ ବତ୍ସ ! କିଛି ମାଗିବାକୁ ଇଚ୍ଛା ଥିଲେ ମାଗିନିଅ।"
ଦୁର୍ଯ୍ୟୋଧନଙ୍କ ମୁଣ୍ଡକୁ ଏକ ଖଳବୁଦ୍ଧି ଜୁଟିଲା।ସେ ଭାବିଲେ ଦୁର୍ବାସାଙ୍କୁ ପାଣ୍ଡବ ମାନଙ୍କ ଆତିଥ୍ୟ ପାଇଁ ପ୍ରେରିତ କରିବାରେ ସେ ଯେବେ ସଫଳ ହୁଅନ୍ତି,ତାହେଲେ ଦରିଦ୍ର ପାଣ୍ଡବମାନେ ଋଷିଙ୍କ କ୍ରୋଧର ଶିକାର ହେବେ;ଦୁର୍ବାସାଙ୍କ ଦଶହଜାର ଶିଷ୍ୟଙ୍କୁ ଭୋଜନ ଦେବାର ଶକ୍ତି ପାଣ୍ଡବଙ୍କ ପାଖରେ କାହିଁ? "
ଦୁର୍ବାସାଙ୍କ ପାଖରେ କରପତ୍ରଯୋଡି କପଟୀ ଦୁର୍ଯ୍ୟୋଧନ ଘଡିଆଳ ଲୁହ ଝରାଇ କହିଲେ..ମହାଭାଗ ! ଆପଣ ସିନା ଆମକୁ ଆଶୀର୍ବାଦ ଦେଲେ,ଆମ ପ୍ରିୟ ପାଣ୍ଡବ ଭାଇମାନେ ଆପଣଙ୍କ ଆଶୀର୍ବାଦରୁ ବଞ୍ଚିତ ହୋଇ ଅରଣ୍ୟରେ ରହିଛନ୍ତି; ଶିଷ୍ୟ ମାନଙ୍କ ସହିତ ସେମାନଙ୍କ ପାଖରେ ପହଞ୍ଚି ତାଙ୍କୁ ଆଶୀର୍ବାଦ ଦିଅନ୍ତୁ ମୁନିବର।ଏହା ବ୍ୟତୀତ ଅନ୍ୟ କିଛି ବର ମୋର ଆବଶ୍ୟକ ନାହିଁ।"
ଦୁର୍ବାସା, ଦୁର୍ଯ୍ୟୋଧନଙ୍କ ମତିଗତି ବୁଝିପାରିଲେ।ସେ ଭଲ ଭାବରେ ଜାଣିଥିଲେ ଯେ ପାଣ୍ଡବମାନଙ୍କ ଉପରେ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ରହିଛି। କିନ୍ତୁ ଦୁର୍ଯ୍ୟୋଧନଙ୍କର ଏପରି ଅଦ୍ଭୁତ ଅନୁରୋଧ ଶୁଣି,ଏ' ପରିସ୍ଥିତିରେ କିପରି ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ସାହାଯ୍ୟ କରିବେ,ଜାଣିବାପାଇଁ ତାଙ୍କ ମନରେ କୌତୁହଳ ଆସିଲା। ସେହି କୌତୁହଳର ବଶବର୍ତ୍ତୀ ହୋଇ ଦୁର୍ବାସା ପାଣ୍ଡବଙ୍କ କୁଟୀରରେ ପହଞ୍ଚିଲେ।
ସୂର୍ଯ୍ୟଦେବ ଯୁଧିଷ୍ଠିରଙ୍କ ଉପରେ ସନ୍ତୁଷ୍ଟ ହୋଇ ଏକ ଅକ୍ଷୟ ପାତ୍ର ଦାନ କରିଥିଲେ।ସେ ପାତ୍ରର ମାହାତ୍ମ୍ୟ ଏପରି ଯେ ଦ୍ରୌପଦୀ ସେଥିରେ ଯାହା ରନ୍ଧନ କରନ୍ତି,ତାକୁ ଯେତେ ବ୍ୟକ୍ତି ଭୋଜନ କଲେ ମଧ୍ୟ ସେଥିରେ ଥିବା ଖାଦ୍ୟ ଶେଷ ହୁଏନାହିଁ। ସର୍ବଶେଷରେ ଦ୍ରୌପଦୀ,ଭୋଜନ କରିବା ପରେ, ସେ'ଦିନ ପାଇଁ ଅକ୍ଷୟ ପାତ୍ର ଶୂନ୍ୟ ହୋଇଯାଏ।
ପାଣ୍ଡବଙ୍କ ଦୁର୍ଯୋଗକୁ ଯେଉଁ ସମୟରେ ଦୁର୍ବାସା ସେମାନଙ୍କ କୁଟୀରରେ ପହଞ୍ଚିଲେ,ପାଣ୍ଡବ ପରିବାର ମଧ୍ୟାହ୍ନ ଭୋଜନ ଶେଷ କରିସାରିଥିଲେ। ଦ୍ରୌପଦୀ ମଧ୍ୟ ଭୋଜନ ଶେଷ କରିଥିଲେ। ତେଣୁ ଶୂନ୍ୟ ଅକ୍ଷୟପାତ୍ର ସେଦିନ ପାଇଁ ତା'ର ବିଶେଷ ଗୁଣ ହରାଇ ଖାଲି ପଡିଥିଲା।
ଦୁର୍ବାସାଙ୍କୁ ଦଶହଜାର ଶିଷ୍ୟ ପରିବେଷ୍ଟିତ ହୋଇ କୁଟୀର ପାଖରେ ପହଞ୍ଚିବା ଦେଖି ପାଣ୍ଡବ ପାଞ୍ଚଭାଇ ଏବଂ ଦ୍ରୌପଦୀ ତାଙ୍କ ପାଦପୂଜା କରି ସେବା କଲେ।ଦୁର୍ବିସା କହିଲେ ...ବତ୍ସ ଯୁଧିଷ୍ଠିର ! ମୁଁ ଏବଂ ମୋର ଦଶହଜାର ଶିଷ୍ୟ ନିକଟସ୍ଥ ନଦୀରେ ସ୍ନାନ କରି ଅଳ୍ପ ସମୟ ଭିତରେ ଫେରି ଆସିବୁ। ତୁମେ ଆମ୍ଭ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା କର।"
ଦୁର୍ବାସାଙ୍କ ଆଦେଶ ଶୁଣି ଦ୍ରୌପଦୀଙ୍କ ମଥାରେ ବଜ୍ରପାତ ହେଲା। ଅକ୍ଷୟ ପାତ୍ର ଶୂନ୍ୟ । ଦୁର୍ବାସା ଏବଂ ଦଶହଜାର ଶିଷ୍ୟଙ୍କୁ ଖାଇବାକୁ ଦେଇ ନପାରିଲେ କ୍ଷଣକୋପୀ ଦୁର୍ବାସା ପାଣ୍ଡବଙ୍କୁ ଅଭିଶାପ ଦେବେ।କଣ କରିବେ, ବୁଦ୍ଧି ବାଟ ଦିଶିଲା ନାହିଁ ପାଞ୍ଚାଳୀଙ୍କୁ।ସବୁ ବିପଦ ସମୟରେ ସେ ଶ୍ରୀକୃଷ୍ଣଙ୍କ ଶରଣ ଯାଆନ୍ତି। ଆଜି ମଧ୍ୟ ଶୂନ୍ୟକୁ ଅନାଇଁ ସମର୍ପଣ ମୁଦ୍ରାରେ ଦ୍ରୌପଦୀ କହିଲେ ..ହେ କେଶବ ! ତୁମ ଦାସୀର ଲାଜ ରଖ ପ୍ରଭୁ।ଏ ଘୋର ବିପଦରୁ ମୋତେ ରକ୍ଷାକର, ମୁଁ ସର୍ବୋତ୍ତ ଭାବେ ତୁମର ଶରଣ ଗଲି।"
ଆଶ୍ଚର୍ଯ୍ୟ କଥା, ଦ୍ରୌପଦୀଙ୍କ ପ୍ରାର୍ଥନା ନ'ସରୁଣୁ କୁଟୀର ଦୁଆରେ କୃଷ୍ଣଙ୍କ ପାଟି ଶୁଣାଗଲା...କଣ କରୁଛ ଦ୍ରୌପଦୀ ! ମତେ ଆଜି ବହୁତ ଭୋକ, ଯାହା ଅଛି ଆଗେ ମତେ ଖାଇବାକୁ ଦିଅ।"
ଦ୍ରୌପଦୀ କାନ୍ଦୁ କାନ୍ଦୁ ହସି ପକାଇ କହିଲେ..ତୁମର ବି ଏସମୟରେ ଥଟ୍ଟା କରିଵାର ଥିଲା କେଶବ ! ମୁଁ ତୁମକୁ ଡାକୁଥିଲି ଆଜି ଋଷି ମାନଙ୍କର ଭୋଜନ ସମସ୍ୟା ଦୂର କରିବାକୁ;ତୁମେ ଆସି ମାଗୁଛ ଖାଇବାକୁ !"
ଶ୍ରୀକୃଷ୍ଣ କହିଲେ ... କଲ୍ୟାଣୀ ! ତୁମ ପାଖରେ ତ ଅକ୍ଷୟ ପାତ୍ର ଅଛି,ତୁମର ସମସ୍ୟା କଣ ?
ଦ୍ରୌପଦୀ କହିଲେ.. ଆଜି ପାଇଁ ଅକ୍ଷୟପାତ୍ର ଶୂନ୍ୟ କେଶବ ! ସେଥିରେ ଗୋଟାଏ ବି ଦାନା ନାହିଁ।"
ଶ୍ରୀକୃଷ୍ଣ କହିଲେ ..ତୁମେ ମିଛ କହୁଛ କଲ୍ୟାଣୀ।ମତେ ଭୋକିଲା ରଖି ତୁମକୁ କି ଆନନ୍ଦ ମିଳୁଛି ?"
ଦ୍ରୌପଦୀଙ୍କ ଆଖିରୁ ଲୁହ ଝରି ଯାଉଛି, ଶୂନ୍ୟ ଅକ୍ଷୟ ପାତ୍ର ଶ୍ରୀକୃଷ୍ଣଙ୍କୁ ଦେଖାଇ କହିଲେ..ତୁମର ଯେବେ ବିଶ୍ବାସ ହେଉନାହିଁ ତାହେଲେ ନିଜେ ଦେଖିନିଅ ସଖା ! ଘରେ ଭୋଜନ ଥାଇ କଣ ମୁଁ ତୁମକୁ ମନା କରୁଛି ?"
ଶୂନ୍ୟ ଅକ୍ଷୟ ପାତ୍ର ଦରାଣ୍ଡି ତା ଭିତରୁ ଗୋଟିଏ ଭାତ ଦାନା ଆଉ ଟିକିଏ ଶାଗ ପାଇଲେ ଶ୍ରୀକୃଷ୍ଣ। ତାକୁ ପାଟିରେ ପକାଇ ପାତ୍ରରୁ ଜଳ ନେଇ କଣ୍ଠସ୍ଥ କରି, ଶ୍ରୀକୃଷ୍ଣ ତୃପ୍ତିରେ ଇଓଡି ମାରି କହିଲେ .. ଆଃ ! କି ତୃପ୍ତି ! ସତରେ କଲ୍ୟାଣୀ ,ତୁମ ହାତ ରନ୍ଧା ଖାଇ ପେଟ ପୂରିଗଲା, ଆତ୍ମା ତୃପ୍ତ ହୋଇଗଲା; ବହୁତ୍ ଭୋଖ ଲାଗୁଥିଲା।"
ଶ୍ରୀକୃଷ୍ଣଙ୍କର ଏ ନାଟକ ଦେଖି ନ'ହସି ରହିପାରଲେନି ପାଞ୍ଚାଳୀ।କହିଲେ ..ବାପ୍'ରେ ,କି ପ୍ରହସନ ! ଗୋଟିଏ ଭାତ ଦାନାରେ ତୁମର ପେଟ ପୂରିଗଲା କେଶବ ! ଗୋପରେ ଥିଲାବୋଳେ ଏମିତିଆ ଥଟ୍ଟା ମଜା କରୁଥିଲ ନାଁ ସାଙ୍ଗସାଥୀଙ୍କ ସହିତ ?"
ସାମାନ୍ୟ ହସିଲେ ଶ୍ରୀକୃଷ୍ଣ;ଭୀମଙ୍କ ଆଡକୁ ଚାହିଁ କହିଲେ... ବୃକୋଦର ! ଦୁର୍ବାସା ମୁନି ଏବଂ ତାଙ୍କ ଦଶହଜାର ଶିଷ୍ୟଙ୍କୁ ନଦୀ ତଟରୁ ଆମନ୍ତ୍ରଣ କରିଆଣ।କହିବ..ଭୋଜନ ପ୍ରସ୍ତୁତ, ଶୀଘ୍ର ଆସନ୍ତୁ ମହାଭାଗ।"
ଭୀମ ଆଶ୍ଚର୍ଯ୍ୟ ହୋଇ ଭାବିଲେ... କେଉଁ ଠାରେ ଭୋଜନ ପ୍ରସ୍ତୁତ ହୋଇ ରହିଛି ଯେ ମୁନିଙ୍କୁ ଆମନ୍ତ୍ରଣ କରିବି?"ତଥାପି ଶ୍ରୀକୃଷ୍ଣଙ୍କ ଉପରେ ଭରସା ଥିଵାରୁ ଭୀମ ନଦୀ ତଟରେ ପହଞ୍ଚିଲେ। ସେଠାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ତାଙ୍କୁ ଦେଖିବାକୁ ମିଳିଲା। ଦୁର୍ବାସା ଏବଂ ତାଙ୍କ ଦଶହଜାର ଶିଷ୍ୟ ଆକଣ୍ଠ ଭୋଜନର ତୃପ୍ତି ପାଇ ବାଲୁକା ଶଯ୍ୟାରେ ଶୟନ କରିଛନ୍ତି। ଭୀମସେନ ସାଦର ଆମନ୍ତ୍ରଣ କରିବାରୁ ଦୁର୍ବାସା କହିଲେ ..ବତ୍ସ ଦ୍ବିତୀୟ ପାଣ୍ଡବ ! ଆମ ସମସ୍ତଙ୍କ ଉଦର ପରିପୂର୍ଣ୍ଣ।ଖାଦ୍ୟର ଗୋଟାଏ ଦାନା ପାଇଁ ମଧ୍ୟ ଉଦରରେ ସ୍ଥାନ ନାହିଁ। ଫେରିଯାଇ ଯୁଧିଷ୍ଠିରଙ୍କୁ ଏକଥା ଜଣାଅ।"
ବାସ୍ତବରେ ଶ୍ରୀକୃଷ୍ଣ ଯେଉଁ ସମୟରେ ଅକ୍ଷୟ ପାତ୍ରରୁ ଖାଦ୍ୟଦାନାଟି ପାଟିରେ ପକାଇ,ପାଣି ପିଇ ଇଓଡି ମାରିଲେ, ସେ ସମୟରେ ଦୁର୍ବାସା ଏବଂ ତାଙ୍କର ଦଶହଜାର ଶିଷ୍ୟ ତୃପ୍ତିପୂର୍ଣ୍ଣ ଭୋଜନର ଅନୁଭବ କଲେ।ହରି ଅନନ୍ତ,ହରି ମାୟା ଅନନ୍ତ। କୃଷ୍ଣଙ୍କର ଏ'ମାୟା ଜାଣିବା ପରେ ଦ୍ରୌପଦୀଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିଗଲା।କରପତ୍ର ଯୋଡ଼ି କହିଲେ.. ଆଜି ଆଉଥରେ ତୁମେ ମୋର ଲାଜ ରଖିଲ କେଶବ;ଏ ଦାସୀ ତୁମ ପାଖରେ ଚିରଋଣୀ ।"
ପରଦିନ ଦୁର୍ବାସା, ଶିଷ୍ୟ ମାନଙ୍କ ସହିତ ସେ ସ୍ଥାନ ତ୍ୟାଗ କରିବା ପୂର୍ବରୁ ଯୁଧିଷ୍ଠିରଙ୍କ ପାଖରେ ପହଞ୍ଚି କହିଲେ.. ମୁଁ ତୁମକୁ ପରୀକ୍ଷା କରିବାକୁ ଚେଷ୍ଟାକରି ହାରିଯାଇଛି ପୁତ୍ର।ତୁମ ଉପରେ ହରିଙ୍କ କୃପା ଜାଣିବା ପାଇଁ ମୁଁ ଏହା କରିଥିଲି, ଏବେ ଜାଣିଲି;ବ୍ରଜବାସୀଙ୍କ ଅପାର କୃପା ତୁମ ଉପରେ ରହିଛି,ତୁମର କୌଣସି ଶକ୍ତି କିଛି କ୍ଷତି କରିପାରିବ ନାହିଁ।"
ପାଣ୍ଡବମାନେ ମୁନିଙ୍କୁ ଭୂମିଷ୍ଠ ପ୍ରଣାମ କରି ତାଙ୍କର ଅପାର ଆଶୀର୍ବାଦ ଗ୍ରହଣ କଲେ।
