STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୬୩- ବନ୍ଦୀ ଦୁର୍ଯ୍ୟୋଧନ

କଥା କାଦମ୍ବରୀଭାଗ ୬୩- ବନ୍ଦୀ ଦୁର୍ଯ୍ୟୋଧନ

6 mins
367


ପାଣ୍ଡବମାନେ କାମ୍ୟକ ବନରେ ଥିବା ସମୟରେ ହସ୍ତିନାରୁ ଅନେକ ଋଷି ଓ ବ୍ରାହ୍ମଣ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଉଥିଲେ। ସେଠାରୁ ଫେରିଆସି ସେମାନେ ଧୃତରାଷ୍ଟ୍ରଙ୍କ ଆଗରେ ପାଣ୍ଡବଙ୍କ ଦୁଃଖପୂର୍ଣ୍ଣ ଜୀବନ ଯାପନ କଥା ବର୍ଣ୍ଣନା କରୁଥିଲେ।ଭ୍ରାତୃପୁତ୍ର ମାନଙ୍କ ଦୁର୍ଦ୍ଦଶା କଥା ଶୁଣି ଅନ୍ଧରାଜା ଯେତିକି ଦୁଃଖିତ ହେଉଥିଲେ,ତାର ଶତଗୁଣ ଭୟଭୀତ ହେଉଥିଲେ।ଭାବୁଥିଲେ..ଏତେ ଅପମାନ ଓ କଷ୍ଟ ଭୋଗିବା ପରେ ସତରେ କଣ ଭୀମ ଓ ଅର୍ଜୁନ ତାଙ୍କ ପୁତ୍ର ମାନଙ୍କୁ କ୍ଷମା ଦେବେ ?


ଭୀମଙ୍କ ପ୍ରତିଜ୍ଞା କଥା ମନେପଡି ଶିହରୀ ଉଠନ୍ତି ଧୃତରାଷ୍ଟ୍ର.. ଦୁର୍ଯ୍ୟୋଧନର ଜାନୁ ଭଗ୍ନ କରି ମୃତ୍ୟୁ ଦଣ୍ଡ ଦେବାପାଇଁ ପ୍ରତିଜ୍ଞା କରିଛନ୍ତି ଭୀମ; ଦୁଃଶାସନର ଛାତି ଚିରି ରକ୍ତରେ ପାଞ୍ଚାଳୀଙ୍କ ବେଣୀ ବନ୍ଧନ କରିବାପାଇଁ ପ୍ରତିଜ୍ଞା କରିଛନ୍ତି ପବନପୁତ୍ର।କେବଳ ସେତିକି ନୁହେଁ, କୌରବ ଶହେ ଭାଇଙ୍କୁ ଏକା ବଧକରି ପୃଥିବୀକୁ ଅକୌରବା କରିବା ଶପଥ ମଧ୍ୟ ନେଇଛନ୍ତି ମହାବଳୀ। ପାଣ୍ଡବମାନେ ତେର ବର୍ଷ ପରେ ବନରୁ ଫେରିବାପରେ, ଦୁର୍ଯ୍ୟୋଧନ ଯେବେ ଅସୂୟା ଭାବ ଦୂର ନକରନ୍ତି, ସେମାନଙ୍କ ରାଜ୍ୟ ନଫେରାନ୍ତି,ତାହେଲେ ରକ୍ତର ନଦୀ ଯେ ନିଶ୍ଚିତ ଭାବରେ ବହିବ ଏଥିରେ ସନ୍ଦେହ ନାହିଁ। କିପରି ପୁତ୍ର ମାନଙ୍କୁ ପାଣ୍ଡବମାନଙ୍କ କୋପରୁ ରକ୍ଷା କରିବେ, ଚିନ୍ତାରେ ପଡିଲେ ଧୃତରାଷ୍ଟ୍ର।


କିନ୍ତୁ ପାଣ୍ଡବ ମାନଙ୍କ ଦୁର୍ଦ୍ଦଶା ସମ୍ବାଦ ପାଇ ଆନନ୍ଦରେ ଆତ୍ମହରା ହେଉଥିଲେ ଦୁର୍ଯ୍ୟୋଧନ।ମାତୁଳ ଶକୁନି,ସଖା କର୍ଣ୍ଣ, ଏବଂ ଭ୍ରାତା ଦୁଃଶାସନ ତାଙ୍କର ଏହି ଆନନ୍ଦିତ ମୁହୂର୍ତ୍ତର ସାଥି ଥିଲେ। ଦିନେ ଦୁର୍ଯୋଧନ ଶକୁନିଙ୍କୁ କହିଲେ.. ପାଣ୍ଡବମାନଙ୍କ ଦୁର୍ଦ୍ଦଶା ଦେଖିବା ପାଇଁ ଖୁବ୍ ଇଚ୍ଛା ହେଲାଣି ମାମୁଁ।କାମ୍ୟକ ବନକୁ ଯାଇ,ଆମ ଐଶ୍ୱର୍ଯ୍ୟର ଝଲକ ସେମାନଙ୍କୁ ଦେଖାଇ, ସେମାନଙ୍କ ଦାରିଦ୍ର୍ୟ ଉପଭୋଗ କରିବାକୁ ଖୁବ୍ ଇଚ୍ଛା ହେଉଛି।ଚାଲ ଘୋଷଯାତ୍ରାରେ କାମ୍ୟକ ବନକୁ ଯିବା।କାମ୍ୟକ ବନରେ ଏକ ମନୋରମ ପୁଷ୍କରିଣୀ ଅଛି; ସେଠାରୁ ଅଳ୍ପ ଦୂରରେ ଭିକାରି ପାଣ୍ଡବମାନଙ୍କର କୁଟୀର। ଆମମାନଙ୍କର ବିଭବ,ଆନନ୍ଦ,ମଉଜ ମଜଲିସ ହୋହଲ୍ଲା ଶୁଣି ନିଶ୍ଚିତ ଭାବରେ ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇ ଯିବ।"


ଦୁର୍ଯ୍ୟୋଧନଙ୍କର ଏହି ଯୋଜନା ପ୍ରତି,ସଖା କର୍ଣ୍ଣ ଏବଂ ମାମୁଁ ଶକୁନିଙ୍କ ସମର୍ଥନ ସଙ୍ଗେ ସଙ୍ଗେ ମିଳିଗଲା। କିନ୍ତୁ ଏହା 

ଯେତେବେଳେ ଧୃତରାଷ୍ଟ୍ରଙ୍କର କର୍ଣ୍ଣ ଗୋଚର ହେଲା, ଦୁର୍ଯ୍ୟୋଧନଙ୍କୁ ପାଖକୁ ଡାକି କହିଲେ.. ପୁତ୍ର ! ପାଣ୍ଡୁପୁତ୍ର ମାନଙ୍କୁ ଅପମାନ ଦେଇ ମନ ଶାନ୍ତ ହେଲାନାହିଁ ଯେ ପୁଣି ବିଦ୍ରୂପ କରିବାକୁ ଇଚ୍ଛା ! ଦୁଃଖ କଷ୍ଟରେ କାଳାତିପାତ କରୁଥିବା ପ୍ରାଣୀଙ୍କୁ ବିଦ୍ରୂପ କରିବା ଅନୁଚିତ।ତାଛଡା ଭୀମ ଓ ଅର୍ଜୁନଙ୍କ ହୃଦୟ ପ୍ରତିଶୋଧ ଅଗ୍ନିରେ ଜଳୁଛି।ସେମାନଙ୍କୁ ବିଦ୍ରୂପକଲେ ପ୍ରତିକ୍ରିୟା ସ୍ବରୂପ ତୁମଙ୍କୁ ଆକ୍ରମଣ କରିପାରନ୍ତି।ଭୀମର ଭୟଙ୍କର ପ୍ରତିଜ୍ଞା କଥା କ'ଣ ମନେ ନାହିଁ ?ଏହା ଆହତ ସର୍ପ ଲାଞ୍ଜରେ ହାତ ମାରିବା ସହିତ ସମାନ।ମୁଁ ତୁମମାନଙ୍କୁ ସେଠାକୁ ଯିବାପାଇଁ ଅନୁମତି ଦେଇ ପାରିବି ନାହିଁ।"


ଶକୁନି କହିଲେ.. କାମ୍ୟକ ବନରେ ଆମର ଗୋଧନ ରହିଛନ୍ତି। ସେମାନଙ୍କ ବାର୍ଷିକ ଗଣନା ପାଇଁ ଆମକୁ ତ ଯିବାକୁ ପଡ଼ିବ। ପାଣ୍ଡବମାନେ ସେଠାରେ ଅଛନ୍ତି ବୋଲି କଣ ଆମେ ସେମାନଙ୍କୁ ଡରି ଆମ ଗୋଧନ ତ୍ୟାଗ କରିଦେବା, ନାଁ ମୃଗୟା କରିବାକୁ ଅରଣ୍ୟକୁ ଯିବା ବନ୍ଦ୍ କରିଦେବା ?ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମହାରାଜ,ଭୀମ ଅର୍ଜୁନଙ୍କୁ ସମ୍ଭାଳିବା ପାଇଁ ଆପଣଙ୍କ ପ୍ରିୟ ପୁତ୍ର ଯୁଧିଷ୍ଠିର ଅଛନ୍ତି।"


ଭୀଷ୍ମ ଦ୍ରୋଣ ଏବଂ ବିଦୂର ଏପରି ଯାତ୍ରାର ବିରୋଧ କରିବାରୁ , ଦୁର୍ଯ୍ୟୋଧନ କହିଲେ ..ଆମେ ଯୁବକମାନେ ସେଠାରେ ଆନନ୍ଦ ଉତ୍ସବ କରିବାକୁ ଯାଉଛୁ,ବୃଦ୍ଧ ମାନଙ୍କର ସେଠାରେ କଣ କାମ? ଆପଣମାନେ ଏଠାରେ ରହି ରାଜ୍ୟ ରକ୍ଷା କରନ୍ତୁ, ଆମ ମାନଙ୍କର ସୁରକ୍ଷା ପାଇଁ ବ୍ୟସ୍ତ ହେବା ଅନାବଶ୍ୟକ।"


ଦୁର୍ଯ୍ୟୋଧନ, ଶକୁନି କର୍ଣ୍ଣ ଦୁଃଶାସନ ଏବଂ ଅନ୍ୟ ଅଠାନବେ ଭାଇଙ୍କ ସହିତ ବିଶାଳ ସୈନ୍ୟ ବାହିନୀ ନେଇ କାମ୍ୟକ ବନ ଅଭିମୁଖେ ଯାତ୍ରା କଲେ।ପ୍ରତ୍ୟେକେ ନିଜ ନିଜର ଦିବ୍ୟ ରଥମାନ ଆରୋହଣ କରି, ନାନାପ୍ରକାର ଅଳଙ୍କାରରେ ଶରୀର ବିମଣ୍ଡିତ କରି, ହର୍ଷ ଉଲ୍ଲାସରେ ଚିତ୍କାର କରି ବନଭୂମି ପ୍ରକମ୍ପିତ କରିଦେଲେ। କିଛି ଦୂରରୁ ସେମାନଙ୍କର ଏପରି ବିଦ୍ରୂପପୂର୍ଣ୍ଣ ଚିତ୍କାର ଶୁଣି ଭୀମ ଯୁଧିଷ୍ଠିରଙ୍କୁ କହିଲେ .. ଦେଖନ୍ତୁ ଅଗ୍ରଜ ! ଆପଣଙ୍କ ପ୍ରିୟ ଭାଇମାନେ ଆମ ଦୁର୍ଦ୍ଦଶା ଦେଖି କିପରି ବିଦ୍ରୂପ କରିବାପାଇଁ ଆସିଛନ୍ତି।"ଯୁଧିଷ୍ଠିର କହିଲେ ..ତୁମେ ସେପରି ଭାବିବା ଠିକ ନୁହେଁ ଅନୁଜ।ସେମାନେ ସମ୍ଭବତଃ ଆମର ଭଲ-ମନ୍ଦ ବୁଝିବାପାଇଁ ଆସିଛନ୍ତି।ସେମାନେ ଆମର ରକ୍ତସମ୍ପର୍କ ଭାଇ।ସେମାନଙ୍କୁ ଆମେ ସନ୍ଦେହ କରିବା ଉଚିତ ନୁହେଁ।"

ଏହା ଶୁଣି ଅର୍ଜୁନ କହିଲେ ...ଆପଣଙ୍କର ଏହି ଉଦାରତା ଯୋଗୁଁ ଆମ୍ଭମାନଙ୍କର ଏହି ଦୟନୀୟ ଅବସ୍ଥା।ଦୁର୍ଯ୍ୟୋଧନ ତଞ୍ଚକତା କରି ଆମ ରାଜ୍ୟ ଛଡାଇନେଇ ଆମର ଏପରି ଅବସ୍ଥା କରିଛନ୍ତି; ତଥାପି ଆପଣ ବିଶ୍ବାସ କରନ୍ତି ଯେ ସେ ସଦଳଵଳେ ଆମକୁ ସଂଖୋଳିବା ପାଇଁ ଆସିଛନ୍ତି !ଆପଣ ବାସ୍ତବରେ ମହାନ୍ ଜ୍ୟେଷ୍ଠଭ୍ରାତା।"


କୌରବମାନେ କାମ୍ୟକ ବନରେ ଥିବା ସୁରମ୍ୟ ପୁଷ୍କରିଣୀ କୂଳରେ ସେମାନଙ୍କର ଶିବିର ସ୍ଥାପନ କରି ଆନନ୍ଦ ଉତ୍ସବରେ ନିମଜ୍ଜିତ ହୋଇ ଗଲେ। ସେମାନଙ୍କ ଆଗରୁ ଗନ୍ଧର୍ଵ ଚିତ୍ରସେନ ସ୍ବର୍ଗ ବିଦ୍ୟାଧର,ବିଦ୍ୟାଧରୀ ମାନଙ୍କ ସହିତ ନିକଟରେ ଶିବିର ସ୍ଥାପନ କରି ଅବସ୍ଥାନ କରୁଥିଲେ।ସୋମରସ ପାନକରି ପ୍ରମତ୍ତ କୌରବମାନେ ସେଠାରେ ସେମାନଙ୍କ ଉପସ୍ଥିତି ସହ୍ୟ କରି ପାରିଲେ ନାହିଁ। ସେଠାରୁ ଚାଲିଯିବା ପାଇଁ ସେମାନଙ୍କ ଉପରେ କୁରୁ-ପୁତ୍ରମାନେ ବଳ ପ୍ରୟୋଗ କଲେ। କିଛି ବିଦ୍ୟାଧରୀଙ୍କ ସହିତ ମଧ୍ୟ ଅସତ୍ ବ୍ୟବହାର କଲେ। 


ଚିତ୍ରସେନ ଏବଂ ତାଙ୍କ ସେନା କୌରବ ମାନଙ୍କୁ କାହିଁକି ବା ପାସଙ୍ଗରେ ପକାନ୍ତେ ? ଚିତ୍ରସେନ ଥିଲେ ଇନ୍ଦ୍ରଙ୍କ ପୁତ୍ର ଏବଂ ତାଙ୍କ ସହିତ ଥିଲେ ଇନ୍ଦ୍ରଙ୍କ ସାରଥୀ ମାତଳି। ଚିତ୍ରସେନଙ୍କ ସୈନ୍ୟମାନେ ତାଙ୍କ ନିକଟରେ ଯେତେବେଳେ କୁରୁ-ପୁତ୍ର ମାନଙ୍କର ଦୁର୍ବ୍ୟବହାର କଥା ଜଣାଇଲେ,ସେ ମାତଳିଙ୍କୁ ପଚାରିଲେ .. ଏମାନଙ୍କ ପ୍ରତି କି' ପ୍ରକାର ବ୍ୟବହାର କରାଯିବା ଉଚିତ ମାତଳି ?" ମାତଳି କହିଲେ.. ଦୁର୍ଯ୍ୟୋଧନ ନିଜର ସମ୍ପଦ ଦେଖାଇ ପାଣ୍ଡବ ମାନଙ୍କୁ ତାତ୍ସଲ୍ୟ କରିବା ପାଇଁ ଏଠାକୁ ଆସିଛନ୍ତି।ପାଣ୍ଡବମାନେ ଆପଣଙ୍କର ସମ୍ପର୍କୀୟ,କାରଣ ଅର୍ଜୁନ ଇନ୍ଦ୍ରଙ୍କ ପୁତ୍ର।ଅଧର୍ମର ଆଶ୍ରୟନେଇ,ପାଣ୍ଡବ ମାନଙ୍କ ରାଜ୍ୟ ଯେପରି କୌରବ ମାନେ ହରଣ କରି ସେମାନଙ୍କୁ ଦାଣ୍ଡର ଭିକାରି କରିଛନ୍ତି ଏବଂ ଦ୍ରୌପଦୀଙ୍କୁ ପୂର୍ଣ୍ଣ ରାଜସଭାରେ ଉଲଗ୍ନ କରିଵା ପ୍ରୟାସ କରିଛନ୍ତି,ତା'ଠାରୁ ବଳି ଘୃଣ୍ୟ କାର୍ଯ୍ୟ କିଛି ନାହିଁ।ଏମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଆବଶ୍ୟକ।"


ଗନ୍ଧର୍ଵ ଚିତ୍ରସେନ ସୈନ୍ୟ ମାନଙ୍କୁ ଆଦେଶ ଦେଲେ କୌରବ ଶିବିର ଉପରେ ଆକ୍ରମଣ କରିବା ପାଇଁ।ଆରମ୍ଭ ହେଲା ଭୀଷଣ ଯୁଦ୍ଧ।ମାୟା ଯୁଦ୍ଧରେ ପ୍ରବୀଣ ଥିଲେ ଚିତ୍ରସେନ।ଅଳ୍ପ ସମୟ ଭିତରେ ସେ ଦୁର୍ଯ୍ୟୋଧନଙ୍କ ସୈନ୍ୟବାହିନୀକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଲେ।ଜୀବନ ବିକଳରେ କିଏ କୁଆଡେ ଯିବେ ବାଟ ପାଇଲେ ନାହିଁ।କର୍ଣ୍ଣଙ୍କ ପରି ମହାବୀର,ଶକୁନି,ଦୁଃଶାସନ,ଦୁର୍ମୁଖ,ବିକର୍ଣ୍ଣ ଆଦି ଯୋଦ୍ଧା ଚିତ୍ରସେନଙ୍କ ପ୍ରବଳ ଆକ୍ରମଣରେ ଛତ୍ରଭଙ୍ଗ ଦେଇ ପଳାୟନ କଲେ ।ଏକା ରହିଗଲେ ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନଙ୍କୁ ରଥରେ ବନ୍ଧନ କରି ଚିତ୍ରସେନ କହିଲେ..ତୁମ ଭଳି ପାପିଷ୍ଠ ପାଇଁ ମୃତ୍ୟୁ ଦଣ୍ଡ ମଧ୍ୟ କମ୍।ଅଧର୍ମରେ ପାଣ୍ଡବଙ୍କ ରାଜ୍ୟ ଛଡ଼ାଇ ନେଇ ସେମାନଙ୍କ ଦାରିଦ୍ର୍ୟକୁ ତାତ୍ସଲ୍ୟ କରିବାକୁ ଆସିଛ ! ଚାଲ ତୁମକୁ ଆକାଶରୁ ତଳକୁ ନିକ୍ଷେପ କରାଯିବ।ପିତା ତୁମର କେବଳ ଶାରୀରିକ ନୁହନ୍ତି,ମାନସିକ ଅନ୍ଧ ମଧ୍ୟ;ତୁମେ ଆକାଶରୁ ତଳେ ପଡିଲେ, ଗୋଡହାତ ହରାଇ ଛୋଟା ଲେଙ୍ଗେଡା ହୋଇଯିବ। ତା'ପରେ, ପିତାଙ୍କ ଭଳି ସିଂହାସନ ଯାବୁଡି ଧରି ରାଜୁତି କରିବ,ତୁମ ଲୋଭ ଏବଂ ଈର୍ଷାର ତାହା ହିଁ ହେବ ଉପଯୁକ୍ତ ପୁରସ୍କାର। ଯେଉଁ ମାମୁଁ ଶକୁନି ଏବଂ ମିତ୍ର କର୍ଣ୍ଣଙ୍କ କଥାରେ ପଡି ଡେଉଁଥିଲ,କୁଆଡେ ଗଲେ ସେମାନେ ?ନିଜ ନିଜ ଜୀବନ ନେଇ ପଳାୟନ କରିଛନ୍ତି।ଡାକ ସେମାନଙ୍କୁ, ଏବେ ତୁମ ପିଠିରେ ପଡ଼ିବେ। "


ଚିତ୍ରସେନଙ୍କ ରଥରେ ବନ୍ଦୀ ହୋଇ ଘୋର ଲଜ୍ଜାରେ ତଳକୁ ମୁହଁ ପୋତି ଠିଆ ହୋଇଥାନ୍ତି ଦୁର୍ଯ୍ୟୋଧନ। ଲଜ୍ଜା, ଅପମାନ ଓ କ୍ରୋଧରେ ଦେହ ତାଙ୍କର ଥରୁଥାଏ। ଚିତ୍ରସେନଙ୍କ ଆଦେଶରେ ତାଙ୍କ ମୂଲ୍ୟବାନ ଅଙ୍ଗବାସ ଓ ମୁକୁଟ କାଢି ଫିଙ୍ଗି ଦିଆଗଲା।ଅଧାମରା ସାପ ଭଳି ରାଗରେ ଫଁ ଫଁ ହେଉଥାନ୍ତି ଦୁର୍ଯ୍ୟୋଧନ।


ଦୁର୍ଯ୍ୟୋଧନ ପରାସ୍ତ ହୋଇ ଗନ୍ଧର୍ଵଙ୍କ ଦ୍ବାରା ବନ୍ଦୀ ହେବା ସମ୍ବାଦ ପାଣ୍ଡବଙ୍କ ପାଖରେ ପହଞ୍ଚିବା ପାଇଁ ବିଳମ୍ବ ହେଲାନାହିଁ।ଭୀମ ଆନନ୍ଦିତ ହୋଇ କହିଲେ ... ଠିକ୍ ହୋଇଛି।ଆମ କାମ ଚିତ୍ରସେନ ଗନ୍ଧର୍ଵ କରି ଦେଇଛନ୍ତି। ମୁଁ ତାଙ୍କୁ ଧନ୍ୟବାଦ ନଦେଇ ରହି ପାରୁନାହିଁ।" ଅର୍ଜୁନ ଅନୁରୂପ ମତ ବ୍ୟକ୍ତ କଲେ।


ଯୁଧିଷ୍ଠିର କହିଲେ .. ଏପରି ନିର୍ଦ୍ଦୟ ହୁଅନାହିଁ ବୃକୋଦର; ଦୁର୍ଯ୍ୟୋଧନ ଆମର ନିଜ ଭାଇ।ଆମେ ଗୋଟିଏ ପରିବାରରେ ଜନ୍ମ।ତାଙ୍କ ବିପଦ ସମୟରେ ସାହାଯ୍ୟ କରିଵା ଆମର ପ୍ରଥମ କର୍ତ୍ତବ୍ୟ।ଆମେ ତାଙ୍କୁ ଉଦ୍ଧାର ନକଲେ ନିନ୍ଦିତ ହେବା।ପ୍ରିୟ ଅର୍ଜୁନ!, ଦୁର୍ଯ୍ୟୋଧନଙ୍କୁ ଚିତ୍ରସେନ ଗନ୍ଧର୍ଵଙ୍କ କବଳରୁ ଉଦ୍ଧାର କରିବା ବ୍ୟବସ୍ଥା କର।'


ଯୁଧିଷ୍ଠିରଙ୍କ କଥା ଶୁଣି ଭୀମସେନ କହିଲେ ..ଆପଣ କେଉଁ ଉପାଦାନରେ ଗଢା ଅଗ୍ରଜ!! ଯେଉଁ ଖଳପ୍ରକୃତିର ଦୁର୍ଯ୍ୟୋଧନ ଆପଣଙ୍କ ଦାରିଦ୍ର୍ୟକୁ ତାତ୍ସଲ୍ୟ କରିବାକୁ ଆସିଛନ୍ତି,ତାଙ୍କୁ ଆପଣ ବିଶାଳ ହୃଦୟରେ କ୍ଷମା ଦେଇ ପାରୁଛନ୍ତି !"

ଯୁଧିଷ୍ଠିର କହିଲେ ...ପ୍ରିୟ ଭୀମ ! କହିଲି ପରା, ଦୁର୍ଯ୍ୟୋଧନ ହୁଏତ ଆମକୁ ସଂଖୋଳିବାକୁ ଆସିଥାଇ ପାରନ୍ତି, ତାଙ୍କୁ ଆମ ଚିନ୍ତା ଧାରା ଅନୁଯାୟୀ ଆକଳଣ କରିବା ଅନୁଚିତ। ମୋର ନିର୍ଦ୍ଦେଶ ମାନି ଦୁର୍ଯ୍ୟୋଧନଙ୍କୁ ଚିତ୍ରସେନ ହାତରୁ ଉଦ୍ଧାର କର।"


ଭୀମ,ଅର୍ଜୁନ,ନକୁଳ ଏବଂ ସହଦେବ, ଯୁଧିଷ୍ଠିରଙ୍କ ଆଦେଶ ମାନି ଚିତ୍ରସେନଙ୍କ ପାଖରେ ପହଞ୍ଚିଲେ।ଅର୍ଜୁନ କହିଲେ..ପ୍ରିୟ ଚିତ୍ରସେନ ! ଧର୍ମରାଜଙ୍କ ଆଦେଶ, ଦୁର୍ଯ୍ୟୋଧନଙ୍କୁ ବନ୍ଧନ ମୁକ୍ତ କର,ଅଥବା ଆମ ସହିତ ଯୁଦ୍ଧ କର।" ଚିତ୍ରସେନ,ପାଣ୍ଡବ ମାନଙ୍କ ସହିତ ଅଯଥା ବିବାଦ ଚାହୁଁ ନଥିଲେ,ସେ ଦୁର୍ଯ୍ୟୋଧନଙ୍କୁ କେବଳ ଶିକ୍ଷା ଦେବାକୁ ଚାହୁଁ ଥିଲେ। ତେଣୁ ସେ ଦୁର୍ଯ୍ୟୋଧନଙ୍କୁ ମୁକ୍ତ କରିଦେଲେ।


ଘୋର ଅପମାନରେ ଜର୍ଜରିତ ଦୁର୍ଯ୍ୟୋଧନ ମୁକ୍ତିଲାଭ କରି ଫେରିବା ପୂର୍ବରୁ ଅର୍ଜୁନଙ୍କୁ ଚାହିଁ କହିଲେ... ମୁଁ ତୁମ ପାଖରେ ଋଣୀ ଅନୁଜ ! ପ୍ରତିଦାନରେ ତୁମେ ଯାହା ଇଚ୍ଛା,ମୋଠାରୁ ମାଗିନିଅ।"

ଅର୍ଜୁନ କହିଲେ ... ଧନ୍ୟବାଦ ଅଗ୍ରଜ! ବର୍ତ୍ତମାନ ତୁମେ ଆମକୁ ଯେଉଁ ବନବାସ ଓ ଅଜ୍ଞାତ ବାସ ଦୁଃଖ ଦେଇଛ,ତାର ଅବଧି ପୂର୍ଣ୍ଣ ହେଲା ପରେ,ଆବଶ୍ୟକ ହେଲେ ତୁମଠାରୁ ଇପ୍ସିତ ପଦାର୍ଥ ମାଗିନେବି।ବର୍ତ୍ତମାନ ତୁମେ ପୈତୃକ ପ୍ରାଣ ନେଇ ଫେରିଯାଅ। ଭବିଷ୍ୟତରେ ଏଭଳି ଅବିମୃଶ୍ୟତା କରିବ ନାହିଁ।"


ଅପମାନିତ ହୋଇ ଦୁର୍ଯ୍ୟୋଧନ ପଳାୟନ କଲେ।ବାଟରେ କର୍ଣ୍ଣ, ଶକୁନି ଏବଂ ଅନ୍ୟ ଭାଇଙ୍କ ସହିତ ଭେଟ ହେଲା। ଦୁଃଖରେ ମ୍ରିୟମାଣ ଦୁର୍ଯ୍ୟୋଧନ କହିଲେ .. ଛିଃ ! ଭୀମ, ଅର୍ଜୁନଙ୍କ ଭଳି ଶତ୍ରୁ ମାନଙ୍କ ଆଗରେ ଏଭଳି ଅପମାନିତ ହେବା ଅପେକ୍ଷା ମୃତ୍ୟୁ ଶ୍ରେୟସ୍କର ଥିଲା। ଚିତ୍ରସେନ ହାତରେ ମୃତ୍ୟୁ ଲାଭ କରିଥିଲେ ଭଲ ହୋଇଥାନ୍ତା। ମୁଁ ଆଉ ରାଜଧାନୀକୁ ଫେରିଯିବା ପାଇଁ ଚାହୁଁନାହିଁ, ମୁଁ ଆତ୍ମହତ୍ୟା କରିବି।"


କର୍ଣ୍ଣ କହିଲେ.. ମୁଁ ବଡ଼ ଦୁଃଖିତ ମିତ୍ର ! ଆମ ସେନାବାହିନୀର ଅସାବଧାନତା ଯୋଗୁଁ ଏପରି ବିଭ୍ରାଟ ଘଟିଗଲା।ଆପଣ ମନରୁ ଗ୍ଲାନି ଦୂର କରନ୍ତୁ।କାହା ଆଗରେ ଆପଣ ଅପମାନିତ ହେଲେ ବୋଲି ଆତ୍ମଗ୍ଲାନି ଅନୁଭବ କରୁଛନ୍ତି ? ସେହି ଭିକାରି ପାଣ୍ଡବଙ୍କ ଆଗରେ !! ଯେଉଁମାନଙ୍କର ନିଜର ମାନ ନାହିଁ ସେମାନଙ୍କ ଆଗରେ କିପରି ଆପଣ ଅପମାନିତ ହେଲେ ବୋଲି ଭାବୁଛନ୍ତି ! ମିତ୍ର, ଆପଣ ରାଜା,ଯଦି ସେମାନେ ଆପଣଙ୍କୁ ରକ୍ଷା କଲେ,ପ୍ରଜା ହିସାବରେ ତାହା ସେମାନଙ୍କର କର୍ତ୍ତବ୍ୟ।ଆପଣ ଚିନ୍ତା କରନ୍ତୁ ନାହିଁ।ପାଣ୍ଡବ ମାନଙ୍କୁ ଧରାପୃଷ୍ଠରୁ ମୁଁ ନିଶ୍ଚିହ୍ନ କରିବି; ଆପଣ ନିଷ୍କଣ୍ଟଙ୍କ ରାଜ୍ୟ ଭୋଗ କରିବେ।ଏବେ ମନରୁ ଦୁଃଖ ଦୂର କରନ୍ତୁ;ଆତ୍ମହତ୍ୟା ଚିନ୍ତା କେବଳ ଦୁର୍ବଳ ଓ ପଳାତକମାନେ କରନ୍ତି।ଆପଣ ଦୁର୍ବଳ ବା ପଳାତକ ନୁହଁନ୍ତି; ବିଶାଳ ହସ୍ତିନାର ଭାବି ସମ୍ରାଟ ଆପଣ।"


ଶକୁନି କହିଲେ.. ତୁମେ ଯଦି ଆତ୍ମହତ୍ୟା କରିବାକୁ ସ୍ଥିର କରିଛ ପ୍ରିୟ ଦୁର୍ଯ୍ୟୋଧନ,ତା ହେଲେ ଆଉ ଏ ପ୍ରହସନ କାହିଁକି? କହ୍ନେଇ ଲାଗି ସିନା ଦୋଳ ଯାତରା। ଆତ୍ମହତ୍ୟା କରିବା ପୂର୍ବରୁ ପାଣ୍ଡବଙ୍କୁ ଅରଣ୍ୟରୁ ଡାକିଆଣି ରାଜ୍ୟ ଫେରାଇ ଦିଅ।"


ପାଣ୍ଡବଙ୍କୁ ରାଜ୍ୟ ଫେରାଇବା କଥା ଶୁଣି ଭୟଙ୍କର ଗର୍ଜନକରି ଦୁର୍ଯ୍ୟୋଧନ କହିଲେ.. ନାଁ, ତାହା ଅସମ୍ଭବ। ସେମାନେ ମୋର ପରମ ଶତ୍ରୁ।ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ହୋଇ ଅରଣ୍ୟରେ ଵୁଲି ବୁଲି ସେମାନେ ପ୍ରାଣତ୍ୟାଗ କରନ୍ତୁ ବୋଲି ମୋର ଇଚ୍ଛା।



Rate this content
Log in

Similar oriya story from Classics