STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୬୧

କଥା କାଦମ୍ବରୀଭାଗ ୬୧

5 mins
221


କାମ୍ୟକ ବନ ଛାଡି ମହର୍ଷି ଲୋମଶଙ୍କ ସହିତ ପାଣ୍ଡବମାନେ ତୀର୍ଥଯାତ୍ରାରେ ଭ୍ରମଣ କରିବାର ଅନ୍ୟ ଏକ କାରଣ ଥିଲା ଅର୍ଜୁନଙ୍କ ବିଚ୍ଛେଦ ଭୁଲିବା। ଅର୍ଜୁନ,ଦିବ୍ୟାସ୍ତ୍ର ସନ୍ଧାନରେ ଯାଇ ବହୁଦିନ ପର୍ଯ୍ୟନ୍ତ ନଫେରିବାରୁ କାମ୍ୟକ ବନରେ ତାଙ୍କ ସ୍ମୃତି ଭାଇମାନଙ୍କୁ ଏବଂ ଦ୍ରୌପଦୀଙ୍କୁ ବ୍ୟଥିତ କଲା।ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରି ସେହି ମାନସିକ ବିଷାଦ ଦୂର କରିବାକୁ ଚାହୁଁଥିଲେ। ଅନେକ ତୀର୍ଥସ୍ଥାନ ଭ୍ରମଣ କରି ସେମାନେ ଯେତେବେଳେ ହିମାଳୟ ପାଦଦେଶରେ ପହଞ୍ଚିଲେ, ଦ୍ରୌପଦୀଙ୍କ ପାଦ ଆଉ ଆଗକୁ ବଢୁନଥିଲା;ବଡ଼ କ୍ଳାନ୍ତ ହୋଇ ଯାଇଥିଲେ କୋମଳାଙ୍ଗୀ ପାଞ୍ଚାଳୀ।ଆଗକୁ ରାସ୍ତା ବନ୍ଧୁର ଏବଂ ଦୁର୍ଗମ ରହିଥିଲା। 


ଯୁଧିଷ୍ଠିର ଭୀମଙ୍କୁ କହିଲେ.. ବୃକୋଦର ! ପାଞ୍ଚାଳୀଙ୍କୁ ଆମେ ଅଧିକ ପଥଶ୍ରାନ୍ତି ଦେବା ଉଚିତ ନୁହେଁ।ମୋ ମତରେ ତୁମେ ପାଞ୍ଚାଳୀ ଏବଂ ନକୁଳଙ୍କ ସହିତ ଏହି ସ୍ଥାନରେ ଅପେକ୍ଷା କର; ମୁଁ ଲୋମଶ ମହର୍ଷି ଏବଂ ସହଦେବଙ୍କ ସହିତ ଆଗକୁ ଯାଇ ବାକି ତୀର୍ଥସ୍ଥଳୀ ଦର୍ଶନ କରି ଫେରିବି।"


ଭୀମସେନ କିନ୍ତୁ,ବଣ୍ୟଜନ୍ତୁ ଏବଂ ରାକ୍ଷସ ଅଧ୍ୟୁଷିତ ସେହି ଅରଣ୍ୟ ପ୍ରଦେଶରେ ଯୁଧିଷ୍ଠିରଙ୍କୁ ଏକା ଛାଡ଼ିବାକୁ ଚାହୁଁନଥିଲେ।ଭୀମ କହିଲେ ..ଧର୍ମରାଜ ! ଏହି ଭୟଙ୍କର ଅରଣ୍ୟ ମଧ୍ୟରେ ମୁଁ ଆପଣଙ୍କୁ ଏକାକୀ ଯିବାପାଇଁ ଦେବି ନାହିଁ। ପାଞ୍ଚାଳୀଙ୍କ ପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।ତାଙ୍କୁ ମୁଁ କାନ୍ଧରେ ବସାଇ ଏବଂ ନକୁଳ ସହଦେବଙ୍କୁ ଦୁଇ ବାହୁରେ ତୋଳିଧରି ଅନାୟାସରେ ଏହି ବନ୍ଧୁର ବନପ୍ରଦେଶ ଅତିକ୍ରମ କରି ପାରିବି।"


ଏକଥା ଶୁଣି ଦ୍ରୌପଦୀ ଲାଜେଇ ଯାଇ ଭୀମଙ୍କୁକହିଲେ ..ମତେ କାନ୍ଧରେ ବୋହିବା ଆବଶ୍ୟକ ନାହିଁ; ମୁଁ ଅନାୟାସରେ ଚାଲି ପାରିବି। ତୁମ ଭାଇମାନଙ୍କର ପାଦ ଥକି ଯାଉଥିବ,ସେମାନଙ୍କୁ କାନ୍ଧରେ ଧରି ଚାଲ।"


ଦ୍ରୌପଦୀଙ୍କର ଏପରି ଶ୍ଳେଷବାକ୍ୟ ଶୁଣି ଭାଇମାନଙ୍କ ଭିତରେ ହାସ୍ୟରୋଳ ସୃଷ୍ଟି ହେଲା।ଏଭଳି ହସଖୁସିରେ ପଥଶ୍ରାନ୍ତି ଲାଘବ କରି ମହର୍ଷି ଲୋମଶଙ୍କ ସହିତ ପାଣ୍ଡୁ ପରିବାର ଆଗେଇ ଚାଲିଲେ। କିଛି ଦୂର ଅତିକ୍ରମ କରି ସେମାନେ ହିମାଳୟ ପାଦଦେଶରେ ଥିବା ରାଜା ସୁବାହୁ'ଙ୍କ ରାଜ୍ୟ 'କୁଳିନ୍ଦ'ରେ ପହଞ୍ଚିଲେ।ସୁବାହୁଙ୍କ ଭବ୍ୟ ଆତିଥ୍ୟ ଗ୍ରହଣ କରିବା ପରେ ପାଣ୍ଡବମାନେ ଆହୁରି ଆଗକୁ ଯାଇ 'ନାରାୟଣାଶ୍ରମ' ନାମକ ଏକ ମନୋରମ ସ୍ଥାନରେ ପହଞ୍ଚି ସେଠାରେ ବିଶ୍ରାମ ନେଲେ।


ସେଦିନ ପ୍ରଭାତ ସମୟ।ହିମାଳୟର ପୂର୍ବୋତ୍ତର ଦିଗରୁ ମଧୁର ମନ୍ଦ ମଳୟ ବହୁଥାଏ। ପବନରେ ଉଡିଆସି ଏକ ସୁଗନ୍ଧିତ ଫୁଲ ଦ୍ରୌପଦୀଙ୍କ ପାଖରେ ପଡ଼ିଲା।ଫୁଲର ହାଲୁକା ମହକରେ ଭରିଗଲା ବାୟୁ ମଣ୍ଡଳ।ଫୁଲଟି ହାତରେ ଧରି ପାଞ୍ଚାଳୀ ଭୀମଙ୍କୁ କହିଲେ..ପ୍ରିୟ ଦ୍ବିତୀୟ ପାଣ୍ଡବ ! ଏପରି ସୁଗନ୍ଧପୂର୍ଣ୍ଣ ପୁଷ୍ପ ଆଗରୁ ମୋର ଦୃଷ୍ଟିଗୋଚର ହୋଇନାହିଁ। ମନେହୁଏ ପାଖରେ ନିଶ୍ଚୟ ଏହାର ଲତା କେଉଁଠି ରହିଛି।ଏହାର ଚାରା ପାଇଲେ ଆମେ କାମ୍ୟକ ବନରେ କୁଟୀର ବାହାରେ ରୋପଣ କରନ୍ତେ।"


ଦ୍ରୌପଦୀଙ୍କୁ ସନ୍ତୁଷ୍ଟ କରିବାପାଇଁ ବୃକୋଦର ସେହି ସୁଗନ୍ଧି ଫୁଲ ଅନ୍ବେଷଣରେ ବାହାରିଗଲେ। ଯେଉଁ ଦିଗରୁ ସେ ପୁଷ୍ପର ମହକ ଭାସିଆସୁଥିଲା ସେହି ଦିଗରେ,ଘଞ୍ଚ ଅରଣ୍ୟ ଓ ବନ୍ୟଯନ୍ତୁପୂର୍ଣ୍ଣ ପଥ ଅତିକ୍ରମ କରି ଆଗେଇ ଚାଲିଲେ ଦ୍ବିତୀୟ ପାଣ୍ଡବ। କିଛି ଦୂର ଯିବାପରେ ଏକ ପର୍ବତ ପାଦଦେଶରେ ସେ କଦଳୀ ବନଟିଏ ଦେଖିବାକୁ ପାଇଲେ।ତାଙ୍କ ଚଲାବାଟରେ, ରାସ୍ତା ଉପରେ ଏକ ବିରାଟ ବୃଦ୍ଧ ମର୍କଟ ଶୟନ କରିଥିଲା।ବୃଦ୍ଧ ହେଲେ ମଧ୍ୟ ମର୍କଟର ଶରୀର ତମ୍ବାପରି ଝଟକୁଥାଏ।ପ୍ରଥମେ ମର୍କଟକୁ ପାଟିତୁଣ୍ଡ କରି ଘଉଡିବାକୁ ଚେଷ୍ଟା କଲେ ଭୀମସେନ।ମର୍କଟ ତାର ନିମିଳିତ ଆଖି ଖୋଲି ଭୀମଙ୍କୁ ଚାହିଁ କହିଲା ..କିଏ ତୁମେ ?ମୋ ଭଳି ଏକ ବୃଦ୍ଧ ମର୍କଟର ନିଦ୍ରା କାହିଁକି ଭଙ୍ଗ କଲ? ଜୀବମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ପ୍ରତ୍ୟେକ ସୁସ୍ଥ ମସ୍ତିଷ୍କ ମନୁଷ୍ୟର କର୍ତ୍ତବ୍ୟ ବୋଲି ତୁମକୁ କ'ଣ ଜଣାନାହିଁ ?କୁଆଡେ ଯାଉଛ ତୁମେ ?ଏଠାରୁ ଆଗକୁ ଗଲେ ଯକ୍ଷ ରାକ୍ଷସଙ୍କ କ୍ରୀଡାସ୍ଥଳୀ।ସେସ୍ଥାନକୁ ଯିବା ଅନ୍ୟ ପ୍ରାଣୀ ମାନଙ୍କପାଇଁ ନିଷିଦ୍ଧ। ଏଠାରେ ଥିବା ଉଦ୍ୟାନରୁ ମନଭରି ଫଳଖାଅ ଏବଂ ଫେରିଯାଅ।"


ଆଗରୁ ଭୀମଙ୍କୁ ଏପରି ହେୟଜ୍ଞାନ କେହି କରିନଥିଲେ। କ୍ରୋଧିତ ହୋଇ ଭୀମ କହିଲେ.. ତୁମେ କିଏ ପ୍ରଥମେ କୁହ।ସାମାନ୍ୟ ବୃଦ୍ଧ ମର୍କଟ ! ତୁମେ ଜାଣି ପାରୁଛ କାହା ସହିତ ବାର୍ତ୍ତାଳାପ କରୁଛ ? ମୁଁ କୁରୁବଂଶଜ ଦ୍ବିତୀୟ ପାଣ୍ଡବ କୁନ୍ତୀପୁତ୍ର ଭୀମସେନ।ବାୟୁ ଦେବଙ୍କ ପୁତ୍ର,ମୋର ବିଶେଷ ପରିଚୟ। ଏବେ ମୋ ରାସ୍ତାରୁ ଘୁଞ୍ଚିଯାଅ,ନହେଲେ ମୋ କ୍ରୋଧର ଶିକାର ହେବ ଅର୍ବାଚିନ ମର୍କଟ।"


ବୃଦ୍ଧ ମର୍କଟ ହସିଦେଲେ; କହିଲେ...ତୁମ କହିବା ଅନୁଯାୟୀ ମୁଁ ନିଶ୍ଚିତ ଭାବରେ ଏକ ବୃଦ୍ଧ ମର୍କଟ, କିନ୍ତୁ ଏ ମର୍କଟ କଥା ନଶୁଣି ଆଗକୁ ଗଲେ ତୁମେ ବିପଦର ସମ୍ମୁଖୀନ ହେବ।


ଭୀମସେନ କହିଲେ.. ମୁଁ ତୁମର ଉପଦେଶ ଶୁଣିବା ପାଇଁ ଚାହେଁ ନାହିଁ ମର୍କଟ। ମୁଁ ବିପଦର ସମ୍ମୁଖୀନ ହେଲେ ତୁମର କଣ ଯାଏ ଆସେ ?ମୋ ବାଟ ଛାଡ଼ିଦିଅ ନହେଲେ ମୁଁ ବାଧ୍ୟହୋଇ ତୁମକୁ ରାସ୍ତାରୁ ହଟାଇବି ।"


ମର୍କଟ କହିଲେ.. ମୁଁ ବହୁତ ବୁଢା ମାଙ୍କଡଟିଏ।ନିଜେ ଘୁଞ୍ଚିବାକୁ ଅସମର୍ଥ। ତୁମେ ମୋତେ ଡେଇଁ କରି ଚାଲିଯାଅ।"

କ୍ରୋଧରେ ଭୀମସେନ କହିଲେ..ତୁମକୁ ଡେଇଁ କରି ଯିବା ମୋ ପାଇଁ ବଡ଼କଥା ନୁହେଁ, କିନ୍ତୁ ଶୟନ କରିଥିବା ପ୍ରାଣୀକୁ ଡେଇଁବା ଶାସ୍ତ୍ର ଅନୁମୋଦିତ ନୁହେଁ।ନହେଲେ ହନୁମାନ ସାଗର ଲଂଘନ କରିବା ଭଳି, ପର୍ବତ ଲଂଘନ କରିବା ମୋ ପାଇଁ ସାମାନ୍ୟ କଥା।"


ହନୁମାନଙ୍କ ନାମ ଶୁଣି କୌତୁହଳପୂର୍ଣ୍ଣ କଣ୍ଠରେ ବୃଦ୍ଧ ମର୍କଟ ପଚାରିଲେ ... ଆଚ୍ଛା ଏ ହନୁମାନ ନାମକ ପ୍ରାଣୀଟି କିଏ ?"

କ୍ରୋଧରେ ଗର୍ଜିଉଠି ଭୀମ କହିଲେ ..ମୁର୍ଖ ମର୍କଟ ! ଏତିକି ଜାଣିନାହଁ ହନୁମାନ କିଏ ! ରାମାୟଣ କଥା ଶୁଣିନାହଁ?ଏକ ଲମ୍ଫରେ ଯେ ସମୁଦ୍ର ପାର ହୋଇ ଲଙ୍କାରେ ପହଞ୍ଚି ସୀତାମାତାଙ୍କୁ ଠାବ କରିଥିଲେ,ତାଙ୍କୁ ତୁମେ ଜାଣିନାହଁ ? ତୁମେ ତ ଜଣେ ସାଧାରଣ ମର୍କଟ,କିପରି ଜାଣିବ ହନୁମାନ କିଏ ?ସେ ହେଉଛନ୍ତି ପବନ ପୁତ୍ର ଏବଂ ମୋର ଅଗ୍ରଜ।ଅସୀମ ତାଙ୍କର ଶକ୍ତି; ମୁଁ ମଧ୍ୟ ତାଙ୍କପରି ଶକ୍ତିମାନ।ହଉ,ଏବେ ବାର୍ତ୍ତାଳାପ ସେତିକି ଥାଉ,ମୋ ବାଟରୁ ଘୁଞ୍ଚିଯାଅ,ନହେଲେ ତୁମେ ମୋ କ୍ରୋଧର ଶିକାର ହେବ।"


ମର୍କଟ କହିଲେ ..ହେ ଆତ୍ମଘୋଷିତ ମହାବୀର ! ଶକ୍ତିମାନକୁ ବିନୟ ଶୋଭା ପାଏ। ମୁଁ ଋଗ୍ଣ ଶକ୍ତିହୀନ ମର୍କଟଟିଏ।ତୁମେ ଯଦି ମୋତେ ଡେଇଁ ଯିବାପାଇଁ ଚାହୁଁନାହିଁ ତାହେଲେ ତୁମର ପଥରୋଧ କରି ଥିବା ମୋ ଲାଙ୍ଗୁଳ' ଟି ରାସ୍ତା କଡକୁ ଆଡେଇ ଦେଇ ଚାଲିଯାଅ। 


ଭୀମସେନ ଭାବିଲେ ଏହି ସାମାନ୍ୟ କାମଟି ସେ ତାଙ୍କ ହାତର ଗୋଟିଏ ଆଙ୍ଗୁଳିରେ କରିପାରିବେ। କିନ୍ତୁ ଗୋଟିଏ ଆଙ୍ଗୁଳି କଣ, ଗୋଟିଏ ହାତରେ ଚେଷ୍ଟା କରି ଲାଙ୍ଗୁଳଟି ହଟାଇବାରେ ବିଫଳ ହେଲେ ଭୀମସେନ। ତା'ପରେ ଦୁଇହାତ ଲଗାଇ ସମସ୍ତ ଶକ୍ତି ପ୍ରୟୋଗ କରି ମଧ୍ୟ ଲାଙ୍ଗୁଳ ଘୁଞ୍ଚାଇଵାରେ ଅସମର୍ଥ ହେଲେ ଭୀମ। ଦେହରୁ ବହିଗଲା ଗମ ଗମ ଝାଳ ।

ଭୀମ ବୁଝି ପାରିଲେ ଏ ସାଧାରଣ ବାନର ନୁହଁନ୍ତି।ବାନରଙ୍କୁ ହାତଯୋଡି ଭୀମ ପଚାରିଲେ ..କିଏ ତୁମେ ମହାତ୍ମା !!ଯକ୍ଷ ନା ଗନ୍ଧର୍ଵ ନାଁ ଭଗବାନ,କିଏ ତୁମେ ?ତୁମେ ସାଧାରଣ ମର୍କଟ ନୁହଁ; ଦୟାକରି ତୁମ ପରିଚୟ ପ୍ରଦାନ କର।"


ବୃଦ୍ଧ ମର୍କଟ କହିଲେ..ପ୍ରିୟ ବୃକୋଦର ! ଅନ୍ୟ କେହି ନୁହେଁ, ମୁଁ ତୁମର ଭାଇ ହନୁମାନ, ଯାହା ବିଷୟରେ ତୁମେ କିଛି ସମୟ ପୂର୍ବରୁ କହୁଥିଲ। ଏହି ବାଟରେ ଆଗକୁ ଗଲେ ତୁମେ ବିପଦରେ ପଡିବ,କାରଣ ତାହା ଯକ୍ଷ,ରାକ୍ଷସ ଏବଂ ପ୍ରେତମାନଙ୍କ ରାଜ୍ୟ। ସେଥିପାଇଁ ମୁଁ ତୁମ ପଥରୋଧ କରୁଥିଲି।"


ଭୀମ କୃତକୃତ୍ୟ ହୋଇ ହନୁମାନଙ୍କ ପାଦତଳେ ପଡିଯାଇ କହିଲେ.. ମୋତେ କ୍ଷମା କରନ୍ତୁ ପ୍ରଭୁ, ଅଜ୍ଞାତରେ ଆପଣଙ୍କୁ ଅନେକ ଅପଶବ୍ଦ କହିଛି। ମୋ ପରି ଭାଗ୍ୟବାନ ଆଉ କିଏ ଅଛି ପ୍ରଭୁ ! ଆଜି ପୂର୍ବଜନ୍ମର ସୁକୃତରୁ ମୋ ଅଗ୍ରଜ ଶ୍ରୀରାମ-ଭକ୍ତ ହନୁମାନଙ୍କ ଦର୍ଶନ ମୋତେ ମିଳିଲା।ହେ ମହାବଳୀ !ମୋତେ ସେହି ରୂପ ଦେଖାନ୍ତୁ ଯେଉଁ ରୂପରେ ଆପଣ ମହାସମୁଦ୍ରଲଂଘନ କରି ସୀତା ମାତାଙ୍କୁ ଠାବ କରିଥିଲେ।"


ଅନୁଜ ଭୀମଙ୍କ ଅନୁରୋଧ ରକ୍ଷାକରି ମହାବଳୀ ହନୁମାନ ନିଜ କାୟା ବିସ୍ତାର କରିବାରେ ଲାଗିଲେ।ହତବାକ୍ ହୋଇ ରହିଗଲେ ଭୀମସେନ।ଆକାଶକୁ ଲାଗିଥିଲା ହନୁମାନଙ୍କ ଶିର;ପର୍ବତ ପ୍ରାୟ ଶରୀର;ଜଣାଯାଉଥିଲା ସତେ ଯେପରି ପୃଥିବୀର ଏକ ଚତୁର୍ଥ ଅଂଶ ଅଧିକାର କରିଥିଲା ସେ ଐଶ୍ବରିକ ରୂପ।ମହାନ ତେଜ ନିର୍ଗମ ହେଉଥିଲା ସେ ଶରୀରରୁ।ସେ ତେଜଯୁକ୍ତ ରୂପକୁ ଚର୍ମ ଚକ୍ଷୁରେ ଚାହିଁ ପାରିଲେ ନାହିଁ ଭୀମ।ଯୋଡ ହସ୍ତରେ କହିଲେ ..ଏବେ ସାମାନ୍ୟ ରୂପକୁ ଫେରି ଆସନ୍ତୁ ମହାବଳୀ,ଏ ଅଲୌକିକ ରୂପ ଦେଖି ମୋର ଚର୍ମଚକ୍ଷୁ କୃତାର୍ଥ ହେଲା।ମୋର ଅହଂକାର ଦୂର ହୋଇଛି ପ୍ରଭୁ;ମୋତେ ଆଶୀର୍ବାଦ କରନ୍ତୁ।"


ସ୍ବଭାବିକ ରୂପକୁ ଫେରି ଆସି ହନୁମାନ କହିଲେ ..ଅନୁଜ ! ଶତ୍ରୁ ସମୀପରେ ଥିଲେଏହାଠାରୁ ଅଧିକ ବିଶାଳ ରୂପ ଧାରଣ କରିବା ଶକ୍ତି ମଧ୍ୟ ମୋ'ଠାରେ ରହିଛି। 


ଭୀମଙ୍କୁ ସାଦର ଆଲିଙ୍ଗନ କରି ମହାବଳୀ ହନୁମାନ କହିଲେ.. ମୁଁ ଜାଣେ ଅଧର୍ମୀ କୌରବମାନଙ୍କ ସହିତ ତୁମର ଯୁଦ୍ଧ ଅବଶ୍ୟମ୍ଭାବୀ।ସେ ସମୟରେ ମୁଁ ତୁମ୍ଭ ମାନଙ୍କ ସହିତ ରହିବି,କାରଣ ମୋ ପ୍ରଭୁଙ୍କ ଅବତାର ଶ୍ରୀକୃଷ୍ଣ ତୁମମାନଙ୍କର ସମର୍ଥକ।ପାର୍ଥଙ୍କ ନନ୍ଦିଘୋଷ ରଥରେ ବାନର କେତନରେ ମୋ ସ୍ଥିତି ତୁମେ ଉପଲବ୍ଧି କରିବ।ମୋର ଆଶୀର୍ବାଦ ପାଣ୍ଡବ ମାନଙ୍କ ଉପରେ ରହିଛି ଏବଂ ରହିବ। ଯୁଦ୍ଧ କ୍ଷେତ୍ରରେ ତୁମ ଗର୍ଜନ ସହିତ ମୋ ଗର୍ଜନ ମିଶି, ଅଭୂତପୂର୍ବ ଗର୍ଜନ ଶତ୍ରୁ ହୃଦୟରେ ପ୍ରକମ୍ପନ ଓ ମହାଭୀତି ସୃଷ୍ଟି କରିବ।ବତ୍ସ ! ତୁମକୁ ଆଲିଙ୍ଗନ କରି ମୋତେ ସେହି ଅନୁରାଗ ପୂର୍ଣ୍ଣ ଅନୁଭବ ଆସୁଛି ଯାହା ତ୍ରେତୟା ଯୁଗରେ ଶ୍ରୀରାମଙ୍କୁ ଆଲିଙ୍ଗନ କରିବା ସମୟରେ ମୋ ହୃଦୟକୁ ଛୁଇଁ ଥିଲା।"


କିଛି ନିରବତା ପରେ ହନୁମାନ କହିଲେ ..ଅନୁଜ,ନିକଟସ୍ଥ ଏହି ସରସୀରେ ସୌଗନ୍ଧିକା ପୁଷ୍ପ ରହିଛି, ଯାହା ନେବାପାଇଁ ତୁମେ ଆସିଛ।ପୁଷ୍ପ ସଂଗ୍ରହ କରି ଫେରିଯାଅ;ଭାଇ ମାନଙ୍କୁ ଏବଂ ଭ୍ରାତୃ ଜାୟାଙ୍କୁ ମୋ'ର ସ୍ନେହ ଓ ଆଶୀର୍ବାଦ ଜଣାଇ ଦେବ। ଯୁଧିଷ୍ଠିରଙ୍କୁ କହିବ,ଧର୍ମଯୁଦ୍ଧରେ ତାଙ୍କର ବିଜୟ ସୁନିଶ୍ଚିତ।"


ହନୁମାନଙ୍କ ଆଲିଙ୍ଗନ ପାଇ ମହାବଳୀ ଭୀମସେନଙ୍କ ବଳ ଚତୁର୍ଗୁଣିତ ହୋଇଗଲା। ପୁଷ୍ପ ଚୟନ କରି ମହାଆନନ୍ଦରେ ଫେରି ସେ ପତ୍ନୀ ଓ ଭାଇମାନଙ୍କ ଆଗରେ ହନୁମାନଙ୍କ ସହିତ ଦର୍ଶନର ଅଭିଜ୍ଞତା ଆନନ୍ଦ ଗଦ୍ଗଦ କଣ୍ଠରେ ବର୍ଣ୍ଣନା କଲେ।



Rate this content
Log in

Similar oriya story from Classics