STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୫୯

କଥା କାଦମ୍ବରୀଭାଗ ୫୯

3 mins
243


ମହର୍ଷି ରୈଭ୍ୟ'ଙ୍କ ଆଶ୍ରମ ଦର୍ଶନ ସମୟରେ ଲୋମଶ ମୁନି ପାଣ୍ଡବ ମାନଙ୍କୁ କହିଲେ ...ବତ୍ସ ! କେବଳ ଜ୍ଞାନ ଲାଭ କରିବା ଯଥେଷ୍ଟ ନୁହେଁ; ଜ୍ଞାନ ହୃଦୟର କଳ୍ମଷ ଦୂରକରି ମନକୁ ନିର୍ମଳ ଓ ପ୍ରଶସ୍ତ କରିବା ଉଚିତ;ନହେଲେ ସେଭଳି ଜ୍ଞାନ ଆହରଣରେ କିଛି ମୂଲ୍ୟ ନଥାଏ।ଏ ବିଷୟରେ ମୁଁ ତୁମଙ୍କୁ 'ଅର୍ଭବସୁ' ଏବଂ 'ପରାବସୁ' ଉପାଖ୍ୟାନ କହୁଛି ଶୁଣ।


ମହର୍ଷି ରୈଭ୍ୟଙ୍କ ଦୁଇପୁତ୍ର ଅର୍ଭବସୁ ଏବଂ ପରାବସୁ ପିତାଙ୍କଠାରୁ ଶିକ୍ଷା ଲାଭ କରି ବେଦ ବେଦାନ୍ତରେ ମହାନ ପାଣ୍ଡିତ୍ୟ ଲାଭ କରିଥିଲେ। ସେମାନଙ୍କ ଯଶ ଦିଗ ବିଦିଗରେ ବ୍ୟାପି ଯାଇଥିଲା।ଥରେ ରାଜା 'ବୃହଦ୍ୟୁମ୍ନ' ତାଙ୍କ ଶିକ୍ଷା ଗୁରୁ ମହର୍ଷି ରୈଭ୍ୟ'ଙ୍କ ଆଶ୍ରମରେ ପହଞ୍ଚି କରପତ୍ରଯୋଡି କହିଲେ ...ଭଗବନ୍ ! ପ୍ରଜାଙ୍କ ମଙ୍ଗଳ ପାଇଁ ମୁଁ ଏକ ମହାଯଜ୍ଞର ଆୟୋଜନ କରୁଛି। ସେହି ଯଜ୍ଞରେ ପୁରୋହିତ ହେବାପାଇଁ ଆପଣଙ୍କର ଦୁଇ ସୁଯୋଗ୍ୟ ପୁତ୍ର ଅର୍ଭବସୁ ଏବଂ ପରାବସୁଙ୍କୁ ମୁଁ ନିମନ୍ତ୍ରଣ କରିବାକୁ ଆସିଛି;ଆପଣଙ୍କ ଆଦେଶ ହେଲେ ସେମାନଙ୍କୁ ନେଇ ଯିବି।"


ରୈଭ୍ୟଙ୍କ ସମ୍ମତି ନେଇ ଅର୍ଭବସୁ ଏବଂ ପରାବସୁ ବୃହଦ୍ୟୁମ୍ନଙ୍କ ଯଜ୍ଞପୀଠରେ ପହଞ୍ଚିଲେ।ଯଜ୍ଞ ପାଇଁ ଆୟୋଜନ କରୁ କରୁ କିଛି ଦିନ ଲାଗିଗଲା।ପରାବସୁ ଭାବିଲେ, ଥରେ ଯଜ୍ଞ ଆରମ୍ଭ ହେଲେ ମଝିରେ ନିଜ ଆଶ୍ରମକୁ ଫେରି ପାରିବେ ନାହିଁ;ଆରମ୍ଭ ପୂର୍ବରୁ ଥରେ ଯାଇ ପତ୍ନୀଙ୍କ ସହିତ ଦେଖାକରି ଫେରି ଆସିବା ଉଚିତ ହେବ।

ସନ୍ଧ୍ୟା ସମୟରେ ଯାତ୍ରା ଆରମ୍ଭ କରି ସେ ସାରା ରାତି ଚାଲି ଚାଲି ପାହାନ୍ତିଆ ପହରକୁ ଆଶ୍ରମ ନିକଟରେ ପହଞ୍ଚିଲେ।ଛାଇ ଅନ୍ଧାର ସମୟ;ସିନ୍ଦୁରା ଫାଟିବାକୁ କିଛି ସମୟ ବାକିଥାଏ।ପରାବସୁ ଦେଖିଲେ, ତାଙ୍କ ଆଶ୍ରମ କୁଟୀର ଭିତରକୁ ଏକ ବିଶାଳକାୟ ବଣ୍ୟଜନ୍ତୁ ପ୍ରବେଶ କରୁଛି।ପରାବସୁଙ୍କ ହାତରେ ତୀକ୍ଷ୍ମ ଭାଲ ଥିଲା, ଯାହା ସେ ଯାତ୍ରା ସମୟରେ ଆତ୍ମରକ୍ଷା ପାଇଁ ସାଙ୍ଗରେ ରଖିଥିଲେ। ସେହି ତୀକ୍ଷ୍ଣ ଭାଲକୁ ସେ ବଣ୍ୟ ଜନ୍ତୁ ଉପରକୁ ନିକ୍ଷେପ କଲେ।

ଭାଲ ଲକ୍ଷ୍ୟ ଭେଦ କଲା, କିନ୍ତୁ ଏ କ'ଣ ! ମନୁଷ୍ୟର ମୃତ୍ୟୁ କାଳୀନ ଚିତ୍କାରରେ ବନଭୂମି ପ୍ରକମ୍ପିତ ହେଲା।ନିକଟକୁ ଦଉଡ଼ି ଯାଇ ପରାବସୁ ଦେଖିଲେ ଯେ ତାଙ୍କର ପିତା ମହର୍ଷି ରୈଭ୍ୟଙ୍କ ମୃତଦେହ ପଡ଼ିଛି।ପରାବସୁଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା; ଅଜ୍ଞାତରେ, ହିଂସ୍ର ଯନ୍ତୁ ମନେକରି ନିଜ ପିତାଙ୍କୁ ସେ ବଧ କରିଛନ୍ତି ।


ପରାବସୁଙ୍କ ମାନସିକ ଅବସ୍ଥା ସହଜରେ ଅନୁମେୟ।ଆଶ୍ରମକୁ ନଯାଇ ସେ ଫେରି ଆସିଲେ ବୃହଦ୍ୟୁମ୍ନଙ୍କ ଯଜ୍ଞଶାଳାକୁ ଏବଂ ଭାଇ ଅର୍ଭବସୁଙ୍କ ଆଗରେ ତାଙ୍କ ଅଜ୍ଞାତରେ ଘଟିଥିବା ପିତୃ ହତ୍ୟା ପାପ କଥା ବର୍ଣ୍ଣନା କଲେ।

ଦୁଇ ଭାଇଙ୍କ ଆଗରେ ଏବେ ମହା ସମସ୍ୟା, ପିତାଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ କରିବେ ନା ରାଜାଙ୍କ ଯଜ୍ଞ ଆରମ୍ଭ କରିବେ।ଅର୍ଭବସୁ କହିଲେ ...ଭାଇ ତୁମେ ଚିନ୍ତା କରନାହିଁ, ମୁଁ ଆଶ୍ରମକୁ ଯାଇ ପିତାଙ୍କ କ୍ରିୟାକର୍ମ ଶେଷ କରି ଫେରିବି,ତୁମେ ଏଠାରେ ଯଜ୍ଞକାର୍ଯ୍ୟର ପରିଚାଳନା କର।


ଅର୍ଭବସୁ ଆଶ୍ରମକୁ ଫେରିଆସି ପିତାଙ୍କ ଶେଷକର୍ମ ସୁଚାରୁରୂପେ ପରିଚାଳନା କଲେ।ରାଜା ବୃହଦ୍ୟୁମ୍ନ ଏବଂ ଯଜ୍ଞରେ କର୍ମରତ ବ୍ରାହ୍ମଣ ମାନଙ୍କୁ ଏ ବିଷୟରେ କିଛି ଜଣାନଥାଏ। କିନ୍ତୁ, ଅଜ୍ଞାତରେ ହେଉପଛେ, ପିତୃହତ୍ୟା ପାପରେ ପରାବସୁଙ୍କ ଅନ୍ତରାତ୍ମା କଳୁଷିତ ହୋଇଗଲା କାରଣ ସେ ପିତାଙ୍କୁ ଶୁଦ୍ଧିନ'ହୋଇ ଯଜ୍ଞ ଭଳି ପବିତ୍ର କାର୍ଯ୍ୟରେ ଯୋଗଦେଲେ। ତେଣୁ ଈର୍ଷା,ଲୋଭ,ମୋହ ଭଳି ସବୁ ରାକ୍ଷସ-ଗୁଣ ତାଙ୍କ ମନକୁ ଯାବୁଡି ଧରିଲେ।ଯଜ୍ଞରୁ ଲବ୍ଧ ଧନ ଏବଂ ଯଶ ସେ ଭାଇ ଅର୍ଭବସୁଙ୍କ ସହିତ ଭାଗ କରିବାକୁ ଚାହୁଁ ନଥିଲେ। ପିତୃକାର୍ଯ୍ୟ ଶେଷକରି ଭାଇ ଅର୍ଭବସୁ ଯେତେବେଳେ ଯଜ୍ଞପୀଠକୁ ଫେରିଲେ,ପରାବସୁ ତାଙ୍କ ପ୍ରତି ଈର୍ଷାନ୍ବୀତ‌ହୋଇ, ଉପସ୍ଥିତ ବ୍ରାହ୍ମଣ ମାନଙ୍କୁ କହିଲେ...ଦେଖ ପଣ୍ଡିତ ଗଣ !ଅର୍ଭବସୁ ନାମକ ଏହି ବ୍ୟକ୍ତିଟି ମହାପାପୀ ;ଏହା ମୁଣ୍ଡରେ ବ୍ରହ୍ମହତ୍ୟା ଓ ପିତୃହତ୍ୟା ଦୋଷ ରହିଛି,କାରଣ ନିଜ ପିତାଙ୍କୁ ଏହି ବ୍ୟକ୍ତି ହତ୍ୟା କରିଛି;ପବିତ୍ର ଯଜ୍ଞପୀଠରେ ଏହାର କାମ କ'ଣ ?"


ଉପସ୍ଥିତ ବ୍ରାହ୍ମଣ ସମାଜ "ଘୋରଲଜ୍ଜା'ଘୋର ଲଜ୍ଜା"କହି ଅର୍ଭବସୁଙ୍କୁ ଘୃଣା ପୂର୍ଣ୍ଣ ଆଖିରେ ଦେଖିଲେ ଏବଂ ଯଜ୍ଞସ୍ଥଳ ତ୍ୟାଗ କରି ଚାଲି ଯିବାପାଇଁ କହିଲେ।

ଅର୍ଭବସୁ ନିଜ ଭାଇଙ୍କର ଏପରି ବ୍ୟବହାରରେ ଗଭୀର ଦୁଃଖ ପାଇଲେ।ସେ ଭାଇଙ୍କୁ କହିଲେ...ଭାଇ ପରାବସୁ ! ତୁମେ ଏ'କଣ କହୁଛ!! ତୁମ ହାତରେ ପିତାଙ୍କର ମୃତ୍ୟୁ ଘଟିଲା; ତୁମକୁ ପାପ ମୁକ୍ତ କରିବା ପାଇଁ ମୁଁ ପିତାଙ୍କ ଶେଷକୃତ୍ୟ ପାଳନ କରି ଫେରୁଛି,ଅଥଚ ତୁମେ ପିତୃହତ୍ୟା ଓ ବ୍ରହ୍ମହତ୍ୟା ଦୋଷ ମୋ ମୁଣ୍ଡରେ ବୋଳିଦେଉଛ !"


ପରାବସୁ କହିଲେ...ପାଖଣ୍ଡି ,ଆଉ କେତେ ମିଛ କହିବୁ ?ମିଛ କହିଲେ କଣ ଏଠାରେ ଉପସ୍ଥିତ ପଣ୍ଡିତ ତୋ କଥା ବିଶ୍ବାସ କରିବେ ?"

ବ୍ରାହ୍ମଣମାନେ ଦୁଇଭାଇଙ୍କର ଏହି କଥୋପକଥନ ଶୁଣି ଅର୍ଭବସୁଙ୍କୁ ଯଜ୍ଞସ୍ଥଳରୁ ଧକ୍କା ମାରି ତଡିଦେଲେ।ଘୋର ଅପମାନରେ ଜର୍ଜରିତ ଅର୍ଭବସୁ ଭାଗ୍ୟକୁ ନିନ୍ଦାକରି ଫେରିଲେ।ସେ ଭାବିଲେ.. ପିତାଙ୍କୁ ଶୁଦ୍ଧ ହୋଇନଥିବାରୁ ପରାବସୁଙ୍କ ମନକୁ କଳ୍ମଷ ଯାବୁଡି ଧରିଛି।ତାଙ୍କ ଅନ୍ତରାତ୍ମା ଅପବିତ୍ର ହୋଇଯାଇଛି।ତାଙ୍କୁ ଏହି କାଳିମାରୁ ଉଦ୍ଧାର ନକଲେ ସେ ଏହାଠାରୁ ବଳି ଅଧିକ ପାପ କରିଚାଲିବେ ଏବଂ ନର୍କଗାମୀ ହେବେ।


ଆଶ୍ରମକୁ ନଫେରି ଏକ ବୃକ୍ଷମୂଳରେ ଘୋର ତପସ୍ୟାରେ ନିଜକୁ ମଗ୍ନ କଲେ ଅର୍ଭବସୁ।ଯେତିକି ତପସ୍ୟା କରୁଥାନ୍ତି ସେତିକି ତାଙ୍କ ହୃଦୟ ନିର୍ମଳ ଓ ପବିତ୍ର ହୋଇଯାଉଥାଏ। ଦେବତାମାନେ ତାଙ୍କର ଏହି ଘୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କ ପ୍ରଶଂସାରେ ଶତମୁଖ ହେଲେ।ତାଙ୍କ ତପସ୍ୟାର ଫଳ ସ୍ବରୂପ ଏବଂ ଦେବତାଙ୍କ ଆଶୀର୍ବାଦରେ ପରାବସୁ ପାପ ମୁକ୍ତ ହେଲେ।


ରୈଭ୍ୟ ମହର୍ଷିଙ୍କ ଆଶ୍ରମର ପବିତ୍ର ବାତାବରଣରେ ବସି ପାଣ୍ଡବମାନେ, ଲୋମଶ ମହାମୁନିଙ୍କ ମୁଖରୁ ଏହି ଉପାଖ୍ୟାନ ଶୁଣୁଥିଲେ।ଲୋମଶ କହିଲେ ..ବତ୍ସ ! ଜ୍ଞାନ ଆହରଣ କରିବା ଏବଂ ତା'ର ଉପଯୋଗ କରିବା ଦୁଇଟି ଅଲଗା କଥା।ନିଜ ପିତାଙ୍କଠାରୁ ଉଭୟେ ଅର୍ଭବସୁ ଓ ପରାବସୁ ଜ୍ଞାନ ଆହରଣ କରିଥିଲେ, କିନ୍ତୁ ସେହି ଜ୍ଞାନର ମାହାତ୍ମ୍ୟ ଅର୍ଭବସୁଙ୍କ ପ୍ରତିଟି ବ୍ୟବହାର ଓ କର୍ମରେ ପ୍ରତିଫଳିତ ହେଉଥିଲା।


ପରାବସୁ, ଅର୍ଜିତ ଜ୍ଞାନକୁ ସଂସାର ସଂଗ୍ରହ ଏବଂ ନିଜ ସ୍ବାର୍ଥ ପାଇଁ ବିନିଯୋଗ କରୁଥିଲେ।ପିତୃକାର୍ଯ୍ୟ ସମାପନ ତାଙ୍କ ପାଇଁ ଗୌଣ ଏବଂ ଯଜ୍ଞକାର୍ଯ୍ୟରୁ ଧନ ଆହରଣ କରିବା ମୁଖ୍ୟ କାର୍ଯ୍ୟ ଥିଲା। ସ୍ବାର୍ଥ ସାଧନ ପାଇଁ ନିଜ ଅର୍ଜିତ ପାପ ନିଜ ଭାଇଙ୍କ ମୁଣ୍ଡରେ ବୋଳିଦେଇ ତାଙ୍କୁ ଅପମାନିତ କରିବାକୁ ସେ ପଛେଇ ନଥିଲେ। ବତ୍ସ ! କର୍ମ ହିଁ ପାପ ଓ ପୁଣ୍ୟର ପରିଚାୟକ। ଈର୍ଷା ଲୋଭ ଓ ସ୍ୱାର୍ଥପରତା ଜଣେ କୁରୁ-ବଂଶୀଙ୍କୁ ଦୁର୍ଯ୍ୟୋଧନରେ ପରିଣତ କରେ ତଥା ଦୟା,ଧର୍ମପୂର୍ଣ୍ଣ,କଳ୍ମଷହୀନ ପବିତ୍ରମନ ଅନ୍ୟ ଜଣେ କୁରୁବଂଶଜଙ୍କୁ ଯୁଧିଷ୍ଠିରରେ ପରିଣତ କରେ।ତୁମେ ଦୁହେଁ ତ ଗୋଟିଏ ଗୁରୁଙ୍କଠାରୁ ଶିକ୍ଷା ଲାଭ କରିଥିଲ ପୁତ୍ର ଯୁଧିଷ୍ଠିର ! ଜଣେ କାହିଁକି ଦୁର୍ଯ୍ୟୋଧନ ହେଲା? ଏଥିପାଇଁ କଣ ଗୁରୁ ଦାୟୀ ?



Rate this content
Log in

Similar oriya story from Classics