STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୫୮

କଥା କାଦମ୍ବରୀଭାଗ ୫୮

4 mins
209


ମହର୍ଷି ଲୋମଶଙ୍କ ସହିତ ତୀର୍ଥଯାତ୍ରା କରି ପାଣ୍ଡବମାନେ ଗଙ୍ଗାନଦୀ କୂଳରେ ଏକ ପବିତ୍ର ସ୍ଥାନରେ ପହଞ୍ଚିଲେ,ଯେଉଁ ଠାରେ ମହର୍ଷି ରୈଭ'ଙ୍କ ଆଶ୍ରମ ଥିଲା।ଲୋମଶ,ପାଣ୍ଡବ ମାନଙ୍କୁ କହିଲେ ...ବତ୍ସ ! ଏହା ଏକ ପବିତ୍ର ସ୍ଥାନ,ଏଠାରେ ତ୍ରେତୟା ଯୁଗରେ ପୁଣ୍ୟଶ୍ଳୋକ ଦଶରଥଙ୍କ ପୁତ୍ର ଭରତ ସ୍ନାନ କରି ସ୍ଥାନର ମାହାତ୍ମ୍ୟ ବଢ଼ାଇଥିଲେ;ଏଠାରେ ଦେବମାତା ଅଦିତୀ ଏବଂ ସନତ କୁମାରଙ୍କ ଭଳି ମହାନ ବ୍ୟକ୍ତିବିଶେଷ ତପସାଧନ କରିଥିଲେ। ଜାହ୍ନବୀର ପୁଣ୍ୟ‌ଜଳରେ ଏଠାରେ ସ୍ନାନକଲେ ଦେହ ଓ ଆତ୍ମା ପବିତ୍ର ହୁଅନ୍ତି।


ପାଣ୍ଡବ ମାନେ ସେଠାରେ ଗଙ୍ଗାର ପବିତ୍ର ଜଳରେ ସ୍ନାନ କରି ମହର୍ଷିଙ୍କ ଆଶ୍ରମରେ ଦେବପୂଜା ଶେଷ କଲେ।ତତ୍ପରେ ଲୋମଶ କହିଲେ...ବତ୍ସ ! ଏହି ସ୍ଥାନର ଐତିହ୍ୟ ଭିତରେ ସମାଜ ପ୍ରତି ଏକ ମହାନ୍ ବାର୍ତ୍ତା ଲୁଚି ରହିଛି;ତାହା ହେଉଛି, ଅଧ୍ୟୟନ କରି ଜ୍ଞାନ ଆହରଣ କରାଯାଏ, କେହି ଜ୍ଞାନକୁ ଶିଳରେ ବାଟି ପାଣିରେ ମିଶାଇ ତୁମକୁ ପିଆଇ ପାରିବ ନାହିଁ।


ଏହି ଅରଣ୍ୟପ୍ରାନ୍ତରେ ରୈଭ ଏବଂ ଭରଦ୍ୱାଜ(ଦ୍ରୋଣଙ୍କ ପିତା ନୁହନ୍ତି) ନାମକ ଦୁଇ ମହାନ୍ ଋଷି ବାସ କରୁଥିଲେ।ରୈଭ'ଙ୍କର ଦୁଇଟି ପୁତ୍ର ସନ୍ତାନ ଥିଲେ; ସେମାନଙ୍କ ନାମ 'ପରାବସୁ' ଏବଂ 'ଅର୍ଭବସୁ'। ଭରଦ୍ୱାଜଙ୍କର ଏକମାତ୍ର ପୁତ୍ରର ନାମ ଥିଲା 'ଯବକ୍ରୀଡା'।ପରାବସୁ ଏବଂ ଅର୍ଭବସୁ କଠୋର ପରିଶ୍ରମ କରି , ଗୁରୁଙ୍କଠାରୁ ବିଦ୍ୟା ଶିକ୍ଷା କରି ମହାନ୍ ପାଣ୍ଡିତ୍ୟର ଅଧିକାରୀ ହୋଇ ଥିଲେ। କିନ୍ତୁ ଯବକ୍ରୀଡା ଗୁରୁଙ୍କ ଠାରୁ ବିଦ୍ୟା ଲାଭ କରିବାରେ ବିଶ୍ବାସ କରୁନଥିଲେ।ସେ ଭାବୁଥିଲେ,କଠୋର ତପସ୍ୟାରେ ଦେବତାଙ୍କୁ ସନ୍ତୁଷ୍ଟ କରି ବରଦାନ ଭାବରେ ଯେବେ ଶୀଘ୍ର ଜ୍ଞାନ ଆହରଣ କରିହେବ,ଗୁରୁଙ୍କ ଆବଶ୍ୟକତା କଣ ?


ପିତା ଭରଦ୍ୱାଜ କିନ୍ତୁ ଏ ମନୋବୃତ୍ତିକୁ ସମର୍ଥନ କରୁନଥିଲେ।କ୍ରମେ ପରାବସୁ ଓ ଅରାବସୁଙ୍କ ବେଦ, ବେଦାନ୍ତ ଜ୍ଞାନ ଦୀପରେ ସଂସାର ଆଲୋକିତ ହେଲା। ଯବକ୍ରୀଡାଙ୍କ ମନରେ ସେମାନଙ୍କ ପ୍ରତି ଈର୍ଷାଭାବ ବୃଦ୍ଧି ହେଲା। ଇନ୍ଦ୍ରଙ୍କଠାରୁ 'ଜ୍ଞାନ-ବର'ପାଇବା ପାଇଁ ଘୋର ତପସ୍ୟାରେ ନିମଜ୍ଜିତ ହେଲେ ଯବକ୍ରୀଡା।ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଇନ୍ଦ୍ରଦେବ ସମ୍ମୁଖରେ ଉପସ୍ଥିତ ହେଲେ।ଯବକ୍ରୀଡା କହିଲେ ...ପ୍ରଭୁ! ମୋତେ ଏପରି ବରଦାନ କରନ୍ତୁ ସଂସାରରେ ବେଦ,ବେଦାନ୍ତରେ ମୋ ଠାରୁ ଅନ୍ୟ କେହି ଜ୍ଞାନୀ ନଥିବେ।"


ଇନ୍ଦ୍ର ହସିଲେ, କହିଲେ ...ମୁନିପୁତ୍ର ! ତୁମର ପିତା କଣ ଏହି ଉପାୟରେ ଜ୍ଞାନ ଆହରଣ କରିଛନ୍ତି ? ଜ୍ଞାନ କେବେ ଦାନରେ ଦିଆଯାଏ ନାହିଁ। ସେଥିପାଇଁ ଗୁରୁଙ୍କ ସାହାଯ୍ୟ ନେଇ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡେ। ତୁମେ ଫେରିଯାଅ,ତୁମ ପିତା କିମ୍ବା ଅନ୍ୟ କୌଣସି ଗୁରୁଙ୍କ ସହାୟତାରେ ପରିଶ୍ରମ କରି ଜ୍ଞାନ ଆହରଣ କର।ଜୀବନର ମୂଲ୍ୟବାନ ସମୟ, ତୁମେ ଅଦ୍ଭୁତ ଧାରଣା ଯୋଗୁଁ ନଷ୍ଟ କରିସାରିଲଣି; ତଥାପି ଜ୍ଞାନ ଆହରଣ ପାଇଁ କୌଣସି ବୟସ ନଥାଏ।ଏବେ ବି ସମୟ ଅଛି,ଆଶ୍ରମକୁ ଫେରିଯାଇ ମୋ ଉପଦେଶ କାର୍ଯ୍ୟକାରି କର।"


କିନ୍ତୁ ଇନ୍ଦ୍ରଙ୍କର ଏହି ଉପଦେଶ ଯବକ୍ରୀଡାଙ୍କର ଏକାନରେ ପଶି ସେ କାନରେ ବାହାରିଗଲା।ତାଙ୍କର ଜିଦ୍ ବଢିଗଲା।ସେ ଅଧିକ କଠିନ ତପସ୍ୟାରେ ନିଜକୁ ନିୟୋଜିତ କଲେ। ଇନ୍ଦ୍ର ଦ୍ବିତୀୟ ଥର ଆବିର୍ଭୁତ ହୋଇ ,ଏପରି ଅଯଥା ସମୟ ଓ ଶକ୍ତି ଅପଚୟ ନକରି ଶିକ୍ଷା ମାଧ୍ୟମରେ ବିଦ୍ୟା ଆହରଣ କରିବାକୁ ପୁନର୍ବାର ଉପଦେଶ ଦେଲେ। କିନ୍ତୁ ଜିଦ୍'ଖୋର ଯବକ୍ରୀଡା ଧମକ ଦେଲେ ଯେ ଇନ୍ଦ୍ର ତାଙ୍କୁ ବରଦାନ ନକଲେ ସେ ତପସ୍ୟାରେ ନିଜର ଗୋଟି ଗୋଟି ଅଙ୍ଗ କାଟି ଯଜ୍ଞକୁଣ୍ଡରେ ଆହୂତି ଦେବେ।


ଏପରି ଘୋର ତପସ୍ୟା ସମୟରେ ଦିନେ ଯବକ୍ରୀଡା, ଗଙ୍ଗା ଜଳରେ ସ୍ନାନ କରିବା ସମୟରେ ଦେଖିଲେ, ଜଣେ ବୃଦ୍ଧ ବ୍ରାହ୍ମଣ ଏକ ଅଦ୍ଭୁତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି; ନଦୀ କୂଳରୁ ମୁଠା ମୁଠା ବାଲି ସେ କ୍ଷୀପ୍ର ଗତିରେ ଯାଉଥିବା ଗଙ୍ଗାଜଳରେ ନିକ୍ଷେପ କରୁଛନ୍ତି।ଯବକ୍ରୀଡା ଆଶ୍ଚର୍ଯ୍ୟ ହୋଇ ପଚାରିଲେ..ଆପଣ ଏ କଣ କରୁଛନ୍ତି ମହାଭାଗ !"ବ୍ରାହ୍ମଣ କହିଲେ ... ମୁଁ ନଦୀ ଉପରେ ସେତୂ ନିର୍ମାଣ କରୁଛି।"

ହସିଲେ ଯବକ୍ରୀଡା, କହିଲେ ...ଏହା କଣ ସମ୍ଭବ ବ୍ରାହ୍ମଣ ଗୋସାଇଁ ? ଏହାଠାରୁ ବଳି ଆଉ ମୂର୍ଖାମୀ କଣ ଅଛି ?"

ବ୍ରାହ୍ମଣ କହିଲେ ...ହୋଇପାରେ, କିନ୍ତୁ ତପସ୍ୟାରେ ଜ୍ଞାନ ଆହରଣ ପାଇଁ ଚେଷ୍ଟା କରିବା ଭଳି ମୂର୍ଖାମୀ ଠାରୁ କଣ ଏହା ବଡ଼ ମୂର୍ଖାମୀ !"


ଯବକ୍ରୀଡାଙ୍କର ସନ୍ଦେହ ରହିଲା ନାହିଁ ଯେ ବ୍ରାହ୍ମଣ ଅନ୍ୟ କେହି ନୁହନ୍ତି, ଛଦ୍ମବେଶୀ ଇନ୍ଦ୍ରଦେବ।କିଛି ନିରବତା ପରେ ବ୍ରାହ୍ମଣ ବେଶୀ ଇନ୍ଦ୍ର କହିଲେ..ତୁମର ଏହି କୃଛ୍ର ସାଧନାରେ ଦୟା ପରବଶ ହୋଇ ମୁଁ ତୁମକୁ ବେଦ ବେଦାନ୍ତ ଜ୍ଞାନ ବରଦାନ କରୁଛି, କିନ୍ତୁ ଏପରି ଜ୍ଞାନ କେବଳ ବାହ୍ୟଜ୍ଞାନ ବ୍ୟତୀତ ଅନ୍ୟକିଛି ନୁହେଁ। ସାଧନାଲବ୍ଧ ଜ୍ଞାନ ଯେପରି ବିନୟଭାବ ପ୍ରଦାନ କରେ,ଏହା ତାହା କରିବନାହିଁ।ତୁମେ ଏହି ପ୍ରଦତ୍ତ ଜ୍ଞାନ ବଳରେ ଅନେକ ପଣ୍ଡିତଙ୍କୁ ପରାସ୍ତ କରି ପାରିବ କିନ୍ତୁ ନିଜ ଭିତରର କଳ୍ମଷ ଦୂର କରିପାରିବ ନାହିଁ।"


ଇନ୍ଦ୍ରଙ୍କ ବର ଲାଭ କରି ଜ୍ଞାନ ବଳରେ ପ୍ରମତ୍ତ ହୋଇ ଉଠିଲେ ଯବକ୍ରୀଡା। ଅନେକ ଜ୍ଞାନୀ ବ୍ୟକ୍ତିଙ୍କୁ ଯୁକ୍ତି ତର୍କରେ ହରାଇ ନିଜକୁ ମହାପଣ୍ଡିତ ମନେକଲେ।ରୈଭ'ଙ୍କ ପୁତ୍ର ଅରାବସୁ ଏବଂ ପରାବସୁଙ୍କ ଠାରୁ ଅଧିକ ଜ୍ଞାନ ଲାଭ କରିଥିବାରୁ ସେମାନଙ୍କୁ ତାତ୍ସଲ୍ୟ କରିବାକୁ ଲାଗିଲେ ଏବଂ ରୈଭ'ଙ୍କ ପ୍ରତି ଖରାପ ବ୍ୟବହାର କଲେ ।ଏହା ଦେଖି ପିତା ଭରଦ୍ୱାଜ ପୁତ୍ରକୁ କହିଲେ...ବାବୁରେ ! ଦେବତା ମାନଙ୍କଠାରୁ ବର ପାଇ ଏଭଳି କେତେ ବ୍ୟକ୍ତି ସମୟ ସୁଅରେ ଲୀନ ହୋଇ ଯାଇଛନ୍ତି।ବିନୟ ଭାବ ନଥିଲେ ବିଦ୍ୟାର ମୂଲ୍ୟ ନାହିଁ।ଗର୍ବ ମନକୁ ଅପବିତ୍ର କରେ। ଇନ୍ଦ୍ରଙ୍କ ଦ୍ବାରା ପ୍ରଦତ୍ତ ଜ୍ଞାନ ପାଇ,ନିଜକୁ ଇନ୍ଦ୍ର ପଦରେ ଆସୀନ ବୋଲି ଭାବନାହିଁ।ମନ ଭିତରୁ ମୂର୍ଖତା ଦୂର କର,ବାସ୍ତବ ଜ୍ଞାନ ଆହରଣ କର।"


ବସନ୍ତ ସମୟ, ସମଗ୍ର ବନପ୍ରଦେଶ ନାନା ଜାତିର ପୁଷ୍ପରେ ବିମଣ୍ଡିତ ହୋଇ ନନ୍ଦନ କାନନର ସୁଷମା ସୃଷ୍ଟି କରୁଥିଲା।ବକୁଳ,ନବମଲ୍ଲୀକା,ନୀଳୋତ୍ପଳ,ଚୂତ,ରକ୍ତୋତ୍ପଳ ଆଦି ପଞ୍ଚଶର ଧରି କନ୍ଦର୍ପ ଭ୍ରମଣ କରୁଥିଲେ ବନଦେଶରେ। ଏହି ସମୟରେ ପରାବସୁଙ୍କ ସୁନ୍ଦରୀ ପତ୍ନୀ ଆଶ୍ରମର ଉଦ୍ୟାନରେ ଭ୍ରମଣ କରୁଥିଲେ।ଏତେ ଅନୁପମ ଦେଖାଯାଉଥିଲେ,ସତେ ଅବା ସ୍ବର୍ଗର ପରୀ ଓହ୍ଲାଇ ଆସିଛନ୍ତି ମର୍ତ୍ତ୍ୟକୁ।ତାଙ୍କୁ ଦେଖି କାମବାଣରେ ପ୍ରପୀଡ଼ିତ ଯବକ୍ରୀଡା ହିତାହିତ ଜ୍ଞାନଶୂନ୍ୟ ହୋଇ ପ୍ରେମ ଭିକ୍ଷା କଲେ।ନିଜକୁ ପରାବସୁଙ୍କ ଠାରୁ ଅଧିକ ଜ୍ଞାନବାନ ବୋଲି କହି,ପରାବସୁଙ୍କ ପତ୍ନୀଙ୍କୁ ଯବକ୍ରୀଡା କହିଲେ... ମୂର୍ଖକୁ ପରିତ୍ୟାଗ କରି ମୋତେ ରତିଦାନ କର ସୁଶୀଳେ !"

ତାତ୍ସଲ୍ୟ କରି ପରାବସୁଙ୍କ ପତ୍ନୀ କହିଲେ..ଇନ୍ଦ୍ରଙ୍କଠାରୁ ଉଧାର ଆଣିଥିବା ଜ୍ଞାନରେ ବଳୀୟାନ ହେ ତଥାକଥିତ ପଣ୍ଡିତ,ଆପଣ କେତେ ଜ୍ଞାନୀ ଏହି ହୀନ କାର୍ଯ୍ୟ ତାର ପରିଚାୟକ। କୌଣସି ଜ୍ଞାନୀ କେବେ ପରଦାରା ହରଣ କରେନାହିଁ। ମୋ ପ୍ରତି ପାପଦୃଷ୍ଟି ପକାଇଲେ ପରିଣାମ ଭୟାବହ ହେବ।"


ଯବକ୍ରୀଡା କିନ୍ତୁ କିଛି ଶୁଣିଲେ ନାହିଁ।ପରାବସୁଙ୍କ ପତ୍ନୀଙ୍କ ଉପରେ ସେ ବଳାତ୍କାର କଲେ।ସେ ସମୟରେ ତାଙ୍କୁ ରକ୍ଷା କରିବା ପାଇଁ ଆଶ୍ରମରେ କେହି ନଥିଲେ। ମହର୍ଷି ରୈଭ ଆଶ୍ରମକୁ ଫେରିବା ପରେ,ଯବକ୍ରୀଡାଙ୍କ କୁକର୍ମ ବିଷୟରେ ଅବଗତ ହୋଇ ଭୟଙ୍କର କ୍ରୋଧରେ କମ୍ପି ଉଠିଲେ।ନିଜ ଜଟାରୁ ଗୋଟିଏ କେଶ ଛିଣ୍ଡାଇ ସେ ଯଜ୍ଞକୁଣ୍ଡକୁ ନିକ୍ଷେପ କଲେ;କୁଣ୍ଡରୁ ବାହାରି ଆସିଲା ଏକ ସୁନ୍ଦରୀ ତରୁଣୀ।ଜଟାରୁ ଆଉ ଏକ କେଶ ଉତ୍ପାଟନ କରି ଅଗ୍ନିକୁ ନିକ୍ଷେପ କଲେ ରୈଭ।କୁଣ୍ଡରୁ ବାହାରି ଆସିଲା ଏକ ଭୀମକାୟ ରାକ୍ଷସ।ସେମାନଙ୍କୁ ରୈଭ ଆଦେଶ ଦେଲେ ଅବିବେକୀ ଜ୍ଞାନ-ମୂର୍ଖ ଯବକ୍ରୀଡାଙ୍କୁ ବିନାଶ କରିବାପାଇଁ।


ପ୍ରଥମେ ସେହି ସୁନ୍ଦରୀ ନାରୀ ଯବକ୍ରୀଡାଙ୍କ ମନକୁ ଭ୍ରମିତ କରି କାନନ ଭିତରେ ଦୂରରୁ ଦୂରକୁ ନେଇଗଲା। ତା'ପରେ ରାକ୍ଷସ ତାଙ୍କ ପଛରେ ଶୂଳଧରି ଗୋଡାଇଲା ବଧ କରିବାପାଇଁ। ସୁନ୍ଦରୀ ନାରୀଟି ଯବକ୍ରୀଡାଙ୍କର କମଣ୍ଡଳୁ ଛଡ଼ାଇ ନେଇ ପଳାଇଲା। ମହର୍ଷି ମାନଙ୍କର ସମସ୍ତ ଶକ୍ତି ଥାଏ କମଣ୍ଡଳୁ ଜଳରେ। ତାହା ପାଖରେ ନଥିବାରୁ ଯବକ୍ରୀଡା ହତାଶ ଭାବରେ ଦଉଡିବାକୁ ଆରମ୍ଭ କଲେ।ରାକ୍ଷସ ଦଉଡୁଥାଏ ପଛରେ।ଯବକ୍ରୀଡା ନଦୀ ଭିତରେ ବୁଡ଼ିଯାଇ ରକ୍ଷା ପାଇବାକୁ ଇଚ୍ଛା କଲେ। କିନ୍ତୁ ଏ କ'ଣ ! ନଦୀର ପାଣି ମଧ୍ୟ ଶୁଖିଗଲା।ଶେଷରେ ଦଉଡ଼ି ଦଉଡ଼ି ନିଜ ଆଶ୍ରମ ଭିତରେ ପଶିଗଲେ ସେ।ରାକ୍ଷସ ତାଙ୍କୁ ଧରି ନେଇ ହତ୍ୟା କଲା।ଯବକ୍ରୀଡାଙ୍କର ରାକ୍ଷସ ଦ୍ବାରା ନିଧନ ଖୁବ୍ ସାଙ୍କେତିକ;ପରଦାରା ପ୍ରତି କାମଭାବ ମନର ରାକ୍ଷସ ଠାରୁ କିଛି କମ୍ ନୁହେଁ। ସେହି ରାକ୍ଷସ ପରିଶେଷରେ ବିବେକକୁ ହତ୍ୟାକରେ।


ଏକମାତ୍ର ପୁତ୍ର ଯବକ୍ରୀଡାଙ୍କର ମୃତ୍ୟୁପରେ ଭରଦ୍ୱାଜ ଦୁଃଖରେ ମ୍ରିୟମାଣ ହୋଇ ସେହି ଚିତାରେ ପ୍ରାଣ ବିସର୍ଜନ କଲେ।



Rate this content
Log in

Similar oriya story from Classics