STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୫୫

କଥା କାଦମ୍ବରୀଭାଗ ୫୫

5 mins
159


ପାଣ୍ଡବଙ୍କ ବନବାସ ସମୟରେ ଥରେ ଶ୍ରୀକୃଷ୍ଣ,ବଳରାମ ଓ ସାତ୍ୟକି ସେମାନଙ୍କୁ ସାକ୍ଷାତ କରିବାକୁ ବନପ୍ରଦେଶକୁ ଯାଇଥିଲେ। ପାଣ୍ଡବମାନଙ୍କର ଦୁର୍ଦ୍ଦଶା ଦେଖି ଦୁଃଖରେ ମ୍ରିୟମାଣ ହୋଇ ବଳରାମ ଶ୍ରୀକୃଷ୍ଣଙ୍କୁ କହିଲେ.... ଛଳନାର ଶିକାର ହୋଇ ଧର୍ମାତ୍ମା ପାଣ୍ଡବମାନେ ନିଜର ରାଜ୍ୟ ହରାଇ ବଳ୍କଳ ପିନ୍ଧି,ଫଳମୂଳ ଖାଇ ବଣଜଙ୍ଗଲରେ ବୁଲୁଥିବା ବେଳେ, ଅଧର୍ମୀ କୌରବ ମାନେ ମହାଆନନ୍ଦରେ କାଳାତିପାତ କରୁଛନ୍ତି; ଏହା ଦେଖି ପୃଥିବୀରେ କିଏ କାହିଁକି ଧର୍ମପଥ ଅନୁସରଣ କରିବ ?ଏ ପ୍ରକାର ଅନ୍ୟାୟ କର୍ମ ପାଇଁ ପରଲୋକରେ ଧୃତରାଷ୍ଟ୍ର କିପରି ପୂର୍ବଜ ମାନଙ୍କୁ ନିଜର ନିର୍ଲ୍ଲଜ ମୁହଁ ଦେଖାଇବେ?"


ଏହା ଶୁଣି ସାତ୍ୟକି କହିଲେ..ଭାଇ ବଳରାମ ! ଏପରି ସହାନୁଭୂତି ଦେଖାଇବାରେ କଣ ମୂଲ୍ୟ ?ଆମେ ଯାଦବମାନେ ଚାହିଁଲେ ହସ୍ତିନା ଆକ୍ରମଣ କରି କୌରବ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ପାଣ୍ଡବ ମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେଇପାରିବା।"


  ମୃଦୁ ହସି , ଶ୍ରୀକୃଷ୍ଣ ସାତ୍ୟକିଙ୍କୁ ଚାହିଁ କହିଲେ...ପ୍ରିୟ ସାତ୍ୟକି ! ତୁମେ କଣ ଭାବୁଛ ଏହି ବିକଳ୍ପ ମୋ ମନକୁ ଆସିନାହିଁ? ମୁଁ ଜାଣେ କୌରବମାନଙ୍କୁ ପରାସ୍ତ କରି ଆମେ ପାଣ୍ଡବଙ୍କ ହୃତରାଜ୍ୟ ତାଙ୍କୁ ଫେରାଇ ଦେଇ ପାରିବା,କିନ୍ତୁ ଏହାଦ୍ବାରା ସେମାନଙ୍କର ଆତ୍ମସମ୍ମାନ ବାଧାପ୍ରାପ୍ତ ହେବ।ଆମ ଦୟା ଯୋଗୁଁ ପାଇଥିବା ରାଜ୍ୟ, କଦାପି ଅଖଣ୍ଡ ପୌରୁଷ ଓ ଆତ୍ମସମ୍ମାନର ଅଧିକାରୀ ପାଣ୍ଡବମାନେ ଗ୍ରହଣ କରିବେ ନାହିଁ। ଦୁର୍ଯ୍ୟୋଧନର ଜାନୁ ଭଙ୍ଗ ପାଇଁ ଅପେକ୍ଷା କରିଥିବା ବୃକୋଦର ଏବଂ ଦୁଃଶାସନ ରକ୍ତରେ ବେଣୀ ବନ୍ଧନ କରିବାକୁ ଅପେକ୍ଷା କରିଥିବା ପାଞ୍ଚାଳୀ କଣ ଆମ ଦାନ ଗ୍ରହଣ କରିବେ ପ୍ରିୟ ସାତ୍ୟକି ? କୁରୁ ସଭାରେ କରିଥିବା ସତ୍ୟରୁ କଣ ବିଚ୍ୟୁତ ହେବେ ଧର୍ମରାଜ ଯୁଧିଷ୍ଠିର ?"


ଶ୍ରୀକୃଷ୍ଣଙ୍କ ମୁଖ ନିସ୍ରୁତ ଏହି ବାଣୀ ଯୁଧିଷ୍ଠିର ଏବଂ ପାଞ୍ଚାଳୀଙ୍କୁ ପ୍ରଭାବିତ କଲା। ଯୁଧିଷ୍ଠିର କହିଲେ ...ବାସୁଦେବ ମୋ ମନକଥା କହିଛନ୍ତି।ତେରବର୍ଷ ପରେ ଆମେ ଆମର ରାଜ୍ୟ ଫେରି ନପାଇଲେ ନିଶ୍ଚିତ ଭାବରେ ଯୁଦ୍ଧ ହେବ ଏବଂ ସେ ସମୟରେ ଆମେ ଯାଦବ ମାନଙ୍କର ସହାୟତା ନିଶ୍ଚୟ ମାଗିବୁ।"

କୃଷ୍ଣ ବଳରାମ ଫେରିଯିବା ପରେ ,ଅର୍ଜୁନଙ୍କ ଚିନ୍ତାରେ ଥିଲେ ପାଣ୍ଡବ ଚାରିଭାଇ;ଦିବ୍ୟାସ୍ତ୍ର ନେଇ ଫେରିବାରେ ବିଳମ୍ବ ଦେଖି ଯୁଧିଷ୍ଠିର ଦୁଃଖରେ ମ୍ରିୟମାଣ ଥିଲେ। ଏହି ସମୟରେ ମହର୍ଷି 'ବୃହଦାଶ୍ବ' ପାଣ୍ଡବମାନଙ୍କ କୁଟୀରରେ ପହଞ୍ଚିଲେ।ମୁନିଙ୍କ ପାଦ ବନ୍ଦନା କରି ଯୁଧିଷ୍ଠିର କହିଲେ...ଭଗବନ୍ ! କୌରବଙ୍କ କୁଟିଳ ଚକ୍ରାନ୍ତ ଯୋଗୁଁ ଆମେ ରାଜ୍ୟ ହରାଇ ଦୁଃଖରେ ବନବାସୀ ଜୀବନ ଯାପନ କରୁଛୁ।ଅନେକ ଦିନ ଧରି ମଧ୍ୟମ ପାଣ୍ଡବ ଅର୍ଜୁନ ଦିବ୍ୟାସ୍ତ୍ର ସନ୍ଧାନରେ ଯାଇ ଫେରି ନାହାନ୍ତି।କେବେ ସେ ଆମ ଗହଣକୁ ଫେରି ଆସିବେ, ଦିବ୍ୟଦୃଷ୍ଟି ବଳରେ କହିପାରିବେ କି ମହର୍ଷି ?"


ପାଣ୍ଡବମାନଙ୍କୁ ଆଶ୍ଵସନା ଦେଇ ବୃହଦାଶ୍ବ କହିଲେ.. ଚିନ୍ତା କରନାହିଁ ପୁତ୍ର ! ଅର୍ଜୁନ ଅତି ଶୀଘ୍ର ଫେରିଆସିବେ।ତୁମ ଦୁଃଖରେ ମୁଁ ଅତ୍ୟନ୍ତ ଦୁଃଖିତ;ଏପରିକି ଅରଣ୍ୟ, ନଦୀ,ପଶୁ,ପକ୍ଷୀ ସମସ୍ତେ ତୁମ ଦୁଃଖରେ ମ୍ରିୟମାଣ।କିନ୍ତୁ ତୁମେ ନଳ ରାଜାଙ୍କ ପରି ଧର୍ମପଥରେ ରହିଛ;ଶେଷରେ ତୁମର ବିଜୟ ସୁନିଶ୍ଚିତ ପୁତ୍ର। ଦୁଃଖ ଲାଘବ ପାଇଁ ନଳ ଚରିତ କହୁଛି,ଶୁଣ..


ନିଷଧ ରାଜ୍ୟର ରାଜା,ବୀରସେନଙ୍କ ପୁତ୍ର ନଳ, ଦେବପୁରୁଷ ଭଳି ସୁନ୍ଦର ଏବଂ ସାକ୍ଷାତ ଧର୍ମରାଜଙ୍କ ଭଳି ସତ୍'ପଥଗାମୀ ଥିଲେ।ବୀରସେନଙ୍କ ପରେ ସିଂହାସନ ଆରୋହଣ କରି ସେ ପ୍ରଜାମାନଙ୍କୁ ଶାନ୍ତିରେ ପାଳନ କରୁଥିଲେ। ଦେବତାମାନେ ତାଙ୍କ ପ୍ରତି ସନ୍ତୁଷ୍ଟ ଥିଲେ। କିନ୍ତୁ ତାଙ୍କ କ୍ଷାତି ଦେଖି "କଳି-ପୁରୁଷ" ଈର୍ଷାରେ ଜଳୁଥିଲେ।


ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତି ଏବଂ ଅଶ୍ବପାଳନ ଓ ଚାଳନା କାର୍ଯ୍ୟରେ ନଳ ଧୁରନ୍ଧର ଥିଲେ, କିନ୍ତୁ ପଶାଖେଳ ପ୍ରତି ତାଙ୍କର ଅସୀମ ଦୁର୍ବଳତା ଥିଲା। ଦିନେ ନଳ ଅରଣ୍ୟରେ ଶିକାର ଉଦ୍ଦେଶ୍ୟରେ ଭ୍ରମଣ କରୁଥିବା ସମୟରେ ଏକ ଅପୂର୍ବ ସୁବର୍ଣ୍ଣ ହଂସଠାରୁ ସେ ଅପରୂପା ସୁନ୍ଦରୀ ତଥା ଗୁଣବତୀ ବିଦର୍ଭ ରାଜକନ୍ୟା ଦମୟନ୍ତୀଙ୍କ ବିଷୟରେ ଶୁଣିବା ପରେ ତାଙ୍କୁ ବିବାହ କରିବାକୁ ଚାହିଁଲେ। ସୁବର୍ଣ୍ଣ ହଂସ ଏହି କାର୍ଯ୍ୟରେ ନଳଙ୍କର ସହାୟତା କଲା। ହଂସ ଦମୟନ୍ତୀଙ୍କ ପ୍ରକୋଷ୍ଠରେ ପହଞ୍ଚି ନଳଙ୍କ ରୂପଗୁଣର ଭୂୟସୀ ପ୍ରଶଂସା କଲା।ଦମୟନ୍ତୀ ନଳଙ୍କ ପ୍ରଶଂସା ହଂସଦୂତଠାରୁ ଶୁଣି ନିଜର ମନପ୍ରାଣ ତାଙ୍କରି ଠାରେ ଅର୍ପଣ କରିଦେଇଥିଲେ।


ବିଦର୍ଭ ରାଜା ଭୀମ କନ୍ୟାର ସ୍ଵୟମ୍ବର ଦିନ ଧାର୍ଯ୍ୟ କରି ରାଜାମାନଙ୍କୁ ନିମନ୍ତ୍ରଣ କଲେ।ରାଜକନ୍ୟା ଏପରି ରୂପବତୀ ଓ ଗୁଣବତୀ ଥିଲେ ଯେ ସ୍ଵର୍ଗରୁ ଦେବତାମାନେ ମଧ୍ୟ ବିବାହ ଆଶାନେଇ ଦମୟନ୍ତୀଙ୍କ ସ୍ବୟଂବର ସଭାକୁ ଆସିଥିଲେ। ଦେବତାମାନେ, ନଳଙ୍କପ୍ରତି ଦମୟନ୍ତୀଙ୍କର ଦୁର୍ବଳତା ବିଷୟରେ ଜାଣିଥିଲେ।ଇନ୍ଦ୍ର,ଚନ୍ଦ୍ର, ଅଗ୍ନି,ବରୁଣ ଚାରିଜଣ ନଳ ବେଶରେ ସଭାରେ ବିରାଜମାନ।ପାଞ୍ଚଜଣ ନଳ ଭିତରୁ ପ୍ରକୃତ ନଳ କିଏ, କିପରି ଜାଣିବେ ଦମୟନ୍ତୀ !ଏ ସମୟରେ ଦେବୀ ସରସ୍ବତୀ ଦମୟନ୍ତୀଙ୍କୁ ସାହାଯ୍ୟ କଲେ।ସେ ଦମୟନ୍ତୀଙ୍କ କାନରେ କହିଲେ.... ଯେଉଁ ନଳଙ୍କର ଛାୟା ଭୂମିରେ ପଡ଼ିଥିବ ସେ ପ୍ରକୃତ ନଳ;ଅନ୍ୟମାନେ ଛଦ୍ମବେଶୀ ଦେବତା।ଦମୟନ୍ତୀ ପ୍ରକୃତ ନଳଙ୍କୁ ଚିହ୍ନି ପାରି ତାଙ୍କ ଗଳାରେ ବରଣମାଳା ଦେଇ ତାଙ୍କୁ ଜୀବନସାଥି ଭାବରେ ବାଛି ନେଲେ। ଦେବତାମାନେ ନଳ-ଦମୟନ୍ତୀଙ୍କୁ ଆଶୀର୍ବାଦ ଦେଇ ଯେ ଯାହା ବାଟରେ ଚାଲିଗଲେ। କିନ୍ତୁ ଘୋର ଈର୍ଷାନ୍ବିତ ହୋଇ କଳିପୁରୁଷ ନଳଙ୍କ ଠାରୁ ଦମୟନ୍ତୀଙ୍କୁ ବିଚ୍ଛେଦ କରିବା ପାଇଁ ବଦ୍ଧପରିକର ହେଲେ।


ଧର୍ମାତ୍ମା ନଳଙ୍କୁ ବିପଥଗାମୀ କରି ଦମୟନ୍ତୀଙ୍କଠାରୁ ଦୂରେଇ ନେବାପାଇଁ ଦୀର୍ଘ ବାରବର୍ଷ ଚେଷ୍ଟା କରିବାପରେ କଳି ସଫଳକାମ ହେଲେ।ଦିନେ ରାଜା ପଦ ଧୗତ କରିବା ସମୟରେ ଗୋଇଠି ଶେଷରେ ଧୌତ ପାଣି ଲାଗିଲା ନାହିଁ; ସେହି ଛିଦ୍ର ଦେଖି କଳି ନଳଙ୍କ ଶରୀରରେ ପ୍ରବେଶ କଲେ। ରାଜାଙ୍କର ପଶାଖେଳ ପ୍ରତି ଦୁର୍ବଳତାର ସୁଯୋଗ ନେଇ, ରାଜାଙ୍କ ଭାଇ ପୁଷ୍କରଙ୍କ ସହିତ ଖେଳ ସମୟରେ ନଳଙ୍କର ମତି ବିଭ୍ରମ କଲେ କଳି।ନଳ ନିଜ ରାଜ୍ୟ ବାଜି ପକାଇ ହାରି ଯିବାପରେ ଦମୟନ୍ତୀଙ୍କୁ ନେଇ ଅରଣ୍ୟକୁ ଚାଲିଗଲେ।ଅରଣ୍ୟରେ ମଧ୍ୟ କଳି ,ନଳଙ୍କର ଏପରି ମତିବିଭ୍ରମ କଲେ ଯେ ଦିନେ ଦମୟନ୍ତୀ ଶୟନ କରିଥିବା ସମୟରେ ନଳ ତାଙ୍କୁ ଅରଣ୍ୟରେ ପରିତ୍ୟାଗ କରି ଚାଲିଗଲେ। ନିଦ୍ରାଭଙ୍ଗ ପରେ ଦମୟନ୍ତୀ ବ୍ୟାକୁଳ ହୃଦୟରେ ଅରଣ୍ୟରେ ଘୂରି ବୁଲିଲେ।


  ଅରଣ୍ୟରେ ଅନେକ କଷ୍ଟ ଭୋଗକଲେ ବିଦର୍ଭ ରାଜକୁମାରୀ ଦମୟନ୍ତୀ। ପ୍ରଥମେ ଏକ ବିଶାଳକାୟ ସର୍ପର କବଳରେ ପଡିଲେ।ଜଣେ ଶିକାରୀ ତାଙ୍କୁ ସର୍ପ କବଳରୁ ରକ୍ଷା କଲା। କିନ୍ତୁ ଦମୟନ୍ତୀଙ୍କ ଅପୂର୍ବ ସୌନ୍ଦର୍ଯ୍ୟରେ ପ୍ରଲୋଭିତ ହୋଇ ଶିକାରୀ ତାଙ୍କ ଉପରେ ବଳାତ୍କାର କରିବାକୁ ଚେଷ୍ଟା କଲା।ସତୀତ୍ବର ପରାକାଷ୍ଠା ଏଠାରେ ଦର୍ଶନ ଯୋଗ୍ୟ। ଦମୟନ୍ତୀଙ୍କ ଅଭିଶାପରେ ଜୀବନ୍ତ ଦଗ୍ଧ ହୋଇଗଲା ବ୍ୟାଧ। ତା'ପରେ ସେହି ବନଦେଶରେ କିଛି ବଣିକ ଜନପଦ ଆଡକୁ ଯାଉଥିଲେ। ଦମୟନ୍ତୀଙ୍କ ଅନୁରୋଧରେ ସେମାନେ ତାଙ୍କୁ ସେମାନଙ୍କ ସହିତ ନେବାପାଇଁ ସମ୍ମତ ହେଲେ।ପଥରେ ଯାତ୍ରା ସମୟରେ କିଛି ବନ୍ୟହସ୍ତୀ ବଣିକ ମାନଙ୍କୁ ଆକ୍ରମଣ କରି ସେମାନଙ୍କ ପଣ୍ୟଦ୍ରବ୍ୟ ନଷ୍ଟ କରିଦେବାରୁ ସେମାନେ ଦମୟନ୍ତୀଙ୍କ ଉପସ୍ଥିତିକୁ ଅଶୁଭ ମନେକରି ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ। ଶେଷରେ ଅନେକ କଷ୍ଟରେ ଅରଣ୍ୟରେ ବୁଲିବା ପରେ ନିଜ ପିତାଙ୍କ ରାଜ୍ୟ ବିଦର୍ଭରେ ପହଞ୍ଚିଲେ ଦମୟନ୍ତୀ।


ଏଣେ ନଳ ନିଜର ଭୁଲ୍ ବୁଝିପାରି ଦମୟନ୍ତୀଙ୍କୁ ଅରଣ୍ୟରେ ଖୋଜି ଖୋଜି ପାଇଲେ ନାହିଁ। ଏଭଳି ବିଭ୍ରମିତ ହୋଇ ଭ୍ରମଣ କରୁଥିବା ସମୟରେ ଅରଣ୍ୟରେ ଲାଗିଥିବା ଅଗ୍ନିରୁ "କର୍କୋଟକ "ନାମକ ଏକ ନାଗକୁ ଦୟାପରବଶ ହୋଇ ଉଦ୍ଧାର କଲେ ନଳ। ନଳଙ୍କ ଉପରେ ସନ୍ତୁଷ୍ଟ ହୋଇ କର୍କୋଟକ ତାଙ୍କୁ ଏଭଳି ଶକ୍ତି ପ୍ରଦାନ କଲେ ଯେ ସେ ଇଚ୍ଛା କରି ନିଜର ରୂପ ପରିବର୍ତ୍ତନ କରିପାରିବେ। କର୍କୋଟକ ତାଙ୍କୁ ଅଯୋଧ୍ୟା ରାଜା ଋତୁପର୍ଣ୍ଣଙ୍କ ପାଖରୁ ପଶାଖେଳ, ଉତ୍ତମ ଭାବରେ ଶିକ୍ଷା କରି,ନିଜ ହୃତରାଜ୍ୟ ଫେରିପାଇବା ପାଇଁ ଚେଷ୍ଟା କରିବାପାଇଁ ପ୍ରବର୍ତ୍ତାଇଲେ। ଅଯୋଧ୍ୟାରେ ପହଞ୍ଚି,ନିଜର ରୂପ ପରିବର୍ତ୍ତନ କରି, କୁତ୍ସିତ-କଳେବର "ବାହୁକ"ନାମ ଧାରଣ କରି ରାଜା ଋତୁପର୍ଣ୍ଣଙ୍କର ସାରଥୀ ଭାବରେ ରହି ଦ୍ୟୂତକ୍ରୀଡା ଶିକ୍ଷା କରିବା ସମ୍ଭାବନାରେ ରହିଲେ ନଳ।


ନଳଙ୍କୁ ପାଇବା ପାଇଁ ଦମୟନ୍ତୀ ସ୍ବର୍ଗ ମର୍ତ୍ତ୍ୟ ପାତାଳ ଏକ କରିଦେଲେ।ସେ ଜାଣିଥିଲେ ତାଙ୍କୁ ଅନ୍ୟ କାହାର ଅଙ୍କଲକ୍ଷ୍ମୀ ହେବା ନଳ କଦାପି ସହ୍ୟ କରିପାରିବେ ନାହିଁ ଏବଂ ସ୍ବୟଂବର ସମ୍ବାଦ ପାଇ ଯେଉଁଠାରେ ଥିଲେ ମଧ୍ୟ ଚାଲି ଆସିବେ।ତେଣୁ ଏକ ସ୍ବୟଂବରର ଆୟୋଜନ କରିବାପାଇଁ ପିତାଙ୍କୁ ପ୍ରବର୍ତ୍ତାଇଲେ ଦମୟନ୍ତୀ। ସେହି ସ୍ବୟଂବରକୁ ଅଯୋଧ୍ୟା ରାଜା ଋତୁପର୍ଣ୍ଣ ମଧ୍ୟ ନିମନ୍ତ୍ରିତ ହୋଇଥିଲେ। ଦମୟନ୍ତୀ, ଋତୁପର୍ଣ୍ଣଙ୍କ ରଥଚାଳକ ବାହୁକଙ୍କ ଅଶ୍ବଚାଳନା ଟାପୁ ଶବ୍ଦରୁ ଜାଣି ପାରିଲେ ଯେ ସେ ନଳ ବ୍ୟତୀତ ଅନ୍ୟ କେହି ନୁହନ୍ତି। କିନ୍ତୁ ତାଙ୍କର କୁତ୍ସିତ ଖର୍ବ ଶରୀର ଦେଖି ସନ୍ଦେହରେ ରହିଥିଲେ ଦମୟନ୍ତୀ।ଦାସୀ ମାଧ୍ୟମରେ ବାହୁକଙ୍କୁ କିଛି ପ୍ରଶ୍ନ ପଚାରି ସେହି ଉତ୍ତରରୁ ଜାଣିପାରିଲେ ଦମୟନ୍ତୀ ଯେ ବାହୁକ ନଳ ବ୍ୟତୀତ ଅନ୍ୟ କେହି ନୁହନ୍ତି।ନଳ ମଧ୍ୟ ଦମୟନ୍ତୀଙ୍କୁ ଦେଖି କୁତ୍ସିତ ରୂପ ପରିତ୍ୟାଗ କରି ନିଜ କନ୍ଦର୍ପବିନିନ୍ଦିତ ରୂପରେ ଉଭାହେଲା।


ରାଜା ଋତୁପର୍ଣ୍ଣ ନଳଙ୍କ ପ୍ରକୃତ ପରିଚୟ ପାଇ ଆନନ୍ଦରେ ତାଙ୍କୁ କୋଳାଗ୍ରତ କଲେ।ନଳଙ୍କ ଅନୁରୋଧରେ ଋତୁପର୍ଣ୍ଣ ତାଙ୍କୁ ଦ୍ୟୂତ-ବିଦ୍ୟା ଶିକ୍ଷା ଦେଲେ।ଏ ଭିତରେ ନଳ-ଦମୟନ୍ତୀଙ୍କ ପ୍ରେମର ନିଷ୍ଠା ଦେଖି କଳି ତାଙ୍କ ଦେହ ତ୍ୟାଗ କରି ଚାଲିଗଲେ।ନଳ ପୁଷ୍କରଙ୍କ ଆଗରେ ଦ୍ୟୂତକ୍ରୀଡାର ଆହ୍ଵାନ ଦେଲେ ଏବଂ ବାଜିରେ ନିଜ ରାଜ୍ୟ ବଦଳରେ ଦମୟନ୍ତୀଙ୍କୁ ବାଜି ରଖିଲେ।ନଳ ଜାଣିଥିଲେ ଯେ ଏହି କ୍ରୀଡାରେ ସେ ନିଶ୍ଚିତ ଭାବରେ ସଫଳ ହେବେ ଏବଂ ଏହା ତାଙ୍କ ଜୀବନର ଶେଷ ଦ୍ୟୂତକ୍ରୀଡା ହେବ।


ପୁଷ୍କର, ଅପରୂପା ଦମୟନ୍ତୀଙ୍କୁ ପାଇବା ଆଶାରେ ଦ୍ୟୂତକ୍ରୀଡାରେ ଭାଗନେଲେ ଏବଂ ପରାସ୍ତ ହୋଇ ରାଜ୍ୟ ହରାଇଲେ।ନଳ ପୁଷ୍କରଙ୍କୁ ରାଜ୍ୟରୁ ବିତାଡିତ କରି ପାରିଥାନ୍ତେ, କିନ୍ତୁ ସେ ଦୟାବାନ୍ ଥିଲେ। ପୁଷ୍କରଙ୍କୁ ରାଜ୍ୟରୁ କିଛି ଅଂଶ ଦାନ କରି ସେଠାରେ ରାଜତ୍ୱ କରିବାକୁ ଅନୁମତି ଦେଲେ।


ନଳ ଚରିତ ବର୍ଣ୍ଣନା କରି ଋଷି ବୃହଦାଶ୍ବ ଯୁଧିଷ୍ଠିରଙ୍କୁ କହିଲେ..ବତ୍ସ ! ନଳ ଯେପରି କଷ୍ଟକର ଜୀବନ ଯାପନ କରିଥିଲେ,ତା'ତୁଳନାରେ ତୁମର ଏ କଷ୍ଟ କିଛି ନୁହେଁ।ଧର୍ମ ମାର୍ଗରେ ଥିବାରୁ କଳି ମଧ୍ୟ ତାଙ୍କର କିଛି କ୍ଷତି କରିପାରି ନଥିଲେ;ସେ ନିଜ ରାଜ୍ୟ,ରାଜପଦ ଏବଂ ଐଶ୍ୱର୍ଯ୍ୟ ଫେରି ପାଇଲେ। ତୁମର ମଧ୍ୟ‌ ଏ ଦୁର୍ଦ୍ଦିନ ଦୂର ହୋଇଯିବ ପୁତ୍ର !



Rate this content
Log in

Similar oriya story from Classics