STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୫୪

କଥା କାଦମ୍ବରୀଭାଗ ୫୪

5 mins
242


ଶିବଙ୍କ କୃପାରୁ ଅର୍ଜୁନ ପାଶୁପତ ଅସ୍ତ୍ର ଲାଭ କରିବା ପରେ ଦେବଲୋକର ଅନ୍ୟ ଦେବତାମାନେ ତାଙ୍କୁ ଅନେକ ଦିବ୍ୟାସ୍ତ୍ର ପ୍ରଦାନ କଲେ।ସେହି ଅସ୍ତ୍ର ମାନଙ୍କର ପ୍ରଶିକ୍ଷଣ ଏବଂ ପ୍ରୟୋଗ ବିଧି ନିଜ ପୁତ୍ର ଅର୍ଜୁନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା ଦେବରାଜ ଇନ୍ଦ୍ର କରିଦେଲେ।


ସେହି ପ୍ରଶିକ୍ଷଣର ବାସ୍ତବ ରୂପାୟନର ସମୟ ଉପସ୍ଥିତ ହେଲା। ଇନ୍ଦ୍ରଦେବ ଅର୍ଜୁନଙ୍କୁ କହିଲେ... ବହୁବର୍ଷ ଧରି ନିବାତ କବଚ ଦୈତ୍ୟ ସ୍ୱର୍ଗଲୋକକୁ ଆସି ଘୋର ବିତ୍ପାତ ସୃଷ୍ଟି କରୁଛି। ସୂର୍ଯ୍ୟ ଦେବଙ୍କୁ ‌ଘୋର ତପସ୍ୟାରେ ସନ୍ତୁଷ୍ଟ କରି ସେ ବରଦାନ ପାଇଛି ଯେ ବ୍ରହ୍ମା ବିଷ୍ଣୁ, ମହେଶ୍ୱର ଏବଂ ଇନ୍ଦ୍ର ସମେତ କୌଣସିି ଦେବତାଙ୍କ ହାତରେ ତା'ର ମୃତ୍ୟୁ ହେବନାହିଁ।ମାନବ ହାତରେ ତା'ର ମୃତ୍ୟୁ ଅଭିପ୍ରେତ, କିନ୍ତୁ ମାନବଙ୍କୁ ତାର ଭୟ ନାହି, ଏବଂ ସେମାନଙ୍କୁ ସେ ଅବଜ୍ଞା କରେ।ଏବେ ସମୟ‌ ଆସିଛି ବତ୍ସ !ନିବାତ କବଚକୁ ବଧ କରି ସ୍ବର୍ଗକୁ ରକ୍ଷାକରିବା ସଙ୍ଗେ ସଙ୍ଗେ ଦିବ୍ୟାସ୍ତ୍ର ପ୍ରଶିକ୍ଷଣରେ କୃତକାର୍ଯ୍ୟ ହେବାର ପ୍ରାମାଣିକତା ପ୍ରତିପାଦନ କର।"


ଏହା ପୂର୍ବରୁ,ପୁରୁରବା ଏବଂ ନହୁଷଙ୍କଭଳି ପୁରୁବଂଶୀ ରାଜାମାନେ ଦେବଲୋକକୁ ଦାନବ ମାନଙ୍କ ଅତ୍ୟାଚାରରୁ ରକ୍ଷା କରିବାର ଦୃଷ୍ଟାନ୍ତ ରହିଛି। ଅର୍ଜୁନ ସେହି ପୂର୍ବଜ ମାନଙ୍କ ନାମ ସହିତ ନିଜନାମ ସାମିଲ କରି ବଂଶ ଗରିମା ବୃଦ୍ଧି କରିବା ସଙ୍ଗେସଙ୍ଗେ, ସ୍ବର୍ଗରେ ପାଇଥିବା ସାମରିକ ପ୍ରଶିକ୍ଷଣର ଉପାଦେୟତା ପରଖି ନେବା ପାଇଁ ଚାହୁଁ ଥିଲେ।ନିବାତ କବଚ ଦାନବ ସହିତ ଭୀଷଣ ସଂଗ୍ରାମରେ ଲିପ୍ତ ହୋଇଗଲେ ମଧ୍ୟମ ପାଣ୍ଡବ ଧନଞ୍ଜୟ।ନିବାତ କବଚ ପ୍ରଥମେ ଅର୍ଜୁନଙ୍କୁ, ସାଧାରଣ ମାନବ ବୋଲି ହେୟଜ୍ଞାନ କରିଥିଲା। କିନ୍ତୁ ଅର୍ଜୁନଙ୍କ ଦେବଦତ୍ତ ଅସ୍ତ୍ର ପ୍ରହାରରେ,ତାଙ୍କ ଅସାଧାରଣ ବୀରତ୍ବର ପରିଚୟ ପାଇ ପ୍ରାଣରକ୍ଷା ପାଇଁ ପଳାୟନ କଲା। ଅର୍ଜୁନ ଦାନବକୁ ଅନୁସରଣ କରି ,ଭୀଷଣ ସଂଗ୍ରାମ ପରେ ତାକୁ ବଧକଲେ; ସ୍ବର୍ଗରେ ଶାନ୍ତି ଫେରିଆସିଲା।


ନିବାତ କବଚ-ବଧ ସମ୍ବାଦ ପାଇ ଦେବଲୋକରେ ଆନନ୍ଦର ଲହରୀ ଖେଳିଗଲା।ଅର୍ଜୁନଙ୍କୁ ମିଳିଲା ଅଭୂତପୂର୍ବ ସମ୍ମାନ। ଦେବସଭା ନୃତ୍ୟଗୀତରେ ମୁଖରିତ ହୋଇ ଉଠିଲା।ନିଜ ପୁତ୍ର ଅର୍ଜୁନଙ୍କ ବୀରତ୍ବରେ ବାସବଙ୍କ ଛାତି ଫୁଲି ଉଠିଲା।ପୁତ୍ରର ପ୍ରଶଂସାରେ ଶତମୁଖ ହୋଇ ସହସ୍ରାକ୍ଷ,ଦେବସଭାରେ ଫାଲଗୁନୀଙ୍କୁ ନିଜ ସିଂହାସନ ପାଖରେ ବସାଇଲେ। ଏହି ସୌଭାଗ୍ୟ ପାଇଁ ନିଜକୁ କୃତକୃତ୍ୟ ମନେ କଲେ ଗାଣ୍ଡିବୀ।  


ଦେବସଭାରେ ରମ୍ଭା, ଉର୍ବଶୀ,ମେନକା,ଚିତ୍ରରେଖା,ମଦନିକା, ତିଳୋତ୍ତମା ଆଦି ସ୍ବର୍ଗ ଅପ୍ସରା ମାନଙ୍କ ଅଙ୍ଗଭଙ୍ଗି ପ୍ରଦର୍ଶନ-ଯୁକ୍ତ ନୃତ୍ୟଗୀତର ଆସରରେ ଦେବସଭା ମଧୁମୟ ହୋଇ ଯାଉଥିଲା।ସେମାନଙ୍କ ସହିତ ଅଗଣିତ ସ୍ବର୍ଗ ବିଦ୍ୟାଧରୀ,ପଖାଉଜ, ବୀଣା,ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ରର ତାଳେ ତାଳେ ବିଜୁଳି ଭଳି ଅପାଙ୍ଗ ଲୀଳା ପ୍ରଦର୍ଶନ କରୁଥିଲେ। ନୃତ୍ୟ ଗୀତରେ ସବୁଠାରୁ ଉତ୍ତମ ପ୍ରଦର୍ଶନ ଉର୍ବଶୀଙ୍କର ଥିଲା।ତାଙ୍କ ନୃତ୍ୟ ଦେଖି ପ୍ରତିଦିନ ଅର୍ଜୁନ ବିସ୍ଫାରିତ ନେତ୍ରରେ ଚାହିଁ ରହିଥାନ୍ତି। ଉର୍ବଶୀ ମଧ୍ୟ ଅର୍ଜୁନଙ୍କ ମଦନ-ବିନିନ୍ଦିତ ସୌମ୍ୟ ଶରୀର ଦର୍ଶନରେ ନିଜକୁ ଆୟତ୍ତ କରିପାରୁନଥାନ୍ତି।ସେ ବିମୋହିତ ହୋଇ ତାଙ୍କ ପ୍ରତି ଗଭୀର ଭାବରେ ଆକର୍ଷିତ ହୋଇଗଲେ।


ଦେବରାଜ ଇନ୍ଦ୍ର,ଅର୍ଜୁନଙ୍କର ଏହି ତଲ୍ଲୀନଭାବ ଦେଖି ଏହା ତାଙ୍କର ସ୍ବର୍ଗଗଣିକା ଉର୍ବଶୀଙ୍କ ପ୍ରତି ଦୁର୍ବଳତା ବୋଲି ଭାବିଲେ। ଉର୍ବଶୀଙ୍କର,ସୌମ୍ୟବପୁ-ଅର୍ଜୁନଙ୍କ ପ୍ରତି ଦୁର୍ବଳତା ମଧ୍ୟ ଇନ୍ଦ୍ରଙ୍କ ଆଖିକୁ ଏଡାଇ ପାରିନଥିଲା।ଦେବଲୋକପ୍ରତି ଅର୍ଜୁନଙ୍କ ଦାନର ପ୍ରତିଦାନ ସ୍ବରୂପ ସ୍ବର୍ଗଗଣିକା ଉର୍ବଶୀଙ୍କ ସାନ୍ନିଧ୍ୟ ଅର୍ଜୁନଙ୍କୁ ଦେବାପାଇଁ ଇନ୍ଦ୍ର ମନେମନେ ଠିକ୍ କରିନେଲେ।ଗନ୍ଧର୍ବ ଚିତ୍ରସେନଙ୍କୁ ନିକଟକୁ ଡାକି ଇନ୍ଦ୍ର ଆଦେଶ ଦେଲେ... ଚିତ୍ରସେନ ! ଉର୍ବଶୀଙ୍କୁ ମୋର ସନ୍ଦେଶ ଦିଅ,ସେ ପ୍ରୀତି ଦାନ କରି ଅର୍ଜୁନଙ୍କ କାମପୀଡା ଦୂରକରନ୍ତୁ।"ଚିତ୍ରସେନ ଗନ୍ଧର୍ଵଙ୍କ ଠାରୁ ଇନ୍ଦ୍ରଙ୍କର ଏହି ନିର୍ଦ୍ଦେଶ କଥା ଶୁଣି ଉର୍ବଶୀଙ୍କ ପ୍ରୀତି ସିନ୍ଧୁ ଉଛୁଳି ପଡ଼ିଲା।

 

ତାଙ୍କପାଇଁ ଏହା ସାଧାରଣ ଆଦେଶ ନଥିଲା;ଥିଲା ଆଦେଶ ଛଳରେ ସୁଧାବୃଷ୍ଟି।ଆନନ୍ଦରେ ଅଧୀରା ଉର୍ବଶୀ,ନାନା ପ୍ରକାର କୁସୁମରେ ବିଭୂଷିତା ହୋଇ, ଶ୍ରେଷ୍ଠ ଆଭୂଷଣରେ ବିମଣ୍ଡିତା ହୋଇ, ଅଭିସାରିକା ସାଜି, ରଜନୀ କାଳରେ ଅର୍ଜୁନଙ୍କ ନିକଟରେ ପହଞ୍ଚିଲେ।


ଅର୍ଜୁନ, ଉର୍ବଶୀଙ୍କୁ ଦେଖି ଆନନ୍ଦ ଆତିଶଯ୍ୟରେ ବିଭୋର ହୋଇ କହିଲେ...ଆହା ! କି ଭାଗ୍ୟ ମୋର !ମୋ ଆଗରେ ସଶରୀରେ ଉଭା ହୋଇଛନ୍ତି ମୋର ପରମ ପୂଜନୀୟା, ସ୍ବର୍ଗର ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଉର୍ବଶୀ,ଆଜି ନୃତ୍ୟକଳା ବିଷୟରେ ଅନେକ କିଛି ଆଲୋଚନା କରିବାକୁ ସୁଯୋଗ ମିଳିଛି।"


ଅର୍ଜୁନଙ୍କ କଥା ଶୁଣି ଉର୍ବଶୀ କହିଲେ..ସେ ସବୁ ଆଲୋଚନା କରି ଅଯଥାରେ ସମୟ ନଷ୍ଟ କରନାହିଁ ଅର୍ଜୁନ,ଆସ ମୋତେ ଆଲିଙ୍ଗନ କରି ମୋର ପ୍ରୀତି ତୃଷା ମେଣ୍ଟାଇଦିଅ। ବହୁଦିନ ଧରି ତୁମ ଯୌବନଦୀପ୍ତ ସୁନ୍ଦର ଶରୀର ଦେବସଭାରେ ଦେଖି ଦେଖି କାମବାଣରେ ମୁଁ ଜର୍ଜରିତା ହୋଇ ରହିଥିଲି; ଚିନ୍ତା କରୁଥିଲି କିପରି ମୋ ଇଚ୍ଛା ଚରିତାର୍ଥ ହେବ।ଗୁପ୍ତରେ ଅଭିସାରିକା ସାଜି ତୁମ ପାଖରେ ପ୍ରେମ ଭିକ୍ଷା କରିବାପାଇଁ ମୁଁ ସ୍ଥିର କରିଥିଲି, କିନ୍ତୁ ମୋ ଭାଗ୍ୟ ଦେଖ ଫାଲଗୁନୀ ! ଦେବରାଜ ଇନ୍ଦ୍ର ନିଜେ ମୋତେ ତୁମପାଖକୁ ପଠାଇଛନ୍ତି ତୁମକୁ ପ୍ରୀତିଦାନକରି ଆନନ୍ଦିତ କରିବା ପାଇଁ।ଆସ ପାର୍ଥ ! ବିଳମ୍ବ ନକରି ମୋତେ ଆଲିଙ୍ଗନ କର।"


କାନରେ ହାତ ଦେଇ ଦୁଇ ପାଦ ପଛକୁ ଘୁଞ୍ଚିଗଲେ ଅର୍ଜୁନ..ଏ କଣ କହୁଛନ୍ତି ଜନନୀ ! ଆପଣ ମୋ ପିତା ଇନ୍ଦ୍ରଙ୍କର ଅଙ୍କ ବିଳସିନୀ, ତେଣୁ ମୋର ମାତା ସଦୃଶ। ମାତା କୁନ୍ତୀ ଏବଂ ମାତା ଶଚୀଙ୍କୁ ମୁଁ ଯେଉଁ ଦୃଷ୍ଟିରେ ଦେଖେ,ଆପଣଙ୍କୁ ମଧ୍ୟ ସେହି ଦୃଷ୍ଟିରେ ଦେଖେ। ମୁଁ ଆପଣଙ୍କର ନୃତ୍ୟକଳାର ଜଣେ ବିଦଗ୍ଧ ବିମୋହିତ ପ୍ରଶଂସକ।ଆପଣ ପ୍ରୀତିଦାନ ପାଇଁ କହି ମୋତେ ମାତୃ ହରଣ ପାପରେ ଭାଗୀ କରନ୍ତୁ ନାହିଁ ଜନନୀ।"


ହସି ଉଠିଲେ ଉର୍ବଶୀ.. ମୁଁ ଦେବ-ଗଣିକା ମଧ୍ୟମ ପାଣ୍ଡବ ! ମୋ ପାଖରେ,ମାତା-ପୁତ୍ର, ଭ୍ରାତା-ଭଗ୍ନୀର ମନଗଢା ସମ୍ପର୍କର କିଛି ମୂଲ୍ୟ ନାହିଁ। ମୁଁ ତୁମର ପୂର୍ବଜ ପୁରୁରବା ଏବଂ ଯଯାତିଙ୍କୁ ପ୍ରୀତି ଦାନ କରିଛି;ତାର ଅର୍ଥ କ'ଣ ମୁଁ ତୁମର ପ୍ରମାତାମହୀ !!ହା ହା,ହା ଆଉ କାଳ ବିଳମ୍ବ କରନାହିଁ ଧନଞ୍ଜୟ ! କାମ-ପୀଡାରେ ଜର୍ଜରିତ ମୋ ଅଙ୍ଗଲତାକୁ ତୁମ ବିଶାଳ ବାହୁ ବନ୍ଧନଭିତରେ ହଜାଇଦିଅ।ତୁମ ରାତି ରଙ୍ଗିନ କରିବାପାଇଁ ମୁଁ ଆସିଛି ସବ୍ୟସାଚୀ,ଆଉ ବିଳମ୍ବ କରନାହିଁ।"


ଅର୍ଜୁନଙ୍କ କଣ୍ଠରେ ଦୃଢ଼ତା ବିରାଜମାନ.. ନାଁ,ଏହା ମହାପାପ‌ ଦେବୀ ଉର୍ବଶୀ ! ଆପଣ ମୋର ମାତା ଭାବରେ ସମ୍ମାନର ଅଧିକାରିଣୀ, ଦୈହିକ ପ୍ରେମର ନୁହେଁ।ଆପଣ ବର୍ତ୍ତମାନ ନିଜର ଆୟତ୍ତରେ ନାହାଁନ୍ତି;ଦୟାକରି ଫେରିଯାଆନ୍ତୁ ଦେବୀ।"

ଅର୍ଜୁନଙ୍କ ପ୍ରତ୍ୟାଖ୍ୟାନରେ ଅପମାନରେ ଜର୍ଜରିତା ଉର୍ବଶୀ କହିଲେ ...ମୋର ପ୍ରେମ ପାଇବା ପାଇଁ ଯେତେବେଳେ ତ୍ରିଭୁବନ ପାଗଳ,ତୁମେ ମୋତେ ପ୍ରତ୍ୟାଖ୍ୟାନ କରୁଛ ଅର୍ଜୁନ ! ତୁମେ ଉର୍ବଶୀକୁ ପ୍ରତ୍ୟାଖ୍ୟାନ କରୁଛ !! ଜାଣିଛ ତ କୁନ୍ତୀପୁତ୍ର,ଏହାର ପରିଣାମ କେତେ ଭୟାବହ ହୋଇପାରେ ? ପ୍ରୀତି ଭିକ୍ଷା କରୁଥିବା ନାରୀ,ଆଘାତ ପାଇଥିବା ସର୍ପ ସହିତ ସମାନ।ତାର ଆତ୍ମ ସମ୍ମାନକୁ ଆଘାତ କରି ତୁମେ କି ଭୁଲ୍ କରୁଛ ଜାଣିପାରୁଛ ସବ୍ୟସାଚୀ !"


ଅର୍ଜୁନ ଯୋଡହସ୍ତରେ କହିଲେ... ମୋ ପ୍ରତି ଦୟା କରନ୍ତୁ ଜନନୀ,ମୋତେ ଏ ମହା ପାପରୁ ରକ୍ଷା କରନ୍ତୁ।

ହସି ଉଠିଲେ ଉର୍ବଶୀ...ହା ହା ହା,ଏହାକୁ ତୁମେ ପାପ କହୁଛ ଅର୍ଜୁନ ?ତୁମ ବଂଶରେ ଏହି ତଥା କଥିତ ପାପ ଅନେକେ କରି ଯାଇଛନ୍ତି। କାମ ବାଣରେ ଜର୍ଜରିତ ଯଯାତି ନିଜ ପତ୍ନୀ ଦେବଯାନୀ ଥାଉଁ ଥାଉଁ ଶର୍ମିଷ୍ଠା ପ୍ରେମ ମଧୁ ଆସ୍ବାଦନ କରୁଥିଲେ, ସତ୍ୟବତୀ ଯମୁନା ନଦୀରେ ନୌକା ଚାଳନା ସମୟରେ ପରାଶର ମହର୍ଷିଙ୍କ ସହିତ ନଦୀ-ଦ୍ବୀପରେ ପ୍ରେମକରି ବ୍ୟାସଦେବଙ୍କୁ ଜନ୍ମ ଦେଇଥିଲେ ମଧ୍ୟ ସେ ସବୁ ଭୁଲିଯାଇ ତୁମ ପୂର୍ବଜ ଶାନ୍ତନୁଙ୍କୁ ବିବାହ କରିଥିଲେ।ତୁମ ମାତା କୁନ୍ତୀ ବଂଶରକ୍ଷା ଅଳରେ ପାଞ୍ଚଜଣ ଦେବତାଙ୍କ ସହିତ ରମଣ କରିଥିଲେ। ତୁମେ ପାଣ୍ଡବ ପାଞ୍ଚଭାଇ ଗୋଟିଏ ପତ୍ନୀ ଦ୍ରୌପଦୀଙ୍କୁ ବିବାହ କରିଛ।ନିଜେ ତୁମେ, ଚାରିଜଣ‌ ପତ୍ନୀ ଉଲୁପୀ,ଚିତ୍ରାଙ୍ଗଦା, ସୁଭଦ୍ରା ଏବଂ ଦ୍ରୌପଦୀଙ୍କୁ ବିବାହ କରିଛ।ଏ ସମସ୍ତ କର୍ମ ଭିତରେ କେଉଁ ପୁଣ୍ୟ କାର୍ଯ୍ୟ ଲୁଚି ରହିଛି ପାର୍ଥ !!"


ଏଥର ଅର୍ଜୁନ କ୍ରୋଧିତ ହୋଇ କହିଲେ... ସେମାନଙ୍କ ମଧ୍ୟରୁ କିଛି ଯୁଗଧର୍ମକୁ ସମ୍ମାନ ଦେଇ ବଂଶ ରକ୍ଷା ପାଇଁ ଏହା କରି ଛନ୍ତି ଅଥବା ପ୍ରେମରେ ପଡି ଏପରି କରିଛନ୍ତି; କେହି ମାତୃହରଣ କରି ନାହାନ୍ତି।ଆପଣ ତ ମୋତେ ମାତୃ ହରଣ ପାପ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି ଦେବୀ ଉର୍ବଶୀ।ଦୟାକରି ଏଠାରୁ ପ୍ରସ୍ଥାନ କରନ୍ତୁ।"


ଘୋର ଅପମାନରେ ଜର୍ଜରିତା ଉର୍ବଶୀ ଅର୍ଜୁନଙ୍କୁ ଅଭିଶାପ ଦେଲେ... ପ୍ରୀତି ଭିକ୍ଷାଶୀ ନାରୀ ଆଗରେ ଯେଉଁ ପୁରୁଷତ୍ବ ତୁମର ଜଡ ହୋଇ ରହିଛି, ତାହା ସେହିପରି ଜଡ ହୋଇ ରହିଥାଉ ଅର୍ଜୁନ। ମୁଁ ତୁମକୁ ଅଭିଶାପ ଦେଉଛି ତୁମେ ନପୁଂସକ ହୋଇ ଯାଅ।"


ଅପମାନିତା ଅନୁଭବ କରି ଫେରି ଗଲେ ଉର୍ବଶୀ;ଘୋର ମନସ୍ତାପରେ ରହିଲେ ଅର୍ଜୁନ। ପରଦିନ,ପିତା ଇନ୍ଦ୍ରଙ୍କ ଆଗରେ ସବୁକଥା କହିଲେ ଅର୍ଜୁନ। ଦେବରାଜ ଇନ୍ଦ୍ର କହିଲେ... ଉର୍ବଶୀଙ୍କ ଭଳି ଅନିନ୍ଦ୍ୟ ସୁନ୍ଦରୀଙ୍କର ପ୍ରୀତି ଭିକ୍ଷା ପ୍ରତ୍ୟାଖ୍ୟାନ କରିବା ତୁମର ଅତୁଳନୀୟ ଆତ୍ମସଞ୍ଜମର ପରିଚାୟକ ପୁତ୍ର।ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତୁମେ ସଞ୍ଜମୀ ବ୍ୟକ୍ତିତ୍ୱର ପରିଚୟ ଦେଇଛ। ମୁଁ ତ ଉର୍ବଶୀଙ୍କ ଅଭିଶାପକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିପାରିବି ନାହିଁ। ସାଙ୍କେତିକ ଭାବରେ ତାହା ଫଳିବ। ତୁମେ ଗୋଟିଏ ବର୍ଷ ପାଇଁ ନପୁଂସକ ହୋଇ ଯିବ ପୁତ୍ର। କିନ୍ତୁ ତାହା ତୁମପାଇଁ ବରଦାନ ସଦୃଶ ହେବ।ତୁମର ଅଜ୍ଞାତବାସ ସମୟରେ ତୁମେ ନପୁଂସକ ହୋଇ ବିରାଟ ରାଜପ୍ରସାଦରେ ବୃହନ୍ନଳା ନାମ ଧାରଣ କରି ଆତ୍ମଗୋପନ କରିବ। ଗନ୍ଧର୍ଵ ଚିତ୍ରସେନଙ୍କ ଠାରୁ ପ୍ରାପ୍ତ ନୃତ୍ୟକଳା ଶିକ୍ଷା ସେ ସମୟରେ ତୁମକୁ, ରାଜକନ୍ୟାଙ୍କର ନୃତ୍ୟଗୁରୁ ଭାବରେ ନିୟୋଜିତ ହେବା ପାଇଁ ସାହାଯ୍ୟ କରିବ।ତୁମଭଳି ବ୍ୟକ୍ତିତ୍ୱର ଅଧିକାରୀ, ବିଶ୍ବପ୍ରସିଦ୍ଧ ବୀର ପାଇଁ ଜନମାନସ ଅନ୍ତରାଳରେ ରହିବା ପାଇଁ ଏହାଠାରୁ ଅଧିକ ଭଲ ଉପାୟ କ'ଣ ହୋଇପାରେ ? ଅଜ୍ଞାତବାସ ପରେ ତୁମେ ତୁମର ପୁରୁଷତ୍ବ ଫେରି ପାଇବ।"


ଆଉ କିଛିଦିନ ସ୍ବର୍ଗପୁରରେ ରହି,ଇନ୍ଦ୍ରଙ୍କ ଆଶୀର୍ବାଦ ନେଇ ମର୍ତ୍ତ୍ୟକୁ ଫେରି ଆସିଲେ ଅର୍ଜୁନ।


(କୁଳମଣି ଷଡ଼ଙ୍ଗୀ)


Rate this content
Log in

Similar oriya story from Classics