କଥା କାଦମ୍ବରୀଭାଗ ୫୩
କଥା କାଦମ୍ବରୀଭାଗ ୫୩
କାମ୍ୟକ ବନରେ ଥିବା ସମୟରେ ଅନେକ ଥର ଯୁଧିଷ୍ଠିରଙ୍କ ସହିତ ଭାଇ ମାନଙ୍କର ଏବଂ ଦ୍ରୌପଦୀଙ୍କର,କୌରବମାନଙ୍କ ଅନ୍ୟାୟ ସମ୍ଵନ୍ଧରେ ଯୁକ୍ତି ହୁଏ।ଭୀମ କହନ୍ତି ...ଆପଣଙ୍କର ଏହି ଉଦାର ମନୋଭାବ କ୍ଷତ୍ରିୟୋଚିତ ନୁହେଁ। କ୍ଷତ୍ରିୟ ମାନଙ୍କର ଜନ୍ମ ରାଜ୍ୟ ଜୟକରି,ଶତ୍ରୁମାନଙ୍କୁ ଦମନ କରି ପ୍ରଜା ପାଳନ କରିବା।ଆପଣ କ୍ଷତ୍ରିୟ ଭାବରେ ଜନ୍ମଗ୍ରହଣ କରି ବ୍ରାହ୍ମଣ ଭଳି କର୍ମ କରୁଛନ୍ତି। ଯେଉଁ କ୍ଷତ୍ରିୟ ତାର ତଞ୍ଚକ ଶତ୍ରୁମାନଙ୍କୁ ଦମନ ନକରି ଛାଡିଦିଏ ସେ କ୍ଷତ୍ରିୟ ପଦବାଚ୍ୟ ନୁହେଁ। ସିଂହକୁ ଘାସ ଖାଇବାକୁ ବାଧ୍ୟ କରିଵା ଯେପରି, କ୍ଷତ୍ରିୟକୁ, ଶତ୍ରୁ ହାତରେ ରାଜ୍ୟ ଦାନକରି ବଣଜଙ୍ଗଲରେ ବୁଲିବାକୁ କହିବା ସେହିପରି।
ଏହି ପାଷଣ୍ଡ ମାନଙ୍କୁ ହତ୍ୟା କରି ନର୍କକୁ ଗଲେ ମଧ୍ୟ ମୋତେ ଦୁଃଖ ଲାଗିବ ନାହିଁ।ଆପଣଙ୍କ କୃତକର୍ମ ଯୋଗୁଁ ଆମ ଭାଇମାନଙ୍କର ଅନ୍ତର ଭିତର ଜଳି ଯାଉଛି।ଆମକୁ ଦ୍ୟୂତ କ୍ରୀଡାରେ ଠକି, ଆମ ରାଜ୍ୟ ଛଡ଼ାଇ ନେଇ,ଆମକୁ ଦାଣ୍ଡର ଭିକାରିରେ ପରିଣତ କରି ମହା ଆନନ୍ଦରେ ପ୍ରାସାଦ ଭିତରେ ଆନନ୍ଦ ଉଲ୍ଲାସରେ ରହିଛନ୍ତି ଚକ୍ରାନ୍ତକାରୀ କୌରବମାନେ, ଆଉ ଆମେମାନେ ବଣ ଜଙ୍ଗଲ ରେ ବୁଲା କୁକୁର ଭଳି ବୁଲୁଛନ୍ତି।ଆପଣ କହୁଛନ୍ତି ଯେ ଆମେ ଦେଇଥିବା ବଚନ ପାଳନ କରିବା ଉଚିତ ଏବଂ ବାରବର୍ଷ ପରେ ଏକବର୍ଷ ଅଜ୍ଞାତ ବାସ କାଟିବା ପରେ ନିଜ ରାଜ୍ୟ ଫେରିପାଇବା; ତାହା କ'ଣ ସମ୍ଭବ ଜ୍ୟେଷ୍ଠ ଭ୍ରାତା ? ବିଶ୍ବବିଦିତ ଅର୍ଜୁନ ଅଜ୍ଞାତବାସ ସମୟରେ କିପରି କେଉଁଠି ଲୁଚି ରହିପାରିବ ?ହିମାଳୟ କଣ କେବେ ଘାସ ବୁଦା ଭିତରେ ଲୁଚି ରହିପାରେ ଜ୍ୟେଷ୍ଠ ଭ୍ରାତ ? ସିଂହ ସଦୃଶ ନକୁଳ ଓ ସହଦେବ ଏବଂ ମୋ ଭଳି ପର୍ବତକାୟ ଭୀମ ଅଜ୍ଞାତ ବାସ ସମୟରେ କେଉଁ ଠାରେ ଲୁଚି ପାରିବେ ଭ୍ରାତାଶ୍ରୀ ! ଜଗତ ଲକ୍ଷ୍ମୀଙ୍କ ଲୀଳା କମଳ ସଦୃଶା ଦ୍ରୌପଦୀ କିପରି ଲୋକ ଲୋଚନ ଅନ୍ତରାଳରେ ଅଜ୍ଞାତ ବାସ ସମୟରେ ରହିପାରିବେ !
ଏକଥା ମଧ୍ୟ କେବେ ଚିନ୍ତା କରିଛନ୍ତି ଭ୍ରାତା,ଆମେ ଅଜ୍ଞାତ ବାସ ସଫଳତାର ସହିତ ବିତାଇଲେ ମଧ୍ୟ,ଖଳପ୍ରକୃତି ଦୁର୍ଯ୍ୟୋଧନ ଏବଂ ତାର ଭାଇମାନେ କଣ ତାହା ମାନିଯିବେ ? କିଛି ଗୋଟାଏ ବାହାନା ଖୋଜି ଆମକୁ ପୁଣି ବାରବର୍ଷ ବନବାସରେ ପଠାଇଦେବେ।ଆମେ କାହିଁକି ଏତେ ଅନ୍ୟାୟ ସହ୍ୟ କରିବା ? ଦ୍ୟୂତକ୍ରୀଡାରେ କରାଯାଇଥିବା ଏଭଳି ସତ୍ୟରକ୍ଷା ମୂଲ୍ୟହୀନ।ଆମେ କୌରବମାନଙ୍କୁ ଆକ୍ରମଣ କରି ଆମ ହୃତ ରାଜ୍ୟ ଫେରାଇ ଆଣିବା ଉଚିତ।"
ଦ୍ରୌପଦୀ ମଧ୍ୟ, କୁରୁ ସଭାରେ, ଦୁଃଶାସନ, ଦୁର୍ଯ୍ୟୋଧନ ଏବଂ କର୍ଣ୍ଣଙ୍କ ଦ୍ବାରା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ କଥା ମନେପକାଇ ଶୀଘ୍ର କୌରବଙ୍କ ଉପରେ ପ୍ରତିଶୋଧ ନେବାପାଇଁ, ଯୁଧିଷ୍ଠିରଙ୍କୁ ବାରମ୍ବାର ଚେତାଇ ଦେଉଥିଲେ।ସେ କହୁଥିଲେ.... ମିଥ୍ୟା,ଶଠତା ଓ ତଞ୍ଚକତାରେ ପୂର୍ଣ୍ଣ କୁରୁ ସଭାରେ ହୋଇଥିବା ସର୍ତ୍ତ ପାଳନ କୌଣସି ଧର୍ମଆଧାରିତ ନୁହେଁ।
ଚାରିଭାଇ ଏବଂ ପତ୍ନୀଙ୍କ ଠାରୁ ବାରମ୍ବାର ଏହା ଶୁଣିବା ପରେ ଯୁଧିଷ୍ଠିର କହିଲେ.....ସତ୍ୟ ରକ୍ଷା କରିବା ମଧ୍ୟ କ୍ଷତ୍ରିୟର ଏକ ଧର୍ମ। ଶାନ୍ତନୁ ଏବଂ ଭୀଷ୍ମଙ୍କ ବଂଶରେ ଜନ୍ମ ହୋଇ ଆମେ ସତ୍ୟଭଙ୍ଗ କିପରି କରିବା ? ଯୁଦ୍ଧ ଏଡ଼ାଇ ଶାନ୍ତିପୂର୍ଣ୍ଣ ସମାଧାନ ଆମର ଲକ୍ଷ ହେବା ଉଚିତ।ଯୁଦ୍ଧ ହେଲେ ପ୍ରଜାମାନଙ୍କର ବିପୁଳ କ୍ଷତି ହେବ। ମୁଁ ରକ୍ତପାତ ଚାହେଁ ନାହିଁ। କୌରବଙ୍କ ପକ୍ଷରେ ଭୀଷ୍ମ,ଦ୍ରୋଣ ,କର୍ଣ୍ଣ,ଭୁରିଶ୍ରବା, ଅଶ୍ଵତ୍ଥାମା ଭଳି ବୀରମାନେ ରହିଛନ୍ତି।ଏବେ ଯୁଦ୍ଧକୁ ଡେଇଁ ପଡ଼ିଲେ ଆମର ବିପୁଳ କ୍ଷତି ହେବ।ଧରଣୀ ରକ୍ତରଞ୍ଜିତ ହେବ।ଆମକୁ ଅପେକ୍ଷା କରିବାକୁ ହେବ ବାରବର୍ଷ ବନବାସ ଏବଂ ଏକବର୍ଷ ଅଜ୍ଞାତବାସ ଅବଧି ଶେଷ ହେବା ପର୍ଯ୍ୟନ୍ତ,ନହେଲେ ଆମକୁ ଦେବତା ମାନେ ନିନ୍ଦା କରିବେ।"
ଭୀମ ଏବଂ ଅର୍ଜୁନ ଦିନେ ଭବିଷ୍ୟତ ଚିନ୍ତାରେ ମଗ୍ନ ଥିବା ସମୟରେ ମହାମୁନି ବ୍ୟାସଦେବ କାମ୍ୟକ ବନରେ ପହଞ୍ଚି ପାଣ୍ଡବଙ୍କ ସହିତ ସାକ୍ଷାତ କଲେ।ଭୀମ ଏବଂ ଅର୍ଜୁନଙ୍କୁ ଚିନ୍ତାମଗ୍ନ ଦେଖି ମହାମୁନି କହିଲେ ...ବତ୍ସ ! ଭବିତବ୍ୟକୁ କିଏ ଅନ୍ୟଥା କରିପାରିବ? ଯୁଧିଷ୍ଠିର ଅବଶ୍ୟମ୍ଭାବୀକୁ ତେରବର୍ଷ ଏଡେଇ ଦେଇ ଉଚିତ କାର୍ଯ୍ୟ କରିଛନ୍ତି, କିନ୍ତୁ କୌରବଙ୍କ ମତିଗତିରୁ ଜଣାଯାଏ ସେମାନେ ତୁମ୍ଭମାନଙ୍କୁ ସହଜରେ ହୃତରାଜ୍ୟ ଫେରାଇ ଦେବେ ନାହିଁ।କୌରବଙ୍କ ପକ୍ଷରେ ତିମିଙ୍ଗିଳ ଯୋଦ୍ଧା ଅଛନ୍ତି ଯେଉଁମାନେ ଦିବ୍ୟ ଅସ୍ତ୍ରଶସ୍ତ୍ରରେ ଶକ୍ତିମାନ। ସେମାନଙ୍କୁ ପରାସ୍ତ କରିବାକୁ ହେଲେ ଅର୍ଜୁନଙ୍କୁ ଦିବ୍ୟ ଅସ୍ତ୍ର ଦେବତାଙ୍କ ଠାରୁ ପ୍ରାପ୍ତ କରିବାକୁ ପଡ଼ିବ।"
ମହିମୁନିଙ୍କ ଆଶୀର୍ବାଦ ନେଇ ଅର୍ଜୁନ ଦିବ୍ୟ ଅସ୍ତ୍ର ପ୍ରାପ୍ତି ପାଇଁ ହିମାଳୟ ଅଭିମୁଖେ ଯାତ୍ରା କଲେ। ସେଠାରେ'ଇନ୍ଦ୍ରକୀଳ' ପର୍ବତ ନିକଟରେ ଘୋର ତପସ୍ୟାରେ ମଗ୍ନହୋଇ ଇନ୍ଦ୍ରଦେବଙ୍କୁ ଆରାଧନା କଲେ ଅର୍ଜୁନ। ବ୍ରାହ୍ମଣ ବେଶରେ ଇନ୍ଦ୍ରଦେବଙ୍କ ଆବିର୍ଭାବ ହେଲା।ଇନ୍ଦ୍ରଦେବ ନିଜର ପରିଚୟ ଦେଇ ଅର୍ଜୁନଙ୍କୁ କହିଲେ.. ମୁଁ ତୁମ ଆଗମନର ଉଦ୍ଦେଶ୍ୟ ଜାଣିଛି ବତ୍ସ ! ଦିବ୍ୟାସ୍ତ୍ର ପାଇବା ପାଇଁ ଏତେ କୃଚ୍ଛ୍ର ସାଧନା କାହିଁକି ? ମୋ ସହିତ ଆସ, ସ୍ବର୍ଗଐଶ୍ୱର୍ଯ୍ୟ ଭୋଗକର,ଦିବ୍ୟାସ୍ତ୍ର ଲାଭ କରି କଣ ପାଇବ ?"
ଅର୍ଜୁନ ଉତ୍ତର ଦେଲେ.. ମୋର ହସ୍ତିନାର ନିରିହ ପ୍ରଜା ଅଧର୍ମୀ କୌରବଙ୍କ କବଳରେ; ସେଠାରେ ଦୁଃଖରେ କାଳାତିପାତ କରୁଥିବା ମୋର ମାତା କୁନ୍ତୀ ଅପେକ୍ଷା କରିଛନ୍ତି ଆମର ଫେରିବା ବାଟକୁ।କାମ୍ୟକ ବନରେ ନିସ୍ବ ସନ୍ୟାସ ବିତାଉଥିବା ମୋ ଭାଇମାନେ ଏବଂ ପତ୍ନୀ ପାଞ୍ଚାଳୀ ମୋ ଫେରିବା ବାଟକୁ ଚାହିଁ ରହିଛନ୍ତି। ଏମାନେ ସମସ୍ତେ ମୋ ପାଇଁ ସ୍ଵର୍ଗରୁ ଅଧିକ। ସେମାନଙ୍କୁ ଏକା ଛାଡ଼ି ମୁଁ ଆସିଛି ଦେବତାଙ୍କ ଆଶୀର୍ବାଦରେ ଦିବ୍ୟାସ୍ତ୍ର ଲାଭକରି ଭବିଷ୍ୟତବିପଦର ସଫଳ ସମ୍ମୁଖୀନ ହେବାପାଇଁ।ଆପଣ ମୋତେ ଦିବ୍ୟାସ୍ତ୍ର ହିଁ ଦାନ କରନ୍ତୁ ଦେବରାଜ।"
ଇନ୍ଦ୍ର କହିଲେ...ବତ୍ସ ! ପ୍ରଜା ଓ ପରିବାର ପାଇଁ ତୁମର ନିଷ୍ଠା ପ୍ରଶଂସନୀୟ। ତୁମେ ଦିବ୍ୟତମ ଅସ୍ତ୍ର ଲାଭ କରିବାପାଇଁ ଯଦି ଚାହୁଁଛ ତାହେଲେ ଦେବାଧିଦେବ ମହାଦେବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରି ପାଶୁପତ ଅସ୍ତ୍ର ଲାଭକର।ଯେତେ ସବୁ ଦିବ୍ୟାସ୍ତ୍ର ଅଛି ଏହା ସବୁଠାରୁ ଧ୍ବଂସକାରୀ।ଶିବଙ୍କ ବ୍ୟତୀତ କେବଳ ତ୍ରେତୟା ଯୁଗରେ ମହର୍ଷି ବିଶ୍ଵାମିତ୍ର ଏହା ଲାଭ କରିଥିଲେ।
ଏହା ଵ୍ରହ୍ମାସ୍ତ୍ର,ନାରାୟଣାସ୍ତ୍ର,ବଜ୍ରାସ୍ତ୍ର,ବରୁଣାସ୍ତ୍ର,ବାୟବାସ୍ତ୍ର ଆଦି ସମସ୍ତ ଦିବ୍ୟାସ୍ତ୍ର ମାନଙ୍କଠାରୁ ଶକ୍ତିଶାଳୀ;ଏପରିକି ବ୍ରହ୍ମା ଏବଂ ବିଷ୍ଣୁ ମଧ୍ୟ ଏହି ଅସ୍ତ୍ର ଆଗରେ ନିଜକୁ ଅସହାୟ ମନେ କରନ୍ତି।
ଇନ୍ଦ୍ରଦେବଙ୍କ ଉପଦେଶ ମାନି ଆଶୁତୋଷଙ୍କୁ ତୋଷ କରିବା ପାଇଁ ଘୋର ତତସ୍ୟାରେ ମଗ୍ନ ହେଲେ ଧନଞ୍ଜୟ। ମଧ୍ୟମ ପାଣ୍ଡବଙ୍କ ତପସ୍ୟାରେ ତୁଷ୍ଟ ହେଲେ ମହାଦେବ। କିନ୍ତୁ ସେ ଅର୍ଜୁନଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ଚାହୁଁ ଥିଲେ।ଶିବ ଓ ପାର୍ବତୀ କିରାତ କିରାତୀ ବେଶରେ ସେହି ସ୍ଥାନରେ ପହଞ୍ଚିଲେ। ଏହି ସମୟରେ ଏକ ଭୟଙ୍କର ଦନ୍ତା ବରାହ ଗର୍ଜନ କରି ମାଡିଆସିଲା। ଏକ ସମୟରେ କିରାତ ରୂପୀ ଶିବ ଏବଂ ଅର୍ଜୁନ ବରାହ ଉପରକୁ ବାଣ ନିକ୍ଷେପ କଲେ।ଉଭୟଙ୍କର ବାଣ ବରାହ ଦେହରେ ବାଜିଲା ଏବଂ ଜନ୍ତୁଟି ପ୍ରାଣତ୍ୟାଗ କଲା।କିରାତ କହିଲା.. ମୁଁ ଏହି ବରାହର ଅଧିକାରୀ,କାରଣ ସର୍ବପ୍ରଥମେ ମୁଁ ଏହାକୁ ବଧ କରିଛି।ଅର୍ଜୁନ ମଧ୍ୟ ଛାଡ଼ିଲେ ନାହିଁ।କିରାତ ଏବଂ ଅର୍ଜୁନଙ୍କ ମଧ୍ୟରେ ଭୀଷଣ ସଂଗ୍ରାମ ହେଲା। ଅର୍ଜୁନ ଦୟନୀୟ ଭାବରେ ପରାସ୍ତ ହେଲେ।
ଆଶ୍ଚର୍ଯ୍ୟ ହୋଇ ଧନଞ୍ଜୟ ପଚାରିଲେ...କିଏ ତୁମେ ଦେବ ? ତୁମେ ନିଶ୍ଚିତ ଭାବରେ ମୋ ପ୍ରଭୁ ଆଶୁତୋଷ।ନିଜ ରୂପରେ ମୋତେ ଦର୍ଶନ ଦେଇ ଅନୁଗୃହିତ କରନ୍ତୁ ପ୍ରଭୁ।ଶିବ ନିଜ ରୂପରେ ବିରାଜମାନ ହେଲେ ଏବଂ ପାଶୁପତ ଅସ୍ତ୍ର ପ୍ରଦାନ କରି ଅର୍ଜୁନଙ୍କ ଇଚ୍ଛା ପୂରଣ କରି କହିଲେ.... ନାରାୟଣଙ୍କ ଧର୍ମରାଜ୍ୟ ସଂସ୍ଥାପନ ପାଇଁ ତୁମର ସହାୟକ ହେବ ଏହି ପାଶୁପତ ଅସ୍ତ୍ର।
ତା'ପରେ ଇନ୍ଦ୍ର,ବରୁଣ,କୁବେର,ପବନ ଆଦି ଦେବଗଣ ଅର୍ଜୁନଙ୍କୁ ଅନେକ ଦିବ୍ୟାସ୍ତ୍ର ପ୍ରଦାନ କରି ଆଶୀର୍ବାଦ କରିଥିଲେ।
ଇନ୍ଦ୍ରଦେବ,ପୁତ୍ର ଅର୍ଜୁନଙ୍କୁ ସ୍ବର୍ଗକୁ ନିମନ୍ତ୍ରଣ କଲେ।ସ୍ବର୍ଗରେ ରମ୍ଭା, ମେନକା, ଉର୍ବଶୀ, ତିଳୋତ୍ତମା ଆଦି ଦେବକନ୍ୟା ମାନଙ୍କର ରୂପ ଦର୍ଶନରେ ବିମୋହିତ ହେଲେ ଅର୍ଜୁନ ତଥା ଅନ୍ୟ ଦେବତାଙ୍କୁ ଦର୍ଶନ କରି ନିଜକୁ କୃତକୃତ୍ୟ ମନେ କଲେ। ଏହି ସ୍ବର୍ଗ ରହଣି ସମୟରେ ଚିତ୍ରସେନ ଗନ୍ଧର୍ବଠାରୁ ନୃତ୍ୟ ଓ ସଙ୍ଗୀତ କଳା ଶିକ୍ଷା କରିଥିଲେ ସବ୍ୟସାଚୀ। ସେହି ଶିକ୍ଷା, ପରବର୍ତ୍ତୀ ସମୟରେ ତାଙ୍କୁ ଅଜ୍ଞାତବାସରେ, ନୃତ୍ୟଶିଳ୍ପୀ "ବୃହନ୍ନଳା"ଭାବରେ, ବିରାଟ ରାଜାଙ୍କ ପ୍ରାସାଦରେ ଆତ୍ମଗୋପନ କରିବାରେ ସାହାଯ୍ୟ କରିଥିଲା।
(କୁଳମଣି ଷଡ଼ଙ୍ଗୀ)
