STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୪୯

କଥା କାଦମ୍ବରୀଭାଗ ୪୯

6 mins
209


ନିଜର ରାଜ୍ୟ, ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତି ଦ୍ୟୂତ କ୍ରୀଡ଼ାରେ ହାରିଯିବା ପରେ ଯୁଧିଷ୍ଠିର ଗୋଟି ଗୋଟି କରି ସବୁ ଭାଇ ମାନଙ୍କୁ ବାଜି ଲଗାଇଲେ ଏବଂ ସମସ୍ତଙ୍କୁ ହାରିଗଲେ। ଦାସତ୍ବର ସନ୍ତକ ସ୍ବରୃପ ସମସ୍ତେ ନିଜନିଜର ଆଭୂଷଣ ଏବଂ ଅସ୍ତ୍ରଶସ୍ତ୍ର କାଢ଼ି ଦେଇ ରାଜ ସିଂହାସନ ତଳେ ରଖିଦେଇ ଦାସତ୍ୱ ମୁଦ୍ରାରେ ମୁହଁକୁ ତଳକୁ କରି ବସିଥାନ୍ତି। ପ୍ରଚଣ୍ଡ କ୍ରୋଧରେ କମ୍ପିଗଲେ ଭୀମସେନ, କହିଲେ... ଜ୍ୟେଷ୍ଠ ଭ୍ରାତ ! ମୁଁ ଏ ଦାସତ୍ୱ ଗ୍ରହଣ କରିବି ନାହିଁ।"ଅର୍ଜୁନ ବୃକୋଦରଙ୍କୁ ଶାନ୍ତ କରାଇ କହିଲେ..ଏ ଆପଣଙ୍କର କଣ ହୋଇଛି ଭ୍ରାତା ଭୀମସେନ! ଆମେ କଦାପି ବଡ଼ଭାଇଙ୍କ ପ୍ରତିବାଦ କରିବା ନାହିଁ ବୋଲି ଆପଣ ନିଜେ କହିଛନ୍ତି।ଆମ ଭିତରେ ମତାନୈକ୍ୟ ରହିଲେ, ଏମାନେ ଆମ ଭାଇମାନଙ୍କର ଏକତା ଭାଙ୍ଗିବାରେ ସଫଳ ହେବେ।"

ଭୀମସେନ ବାଧ୍ୟହୋଇ ଚୁପ୍ ହୋଇ ବସିଗଲେ।


 ତା'ପରେ ଶକୁନି କହିଲେ..ପ୍ରିୟ ଯୁଧିଷ୍ଠିର,ତୁମେ ତ ଭାଇ ମାନଙ୍କଠାରୁ ନିଜକୁ ଅଲଗା ରଖି ପାରିବନାହିଁ,ଏବେ ନିଜକୁ ବାଜି ଲଗାଇପାର,ହୁଏତ ଭାଗ୍ୟ ତୁମର ସହାୟ ହେବ ଏବଂ ତୁମେ ତୁମର ସମସ୍ତ ହାରିଯାଇଥିବା ସମ୍ପତ୍ତି ଏବଂ ଭାଇମାନଙ୍କୁ ଫେରି ପାଇବ ।"

ଯୁଧିଷ୍ଠିର ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଉତ୍ତେଜିତ ହୋଇ କହିଲେ.... ହଁ ମୁଁ ଏବେ ନିଜକୁ ବାଜି ଲଗାଉଛି।"ଶକୁନିଙ୍କର କୁଟିଳ ହସ ସହିତ , ଦୁର୍ଯ୍ୟୋଧନ ଡାକିଥିବା ଦାନ ଠିକ୍ ପଡ଼ିଲା ଏବଂ ଉଲ୍ଲସିତ ହୋଇ ଚିତ୍କାର କଲେ କୌରବ ଭ୍ରାତା ଗଣ..."ଏବେ ପଞ୍ଚ ପାଣ୍ଡବ ଆମର କ୍ରୀତଦାସ।"


ଲଜ୍ଜାରେ ମଥା ନଇଁ ଯାଇଥିଲା ପାଣ୍ଡବ ଭାଇମାନଙ୍କର।ତାତ୍ସଲ୍ୟ କରି ଶକୁନି କହିଲେ...ଏବେ ଆଉ ତୁମ ପାଖରେ କଣ ରହିଲା ପ୍ରିୟ ଯୁଧିଷ୍ଠିର? ହଁ ହଁ ନାହିଁ କାହିଁକି, ତୁମ ପାଖରେ ଅମୂଲ୍ୟ ହୀରା ଦ୍ରୁପଦ ରାଜକୁମାରୀ ଅନିନ୍ଦ୍ୟ ସୁନ୍ଦରୀ ପାଞ୍ଚାଳୀ ଅଛନ୍ତି। ସେ ତୁମର ଭାଗ୍ୟ ବଦଳାଇ ଦେଇପାରନ୍ତି, ତୁମେ ସବୁ ଫେରି ପାଇପାର; ତାଙ୍କୁ ବାଜି ଲଗାଅ ପ୍ରିୟ ଯୁଧିଷ୍ଠିର।"

ଯୁଧିଷ୍ଠିର ନିଜର ଆୟତ୍ତରେ ନଥିଲେ। ମହାକାଳ ତାଙ୍କ ବୁଦ୍ଧିବୃତ୍ତିକୁ ନିୟନ୍ତ୍ରିତ କରୁଥିଲେ। ଯୁଧିଷ୍ଠିର କହିଲେ... ହଁ ମୁଁ ଏବେ ପାଞ୍ଚାଳୀଙ୍କୁ ବାଜି ଲଗାଉଛି।"


ଯୁଧିଷ୍ଠିର ଏପରି ନିଜର ପତ୍ନୀଙ୍କୁ ବାଜି ରଖିବା ସମୟରେ ନିଜେ ସର୍ବ ନିୟନ୍ତା ମହାକାଳ ମଧ୍ୟ ସ୍ତବ୍ଧ ହୋଇ ରହିଗଲେ। ଲଜ୍ଜାରେ ମୁଣ୍ଡ ତଳକୁ ପୋତି ବସିଗଲେ ବରିଷ୍ଠ କୁରୁ ସଭାସଦଗଣ। ବ୍ୟସ୍ତ ବିବ୍ରତ ହୋଇ ବିଦୂର ଧୃତରାଷ୍ଟ୍ରଙ୍କ ପାଦ ଧରି କହିଲେ...ଏ ଅନ୍ୟାୟ କାର୍ଯ୍ୟକୁ ବନ୍ଦ କରିବା ଆଦେଶ ଦିଅନ୍ତୁ ମହାରାଜ୍, ଏବେ ବି ସମୟ ଅଛି କୁରୁ ବଂଶକୁ ଧ୍ବଂସ ମୁଖରୁ ରକ୍ଷା କରିବାକୁ।କୁଳବଧୂକୁ ପଶା ଖେଳରେ ବାଜି ରଖିବା ଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଯୁଗେ ଯୁଗେ ସମସ୍ତେ ଆପଣଙ୍କୁ ହିଁ ଦାୟୀ କରି ଘୃଣା କରିବେ କାରଣ ଆପଣଙ୍କ ରାଜଦଣ୍ଡ ତଳେ ତଥାକଥିତ ଧର୍ମସଭାରେ ଏ ଅଧର୍ମ କାର୍ଯ୍ୟ ହେଉଛି।"


ଅନ୍ଧ ରାଜାଙ୍କର କର୍ଣ୍ଣ ମଧ୍ୟ ବଧୀର ହୋଇଗଲା।ପଶାକାଠି ଗଡିଲା ଏବଂ ପଶାରେ ଦାସୀ ଭାବରେ ଦ୍ରୌପଦୀଙ୍କୁ ମଧ୍ୟ ଜିଣିଗଲେ ଦୁର୍ଯ୍ୟୋଧନ; ଯାହା ସେ ସ୍ବୟଂବର ସଭାରେ କରିପାରିନଥିଲେ ଅସ୍ତ୍ର ବଳରେ,ଏବେ ମାତୁଳ ଶକୁନି ତାଙ୍କ ପାଇଁ କରିପାରିଲେ ଅଦ୍ଭୁତ ପଶାକାଠି ବଳରେ। ଶକୁନିଙ୍କ ପିତାଙ୍କ କଙ୍କାଳ ହାଡ଼ରେ ନିର୍ମିତ ଏହି ପଶାକାଠି ତାର ଇପ୍ସିତ କାମ କରିଦେଇଥିଲା।


ଆନନ୍ଦ ଉଲ୍ଲାସରେ ଚିତ୍କାର କରି ଉଠିଲେ ଶତଭ୍ରାତା,ଶକୁନି କର୍ଣ୍ଣ,ଦୁଃଶାସନ ସମେତ ତାଙ୍କର ଅନ୍ୟ ସମର୍ଥକ ଗଣ। ଆନନ୍ଦରେ ଦୁର୍ଯ୍ୟୋଧନ ମାମୁଁଙ୍କୁ ଆଲିଙ୍ଗନ କରି କହିଲେ.. ମୁଁ ଆପଣଙ୍କର ଏ ଋଣ ଜୀବନରେ ଶୁଝି ପାରିବି ନାହିଁ ମାମୁଁ,ମୋ ଜୀବନର ଲକ୍ଷ ପୂର୍ଣ୍ଣ ହୋଇଛି।"


ଏ ଅନ୍ୟାୟର ଘୋର ବିରୋଧ କରୁଥିବା ଏକମାତ୍ର କୁରୁପୁତ୍ର ବିକର୍ଣ୍ଣ ଘୃଣାପୂର୍ଣ୍ଣ କଣ୍ଠରେ କହିଲେ... ଏହାଠାରୁ ବଳି ଘୋର ଲଜ୍ଜାଜନକ କଥା କୁରୁକୁଳ ପାଇଁ କଣ ହୋଇପାରେ ? ଧୀକ୍ ସେ ଦୁର୍ଯ୍ୟୋଧନଙ୍କୁ ଯିଏ ଏହି ଘୃଣ୍ୟ ଦ୍ୟୂତକ୍ରୀଡାର ସ୍ବାମୀ;ଧୀକ୍ ସେ ଯୁଧିଷ୍ଠିରଙ୍କୁ ଯେ ନିଜ ପତ୍ନୀଙ୍କୁ ମଧ୍ୟ ବାଜି ଲଗାଇ ପାରୁଛନ୍ତି। ପ୍ରଜାମାନଙ୍କୁ ନୈତିକତାର କି ଉଦାହରଣ ଦେଉଛନ୍ତି ମହାରାଜା ଧୃତରାଷ୍ଟ୍ର ! ଏଠାରେ ସଭାମଣ୍ଡନ କରୁଥିବା କୁଳବୃଦ୍ଧ ମାନେ ନୀରବ କାହିଁକି ?ସେମାନେ କଣ ଦୁଷ୍ଟଶକ୍ତି ଆଗରେ ଏତେ ଭୟଭୀତ !!"


ବିକର୍ଣ୍ଣଙ୍କଠାରୁ ଏହାଶୁଣି କର୍ଣ୍ଣ ଭର୍ତ୍ସନା କରି କହିଲେ...ଉପଦେଶ ଦେବା ସେତିକି ଥାଉ ବିକର୍ଣ୍ଣ; ଏଠାରେ ଭୀଷ୍ମ, ଦ୍ରୋଣ, କୃପ ତଥା ନିଜେ ମହାରାଜା ଧୃତରାଷ୍ଟ୍ରଙ୍କ ଭଳି ବିଜ୍ଞ ବ୍ୟକ୍ତିମାନେ ଅଛନ୍ତି।ସେମାନେ ସମସ୍ତେ ଏହି ପାଞ୍ଚଭାଇ ଏବଂ ଦ୍ରୌପଦୀଙ୍କ ଦାସତ୍ବକୁ ବିରୋଧ କରୁନାହାନ୍ତି, ତୁମେ କାହିଁକି? "

ଦୁର୍ଯ୍ୟୋଧନ ନିଜ ଭୃତ୍ୟ ପ୍ରତିକାମୀଙ୍କୁ ଆଦେଶ ଦେଇ କହିଲେ..ପ୍ରତିକାମୀ ! ଏବେ ରାଜନବରକୁ ଯାଇ ଦାସୀ ଦ୍ରୌପଦୀଙ୍କୁ ଏହି ରାଜ୍ୟସଭାକୁ ନେଇ ଆସ। ଆମେମାନେ ତାର ପ୍ରଭୁ। ପ୍ରଭୁ ମାନଙ୍କୁ ଦର୍ଶନ କରିବାପରେ ତାଙ୍କୁ ବୁଝାଇ ଦିଆଯିବ କାହା ପାଖରେ ସେ ଦାସୀତ୍ବ କରିବେ।"

ପ୍ରତିକାମୀ ରାଜଭୃତ୍ୟ ହେଲେ ମଧ୍ୟ ତା ମନରେ ମାନବିକତା ଥିଲା; ପ୍ରଭୁ ମାନଙ୍କର ଘୃଣ୍ୟ ଆଦେଶ ପାଳନ କରି କିପରି ସେ ଇନ୍ଦ୍ରପ୍ରସ୍ଥର ରାଣୀଙ୍କୁ ଏକଥା ଶୁଣାଇବ ଜାଣି ପାରୁନଥିଲା। ତଥାପି ଅଶ୍ରୁପୂର୍ଣ୍ଣ ନେତ୍ରରେ ପ୍ରାସାଦ ଭିତରେ ପହଞ୍ଚି,ଘଟିଥିବା ଘଟଣା ବର୍ଣ୍ଣନା କରି ଦୁର୍ଯ୍ୟୋଧନଙ୍କର ଏହି ଆଦେଶ ଶୁଣାଇଲା ପ୍ରତିକାମୀ।"


ଦ୍ୟୂତକ୍ରୀଡାରେ ଘଟିଥିବା ଘଟଣାବଳୀ ଶୁଣି ସ୍ତବ୍ଧ ହୋଇଗଲେ ପାଞ୍ଚାଳୀ।ନିଜକୁ ସମ୍ଭାଳି କହିଲେ...ପ୍ରତିକାମୀ ! ମୋର ସେଠାକୁ ଯିବାର ପ୍ରଶ୍ନ ଉଠୁନାହିଁ।ଏହା ରାଜାଦେଶ ନୁହେଁ,ଏହା ଏକ ପାଗଳର ପ୍ରଳାପ।ଧର୍ମଦଣ୍ଡ ଧରିଥିବା କୁରୁ ରାଜ ଦରବାରରେ ଯାଇ ପଚାର ପ୍ରତିକାମୀ.. ନିଜେ ପ୍ରଥମେ ପଶା ଖେଳରେ ହାରିଯାଇ ଦାସ ହୋଇଥିବା ଯୁଧିଷ୍ଠିର କେଉଁ ଅଧିକାରରେ ମୋତେ ବାଜି ରଖିଲେ?"


ପ୍ରତିକାମୀ ଫେରିଯାଇ ଏହି ପ୍ରଶ୍ନ କୁରୁ ସଭା ତଳେ କରିବା ପରେ କ୍ରୋଧରେ ଉତ୍'କ୍ଷୀପ୍ତ ଦୁର୍ଯ୍ୟୋଧନ ଦୁଃଶାସନକୁ ଚାହିଁ କହିଲେ..ଏ'ପ୍ରତିକାମୀ ଗୋଟାଏ ଅପଦାର୍ଥ ପ୍ରାଣୀ। ତୁମେ ଯାଇ ସେ କ୍ରୀତଦାସୀକୁ ନେଇଆସ।ନ'ଆସିଲେ ବଳ ପ୍ରୟୋଗ କରି ଟେକିଆଣିବ।"


ଦୁର୍ଯ୍ୟୋଧନ କଥା ଶୁଣି ଭୟଙ୍କର କ୍ରୋଧରେ କମ୍ପିଗଲେ ମହାବଳୀ ଭୀମ ଏବଂ ଯୁଧିଷ୍ଠିରଙ୍କୁ କହିଲେ..ଆପଣ ଆଜି ଆମକୁ କି ଅସହାୟ ଅବସ୍ଥାରେ ପକାଇଛନ୍ତି ଜ୍ୟେଷ୍ଠ ଭ୍ରାତା,ନହେଲେ ଆଜି ଏପରି କହିବା ପରେ ଦୁର୍ଯ୍ୟୋଧନ ବଞ୍ଚି ନଥାନ୍ତା।"

ଦୁର୍ଯ୍ୟୋଧନ ଭୀମକୁ ନାଲି ଆଖି ଦେଖାଇ କହିଲା..ଏ କ୍ରୀତଦାସ ! ଚୁପ୍ ଚାପ୍ ବସ।ତୋର କିଛି କହିବାର ଅଧିକାର ନାହିଁ।

ଦୁଃଶାସନ ଯେତେବେଳେ ଅନ୍ତଃପୁରରେ ପହଞ୍ଚିଲା,ସେ ସମୟରେ ରଜସ୍ୱଳା ହୋଇ ଗୋଟିଏ ବସ୍ତ୍ର‌ ପରିହିତା ହୋଇ ଯାଜ୍ଞସେନୀ ବସିଥିଲେ।ଏକ କୁଟିଳ ହସ ହସି ଦୁଃଶାସନ,ଦ୍ରୋପଦୀଙ୍କୁ କହିଲେ..ତୁମେ ବର୍ତ୍ତମାନ ଇନ୍ଦ୍ରପ୍ରସ୍ଥର ମହାରାଣୀ ନୁହଁ,ଆମର କ୍ରୀତଦାସୀ।ରାଜାଙ୍କ ଆଦେଶ ଅନୁଯାୟୀ ତୁମେ ରାଜସଭାକୁ ଚାଲିଆସ,ନହେଲେ ବଳ ପ୍ରୟୋଗ କରିବାକୁ ପଡ଼ିବ।"

ଦ୍ରୌପଦୀ କହିଲେ..ଦେଖ ଦୁଃଶାସନ, ମୁଁ ବର୍ତ୍ତମାନ ରଜସ୍ୱଳା ନାରୀ, ଏକ ବସ୍ତ୍ର ପରିହିତା।ଏ ସମୟରେ ରାଜସଭାକୁ ଯିବା ମୋ ପାଇଁ ଲଜ୍ଜାକର।"

ଦୁଃଶାସନ କହିଲା....ହା ହା ହା କ୍ରୀତଦାସୀର ପୁଣି ଲଜ୍ଜା ଗୋଟାଏ କଣ?ଭୟ କରନାହିଁ,ତୁମେ ଦାସୀ ହେଲେ ମଧ୍ୟ ଯୁବରାଜ ଦୁର୍ଯ୍ୟୋଧନଙ୍କର ବାହୁଛାୟାତଳେ ତୁମେ ରହିବ।ତୁମ ସ୍ବାମୀ ମାନଙ୍କୁ ଛାଡ,ତୁମକୁ ସେ ଦାସୀ ଭାବେ ଆମକୁ ବିକ୍ରୟ କରିଦେଇଛନ୍ତି।"


ଦ୍ରୌପଦୀଙ୍କୁ ଯିବାପାଇଁ ଅସମ୍ମତ ହେବାର ଦେଖି ଦୁଃଶାସନ ଆଗେଇ ଗଲା ବଳ ପ୍ରୟୋଗ କରି ଟାଣି ନେବାପାଇଁ।ଭୟରେ ଦ୍ରୌପଦୀଙ୍କର ଆଖି ବିସ୍ଫାରିତ ହୋଇଗଲା।ବ୍ୟାଧ ଜାଲରୁ ରକ୍ଷା ପାଇବାପାଇଁ ଇତସ୍ତତ ଦଉଡୁଥିବା ତ୍ରସ୍ତ ହରିଣୀ ଭଳି ସେ ନବର ଭିତରେ ଇତସ୍ତତ ଦଉଡୁଥିଲେ। ଚେଷ୍ଟା କରୁଥିଲେ ଅନ୍ତଃପୁର ଭିତରକୁ ଯାଇ ଗାନ୍ଧାରୀଙ୍କ ପାଖରେ ଶରଣ ପଶିବା ପାଇଁ।ଶିକାରୀ ଛଞ୍ଚାଣ ନିରିହ କପୋତୀକୁ ଝାମ୍ପିନେଲାପରି, ଗାନ୍ଧାରୀଙ୍କ ପ୍ରକୋଷ୍ଠର ଠିକ୍ ବାହାରୁ ଦୁଃଶାସନ ଦ୍ରୌପଦୀଙ୍କ କେଶକୁ ଧରି ଝାଙ୍କି ଆଣିଲା।ବିମୁକ୍ତ ହୋଇଗଲା ଘନକେଶ ରାଶି।ସତେ ଅବା କୁରୁ ବଂଶର ଗୌରବ ସୂର୍ଯ୍ୟଙ୍କୁ ଗ୍ରାସ କରିବାପାଇଁ ମାଡିଆସିଲା ଘୋର ଘନଘଟା। ଯନ୍ତ୍ରଣାରେ ଚିତ୍କାର କଲେ ଦ୍ରୌପଦୀ....ମୋତେ ଛାଡ଼ିଦିଅ ଦୁଃଶାସନ, ମୁଁ ଏକବସ୍ତ୍ର ପରିହିତା ଅବଳା ନାରୀ, ସମ୍ପର୍କରେ ତୁମେ ମୋର ଦେବର;ମୋର ସମ୍ମାନ ରକ୍ଷା କରିବା ତୁମର କର୍ତ୍ତବ୍ୟ। ସମ୍ପର୍କ ପ୍ରତି ତୁମର ସମ୍ମାନ ନଥିଲେ ମଧ୍ୟ ଭରତବଂଶୀ ରାଜପୁତ୍ର ଭାବରେ ନାରୀର ଅସ୍ମିତା ପ୍ରତି ତୁମେ ତ ସମ୍ମାନ ଦେଖାଇବା ଉଚିତ। ଅବଳା ପ୍ରତି ଯେବେ ରାଜ ପରିବାର ଅତ୍ୟଚାର କରିବ ତା'ହେଲେ ପ୍ରଜାମାନେ କିପ୍ରକାର ଆଚରଣ କରିବେ ?"

ଦୁଃଶାସନ କହିଲା..ଭାଷଣ ବନ୍ଦକର,କ୍ରୀତଦାସୀ।ଚାଲ୍ ରାଜଦରବାରକୁ।" 


ଦ୍ରୌପଦୀଙ୍କ କେଶ ଝିଙ୍କି ରାଜସଭାକୁ ଯେତେବେଳେ ଘୋଷାରି ଘୋଷାରି ନେଇ ଠିଆ କରାଇଲା ଦୁଃଶାସନ,ଲଜ୍ଜାରେ କୁରୁବୃଦ୍ଧ ମାନଙ୍କର ଆଖି ନଇଁ ଗଲା। ଅଶ୍ରୁଳ ଆଖିରେ ସ୍ବଗତୋକ୍ତି କଲେ ବିଦୂର..ହେ କୃଷ୍ଣ ! କେଉଁଠି ତୁମେ ?କୁଳବଧୂର ଏ ଅବସ୍ଥା ଦେଖିବା ଆଗରୁ ମୋ ଜୀବନ ଚାଲି ନଗଲା କାହିଁକି?"

ଲଜ୍ଜା,ଭୟ, କ୍ରୋଧରେ ଥରୁଥିଲେ ଦ୍ରୌପଦୀ। ଭୀଷ୍ମଙ୍କ ଆଡ଼କୁ ଚାହିଁ ଥର ଥର କଣ୍ଠରେ ପଚାରିଲେ.... ଆବହମାନ କାଳରୁ ଯେଉଁ କୁରୁ ରାଜବଂଶ ଅବଳା ଦୁର୍ବଳା ମାନଙ୍କୁ ରକ୍ଷା କରିଆସିଛି, ଯେଉଁ ରାଜପରିବାର ଯୁଗେ ଯୁଗେ ଧର୍ମରକ୍ଷାକାରୀ ଭାବରେ ପରିଚିତ, ସେଠାରେ ଏଭଳି ଘୃଣ୍ୟ କାର୍ଯ୍ୟ କରିବାକୁ କିଏ ସାହସ କଲା?"


ମଥା ଅବନତି କରି ବସିଥିବା ନିଜ ସ୍ବାମୀମାନଙ୍କ ଆଡ଼କୁ ଚାହିଁ ଦ୍ରୌପଦୀ ପଚାରିଲେ...ହେ ତଥାକଥିତ ଧର୍ମପୁତ୍ର! ଏହି ଦ୍ୟୂତକ୍ରୀଡାରେ ତୁମେ ପ୍ରଥମେ କାହାକୁ ବାଜି ରଖିଥିଲ, ନିଜକୁ ନାଁ ମୋତେ ? ଜୁଆ ଖେଳରେ ନିଜର ସର୍ବସ୍ବ ହରାଇ କ୍ରୀତଦାସ ହେବାପରେ ତୁମେ ପାଞ୍ଚାଳ ରାଜକନ୍ୟାକୁ କେଉଁ ଅଧିକାରରେ ବାଜି ରଖିଲ ଧର୍ମପୁତ୍ର ?"


ପୂର୍ଣ୍ଣ ରାଜସଭାକୁ ଚାହିଁ ଦ୍ରୌପଦୀ କହିଲେ...ମୋର ମଧ୍ୟ ସଭାସଦଙ୍କୁ ସେହି ଗୋଟିଏ ପ୍ରଶ୍ନ, କେଉଁ ନୀତିରେ ମୁଁ କ୍ରୀତଦାସୀ ?" ସମଗ୍ର ରାଜସଭା ନୀରବ।କାହା ପାଖରେ ଏ ପ୍ରଶ୍ନର ଉତ୍ତର ନଥିଲା।


ଚିତ୍କାର କରି ନିଜର ଜଙ୍ଘ ବାଡ଼େଇ ଦୁର୍ଯ୍ୟୋଧନ କହିଲା..ବାଚାଳତା ବନ୍ଦକର କ୍ରୀତଦାସୀ।ଦାସୀ ଭାବରେ ତୋର କିଛି କହିବାର ଅଧିକାର ନାହିଁ,ଆଦେଶ ପାଳନ କରିବାର ଅଛି।ପାଞ୍ଚ ପତିଙ୍କ ଶଯ୍ୟା ସଙ୍ଗିନୀ, ଆ,ଏବେ ମୋ ଜାନୁ ଉପରେ ବସ୍।"


ଦୁର୍ଯ୍ୟୋଧନର ଏ ଶ୍ଳେଷବାକ୍ୟରେ ଭୟଙ୍କର କ୍ରୋଧରେ ଗର୍ଜି ଉଠିଲେ ଭୀମସେନ। ଭୂମି ପିଟି କହିଲେ..ଦିନେ ନା ଦିନେ ତୋର ଏହି ଘୃଣ୍ୟ ଜଙ୍ଘକୁ ପିଟି ତୋତେ ହତ୍ୟାକରିଵି ମୂର୍ଖ। ପାଞ୍ଚାଳୀକୁ ଅପମାନିତ କରିବା ଫଳ ଭୋଗ କରିବୁ।"

ଚିତ୍କାର କରିଉଠିଲା ଦୁର୍ଯ୍ୟୋଧନ...ବସ କ୍ରୀତଦାସ। ତୋର କିଛି କହିବାର ଅଧିକାର ନାହିଁ।"


ଉତ୍ତେଜିତ ହୋଇ କର୍ଣ୍ଣ କହିଲେ...ମିତ୍ର ! ଏହି ପାଣ୍ଡବ ମାନେ ଆମର କ୍ରୀତଦାସ; ସେମାନଙ୍କ କଟି ଉପରକୁ ଥିବା ବସ୍ତ୍ର ସେମାନେ ପିନ୍ଧିବା ଯୋଗ୍ୟ ନୁହନ୍ତି। ତାହା ସେମାନେ ପରିତ୍ୟାଗ କରନ୍ତୁ।"

ଦୁର୍ଯ୍ୟୋଧନ କହିଲେ... ଠିକ୍ କଥା ମିତ୍ର ! ଏହି ପାଞ୍ଚପତିଙ୍କର ପତ୍ନୀ ଗଣଭୋଗ୍ୟା ପାଞ୍ଚାଳୀର ଅଙ୍ଗବସ୍ତ୍ର ମଧ୍ୟ ହରଣ କରାଯାଉ। ଯାଅ ଦୁଃଶାସନ, ଦ୍ରୌପଦୀକୁ ନିବସ୍ତ୍ର କର।"


ଆଦେଶକୁ ଅପେକ୍ଷା କରିଥିଲା ଦୁଃଶାସନ।ତ୍ରସ୍ତା ହରିଣୀକୁ ଭେଡିଆ ମାଡିବସିଲାପରି ଦ୍ରୌପଦୀଙ୍କ ଦେହରେ ଥିବା ଏକମାତ୍ର ଅଙ୍ଗବସ୍ତ୍ରକୁ ଭିଡ଼ି ତାଙ୍କୁ ନିବସ୍ତ୍ର କରିବାକୁ ଆଗେଇ ଆସିଲା ଦୁଃଶାସନ। ଦ୍ରୌପଦୀ ନିଜ ପତିମାନଙ୍କ ଆଡ଼କୁ ଚାହିଁଲେ। ସମସ୍ତେ ମୁହଁ ପୋତି ବସିଛନ୍ତି। କୁରୁମୂଖ୍ୟ ମାନଙ୍କୁ ଚାହିଁଲେ ପାଞ୍ଚାଳୀ। ସେମାନଙ୍କଠାରୁ କିଛି ସାହାଯ୍ୟ ଆଶା କରୁଥିଲେ ସେ। ନିଃସହାୟ ମନେ କଲେ ନିଜକୁ ଦ୍ରୌପଦୀ। ଦୁଃଶାସନ ତାଙ୍କ ଅଙ୍ଗବସ୍ତ୍ରକୁ ଟାଣିବାରେ ଲାଗିଛି।ସମସ୍ତ ପ୍ରତିରୋଧ ଶିଥିଳ ପଡିଯାଉଛି। କଣ କରିବେ ସେ ! ନାରୀର ଅଙ୍ଗ ଦର୍ଶନ ପାଇଁ କୁରୁ କୁକୁର ମାନଙ୍କ ଆଖିରେ ଲଜ୍ଜା ହୀନ ଉତ୍ସୁକତା।

ହାତ ଉପରକୁ ଟେକିଦେଇ ଆଖି ବୁଜି କୃଷ୍ଣଙ୍କୁ ସ୍ମରଣକଲେ ଦ୍ରୌପଦୀ....ତୁମେ ମୋର ଅନ୍ତିମ ଭରଷା, ମୋର ଲାଜ ରଖ କୃଷ୍ଣ;"ଗୋବିନ୍ଦ ଗୋପାଳ ହରେ ମୁରାରେ, ହେ ନାଥ ନାରାୟଣ ବାସୁଦେବ !"

ହଠାତ୍ ସଭାଗୃହର ଏକ କୋଣ ଏକ ଅଦ୍ଭୁତ ବିଭାମୟ ଜ୍ୟୋତିରେ ଉଦ୍ଭାସିତ ହୋଇଗଲା ଏବଂ ଶୁନ୍ୟରୁ ବସ୍ତ୍ର ଲମ୍ବିଆସି ଦ୍ରୌପଦୀଙ୍କ ଦେହକୁ ଆଚ୍ଛାଦିତ କରିଦେଲା। ଦୁଃଶାସନ ଯେତେ ବସ୍ତ୍ର ଟାଣୁଥାଏ ସେତିକି ବସ୍ତ୍ର କୃଷ୍ଣାଙ୍କ ଅଙ୍ଗକୁ ଆଚ୍ଛାଦିତ କରୁଥାଏ। ଶେଷରେ ଦୁଃଶାସନର ହାତ ଶିଥିଳ ହୋଇଗଲା ଏବଂ ଶକ୍ତିହୀନ ହୋଇ ସେ ତଳେ ପଡ଼ିଗଲା। ଶୁନ୍ୟକୁ ଚାହିଁ ଦ୍ରୌପଦୀ କହିଲେ..ଦାସୀର କୋଟି ଦଣ୍ଡବତ ଘେନାକର ପ୍ରଭୁ !



Rate this content
Log in

Similar oriya story from Classics