STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୪୮

କଥା କାଦମ୍ବରୀଭାଗ ୪୮

5 mins
207


ଏ ଘୋର ଅନ୍ୟାୟ ମହାରାଜ୍ !!


ସେ'ଦିନ ଇନ୍ଦ୍ରପ୍ରସ୍ଥର ସକାଳ ବହୁ ଅଶନି ସଙ୍କେତ ନେଇ ଆସିଥିଲା। ଶୃଗାଳ ଏବଂ ଊଲୂକ ମାନଙ୍କର ରାବ,ଆକାଶରୁ ଉଲ୍କାପାତ ଏବଂ ରକ୍ତ ବର୍ଷା ଦେଖି ନଗ୍ରବାସୀଙ୍କ ମନକୁ ନାନାପ୍ରକାର ଆଶଙ୍କା ଯାବୁଡି ଧରିଥିଲା।ପଣ୍ଡୁ ପରିବାରରେ ସମସ୍ତେ ମନ୍ତ୍ରଣା କକ୍ଷରେ ଯୁଧିଷ୍ଠିରଙ୍କ ଆଗମନ ପାଇଁ ଅପେକ୍ଷା କରିଥିଲେ।ବିଦୂର ଅପେକ୍ଷା କରିଥିଲେ ଯୁଧିଷ୍ଠିରଙ୍କ ନିଷ୍ପତ୍ତି ଶୁଣିବା ପରେ ହସ୍ତିନା ଫେରି ଯିବାପାଇଁ।


ଧୀର ପଦକ୍ଷେପରେ କକ୍ଷକୁ ପ୍ରବେଶ କରି ମାତା ଏବଂ ଧର୍ମାତ୍ମା ବିଦୂରଙ୍କ ପଦସ୍ପର୍ଶ କଲା ପରେ ଆସନ ଗ୍ରହଣ କଲେ ଯୁଧିଷ୍ଠିର।ତାଙ୍କ ମୁଖମଣ୍ଡଳ କହି ଦେଉଥିଲା ଯେ ସେ ଏକ ଦୃଢ଼ ନିଷ୍ପତ୍ତି ନେଇସାରିଛନ୍ତି। ମାତା ଏବଂ ଭାଇମାନଙ୍କୁ ଚାହିଁ ସେ କହିଲେ..ହେ ମୋର ପ୍ରଣାଧିକ ମାତା ଏବଂ ଭ୍ରାତାଗଣ ! ଜ୍ୟେଷ୍ଠ ତାତ ଧୃତରାଷ୍ଟ୍ର ଦ୍ୟୂତ କ୍ରୀଡା ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି ତାହା ମୋ ପାଇଁ ଆଦେଶ ସହିତ ସମାନ। ତାହା ମୁଁ ଅବଜ୍ଞା କରି ପାରିବି ନାହିଁ। କିନ୍ତୁ ତୁମେ ସମସ୍ତେ ଏବଂ ରାଣୀ ଦ୍ରୌପଦୀ ମୋର ଏହି ନିଷ୍ପତ୍ତି ସପକ୍ଷରେ ନୁହନ୍ତି।ମୋ ନିଜ ନିଷ୍ପତ୍ତି ମୁଁ ମୋର ଭାଇବନ୍ଧୁ ମାନଙ୍କ ଉପରେ କିପରି ଲଦିଦେବି ? ତେଣୁ ମୁଁ ଏହି ରାଜପଦ ତ୍ୟାଗ କରି ବାନପ୍ରସ୍ଥ ଜୀବନ ଯାପନ କରିବାକୁ ନିର୍ଣ୍ଣୟ ନେଇଛି।ମୋ ସ୍ଥାନରେ ଭୀମ ଇନ୍ଦ୍ରପ୍ରସ୍ଥର ରାଜସିଂହାସନ ଗ୍ରହଣ କରନ୍ତୁ, ମୋତେ ମୁନି ଋଷି ମାନଙ୍କ ସହିତ ଆଧ୍ୟାତ୍ମିକ ଜୀବନ ବିତାଇବା ପାଇଁ ଅନୁମତି ମିଳୁ।"


ଏହାଶୁଣି ସମସ୍ତେ ବିବ୍ରତ ହୋଇପଡିଲେ। କୁନ୍ତୀ କହିଲେ... ତୁମେ ଏ କଣ କହୁଛ ପୁତ୍ର !ତୁମ ପାଞ୍ଚ ଭାଇଙ୍କର ଏକତା ହିଁ ତୁମର ଶକ୍ତି। ସେହି ଏକତା ପାଇଁ କୁରୁବଂଶର ଭେଡିଆ ମାନଙ୍କ ଆକ୍ରମଣରୁ ତୁମେମାନେ ଏ ପର୍ଯ୍ୟନ୍ତ ରକ୍ଷାପାଇ ବଞ୍ଚିଛ;ତୁମ ଭାଇମାନଙ୍କର ଏହି ଏକତା ପାଇଁ ରାଜକନ୍ୟା ଦ୍ରୌପଦୀ ତୁମ ପାଞ୍ଚଭାଇଙ୍କୁ ବିବାହ କରିଛନ୍ତି। ଯେତେ ବିପଦ ଆସୁ ପଛେ ତୁମ ଭିତରୁ କେହି ଅଲଗା ରହିବ ନାହିଁ।"


ଭୀମଙ୍କ ଆଖିରେ ଅଶ୍ରୁ ଆସିଗଲା। ଯୁଧିଷ୍ଠିରଙ୍କ ପାଦତଳେ ପଡିଯାଇ କହିଲେ ...ମୋର ଘୋର ଅପରାଧ ହୋଇଛି ଭ୍ରାତା,ଆପଣ ଯେଉଁ ନିଷ୍ପତ୍ତି ନେବେ ମୁଁ ସେଥିପାଇଁ ସମ୍ମତ।"

ଅର୍ଜୁନ ନକୁଳ ଏବଂ ସହଦେବ ମଧ୍ୟ ଏକ ସ୍ବରରେ କହିଲେ ... ଜ୍ୟେଷ୍ଠ ଭ୍ରାତାଙ୍କ ନିଷ୍ପତ୍ତି ଯେବେ ଆମକୁ ଦାଣ୍ଡର ଭିକାରି ଭାବରେ ଠିଆ କରାଏ ସେଥିପାଇଁ ଆମେ ପ୍ରସ୍ତୁତ।ଆମେ ଜାଣୁ ଯେ ଦ୍ୟୂତ କ୍ରୀଡାରେ ଆମେ ସର୍ବସ୍ବ ହରାଇବାକୁ ଯାଉଛନ୍ତି, ତଥାପି କ୍ରୀଡ଼ାରେ ଭାଗନେବା ଯେବେ ଜ୍ୟେଷ୍ଠ ଭ୍ରାତାଙ୍କ ଇଚ୍ଛା, ତାହା ହିଁ ଆମପାଇଁ ବିଧି ନିର୍ଦ୍ଦେଶ।"


ବିଦୂର କହିଲେ... ଦୁର୍ଯ୍ୟୋଧନର ପ୍ରରୋଚନାରେ ଦ୍ୟୂତକ୍ରୀଡା ପାଇଁ କରାଯାଇଥିବା ଏହି ଆହ୍ବାନ ତୁମ୍ଭମାନଙ୍କର ସମ୍ପଦ ଛଡ଼ାଇ ନେଇ ଦାଣ୍ଡର ଭିକାରୀ କରିବାପାଇଁ ଉଦ୍ଦିଷ୍ଟ ପୁତ୍ର ଯୁଧିଷ୍ଠିର ! ଜାଣିଶୁଣି ଅଗ୍ନିରେ ଝାସ ଦେବାପାଇଁ ତୁମର ଇଚ୍ଛା !!

ଯୁଧିଷ୍ଠିରଙ୍କ ଉତ୍ତର... ମହାମୁନି ବ୍ୟାସଦେବଙ୍କ ଭବିଷ୍ୟ ବାଣୀକୁ ନିଷ୍ଫଳ କରି ମହାବିନାଶରୁ ପୃଥିବୀକୁ ବଞ୍ଚାଇବାପାଇଁ ଏହା ତ ଅତି ତୁଚ୍ଛ ତ୍ୟାଗ ପିତୃବ୍ୟ !"


ଦ୍ରୌପଦୀ ଅସହାୟ କଣ୍ଠରେ କହିଲେ..ଏହା ଯେବେ ମୋର ସ୍ବାମୀ ମାନଙ୍କର ନିଷ୍ପତ୍ତି, ତେବେ ସେମାନଙ୍କୁ ଅନୁସରଣ ନକରି ମୋର ବା ଉପାୟ କଣ ? କିନ୍ତୁ ଏହା ଘୋର ଅନ୍ୟାୟ। ଶ୍ରୀକୃଷ୍ଣ ଏ ସମୟରେ ଏଠାରେ ଥିଲେ କଦାପି ଏ‌ହି ଅନ୍ୟାୟ କାର୍ଯ୍ୟ ହେବାକୁ ଦେଇନଥାନ୍ତେ।ଯୁଦ୍ଧ ଓ ରକ୍ତପାତ ଡରରେ ଆମେ କ'ଣ ଶତ୍ରୁ ଖଡ୍ଗ ଆଗରେ ମୁଣ୍ଡ ପାତି ଦେବା !!" 


ପଣ୍ଡୁ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଅବସରରେ ହସ୍ତିନାକୁ ଆମନ୍ତ୍ରଣ କରି ଥିଲେ ଧୃତରାଷ୍ଟ୍ର।ତେଣୁ ପାଞ୍ଚଭାଇ,ମାତା କୁନ୍ତୀ ଏବଂ ଦ୍ରୌପଦୀ ହସ୍ତିନା ଅଭିମୁଖେ ଯାତ୍ରା କଲେ।ତେଣେ ଦୁର୍ଯ୍ୟୋଧନ, କର୍ଣ୍ଣ, ଶକୁନି ଏବଂ ଦୁଃଶାସନ ଆନନ୍ଦରେ ଆତ୍ମହରା; ବିନା ରକ୍ତପାତରେ ଇନ୍ଦ୍ରପ୍ରସ୍ଥ ହସ୍ତଗତ ହେବ।

ହସ୍ତିନାରେ ପହଞ୍ଚିବା ପରେ ପଣ୍ଡୁ ପରିବାରକୁ ରାଜକୀୟ ସମ୍ମାନରେ ସମ୍ମାନିତ କରାଗଲା,କାରଣ ସେମାନେ ଥିଲେ ରାଜଚକ୍ରବର୍ତ୍ତୀ ଯୁଧିଷ୍ଠିରଙ୍କ ପରିବାର। କିନ୍ତୁ ଏହା ଥିଲା ବଳି ପାଇଁ ଯୂପକାଠକୁ ନେବା ପୂର୍ବରୁ ବଦ୍ଧପଶୁକୁ ଭୁରି ଭୋଜନ ଦେବା ଭଳି କାମ। ମାତା କୁନ୍ତୀ ଏବଂ ଦ୍ରୌପଦୀଙ୍କୁ ଅନ୍ତଃପୁରରେ ସ୍ବତନ୍ତ୍ର ପ୍ରକୋଷ୍ଠରେ ଅବସ୍ଥାନର ବ୍ୟବସ୍ଥା କରାଯାଇଥିଲା।


ଗହଗହ କମ୍ପୁଥିଲା ରାଜ ଦରବାର। ସିଂହାସନରେ ବିରାଜମାନ ରାଜା ଧୃତରାଷ୍ଟ୍ର।ନିକଟରେ ସ୍ଥାନ ଗ୍ରହଣ କରିଥିଲେ ମନ୍ତ୍ରୀ ସଞ୍ଜୟ,ମହାମନ୍ତ୍ରୀ ବିଦୂର। ଉପସ୍ଥିତଥିଲେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ,କୃପାଚାର୍ଯ୍ୟ ସହିତ ଅନେକ ରାଜନ୍ୟ ବର୍ଗ।ସଭାର ମଧ୍ୟ ସ୍ଥଳରେ ରଖାଯାଇଥିଲା ପଶାପାଲି ଏବଂ ପଶାପାଲି'ର ଗୋଟିଏ ପାର୍ଶ୍ୱରେ ବସିଥିଲେ ପାଣ୍ଡବ ପାଞ୍ଚଭାଇ।ଅପର ଭାଗରେ ବସିଥିଲେ ଦୁର୍ଯ୍ୟୋଧନ ଦୁଃଶାସନ,କର୍ଣ୍ଣ, ଶକୁନି ଏବଂ ଅଠାନବେ କୌରବ ଭ୍ରାତା।


ଦ୍ୟୂତ କ୍ରୀଡା ଆରମ୍ଭ ପୂର୍ବରୁ ଯୁଧିଷ୍ଠିର ବିନା କ୍ରୀଡ଼ାରେ ଶାନ୍ତିପଥ ଖୋଜିବାକୁ ଚେଷ୍ଟା କରି ଦୁର୍ଯ୍ୟୋଧନକୁ କହିଲେ..ଏ କ୍ରୀଡାର କଣ ଆବଶ୍ୟକତା ଅଛି ପ୍ରିୟ ଦୂର୍ଯ୍ୟୋଧନ?ବିନା କ୍ରୀଡ଼ାରେ କଣ ଆମେ ଶାନ୍ତି ସ୍ଥାପନ କରିପାରିବା ନାହିଁ ?"


ଏ‌ହା ଶୁଣି ମାତୁଳ ଶକୁନି କହିଲେ..ଦ୍ୟୂତ କ୍ରୀଡା ତ ରାଜକୀୟ ସମ୍ମାନର ଚିହ୍ନ ପ୍ରିୟ ଯୁଧିଷ୍ଠିର,ଖେଳିବାରେ ଅସୁବିଧା କେଉଁଠି ?ନଖେଳି ଯେବେ ଭୀରୁତାର ଲାଞ୍ଛନା,ଇନ୍ଦ୍ରପ୍ରସ୍ଥର ଚକ୍ରବର୍ତ୍ତୀ ନିଜ ଉପରକୁ ନେବାକୁ ଚାହାଁନ୍ତି ତାହେଲେ ଆମର କଣ କହିବାର ଅଛି?।"

ଯୁଧିଷ୍ଠିର କହିଲେ...ମାତୁଳ ଶକୁନି ! ଜୁଆଖେଳ, ମଦ୍ୟପାନ ଏବଂ ବାରନାରୀ ରମଣ ଶାସ୍ତ୍ରରେ ନିଷିଦ୍ଧ ଅଛି।ଅଶିତ ଏବଂ ଦେବଳ'ଙ୍କ ଭଳି ଋଷିମାନେ କହି ଯାଇଛନ୍ତି ଯେ ଜୁଆଖେଳ ସମାଜରେ ବର୍ଜନୀୟ କାରଣ ଏହା ଛଳନା ଏବଂ ଶତ୍ରୁତା ସୃଷ୍ଟିକରେ।"

ଶକୁନି କହିଲେ..ଏତେ ବାହାନା କାହିଁକି ଧର୍ମ ପୁତ୍ର? ଖେଳିବାକୁ ଯେବେ ଡର ଲାଗୁଛି, ଭୀରୁ ଆଖ୍ୟା ନେଇ ଖେଳରୁ ଓହରି ଯାଅ।"

ଯୁଧିଷ୍ଠିର କହିଲେ... ଠିକ୍ ଅଛି ମୁଁ ଖେଳିବା ପାଇଁ ପ୍ରସ୍ତୁତ, କିନ୍ତୁ ମୋ ସହିତ ଖେଳିବ କିଏ ?"

ଦୁର୍ଯ୍ୟୋଧନ କହିଲେ ...ମୋ ତରଫରୁ ମାମୁଁ ଶକୁନି ପଶାକାଠି ପକାଇବେ, କିନ୍ତୁ ଦାନ ମୁଁ ଡାକିବି।"

ଯୁଧିଷ୍ଠିର କହିଲେ.. ଜଣଙ୍କ ପାଇଁ ଆଉଜଣେ କିପରି ଖେଳିବ ପ୍ରିୟ ଦୁର୍ଯ୍ୟୋଧନ ?"

ଶକୁନି କହିଲେ...ଏ ପୁଣି ଆଉ ଏକ ବାହାନା ଧର୍ମପୁତ୍ର !"

ସଭାରେ ଉପସ୍ଥିତଥିବା ଭୀଷ୍ମ, ଦ୍ରୋଣ,ବିଦୂର ଏବଂ କୃପ ଆଦି କୁରୁବୃଦ୍ଧଗଣ ଏହି କ୍ରୀଡା ବିରୁଦ୍ଧରେ ମତ ଦେଲେ ମଧ୍ୟ ସେମାନଙ୍କ ଉପଦେଶକୁ କେହି କର୍ଣ୍ଣପାତ କଲେନାହିଁ।


ଯୁଧିଷ୍ଠିରଙ୍କର ମନେହେଲା ଯେପରି ଏକ ଅଜ୍ଞାତ ଶକ୍ତି ତାଙ୍କୁ ଟାଣି ନେଉଛି ଏହି ମହା ବିଧ୍ବଂସକ ଦ୍ୟୂତ କ୍ରୀଡାର ବଳୟ ଭିତରକୁ। ନିଜକୁ ସେ ଅଟକାଇ ପାରୁନାହାନ୍ତି। ମହାମୁନି ବ୍ୟାସଦେବଙ୍କ ଭବିଷ୍ୟ ବାଣୀ ତାଙ୍କର ମନେ ପଡ଼ିଲା... ଆଗାମୀ ତେର ବର୍ଷରେ ଯେଉଁ ରକ୍ତପାତ ଘଟିବ ତାର କେନ୍ଦ୍ର ବିନ୍ଦୁ ହେବେ ନିଜେ ଯୁଧିଷ୍ଠିର।


ଆରମ୍ଭ ହେଲା ମହାବିନାଶକାରୀ ଦ୍ୟୂତକ୍ରୀଡା,ଯାହାର ସୁଦୂରପ୍ରସାରୀ ଫଳସ୍ବରୂପ ଦିନେ ପୃଥିବୀ ବୀର ଶୂନ୍ୟ ହୋଇ ଯାଇଥିଲା।

ପ୍ରଥମେ ବାଜିପଡିଲା ଧନରତ୍ନ,ସୁନା ରୂପା,ହୀରା, ମୋତି, ଇତ୍ୟାଦି।ଗୋଟିକ ପରେ ଗୋଟିଏ ସବୁ ବାଜି ଯୁଧିଷ୍ଠିର ହାରିଗଲେ। ତା'ପରେ ଯୁଧିଷ୍ଠିର ନିଜ କର୍ମଚାରୀ ମାନଙ୍କୁ ବାଜି ପକାଇଲେ। ସେମାନଙ୍କୁ ମଧ୍ୟ ହାରିଲେ । ଯେତିକି ହାରୁଥିଲେ ସେତିକି ଜିଦ୍ ବଢୁଥିଲା।ନିଜ ଆୟତ୍ତରେ ନିଜେ ନଥିଲେ ଧର୍ମପୁତ୍ର। ତା'ପରେ ନିଜର ସୈନ୍ୟ ବାହିନୀ,ହାତୀ, ଘୋଡା,ଗୋ-ସମ୍ପଦ, ପଶୁସମ୍ପଦ,ଗ୍ରାମ ନଗ୍ର, ଯାହା ସବୁଥିଲା ବାଜିପକାଇ ହାରିଗଲେ‌ ଯୁଧିଷ୍ଠିର। ଦୁର୍ଯ୍ୟୋଧନ ଯାହା କିଛି ଦାନ ଡାକୁଥିଲେ ଶକୁନିଙ୍କ ଜାଦୁକାରୀ ପଶାକାଠିରେ ସେ ଦାନ ପଡୁଥାଏ ଏବଂ ଜିତାପଟ ପରେ ମହା ହର୍ଷ ଉଲ୍ଲାସରେ ଡେଉଁ ଥିଲେ କୌରବ ଅନେଶ୍ବତ ପୁତ୍ର,କର୍ଣ୍ଣ, ଶକୁନି ଓ ଅଶ୍ଵତ୍ଥାମା।ଆନନ୍ଦିତ ହୋଇ ଅନ୍ଧରାଜା, ପାଖରେ ବସିଥିବା ମନ୍ତ୍ରୀ ସଞ୍ଜୟଙ୍କୁ ମଝିରେ ମଝିରେ ପ୍ରଶ୍ନ କରୁଥିଲେ..ଏବେ ଆମେ କ'ଣ ଜିତିଲେ ସଞ୍ଜୟ ?" କେବଳ ଧୃତରାଷ୍ଟ୍ରଙ୍କ ଶତପୁତ୍ର ମଧ୍ୟରୁ ଏକ ପୁତ୍ର ବିକର୍ଣ୍ଣ ଏହି ଅନ୍ୟାୟର ଘୋର ନିନ୍ଦା କରୁଥିଲେ।


ରାଜ୍ୟ, ରାଜପଦ,ସ୍ଥାବର ଅସ୍ଥାବର ସମ୍ପତ୍ତି ସବୁ ଦ୍ୟୂତ କ୍ରୀଡ଼ାରେ ହାରିଯିବା ପରେ ଯୁଧିଷ୍ଠିର ଭାବିଥିଲେ ଏଥର ତାଙ୍କୁ ମୁକ୍ତି ମିଳିବ ରାଜ୍ୟ ତ୍ୟାଗ କରି ଅରଣ୍ୟକୁ ଚାଲିଯିବା ପାଇଁ ଏବଂ ଶାନ୍ତି ପ୍ରତିଷ୍ଠାର ବାଟ ଖୋଲିଯିବ। କିନ୍ତୁ ଏ କ'ଣ !! ଶକୁନି ଆହ୍ବାନ ଦେଉଛନ୍ତି ....ସବୁ ‌ହାରି ନାହଁ ଜ୍ୟେଷ୍ଠ ପାଣ୍ଡୁ ପୁତ୍ର,ଏବେ ମଧ୍ୟ ତୁମ ପାଖରେ ତୁମ ପ୍ରିୟ ଭାଇମାନେ ଅଛନ୍ତି। ସେମାନଙ୍କ ମଧ୍ୟରୁ କାହାକୁ ବାଜି ରଖିବ ରଖ। ହୁଏତ ସେମାନେ ତୁମପାଇଁ ମଙ୍ଗଳକାରକ ହୋଇ ପାରନ୍ତି;ସବୁ ହାରିବା ପଦାର୍ଥ ତୁମେ ଫେରି ପାଇପାର।"


ଭୟରେ ଶିହରୀ ଉଠିଲେ ଯୁଧିଷ୍ଠିର,...ସେ ଭାବିଥିଲେ ଏମାନଙ୍କ ଉଦ୍ଦେଶ୍ୟ କେବଳ ରାଜ୍ୟ ଏବଂ ରାଜ ସମ୍ପଦ। କିନ୍ତୁ ଏମାନେ ତ ପାଣ୍ଡବ ମାନଙ୍କୁ କ୍ରୀତଦାସରେ ପରିଣତ କରିବାକୁ ଚାହାଁନ୍ତି !! ବାଲ୍ୟକାଳରୁ ସମସ୍ତ ସ୍ତୁପିକୃତ ଘୃଣା ଏଭଳି ଚରମ ପ୍ରତିଶୋଧରେ ପରିଣତ ହୋଇଛି ଯେ ପାଣ୍ଡବମାନଙ୍କୁ ନିଜର ବ୍ୟକ୍ତିଗତ ଚାକର ଭାବରେ ବ୍ୟବହାର କରିବାକୁ ଚାହାଁନ୍ତି ଏମାନେ !!


ପରିସ୍ଥିତିର ଏହି ଭୟଙ୍କର‌ ମୋଡ଼ ଦେଖି ବିବ୍ରତ ହୋଇ ବିଦୂର ଧୃତରାଷ୍ଟ୍ରଙ୍କ ପାଦ ଧରି କହିଲେ...ଏ କୁଳକ୍ଷୟକାରୀ କ୍ରୀଡା ବନ୍ଦ୍ କରନ୍ତୁ ମହାରାଜ, ନ'ହେଲେ କୁରୁବଂଶ ଧ୍ବଂସ ପାଇଯିବ।ଭାଇ ଭାଇ ଭିତରେ ହାଣ-କାଟ ହୋଇ ରକ୍ତର ନଦୀ ବହିବ।

ପୁତ୍ରମୋହର ବଶବର୍ତ୍ତୀ ନ‌ହୋଇ ସୁସ୍ଥ ମନରେ ଚିନ୍ତା କରି,ଆପଣ ଆଦେଶ ଦିଅନ୍ତୁ ଏ କୁଳନାଶକାରୀ କ୍ରୀଡା ବନ୍ଦ କରିବାପାଇଁ। ଆପଣଙ୍କର ମନେଅଛି ମହାରାଜ?ଯେତେବେଳେ ଆପଣଙ୍କର ଏହି ବୁଦ୍ଧିହୀନ, ଈର୍ଷାଳୁ, ଅହଂକାରୀ ପୁତ୍ର ଦୁର୍ଯ୍ୟୋଧନ ଜନ୍ମହେଲା ସେ ସମୟରେ ଅନେକ ଅବଶକୁନ ଘଟିଥିଲା। ଗର୍ଦ୍ଧଭ ଭଳି ଏହି ପୁତ୍ରଟି ଆପଣଙ୍କର ବୋବାଳି ଛାଡିଥିଲା।ସେ ସମୟରେ ଆମେମାନେ ସମସ୍ତେ ଆପଣଙ୍କୁ ଅନୁରୋଧ କରିଥିଲୁ ତାକୁ ପରିତ୍ୟାଗ କରିବାକୁ,କାରଣ ଅପ-ଶକୁନ ସୁଚାଇ ଦେଉଥିଲା ଯେ ଆପଣଙ୍କର ଏହି ପୁତ୍ରଟି ପୃଥିବୀର ଧ୍ବଂସର କାରଣ ହେବ।କିନ୍ତୁ ପୁତ୍ର-ମୋହର ବଶବର୍ତ୍ତୀ ହୋଇ ଆପଣ ଶୁଣିନଥିଲେ।ଏବେ ଆପଣଙ୍କ କୁଳନାଶ କରିବା କାର୍ଯ୍ୟ ସେ ଆରମ୍ଭ କରିଦେଇଛି;ଆପଣ ଏହି ମୁହୂର୍ତ୍ତରେ ହସ୍ତକ୍ଷେପ ନକଲେ ଭବିଷ୍ୟତରେ ଆପଣଙ୍କ କୁଳରେ ପାଣି ଦେବାପାଇଁ କେହି ରହିବେ ନାହିଁ।

ଆପଣଙ୍କର ଏହି କାପୁରୁଷ ପୁତ୍ର ଏବଂ ସେମାନଙ୍କର ବନ୍ଧୁ ମାନଙ୍କର, ମୁକ୍ତପ୍ରାଙ୍ଗଣରେ ପାଣ୍ଡବ ମାନଙ୍କ ସହିତ ଯୁଦ୍ଧ କରିବାର ଶକ୍ତି ଓ ସତ୍ ସାହସ ନାହିଁ, ତେଣୁ ଏପରି ଛଳନା ପୂର୍ଣ୍ଣ ଦ୍ୟୂତ କ୍ରୀଡାର ସହାୟତା ନେଇ ଏମାନେ ପାଣ୍ଡବଙ୍କୁ କ୍ରୀତଦାସ କରିବାକୁ ମନସ୍ଥ କରିଛନ୍ତି। ଦୟାକରି ହସ୍ତକ୍ଷେପ କରନ୍ତୁ ମହାରାଜ!"


ବିଦୂରଙ୍କ କଥା ଶୁଣି ଭୟଙ୍କର ଗର୍ଜନକରି ଖଡ୍ଗ ଉତ୍ତୋଳନ କରି ଦୁର୍ଯ୍ୟୋଧନ ବିଦୂରଙ୍କ ପାଖକୁ ମାଡିଆସି କ‌ହିଲେ.. ତୁମେ ପିଲାଦିନରୁ ମୋତେ ଏବଂ ମୋ ଭାଇ ମାନଙ୍କୁ ଘୃଣା କରିଆସିଛ ଏବଂ ପାଣ୍ଡବ ମାନଙ୍କୁ ଭଲପାଇ ଆସିଛ;ମୋ ପିତାଙ୍କର ମୋ ପ୍ରତି ଯେଉଁ ସ୍ନେହ ରହିଛି ତାହା ଦୂର କରିବାଭଳି ନୀଚ୍ଚ କାମ ସର୍ବଦା ତୁମେ କରି ଆସିଛ।ଜଣେ ଦାସୀପୁତ୍ରଠାରୁ ଆଉ ଅଧିକ କଣ ଆଶା କରାଯାଇପାରେ।! ସବୁବେଳେ ଏହି ପାଣ୍ଡବ ପାଞ୍ଚଭାଇଙ୍କୁ ତୁମେ ସମର୍ଥନ କରି ଆସିଛ ଦାସୀ ପୁତ୍ର ବିଦୂର।ଆଉ ଅଧିକ କିଛି କରିବା ପାଇଁ ଚେଷ୍ଟା କଲେ ଫଳାଫଳ ଭୟଙ୍କର ହେବ।"


ଉପସ୍ଥିତ ସଭାସଦଙ୍କ ମନରେ ଆଶଙ୍କା ଖେଳିଗଲା... ସତରେ କ'ଣ ଦୁର୍ଯ୍ୟୋଧନ ବିଦୂରଙ୍କୁ ହତ୍ୟା କରିବେ !!

କିନ୍ତୁ ଗର୍ଜନ ତର୍ଜନ କରିବା ମେଘରେ ବର୍ଷା ନଥାଏ ;ବିଦୂରଙ୍କ ଦେହରେ ହାତ ଦେଲେ ପିତାମହଙ୍କ ଖଡ୍ଗ ତାକୁ କ୍ଷମା ଦେବନାହିଁ, ଏକଥା ସେ ଭଲ ଭାବରେ ଜାଣିଥିଲେ।



Rate this content
Log in

Similar oriya story from Classics