STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୪୭

କଥା କାଦମ୍ବରୀଭାଗ ୪୭

5 mins
519

କଥା କାଦମ୍ବରୀ

ଭାଗ ୪୭

=================================

ଅଶନି ସଙ୍କେତ

=================================

ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଭଳି ପବିତ୍ର ଅନୁଷ୍ଠାନରେ ରକ୍ତପାତ, ଉତ୍ସବମୟ ପରିବେଶକୁ ନିଷ୍ପ୍ରଭ କରିଦେଲା। ଚେଦିରାଜ ଶିଶୁପାଳର ମସ୍ତକ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରରେ ଭୁଲୁଣ୍ଠିତ ହେବାପରେ ଦୁଷ୍ଟ ରାଜାମାନେ କରୁଶ ରାଜା ଦନ୍ତବକ୍ର ସହିତ ପଳାୟନ କଲେ।ମୁନିଶ୍ରେଷ୍ଠ ବ୍ୟାସଦେବଙ୍କ ଶାନ୍ତି ମନ୍ତ୍ର ଉଚ୍ଚାରଣ ଏବଂ ଅନ୍ୟ ଶ୍ରୋତ୍ରିୟ ବ୍ରାହ୍ମଣ ମାନଙ୍କର ବେଦଧ୍ବନୀ ଅବଶ୍ୟ ପରିବେଶର ପବିତ୍ରତା ଏବଂ ସାଂସ୍କୃତିକ ଗମ୍ଭୀରତା ପ୍ରତିଷ୍ଠା କରିବାପାଇଁ ଚେଷ୍ଟା କଲା; କିନ୍ତୁ ଯଜ୍ଞ ପରେ ଯେଉଁ ଶାନ୍ତି ବିରାଜମାନ କଲା ସେହି ଶ୍ମଶାନ-ଶାନ୍ତିରେ ଅଣନିଃଶ୍ବାସୀ ହୋଇ ପଡୁଥିଲେ ଧର୍ମରାଜ ଯୁଧିଷ୍ଠିର।


ଯଜ୍ଞ ସମୟରେ ଆମନ୍ତ୍ରିତ ରାଜା ମହାରାଜାଙ୍କ ଠାରୁ ଉପଢ଼ୌକନ ଗ୍ରହଣ କରିବା ଦାୟିତ୍ବ ଥିଲା କୁରୁପୁତ୍ର ଦୁର୍ଯ୍ୟୋଧନଙ୍କ ଉପରେ।ଏତେ ପରିମାଣରେ ମୂଲ୍ୟବାନ ଉପଢ଼ୌକନ ଦେଖି ତାଙ୍କ ଆଖି ଖୋସି ହୋଇଗଲା ଏବଂ ମନରେ ଈର୍ଷା ରାଜତ୍ଵ କଲା।ଯଜ୍ଞ ଶେଷରେ ମୟ ଦାନବଙ୍କ ନିର୍ମିତ ଇନ୍ଦ୍ରପ୍ରସ୍ଥର ଭବ୍ୟ ସଭାଗୃହ ଦର୍ଶନ କରିବା ସମୟରେ ଦୁର୍ଯ୍ୟୋଧନ ଏପରି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ଯେ ଗୃହର ମଧ୍ୟଭାଗରେ ଥିବା ଜଳକୁଣ୍ଡ ତାଙ୍କୁ ଚଟାଣ ଭଳି ଦେଖାଗଲା ଏବଂ ସେ ତା ଭିତରେ ଗଳିପଡିଲେ। ଗୋଟିଏ ଦ୍ବାରକୁ ଅତିକ୍ରମ କରିବା ସମୟରେ ମଧ୍ୟ କାଚରେ ନିର୍ମିତ ଦ୍ବାର ଦେହରେ ଧକ୍କା ଖାଇ ତଳେ ପଡିଗଲେ। ଏହି ଦୁଇଟି ଘଟଣା ଦ୍ରୌପଦୀଙ୍କୁ ଏତେ ଆମୋଦିତ କରିଥିଲା ଯେ ସେ ସଖୀ ମାନଙ୍କ ଗହଣରେ ଉଚ୍ଚ ସ୍ବରରେ ହସିହସି କହିଦେଲେ..ଅନ୍ଧର ପୁତ୍ର ଅନ୍ଧ ନହୋଇ ଆଉ କ'ଣ ହୋଇଥାନ୍ତା !"


ଏହାଶୁଣି ଦୁର୍ଯ୍ୟୋଧନ ଘୋର ଅପମାନରେ ଜଳିଗଲେ।କଳେ ବଳେ କୌଶଳେ ଇନ୍ଦ୍ରପ୍ରସ୍ଥ ନିଜ ଅଧିକାରକୁ ନେବାପାଇଁ ସେ ମନେମନେ ପଣ କଲେ।ଦ୍ରୌପଦୀଙ୍କ ପକ୍ଷରେ, ମର୍ଯ୍ୟାଦା ଲଙ୍ଘନ କରି ନିଜ ଶ୍ଵଶୁରଙ୍କ ବିଷୟରେ ଏଭଳି ଟିପ୍ପଣୀ କରିବା ଅନୁଚିତ ଥିଲା।ଏହା ଅପମାନିତ ଦୁର୍ଯ୍ୟୋଧନକୁ ପ୍ରତିଶୋଧ ପରାୟଣ କରି ଭବିଷ୍ୟତ ସଂଘର୍ଷର ମୂଳଦୁଆ ପକାଇଲା।


ରାଜସୂୟ ଯଜ୍ଞ ଶେଷ ହେଉ ହେଉ ସମୟ କଡ଼ ଲେଉଟାଇ ସାରିଥିଲା। ଯୁଧିଷ୍ଠିର ଚିନ୍ତାରେ ହଜିଯାଇ ଭାବୁଥିଲେ ..ଏହି ଅନୁଷ୍ଠାନ ଘୋର ବିତ୍ପାତର ସୂତ୍ରଧର ହୋଇ ଆସିଥିଲା। ଏଥିପାଇଁ ଆନୁଗତ୍ୟ ଅସ୍ବୀକାର କରୁଥିବା ଜରାସନ୍ଧକୁ ମୃତ୍ୟୁ ଦଣ୍ଡ ଦେବା ଆବଶ୍ୟକ ପଡିଲା। ଏହି ଯଜ୍ଞ ସମୟରେ ଶିଶୁପାଳର ରକ୍ତରେ ସଭା ମଣ୍ଡପ ରଞ୍ଜିତ ହେଲା। ନିଜ ପ୍ରିୟ ସଖା ଜରାସନ୍ଧ ଏବଂ ଶିଶୁପାଳଙ୍କ ମୃତ୍ୟୁରେ ମ୍ରିୟମାଣ ସୌଭ-ରାଜ ଶାଲ୍ବ ଶ୍ରୀକୃଷ୍ଣଙ୍କ ଅନୁପସ୍ଥିତିରେ ଦ୍ଵାରକା ଆକ୍ରମଣ କରି ନଗରର ପ୍ରଭୂତ କ୍ଷତି ସାଧନ କରିଛି। ଏହି ଯଜ୍ଞକୁ ଆସି ଦୁର୍ଯ୍ୟୋଧନ ଇନ୍ଦ୍ରପ୍ରସ୍ଥରେ ବୈଭବ ଦେଖି ଈର୍ଷାନ୍ବିତ ହୋଇ ଫେରିଯାଇଛି। 


ଯେତିକି ଯେତିକି ଚିନ୍ତା କରୁଥିଲେ ସେତିକି ଅଧିକ ବିବ୍ରତ ହୋଇପଡୁଥିଲେ ଯୁଧିଷ୍ଠିର।ତାଙ୍କର ମନେହେଲା, ରାଜସୂୟ ଯଜ୍ଞ ଅନୁଷ୍ଠାନ କରି ସେ ବିରାଟ ଭୁଲ୍ କରିଛନ୍ତି।ନିଶାର୍ଦ୍ଧରେ ସ୍ବପ୍ନ ଦେଖିଲେ ଯୁଧିଷ୍ଠିର...ତାଙ୍କର ଇନ୍ଦ୍ରଭୁବନ ବିନିନ୍ଦିତ ଇନ୍ଦ୍ରପ୍ରସ୍ଥ ଶତ୍ରୁ ଆକ୍ରମଣରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି।ଚତୁର୍ଦ୍ଦିଗରେ କୁଢ଼ କୁଢ଼ ଶବ। ବହି ଯାଉଛି ରକ୍ତର ନଦୀ।ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ମାନଙ୍କ ଶବ ପାଖରେ ଏକାକୀ ବସି ସେ ବିଳାପ କରୁଛନ୍ତି।

ଭୟରେ ଚିତ୍କାର କରି ଉଠିଲେ ଯୁଧିଷ୍ଠିର।ନିଦ୍ରା ଭଙ୍ଗ ହେଲା।ଦେହ ଘର୍ମାକ୍ତ।ଥରୁଥିଲା ହାତ ପାଦ। ଚିତ୍କାର ଶୁଣି ଦ୍ରୌପଦୀ ଦଉଡ଼ି ଆସି ପଚାରିଲେ ...କଣ ହେଲା ଆର୍ଯ୍ୟପୁତ୍ର !

ଯୁଧିଷ୍ଠିର କହିଲେ ...ବଡ଼ ଭୟଙ୍କର ସ୍ଵପ୍ନ ଦେଖିଲି ଯାଜ୍ଞସେନୀ ; ଇନ୍ଦ୍ରପ୍ରସ୍ଥର ଧ୍ବଂସ ସ୍ତୁପ ଉପରେ ଭାଇ,ବନ୍ଧୁ କୁଟୁମ୍ବ ମାନଙ୍କ ଶବ ପାଖରେ ବସି ମୁଁ କ୍ରନ୍ଦନ କରୁଛି।ଏ ରାଜସୂୟ ଯଜ୍ଞ ଅନୁଷ୍ଠାନ କରି ମୁଁ ବିରାଟ ଭୁଲ୍ କରିଛି ପାଞ୍ଚାଳୀ।"


ଯୁଧିଷ୍ଠିରଙ୍କୁ ଶାନ୍ତ୍ବନା ଦେଇ ଦ୍ରୌପଦୀ କହିଲେ...ସ୍ବପ୍ନ ମନର ଚିନ୍ତାର ପ୍ରତିଫଳନ। ଘଟଣା ଚକ୍ରର ଆବର୍ତ୍ତନ ଆପଣଙ୍କୁ ବିବ୍ରତ କରିଦେଇଛି।ଏ ସମୟରେ କେଶବ ମଧ୍ୟ ନାହାଁନ୍ତି ସହାୟତା ବା ଉପଦେଶ ଦେବାପାଇଁ। ସୌଭ-ରାଜ ଶାଲ୍ବର ଆକ୍ରମଣରୁ ଦ୍ଵାରକା ରକ୍ଷା କରିବା ପାଇଁ ସେ ସଦଳବଳେ ଚାଲି ଯାଇଛନ୍ତି।ଆମ ପାଖରେ ଅତିଥି ଗୃହରେ ବର୍ତ୍ତମାନ ମୁନି ଶ୍ରେଷ୍ଠ ବ୍ୟାସଦେବ ଅବସ୍ଥାନ କରୁଛନ୍ତି;ଆପଣ ତାଙ୍କ ପରାମର୍ଶ ନିଅନ୍ତୁ।ଅଧୈର୍ଯ୍ୟ ହୁଅନ୍ତୁ ନାହିଁ।"


ଯୋଡ ହସ୍ତରେ ବ୍ୟାସଦେବଙ୍କ ପାଖରେ ପହଞ୍ଚିଲେ ଯୁଧିଷ୍ଠିର।ବ୍ୟାସଦେବ ଯୁଧିଷ୍ଠିରଙ୍କୁ ଦେଖି କହିଲେ.. ମୁଁ ଜାଣି ପାରିଛି ପୁତ୍ର! ତୁମ ଆଖିରେ କାହିଁକି ଏତେ ହତାଶା ପରିସ୍ଫୁଟ। ତୁମେ ତୁମ ଅଜ୍ଞାତରେ ଭୟଙ୍କର ଧ୍ବଂସଲୀଳା ଭିତରକୁ ଗତି କରୁଛ।ସେ ଧ୍ବଂସଲୀଳା ଆରମ୍ଭ ହୋଇସାରିଲାଣି। ଜରାସନ୍ଧର ମୃତ୍ୟୁ ଏବଂ ଯଜ୍ଞପୀଠରେ ସୁଦର୍ଶନ ଚକ୍ରରେ ଶିଶୁପାଳର ମସ୍ତକ ବିଚ୍ୟୁତି ତାର ପ୍ରମାଣ।ତେଣେ ଦ୍ଵାରକାରେ ଶାଲ୍ୱ ଭୟଙ୍କର ଧ୍ବଂସ ଲୀଳା ସୃଷ୍ଟି କରିଛି।


କିଛି ନିରବତା ପରେ ମୁନି ଶ୍ରେଷ୍ଠ କହିଲେ..ଏ ସବୁ ବିଭ୍ରାଟର କାରଣ ତୁମର ରାଜସୂୟ ଯଜ୍ଞ।ଭାରତ ଖଣ୍ଡରେ ଯେଉଁ ବିତ୍ପାତ ଘଟିବ ଏବଂ ରକ୍ତନଦୀ ବହିବ,ତାର କେନ୍ଦ୍ର ବିନ୍ଦୁରେ ରହିବ ତୁମେ।ତୁମେ ଦୁର୍ଯ୍ୟୋଧନ ଆଖିର ଈର୍ଷା ପୂର୍ଣ୍ଣ ଭାଷା କଣ ପଢି ପାରିନାହଁ ପୁତ୍ର !!ତୁମର ଏ ଐଶ୍ୱର୍ଯ୍ୟ ସେହି ଆଗାମୀ ସଂହାର ଲୀଳାର କାରଣ ହେବ ।ଜରାସନ୍ଧ ଏବଂ ଶିଶୁପାଳ'ଙ୍କର ପ୍ରେତମାନେ ଆର୍ଯ୍ୟାବର୍ତ୍ତକୁ ଶାନ୍ତିରେ ରହିବାକୁ ଦେବେ ନାହିଁଁ।"


ମହାମୁନିଙ୍କ କଥା ଶୁଣି ଭୟରେ ଶିହରୀ ଉଠିଲେ ଧର୍ମପୁତ୍ର। କହିଲେ ..ହେ ଦେବ ! କେତେ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଧ୍ବଂସ ଲୀଳା ?"

ବ୍ୟାସ ଦେବ କିଛି ସମୟ ଧ୍ୟାନ ମଗ୍ନ ହୋଇ ନିମିଳିତ ଚକ୍ଷୁ ଖୋଲି କହିଲେ.. ଆଗାମୀ ତେର ବର୍ଷ ପର୍ଯ୍ୟନ୍ତ ଚାଲିବ ଏହି ରକ୍ତର ତାଣ୍ଡବ।"

ହତାଶ କଣ୍ଠରେ ଯୁଧିଷ୍ଠିର ପ୍ରଶ୍ନକଲେ...ଏ ରକ୍ତ-ତାଣ୍ଡବରୁ ଆମକୁ କଣ କେହି ରକ୍ଷା କରିପାରିବେ ନାହିଁ ?"

ବ୍ୟାସଦେବ କହିଲେ ... ସମୟ ହାତରେ ଆମେ ସମସ୍ତେ ଖେଳନା ପୁତ୍ର ଯୁଧିଷ୍ଠିର।ଭବ ସାଗରରେ ଜଣେ ହେଉଛନ୍ତି କର୍ଣ୍ଣଧାର, ସ୍ବୟଂ ନାରାୟଣ।ସବୁ ତାଙ୍କ ଇଚ୍ଛା।"


ବ୍ୟାସଦେବ ବିଦାୟ ନେଇ ଇନ୍ଦ୍ରପ୍ରସ୍ଥ ଛାଡ଼ିଲେ।ତାଙ୍କ ବିଦାୟର କିଛି ସମୟ ପରେ ହସ୍ତିନାର ମହାମନ୍ତ୍ରୀ ବିଦୂର ପହଞ୍ଚିଲେ। ଯୁଧିଷ୍ଠିର ସମେତ ପାଞ୍ଚଭାଇ ଏବଂ ଦ୍ରୌପଦୀ ତାଙ୍କ ପାଦ ବନ୍ଦନା କଲେ।ବିଦୂର କୁନ୍ତୀଙ୍କ ପାଦପୂଜା କରିବା ପରେ, ଯୁଧିଷ୍ଠିର କନିଷ୍ଠ ପିତୃବ୍ୟଙ୍କ ଅକସ୍ମାତ ଆଗମନର ଅଭିପ୍ରାୟ ପଚାରିଲେ।ବିଦୂର କହିଲେ...ପୁତ୍ର ଯୁଧିଷ୍ଠିର ! ଜ୍ୟେଷ୍ଠ କୁରୁପୁତ୍ର ତୁମ ବିଭବ ଦେଖି ଘୋର ଈର୍ଷାନ୍ବିତ।କଳେ,ବଳେ,କୌଶଳେ ଇନ୍ଦ୍ରପ୍ରସ୍ଥ ନିଜ ଅଧୀନକୁ ନେଇ ତୁମମାନଙ୍କୁ ଦାଣ୍ଡର ଭିକାରି କରିବାପାଇଁ ସେ ବଦ୍ଧପରିକର। ସେଥିପାଇଁ ମହାରାଜା ଧୃତରାଷ୍ଟ୍ରଙ୍କୁ କହି ସେ ତୁମ ସହିତ ଦ୍ୟୂତ କ୍ରୀଡା ପାଇଁ ଆହ୍ବାନ ଦେଇଛି।ଦ୍ୟୂତ କ୍ରୀଡାରେ ଦୁର୍ଯ୍ୟୋଧନ ସ୍ଥାନରେ ତୁମ ସହିତ ଖେଳିବେ ଶକୁନି।ଖେଳର ବାଜିରେ ସେ ତୁମର ରାଜ୍ୟ ଜିଣି ତୁମକୁ ଗାଦିଚ୍ୟୁତ କରିବା ପାଇଁ ଯୋଜନା କରିଛନ୍ତି। ଶକୁନି ଏହି ଖେଳରେ ତୁମ୍ଭଠାରୁ ବହୁଗୁଣରେ ଧୂରନ୍ଧର। "


ଭୀମସେନ କହିଲେ...ଆମେ କ'ଣ ଦ୍ୟୂତ ଖେଳିବା ପାଇଁ ବାଧ୍ୟ ?ଆମେ କାହିଁକି ଖେଳିବାକୁ ଯିବୁ, କାହିଁକି ରାଜ୍ୟ ହାରିବୁ ?"

ଭୀମଙ୍କ କଥାକୁ ଅନ୍ୟ ଭାଇମାନେ ଓ ଯାଜ୍ଞସେନୀ ସମର୍ଥନ କଲେ।"

ଯୁଧିଷ୍ଠିର କହିଲେ.. ଏହି ଯୁଗରେ କ୍ଷାତ୍ରଧର୍ମ ଅନୁସାରେ ଦ୍ୟୂତ କ୍ରୀଡା ପାଇଁ ଜଣେ ରାଜା ଅନ୍ୟଜଣେ ରାଜାଙ୍କୁ ଆହ୍ବାନ ଦେଲେ, ତାହା ପ୍ରତ୍ୟାଖ୍ୟାନ କରିବା ଭର୍ତ୍ସନୀୟ।ଏହା ଭୀରୁତାର ପରିଚାୟକ।ପରିଣାମ ସ୍ବରୂପ ଆହ୍ବାନକାରୀ ରାଜା ଯୁଦ୍ଧ ଘୋଷଣା କରିପାରେ।"


ଅର୍ଜୁନ କହିଲେ.. କିନ୍ତୁ ରାଜା ଧୃତରାଷ୍ଟ୍ର ଦ୍ୟୂତ କ୍ରୀଡାର ଭୟଙ୍କର ପରିଣାମ ବିଷୟରେ ଅବଗତ ହୋଇ ମଧ୍ୟ କିପରି ନିଜ ଭ୍ରାତୃପୁତ୍ରଙ୍କୁ ଆହ୍ବାନ ଦେଇଛନ୍ତି ?ସେ କଣ ଆମକୁ ରାଜ୍ୟହୀନ କରିବାକୁ ଚାହାଁନ୍ତି ?"


ବିଦୂର କହିଲେ...ଏହା ପୁତ୍ର ମୋହର ପରିଣାମ ଅର୍ଜୁନ,ଦ୍ୟୂତ କ୍ରୀଡା ପାଇଁ ପାଣ୍ଡବ ମାନଙ୍କୁ ଆହ୍ବାନ ନଦେଲେ ବିଷ ପାନକରି ଆତ୍ମହତ୍ୟା କରିବ ବୋଲି ଦୁର୍ଯ୍ୟୋଧନ ଧମକ ଦେବାରୁ ଧୃତରାଷ୍ଟ୍ର ଏହି ଆହ୍ବାନ ଦେବାପାଇଁ ସମ୍ମତ ହୋଇଥିଲେ।"କୁନ୍ତୀ ପଚାରିଲେ.. ଦେବୀ ଗାନ୍ଧାରୀ କଣ କହିଲେ ପ୍ରିୟ ବିଦୂର ?"

ବିଦୂର କହିଲେ.. ମହାରାଣୀ ଗାନ୍ଧାରୀ ଦୁର୍ଯ୍ୟୋଧନକୁ କହିଲେ ... କୁଳାଙ୍ଗାର ! ତୋର ଜନ୍ମ ସମୟରେ ତୋଠାରେ ଅଶନି ସଂଙ୍କେତ ଦେଖି କୁରୁଜ୍ୟେଷ୍ଠ ମାନେ ତୋତେ ପରିତ୍ୟାଗ କରିବାପାଇଁ ପ୍ରବର୍ତ୍ତାଇ ଥିଲେ। ମା'ର ମମତା ମତେ ତାହା କରିବାପାଇଁ ଦେଲା ନାହିଁ। ତାହା କରିଥିଲେ,ଆଜି ମତେ ଏ‌'ସବୁ ଶୁଣିବାକୁ ପଡ଼ି ନଥାନ୍ତା।"କିନ୍ତୁ ଧୃତରାଷ୍ଟ୍ର କହିଲେ.. ସେପରି କୁହ ନାହିଁ ଗାନ୍ଧାରୀ।ମୋ ପୁତ୍ରକୁ ମୁଁ ଆତ୍ମହତ୍ୟା କରିବାକୁ ଦେବି ନାହିଁ।ତା'ମହତ ଆକାଂକ୍ଷା ଭିତରେ ମୋ ଇଚ୍ଛାର ପ୍ରତିଫଳନ ରହିଛି।"


ଭୀମ ଏବଂ ଅର୍ଜୁନ ଏକ ସମୟରେ କହି ଉଠିଲେ... ଆମେ ଦ୍ୟୂତ ଖେଳ ପାଇଁ ଯିବା ନାହିଁ। ସେଥିପାଇଁ ଯଦି ଆମକୁ ଯୁଦ୍ଧ କରିବାକୁ ପଡେ କରିବା।

ଯୁଧିଷ୍ଠିର କହିଲେ...ହେ ଭଗବାନ ! ମହାମୁନି ବ୍ୟାସଦେବ ଯେଉଁ ଭବିଷ୍ୟତ ବାଣୀ କରିଛନ୍ତି ତାହା କ'ଣ ଫଳିବାକୁ ଯାଉଛି !! ଭାଇ ବନ୍ଧୁ କୁଟୁମ୍ବଙ୍କ ରକ୍ତପାତରେ ସତରେ କ'ଣ କର୍ଦମାକ୍ତ ହେବ ମୋର ରାଜସିଂହାସନ ! କିପରି ମୁଁ ଏହାକୁ ଏଡାଇ ପାରିବି ?ହେ ପ୍ରଭୁ !ଏ ସମୟରେ ହେଲେ ଏଠାରେ କେଶବ ଥାଆନ୍ତେ ।"


ମୁନିଶ୍ରେଷ୍ଠ ବ୍ୟାସଦେବ ଯେଉଁ ଭବିଷ୍ୟ ବାଣୀ କରିଥିଲେ , ଉପସ୍ଥିତ ସମସ୍ତଙ୍କ ଆଗରେ ତାହା ବର୍ଣ୍ତନା କଲେ ଯୁଧିଷ୍ଠିର। ତା'ପରେ ଦ୍ୟୂତ କ୍ରୀଡା ପାଇଁ ଆହ୍ବାନ ବିଷୟରେ ପରଦିନ ନିଷ୍ପତ୍ତି ନେବାକୁ ସ୍ଥିର କରି ସେଦିନର ଆଲୋଚନା ସାଙ୍ଗକଲେ ପାଣ୍ଡୁ ପରିବାର।


ସେଦିନ ରାତିରେ ଯୁଧିଷ୍ଠିରଙ୍କ ଆଖିରୁ ନିଦ ହଜିଯାଇଥିଲା।ସେ ଆଗାମୀ ଦିନର ଭୟାବହତା ଦେଖି ପାରୁଥିଲେ।ଭାଇ ମାନଙ୍କ କଥା ମାନି ଦ୍ୟୂତ କ୍ରୀଡାର ଆହ୍ବାନ ଅଗ୍ରାହ୍ୟ କଲେ ଯୁଦ୍ଧ ଅବଶ୍ୟମ୍ଭାବୀ। ଚିନ୍ତା କଲେ ଯୁଧିଷ୍ଠିର... ଆଗାମୀ ତେର ବର୍ଷ ପାଇଁ ମୁଁ ଯେବେ ଯୁଦ୍ଧ ଏବଂ ରକ୍ତପାତ ଏଡାଇ ପାରିବି ତା'ହେଲେ ମହାମୁନି ବ୍ୟାସଦେବଙ୍କ ଭବିଷ୍ୟତ ବାଣୀ ନିଷ୍ଫଳ ହୋଇଯିବ।ମୋ ଭାଇ ବନ୍ଧୁ କୁଟୁମ୍ବ ଏବଂ ପ୍ରଜାମାନଙ୍କୁ ଏହି ରକ୍ତତାଣ୍ଡବରୁ ରକ୍ଷା କରିବା ପାଇଁ ଯେଉଁ ବଳିଦାନ ଆବଶ୍ୟକ,ତାହା ମୁଁ ଦେବାକୁ ପ୍ରସ୍ତୁତ,କୌରବମାନେ ଯାହା କହିବେ ମୁଁ ମାନିବାକୁ ପ୍ରସ୍ତୁତ,ଏପରି କି ମୋର ପ୍ରିୟ ଇନ୍ଦ୍ରପ୍ରସ୍ଥ ପରିତ୍ୟାଗ ମଧ୍ୟ।



Rate this content
Log in

Similar oriya story from Classics