କଥା କାଦମ୍ବରୀଭାଗ ୪୪ (ସମ୍ରାଟଙ୍କ ଜନ୍ମ ରହସ୍ୟ)
କଥା କାଦମ୍ବରୀଭାଗ ୪୪ (ସମ୍ରାଟଙ୍କ ଜନ୍ମ ରହସ୍ୟ)
ମୟ ଦାନବଙ୍କ ଭଳି ସ୍ଥପତିଙ୍କ କର ସ୍ପର୍ଶରେ ଖାଣ୍ଡବପ୍ରସ୍ଥ ଇନ୍ଦ୍ର-ଭୁବନ ଠାରୁ ଆହୁରି ମନୋରମ ଦେଖାଗଲା।ପ୍ରାସାଦ ଭିତରେ ଥିବା ସଭାଗୃହ ବିଶ୍ବରେ ସୌନ୍ଦର୍ଯ୍ୟରେ ଅଦ୍ୱିତୀୟ ଥିଲା। ଯୁଧିଷ୍ଠିର ଭାଇମାନଙ୍କ ସହିତ ମହାଆନନ୍ଦରେ ରାଜ୍ୟଶାସନ କରୁଥିଲେ। ତାଙ୍କର ସମସ୍ତ ସମର୍ଥକ ଏବଂ ହିତୈଷୀ ଏବେ ତାଙ୍କୁ ପରାମର୍ଶ ଦେଲେ ରାଜସୂୟ ଯଜ୍ଞ ଅନୁଷ୍ଠାନ କରି ନିଜକୁ ଆର୍ଯ୍ୟାବର୍ତ୍ତରେ ଚକ୍ରବର୍ତ୍ତୀ ଭାବରେ ପ୍ରତିଷ୍ଠିତ କରିବାପାଇଁ।
କିନ୍ତୁ ଏଭଳି ଏକ ଯଜ୍ଞ ଅନୁଷ୍ଠାନ କରିବା ପୂର୍ବରୁ ସମସ୍ତ ରାଜା-ମହାରାଜାମାନଙ୍କ ଆନୁଗତ୍ୟ ଆବଶ୍ୟକ। ଯଜ୍ଞ ସମୟରେ ସେମାନଙ୍କ ଉପସ୍ଥିତି ଏବଂ ଶୁଭକାମନା ନଥିଲେ ଏପରି ଅନୁଷ୍ଠାନ ମୂଲ୍ୟହୀନ; ଅନୁଷ୍ଠାନ କରୁଥିବା ରାଜାଙ୍କର ଏହା ଆତ୍ମସମ୍ମାନର ପ୍ରଶ୍ନ। ଅନୁଷ୍ଠାନ ସଫଳ ହୋଇପାରିଲେ ରାଜାଙ୍କ ପ୍ରତିଷ୍ଠା ଓ ସମ୍ମାନ ବହୁଗୁଣିତ ହୁଏ ଏବଂ ରାଜା ରାଜ-ଚକ୍ରବର୍ତ୍ତୀ ଭାବରେ ସମ୍ମାନ ଲାଭ କରନ୍ତି। କହିବା ବାହୁଲ୍ୟ, ଆଜିକାଲି ବିଶ୍ବରେ, ନିଜ ନିଜର ଶକ୍ତି ପରାକାଷ୍ଠା ଦେଖାଇବାକୁ ଯେପରି ପ୍ରୟାସ ଚାଲିଛି, ସେ ସମୟରେ ମଧ୍ଯ ସେପରି ମାନସିକତା ଶାସକ ମାନଙ୍କ ମଧ୍ୟରେ ଥିଲା।
ଏପରି ଏକ ଅନୁଷ୍ଠାନ କରିବା ପୂର୍ବରୁ ଯୁଧିଷ୍ଠିର, ଶ୍ରୀକୃଷ୍ଣଙ୍କ ପରାମର୍ଶ ଲୋଡିଲେ। ଶ୍ରୀକୃଷ୍ଣଙ୍କୁ ଦ୍ବାରକାରୁ ନିମନ୍ତ୍ରଣ କରାଗଲା। ସେ ଇନ୍ଦ୍ରପ୍ରସ୍ଥରେ ପହଞ୍ଚି ପାଣ୍ଡବଙ୍କ ଅଭିଳାଷା ବିଷୟରେ ଶୁଣି ଯୁଧିଷ୍ଠିରଙ୍କୁ କହିଲେ... ଧର୍ମପୁତ୍ର ! ଆପଣଙ୍କ ଭଳି ଜଣେ ପ୍ରଜା ରଞ୍ଜକ, ଧାର୍ମିକ, ନ୍ୟାୟବାନ ରାଜାଙ୍କ ପ୍ରତିଷ୍ଠା ପାଇଁ ଏହି ଅନୁଷ୍ଠାନ ନିଃସନ୍ଦେହ ମୁକୁଟରେ ମଣି ସଦୃଶ। କିନ୍ତୁ ଆପଣଙ୍କୁ ଆର୍ଯ୍ୟାବର୍ତ୍ତର ସବୁ ରାଜା ମହାରାଜାଙ୍କ ସମର୍ଥନ ମିଳିବା ଆବଶ୍ୟକ। ଜରାସନ୍ଧ ଭଳି ଦୁଷ୍ଟ ରାଜା ଏବଂ ତା'ର ବନ୍ଧୁ ଚେଦି ରାଜା ଶିଶୁପାଳ ଆପଣଙ୍କୁ ଏହି ଯଜ୍ଞାନୁଷ୍ଠାନରେ ସମର୍ଥନ ଦେବେ ବୋଲି ମୋର ବିଶ୍ବାସ ନାହିଁ। ସବୁ ରାଜାଙ୍କ ସମର୍ଥନ ନରହିଲେ ଆପଣଙ୍କ ରାଜସୂୟ ଯଜ୍ଞ ନିରର୍ଥକ।"
ଭୀମ ପ୍ରଶ୍ନ କଲେ...ଆମେ ଜରାସନ୍ଧକୁ ପରାସ୍ତ କରି ତା' ସମର୍ଥନ ପାଇ ପାରିବା ନାହିଁ କେଶବ?
ଶ୍ରୀକୃଷ୍ଣ କହିଲେ- ଏହା ସହଜ ବ୍ୟାପାର ନୁହେଁ ଭ୍ରାତା ଭୀମ। ଜରାସନ୍ଧକୁ ପରାସ୍ତ କରି ଅଧୀନକୁ ଆଣିବା ପାଇଁ ଯାଦବମାନଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଛି। ଜରାସନ୍ଧ ନିଜର ଦୁଇ କନ୍ୟା ଅସ୍ତି ଏବଂ ପ୍ରାପ୍ତିଙ୍କୁ କଂସକୁ ବିବାହ ଦେଇଥିଲା। ମୋ ହାତରେ ତା' ଜାମାତା କଂସର ମୃତ୍ୟୁ ପରେ ସେ ମଥୁରାର ଚିରଶତ୍ରୁ ପାଲଟି ଯାଇଛି।ସତର ଥର ମଥୁରା ଆକ୍ରମଣ କରି ସେ ମଥୁରାକୁ ଧ୍ବଂସ ସ୍ତୁପରେ ପରିଣତ କରିଦେଲା । ଶେଷରେ ଆକ୍ରମଣରୁ ମଥୁରା ବାସୀଙ୍କୁ ରକ୍ଷା କରିବା ପାଇଁ ଆମକୁ ସାଗର ମଧ୍ୟରେ ଦ୍ଵାରକା ସ୍ଥାପିତ କରି ତା'ଭିତରେ ନିରାପଦରେ ରହିବାକୁ ପଡିଲା।"
କିଛି ନିରବତା ପରେ ଶ୍ରୀକୃଷ୍ଣ କହିଲେ, ସମ୍ମୁଖ ଯୁଦ୍ଧରେ ଜରାସନ୍ଧକୁ ହରାଇବା ସମ୍ଭବ ନୁହେଁ; ମଲ୍ଲଯୁଦ୍ଧ ଏବଂ ଗଦା ଯୁଦ୍ଧରେ ସେ ବିଶ୍ବରେ ଅତୁଳନୀୟ ବୀର। ବହୁରାଜ୍ୟ ଜୟକରି ନିଜକୁ ସମ୍ରାଟ ଉପାଧିରେ ଭୂଷିତ କରିଛି ଜରାସନ୍ଧ। ଅଠାନବେ ରାଜ୍ୟ ଜୟକରି ସେହି ରାଜ୍ୟର ରାଜାମାନଙ୍କୁ ଜରାସନ୍ଧ କାରାଗାରରେ ବନ୍ଦୀ କରି ରଖିଛି, ଏକଶତ ପୂର୍ଣ୍ଣ ହେଲେ ସେମାନଂକୁ ଶିବ-ପୀଠରେ ବଳି ଚଢାଇବା ପାଇଁ। ସେହି ରାଜାମାନଙ୍କ ପତ୍ନୀମାନଙ୍କ ଉପରେ ଅତ୍ୟାଚାର କରେ ଜରାସନ୍ଧ। ପ୍ରଜା-ପ୍ରପୀଡନରେ କଂସାସୁର, ହଂସାସୁର, ବକାସୁର ଏବଂ ହିଡିମ୍ବ ଭଳି ରାକ୍ଷସମାନେ ତାର ସହାୟକ ଥିଲେ। ମୋ ଦ୍ୱାରା କଂସ ବଧ ପରେ ଏବଂ ଭୀମସେନଙ୍କ ଦ୍ବାରା ହିଡିମ୍ବ ଓ ବକାସୁର ବଧ ପରେ ଅବଶ୍ୟ ସେ କିଛିଟା ଦୁର୍ବଳ ହୋଇ ଯାଇଛି।"
ଭୀମସେନ କହିଲେ, ଆପଣଙ୍କ ଭଳି ପରାମର୍ଶଦାତା, ଅର୍ଜୁନଙ୍କ ଭଳି ଧନୁର୍ଦ୍ଧର ଏବଂ ମୋଭଳି ଗଦାଧର ଥାଉଁ ଥାଉଁ ଜରାସନ୍ଧକୁ କଣ ଆମେ ପରାସ୍ତ କରିପାରିବା ନାହିଁ କେଶବ?" ଶ୍ରୀକୃଷ୍ଣ କହିଲେ... ଜରାସନ୍ଧର ଜନ୍ମ ରହସ୍ୟ ଯେପରି ଅଦ୍ଭୁତ, ତାର ଶକ୍ତି ସେଭଳି ଅସାଧାରଣ। ମହର୍ଷି କୌଶିକଙ୍କ ଆଶୀର୍ବାଦରୁ ଦୁଇ ମାଂସ ପିଣ୍ଡୁଳାର ଏକତ୍ରିକରଣ ଭିତରୁ ତାର ଜନ୍ମ । ସେଥିପାଇଁ ଋଷି ଆଶୀର୍ବାଦରୁ ସେ ଅତ୍ୟନ୍ତ ବଳଶାଳୀ ଏବଂ ଅଜେୟ।"
ଜରାସନ୍ଧର ଜନ୍ମବୃତାନ୍ତ ଜାଣିବାପାଇଁ ଭୀମଙ୍କ କୌତୁହଳତା ଦେଖି କେଶବ କହିଲେ, ମହାବଳୀ ବୃହଦ୍ରଥ ମଗଧ ରାଜ୍ୟର ରାଜଦଣ୍ଡ ହାତକୁ ନେବା ପରେ ମଗଧ ଏକ ବିଶାଳ ଶକ୍ତିରେ ପରିଣତ ହୋଇଗଲା। ବୃହଦ୍ରଥ କାଶି ରାଜାଙ୍କ ଦୁଇଟି କନ୍ୟାଙ୍କୁ ବିବାହ କରିଥିଲେ।ଦୁଇରାଣୀଙ୍କୁ ସେ ସମ ଭାବରେ ଭଲ ପାଇବା ବାଣ୍ଟି ଦେଇଥିଲେ। ପ୍ରେମ ତ ନିକିତିରେ ବଣ୍ଟା ହେବା ପଦାର୍ଥ ନୁହେଁ; କିନ୍ତୁ ବୃହଦ୍ରଥଙ୍କ ହୃଦୟ ନିକିତି ତାଙ୍କ ପ୍ରେମରତ୍ନକୁ ଦୁଇରାଣୀଙ୍କ ଭିତରେ ସମଭାବରେ ବଣ୍ଟନ କରିବାରେ ପକ୍ଷପାତିତା କରୁନଥିଲା। ରାଜାଙ୍କ ହାତକୁ ଯାହାକିଛି ଉତ୍ତମ ପଦାର୍ଥ ଆସୁଥିଲା, ତାହା ସେ ସମଭାବରେ ଦୁଇ ରାଣୀଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ।
କିନ୍ତୁ ସବୁ ପ୍ରଚୁର୍ଯ୍ୟ ଭିତରେ ଥିଲେ ମଧ୍ୟ ରାଜଦମ୍ପତିଙ୍କ ଜୀବନରେ ପୁତ୍ର-କଷ୍ଟ ସବୁଠାରୁ ବଡ଼ କଷ୍ଟ ଥିଲା। ବହୁକାଳ ପର୍ଯ୍ୟନ୍ତ ଦୁଇ ରାଣୀଙ୍କ କୋଳକୁ କୌଣସି ସନ୍ତାନ ସନ୍ତତି ଆସିଲେ ନାହିଁ । ମହାମନସ୍ତାପରେ ବୃହଦ୍ରଥ, ରାଜ୍ୟଭାର ମନ୍ତ୍ରୀଙ୍କ ହାତରେ ସମର୍ପଣ କରିଦେଇ ଅରଣ୍ୟକୁ ଯାଇ ଘୋର ତପସ୍ୟାରେ ମଜ୍ଜିଗଲେ। ସେହି ଅରଣ୍ୟରେ ମହର୍ଷି କୌଶିକଙ୍କର ଆଶ୍ରମ ଥିଲା। ଦିନେ ନିଜର ଆମ୍ର-ବାଟିକାରେ ମହର୍ଷି ଧ୍ୟାନରେ ବସିଥିବା ସମୟରେ ତାଙ୍କ ପାଖରେ ବୃହଦ୍ରଥ ପହଞ୍ଚି ମନୋବେଦନା ବ୍ୟକ୍ତ କରି କହିଲେ.. ମହାଭାଗ ! ବାତ୍ସଲ୍ୟ ପ୍ରେମର ଅନୁଭୂତି ଯେଉଁ ଜୀବନରେ ନାହିଁ ତାହା ମୂଲ୍ୟହୀନ। ଶାସ୍ତ୍ର ମଧ୍ୟ କହେ, ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବାପାଇଁ ପୁତ୍ର ଆବଶ୍ୟକ। ରାଜ୍ୟ, ରାଜଭୋଗ ସବୁ ଥାଇ ମଧ୍ୟ ପୁତ୍ର ଅଭାବରୁ ମୋ ଜୀବନ ଅସମ୍ପୂର୍ଣ୍ଣ। ମୋ ଉପରେ ଦୟା କରନ୍ତୁ ଭଗବନ୍ ।"
ବୃହଦ୍ରଥଙ୍କ ଦୁଃଖରେ ବିଗଳିତ କୌଶିକ ଚିନ୍ତା କରୁଥିଲେ କିପରି ସାହାଯ୍ୟ କରିବେ, ଏହି ସମୟରେ, ଉପରୁ ଗୋଟିଏ ପାଚିଲା ଆମ୍ବ ତାଙ୍କ କୋଳରେ ପଡ଼ିଲା। ସେ ସମୟରେ ତପବଳରୁ ମୁନି ଋଷି ମାନେ ଅଲୌକିକ କାର୍ଯ୍ୟ କରି ପାରୁଥିଲେ। ମହର୍ଷି ପାଚିଲା ଆମ୍ବଟିକୁ ଅଭିମନ୍ତ୍ରିତ କରି ରାଜାଙ୍କୁ ଦେଇ କହିଲେ... ରାଜନ୍, ଏହି ଫଳଟି ରାଣୀଙ୍କୁ ଖାଇବାକୁ ଦିଅନ୍ତୁ, ନିଶ୍ଚିତ ଭାବରେ ଆଶା ପୂରଣ ହେବ। ଏହା ଦ୍ବାରା ଯେଉଁ ବଳଶାଳୀ ପୁତ୍ର ତୁମ କୋଳ ମଣ୍ଡନ କରିବ, ତାର ଶରୀର ହେବ ବଜ୍ରଭଳି ଟାଣ, ମଲ୍ଲଯୁଦ୍ଧରେ ସେ ହେବ ଅଦ୍ୱିତୀୟ। ଏକାଦିକ୍ରମେ, ବିନା ଖାଦ୍ୟପେୟରେ ପଞ୍ଚଦଶ ଦିନ ପର୍ଯ୍ୟନ୍ତ ସେ ଶତ୍ରୁ ସହିତ ଲଢେ଼ଇ କରିପାରିବ। ଗଦା ଯୁଦ୍ଧରେ ସେ ହେବ ଅପରାଜେୟ ବୀର।"
ବୃହଦ୍ରଥ ଫଳଟି ନେଇ ପ୍ରାସାଦକୁ ଫେରିଲେ, କିନ୍ତୁ ତାଙ୍କ ଆଗରେ ଏକ ସମସ୍ୟା ଦେଖାଗଲା... କେଉଁ ରାଣୀଙ୍କୁ ସେ ଫଳଟି ଦେବେ ? ଦୁଇରାଣୀଙ୍କୁ ସମ ଭାବରେ ଭଲ ପାଉଥିବା ବୃହଦ୍ରଥ ଆମ୍ବଟି ସମାନ ଭାବରେ ଦୁଇଭାଗ କରି ଦୁଇ ରାଣୀଙ୍କୁ ଦେଇଦେଲେ। ତାହା ଖାଇବାର ଅଳ୍ପଦିନ ଭିତରେ ଦୁଇ ରାଣୀଙ୍କର ଗର୍ଭଲକ୍ଷଣ ଦେଖାଗଲା। ପ୍ରାସାଦରେ ଆନନ୍ଦର ଲହରୀ ଖେଳିଗଲା। ଠିକ୍ ଦଶମାସ ଦଶଦିନରେ ଦୁଇ ରାଣୀଙ୍କର ଏକ ସମୟରେ ଗର୍ଭକଷ୍ଟ ଆରମ୍ଭ ହେଲା। ଏକ ସମୟରେ ଦୁଇ ରାଣୀ ପ୍ରସବ ମଧ୍ୟ କଲେ। କିନ୍ତୁ ଏ କଣ ! ଆଶ୍ଚର୍ଯ୍ୟରେ ସମସ୍ତଙ୍କ ଚକ୍ଷୁ ବିସ୍ଫାରିତ ହୋଇ ରହିଗଲା। ଉଭୟ ରାଣୀଙ୍କ ଗର୍ଭରୁ ଏକ ଏକ ଅସମ୍ପୂର୍ଣ୍ଣ ଶିଶୁ ଜନ୍ମ ହେଲା, ଯାହାର ଥିଲା ଗୋଟିଏ ଆଖି, ଗୋଟିଏ କାନ, ଫାଳେ ନାକ, ଗୋଟିଏ ଗୋଡ଼; ସତେ ଯେମିତି ଗୋଟିଏ ଶିଶୁକୁ ମଝିରୁ ଦୁଇଭାଗ କରି କାଟି ଦିଆ ଯାଇଛି। ବୃହଦ୍ରଥଙ୍କ ମନ ଦୁଃଖରେ ଭରିଗଲା । ଭାବିଲେ "ଆମ୍ବଫଳଟି ଦୁଇଭାଗ କରି ଦୁଇରାଣୀଙ୍କୁ ଦେବାର ଏ ହେଉଛି ପରିଣତି।"
ରାଣୀ ଦ୍ବୟ ନିଜ ନିଜ ପରିଚାରିକାକୁ ସେହି ମାଂସ ପିଣ୍ଡୁଳାକୁ ବାହାରେ ଫିଙ୍ଗି ଦେଇ ଆସିବାପାଇଁ ଆଦେଶ ଦେଲେ।ପ୍ରାସାଦ ବାହାରେ ଗୋଟିଏ ଅଳିଆ କୁଣ୍ଡ ଥିଲା । ତା ଭିତରେ ଦୁଇ ମାଂସ ପିଣ୍ଡୁଳାକୁ ପକାଇ ନବରକୁ ଦାସୀ ଦ୍ବୟ ଫେରିଆସିଲେ। ସେଦିନ 'ଜରା' ନାମଧାରିଣୀ ଗୋଟିଏ ରାକ୍ଷସୀ ଖାଦ୍ୟ ଅନ୍ବେଷଣରେ ବୁଲି ବୁଲି ରାଜପ୍ରସାଦ ବାହାରେ ଥିବା ଅଳିଆ କୁଣ୍ଡ ପାଖରେ ପହଞ୍ଚି, କିଛି ଖାଦ୍ୟ ଆଶାରେ ତାକୁ ଦରାଣ୍ଡିଲା। ଦୁଇ ମାଂସ ଖଣ୍ଡକୁ ବାହାରକୁ ଆଣି, କୌତୁହଳୀ ହୋଇ ତାକୁ ଯୋଡ଼ି ଦେଉ ଦେଉ ତାହା ଏକ ଜୀବନ୍ତ ଶିଶୁରେ ପରିଣତ ହୋଇ କୁଆଁ କୁଆଁ ଶବ୍ଦରେ କାନ୍ଦିବା ଆରମ୍ଭ କରିଦେଲା। ରାଜ ପ୍ରାସାଦରେ ଏହି ସମ୍ବାଦ ପହଞ୍ଚିବାପରେ ବିଳମ୍ବ ହେଲାନାହିଁ। ରାଜା ଜରା ରାକ୍ଷସୀ ଠାରୁ ବାଳକଟି ରଖି, ତାକୁ ଧନଧାନ୍ୟ ଉପହାର ଦେଇ ବିଦାକଲେ। ଜରା ରାକ୍ଷସୀ ଠାରୁ ପ୍ରାପ୍ତ ହୋଇଥିବାରୁ ଶିଶୁଟିର ନାମ ରଖିଲେ ଜରାସନ୍ଧ। ଜରାସନ୍ଧ କାଳକ୍ରମେ ବିଶାଳ ଶରୀରଧାରୀ ଏକ ରାକ୍ଷସ ଭଳି ଦେଖାଗଲା। ଦେହରେ ଥିଲା ଶତ ହସ୍ତୀର ବଳ ଏବଂ ମନରେ ଥିଲା ଆର୍ଯ୍ୟାବର୍ତ୍ତ ଜୟ କରିବାପାଇଁ ଅଦମ୍ୟ ଉତ୍ସାହ।"
କିଛି ନିରବତା ପରେ କେଶବ କହିଲେ, ଜରାସନ୍ଧ ଥରେ ଆମ ଦୁଇଭାଇଙ୍କ ହାତରେ ଗୋମନ୍ତକ ପାଦଦେଶରେ ପରାସ୍ତ ହୋଇଛି। ସେ ସମୟରେ ପରାସ୍ତ ଜରାସନ୍ଧର ମୁଣ୍ଡକୁ ଲଙ୍ଗଳରେ ପିଟି ଦୁଇଫାଳ କରିବାପାଇଁ ଭାଇ ବଳରାମ ଯାଉଥିଲେ, କିନ୍ତୁ ମୁଁ ତାଙ୍କୁ ବାଧା ଦେଇ, ଜରାସନ୍ଧର ପ୍ରାଣରକ୍ଷା କରିଥିଲି । ଭାବିଥିଲି ସମ୍ରାଟର ହୃଦୟ ପରିବର୍ତ୍ତନ ହୋଇଯିବ। ବିଶାଳ ଶକ୍ତିର ଅଧିକାରୀ ଜରାସନ୍ଧ ଶାନ୍ତି ମାର୍ଗରେ ତାର ଶକ୍ତିର ଉପଯୋଗ କରିଥିଲେ ଆର୍ଯ୍ୟାବର୍ତ୍ତରେ ଧର୍ମରାଜ୍ୟ ପ୍ରତିଷ୍ଠା ପାଇଁ କିଛି ବାଧା ନଥିଲା। କିନ୍ତୁ ଅଧର୍ମ ପଥର ପଥିକ ଜରାସନ୍ଧର ଅତ୍ୟାଚାର ସମସ୍ତ ସୀମା ଲଘିଂ ସାରିଲାଣି। ପ୍ରଜା ପ୍ରପୀଡନ ଯୋଗୁଁ ଦେଶବାସୀ ସମ୍ରାଟଠାରୁ ମୁକ୍ତି ଚାହାଁନ୍ତି।ପୁତ୍ର ସହଦେବ ଏବଂ ପୌତ୍ର ମେଘସନ୍ଧି ମଧ୍ୟ ତା' ମନମୁଖୀ ଶାସନ ଯୋଗୁଁ ନିଜକୁ ଅଣନିଃଶ୍ବାସୀ ମନେ କରୁଛନ୍ତି। ଏହା ହେଉଛି ସମ୍ରାଟକୁ ମୃତ୍ୟୁପୁରୀକୁ ପଠାଇବାର ପ୍ରକୃଷ୍ଟ ସମୟ। ବହୁତ ବଞ୍ଚିଲାଣି ଜରାସନ୍ଧ।ଏବେ ତାର ଅନ୍ତକାଳ ଉପସ୍ଥିତ। ତାର ମୃତ୍ୟୁ ନହେଲେ ଭ୍ରାତା ଯୁଧିଷ୍ଠିର ରାଜସୂୟ ଯଜ୍ଞ ସମ୍ପାଦନ କରି ପାରିବେ ନାହିଁ କିମ୍ବା ଆର୍ଯ୍ୟାବର୍ତ୍ତରେ ଧର୍ମରାଜ୍ୟ ସ୍ଥାପିତ ହୋଇ ପାରିବ ନାହିଁ।"
ଶ୍ରୀକୃଷ୍ଣଙ୍କ କଥା ଶୁଣି ହସିଦେଲେ ଭୀମସେନ; କହିଲେ... ବକାସୁର ବଧ ପରେ ବହୁଦିନ ଧରି କାହା ସହିତ ମୁୁଁ ମଲ୍ଲଯୁଦ୍ଧ କରିନାହିଁ କେଶବ, ଆଉ ଡେରି କଲେ ଗୁରୁଦେବ ବଳରାମଙ୍କୁ ଅପମାନ ହେବ; କେଉଁଦିନ ମଗଧ ଯାତ୍ରା କରିବା ?
କ୍ରମଶଃ....
