Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୪୩

କଥା କାଦମ୍ବରୀଭାଗ ୪୩

4 mins
199



ଶାରଙ୍ଗ ପକ୍ଷୀ


ପୁରାଣ ଏବଂ ମହାଭାରତରେ ଏଭଳି ଅନେକ ବର୍ଣ୍ଣନା ଅଛି ଯେଉଁଠି ପଶୁ ପକ୍ଷୀ ମାନେ ମନୁଷ୍ୟ ଭଳି କଥା କହନ୍ତି ଏବଂ ଆଚାର ବ୍ୟବହାର ମଧ୍ୟ ମନୁଷ୍ୟ ଭଳି କରନ୍ତି। ବୋଧହୁଏ ସମାଜକୁ ଦେଉଥିବା ବାର୍ତ୍ତା ସୁଖପାଠ୍ୟ ଏବଂ ବୋଧଗମ୍ୟ ହେବ ବୋଲି ପୁରାଣକାରଙ୍କ ଦ୍ବାରା ଏପରି ବର୍ଣ୍ଣନା କରାଯାଇଥାଏ। କୃଷ୍ଣ ଏବଂ ଅର୍ଜୁନଙ୍କ ଦ୍ବାରା ଖାଣ୍ଡବ-ପ୍ରସ୍ଥ ଦହନ ସମ୍ପର୍କିତ ଏପରି ଏକ କଥାକୁହା "ଶାରଙ୍ଗ"ପକ୍ଷୀ ପରିବାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ବର୍ଣ୍ଣନାରୁ ସଂସାରରେ ବାସ କରୁଥିବା ମନୁଷ୍ୟର ଜୀବନ ଦର୍ଶନ ବିଷୟରେ ଅନେକ କଥା ଜାଣିବାକୁ ମିଳେ। କଥାଟିର ଆରମ୍ଭ ଭାରି ରୋଚକ...


ମନ୍ଦପାଳ ନାମକ ଜଣେ ଋଷି ସଂସାର ବନ୍ଧନରୁ ଅନେକ ଦୂରରେ ରହି,ଆଜୀବନ ବ୍ରହ୍ମଚାରୀ ହୋଇ,ଋଷି-ଧର୍ମ ପାଳନ କରୁଥିଲେ।ଜୀବନ ଅନ୍ତ ହେବାପରେ ସେ ଯେତେବେଳେ ସ୍ବର୍ଗକୁ ଗଲେ, ସେଠାରେ ତାଙ୍କୁ କୁହାଗଲା ଯେ ସ୍ବର୍ଗ-ସୁଖ ଠାରୁ ବିବାହିତ ଜୀବନର ସୁଖ ଅଧିକ। ସଂସାରରେ ରହି ଯେଉଁ ମାନେ ସଂସାର କରିନାହାନ୍ତି ଏବଂ ସ୍ୱର୍ଗୀୟ ବାତ୍ସଲ୍ୟ ସୁଖ ପାଇ ନାହାଁନ୍ତି, ସେମାନଙ୍କ ଜୀବନ ଅସମ୍ପୂର୍ଣ୍ଣ।ବିବାହିକ ଜୀବନର ସେହି ମଧୁ ଆସ୍ବାଦନ କରିବାପାଇଁ ମନ୍ଦପାଳ ଆଉଥରେ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ନେବାକୁ ଚାହିଁଲେ।


ଏଥର କିନ୍ତୁ ଗୋଟିଏ "ଶାରଙ୍ଗ" ପକ୍ଷୀ ରୂପରେ ମନ୍ଦପାଳଙ୍କୁ ଆଉଥରେ ପୃଥିବୀକୁ ଆସିବାକୁ ପଡ଼ିଲା। ଖାଣ୍ଡବ ବନରେ 'ଜରିତା'ନାମ୍ନୀ ଗୋଟିଏ ସୁନ୍ଦରୀ ଶାରଙ୍ଗ ପକ୍ଷୀ ପ୍ରେମରେ ହଜିଗଲେ ମନ୍ଦପାଳ। ପ୍ରୀତି ମଧୁ ଆସ୍ବାଦନ କରୁ କରୁ,ତାର ମାଦକତା ତାଙ୍କୁ ପ୍ରେମରେ ନୂତନତା ଖୋଜିବା ପାଇଁ ପ୍ରେରିତ କଲା।ନୂଆ ସାଥୀ ପାଇଁ ମନ ଚଞ୍ଚଳ ହୋଇ ଉଠିଲା। 'ଲପିତା' ନାମ୍ନୀ ଅନ୍ୟ ଏକ ଶାରଙ୍ଗ-ପକ୍ଷୀର ପ୍ରେମରେ ପଡି ନିଜ ପତ୍ନୀ ଜରିତାକୁ ସେ ହେୟଜ୍ଞାନ କଲେ।


ପ୍ରଥମେ ପ୍ରଥମେ ସେ ନୀଡକୁ ଡେରିରେ ଫେରୁଥିଲେ। କିନ୍ତୁ ଦିନେ ଆଉ ବସାକୁ ଫେରିଲେ ନାହିଁ।ସ୍ବାମୀଙ୍କୁ ଖୋଜି ଖୋଜି ଜରିତା, ଅନ୍ୟ ଏକ ବନରେ ,ମନ୍ଦପାଳଙ୍କୁ 'ଲପିତା' ରହୁଥିବା ନୀଡ଼ ଭିତରେ ପାଇଲେ।ନିଜ ଭାଗ୍ୟକୁ ନିନ୍ଦା କରି ଜରିତା ନୀଡକୁ ଫେରି ଆସିଲେ। ସେତେବେଳକୁ ସେ ଅନ୍ତଃସତ୍ତ୍ବା।ତାଙ୍କ ଗର୍ଭରୁ ଚାରୋଟି ଅଣ୍ଡା ଏବଂ ସେଥିରୁ ଚାରୋଟି ଶାବକ ଜନ୍ମ ନେଲେ। ସେମାନଙ୍କ ମୁହଁକୁ ଚାହିଁ ଜରିତା ଲମ୍ପଟ ଦଗାଦିଆ କୃତଘ୍ନ ସ୍ବାମୀଙ୍କୁ ଭୁଲିବାକୁ ଚେଷ୍ଟା କଲେ।


ନିଜ ଔରସରୁ ଚାରୋଟି ସନ୍ତାନ ଜନ୍ମିଛନ୍ତି ଜାଣି ମନ୍ଦପାଳ ଆନନ୍ଦିତ ହେଲେ କିନ୍ତୁ ନୂଆ ସାଥୀର ପ୍ରେମ ତାଙ୍କୁ ଏତେ ପାଗଳ କରି ଦେଇଥିଲା ଯେ ସେ ସ୍ୱର୍ଗୀୟ ବାତ୍ସଲ୍ୟ ପ୍ରେମର ଅନୁଭବ ନେବାପାଇଁ ଜରିତାଙ୍କ ପାଖକୁ ଆସିଲେ ନାହିଁ।


ଇତି ମଧ୍ୟରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସାହାଯ୍ୟ ନେଇ ବୁଭୁକ୍ଷିତ ଅଗ୍ନିଦେବ ଖାଣ୍ଡବ-ପ୍ରସ୍ଥକୁ ଦହନ କରିବାରେ ଲାଗିଲେ।ଲେଲିହାନ ଶିଖା ବ୍ୟାଦାନ କରି ଅଗ୍ନି ମାଡି ଆସୁଥିଲେ।ଜରିତା ଭୟଭୀତ ହୋଇ ପଡିଲେ।ତାଙ୍କର ଚାରୋଟି ଶାବକଙ୍କର ପର ଗଜୁରି ନାହିଁ। କିପରି ସେମାନେ ରକ୍ଷା ପାଇବେ ? ଏ ସମୟରେ ମଧ୍ୟ ସ୍ବାମୀ ମନ୍ଦପାଳଙ୍କ ଦେଖାଦର୍ଶନ ନାହିଁ।


ମାତାଙ୍କୁ ବ୍ୟତିବ୍ୟସ୍ତ ହେବାର ଦେଖି ଶାବକମାନେ କହିଲେ.. ତୁମେ ଦୁଃଖିତ ହୁଅ ନାହିଁ ଜନନୀ ! ସ୍ବାମୀ ପରିତ୍ୟକ୍ତା ହୋଇ ଜୀବନରେ ଅନେକ ଦୁଃଖ ପାଇଛ;ଆଉ ଆମକଥା ଚିନ୍ତା କରି ଅଧିକ ଦୁଃଖ କାହିଁକି ପାଉଛ ?ଆମକୁ ଆମ ଭାଗ୍ୟ ଉପରେ ଛାଡ଼ିଦେଇ ତୁମେ ଅଗ୍ନି ମୁଖରୁ ରକ୍ଷା ପାଇବା ପାଇଁ ଦୂରକୁ ଉଡିଯାଅ।"


ଏହା ଶୁଣି ଜରିତାଙ୍କ ଆଖିରୁ ଦି'ଟୋପା ଲୁହ ଝରି ପଡ଼ିଲା। କହିଲେ...ଧନରେ ! ନିଜ ଶିଶୁଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେଇ କେଉଁ ମା'କେବେ ଦୂରେଇ ଯାଇପାରିବ ? ତୁମ ସହିତ ମୁଁ ମଧ୍ୟ ମୃତ୍ୟୁ ବରଣ କରିବି।

ଶାବକ ମାନେ କହିଲେ...ଜନନୀ ! ତୁମେ ବଞ୍ଚିଥିଲେ ଆମର ଆହୁରି ଭାଇ ଭଉଣୀ ସଂସାରକୁ ଆସିବେ।ଏହି ଅରଣ୍ୟ ତ୍ୟାଗ କରି, କୃତଘ୍ନ ସ୍ବାମୀଙ୍କୁ ଛାଡି ଅନ୍ୟ ଅରଣ୍ୟରେ ଘର ସଂସାର କର।ଆମ ପାଇଁ ଚିନ୍ତା କର ନାହି।ଆମେ ମରିଗଲେ ମଧ୍ୟ ପୁଣି ଥରେ ତୁମ କୋଳରେ ଜନ୍ମନେବୁ।


ଜରିତା କହିଲେ... ତାହେଲେ ତୁମମାନଙ୍କୁ ମୁଁ ନିକଟରେ ଥିବା ଗୋଟିଏ ମୂଷିକ ବିଳ ଭିତରେ ରଖିଦେବି, ସେଠାରେ ତୁମେମାନେ ଅଗ୍ନି ତାପରୁ ରକ୍ଷା ପାଇଯିବ।ଶାବକ ମାନେ କହିଲେ..ମାତା ! ଅନାହୂତ ହୋଇ ବିପଦ ସମୟରେ ମଧ୍ୟ ଅନ୍ୟ କାହା ଘରେ ପ୍ରବେଶ କରିବା ଉଚିତ ନୁହେଁ। ମୂଷିକମାନେ ଆମକୁ ଜୀବନ୍ତ ଭକ୍ଷଣ କରିବାକୁ ଚେଷ୍ଟା କଲେ,ସେ ଯନ୍ତ୍ରଣା ଏ ବିପଦରୁ ବଳେଇ ପଡ଼ିବ।ତୁମେ ଚିନ୍ତା କରନାହିଁ।ତୁମେ ଦୂରକୁ ଉଡିଯାଅ, ଆମକୁ ଆମ ଭାଗ୍ୟ ଉପରେ ଛାଡ଼ିଦିଅ।"


ତଥାପି ଜରିତାଙ୍କ ମାତୃତ୍ଵ ପିଲାମାନଙ୍କୁ ଛାଡି ଯିବାପାଇଁ ଚାହିଁଲା ନାହିଁ।କ୍ରମେ ଅଗ୍ନି ତାପ ଅସମ୍ଭାଳ ହେଲା।ଶେଷରେ ଜୀବନ-ଲୋଭ ଆଗରେ ମାତୃତ୍ଵ ହାର ମାନିଲା।ଅଶ୍ରୁଳ ନେତ୍ରରେ ଜରିତା ଅସହାୟ ଛୁଆଙ୍କୁ ଛାଡି ଦୂରକୁ ଉଡିଗଲା।


ଛୁଆମାନଙ୍କ ଭିତରେ ଯେଉଁଟି ଜ୍ୟେଷ୍ଠ ଥିଲା ସେ କନିଷ୍ଠ ମାନଙ୍କୁ କହିଲା...ଦେଖ ଭାଇ ! ମାତା ପିତାଙ୍କ ଅନୁପସ୍ଥିତିରେ ଗୃହର ଦାୟିତ୍ଵ ମୋ ଉପରେ।ମୋ କଥା ମନଦେଇ ଶୁଣ।ମା' ସବୁବେଳେ କହନ୍ତି.. ନିଜଠାରୁ ସବଳ ଶତ୍ରୁକୁ ବୁଦ୍ଧିମତା ସହିତ ସାମ୍ନା କରିବା ଉଚିତ। ଏଠାରେ ଅଗ୍ନି ଦେବ ଆମର ଶତ୍ରୁ। କିନ୍ତୁ ସେ ଅବିବେକୀ ନୁହନ୍ତି।ସେ ମଧ୍ୟ ଜଗତ କଲ୍ୟାଣକାରୀ।ଆମେ ତାଙ୍କୁ ପ୍ରାର୍ଥନା କଲେ ହୁଏତ ସେ ଆମ ଉପରେ ଦୟା କରି ପାରନ୍ତି।"


ଅନ୍ୟ ଶାବକମାନେ ଜ୍ୟେଷ୍ଠ ଭାଇ କଥା ମାନି ଅଗ୍ନି ଦେବଙ୍କୁ ସ୍ତୁତି କରିବା ଆରମ୍ଭ କରିଦେଲେ।ପକ୍ଷୀ ଶାବକ ମାନଙ୍କ ସରଳତାରେ ଅଗ୍ନି ଦେବଙ୍କ ମନରେ ବୋଧହୁଏ ଦୟା ଜାତ ହେଲା। ଯେଉଁ ବୃକ୍ଷରେ ଶାରଙ୍ଗ ପକ୍ଷୀର ଶାବକ ରହିଥିଲେ,ତାକୁ ଛାଡି ଆଉ ସବୁ ଭସ୍ମ ହୋଇଗଲା।


ଅଗ୍ନି ନିର୍ବାପନ ପରେ ଜରିତା ବିକଳରେ ନୀଡ଼କୁ ଫେରି ଆସି,ଛୁଆମାନଙ୍କୁ ଜୀବିତ ଦେଖି, ଆନନ୍ଦ ଆତିଶଯ୍ୟରେ ସେମାନଙ୍କୁ କୋଳାଗ୍ରତ କରି ଗେଲ କରିବାରେ ଲାଗିଗଲେ।

ଖାଣ୍ଡବ ବନର ଅଗ୍ନି କାଣ୍ଡ ସମ୍ବାଦ ପାଇ,ନିଜ ସନ୍ତାନ ମାନଙ୍କ ନିରାପତ୍ତା ନେଇ ମନ୍ଦପାଳ ଉଦ୍ବିଘ୍ନ ହୋଇ ସେମାନଙ୍କୁ ଦେଖିବାପାଇଁ ବାହାରିଲେ।ଏହାଦେଖି ଈର୍ଷାରେ,ନୂତନ ପତ୍ନୀ ଲପିତା କହିଲେ...ପିଲାଙ୍କୁ ଦେଖିବା ପାଇଁ ଯିବା ଗୋଟାଏ ବାହାନା,ମୂଳକଥା ହେଲା ତୁମର ମୋ'ଠାରେ ମନ ଛାଡିଗଲାଣି, ପୁରୁଣା ପ୍ରେମ ତୁମକୁ ଡାକିଲାଣି।ଯଦି ଯାଉଛ,ଆଉ ମୋ ପାଖକୁ ଆସିବା ନାଁ ଧରିବନି।"

ଲପିତାର ହୃଦୟହୀନତା ମନ୍ଦପାଳଙ୍କ ହୃଦୟକୁ ବ୍ୟଥିତ କଲା। ଭାବିଲେ..ନିଜର ସବୁବେଳେ ନିଜର।


ପ୍ରଥମ ପତ୍ନୀଙ୍କ ପାଖକୁ ଫେରି ଆସି ମନ୍ଦପାଳ ନୀଡ଼ ବାହାରେ ରହି ଭିତରକୁ ଚାହିଁଲେ;ଜରିତା ପିଲାମାନଙ୍କ ସହିତ ଖେଳିବାରେ ବ୍ୟସ୍ତ।ମନ୍ଦପାଳ ଆସିଛନ୍ତି ଜାଣି ମଧ୍ୟ ସେ ନଜାଣିଲା ପରି ରହିଲେ।ମନ୍ଦପାଳ ପଚାରିଲେ...କିପରି ଅଛ ଜରିତା ? ପିଲାମାନେ କିପରି ଅଛନ୍ତି ?"


ଜରିତା ଉତ୍ତର ଦେଲେ...ତୁମେ କିଏ ମୁଁ ଜାଣିନି,ନୂତନ ପତ୍ନୀ ପାଖକୁ ଫେରିଯାଅ। ମୁଁ ମୋ ପିଲାଙ୍କ ସହିତ ଏଠାରେ ଭଲରେ ଅଛି,ଆମକୁ ଆମ ବାଟରେ ଛାଡି ଦିଅ।"


ମନ୍ଦପାଳ ଦୁଇ ପତ୍ନୀଙ୍କ କ୍ରୋଧର ଶିକାର ହୋଇ ଚିନ୍ତା କଲେ.. ସାଂସାରିକ ଜୀବନ, ସଫଳତା ସହିତ ଶାନ୍ତିରେ ବିତାଇବା କୌଣସି କଠିନ ତପସ୍ୟା ଠାରୁ କମ୍ ନୁହେଁ।


ଶାରଙ୍ଗ ପକ୍ଷୀ ପରିବାରର ଏହି ଅନନ୍ୟ କାହାଣୀ ଭିତରେ,ଲୁହ,ହସ,କାନ୍ଦ,ପ୍ରେମ,ପ୍ରତାରଣା, ବାତ୍ସଲ୍ୟ ଆଦି ସବୁ ଜୀବନ ରଙ୍ଗ ଏକାଠି ଫେଣ୍ଟାଫେଣ୍ଟି ହୋଇ ରହିଛନ୍ତି।



Rate this content
Log in

Similar oriya story from Classics