STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୪୧

କଥା କାଦମ୍ବରୀଭାଗ ୪୧

5 mins
370


ପ୍ରଜା-ଶକ୍ତିକୁ ଡର ପୁତ୍ର ! 

===============

 ଦ୍ରୌପଦୀଙ୍କ ସ୍ବୟଂବର ସଭାରେ ଅସଫଳ ହୋଇ ଅପମାନରେ ଜର୍ଜରିତ କୁରୁ-ପୁତ୍ରମାନେ ହସ୍ତିନା ରାଜପ୍ରାସାଦରେ ପହଞ୍ଚିବା ପୂର୍ବରୁ ପାଞ୍ଚାଳରେ ଘଟିଥିବା ଘଟଣା ହସ୍ତିନାର ଘରେ ଘରେ ପ୍ରଘଟ ହୋଇଯାଇଥିଲା।ମହାମନ୍ତ୍ରୀ ବିଦୂର ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚି କହିଲେ...ଅତ୍ୟନ୍ତ ଶୁଭ ସମ୍ବାଦ ମହାରାଜ ! ପାଞ୍ଚାଳ ରାଜକନ୍ୟା କୁରୁ ବଂଶର ବଧୂ ହୋଇଛନ୍ତି। ପାଞ୍ଚାଳ ସହିତ ଏହି ବୈବାହିକ ସମ୍ପର୍କ ସାମରିକ ଦୃଷ୍ଟିରୁ ହସ୍ତିନାକୁ ଶକ୍ତିଶାଳୀ କରିଛି।


.....ଆନନ୍ଦ ଅତିଶଯ୍ୟାରେ ଧୃତରାଷ୍ଟ୍ର କହିଲେ...ଏ ସୁ'ସମ୍ବାଦ ଶୁଣାଇ ମୋ ହୃଦୟକୁ କେତେ ଯେ ଆନନ୍ଦିତ କରିଛ, ଭାଷାରେ ବ୍ୟକ୍ତ କରିବା କଠିନ ପ୍ରିୟ ବିଦୂର ! ମୋ ପ୍ରିୟ ଦୁର୍ଯ୍ୟୋଧନର ଏହି ସଫଳତା ପାଇଁ ନଗ୍ରରେ ଆନନ୍ଦ ଉତ୍ସବର ବ୍ୟବସ୍ଥା କର।କୁଳବଧୂ ଯାଜ୍ଞସେନୀଙ୍କର ରାଜପ୍ରସାଦକୁ ସ୍ବାଗତ ପାଇଁ ପ୍ରାସାଦକୁ ସୁସଜ୍ଜିତ କର।"


.....ବିଦୂର କହିଲେ.ଅବଶୋଷ ମହାରାଜ୍,ଏ ସଫଳତା ଯୁବରାଜ ଦୁର୍ଯ୍ୟୋଧନଙ୍କର ନୁହେଁ।ଲକ୍ଷ୍ୟ ଭେଦରେ ଦୁର୍ଯ୍ୟୋଧନ ବିଫଳ ହୋଇଛନ୍ତି। କୁନ୍ତୀ-ପୁତ୍ର ଅର୍ଜୁନ ଲକ୍ଷ୍ୟ ଭେଦ କରି ଦ୍ରୌପଦୀଙ୍କ ହୃଦୟ ଜୟ କରିଛନ୍ତି। ମହର୍ଷି ବେଦବ୍ୟାସଙ୍କ ପରାମର୍ଶକ୍ରମେ ପାଞ୍ଚଭାଇ ଦ୍ରୌପଦୀଙ୍କୁ ବିବାହ କରି ପାଞ୍ଚାଳ ରାଜ୍ୟରେ ବର୍ତ୍ତମାନ ଅବସ୍ଥାନ କରୁଛନ୍ତି।

......ଅନ୍ଧରାଜାଙ୍କ ଆନନ୍ଦ ଜୁଆରରେ ଅକସ୍ମାତ ଭଟ୍ଟା ପଡିଗଲା।ଉଦ୍ବିଘ୍ନ ହୋଇ ଧୃତରାଷ୍ଟ୍ର ପଚାରିଲେ...କଣ କହିଲ ! ଆଉଥରେ କୁହ ପ୍ରିୟ ବିଦୂର,ସତରେ କ'ଣ ପ୍ରିୟ ପାଣ୍ଡୁ-ପୁତ୍ର ମାନେ ବଞ୍ଚିଛନ୍ତି !!

ବିଦୂର କହିଲେ ...ଆପଣ ଠିକ୍ ଶୁଣିଛନ୍ତି ମହାରାଜ,ପାଞ୍ଚଭାଇ ଯାଜ୍ଞସେନୀଙ୍କୁ ବିବାହ କରି,ବିପୁଳ ସୈନ୍ୟ ସାମନ୍ତ ସହିତ ଅମାପ ଧନସମ୍ପଦ ଲାଭ କରି ଆନନ୍ଦରେ ପାଞ୍ଚାଳରେ ଅବସ୍ଥାନ କରୁଛନ୍ତି।

......ଅନ୍ଧ ରାଜା ଧୃତରାଷ୍ଟ୍ର ତଥାପି କାନକୁ ବିଶ୍ଵାସ କରିପାରୁ ନାଥିଲେ। ପୁଣି ପ୍ରଶ୍ନ କଲେ...ଏହା କିପରି ସମ୍ଭବ ବିଦୂର!ଆମେ ସମସ୍ତେ ଶୁଣିଛେ ସେମାନେ ଜତୁଗୃହରେ ଦଗ୍ଧ ହୋଇଛନ୍ତି; ସେମାନଙ୍କ ଶେଷକୃତ୍ୟ ମଧ୍ୟ ଆମେ ପାଳନ କରିସାରିଛନ୍ତି।"


.....ଧୃତରାଷ୍ଟ୍ରଙ୍କ ହୃଦୟ ଦୁଃଖରେ ଭରିଗଲେ ମଧ୍ୟ ତାହା ସେ ଉପରକୁ ଦେଖାଇଲେ ନାହିଁ।କୃତ୍ରିମ ଆନନ୍ଦରେ କହିଲେ.. ତା'ହେଲେ ପ୍ରିୟ ପଣ୍ଡୁ-ପୁତ୍ରମାନେ ଜୀବିତ ଅଛନ୍ତି ଏବଂ ଦ୍ରୌପଦୀଙ୍କୁ ବିବାହ କରିଛନ୍ତି ?ବଡ଼ ଆନନ୍ଦର କଥା ପ୍ରିୟ ବିଦୂର। ନୂତନ ବଧୂ କୁରୁ ପରିବାର ପାଇଁ ନିଶ୍ଚୟ ଶୁଭ ଦିନ ଆଣିବେ।" 

.....ଦୁର୍ଯ୍ୟୋଧନ ଯେତେବେଳେ ଜାଣିବାକୁ ପାଇଲେ ଯେ ପାଣ୍ଡବମାନେ ଜତୁଗୃହ ଦହନରୁ ରକ୍ଷା ପାଇଛନ୍ତି ଏବଂ ଏକ ବର୍ଷ ବିଭିନ୍ନ ସ୍ଥାନରେ ଛଦ୍ମବେଶରେ ଭ୍ରମଣକରି ଶେଷରେ ଦ୍ରୌପଦୀଙ୍କୁ ବିବାହ କରି,ନିଜର ଶକ୍ତି ବୃଦ୍ଧି କରିଛନ୍ତି,ସେ ଈର୍ଷା ଏବଂ କ୍ରୋଧରେ କମ୍ପି ଉଠିଲେ।ଭାଇ ଦୁଃଶାସନ ସହିତ ମାମୁ ଶକୁନିଙ୍କ ପାଖରେ ପହଞ୍ଚି ଦୁର୍ଯ୍ୟୋଧନ କହିଲେ ..ଦେଖିଲେ ତ ମାମୁଁ !ପାଣ୍ଡବ ମାନଙ୍କୁ ବିନାଶ କରିବା ସବୁ ଯୋଜନା ଆମର ବିଫଳ ହୋଇଯାଇଛି।ପୁରୋଚନର ମୂର୍ଖାମି ଯୋଗୁଁ ପାଣ୍ଡବମାନେ ଜତୁଗୃହରୁ ପଳାୟନ କରିଛନ୍ତି ଏବଂ ବର୍ତ୍ତମାନ ଆମପାଇଁ ଗଳାର କଣ୍ଟା ହୋଇଛନ୍ତି। ପାଞ୍ଚାଳର ସାହାଯ୍ୟ ନେଇ,ଯେ କୌଣସି ମୁହୂର୍ତ୍ତରେ ଆସି ଆମମାନଙ୍କଠାରୁ ରାଜ୍ୟ ଛଡ଼ାଇ ନେବେ।


......କର୍ଣ୍ଣ ଓ ଶକୁନି,ଦୁର୍ଯ୍ୟୋଧନଙ୍କ ସହିତ ଧୃତରାଷ୍ଟ୍ରଙ୍କ ପାଖରେ ପହଞ୍ଚିଲେ। ଦୁର୍ଯ୍ୟୋଧନ କହିଲେ .. ପିତାଶ୍ରୀ ! ଆପଣଙ୍କ ମନ ଲଡ୍ଡୁ ଖାଇଲା ଭଳି ଏତେ ଆନନ୍ଦିତ କାହିଁକି ? ଆପଣ ବିଦୂରଙ୍କୁ କହୁଥିଲେ କୁରୁ ପରିବାର ପାଇଁ ଶୁଭ ଦିନ ଆସୁଛି;ଏଇ କଣ ଆମର ଶୁଭ ଦିନ ?ଆମ ଚିରଶତ୍ରୁ ଜତୁଗୃହର ମୃତ୍ୟୁ ପଞ୍ଝାରୁ ଖସି ଯାଇ,ଆମର ଯୋଜନା ବିଷୟରେ ଜାଣିବା ପରେ ଆମକୁ ଶେଷ କରିବା ପାଇଁ ନିଶ୍ଚୟ ମନସ୍ଥ କରି ସାରିବେଣି।ସେମାନେ ହସ୍ତିନାକୁ ଆସି ଆମକୁ ରାଜ୍ୟରୁ ବିତାଡିତ କରିବା ପୂର୍ବରୁ‌ କିଛି କରନ୍ତୁ ପିତାଶ୍ରୀ, ଏତେ ଆନନ୍ଦିତ ହୋଇ ଲାଭ କଣ?" 


.....ଧୃତରାଷ୍ଟ୍ର କହିଲେ ...ତୁମ ମନୋବେଦନା ମୁଁ ଠିକ୍ ବୁଝି ପାରୁଛି ପୁତ୍ର।କିନ୍ତୁ ବିଦୂର ଆଗରେ ସେପରି ତ କହିବାକୁ ପଡିବ;ଏବେ ମତେ କୁହ ତୁମମାନଙ୍କ ମନରେ କ'ଣ ଯୋଜନା ଅଛି ?"

ଦୁର୍ଯ୍ୟୋଧନ କହିଲେ...ମୋ ମୁଣ୍ଡକୁ ତ କିଛି ଜୁଟୁ ନାହିଁ।ଆମର ସବୁ ଯୋଜନା ପଣ୍ଡ ହୋଇଛି। ପାଣ୍ଡବଙ୍କ ମଧ୍ୟରେ ଏକତା ଏପରି ଯେ ଶେଷରେ ସମସ୍ତେ ଗୋଟିଏ କନ୍ୟାକୁ ବିବାହ କରିଛନ୍ତିି ପରସ୍ପର ଭିତରେ ବନ୍ଧନ ଦୃଢ଼ କରିବାପାଇଁ।


.....ମୋ ମନରେ ଯେଉଁ ଯୋଜନା ଗୁଡିକ ଆସୁଛି ତାଭିତରୁ ପ୍ରଥମଟି ହେଲା ସେମାନଙ୍କ ଏକତା ଭାଙ୍ଗିବା।ଆମର ଗୋଟିଏ ସୁନ୍ଦରୀ ଦାସୀକୁ କଳେବଳେ ପଣ୍ଡୁ-ପରିବାର ଭିତରେ ଛାଡିଦେଲେ ସେ ଭାଇମାନଙ୍କୁ ଦ୍ରୌପଦୀଙ୍କ ଚରିତ୍ର ବିଷୟରେ ଏଣୁତେଣୁ କହି ବିଭେଦ ସୃଷ୍ଟି କରିବ। ସେମାନଙ୍କ ଏକତା ଭାଙ୍ଗିଗଲେ ଆମକୁ ସୁବିଧା ହେବ ହରାଇବା ପାଇଁ। 


.....ଦ୍ବିତୀୟ ଉପାୟଟି ହେଲା ଅନେକ ଧନ ସମ୍ପତ୍ତି ଦେଇ ଦ୍ରୁପଦଙ୍କୁ ଆମ ପକ୍ଷକୁ ନେଇ ଆସିବା।ସେ ପାଣ୍ଡବଙ୍କୁ ରାଜ୍ୟରୁ ବିତାଡିତ କରିଦେଲେ ଆମେ ସହଜରେ ତାଙ୍କର ବିନାଶ କରିପାରିଵା। ତୃତୀୟ ବିକଳ୍ପଟି ହେଲା ସେମାନେ ଗୋଟିଏ ମାଆ ପେଟର ଭାଇ ନୁହଁନ୍ତି; କୁନ୍ତୀଙ୍କର ନିଜ ପୁତ୍ରଙ୍କ ପ୍ରତି ପକ୍ଷପାତିତା ଦର୍ଶାଇ ନକୁଳ ସହଦେବଙ୍କ ମନରେ ବିଦ୍ରୋହ ସୃଷ୍ଟି କରି ସେମାନଙ୍କ ଭିତରେ ବିଭେଦ ସୃଷ୍ଟି କରିବା।"


....ଦୁର୍ଯ୍ୟୋଧନଙ୍କର ଏଭଳି ଯୋଜନା ଶୁଣି କର୍ଣ୍ଣ ଅଟ୍ଟହାସ କରି କହିଲେ...ଏସବୁ ବେକାର ଯୋଜନା, ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହେବନାହିଁ।ମୋ ମତରେ ପାଣ୍ଡବ ମାନଙ୍କୁ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ନିପାତ କରିଦେବା ଠିକ୍ ହେବ। ବୀର ଭୋଗ୍ୟା ବସୁନ୍ଧରା। ବୀର ଭଳି ଶତ୍ରୁକୁ ଯୁଦ୍ଧରେ ନିହତ କରି ରାଜ୍ୟ ଭୋଗ କରିବା ଶାସ୍ତ୍ର ଅନୁମୋଦିତ। ପାଣ୍ଡବମାନେ ବାସୁଦେବ ଏବଂ ପାଞ୍ଚାଳର ସହାୟତା ପାଇ ଅଧିକ ଶକ୍ତିଶାଳୀ ହେବା ପୂର୍ବରୁ ଆମେ ତାଙ୍କୁ ଶେଷ କରିଦେବା ଉଚିତ।"


.....ଶକୁନି କହିଲେ.. ଶତ୍ରୁକୁ କୌଶଳରେ ହତ୍ୟା କରିବା ଠିକ୍ ହେବ ଅଙ୍ଗରାଜ, ଏଭଳି ମୁହାଁମୁହିଁ ଆକ୍ରମଣ କରି ନୁହେଁ; ପାଣ୍ଡବମାନେ ଦୁର୍ବଳ ନୁହଁନ୍ତି।ଭୀମ ଅର୍ଜୁନଙ୍କ ଭଳି ମହାବଳୀ ଓ ମହାଧନୁର୍ଦ୍ଧର ଆଗରେ ତୁମର ଆସ୍ଫାଳନ କିଛି କାମ ଦେବନାହିଁ ଅଙ୍ଗରାଜ।ନେବାକୁ ଦେବା ପଡ଼ିଯିବ।ଆମକୁ ହରାଇ ପାଣ୍ଡବମାନେ ପୂରା ହସ୍ତିନା ଦଖଲ କରିନେଵେ।"


ଦୁର୍ଯ୍ୟୋଧନ,କର୍ଣ୍ଣ ଏବଂ ଶକୁନିଙ୍କର ଏଭଳି ବିଲୁଆ ବିଚାରରେ ସନ୍ତୁଷ୍ଟ ନହୋଇ ଧୃତରାଷ୍ଟ୍ର ଭୀଷ୍ମଙ୍କ ପରାମର୍ଶ ଲୋଡିଲେ। ଭୀଷ୍ମ, ପାଣ୍ଡବ ମାନଙ୍କର ପାଞ୍ଚାଳ ସହିତ ବିବାହ ସମ୍ବନ୍ଧ ସ୍ଥାପନ କଥା ଶୁଣି ମହା ଆନନ୍ଦିତ ହେଲେ ଏବଂ କହିଲେ.. ମହାରାଜ! ପାଣ୍ଡବ ପାଞ୍ଚଭାଇ କୁରୁ ପରିବାରର ଅଂଶ ଏବଂ ରାଜ୍ୟରେ ସେମାନଙ୍କ ଅଧିକାର ରହିଛି।ସେମାନେ ପ୍ରଜାମାନଙ୍କର ଅତି ପ୍ରିୟ ମଧ୍ୟ।ବାରୁଣାବନ୍ତରେ ଲାକ୍ଷ୍ୟାଗୃହ ଦହନନେଇ ପ୍ରଜାଙ୍କ ମନରେ ନାନା ପ୍ରକାର ସନ୍ଦେହ ରହିଛି। ଏଭଳି ସମୟରେ ପାଞ୍ଚଭାଇଙ୍କ ସହିତ ବିରୋଧାଚରଣ କଲେ ପ୍ରଜାମାନେ ଉତକ୍ଷିପ୍ତ ହେବେ।ପ୍ରଜା-ଶକ୍ତିକୁ ହେୟଜ୍ଞାନ କରି କୌଣସି ରାଜଶକ୍ତି ରାଜ୍ୟ ଶାସନରେ ସଫଳ ହୋଇପାରିନାହିଁ। ପାଣ୍ଡୁ ପୁତ୍ର ମାନଙ୍କୁ ଆଦର ସହିତ ହସ୍ତିନାକୁ ସ୍ବାଗତ କରନ୍ତୁ ମହାରାଜା।"


ଦ୍ରୋଣ କହିଲେ.. ପିତାମହଙ୍କ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ।"

ଦ୍ରୋଣଙ୍କର ଏଭଳି ମନ୍ତବ୍ୟ ଶୁଣି ଉତକ୍ଷିପ୍ତ ହୋଇ କର୍ଣ୍ଣ କହିଲେ..ହେ ଆଚାର୍ଯ୍ୟ ! ଏଭଳି ଉପଦେଶ ରାଜାଙ୍କୁ ଦେଉଛନ୍ତି କାହିଁକି?ଏହା ଆପଣଙ୍କର ପାଣ୍ଡବ-ପ୍ରୀତିର ନମୂନା। ଯେଉଁ ଥାଳିରେ ଖାଉଛନ୍ତି,ସେଥିରେ ବିଳ ସୃଷ୍ଟି କରୁଛନ୍ତି?ଏହା କୃତଘ୍ନତାର ଲକ୍ଷଣ ନୁହେଁ କି?"


.....କର୍ଣ୍ଣଙ୍କ କଥା ଶୁଣି ପ୍ରଚଣ୍ଡ କ୍ରୋଧରେ ଥରିଗଲେ ଆଚାର୍ଯ୍ୟ, କହିଲେ..ହେ ଦୁଷ୍ଟ କର୍ଣ୍ଣ ! ତୁମ ଖଳବୁଦ୍ଧିର ପ୍ରୟୋଗ କରି ହସ୍ତିନାର କ୍ଷତି କରନାହିଁ।ଅଙ୍ଗଦେଶର ରାଜପଦ ତୁମକୁ ଅହଂକାରୀ ଏବଂ ଅଶାଳୀନ କରି ଦେଇଛି।ନିଜ ମୁହଁରେ ଲଗାମ ଦିଅ।"

କହିବା ବାହୁଲ୍ୟ ଯେ ଏହା ଥିଲା କୁରୁ ଦରବାରର ପ୍ରକୃତ ଚରିତ୍ର।ରାଜା ଅନ୍ଧ ଏବଂ ସଭାସଦଙ୍କ ମଧ୍ୟରେ ମତଭେଦ ପରିସ୍ଥିତିକୁ ସର୍ବଦା ଜଟିଳ କରୁଥିଲା।


.....ଅନନୋପାୟ ହୋଇ ଧୃତରାଷ୍ଟ୍ର ବିଦୂରଙ୍କୁ ପରାମର୍ଶ ମାଗିଲେ।ବିଦୂର କହିଲେ .. କୁଟିଳ ଶକୁନି,ଈର୍ଷାଳୁ ଦୁର୍ଯ୍ୟୋଧନ ଏବଂ ଅନଭିଜ୍ଞ ତଥା ଭାବପ୍ରବଣ କର୍ଣ୍ଣଙ୍କ କଥାରେ ପରିଚାଳିତ ହେଲେ ହସ୍ତିନାର ଘୋର କ୍ଷତି ହେବ।ପ୍ରଜାଙ୍କ ଇଚ୍ଛାକୁ ସମ୍ମାନ ଦେଇ ପାଣ୍ଡବମାନଙ୍କୁ ସାଦରେ ଆମନ୍ତ୍ରଣ କରି ହସ୍ତିନାର ଅର୍ଦ୍ଧେକ ରାଜ୍ୟ ସେମାନଙ୍କୁ ଦାନ କରିବା ଉଚିତ।"


.....ଅନିଚ୍ଛା ସତ୍ତ୍ବେ ଧୃତରାଷ୍ଟ୍ର ଏହି ପ୍ରସ୍ତାବରେ ସମ୍ମତ ହେଲେ ଏବଂ ବିଦୂରଙ୍କୁ ପାଞ୍ଚାଳ ଯାଇ ପାଣ୍ତବ ମାନଙ୍କୁ ନିମନ୍ତ୍ରଣ କରି ଆଣିବାପାଇଁ ଆଦେଶ ଦେଲେ।

ଅନେକ ଉପଢୌକନ ନେଇ ବିଦୂର ପାଞ୍ଚାଳରେ ପହଞ୍ଚି କୁନ୍ତୀ ଦେବୀଙ୍କ ପାଦପୂଜା କରି ଦ୍ରୁପଦଙ୍କୁ ଯଥାମାନ୍ୟ କଲେ ଏବଂ ଆଗମନର ଅଭିପ୍ରାୟ ଜଣାଇଲେ। ଧୃତରାଷ୍ଟ୍ରଙ୍କ ମାନସିକତା ଏବଂ ଉଦ୍ଦେଶ୍ୟ ଉପରେ ଦ୍ରୁପଦଙ୍କର ବିଶ୍ୱାସ ନଥିଲେ ମଧ୍ୟ , ଯିବା ନଯିବା ନିର୍ଣ୍ଣୟ ସେ ପାଞ୍ଚ ଭାଇଙ୍କ ଉପରେ ଛାଡିଦେଲେ। କୁନ୍ତୀ ପାଣ୍ଡବ ମାନଙ୍କ ନିରାପତ୍ତା ନେଇ ସନ୍ଦେହ ପ୍ରକାଶ କରିବାରୁ ବିଦୂର କହିଲେ ..ପୂଜନୀୟା ଦେବୀ ! ଯେ ପର୍ଯ୍ୟନ୍ତ ପାଣ୍ଡବମାନେ ଧର୍ମ ପଥରେ ରହିଛନ୍ତି ସେମାନଙ୍କର କୌଣସି କ୍ଷତି ହେବନାହିଁ।"

......ପାଣ୍ଡବମାନେ ମହା ସମାରୋହରେ ରାଜଧାନୀକୁ ଫେରିଲେ। ପ୍ରଜା-ଶକ୍ତିର ଜୟ ହେଲା।ହର୍ଷୋଲ୍ଲାସ ଏବଂ ଆନନ୍ଦ ଉତ୍ସବରେ ମୁଖରିତ ହେଲା ହସ୍ତିନାର ବାଟଘାଟ। ପ୍ରଜାମାନେ ମହା ଆନନ୍ଦରେ ପ୍ରିୟ ପଣ୍ଡୁପୁତ୍ରଙ୍କୁ ସ୍ବାଗତ କଲେ। ପଣ୍ଡୁ-ପୁତ୍ର ମାନଙ୍କ ପ୍ରତି ପ୍ରଜାମାନଙ୍କର ସମର୍ଥନ ଦେଖି କୌରବ ମାନେ ଈର୍ଷାନ୍ବିତ ଏବଂ ଭୟଭୀତ ହୋଇ ପଡିଲେ। ଦୁର୍ଯ୍ୟୋଧନ ଶକୁନି,କର୍ଣ୍ଣ ଏବଂ ଦୁଃଶାସନଙ୍କୁ ନିକଟକୁ ଡାକି କହିଲେ..ଏମାନଙ୍କୁ ନିପାତ ନକଲେ ପ୍ରଜାମାନଙ୍କର ଏମାନଙ୍କୁ ସମର୍ଥନ ଭବିଷ୍ୟତରେ ବିତ୍ପାତ ସୃଷ୍ଟି କରିବ। କିଛି ଉପାୟ ଚିନ୍ତା କର।" 


......ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ପାଖକୁ ଡାକି କହିଲେ...ପୁତ୍ର ! ତୁମେ ପାଞ୍ଚଭାଇ ସର୍ବଦା ଧର୍ମପଥର ଯାତ୍ରୀ, କିନ୍ତୁ ମୋ ପୁତ୍ରମାନେ ଖଳପ୍ରକୃତିର। ସେମାନଙ୍କ ସହିତ ଗୋଟିଏ ରାଜ୍ୟ‌ ଏବଂ ଗୋଟିଏ ପରିବାର ଭିତରେ ରହିବା ତୁମମାନଙ୍କ ପାଇଁ ମଙ୍ଗଳ କାରକ ହେବନାହିଁ।ଭାଇ-ଭାଗ ତ ସବୁ ସମୟରେ ରହିଛି। ତୁମେ ପାଞ୍ଚଭାଇ ପୂରାତନ ରାଜଧାନୀ ଖାଣ୍ଡବପ୍ରସ୍ତରେ ରହି ଅର୍ଦ୍ଧେକ ରାଜ୍ୟ ଭୋଗକର। ସେଠାରେ ଆମର ପୂର୍ବଜ ପୁରୁ,ନହୁଷ ଏବଂ ଯଯାତିଙ୍କ ଭଳି ପ୍ରଥିତଯଶା ରାଜାମାନେ ଶାସନ କରୁଥିଲେ। ତାହା ଏବେ ପରିତ୍ୟକ୍ତ ହୋଇ ପଡ଼ିଥିଲେ ମଧ୍ୟ ତୁମେମାନେ ତାକୁ ପୁନରୁଦ୍ଧାର କରି ସେଠାରେ ଆନନ୍ଦରେ ବସବାସ କର।"


ଧୃତରାଷ୍ଟ୍ରଙ୍କ ରାଜ୍ୟବଣ୍ଟନରେ ଏଭଳି ପକ୍ଷପାତିତା ଦେଖି, ଦ୍ରୌପଦୀ ସମେତ ଭୀମ ଅର୍ଜୁନ ନକୁଳ ସହଦେବ ଆଦି ଅସନ୍ତୁଷ୍ଟ ହେଲେ। କିନ୍ତୁ ଶାନ୍ତି ସ୍ଥାପନ ଦୃଷ୍ଟିରୁ ଯୁଧିଷ୍ଠିର ଏହି ପ୍ରସ୍ତାବ ଗ୍ରହଣ କଲେ।


କ୍ରମଶଃ....


Rate this content
Log in

Similar oriya story from Classics