କଥା କାଦମ୍ବରୀଭାଗ ୩୮
କଥା କାଦମ୍ବରୀଭାଗ ୩୮
ଆଜି ପୌଷ ଶୁକ୍ଲ ଏକାଦଶୀ; ପାଞ୍ଚାଳ ରାଜକନ୍ୟା ଯାଜ୍ଞସେନୀଙ୍କର ସ୍ବୟଂମ୍ବର ତିଥି।ସବୁ ଚିନ୍ତା ଚିନ୍ତାମଣିଙ୍କ ଉପରେ ଛାଡ଼ିଦେଇ ସ୍ଵୟମ୍ବର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଦ୍ରୌପଦୀ।
ପୁରୋହିତଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଭାତ ହେବା ପୂର୍ବରୁ ସଖୀ ମାନଙ୍କ ସହିତ ପବିତ୍ର ଗଙ୍ଗା ଘାଟରେ ପହଞ୍ଚି ଶୀତଳ ଗଙ୍ଗାଜଳରେ ତନୁ ପବିତ୍ରକରି ଉଆସକୁ ଫେରିବା ସମୟରେ ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ ପରି ମନୋରମା ଦେଖା ଯାଉଥିଲା ରାଜଜେମାଙ୍କ ତନୁ ବଲ୍ଲରୀ। ପ୍ରାସାଦରେ ପହଞ୍ଚି ପୁନର୍ବାର ହରିଦ୍ରା,ଚନ୍ଦନ ଓ ପୁଷ୍ପ ମିଶ୍ରିତ ଜଳରେ ସ୍ନାନ କରିବାପରେ ସଖୀମାନେ ଜେମାଙ୍କ ଶୃଙ୍ଗାର ଆରମ୍ଭକଲେ।ହରିଦ୍ରା ସହିତ କସ୍ତୁରୀ ଫେଣ୍ଟି ପ୍ରଥମେ ତନୁଲତାରେ ବୋଳିଦେଲେ ଏବଂ ତାପରେ ଲଲାଟରେ ସଜାଇ ଦେଲେ ଚନ୍ଦନର ପରିପାଟୀ।
କଟୀରେ ପିନ୍ଧାଇ ଦେଲେ ସୁବର୍ଣ୍ଣ ମେଖଳା,ପାଦରେ ସୁବର୍ଣ୍ଣ ପାଉଁଜି,କାନରେ ସୁନା ଫୁଲ ଏବଂ ଗଳାରେ ଲମ୍ବାଇ ଦେଲେ ସୁନାର ହାର।ଦୁଇ ହାତରେ ବାନ୍ଧି ଦେଲେ ସୁବର୍ଣ୍ଣ ବାଜୁବନ୍ଧ,ମଥାରେ ମଥାମଣି ଏବଂ ଆନିତମ୍ବ କୃଷ୍ଣ ବେଣୀରେ ମୋତି ମାଳ ସଜାଇ ଦେଲେ ସଖୀ ମାନେ। ମଲ୍ଲୀ ଓ ଚମ୍ପାଫୁଲର ଗଜରା ମାଳ ଦୁଇଟି କବରୀରେ ବାନ୍ଧି ଦେବାପରେ ପଦ୍ମଗନ୍ଧା ଯାଜ୍ଞସେନୀଙ୍କ ଅଙ୍ଗରୁ ନିସ୍ରୁତ ହେଲା ଭିନ୍ନ ଭିନ୍ନ ପୁଷ୍ପର ସୁବାସିତ ସୁଗନ୍ଧ।
ମଙ୍ଗଳ ସଙ୍ଗୀତ ଗାନରେ ଉଛୁଳି ପଡ଼ିଲା ରାଜ ଅବରୋଧ।ଅପୂର୍ବ ଶିହରଣରେ ଉଲ୍ଲସିତ ହୋଇଉଠିଲା ରାଜକନ୍ୟାଙ୍କ ମନ। ସଖୀ ମାନଙ୍କ ଚାଟୁ ବଚନରେ,ଆନତ ବଦନ ହୋଇ ମନ୍ଦ ମନ୍ଦ ହସୁଥିଲେ ଦ୍ରୌପଦୀ।ସୁବର୍ଣ୍ଣ ଜରି ଖଚିତ ରଙ୍ଗ ପାଟଶାଢ଼ୀ ଗୋଟିଏ ଆଣି,ଜେମାଙ୍କୁ ପିନ୍ଧାଇ ଦେଲେ ଜଣେ ସଖୀ।ଦିବ୍ୟ ମଣିମାଣିକ୍ୟ ଖଚିତ କ୍ଷୁଦ୍ର ମୁକୁଟଟିଏ ମଥାରେ ଥାପି ଦେଲେ ଆଉଜଣେ ସଙ୍ଗିନୀ। ଅପୂର୍ବ ଲାବଣ୍ୟଭରା ତନୁରେ ଦ୍ରୌପଦୀ ସ୍ବର୍ଗ ଅପ୍ସରା ଠାରୁ କିଛି କମ୍ ଦେଖାଗଲେ ନାହିଁ।
ରାଜପୁରୋହିତଙ୍କ ସହିତ ସଖୀ ଗହଣରେ ଦ୍ରୁପଦକନ୍ୟା ଯଜ୍ଞଶାଳାରେ ପହଞ୍ଚିଲେ। ଯଜ୍ଞଶାଳା ମଝିରେ ଜଳୁଥିବା ଅଗ୍ନି କୁଣ୍ଡରେ ବ୍ରାହ୍ମଣ ମାନେ ବସି ଯଜ୍ଞାଗ୍ନି ଉପରେ ଘୃତ ଢାଳୁଥିଲେ। ଯେଉଁ ଦିନ କୃଷ୍ଣା ଯଜ୍ଞ କୁଣ୍ଡରୁ ଜନ୍ମହେଲେ, ସେହି ଦିନଠାରୁ ଅହର୍ନିଶ ଯଜ୍ଞକୁଣ୍ଡରେ ଅଗ୍ନି ପ୍ରଜ୍ବଳିତ ହୋଇ ରହିଛି ଏବଂ ସର୍ବଦା ବ୍ରାହ୍ମଣ ମାନେ ସେଥିରେ ଗବ୍ୟଘୃତ ହବନକରି ପ୍ରଜ୍ବଳିତ କରି ରଖିଛନ୍ତି। ପାଞ୍ଚାଳର କୁଳଦେବତା ଏହି ହୁତାଶନ। ସେଥିପାଇଁ ସଦାସର୍ବଦା ତାଙ୍କୁ ଯାଜ୍ଞସେନ ପୂଜା କରୁଥିଲେ। ଯଜ୍ଞକୁଣ୍ଡରୁ ଉତ୍ପନ୍ନ ବାୟୁ ଧନ ଜନ ଯଶ ଏବଂ ଆୟୁ ବର୍ଦ୍ଧକ;ସେ ହୁତାଶନଙ୍କୁ ଆଭୂମ ପ୍ରଣାମ କଲେ ଯାଜ୍ଞସେନୀ। ତା'ପରେ ଗୁରୁ ସନ୍ଦିପନି, ଶ୍ବେତକେତୁ ଏବଂ କୁଳଗୁରୁ ଗର୍ଗାଚାର୍ଯ୍ୟଙ୍କ ମେଳରେ ସ୍ବୟଂବର ବେଦୀରେ ପହଞ୍ଚିଲେ ରାଜକନ୍ୟା।ପାଖେ ପାଖେ ଭାଇ ଧୃଷ୍ଟଦ୍ୟୁମ୍ନ ରହିଥାନ୍ତି।ସଭା ଭିତରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିଥାନ୍ତି ଦ୍ରୌପଦୀଙ୍କ ଅନ୍ୟ ଦୁଇ ଭାଇ ସତ୍ୟଜିତ ଏବଂ ଶିଖଣ୍ଡି।
ବେଦୀକାର ଚତୁର୍ପାଶ୍ବରେ ଚକ୍ରାକାରରେ ସିଂହାସନ ମାନ ପଡିଥାଏ ଏବଂ ତା'ଉପରେ ବିରାଜିତ ହୋଇଥାନ୍ତି ନିମନ୍ତ୍ରିତ ରାଜନ୍ୟ ବର୍ଗ। ସ୍ବତନ୍ତ୍ର ଆସନରେ ବସିଥାନ୍ତି ରାଜା ଦ୍ରୁପଦ।ତାଙ୍କ ଦକ୍ଷିଣରେ ବସିଥାନ୍ତି ପୂଜ୍ୟ ଋଷିବୃନ୍ଦ।ରାଜଅବରୋଧର ଅନ୍ତେବାସୀ ମାନେ ବସିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥାଏ। ବ୍ରାହ୍ମଣ ଗୋସାଇଁ ମାନେ ବସିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିରୀକୃତ ହୋଇ ଥାଏ। ସେମାନଙ୍କ ମେଳରେ ଛଦ୍ମ ଦ୍ବିଜ ବେଶରେ ବସିଥାନ୍ତି ପାଞ୍ଚ ପାଣ୍ଡବ ଭ୍ରାତା ଗଣ।ମୁନିଶ୍ରେଷ୍ଠ ବ୍ୟାସଦେବଙ୍କ ମାଧ୍ୟମରେ ଶ୍ରୀକୃଷ୍ଣ ସେମାନଙ୍କ ପାଖକୁ ନିର୍ଦ୍ଦେଶ ପଠାଇଥିଲେ ସ୍ଵୟମ୍ବର ସଭାରେ ଯୋଗ ଦେବାପାଇଁ।ବ୍ୟାସଦେବ କହିଥିଲେ... ପୁତ୍ର ଗଣ ! ବାସୁଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁମର ଆତ୍ମ ପ୍ରକାଶ କରିବା ସମୟ ଆସିଯାଇଛି। ସ୍ବୟଂବର ସଭାକୁ ଦ୍ୱିଜ ବେଶରେ ଯାଇ ତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କର।
ବେଦୀକାର ପୂର୍ବ ଭାଗରେ,କୁଶ ଆସନ ଉପରେ ରଖାଯାଇଥିଲା ଏକ ଅପୂର୍ବ ଧନୁ।ତା'ନିକଟରେ ରଖାଯାଇଥିଲା ପାଞ୍ଚଟି ତୀର। ସୂର୍ଯ୍ୟ କିରଣ ପଡି ଝଲସି ଉଠୁଥିଲେ ତୀରଗୁଡିକ।ସେହି ଧନୁରେ ପୁଷ୍ପ ଚନ୍ଦନ ଓ ସିନ୍ଦୂର ଦେଇ ଗର୍ଗାଚାର୍ଯ୍ୟ ପୂଜା କଲେ।ଧନୁକୁ ପୂଜା କରି ସଭକ୍ତି ପ୍ରଣିପାତ କରିବା ପରେ ଗୁରୁଙ୍କ ପାଦ ପୂଜାକଲେ ଏବଂ ତତ୍ପରେ ପିତାଙ୍କ ପାଦ ଛୁଇଁଲେ ଯାଜ୍ଞସେନୀ ଏବଂ ଧୃଷ୍ଟଦ୍ୟୁମ୍ନଙ୍କ ସହିତ ବେଦୀକା ଉପରକୁ ଆସି ଲଜ୍ଜାବନତ ମୁଖରେ ସଭାରେ ବସିଥିବା ରାଜା/ରାଜପୁତ୍ରଙ୍କ ଉପରେ ଦୃଷ୍ଟିପାତ କଲେ। ରାଜପୁରୋହିତ ଯଜ ଆସି ଜେମାଙ୍କ ମଥାରେ କୁଙ୍କୁମ ଲଗାଇ ଗଳାରେ ଫୁଲମାଳ ଲମ୍ବାଇ ଦେଲେ।ପରିଣୟ ଯୋଗ୍ୟା ହୋଇ ଯାଜ୍ଞସେନୀ ଉଭା ହେଲେ ବରମାଲ୍ୟ ହାତରେ ଧରି।
ରାଜପୁତ୍ର ଧୃଷ୍ଟଦ଼୍ୟୁ୍ମ୍ନ ସଭାକୁ ସମ୍ବୋଧନ କରି ଲକ୍ଷ୍ୟଭେଦର ନିୟମ ବୁଝାଇଦେବା ପରେ ଉପସ୍ଥିତ ବୀର ମାନେ ପ୍ରସ୍ତୁତ ହେଲେ ଲକ୍ଷ୍ୟଭେଦ ପାଇଁ।ସଭାମଧ୍ୟରେ ବସିଥିଲେ ଦୁର୍ଯ୍ୟୋଧନ, ଦୁଃଶାସନ,ଶଲ୍ୟ,ଜୟଦ୍ରଥ, ଶିଶୁପାଳ, ଶକୁନି,ବିନ୍ଦ,ଅନୁବିନ୍ଦ,ଜରାସନ୍ଧ, ତାଙ୍କ ପୁତ୍ର ସହଦେବ, ପୌତ୍ର ମେଘ ସନ୍ଧି ସମେତ ଅନ୍ୟ ଅନେକ ବୀର।
ବ୍ରାହ୍ମଣ ମାନଙ୍କ ଆଡ଼କୁ ଅଗ୍ରଜ ବଳରାମଙ୍କର ଦୃଷ୍ଟି ଆକର୍ଷଣ କରି ଶ୍ରୀକୃଷ୍ଣ କହିଲେ .. ଭ୍ରାତାଶ୍ରୀ ! ପାଣ୍ଡବ ପାଞ୍ଚଭାଇ ବଞ୍ଚିଛନ୍ତି,ଏଇ ଦେଖନ୍ତୁ ବ୍ରାହ୍ମଣ ମାନଙ୍କ ମଧ୍ୟରେ ବସିଛନ୍ତି,ବକ୍ଷରେ ଉପବିତ,କାନ୍ଧରେ ଗାମୁଛା,କପାଳରେ ଚିତା ଚନ୍ଦନ;ଆପଣଙ୍କ ପ୍ରିୟ ଶିଷ୍ୟ ଭୀମସେନଙ୍କୁ ଦେଖିପାରୁଛନ୍ତି ଭାଇ ? ପର୍ବତକାୟ ବ୍ରାହ୍ମଣଟିଏ ଭଳି ଦେଖାଯାଉଛନ୍ତି ବୃକୋଦର।"
ବଳରାମଙ୍କ ଆଖି ବିସ୍ଫାରିତ ହୋଇ ରହିଗଲା। ଆଶ୍ଚର୍ଯ୍ୟ ହୋଇ କହିଲେ ... ଠିକ୍ ତ କାହ୍ନା, ସମସ୍ତେ ଜାଣନ୍ତି ପାଣ୍ଡବମାନେ ମୃତ,ତେବେ ଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା କିପରି ?"ଏହା ଶୁଣି ଶ୍ରୀକୃଷ୍ଣ ମୁରୁକି ହସା ଦେଇ ରହିଗଲେ। ବଳରାମ କହିଲେ ..ଏହା ପଛରେ ତୋର ହାତ ନିଶ୍ଚୟ ଅଛି କାହ୍ନା।କିନ୍ତୁ ତୁ ମତେ ସବୁକଥା କାହିଁକି ଲୁଚାଇଛୁ ?ତୋ ସହିତ ମୋର ଆଜିଠାରୁ କଥାବାର୍ତ୍ତା ବନ୍ଦ।"
ବଳରାମଙ୍କ ହାତପାଦ ଧରି କାକୁତି ମିନତି ହେଲେ ଶ୍ରୀକୃଷ୍ଣ।କୋପ ଶାନ୍ତ ହେଲା ହଳଧରଙ୍କର। ମୃଦୁ କର୍ଣ୍ଣ ମୋଚନ ଓ ଚପେଟାଘାତ କରି ପ୍ରିୟ କାହ୍ନୁଙ୍କୁ ଆଲିଙ୍ଗନ କଲେ ହଳଧର।
ଲକ୍ଷ୍ୟଭେଦ ପାଇଁ ଆହ୍ବାନ ଶୁଣିବା ପରେ ନିଶମୋଡି ଶିଶୁପାଳ ମଣ୍ଡପରେ ଉପସ୍ଥିତ ହେଲେ। କିନ୍ତୁ କୃଷ୍ଣଙ୍କ ଉପରେ ଦୃଷ୍ଟି ପଡ଼ିବାରୁ ତାଙ୍କର ମଥା ଘୁରିଗଲା।ମନେ ପଡ଼ିଲା ଋକ୍ମିଣୀଙ୍କ ସ୍ବୟଂବର ସମୟର କଥା।ବରବେଶରେ ସେ ବିବାହ ବେଦୀରୁ ଫେରି ଯାଇଥିଲେ ଏହି କୃଷ୍ଣଙ୍କ ପାଇଁ।ବୈଦର୍ଭୀ ଋକ୍ମିଣୀଙ୍କୁ ହରଣ କରି ନେଇଥିଲେ କୃଷ୍ଣ। ପିଉସୀ-ପୁଅ ଭାଇ ହେଲେ ମଧ୍ୟ, ସେହି ଦିନଠାରୁ ସେ ତାଙ୍କର ଚିରଶତ୍ରୁ ପାଲଟି ଯାଇଛନ୍ତି।
କ୍ରୋଧ ସମ୍ବରଣ କରି,ଧନୁପାଖରେ ପହଞ୍ଚି,ଧନୁକୁ ନମସ୍କାର କରି ଉଠାଇବାକୁ ଚେଷ୍ଟାକଲେ ଶିଶୁପାଳ।ଧନୁର ଓଜନ ପର୍ବତ ସମାନ।ଗୁଣ ଚଢାଇବାକୁ ଦେହରେ ଶକ୍ତି ପାଇଲେ ନାହିଁ। ମୁହଁ ମାଡି ମଣ୍ଡପ ଉପରେ ହିଁ ପଡିଗଲେ।ଚତୁର୍ଦିଗରୁ ହାସ୍ୟରୋଳ ଶୁଣାଗଲା। ଲଜ୍ଜା ପାଇ ନିଜ ଆସନକୁ ଫେରି ଆସିଲେ ଶିଶୁପାଳ।
ତା'ପରେ ଗର୍ଜନ ତର୍ଜନ କରି ମଣ୍ଡପକୁ ଉଠିଲେ ଜରାସନ୍ଧ।ଧନୁକୁ ପ୍ରଣାମ କରି ପରଖିଲେ ଏବଂ ଘୂର୍ଣ୍ଣୟମାନ ରାଧାଚକ୍ର ଉପରେ ସ୍ଥାପିତ ସୁବର୍ଣ୍ଣ ମତ୍ସ୍ୟ ଏବଂ ଜଳରେ ତା'ର ପ୍ରତିବିମ୍ବ ଉପରେ ଦୃଷ୍ଟି ନିକ୍ଷେପ କଲେ। ଅଟ୍ଟହାସ କରି କହିଲେ ... "ବାଃ , ସୁନ୍ଦର ଆୟୋଜନ !"
ବିଗତ ରାତିରେ ଶ୍ରୀକୃଷ୍ଣ କହିଥିବା କଥା ମନେପକାଇଲେ। ଲକ୍ଷ୍ୟଭେଦ ତାଙ୍କ ପକ୍ଷରେ ସମ୍ଭବ ହେଲାପରି ହୃଦ୍'ବୋଧ ହେଲାନାହିଁ।ତେଣୁ ଗୋଟିଏ ନାଟକ ଆରମ୍ଭ କରି କହିଲେ.. ଉପସ୍ଥିତ ରାଜନ୍ୟ ମଣ୍ଡଳୀ।ମୋ ପାଇଁ ଏହା ଅତି ସାମାନ୍ୟ ସ୍ପର୍ଦ୍ଧା; ମୋ ଭଳି ଜଣେ ବୟସ୍କ ରାଜା ଏହି ସ୍ବୟଂବରରେ ଭାଗନେବା କଣ ଶୋଭା ପାଏ ?ଯୁବକ ମାନଙ୍କୁ ସୁଯୋଗ ଦେବା ଉଚିତ। ସହଜେ ଦ୍ରୌପଦୀ ମୋ କନ୍ୟା ବୟସର। ତେଣୁ ବିବାହ ପାଇଁ ଇଚ୍ଛା ନକରି ମୁଁ ତାଙ୍କୁ ଆଶୀର୍ବାଦ ଦେବାକୁ ଚାହେଁ।ଯାଜ୍ଞସେନୀଙ୍କୁ ମୁଁ ପୌତ୍ର-ବଧୂ ଭାବରେ ଗ୍ରହଣ କରିଥାନ୍ତି, କିନ୍ତୁ ମୋ ପୌତ୍ର ମେଘସନ୍ଧି ଧନୁର୍ବିଦ୍ୟାରେ ଅନଭିଜ୍ଞ।ରାଜକନ୍ୟାଙ୍କୁ ଆଶୀର୍ବାଦ ଦେଇ ମୁଁ ଆଜି ଗିରିବ୍ରଜ ଫେରିଯାଉଛି। ଉପସ୍ଥିତ ସମସ୍ତ ରାଜନ୍ୟ ବର୍ଗଙ୍କୁ ସ୍ଵୟମ୍ବର ଅବସରରେ ମୋର ଶୁଭେଚ୍ଛା।"
"ସାଧୁ ଜରାସନ୍ଧ ସାଧୁ"ଧ୍ବନିରେ କମ୍ପି ଉଠିଲା ସଭାସ୍ଥଳ। ଜରାସନ୍ଧଙ୍କ ନାଟକ ଦେଖି ଶ୍ରୀକୃଷ୍ଣ ନ'ହସି ରହିପାରିବେ ନାହିଁ।ତାଙ୍କ ସହିତ ମଧ୍ୟ ହସିଦେଲେ ବଳରାମ।
ଏହା ଦେଖି ଜରାସନ୍ଧ ଦ୍ରୌପଦୀଙ୍କୁ ଆଶୀର୍ବାଦ ଦେଇ ସଦଳ ବଳେ ଶୀଘ୍ରାତିଶୀଘ୍ର କାମ୍ପିଲ୍ୟ ଛାଡ଼ିଲେ।ଜରାସନ୍ଧଙ୍କ ପ୍ରସ୍ଥାନ ପରେ ଶାନ୍ତିରେ ନିଶ୍ୱାସ ମାରିଲେ ଦ୍ରୁପଦ।ଗତ ରାତିରେ ଜରାସନ୍ଧ, କନ୍ୟା ହରଣ ପାଇଁ ଯେଉଁ ଯୋଜନା କରିଥିଲେ ଏବଂ ଶ୍ରୀକୃଷ୍ଣ ଜରାସନ୍ଧକୁ ଯେଉଁ ଚେତାବନୀ ଦେଇଥିଲେ ସେ'କଥା ଦ୍ରୁପଦ ଶୁଣିଥିଲେ।ଏବେ ଜରାସନ୍ଧଙ୍କର ପ୍ରସ୍ଥାନ ଦେଖି ଭକ୍ତିରେ କୃଷ୍ଣଙ୍କ ପ୍ରତି ତାଙ୍କର ମଥା ନଇଁ ଗଲା; ଭାବିଲେ...କେତେ ସହଜରେ ମତ୍ତଗଜର ଦର୍ପ ଦଳିଦେଲେ ସତେ କେଶବ!!"
ଦୁର୍ଯ୍ୟୋଧନ ସମେତ ଅନ୍ୟ ଯେତେ ରାଜା ଉପସ୍ଥିତଥିଲେ, କେହି ଧନୁରେ ପ୍ରତ୍ୟଞ୍ଚା ମଧ୍ୟ ଚଢାଇ ପାରିଲେ ନାହିଁ। ଦୁର୍ଯ୍ୟୋଧନଙ୍କ ଅସଫଳତା ଦେଖି ବ୍ରାହ୍ମଣ ମେଳରେ ବସିଥିବା ଭୀମସେନ ଅଟ୍ଟହାସ କରି ବିଦ୍ରୂପ କଲେ।ଦ୍ବିଜରୂପୀ ଭୀମଙ୍କୁ ଦେଖି ମସ୍ତିଷ୍କର ଭାରସାମ୍ୟ ହରାଇ ଦୁର୍ଯ୍ୟୋଧନ ଶକୁନିଙ୍କ ପାଖରେ ପହଞ୍ଚି କାନରେ କହିଲେ...ବଡ଼ ଦୁଃସମ୍ବାଦ ମାମୁଁ ! ପାଣ୍ଡବମାନେ ବଞ୍ଚିଛନ୍ତି।"ବ୍ରାହ୍ମଣଙ୍କ ମେଳରେ ଛଦ୍ମବେଶୀ ପାଣ୍ଡବଙ୍କୁ ଦେଖି ଶକୁନି ମଧ୍ୟ ପାଟି ଆଁ କରି ରହିଗଲେ।
ଶେଷରେ ମଣ୍ଡପକୁ ଉଠିଲେ ଅଙ୍ଗରାଜ କର୍ଣ୍ଣ।ଅବଲୀଳା କ୍ରମେ ଧନୁରେ ଗୁଣ ଚଢାଇ ସେ ଲକ୍ଷ୍ୟଭେଦ କରିବାକୁ ପ୍ରସ୍ତୁତ ହେଉଥିଲେ; ଏହି ସମୟରେ ଦ୍ରୌପଦୀ ଧୃଷ୍ଟଦ୍ୟୂମ୍ନଙ୍କ କାନରେ କିଛି କହିଲେ।ସଙ୍ଗେ ସଙ୍ଗେ ଧୃଷ୍ଟଦ୍ୟୁମ୍ନ କର୍ଣ୍ଣଙ୍କୁ କହିଲେ.. ଆପଣଙ୍କ ପାଇଁ ଏ ପ୍ରତିଯୋଗିତା ଉଦ୍ଦିଷ୍ଟ ନୁହେଁ ଅଙ୍ଗରାଜ;ଆପଣ ସୂତପୁତ୍ର ହୋଇଥିବାରୁ ରାଜକନ୍ୟା ଆପଣଙ୍କ ପାଣିଗ୍ରହଣ କରିବେ ନାହିଁ,କାରଣ ଏପରି "ପ୍ରତିଲୋମ" ବିବାହ ଶାସ୍ତ୍ର ସମ୍ମତ ନୁହେଁ।"
ମୁଖ ଅବନତି କରି କର୍ଣ୍ଣ ଧନୁ ରଖିଦେଇ ନିଜ ଆସନକୁ ଫେରି ଆସିଲେ।ସମସ୍ତ କ୍ଷତ୍ରିୟ ବୀର ମାନଙ୍କର ଅସଫଳତାରେ ଦୁଃଖିତ ହୋଇ ରାଜା ଦ୍ରୁପଦ କହିଲେ.. ଅର୍ଜୁନ ପରେ ପୃଥିବୀ କଣ ବୀର ଶୂନ୍ୟ ହୋଇ ଗଲା? ଉପସ୍ଥିତ ରାଜା ଓ ରାଜପୁତ୍ରଙ୍କ ମଧ୍ୟରେ କେହି ଏପରି ବୀର ନାହିଁ ମୋ କନ୍ୟାର ଯୋଗ୍ୟ ପାତ୍ର ହେବାପାଇଁ।?"
ଶ୍ରୀକୃଷ୍ଣଙ୍କ ଚକ୍ଷୁ ସହିତ ଅର୍ଜୁନଙ୍କ ଚକ୍ଷୁ ମିଳିତ ହୋଇଗଲା; ବାସୁଦେବଙ୍କ ଆଖିର ଭାଷା ପଢିପାରିଲେ ଫାଲ୍ଗୁନି।ନିଜ ସ୍ଥାନରେ ଉଭା ହୋଇ କହିଲେ... ପୃଥିବୀ ବୀର ଶୂନ୍ୟ ହୋଇ ନାହିଁ ମହାରାଜ ; ଅନୁମତି ହେଲେ ଏ ବ୍ରାହ୍ମଣ ଲକ୍ଷ୍ୟଭେଦ କରିପାରିବ।"
ସମସ୍ତଙ୍କର ଦୃଷ୍ଟି ଅର୍ଜୁନଙ୍କ ଉପରେ ନିବଦ୍ଧ ହେଲା। ସୁଦର୍ଶନ ବ୍ରାହ୍ମଣ ଯୁବକଙ୍କର ଏଭଳି ଆତ୍ମବିଶ୍ବାସ ଦେଖି ଦ୍ରୁପଦ କହିଲେ..ହେ ବ୍ରାହ୍ମଣ ଯୁବକ ! ତୁମେ ଲକ୍ଷ୍ୟ ଭେଦ ସ୍ପର୍ଦ୍ଧାରେ ଯୋଗ ଦେବାପାଇଁ ଯୋଗ୍ୟ।ତୁମେ ସଫଳ ହେଲେ ତୁମ ସହିତ ମୋ କନ୍ୟାର ବିବାହ ଅନୁଲୋମ ବିବାହ ହେବ ଏବଂ ତାହା ଶାସ୍ତ୍ର ସମ୍ମତ।"
ଦ୍ରୁପଦଙ୍କ ସମ୍ମତି ପାଇବା ପରେ ଯୁଧିଷ୍ଠିରଙ୍କ ଅନୁମତି ନେଇ ଅର୍ଜୁନ ସ୍ବୟଂବର ମଣ୍ଡପରେ ଉପସ୍ଥିତ ହେଲେ।ଧନୁକୁ ପୂଜା କରି , ଅବଲୀଳାକ୍ରମେ ତାକୁ ଉତ୍ତୋଳନ କରି ଫାଲ୍ଗୁନି ଯେତେବେଳେ ପ୍ରତ୍ୟଞ୍ଚା ଚଢାଇ ଟଙ୍କାର ଦେଲେ,ସେ ଶବ୍ଦରେ ତ୍ରିଭୁବନ କମ୍ପି ଉଠିଲା। ଦୁର୍ଯ୍ୟୋଧନ ଶକୁନିଙ୍କ କାନରେ କହିଲେ...ଦେଖ ମାମୁଁ,ଏ ହେଉଛି ଅର୍ଜୁନ। ପାଣ୍ଡବମାନେ ବଞ୍ଚିଛନ୍ତି।"
ସ୍ବୟଂବର ମଣ୍ଡପରେ ଥିବା ଜଳକୁଣ୍ଡକୁ ଚାହିଁ,ଉପରେ ଘୂର୍ଣ୍ଣୟମାନ ରାଧାଚକ୍ରର ରନ୍ଧ୍ରଭିତର ଦେଇ ମତ୍ସ୍ୟର ବାମ ଚକ୍ଷୁ ଉପରେ ଲକ୍ଷ୍ୟରଖି, ତୀର ଛାଡ଼ିଲେ ଅର୍ଜୁନ।ବାଣ ଲକ୍ଷ୍ୟ ସ୍ଥଳରେ ବାଜି ସୁବର୍ଣ୍ଣ ମତ୍ସ୍ୟର ବାମଚକ୍ଷୁ ବିଦ୍ଧ ହୋଇ ଗଲା। ପ୍ରଶଂସାରେ ଶତମୁଖ ହୋଇଗଲେ ଦ୍ରୁପଦ। ଆନନ୍ଦରେ ଆତ୍ମହରା ଯାଜ୍ଞସେନୀ,ସଖୀ ମେଳରେ ଆସି ଅର୍ଜୁନଙ୍କ ଗଳାରେ ଲମ୍ବାଇ ଦେଲେ ବରଣ ମାଳା।
