STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୩୭

କଥା କାଦମ୍ବରୀଭାଗ ୩୭

5 mins
212


ଯାଜ୍ଞସେନୀଙ୍କ ସ୍ବୟଂବର ପୂର୍ବଦିନ ପାଞ୍ଚାଳର ରାଜଧାନୀ କାମ୍ପିଲ୍ୟ ଆନନ୍ଦ ତରଙ୍ଗରେ ଭାସୁଥିଲା। ନଗରୀ ସୁନ୍ଦରୀର ପ୍ରତି ଗୃହର ଦ୍ବାରଦେଶ ଆମ୍ବ ପତ୍ରର ତୋରଣ ସହିତ ନାନା ରଙ୍ଗର ଫୁଲମାଳରେ ଶୋଭା ପାଉଥିଲା।ରାଜପଥ ମଧ୍ୟ ଦିବ୍ୟ ତୋରଣରେ ସଜ୍ଜିତ ହୋଇଥିଲା। ପ୍ରତ୍ୟେକ ଘର ବିଭିନ୍ନ ରଙ୍ଗର ଝୋଟି ଓ ଚିତାରେ ରଙ୍ଗିନ ହୋଇ ରହିଥିଲା।ପରଦିନ ରାଜଜେମା ଦ୍ରୌପଦୀଙ୍କର ସ୍ଵୟମ୍ବର ଅନୁଷ୍ଠିତ ହେବ। ପ୍ରତ୍ୟେକ ନଗ୍ରବାସୀ ମନରେ ଅଫୁରନ୍ତ ଆନନ୍ଦ; ଭାବୁଥିଲେ ସତେ ଅବା କାଲି ହେବାକୁ ଯାଉଛି ସେମାନଙ୍କ ନିଜ କନ୍ୟାର ବାହାଘର।  


ଆକାଶରେ ଦଶମୀ ଜହ୍ନ ହସିଉଠିବା ସଙ୍ଗେ ସଙ୍ଗେ ଗଙ୍ଗା ସିକତା ଜ୍ୟୋତ୍ସ୍ନା ବିଧୌତହୋଇଗଲା ଏବଂ ସେଠାରେ ଛାଉଣୀରେ ଉପସ୍ଥିତ ପ୍ରତି ରାଜା ଓ ରାଜପୁତ୍ରମାନେ ଆକାଶର ଜହ୍ନକୁ ଚାହିଁ ଭାବୁଥିଲେ.. ଆଃ ! କାଲି ସ୍ବୟବରରେ ହେଲେ ପାଞ୍ଚାଳର ନିଷ୍କଳଙ୍କ ଚନ୍ଦ୍ରମା ହାତରେ ଧରାଦିଅନ୍ତା !"


ସିକତାରେ ନିଜ ଶିବିରରେ ବସି ଦୁର୍ଯ୍ୟୋଧନ ଭାବୁଥିଲେ..କାଲି ନିଶ୍ଚିତ ଭାବରେ ଯାଜ୍ଞସେନୀ ମୋର ହୃଦୟ ସିଂହାସନ ଅଧିକାର କରିବେ।ରାଜା ଦ୍ରୁପଦ ଯେଉଁ ଲକ୍ଷ୍ୟଭେଦ ସ୍ପର୍ଦ୍ଧର ଆୟୋଜନ କରିଛନ୍ତି ତାହା କଠିନ ହେଲେ ମଧ୍ୟ ମୁଁ ସେଥିରେ ବିଜୟୀ ହେବି। ମୁଁ ଯେବେ ଲକ୍ଷ୍ୟଭେଦ କରିବାରେ ଅସମର୍ଥ ହେବି,ମୋ ସହୟତା ପାଇଁ ମୋର ପରମ ମିତ୍ର ଅଙ୍ଗରାଜ କର୍ଣ୍ଣ ରହିଛନ୍ତି;ତାଙ୍କ ସମାନ ବୀର ଅଦ୍ୱିତୀୟ।ତାଙ୍କ ସମକକ୍ଷ କେବଳ ପାଣ୍ଡବ ଅର୍ଜୁନ ଥିଲା, କିନ୍ତୁ ସେ ଜତୁଗୃହରେ ଦଗ୍ଧ ହୋଇ ପ୍ରାଣ ହରାଇଛି। କର୍ଣ୍ଣ ଲକ୍ଷ୍ୟଭେଦ କରି କନ୍ୟା ଲାଭ କଲେ, ନିଶ୍ଚିତ ଭାବରେ ମୋତେ ଦାନ କରିବେ। ତେଣୁ ସ୍ପର୍ଦ୍ଧାରେ ମୋର ନିଜର ଜୟ ହେଉ ବା ପରାଜୟ, ଯାଜ୍ଞସେନୀ ନିଶ୍ଚୟ ମୋର ଅଙ୍କଵିଳସିନୀ ହେବେ।" 


ଏପରି ଶୃଗାଳ ବିଚାର କରି କର୍ଣ୍ଣଙ୍କ ଶିବିରରେ ପହଞ୍ଚି ନିଜ ଅନ୍ତର କଥା ବ୍ୟକ୍ତ କରି ଦୁର୍ଯ୍ୟୋଧନ ପ୍ରଶ୍ନ କଲେ..ହେ ପ୍ରିୟ ସଖା ଅଙ୍ଗରାଜ ! କାଲି ଯେବେ ଲକ୍ଷ୍ୟଭେଦ ତୁମ ହାତରେ ହୁଏ, ରାଜକନ୍ୟାଙ୍କୁ ମୋ କୋଳରେ ସମର୍ପଣ କରିବ ତ?" ।

ଅଳ୍ପ ହସି କର୍ଣ୍ଣ କହିଲେ..ମିତ୍ର ! ତୁମର ଅଭିଳାଷ ନିଶ୍ଚୟ ପୂର୍ଣ୍ଣ ହେବ।"

  

କୁରୁ ଶିବିରର ଅନତି ଦୂରରେ ନିଜ ଛାଉଣୀରେ ବସି କୃଷ୍ଣ-ବାସୁଦେବ ସାତ୍ୟକି-ଯୁଯୁଧାନଙ୍କ ସହିତ ଗଭୀର ମନ୍ତ୍ରଣାରେ ମଗ୍ନ ଥିଲେ।ସେ ସମ୍ବାଦ ପାଇ ସାରିଥିଲେ ଯେ ଜରାସନ୍ଧ,ପୁତ୍ର ସହଦେବ ଏବଂ ପୌତ୍ର ମେଘସନ୍ଧି ସହିତ ସଦଳବଳେ ଅଳ୍ପ ସମୟ ପୂର୍ବରୁ କାମ୍ପିଲ୍ୟରେ ପହଞ୍ଚି ଗଙ୍ଗା ସିକତାରେ ନିଜର ଛାଉଣୀ ପକାଇଛନ୍ତି।ସୂତ୍ର ଅନୁଯାୟୀ ଜରାସନ୍ଧ "ଲକ୍ଷ୍ୟଭେଦ"ସ୍ପର୍ଦ୍ଧା ଆୟୋଜନ କଥା ଶୁଣିବା ପରଠାରୁ ଖୁବ୍ ଅସନ୍ତୁଷ୍ଟ ।ଅସନ୍ତୋଷର କାରଣ ,ସେ ନିଜେ ଗଦାଯୁଦ୍ଧରେ ଧୂରନ୍ଧର, କିନ୍ତୁ ତୀରନ୍ଦାଜୀ ରେ ସେପରି ବ୍ୟୁତ୍ପତ୍ତି ତାଙ୍କର ନାହିଁ।ପୁତ୍ର ସହଦେବ ଏବଂ ପୌତ୍ର ମେଘସନ୍ଧିଙ୍କର ମଧ୍ୟ ସମଦଶା। ସମ୍ରାଟ ଜରାସନ୍ଧ ଭାବୁଛନ୍ତି,ଏହା ତାଙ୍କ ବିରୁଦ୍ଧରେ କୃଷ୍ଣଙ୍କ ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ। ତାଙ୍କ ହାତରେ ଅସଫଳତା ଧରାଇ ଦେଇ, ତାଙ୍କୁ ଅପମାନିତ କରିବା ପାଇଁ ଦ୍ରୁପଦଙ୍କ ଦ୍ଵାରା କୃଷ୍ଣ ଏଭଳି କଷ୍ଟସାଧ୍ୟ ଲକ୍ଷଭେଦର ମାନ ନିର୍ଣ୍ଣୟ କରିଛନ୍ତି ବୋଲି ତାଙ୍କର ବିଶ୍ବାସ। ସେଥିପାଇଁ ସେ କ୍ରୋଧରେ ,ଉତ୍ଫଣ ତମ୍ପସାପ ପରି ନିଜ ଶିବିର ଭିତରେ ଗର୍ଜନତର୍ଜନ କରୁଛନ୍ତି।


ଜରାସନ୍ଧଙ୍କର ପରବର୍ତ୍ତୀ ପଦକ୍ଷେପ ଜାଣିବା ପାଇଁ ଶ୍ରୀକୃଷ୍ଣ ଉଦ୍ଧଵଙ୍କୁ ଗୁପ୍ତଚର କାମରେ ଲଗାଇ ଦେଲେ। ଉଦ୍ଧବ, ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କ ଭାଇ "ଦେବଭାଗ"ଙ୍କର ପୁତ୍ର। ସମ୍ପର୍କରେ ଭାଇ ଏବଂ ଶ୍ରୀକୃଷ୍ଣଙ୍କର ସବୁଠାରୁ ସେ ବିଶ୍ବସ୍ତ ଥିଲେ।ତାଙ୍କ ଆଗମନକୁ ଅପେକ୍ଷା କରିଥିଲେ ଶ୍ରୀକୃଷ୍ଣ ଏବଂ ସାତ୍ୟକି।


କିଛି ସମୟ ପରେ ଉଦ୍ଧବ ପହଞ୍ଚି ଯେଉଁ ସମ୍ବାଦ ଦେଲେ ତାହା କୃଷ୍ଣଙ୍କୁ ଅତ୍ୟନ୍ତ ଚିନ୍ତିତ କରି ପକାଇଲା।ଉଦ୍ଧବ କହିଲେ... କେଶବ ! ସମ୍ରାଟ ଜରାସନ୍ଧ କନ୍ୟା ହରଣ ଯୋଜନାରେ ରହିଲେଣି ।ଆମ ଗୁପ୍ତଚର ଜରାସନ୍ଧ ଏବଂ ତାଙ୍କ ପୁତ୍ର ସହଦେବଙ୍କ କଥୋପକଥନ ଶୁଣିଛି।ଜରାସନ୍ଧ,ପୁତ୍ର ସହଦେବଙ୍କୁ କହୁଥିଲେ.. "ପୁତ୍ର ! ଏ କଠିନ ଲକ୍ଷ୍ୟଭେଦ ସର୍ତ୍ତ ଦେଖି ମନେହୁଏ, ସଫଳ ହୋଇ କନ୍ୟା ଲାଭ କରିବା ଆମପାଇଁ ଅସମ୍ଭବ କାର୍ଯ୍ୟ । ତେଣୁ କାଲି ପ୍ରଭାତ ପୂର୍ବରୁ, ଯେଉଁ ସମୟରେ ଯାଜ୍ଞସେନୀ ସଖୀଙ୍କ ସହିତ ଗଙ୍ଗାରେ ସ୍ନାନ କରି ଶିବ ପୂଜା କରିବାକୁ ଯିବେ,ଆମେ ତାଙ୍କୁ ହରଣ କରି ମଗଧ ନେଇଯିବା।ସେ ସମୟରେ ଏଠାରେ ଥିବା ଛାଉଣୀରେ ସମସ୍ତ ରାଜା ଓ ରାଜପୁତ୍ର ନିଦ୍ରିତ ଅବସ୍ଥାରେ ଥିବେ। ଘଟଣା ପ୍ରଘଟ ହେବା ସମୟକୁ ଆମେ ଅର୍ଦ୍ଧାଧିକ ପଥ ଅତିକ୍ରମ କରି ଯାଇଥିବା।"

ସମ୍ରାଟଙ୍କର ଏହି ଯୋଜନାରେ ସହମତ ଅଛନ୍ତି ପୁତ୍ର ସହଦେବ ଏବଂ ପୌତ୍ର ମେଘସନ୍ଧି।


ଉଦ୍ଧବଙ୍କ ଠାରୁ ଏହା ଶୁଣି ଚିନ୍ତିତ ହୋଇ କେଶବ ଭାବିଲେ .. . ଜରାସନ୍ଧ କନ୍ୟା ହରଣ ଯୋଜନାରେ ସଫଳ ହେଲେ, ତାଙ୍କ ପରିକଳ୍ପନା ସ୍ବପ୍ନରେ ରହିଯିବ,ଯାଜ୍ଞସେନୀଙ୍କୁ ବିବାହ କଲେ ପାଣ୍ଡୁ ପୁତ୍ର ମାନଙ୍କର ଦୁର୍ଭାଗ୍ୟର ଦିନ ଶେଷ ହେବ ବୋଲି ସେ ଯାହା କଳ୍ପନା କରିଛନ୍ତି, ତାହା କଳ୍ପନାରେ ହିଁ ରହିଯିବ। 

କିଛି ସମୟ ଚିନ୍ତା କରିବା ପରେ ଶ୍ରୀକୃଷ୍ଣ କହିଲେ..ଆର୍ଯ୍ୟ ସାତ୍ୟକି, ଆର୍ଯ୍ୟ ଉଦ୍ଧବ ! ମୁଁ ବର୍ତ୍ତମାନ ଜରାସନ୍ଧ ନିକଟକୁ ଯିବାକୁ ଚାହେଁ। ତୁମେମାନେ ମୋ ଫେରିବା ପାଇଁ ଏଠାରେ ଅପେକ୍ଷା କରି ଥାଅ।"


ଆଶ୍ଚର୍ଯ୍ୟ ହୋଇ ସାତ୍ୟକି କହିଲେ..ଏ କଣ କହୁଛନ୍ତି କେଶବ !!ଜରାସନ୍ଧ ନିକଟକୁ ଏତେ ରାତ୍ରରେ ଯିବା ବିଷଧର ସର୍ପ ବିଳରେ ହାତ ପୂରାଇବା ସହିତ ସମାନ। ଏକା ପାଇ ସେ ଆପଣଙ୍କ ଜୀବନ ନେବା ପାଇଁ ପ୍ରୟାସ କରିପାରନ୍ତି। ଆମେ ଆପଣଙ୍କୁ ଏକା ଛାଡ଼ି ଏଠାରେ କିପରି ନିଶ୍ଚିନ୍ତ ହୋଇ ରହିପାରିବୁ ? କିଛି ବିଭ୍ରାଟ ଯେବେ ହୁଏ ?"


ଶ୍ରୀକୃଷ୍ଣ କହିଲେ.. କିଛି ବିଭ୍ରାଟ ହେବନାହିଁ କାରଣ ଜରାସନ୍ଧ ଜାଣେ ମୋ ସହିତ ଏଠାରେ ବିଶାଳ ଯାଦବ ସେନା ରହିଛନ୍ତି। ତଥାପି ତୁମେ ଯେବେ ମୋ ସହିତ ଯିବାକୁ ଇଚ୍ଛା କରୁଛ,ତାହେଲେ ଚାଲ; କିନ୍ତୁ ମଗଧ ଶିବିର ବାହାରେ ତୁମେ ଦୁହେଁ ଅପେକ୍ଷା କରିବ,ଏକା ମୁଁ ଭିତରକୁ ବୃଦ୍ଧ ସମ୍ରାଟଙ୍କ ପାଖକୁ ଯିବି।"


ସାତ୍ୟକି କହିଲେ..ତୁମ ମାୟା ଭିତରେ ପ୍ରବେଶ କରିବା ଆମ ସାମର୍ଥ୍ୟର ବାହାରେ , କାହିଁକି ତୁମେ ଏକା ଜରାସନ୍ଧ ପାଖକୁ ଯିବାକୁ ଚାହୁଁଛ,ତୁମକୁ କେବଳ ଜଣା;ଆମେ ଏତିକି ମାତ୍ର ଜାଣୁ ଯେ ତୁମେ ସର୍ବଦା ଉଦ୍ଦେଶ୍ୟ ସାଧନରେ ସଫଳ ହୋଇଥାଅ।"


ସାତ୍ୟକି ଏବଂ ଉଦ୍ଧବଙ୍କ ସହିତ ନିଶାର୍ଦ୍ଧରେ ମଗଧ ସମ୍ରାଟଙ୍କ ଶିବିରରେ ପହଞ୍ଚିଲେ କୃଷ୍ଣ। ସାତ୍ୟକି ଏବଂ ଉଦ୍ଧବଙ୍କୁ ଶିବିର ଦ୍ବାର ଦେଶରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇ,ସମ୍ପୂର୍ଣ୍ଣ ନିରସ୍ତ୍ର ହୋଇ ଶିବିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କଲେ ଶ୍ରୀକୃଷ୍ଣ। ଦ୍ବାର ଦେଶରେ ଥିବା ରକ୍ଷୀ ବାଧାଦେଇ କହିଲା..ଏତେ ରାତିରେ କିଏ ତୁମେ ସମ୍ରାଟଙ୍କ ସହିତ ସାକ୍ଷାତ ପାଇଁ ଇଚ୍ଛା ପ୍ରକାଶ କରୁଛି,ଜୀବନକୁ ଭୟ ନାହିଁ ତୁମର?"

ଶ୍ରୀକୃଷ୍ଣ କହିଲେ...ରକ୍ଷୀ ! ମୋ ନାମ କୃଷ୍ଣ ବାସୁଦେବ। ସମ୍ରାଟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ନେଇ ମୁଁ ଆସିଛି।ଏହା ତାଙ୍କ ପାଇଁ ଜୀବନ ମରଣ ସମସ୍ୟା। ଅତି ଶୀଘ୍ର ସମ୍ରାଟଙ୍କୁ ଜଣାଅ।"


"କୃଷ୍ଣ ବାସୁଦେବ"ନାମ ଶୁଣି ରକ୍ଷୀ ଅଭିବାଦନ ଜଣାଇ କହିଲା..ଅପେକ୍ଷା କରନ୍ତୁ ପ୍ରଭୁ, ମୁଁ ଆପଣଙ୍କ ଆଗମନ ସମ୍ବାଦ ସମ୍ରାଟଙ୍କୁ ଜଣାଉଛି।"

ରକ୍ଷୀ ଭିତରକୁ ଯାଇ ଅର୍ଦ୍ଧଶୁପ୍ତ ସମ୍ରାଟଙ୍କୁ କୃଷ୍ଣଙ୍କ ଆଗମନ କଥା ଜଣାଇଲା।ଜରାସନ୍ଧ ଆଶ୍ଚର୍ଯ୍ୟ। ଭିତରକୁ କୃଷ୍ଣଙ୍କୁ ଡକାଇ ଜରାସନ୍ଧ ପଚାରିଲେ ..ନିରସ୍ତ୍ର ହୋଇ ମୋ ସମକ୍ଷକୁ ଆସିବା ସମୟରେ ମନରେ ତିଳେହେଁ ଭୟ ଆସିଲା ନାହିଁ ଗୋପାଳ କୃଷ୍ଣ? ଯେବେ ମୋ ହସ୍ତରେ ମୃତ୍ୟୁ ଲାଭ କରିବାପାଇଁ ଇଚ୍ଛା, ତାହେଲେ କେଉଁ ପ୍ରକାର ମୃତ୍ୟୁ ପାଇଁ ମନରେ ଅଭିଳାଷା ରହିଛି ବ୍ୟକ୍ତ କର;ଖଡ୍ଗ,ଭାଲ,ଭୁଷା,ଗଦା ଅଥବା ମଲ୍ଲଯୁଦ୍ଧ...କେଉଁ ଅସ୍ତ୍ରରେ ତୋର ମୃତ୍ୟୁ କାମନା ରହିଛି ବ୍ୟକ୍ତ କର ଦୁଷ୍ଟ।"


ଶ୍ରୀକୃଷ୍ଣଙ୍କ ମୁଖରେ ଅମୀୟ ହସ। କହିଲେ..ହେ ବୃଦ୍ଧ ସମ୍ରାଟ ! ମୋତେ ହତ୍ୟା କରିବାର ସତସାହସ ତୁମ୍ଭର ନାହିଁ।ମୋର କେଶାଗ୍ର ମଧ୍ୟ ସ୍ପର୍ଶ କଲେ ଏଠାରେ ଉପସ୍ଥିତ ମୋ ଯାଦବ ସେନା ତୁମ ଶିବିରକୁ ଧ୍ବଂସ ସ୍ତୁପରେ ପରିଣତ କରିଦେବେ।ତୁମକୁ ହତ୍ୟା କରି ତୁମର ଶବକୁ ଶ୍ବାନ,ଶୃଗାଳ ମାନଙ୍କ ଭକ୍ଷଣ ପାଇଁ ଫିଙ୍ଗିଦେବେ। ତୁମକୁ ଏକ ଉପଦେଶ ଦେବାପାଇଁ ଆସିଛି,ଗ୍ରହଣ କଲେ ତୁମର ମଙ୍ଗଳ,ନହେଲେ ତୁମ ସହିତ ଭେଟ ହେବେ ମହାକାଳ।"


ପ୍ରଚଣ୍ଡ କ୍ରୋଧରେ ଜରାସନ୍ଧ ଥରି ଉଠିଲେ; ସମ୍ମୁଖରେ ଚିରଶତ୍ରୁ ଦଣ୍ଡାୟମାନ,ଅଥଚ କିଛି କରିବାପାଇଁ ସେ ଅସମର୍ଥ। କହିଲେ..ତୋର ଉପଦେଶ ପୁଣି ଜରାସନ୍ଧ ଗ୍ରହଣ କରିବ !! କାନ୍ଧ ଉପରେ ଯେବେ ମସ୍ତକ ଓଜନିଆ ନ'ଲାଗୁଛି ତାହେଲେ ପ୍ରାଣ ନେଇ ଏଠାରୁ ପଳାଇ ଯା',ନିଶାର୍ଦ୍ଧରେ ବିରକ୍ତ କରନାହିଁ।"

ଅବିଚଳିତ କୃଷ୍ଣ, ମୁହଁରେ ସେଇ ବିମଳ ହସ। କହିଲେ... ଜରାସନ୍ଧ ! ଲକ୍ଷ୍ୟଭେଦ କରିବା ତୁମ ସାମର୍ଥ୍ୟ ବାହାରେ।ସମ ଦଶା ମଧ୍ୟ ପୁତ୍ର ସହଦେବଙ୍କର।ସହଜେ ତ ମେଘସନ୍ଧି ଅନଭିଜ୍ଞ ବାଳକ। ସ୍ବୟଂବର ମଣ୍ଡପରେ ତୁମ ତିନି ଜଣଙ୍କ ଅସଫଳତା ମଗଧ ପାଇଁ ଘୋର ଅପମାନ ଜନକ ହେବ।ଏହା ତୁମେ ହୃଦୟଙ୍ଗମ କରିସାରିଛ ନରେଶ ! ମୋର ଛୋଟ ଉପଦେଶ ଟିଏ ରକ୍ଷାକର, ସ୍ବୟଂବର ସ୍ପର୍ଦ୍ଧାରେ ଭାଗ ନନେଇ,କନ୍ୟାକୁ ଆଶୀର୍ବାଦ କରି ଗିରିବ୍ରଜ ଫେରି ଯାଅ;ତାହେଲେ ମଗଧର ସମ୍ମାନ ତଳେ ପଡ଼ିବା ପରିବର୍ତ୍ତେ ବୃଦ୍ଧି ହେବ।"


ଅଳ୍ପ ନିରବତା ପରେ କୃଷ୍ଣ କହିଲେ... ତାହା ନକରି,ତୁମେ ଯେବେ ପରିକଳ୍ପିତ କନ୍ୟା ହରଣ ଯୋଜନା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବ,ତାହେଲେ ଏଠାରେ ଉପସ୍ଥିତ ସମସ୍ତ ରାଜାଙ୍କର ସମ୍ମିଳିତ ସେନା ବାହିନୀର ସମ୍ମୁଖୀନ ହେବାକୁ ପଡିବ।ଫଳାଫଳ କଣ ହେବ କହିବା ଆବଶ୍ୟକ ନାହିଁ;ମଗଧର ମାନ ସମ୍ମାନ ମାଟିରେ ମିଶିଯିବ।ମୋ କଥା ମାନି ଯେବେ କନ୍ୟାକୁ ଆଶୀର୍ବାଦ ଦେଇ ଗିରିବ୍ରଜ* ଫେରିଯିବ,ତାହେଲେ ତୁମର ଏହି କନ୍ୟା ହରଣ ଯୋଜନା ଗୋପନ ରହିବ,ନହେଲେ କାଲି ପ୍ରାତଃ କାଳରେ,କନ୍ୟା ହରଣ ସମୟରେ ତୁମ ସହିତ ମୋର ସଶସ୍ତ୍ର ଭେଟ ହେବ।"


ଏହା କହି ଶ୍ରୀକୃଷ୍ଣ ଜରାସନ୍ଧ ଶିବିର ଭିତରୁ ଧୀର ପଦକ୍ଷେପରେ ବାହାରିଗଲେ।ଭୟଙ୍କର କ୍ରୋଧରେ ରକ୍ତଚାଉଳ ଚୋବାଉଥିଲେ ସମ୍ରାଟ ଜରାସନ୍ଧ।

କୃଷ୍ଣଙ୍କ ସହିତ ପିତା ଜରାସନ୍ଧଙ୍କର କଥୋପକଥନ ଶୁଣୁଥିଲେ ପୁତ୍ର ସହଦେବ। କୃଷ୍ଣଙ୍କ ପ୍ରସ୍ଥାନ ପରେ ପ୍ରକୋଷ୍ଠରେ ସେ ପ୍ରବେଶ କଲେ।ସହଦେବଙ୍କୁ ଦେଖି ଜରାସନ୍ଧ କହିଲେ...ଆମ କନ୍ୟା ହରଣ ଯୋଜନା କୃଷ୍ଣ ବାସୁଦେବ ଜାଣି ସାରିଛି ପୁତ୍ର।ସେ ଠିକ୍ କହୁଛି..ମଗଧର ସମ୍ମାନ ରକ୍ଷା ଦୃଷ୍ଟିରୁ ଆମେ କନ୍ୟାକୁ ଆଶୀର୍ବାଦ ଦେଇ ଚାଲିଯିବା ଉଚିତ।


*ଗିରିବ୍ରଜ...ମଗଧର ତତ୍କାଳୀନ ରାଜଧାନୀ



Rate this content
Log in

Similar oriya story from Classics