STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୩୬

କଥା କାଦମ୍ବରୀଭାଗ ୩୬

4 mins
181


କୁଳଗୁରୁ ଗର୍ଗାଚାର୍ଯ୍ୟ ଏବଂ ଆଚାର୍ଯ୍ୟ ସନ୍ଦିପନିଙ୍କ ସହିତ ଆଲୋଚନା କରି ଦ୍ରୁପଦ କୃଷ୍ଣାଙ୍କର ସ୍ବୟଂବର ପୌଷମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସ୍ଥିର କଲେ; ତଦନୁସାରେ ସାରା ଜମ୍ବୁଦ୍ବୀପର ଭିନ୍ନ ଭିନ୍ନ ରାଜ ପରିବାରକୁ ନିମନ୍ତ୍ରଣ ପଠାଇଲେ। 


ଅଙ୍ଗ,ବଙ୍ଗ,କାଶୀ,ମଗଧ,ମିଥିଳା,ହସ୍ତିନା,ଚେଦୀ,କଳିଙ୍ଗ,କୋଶଳ,ଦ୍ଵାରକା, ମତ୍ସ୍ୟ,ପ୍ରାଗଜ୍ୟୋତିଷ, ସିନ୍ଧୁ,ଗାନ୍ଧାର,ମଦ୍ର, ଆଦି ଯେତେ ସବୁ ରାଜ୍ୟର ରାଜା ଆର୍ଯ୍ୟାବର୍ତ୍ତରେ ଥିଲେ, ସମସ୍ତଙ୍କୁ ନିମନ୍ତ୍ରଣ କଲେ ପାଞ୍ଚାଳେଶ।ଚକ୍ରୀଙ୍କ ନିର୍ଦ୍ଦେଶରେ ଲକ୍ଷ୍ୟଭେଦ ସ୍ପର୍ଦ୍ଧା ପାଇଁ ଧନୁ ଚକ୍ର, ଜଳକୁଣ୍ଡ, ମତ୍ସ୍ୟ ଇତ୍ୟାଦି ନିର୍ମାଣର ଆୟୋଜନ ମଧ୍ୟ ଦ୍ରୁତ ଗତିରେ ଚାଲିଥାଏ।


ସ୍ଵୟମ୍ବର ସମୟରେ କିଛି ବିଭ୍ରାଟ ହେଲେ ଅଥବା କେହି ବଳାତ୍କାରରେ କନ୍ୟା ହରଣ ପାଇଁ ପ୍ରୟାସ କଲେ ତାର ପ୍ରତିରୋଧ ପାଇଁ ଦ୍ୱାରକା ପ୍ରସ୍ତୁତ ବୋଲି,ଶ୍ରୀକୃଷ୍ଣ ନିର୍ଭର ପ୍ରତିଶ୍ରୁତି,ରାଜା ଦ୍ରୁପଦ ଏବଂ ରାଜକନ୍ୟା ଯାଜ୍ଞାସେନୀଙ୍କୁ ଦେଇଥାନ୍ତି।ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ପାଖରେ ସମର୍ପଣ ମୁଦ୍ରାରେ ଯୋଡହସ୍ତରେ କହିଲେ...ହେ କେଶବ ! ସ୍ଵୟମ୍ବର ସମୟରେ ପିତା ଦ୍ରୁପଦଙ୍କର ଅଥବା ଜନ୍ମଭୂମି ପାଞ୍ଚାଳର ଯେଭଳି କୌଣସି ଅପମାନ ନହୁଏ।" 

ଶ୍ରୀକୃଷ୍ଣ କହିଲେ ..ନିଶ୍ଚିନ୍ତ ଥାଅ ଯାଜ୍ଞସେନୀ, ପାଞ୍ଚାଳର ଅପମାନ ମୋର ଅପମାନ ସହିତ ସମାନ।


ଆଚାର୍ଯ୍ୟ ସନ୍ଦିପନିଙ୍କ ଶିଷ୍ୟ ଶ୍ବେତକେତୁ,ଗୁରୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକ୍ଷ୍ୟଭେଦ ଆୟୋଜନରେ ବ୍ୟସ୍ତ ରହିଥିଲେ। ଶ୍ରୀକୃଷ୍ଣ ଶ୍ବେତକେତୁଙ୍କୁ ପଚାରିଲେ... ଲକ୍ଷ୍ୟଭେଦ ସ୍ପର୍ଦ୍ଧାର ନିୟମ ଆଚାର୍ଯ୍ୟ ସନ୍ଦିପନି କେଉଁ ପ୍ରକାର ସ୍ଥିର କରିଛନ୍ତି ମୁଁ ଜାଣିବାକୁ ଚାହେଁ।" ଶ୍ବେତକେତୁ କହିଲେ.... ଆଚାର୍ଯ୍ୟ ସନ୍ଦିପନିଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ବୟଂବର ସଭା ନିକଟରେ ଗୋଟିଏ ବେଦିକା ନିର୍ମିତ ହେବ।ବେଦିକା ମଧ୍ୟରେ ଏକ ଜଳକୁଣ୍ଡ ରହିବ।ଜଳକୁଣ୍ଡ ଉପରେ ସାତ ତାଳ ଉଚ୍ଚରେ ରଖାଯିବ ଏକ ସୁବର୍ଣ୍ଣ ମତ୍ସ୍ୟ। ମତ୍ସ୍ୟ ତଳେ ଘୂରୁଥିବ ରାଧାଚକ୍ର।ସେହି ରାଧା ଚକ୍ରରେ ଗୋଟିଏ ମାତ୍ର ରନ୍ଧ୍ର ରହିବ।ତଳେ ଥିବା ଜଳ କୁଣ୍ଡରେ ପଡ଼ିଥିବା ମାଛର ଛାଇକୁ ଚାହିଁ ଯେଉଁ ବୀର ତୀର ମାରି ରାଧା ଚକ୍ରରେ ଥିବା ରନ୍ଧ୍ର ଦେଇ ସୁବର୍ଣ୍ଣ ମତ୍ସ୍ୟର ବାମ ଚକ୍ଷୁ ବିଦ୍ଧ କରିବ,ସେ ହେବ ସ୍ପର୍ଦ୍ଧାରେ ବିଜୟୀ ଏବଂ ଯାଜ୍ଞସେନୀଙ୍କ ପାଇଁ ଉପଯୁକ୍ତ ପତି।


ଲକ୍ଷଭେଦର ନିୟମ ରାଜା ଓ ରାଜପୁତ୍ର ମାନଙ୍କୁ ଜଣାଇବା ସମୟରେ ଏହା ସ୍ପଷ୍ଟ ଭାବରେ କୁହାଯିବ ଯେ ପ୍ରତିଯୋଗିତାରେ ଯେବେ କୌଣସି ରାଜା/ରାଜପୁତ୍ରସଫଳନ'ହୁଅନ୍ତି,କିମ୍ବାସଫଳପ୍ରାର୍ଥୀ ରାଜକନ୍ୟାଙ୍କରମନୋନୀତନହୁଅନ୍ତି,ତା'ହେଲେ ପ୍ରତ୍ୟାଖ୍ୟାନ କରିବା ଅଧିକାର ଜେମାଙ୍କର ରହିବ,କାରଣ ଏହା ସ୍ବୟଂବର ଅର୍ଥାତ୍ ବରଣ କରିବା ଅଧିକାର ସ୍ବୟଂ କନ୍ୟା ଉପରେ ହିଁ ନ୍ୟସ୍ତ।"


ପାଣ୍ଡବମାନେ ଜୀବିତ ଥିବା କଥା ଶ୍ରୀକୃଷ୍ଣ ଏକା ହିଁ ଜାଣିଥିଲେ। ତେଣୁ ଅତୀତରେ ଗୁରୁ ସନ୍ଦୀପନୀଙ୍କୁ ପ୍ରତିଯୋଗିତାର ଆୟୋଜନ ଉଚ୍ଚ ସ୍ତରର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କାହାର ମଧ୍ୟ ସାମର୍ଥ୍ୟ ବାହାରେ ରହିବ। ଏବେ ଶ୍ବେତକେତୁଙ୍କ ଠାରୁ ଲକ୍ଷଭେଦ ସ୍ପର୍ଦ୍ଧାର ନିୟମ ଶୁଣି କୃଷ୍ଣ ସନ୍ତୁଷ୍ଟ ହେଲେ।


ଆଗନ୍ତୁକ ଅତିଥି ଏବଂ ସେମାନଙ୍କ ସେନା ବାହିନୀ ମାନଙ୍କ ରହଣି ପାଇଁ ଗଙ୍ଗା ନଦୀ ସିକତାରେ ଅସ୍ଥାୟୀ ଛାଉଣୀ ନିର୍ମାଣ କରିଥିଲେ ଦ୍ରୁପଦ। ସ୍ବୟଂବର ନିମନ୍ତ୍ରଣ ପାଇ ଦୂର ଦୂରାନ୍ତରରୁ ଅତିଥିମାନଙ୍କର ଆଗମନ ଆରମ୍ଭ ହୋଇଯାଇଥିଲା ଏବଂ ସେମାନେ ସେହି ଅସ୍ଥାୟୀ ଛାଉଣୀ ମାନଙ୍କରେ ବସବାସ ଆରମ୍ଭ କରିଦେଇଥିଲେ।


ଏଣେ ପାଞ୍ଚାଳର ଦୂତ ହାତରୁ ସ୍ବୟଂବର ପାଇଁ ନିମନ୍ତ୍ରଣ ପାଇ ,ମହାକ୍ରୋଧରେ ଜର୍ଜରିତ ହେଲେ ମଗଧ ସମ୍ରାଟ ଜରାସନ୍ଧ।ପୌତ୍ର ମେଘସନ୍ଧି ପାଇଁ ଆଗରୁ ସେ ଯେଉଁ ବିବାହ ପ୍ରସ୍ତାବ ପାଞ୍ଚାଳ ରାଜାଙ୍କ ପାଖକୁ ପଠାଇଥିଲେ,ତାକୁ ହେୟଜ୍ଞାନ କରି ସ୍ବୟଂବରର ଆୟୋଜନ କରୁଥିବାରୁ,ଏହା ମଗଧ ପ୍ରତି ଅପମାନିତ ମନେକରି ଦ୍ରୁପଦଙ୍କ ଉପରେ ଭୟଙ୍କର କ୍ରୋଧ ପ୍ରକାଶ କଲେ ଜରାସନ୍ଧ।ଆହତ ସିଂହ ଗୁମ୍ଫା ଭିତରେ ଥାଇ ଗର୍ଜନ କଲାପରି,ଭୀଷଣ ଗର୍ଜନ ତର୍ଜନ କରି ସେ ଚତୁର୍ଦ୍ଦିଗ କମ୍ପମାନ କରୁଥାନ୍ତି । 


ଆସ୍ଫାଳନ କରି ବର୍ଷୀୟାନ ସମ୍ରାଟ କହୁଥାନ୍ତି ...ମୋ ଗଦାଘାତରେ ବିଶ୍ବ ଥରହର ହୁଏ ବୋଲି କଣ ଜାଣନ୍ତିନାହିଁ ପାଞ୍ଚାଳ ନରେଶ ?ଲକ୍ଷେ ରାଜା ମୋ ପାଦ ତଳେ ସେବାରତ।ଅନେଶ୍ବତ ରାଜାଙ୍କୁ ମୁଁ କାରାଗାରରେ ବନ୍ଦୀ କରି ରଖିଛି, ସେମାନଂକୁ ଯଜ୍ଞପୀଠରେ ବଳି ଦେଇ,ସମଗ୍ର ଆର୍ଯ୍ୟାବର୍ତ୍ତରେ ଏକାଙ୍ଗ ଚକ୍ରବର୍ତ୍ତୀ ହେବାପାଇଁ; ଏକଥା କଣ ପାଞ୍ଚାଳର ରାଜା ଅବଗତ‌‌ ନାହାଁନ୍ତି !!କ୍ଷଣକ ମଧ୍ୟରେ ମଗଧ ବାହିନୀ ପାଞ୍ଚାଳକୁ ତୁଚ୍ଛ ତୂଳା ପରି ଆକାଶରେ ଉଡ଼ାଇ ଦେଇପାରେ,ଦ୍ରୁପଦକୁ ବନ୍ଦୀକରି କାରାଗାରରେ ନିକ୍ଷେପ କରିପାରେ ଏବଂ ରାଜକନ୍ୟା ଦ୍ରୌପଦୀଙ୍କୁ ବଳାତ୍କାରେ ହରଣ କରି ପୋୖତ୍ର ମେଘସନ୍ଧି ସହିତ ବିବାହ ଦେଇପାରେ।"


ଆହତ ଫଣୀ ଭଳି ଚିତ୍କାର କରି କହୁଥାନ୍ତି ସମ୍ରାଟ ଜରାସନ୍ଧ... ସ୍ବୟଂବର ଆୟୋଜନ କରିବା ଦୁର୍ବୁଦ୍ଧି କିଏ ଦେଲା ଦ୍ରୁପଦକୁ? ନିଶ୍ଚିତ ଭାବରେ ଏହା ଗୋପାଳ କୃଷ୍ଣର କୂଟବୁଦ୍ଧି। ଆଜିକାଲି କୃଷ୍ଣର ବାରମ୍ବାର ପାଞ୍ଚାଳକୁ ଆଗମନ ପଛରେ ନିଶ୍ଚିତ ଭାବରେ କିଛି ଗୂଢ ରହସ୍ୟ ରହିଛି।ସେ ଗୋପାଳ ନିଶ୍ଚୟ ପାଞ୍ଚାଳ ରାଜାଙ୍କୁ ଦୁର୍ବୁଦ୍ଧି ଦେଇଛି, ମୋତେ ଅବଜ୍ଞା କରି ସ୍ବୟଂବର ଆୟୋଜନ କରିବାପାଇଁ। ତା'ବଳରେ,ପିପୀଲିକା ହୋଇ ଦୀପଶିଖା ରେ ଚଢିବାର ଅପଚେଷ୍ଟା କରୁଛି ପାଞ୍ଚାଳ ଅଧିପତି।"


ନିଜ କ୍ରୋଧକୁ ସମ୍ବରଣ କରିପାରୁନ'ଥାନ୍ତି ଜରାସନ୍ଧ।ପୁତ୍ର ସହଦେବଙ୍କୁ ନିକଟକୁ ଡକାଇ କହିଲେ ...ଶୀଘ୍ର ମଗଧ ବାହିନୀକୁ ପ୍ରସ୍ତୁତ କର ପୁତ୍ର। ପାଞ୍ଚାଳର ରାଜଧାନୀ କାମ୍ପିଲ୍ୟକୁ ଧ୍ବଂସ ସ୍ତୁପରେ ପରିଣତ କରି, ସେଠାରେ ଅବସ୍ଥାନ କରୁଥିବା ଗୋପାଳ କୃଷ୍ଣର ମସ୍ତକ କର୍ତ୍ତନ କରି, ଦ୍ରୌପଦୀକୁ ହରଣ କରି ଗିରିବ୍ରଜକୁ* ନେଇ ଆସିବା।ଦ୍ରୁପଦର ହସ୍ତ ପଦ ବନ୍ଧନ କରି ଫିଙ୍ଗିଦେବା କାରାଗାରରେ।"


ପୁତ୍ର ସହଦେବ ସୁସ୍ଥ ମସ୍ତିଷ୍କର ପ୍ରାଣୀ ଥିଲେ। ପିତାଙ୍କର ଏପରି ବିଚାର ଶୁଣି କହିଲେ... ଏଭଳି ଦୁଃସାହସ ଠିକ୍ ନୁହେଁ ପିତା ଶ୍ରୀ !ଏ ସମୟରେ ପାଞ୍ଚାଳରେ ଭାରତ ବର୍ଷର ବିଭିନ୍ନ ଦେଶର ରାଜା ମାନେ ସେମାନଙ୍କ ସୈନ୍ୟ ସାମନ୍ତଙ୍କ ସହିତ ଉପସ୍ଥିତ। ହସ୍ତିନାର ବିଶାଳ ସେନା ସହିତ ଉପସ୍ଥିତ ରହିଛନ୍ତି ଯୁବରାଜ ଦୁର୍ଯ୍ୟୋଧନ,ନାରାୟଣୀ ସେନା ସହିତ ସେଠାରେ ଉପସ୍ଥିତ ଶ୍ରୀକୃଷ୍ଣ ଏବଂ ବଳରାମ।ସହଜେ ତ ପାଞ୍ଚାଳ ସେନା ଯୁଦ୍ଧରେ ଦୁନିର୍ବାର; ଏଭଳି ପରିସ୍ଥିତିରେ ଆମେ ପାଞ୍ଚାଳ ଆକ୍ରମଣ କଲେ ସେମାନଙ୍କ ମିଳିତ ବାହିନୀ ଆମକୁ ଆକ୍ରମଣ କରିବେ।ସେ ଯୁଦ୍ଧରେ ପରାଜୟ ବରଣ କଲେ‌ ମଗଧର ମାନସମ୍ମାନ ଧୂଳି ରେ ମିଶିଯିବ।ସହଜେ ତ ଆର୍ଯ଼୍ୟାବର୍ତ୍ତ ର ସବୁ ରାଜା ମଗଧର ଧ୍ଵଜା ଦେଖି ଈର୍ଷାରେ ଜଳି ଯାଆନ୍ତି; ଏପରି ସୁଯୋଗ ପାଇଲେ ଆପଣଙ୍କ ତଥାକଥିତ "ଗୋପାଳ କୃଷ୍ଣ"କଣ ଆମକୁ ଛାଡ଼ିବେ;ମଗଧର ସାର୍ବଭୌମତ୍ବ ସେହିଠାରେ ହିଁ ଧ୍ବଂସ କରିଦେବେ।ଆମର ପରାଜୟ ହେଲେ ଯେତେ ସବୁ କରଦ‌ ରାଜା ଆମ ଅଧୀନରେ ଅଛନ୍ତି ସମସ୍ତେ ସ୍ବାଧୀନତା ଘୋଷଣା କରିବେ।ତେଣୁ ହେ ପିତା ଶ୍ରୀ ! ଏହା ଭାବପ୍ରବଣତାର ସମୟ‌ ନୁହେଁ।ବୁଝି ବିଚାରି କାର୍ଯ୍ୟ କରିବା ସମୟ।ଅତୀତରେ କୃଷ୍ଣଙ୍କୁ ହେୟଜ୍ଞାନ କରି ଯେଉଁ ଦୁର୍ଦ୍ଦଶା ଆପଣ ଭୋଗ କରିଛନ୍ତି ତାହା ଭୁଲିଯାଆନ୍ତୁ ନାହିଁ।"

କିଛି ନିରବତା ପରେ ସହଦେବ କହିଲେ..ମୋ କ୍ଷୁଦ୍ର ଵୁଦ୍ଧି କହୁଛି,ଆମେ ପାଞ୍ଚାଳର ନିମନ୍ତ୍ରଣ ଗ୍ରହଣ କରିବା, ପାଞ୍ଚାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ବୟଂବରରେ ଯୋଗଦାନ କରିବା ଏବଂ ପରିସ୍ଥିତି ଦେଖି ଉଚିତ ନିର୍ଣ୍ଣୟ ନେବା।ହେ ପିତା ଶ୍ରୀ ! କୃଷ୍ଣ ବାସୁଦେବଙ୍କ ରାଜନୀତି ବଡ଼ କୁଟିଳ;ଆମକୁ ସାବଧାନତା ସହିତ କାର୍ଯ୍ୟ କରିବାକୁ ପଡ଼ିବ।"


ପୁତ୍ର ସହଦେବଙ୍କ ଚେତାବନୀ ସମ୍ରାଟଙ୍କ କ୍ରୋଧ ପ୍ରଶମିତ କରି ତାଙ୍କୁ ବାସ୍ତବ ରାଜ୍ୟକୁ ଫେରାଇ ଆଣିଲା।ତାଙ୍କର ମନେପଡିଲା କିପରି ଗୋମନ୍ତକ ପର୍ବତ ତଳେ କୃଷ୍ଣ ବଳରାମଙ୍କ ଦ୍ବାରା ସେ ପରାସ୍ତ ହୋଇ ଅପମାନିତ ହୋଇ ଥିଲେ;ବଳରାମଙ୍କ ଉତ୍ଥିତ ହଳ ଯେତେବେଳେ ତାଙ୍କ ମସ୍ତକ ଚୂର୍ଣ୍ଣ କରିବାକୁ ଯାଉଥିଲା, କୃଷ୍ଣ ଅଗ୍ରଜଙ୍କୁ ବାରଣ କରି ତାଙ୍କ ଜୀବନ ରକ୍ଷା କରିଥିଲେ। ମନେପଡିଲା ତାଙ୍କର କିପରି ସେ ସତର ଥର ମଥୁରା ଆକ୍ରମଣ କରିଥିଲେ ମଧ୍ୟ କୃଷ୍ଣ ବଳରାମଙ୍କର କେଶାଗ୍ର ମଧ୍ୟ ସ୍ପର୍ଶ କରିପାରି ନଥିଲେ। ଆହୁରି ମଧ୍ଯ ମନେପଡିଲା କିପରି ପ୍ରବଳ ପରାକ୍ରମୀ କାଳଯବନକୁ ମୁଚୁକୁନ୍ଦଙ୍କ କ୍ରୋଧାଗ୍ନିରେ ଭଷ୍ମ କରିଦେଇଥିଲେ ଶ୍ରୀକୃଷ୍ଣ।ବୈଦର୍ଭୀ ଋକ୍ମିଣୀଙ୍କ ସ୍ବୟଂବର ସମୟରେ ତାଙ୍କର ସବୁ ଯୋଜନାକୁ ବିଫଳ କରି ଋକ୍ମିଣୀଙ୍କୁ ହରଣ କରି ନେଇଥିଲେ ଏହି କୃଷ୍ଣ।


ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧିମତା ଏବଂ କୌଶଳ ହିଁ କୃଷ୍ଣଙ୍କୁ ସଫଳ କରିଛି।ବଳ ଅପେକ୍ଷା "କଳ" ତାଙ୍କୁ ବିଜୟଶ୍ରୀ ମଣ୍ଡିତ କରିଛି; ପ୍ରମାଣିତ କରିଛି ଯେ ମଗଧର ବିଶାଳ ଶକ୍ତି ଆଗରେ ଏକମାତ୍ର କୃଷ୍ଣ ହିଁ ଯଥେଷ୍ଟ। ସେଥିପାଇଁ ସେ ଚକ୍ରୀ ନାମରେ ବିଦିତ।


କୃଷ୍ଣଙ୍କ ଅତୀତ କାର୍ଯ୍ୟାବଳୀ କଥା ଚିନ୍ତା କରି,ପୁତ୍ର ସହଦେବ ସହିତ ସହମତ ହେଲେ ମଗଧ ସମ୍ରାଟ ଜରାସନ୍ଧ ଏବଂ ପାଞ୍ଚାଳ ରାଜକନ୍ୟାଙ୍କ ସ୍ବୟଂବର ନିମନ୍ତ୍ରଣ ଗ୍ରହଣ କଲେ।



Rate this content
Log in

Similar oriya story from Classics