STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀଭାଗ ୩୨

କଥା କାଦମ୍ବରୀଭାଗ ୩୨

5 mins
211

କଥା କାଦମ୍ବରୀ

ଭାଗ ୩୨

=================================

ରଣ-ଛଡା ଶ୍ରୀକୃଷ୍ଣ !

================================= 

ଆଚାର୍ଯ୍ୟ ସନ୍ଦିପନି ବିଦାୟ ନେବା ପରେ ଯାଜ୍ଞସେନୀ ପିତାଙ୍କ ପାଖରେ ପହଞ୍ଚି କହିଲେ... ପିତାଶ୍ରୀ ! ଆଚାର୍ଯ୍ୟ କହୁଥିଲେ ଆପଣ ଶ୍ରୀକୃଷ୍ଣଙ୍କୁ ପାଞ୍ଚାଳ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି,ସତରେ ସେ କଣ ଆମ ନିମନ୍ତ୍ରଣ ରକ୍ଷା କରିବେ ?"


ଦ୍ରୁପଦ ମନରେ ତିଳେହେଁ ସନ୍ଦେହ ଭାବ ନରଖି କହିଲେ..ମୋର ତ ବିଶ୍ବାସ ଅଛି ଆସିବେ,କାରଣ ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ଉଦ୍ଦେଶ୍ୟରେ ତାଙ୍କର ଜନ୍ମ; ପାଞ୍ଚାଳ ଭଳି ଧର୍ମପଥଗାମୀ ରାଜ୍ୟର ବିନା ସହାୟତାରେ ଧର୍ମ ସଂସ୍ଥାପନା ଅସମ୍ଭବ।ତୁମେ ଜାଣ ପୁତ୍ରୀ?ତୁମେ ଯଜ୍ଞକୁଣ୍ଡରୁ ସମ୍ଭୂତା ହେବା ସମୟରେ ଆକାଶବାଣୀ ହୋଇ ଥିଲା ଯେ ଆର୍ଯ୍ୟାବର୍ତ୍ତରେ ଧର୍ମ ସ୍ଥାପନା କାର୍ଯ୍ୟରେ ତୁମେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତାହା ଯଦି ସତ୍ୟ ହୁଏ, ପାଞ୍ଚାଳକୁ ଗୋବିନ୍ଦ ଆପେ ଆପେ ଟାଣି ହୋଇ ଚାଲି ଆସିବେ।


ପାଞ୍ଚାଳୀ କହିଲେ ... ଆଃ ! ଆଚାର୍ଯ୍ୟଙ୍କ ଠାରୁ ଗୋବିନ୍ଦଙ୍କ ସମ୍ବନ୍ଧରେ ଆଜି ଅନେକ ଅଲୌକିକ କଥା ଜାଣି ମନ ମୋର ପ୍ରଫୁଲ୍ଲିତ ପିତାଶ୍ରୀ ! ସତରେ ସେ ଆମ ସମୟର ଏକ ଅନନ୍ୟ ପ୍ରତିଭା। କିନ୍ତୁ ପିତାଶ୍ରୀ ! ଏତେ ଅଲୌକିକ ଶକ୍ତିର ଅଧିକାରୀ ହୋଇ ମଧ୍ୟ କାହିଁକି ତାଙ୍କୁ "ରଣଛଡା"ଉପାଧି ମିଳିଛି "

ଏ ପ୍ରଶ୍ନଟି ପଚାରିବା ସମୟରେ ଯାଜ୍ଞସେନୀଙ୍କ ଆଖିରେ କୌତୁହଳ ମିଶା ଜିଜ୍ଞାସା ପଢି ହେଉଥିଲା।


ଦ୍ରୁପଦ ଅଳ୍ପ ହସି କହିଲେ ...ବଡ଼ ବିଚିତ୍ର ସେ ଉପାଧି,ତାଙ୍କ ପ୍ରଶଂସକ ମାନେ ଖୁସିରେ ତାଙ୍କୁ ସେହି ନାମରେ ଡାକନ୍ତି,ସହଜେ ତ ଶତ୍ରୁମାନଙ୍କୁ ଏହି ନାମ ପଛରେ ତାଙ୍କ ପଳାତକ,ଭୀରୁ ଗୁଣ ଦେଖାଯିବା ସ୍ବାଭାବିକ। କିନ୍ତୁ ବାସ୍ତବରେ ଏହା ତାଙ୍କର ଖେଳ ବ୍ୟତୀତ ଅନ୍ୟ କିଛି ନୁହେଁ। ଯେଉଁ କାରଣରୁ ତାଙ୍କୁ ରଣଛଡା ଉପାଧି ମିଳିଛି ତାହା ଭିତରୁ ଗୋଟିଏ କହୁଛି ପୁତ୍ରୀ...


ଯେଉଁ କଂସର ବିନାଶ କରି ଶ୍ରୀକୃଷ୍ଣ ମଥୁରାକୁ ଅତ୍ୟାଚାରରୁ ରକ୍ଷାକଲେ,ସେ ଥିଲେ ମଗଧ ସମ୍ରାଟ ଜରାସନ୍ଧଙ୍କ ଜାମାତା।ନିଜର ଅଲିଅଳି ଦୁଇ କନ୍ୟା ଅସ୍ତି ଏବଂ ପ୍ରାପ୍ତି ଙ୍କ ବୈଧବ୍ୟ ଯନ୍ତ୍ରଣା ସହ୍ୟ କରି ନପାରି ମଗଧ ସମ୍ରାଟ ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କଲେ। ଏହି ଆକ୍ରମଣରେ ସେ ଏକା ନଥିଲେ,ତାଙ୍କ ସହିତ କାଶୀ ବିଦର୍ଭ ଏବଂ ଚେଦୀ ରାଜ୍ୟ ମଧ୍ୟ ସମ୍ମିଳିତ ହୋଇଥିଲେ।ବିଦର୍ଭ ରାଜ୍ୟର ରାଜା ଭୀଷ୍ମକ'ଙ୍କର ମଥୁରା ଆକ୍ରମଣ କରିବାକୁ ଇଚ୍ଛା ନଥିଲେ ମଧ୍ୟ,ଜରାସନ୍ଧ ଭୟରେ ସେ ଏହି ଆକ୍ରମଣରେ ତାଙ୍କ ସହିତ ଯୋଗ ଦେଇଥିଲେ।ଅବଶ୍ୟ ତାଙ୍କ ପୁତ୍ର ଋକ୍ମ ଜରାସନ୍ଧଙ୍କର ସମର୍ଥକ ଥିଲେ।


ତିନି ବାହିନୀର ବିଶାଳ ସେନାଙ୍କ ଯୁଗ୍ମ ଆକ୍ରମଣରେ କମ୍ପି ଉଠିଲା ମଥୁରାଖଣ୍ଡ।ମଥୁରାରେ ସେ ସମୟରେ ପୂର୍ବ ରାଜା କଂସଙ୍କର ଅନେକ ସମର୍ଥକ ଥିଲେ। ସେମାନଙ୍କ ଶତ୍ରୁତା ସତ୍ବେ କୃଷ୍ଣ ଏବଂ ବଳରାମ,ମଗଧ ସମ୍ରାଟଙ୍କ ବିଶାଳ ବାହିନୀକୁ ପରାସ୍ତ କରି ଥିଲେ। ଏହି ଭଳି ସତର ଥର ମଥୁରା ଖଣ୍ଡକୁ ଆକ୍ରମଣ କରିଥିଲେ ଜରାସନ୍ଧ, କିନ୍ତୁ ମାଧବଙ୍କ ସଫଳ ନେତୃତ୍ବ ଯୋଗୁଁ ଜରାସନ୍ଧ ମଥୁରାକୁ ନିଜ ଅଧିକାରକୁ ନେଇ ପାରିଲେ ନାହିଁ।ଏହାକୁ କଣ ରଣଛଡା ବା ପଳାତକର ଗୁଣ କହିବା ପୁତ୍ରୀ ?


ଜରାସନ୍ଧର ଏକମାତ୍ର ଲକ୍ଷ ଥିଲା ରାମ-କୃଷ୍ଣଙ୍କୁ ହତ୍ୟା କରି ମଥୁରାରେ ନିଜର ଆଧିପତ୍ୟ ବିସ୍ତାର କରିବା। ପ୍ରତ୍ୟେକ ଆକ୍ରମଣ ସମୟରେ ମଥୁରାରେ ଧ୍ବଂସଲୀଳା ସୃଷ୍ଟି ହେଉଥିଲା।କୁଢ଼ କୁଢ଼ ଶବରେ ମଥୁରାର ଗଳିକନ୍ଦି ରକ୍ତରଞ୍ଜିତ ଏବଂ ପୁତିଗନ୍ଧମୟ ହୋଇ ଯାଉଥିଲା।ନିରୀହ ମଥୁରା ବାସୀଙ୍କୁ ଏ ଭୟାନକ ପରିସ୍ଥିତିରୁ ରକ୍ଷା କରିବା ପାଇଁ କୃଷ୍ଣ ଓ ବଳରାମ ମଥୁରା ତ୍ୟାଗ କରିବାକୁ ନିଷ୍ପତ୍ତି ନେଲେ।ତାଙ୍କ ଅନୁମାନ ଠିକ୍ ଥିଲା।ଦୁଇ ଭାଇ ମଥୁରା ତ୍ୟାଗ କରିବା ସଙ୍ଗେ ସଙ୍ଗେ ଜରାସନ୍ଧ ମଥୁରା ଛାଡି ଦୁଇଭାଇଙ୍କ ଅନୁଧାବନ କଲେ।ଜରାସନ୍ଧକୁ ବିଭ୍ରାନ୍ତ କରି ଶ୍ରୀକୃଷ୍ଣ ଓ ବଳରାମ ଅରଣ୍ୟ ଭିତରକୁ ଚାଲିଗଲେ। ଶତ୍ରୁମାନେ କହିବୁଲିଲେ ଯେ ଯୁଦ୍ଧକୁ ଡରି ପଳାୟନ କରିଛନ୍ତି "ରଣଛଡା" ଗୋବିନ୍ଦ।


ପ୍ରଥମେ ମହେନ୍ଦ୍ରଗିରିରେ ପହଞ୍ଚି ଭଗବାନ ପର୍ଶୁରାମଙ୍କ ଆଶୀର୍ବାଦ ନେଲେ କୃଷ୍ଣ-ବଳରାମ।ତାପରେ ଦୁଇଭାଇ ପହଞ୍ଚିଲେ ଗୋମନ୍ତକ ପର୍ବତ ଶୀର୍ଷରେ।ସାଗର କୂଳରେ ଅବସ୍ଥିତ ଗୋମନ୍ତକର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସେଠାରେ ଥିବା ଗରୁଡ ଜନଜାତିର ସରଳତା ଭିତରେ ହଜିଗଲେ ପ୍ରକୃତି ପ୍ରେମୀ ଗୋବିନ୍ଦ। ବଳରାମଙ୍କୁ କହିଲେ.. "ଏଠାରେ କିଛି ଦିନ ଅବସ୍ଥାନ କରିବା ଭାଇ,ଜରାସନ୍ଧ ବଣ ଜଙ୍ଗଲରେ ଆମକୁ ଖୋଜୁଥାଉ।"


ଶ୍ରୀକୃଷ୍ଣଙ୍କ ଇଚ୍ଛା ହେଲା ଜରାସନ୍ଧ ସହିତ ଏଠାରେ କିଛି ଖେଳ ଖେଳିବା ପାଇଁ। ଗୋମନ୍ତକ ପାହାଡ଼ ଚାରିପାଖେ ଥିବା ପ୍ରାକୃତିକ ଖାଇ ବା ପରିଖା'କୁ ସମୁଦ୍ର ସହିତ ଯୋଡିବା ପାଇଁ ,ଗରୁଡ ଜନଜାତିର ଲୋକଙ୍କ ସାହାଯ୍ୟରେ,ପରିଖା'ର ଗୋଟିଏ ପାର୍ଶ୍ୱରେ ସେତୁଟିଏ ନିର୍ମାଣ କରି ତାକୁ ସମୁଦ୍ର ଠାରୁ ବିଯୁକ୍ତ କରି ରଖିଲେ। ଆବଶ୍ୟକ ସମୟରେ ବନ୍ଧଟି କାଟିଦେଲେ ପରିଖାଟି ପୂର୍ଣ୍ଣ ହୋଇ ଗଡଖାଇର ସୃଷ୍ଟି ହେବ।


ସେଠାରେ ଥିବା ଗରୁଡ ଜନଜାତିର ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଶିକ୍ଷା ରେ ପାରଙ୍ଗମ କରି ଦେଲେ ଗୋବିନ୍ଦ। ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟରେ ଆସିବା ପରେ ଗରୁଡ ଜନଜାତି,ଏକତା ବନ୍ଧନରେ ବାନ୍ଧି ହୋଇ ଏକ ଆଦର୍ଶ ଜନଜାତି ସମାଜରେ ପରିଣତ ହୋଇଗଲା।ଗୋପରେ ଯେପରି ସମସ୍ତ ନରନାରୀ କୃଷ୍ଣ-ପ୍ରାଣ ଥିଲେ,ଗୋମନ୍ତକର ସମସ୍ତ ପର୍ବତ ନିବାସୀ କୃଷ୍ଣ-ପ୍ରାଣ ହୋଇଗଲେ।ଏପରି ଥିଲା କୃଷ୍ଣଙ୍କର ଜାଦୁକାରୀ ବ୍ୟକ୍ତିତ୍ବ।ଗୋମନ୍ତକରେ ରହଣି ସମୟରେ ସେ ଶାରଙ୍ଗ ଧନୁ ଏବଂ କୌମୁଦୁକୀ ଗଦା ନିର୍ମାଣ କରିଥିଲେ। ଏହି ଦୁଇଟି ଅସ୍ତ୍ର ତାଙ୍କୁ ଜରାସନ୍ଧ ଉପରେ ବିଜୟ ଲାଭ କରିବାପାଇଁ ସାହାଯ୍ୟ କରିଥିଲା। 


ଦିନେ ଜ୍ୟେଷ୍ଠ ଭ୍ରାତା ବଳରାମଙ୍କୁ ଗୋବିନ୍ଦ କହିଲେ ..ଭାଇ ! ଜରାସନ୍ଧ ସହିତ ପ୍ରବଳ ସଂଗ୍ରାମର ସମୟ ଆସିଗଲା,ନିଜର ଅସ୍ତ୍ରଶସ୍ତ୍ର କିଛି ନିର୍ମାଣ କର।କାଦମ୍ବରୀ ପାନରେ ପ୍ରମତ୍ତ ବଳରାମ ନିକଟରେ କୃଷି କ୍ଷେତ୍ରରେ ଥୁଆଯାଇଥିବା ଏକ ଲଙ୍ଗଳକୁ ଉଠାଇ କାନ୍ଧରେ ରଖି କହିଲେ..ଏହା ହେଉଛି ମୋର ଅସ୍ତ୍ର କାହ୍ନୁ।ଜରାସନ୍ଧର ମସ୍ତକ ଦୁଇଫାଳ କରିବାପାଇଁ ଏହାହିଁ ଯଥେଷ୍ଟ।"


ଶ୍ରୀକୃଷ୍ଣ ହସି ହସି କହିଲେ... ବାଃ,ଏହା ତ ବଡ଼ ସାଙ୍କେତିକ ଅସ୍ତ୍ର,ଶତ୍ରୁ ବିନାଶ କରିବା ସଙ୍ଗେ ସଙ୍ଗେ କୃଷକର ଦାରିଦ୍ର୍ୟ ଶତ୍ରୁକୁ ମଧ୍ୟ ବିନାଶ କରି ପାରିବ ଏହି ହଳାୟୁଧ।ହଳଧାରୀ ଭାବରେ ତୁମେ ମୋର ଅଗ୍ରପୂଜ୍ୟ,ହଳଧର ଭାବରେ କୃଷକ ଜଗତର ଅଗ୍ରପୂଜ୍ୟ ହେବେ।


ତା'ପରେ ଶ୍ରୀକୃଷ୍ଣ ଭାବିଲେ ଏଥର ଜରାସନ୍ଧ ସହିତ ଖେଳିବା ସମୟ ଆସିଗଲା। କୃଷ୍ଣ ଓ ବଳରାମଙ୍କୁ ଖୋଜି ଖୋଜି ଅରଣ୍ୟରେ ବିଭ୍ରାନ୍ତ ହୋଇ ବୁଲୁଥିବା ଜରାସନ୍ଧକୁ,ଗୁପ୍ତଚର ଜରିଆରେ ନିଜ ଉପସ୍ଥିତି ବିଷୟରେ ଜଣାଇ ଦେଲେ କେଶବ।

ଜରାସନ୍ଧ ବାହିନୀ ମାଡିଆସି ଗୋମନ୍ତକ ପର୍ବତକୁ ଆକ୍ରମଣ କଲେ। କୃଷ୍ଣ ବଳରାମକୁ ଜୀବନ୍ତ ଦଗ୍ଧ କରିବାପାଇଁ ଗୋମନ୍ତକରେ ନିଆଁ ଲଗାଇ ଦେଲେ ଜରାସନ୍ଧ। ଏହି ସମୟରେ ଶ୍ରୀକୃଷ୍ଣ, ପର୍ବତକୁ ବେଷ୍ଟିତ କରି ଥିବା ପରିଖା ମୁଣ୍ତରେ ଥିବା ବନ୍ଧକୁ କାଟିଦେଲେ।ସମୁଦ୍ର ଜଳରେ ପରିଖା ପୂର୍ଣ୍ଣ ହୋଇଯିବା ପରେ ପାଲଟା ଆକ୍ରମଣ କରି ଦେଲେ କୃଷ୍ଣ-ବଳରାମ ଓ ତାଙ୍କ ଗରୁଡ ସେନା।ପର୍ବତ ଉପରୁ ତୀର ଭାଲ ଏବଂ ପଥର ପ୍ରକ୍ଷେପଣ ଯୋଗୁଁ ରକ୍ତାକ୍ତ ହୋଇ ପଛଘୁଞ୍ଚା ଦେଲେ ଜରାସନ୍ଧ ବାହିନୀ। ଅନେକେ ନିଜେ ଲଗାଇଥିବା ଅଗ୍ନିରେ ପୋଡ଼ି ହୋଇ ମଲେ ଏବଂ ଅଧିକାଂଶ ପରିଖା ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ।


ଜରାସନ୍ଧ ସହିତ ବଳରାମଙ୍କର ଭୀଷଣ ସଂଗ୍ରାମ ହେଲା ଗୋମନ୍ତକ ପାଦଦେଶରେ।ବଳରାମ ହଳ ପ୍ରହାରରେ ଜରାସନ୍ଧକୁ ନିରସ୍ତ୍ର କଲେ।ହଳ ପ୍ରହାର କରି ଜରାସନ୍ଧର ମସ୍ତକକୁ ଦୁଇଫାଳ କରିବାକୁ ଯାଉଥିଲେ ବଳରାମ। ବାଧା ଦେଇ ଶ୍ରୀକୃଷ୍ଣ କହିଲେ.."ଥାଉ ଭାଇ,ବୃଦ୍ଧଙ୍କୁ ଛାଡିଦିଅ ତାଙ୍କ ମୃତ୍ୟୁ ସମୟ ଆସିନାହିଁ।ଆପଣ ତାଙ୍କ ମୁଣ୍ଡ ଦି'ଫାଳ କଲେ ମଧ୍ୟ ତାଙ୍କର ମୃତ୍ୟୁ ହେବନାହିଁ,ଯେ ପର୍ଯ୍ୟନ୍ତ ତାଙ୍କର ଦୁଇ ଗୋଡ଼କୁ ଫାଡ଼ି ଶରୀରକୁ ଦୁଇଭାଗ କରା ନଯାଇଛି।ସେ ବିଭତ୍ସ କାର୍ଯ୍ୟ ଅନ୍ୟ ଜଣଙ୍କ ଦ୍ବାରା ଅଭିପ୍ରେତ।"


ବଳରାମ ସବୁବେଳେ କୃଷ୍ଣଙ୍କ କଥା ମାନୁଥିଲେ। ଅଗତ୍ୟା ମୁକ୍ତି ଦେଲେ ଜରାସନ୍ଧକୁ।ଜରାସନ୍ଧକୁ ଚାହିଁ ଶ୍ରୀକୃଷ୍ଣ କହିଲେ ..ହେ ବୃଦ୍ଧ ରାଜନ୍ ! କାଳ ବିଳମ୍ବ ନକରି ନିଜ ରାଜ୍ୟକୁ ଫେରିଯାଇ ଶାନ୍ତିରେ ପ୍ରଜା ପାଳନ କର।ମୋ ପଛରେ ପଡି ଏପରି ଯୁଦ୍ଧରେ ମାତି ପ୍ରଜାଙ୍କୁ ଅବହେଳା କରନାହିଁ।ତୁମେ ଅଦ୍ୱିତୀୟ ପ୍ରତିଭା ଶାଳୀ ଅନୁଭବଶୀଳ ରାଜା।ଅଧର୍ମ ପଥ ପରିତ୍ୟାଗ କରି ଧର୍ମପଥଗାମୀ ହୁଅ। ମୁନିଋଷି ମାନଙ୍କୁ କଷ୍ଟ ନଦେଇ ସେମାନଙ୍କ ପାଇଁ ଗୁରୁକୁଳ ସ୍ଥାପନ କରି ଶିକ୍ଷା ଦିକ୍ଷାର ପ୍ରସାର କର। ବନ୍ଦୀ କରି ରଖିଥିବା ଏକଶତ ରାଜାଙ୍କୁ କାରାଗାରରୁ ମୁକ୍ତିଦିଅ; ସେମାନେ ଶାନ୍ତିରେ ନିଜ ରାଜ୍ୟରେ ପ୍ରଜାପାଳନ କରନ୍ତୁ।ତୁମକୁ ଜୀବନ ଦାନ ଦେଇ ଏସବୁ ପୁଣ୍ୟ କର୍ମ କରିବାର ସୁଯୋଗ ମୁଁ ଦେଉଛି ରାଜନ୍ ! ନହେଲେ ପରେ ପରିଣାମ ଭୋଗ କରିବ।"


ଘୋର ଅପମାନରେ ଜର୍ଜରିତ ହୋଇ ଜରାସନ୍ଧ ନିଜ ରାଜ୍ୟକୁ ପଳାୟନ କଲେ। ଶ୍ରୀକୃଷ୍ଣ ଓ ବଳରାମ ଗୋମନ୍ତକ ଛାଡ଼ି ଫେରିଆସିଲେ ମଥୁରା।ଗୋମନ୍ତକରେ ଥିବା ସମୟରେ ନିଜ ପ୍ରଜାମାନଙ୍କର ନିରାପତ୍ତା ବିଷୟରେ ଚିନ୍ତା କରୁଥିଲେ ଗୋବିନ୍ଦ।ତାଙ୍କୁ ସମର୍ଥନ କରୁଥିବା ପ୍ରଜାମାନଙ୍କ ପାଇଁ ସେ ଗଢ଼ିବା ପାଇଁ ଚାହୁଁଥିଲେ ଏକ ଭବ୍ୟ,ନିରାପଦ ଆଦର୍ଶ ନଗ୍ର, ଯେଉଁ ଠାରେ ପ୍ରଜାପୁଞ୍ଜ ଶାନ୍ତିରେ ନିବାସ କରି ବିକଶିତ ଅର୍ଥନୈତିକ ଜୀବନ ଓ ଶୁଦ୍ଧ ଆଧ୍ୟାତ୍ମିକ ଜୀବନ ବିତାଇ ପାରିବେ। ଶ୍ରୀକୃଷ୍ଣଙ୍କ ଏହି ଚିନ୍ତାଧାରାକୁ ଅଧିକାଂଶ ଯାଦବ ସମର୍ଥନ କଲେ। ସେଥିପାଇଁ ସମୁଦ୍ର ଭିତରେ ସେ ସୃଷ୍ଟି କଲେ ଭବ୍ୟ ଦ୍ଵାରକା। ମଥୁରା ବାସୀଙ୍କୁ ଦ୍ଵାରକାରେ,ସାଗର ମଧ୍ୟରେ ବିସ୍ଥାପିତ କରି ଜରାସନ୍ଧଠାରୁ ଆକ୍ରମଣର ଭୟ ସବୁଦିନ ପାଇଁ ଦୂର କରିଦେଲେ ଶ୍ରୀକୃଷ୍ଣ।"


କୃଷ୍ଣାଙ୍କ ଆଗରେ ଗୋବିନ୍ଦଙ୍କର ଏହି ଅଲୌକିକ କାର୍ଯ୍ୟ ବର୍ଣ୍ଣନା କରି ଦ୍ରୁପଦ କହିଲେ... ଏଥିପାଇଁ କଣ ତାଙ୍କୁ ରଣଛଡା କୁହାଯିବ ?ତାଙ୍କର ଏହା ଯୁଦ୍ଧ ଜିଣିବା ପାଇଁ ଥିଲା କୂଟନୀତି।ଏହା ଭିତରେ ପ୍ରତ୍ୟେକ ବୀର ପୁରୁଷଙ୍କ ପାଇଁ ସନ୍ଦେଶ ରହିଛି..ନିଜ ଶକ୍ତିର ଆକଳଣ ନ'କରି, ଯୁଦ୍ଧକୁ ଡେଇଁ ପଡିବା ଅପେକ୍ଷା ପଛଘୁଞ୍ଚା ଦେଇ, କୂଟନୀତି ପ୍ରୟୋଗ କରି ଜୟଯୁକ୍ତ ହେବା ଶ୍ରେୟସ୍କର। ଗୋବିନ୍ଦ ଯାହା କରନ୍ତି ସଂସାରକୁ ଉଦାହରଣ ଦେବାପାଇଁ କରନ୍ତି। ସେଥିପାଇଁ ତ ସେ ନାରାୟଣଙ୍କ ଅବତାର ବୋଲି ଲୋକଙ୍କର ବିଶ୍ବାସ।"


କ୍ରମଶଃ....


Rate this content
Log in

Similar oriya story from Classics