Kulamani Sarangi

Classics

4.4  

Kulamani Sarangi

Classics

କଥା କାଦମ୍ବରୀଭାଗ ୨୭

କଥା କାଦମ୍ବରୀଭାଗ ୨୭

5 mins
460


(ଆଚାର୍ଯ୍ୟଙ୍କ ପ୍ରତିଶୋଧ)


ଗୁରୁଙ୍କ ଆଶୀର୍ବାଦରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ। ତାହା ହିଁ ଘଟିଥିଲା ଦ୍ରୋଣଙ୍କ ଜୀବନରେ।ଭାର୍ଗବ ପର୍ଶୁରାମଙ୍କ ଠାରୁ ସମସ୍ତ ଦିବ୍ୟାସ୍ତ୍ର ଏବଂ ଶସ୍ତ୍ର-ଶାସ୍ତ୍ର ଶିକ୍ଷାଦୀକ୍ଷା ଲାଭକରି ସେ ସହସା ଆର୍ଯ୍ୟାବର୍ତ୍ତରେ ଜଣେ ଦକ୍ଷ ଗୁରୁରେ ପରିଣତ ହୋଇଗଲେ ଏବଂ ପ୍ରତିଷ୍ଠା ଲାଭକଲେ। ଦାରିଦ୍ର୍ୟ ଉଭେଇ ଗଲା, ସୂର୍ଯ୍ୟ କିରଣ ସ୍ପର୍ଶରେ କୁହେଳିକା ପରି। ଯେଉଁ ପୁତ୍ର ଅଶ୍ଵତ୍ଥାମା ଦିନେ ଚୁନପାଣି ପିଇ କ୍ଷୀର ପିଇଛି କହି ଆନନ୍ଦରେ ନାଚୁଥିଲା, ସେ ଆଜି ହସ୍ତିନା ରାଜକୁମାରମାନଙ୍କ ଗହଣରେ ଶିକ୍ଷା ଲାଭକରି ରାଜ ଐଶ୍ୱର୍ଯ୍ୟର ଅଧିକାରୀ ତଥା ଦୁର୍ଯୋଧନଙ୍କର ପରମ ମିତ୍ର ଭାବରେ ପରିଗଣିତ ହୋଇଥିଲା। 


ଦ୍ରୁପଦଙ୍କଠାରୁ ଅପମାନ ପାଇ କ୍ରୋଧରେ ଜଳୁଥିଲେ ଦ୍ରୋଣ। ଦ୍ରୁପଦଙ୍କୁ ସେ କ୍ଷମା କରି ପାରି ନଥିଲେ। କୌରବ ଓ ପାଣ୍ଡବ ରାଜପୁତ୍ର ମାନଙ୍କର ବିଦ୍ୟାଶିକ୍ଷା ସମାପ୍ତ ହେବାପରେ ଗୁରୁଦକ୍ଷିଣା ଦେବା ସମୟ ଆସିଲା। ବିନା ଗୁରୁଦକ୍ଷିଣାରେ ବିଦ୍ୟାପ୍ରାପ୍ତି ସଫଳ ହୁଏନାହିଁ। ଏକଶତ କୌରବ ଏବଂ ପାଞ୍ଚ ପଣ୍ଡୁପୁତ୍ର ଯେତେବେଳେ ଗୁରୁଦକ୍ଷିଣା ଦେବାପାଇଁ ପ୍ରସ୍ତୁତ ହେଲେ, ଦ୍ରୋଣ କହିଲେ.. ହେ ଅଜେୟ ରାଜପୁତ୍ର ଗଣ ! ଯେବେ ମୋତେ ଗୁରୁ ଦକ୍ଷିଣା ଦେବାପାଇଁ ଚାହୁଁଛ ତାହେଲେ ମୋର ଅନ୍ୟକିଛି ଆବଶ୍ୟକ ନାହିଁ, ପାଞ୍ଚାଳ ଜୟକରି, ରାଜା ଦ୍ରୁପଦଙ୍କୁ ବନ୍ଦୀକରି ମୋ ସମ୍ମୁଖରେ ଉପସ୍ଥିତ କରାଅ, ତାହାହିଁ ହେବ ମୋ ପାଇଁ ଉପଯୁକ୍ତ ଗୁରୁ ଦକ୍ଷିଣା। ଭିକ୍ଷାଶୀ ବ୍ରାହ୍ମଣ ବୋଲି କହି ଦ୍ରୁପଦ ମୋତେ ପୂର୍ଣ୍ଣ ରାଜସଭାରେ ଯେଉଁ ଅପମାନ ଦେଇଛନ୍ତି ତାହା ମୋ ହୃଦୟରେ ତପ୍ତ ଲୌହ-ଶଳାକା ହୋଇ ବିଦ୍ଧ ହୋଇ ରହିଛି। ଯେବେ ଉଦ୍ଧତ ଦ୍ରୁପଦ ମୋ ଆଗରେ ହସ୍ତପଦ ଶୃଙ୍ଖଳିତ ନତଜାନୁ ହୋଇ କ୍ଷମା ମାଗିବେ ତେବେ ମୋତେ ସେ ଯନ୍ତ୍ରଣାରୁ ମୁକ୍ତି ମିଳିବ।


ଦୁର୍ଯ୍ୟୋଧନ କହିଲେ..ଏଇ ସାମାନ୍ୟ କଥା ! ଏହା ମୋର ବାମ ହାତର ଖେଳ। ଆଜ୍ଞା ଦିଅନ୍ତୁ ଗୁରୁଦେବ, ପାଞ୍ଚାଳ ପଦାନତ କରି, ଦ୍ରୁପଦର ଛିନ୍ନ ମସ୍ତକ ଆପଣଙ୍କ ପାଦତଳେ ଭେଟି ଦେବୁ ଆମେ କୌରବ ଶହେ ଭାଇ। 

ଦ୍ରୋଣ କହିଲେ.. ନାଁ, ତୁମେ ସେପରି କରିବନାହି ଦୁର୍ଯ୍ୟୋଧନ; ଦ୍ରୁପଦଙ୍କ ଛିନ୍ନ ମସ୍ତକ ମୋର ଆବଶ୍ୟକ ନାହିଁ। ତାଙ୍କୁ ବନ୍ଦୀ କରି ମୋ ଆଗରେ ଉପସ୍ଥିତ କରିବା ଆବଶ୍ୟକ। ମୁଁ ଚାହେଁ ଦ୍ରୁପଦ ମୋ ପାଦ ତଳେ ପଡି କ୍ଷମା ଭିକ୍ଷା କରି ପାଞ୍ଚାଳ ରାଜ୍ୟର ଅର୍ଦ୍ଧ ଅଂଶ ମୋତେ ଦାନ କରନ୍ତୁ। ମୁଁ ଜାଣେ ଏ କାର୍ଯ୍ୟ ମୋ ପାଇଁ କେବଳ ଅର୍ଜୁନ ହିଁ କରିପାରିବ। ଉପଯୁକ୍ତ ଗୁରୁ ଦକ୍ଷିଣା ମୋତେ କେବଳ ଧନଞ୍ଜୟ ହିଁ ଦେଇପାରିବ।


ଅର୍ଜୁନଙ୍କ ପ୍ରଶଂସା ଶୁଣି ଈର୍ଷା-ବିଷରେ ଜର୍ଜରିତ ହେଲେ ଦୁର୍ଯ୍ୟୋଧନ ଏବଂ ତାଙ୍କର ଅନେଶ୍ବତ ଭ୍ରାତା।ତଥାପି ଗୁରୁଙ୍କ ନିର୍ଦ୍ଦେଶ ମାନି, ଉଭୟେ କୌରବ ଓ ପାଣ୍ଡବ ପାଞ୍ଚାଳ ସହିତ ଯୁଦ୍ଧ କରିବାପାଇଁ ବାହାରିଗଲେ।


ଦ୍ରୁପଦଙ୍କ ସହିତ ଯୁଦ୍ଧର ବର୍ଣ୍ଣନା ଭିନ୍ନ ଭିନ୍ନ ଗ୍ରନ୍ଥକାରମାନ ଭିନ୍ନ ଭିନ୍ନ ଭାବରେ କରିଛନ୍ତି। ଡକ୍ଟର କେ. ଏମ୍. ମୁନସୀ ଏହି ଆକ୍ରମଣକୁ ଏକ ଅକସ୍ମାତ ଆକ୍ରମଣ ଭାବରେ ଦର୍ଶାଇଛନ୍ତି। ବିଶାଳ ପାଞ୍ଚାଳ ବାହିନୀ ଯେବେ ପ୍ରସ୍ତୁତି ସହିତ କୁରୁ-ରାଜପୁତ୍ର ମାନଙ୍କ ସହିତ ଯୁଦ୍ଧ କରିଥାନ୍ତା, ତାହେଲେ ବୋଧହୁଏ ଏତେ ସହଜରେ ଦ୍ରୁପଦ ପରାସ୍ତ ହୋଇନଥାନ୍ତେ। ଏହି ଗରିଲା ଆକ୍ରମଣ ଦ୍ରୋଣଙ୍କର ଯୁଦ୍ଧ ବିଦ୍ୟାର ଅଂଶ ବିଶେଷ ଥିଲା ଏବଂ ଏହି ଯୁଦ୍ଧରେ କୁରୁ-ରାଜପୁତ୍ରମାନେ ତାର ବାସ୍ତବ ରୂପାୟନ ପାଇଁ ସୁଯୋଗ ପାଇଲେ। ଗୁରୁଙ୍କଠାରୁ ଯୁଦ୍ଧବିଦ୍ୟା ଶିକ୍ଷା ପରେ ହସ୍ତିନା-ରାଜପୁତ୍ରମାନଙ୍କର, ନିଜ ନିଜର ଶକ୍ତି ପ୍ରଦର୍ଶନର ଏହା ଥିଲା ପ୍ରଥମ ସୁଯୋଗ।


ସେ ସମୟରେ "ଅହିଛତ୍ର" ନାମକ ପାଞ୍ଚାଳର ଏକ ପ୍ରମୁଖ ନଗ୍ରରେ ଏକ ଶିବ ମନ୍ଦିରରେ ପାଞ୍ଚାଳ ନରେଶ ଦ୍ରୁପଦ ମହାଦେବଙ୍କ ପୂଜାରେ ମଗ୍ନ ଥିଲେ। ଗଙ୍ଗା କୂଳରେ ସ୍ଥାପିତ ଏହି ପୁଣ୍ୟ ସ୍ଥଳିରେ ପ୍ରତି ବର୍ଷ ସେହି ସମୟରେ ଦେବାଧିଦେବ ଚନ୍ଦ୍ରମୌଳିଙ୍କର, ବିରାଟ ଉତ୍ସବରେ ଯଜ୍ଞକାର୍ଯ୍ୟ ଓ ପୂଜାର୍ଚ୍ଚନା କରାଯାଏ। ନାନାପ୍ରକାର ଘଣ୍ଟ , ବାଦ୍ୟ ଏବଂ ବ୍ରାହ୍ମଣ ମାନଙ୍କର ବେଦଧ୍ବନୀରେ ପରିବେଶ ମୁଖରିତ ହୋଇ ମହୋତ୍ସବମୟ ହୋଇଉଠେ।


ମନ୍ଦିର ବେଢ଼ାରେ ଦ୍ରୁପଦ ପ୍ରବେଶ କରୁ କରୁ ଦୁର୍ଯ୍ୟୋଧନ ସମେତ ଶହେ କୌରବ ଭାଇ ଏବଂ ଗୁରୁପୁତ୍ର ଅଶ୍ଵତ୍ଥାମା ଦ୍ରୁପଦଙ୍କ ଉପରେ ଆକ୍ରମଣ କରିଦେଲେ। ଦ୍ରୁପଦ ଏହି ଅକସ୍ମାତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲେ।ରାଜାଙ୍କ ଅଙ୍ଗରକ୍ଷୀମାନେ ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କଲେ। ବିଜୁଳି ବେଗରେ ସମ୍ବାଦ ରାଜଧାନୀ କାମ୍ପିଲ୍ୟରେ ପହଞ୍ଚିଗଲା ଏବଂ ପାଞ୍ଚାଳର ସୈନ୍ୟମାନେ ମାଡିଆସିଲେ। ସେମାନଙ୍କ ଆକ୍ରମଣକୁ ପ୍ରତିହତ କରିନପାରି ଦୁର୍ଯ୍ୟୋଧନ, ଦୁଃଶାସନ, ଦୁର୍ଜୟ, ବିକର୍ଣ୍ଣ ସମେତ ଶହେ କୁରୁ-ଭ୍ରାତା ଏବଂ ଅଶ୍ଵତ୍ଥାମା ରଣକ୍ଷେତ୍ର ଛାଡି ପଳାୟନ କଲେ। କୌରବ ଭାଇମାନଙ୍କର ଏ ଦଶା ଦେଖି ଅଟ୍ଟହାସ କଲେ ଦ୍ଵିତୀୟ ପାଣ୍ଡବ ଭୀମ ଓ ମଧ୍ୟମ ପାଣ୍ଡବ ଅର୍ଜୁନ। ଭୀମ କହିଲେ...କଣ ହେଲା ପ୍ରିୟ ଦୁର୍ଯ୍ୟୋଧନ ? ବାମ ହାତରେ ଖେଳ ସମ୍ପୂର୍ଣ୍ଣ କଲ ନାଁ ବାମହାତ ଅଚଳ ହୋଇଗଲା? ବଡ଼ ଦମ୍ଭରେ ଗୁରୁଙ୍କୁ କହୁଥିଲ ଏହା ତୁମର ବାମ ହାତର ଖେଳ ବୋଲି । ଦୁର୍ଯ୍ୟୋଧନଙ୍କ ମୁଖ ମଣ୍ଡଳ ଲଜ୍ଜା ଓ ଅପମାନରେ ଆରକ୍ତ ହୋଇଗଲା।


ଏଥର ପାଣ୍ଡବମାନଙ୍କର ପାଳି। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବଙ୍କ ପ୍ରବଳ ଆକ୍ରମଣରେ ଛତ୍ରଭଙ୍ଗ ଦେଇ ପାଞ୍ଚାଳ ସୈନ୍ୟମାନେ ପଳାୟନ କଲେ। ଅର୍ଜୁନଙ୍କ ରଣ କୌଶଳ ଦେଖି ଆଶ୍ଚର୍ଯ୍ୟ ହେଲେ ପାଞ୍ଚାଳ ନରେଶ ଦ୍ରୁପଦ। ଭାବିଲେ..ଏହା ତ ବାଣ ପ୍ରହାର ନୁହେଁ, ସାକ୍ଷାତ ଇନ୍ଦ୍ରଙ୍କ ବଜ୍ର ପ୍ରହାର ! କିଏ ଏହି ଯୁବକ! ସ୍ବୟଂ ଇନ୍ଦ୍ର ନୁହନ୍ତି ତ ! 


ବାଣ ଛଳରେ ଆକାଶରୁ ଅଗ୍ନି ବର୍ଷା ହେବାରେ ଲାଗିଲା। ବାୟବ୍ୟ ଶରରେ ଉଡିଗଲେ ପାଞ୍ଚାଳ ବାହିନୀ।ଗୁରୁଙ୍କ ପ୍ରଦତ୍ତ ଅଲୌକିକ ଯୁଦ୍ଧବିଦ୍ୟାର ସଫଳ ପ୍ରୟୋଗ କରି ପାଞ୍ଚାଳ ବାହିନୀକୁ ଧ୍ବସ୍ତବିଧ୍ବସ୍ତ କରି ଦେଲେ ଫାଲଗୁନୀ। ପାଞ୍ଚାଳ ସେନା ଛିନ୍ନଛତ୍ର ହୋଇ ପଳାୟନ କଲେ। ଅକସ୍ମାତ ଶ୍ବେନପକ୍ଷୀ ଶଶକକୁ ଧରି ଆକାଶରେ ଉଡିଗଲା ପରି ଅର୍ଜୁନ ଦ୍ରୁପଦଙ୍କୁ ତାଙ୍କ ରଥରୁ ଉଠାଇନେଇ ବନ୍ଦୀକଲେ। ପାଞ୍ଚାଳର ପତନ ହେଲା।


ଦ୍ରୁପଦଙ୍କୁ ବନ୍ଦୀ କରି ଗୁରୁଙ୍କ ପାଖରେ ଉପସ୍ଥିତ କରିବା ସମୟରେ ଦୁର୍ଯ୍ୟୋଧନ ବଡ଼ ଅସଭ୍ୟ ବ୍ୟବହାର କରୁଥିଲେ ଦ୍ରୁପଦଙ୍କ ସହିତ। ସବୁ ଶିଷ୍ଟାଚାର ଭୁଲିଯାଇ, ଦ୍ରୁପଦଙ୍କ ବାଳକୁ ଝିଙ୍କି, ତାଙ୍କୁ ଘୋଷାରି ଘୋଷାରି ଗୁରୁଙ୍କ ପାଦତଳେ ନିକ୍ଷେପ କଲେ ଦୁର୍ଯ୍ୟୋଧନ, ସତେ ଯେମିତି ନିଜେ ଯୁଦ୍ଧରେ ଜୟଲାଭ କରି ଦ୍ରୁପଦଙ୍କୁ ଶୃଙ୍ଗଳିତ କରିଛନ୍ତି। ଯୁଧିଷ୍ଠିର ଏବଂ ଅର୍ଜୁନ, ଜଣେ ରାଜା ପ୍ରତି ଏଭଳି ବ୍ୟବହାରର ଘୋର ବିରୋଧ କଲେ। ତଥାପି ଦୁର୍ଯ୍ୟୋଧନ କର୍ଣ୍ଣପାତ କରୁନଥିଲେ।


ଦ୍ରୋଣଙ୍କ ପାଦତଳେ ନତମସ୍ତକ ହୋଇ ବସିଥାନ୍ତି ଦ୍ରୁପଦ। ଧୂଳି ଧୂସରିତ ଶରୀର, ଶୃଙ୍ଖଳିତ ହସ୍ତପଦ, ଅପମାନରେ ଆରକ୍ତ ମୁଖମଣ୍ଡଳ; ଦ୍ରୁପଦଙ୍କୁ ଅଧିକ ଅପମାନିତ କରିବାକୁ ବାରଣ କଲେ ଦ୍ରୋଣ। ବନ୍ଧନ ମୁକ୍ତ କରି କହିଲେ.. ମନେଅଛି ବନ୍ଧୁ ? ପୂର୍ଣ୍ଣ ରାଜଦରବାରରେ ମୋତେ କିପରି ଭିକ୍ଷାଶୀ ବ୍ରାହ୍ମଣ କହି ଅପମାନିତ କରିଥିଲ ? ତୁମ ଅଙ୍ଗରକ୍ଷୀମାଙ୍କର ଗଳାଧକ୍କା ଏବଂ ସଭାସଦମାନଙ୍କର ତାତ୍ସଲ୍ୟ ମୁଁ କିପରି ଭୁଲିଯିବି ବନ୍ଧୁ ଦ୍ରୁପଦ ! କଣ କହିଥିଲ ମନେ ଅଛି ତ, ବାହୁବଳରେ ରାଜ୍ୟ ପ୍ରତିଷ୍ଠା କର ? ଏଇ ଦେଖ ବାହୁବଳରେ ତୁମ ରାଜ୍ୟ ତୁମ୍ଭଠାରୁ ଛଡ଼ାଇ ନେଲି; ଚାହିଁଲେ ଏହି ମୁହୂର୍ତ୍ତରେ ତୁମର ମସ୍ତକ ଭୂଲୁଣ୍ଠିତ କରିପାରିବି; କିନ୍ତୁ ନାଁ ତାହା ମୁଁ କରିବି ନାହିଁ ବନ୍ଧୁ, କାରଣ ତୁମେ ମୋର ଗୁରୁକୁଳର ସେହି ପ୍ରିୟତମ ସଖା ଦ୍ରୁପଦ। ତୁମକୁ ଜୀବନ ଦାନ ଦେଉଛି, କିନ୍ତୁ ସର୍ତ୍ତ ଅନୁଯାୟୀ ତୁମ ରାଜ୍ୟରୁ ଅର୍ଦ୍ଧେକ ମୁଁ ଛଡାଇନେବି। ଗଙ୍ଗା ନଦୀର ଉତ୍ତର ପାର୍ଶ୍ଵରେ ଥିବା "ଅହିଛତ୍ର" କ୍ଷେତ୍ର ଆଜି ଠାରୁ ମୋ ଅଧୀନରେ ଶାସିତ ହେବ।


ବନ୍ଧନ ମୁକ୍ତ ହେବାପରେ ଅପମାନିତ ଏବଂ ଲଜ୍ଜିତ ହୋଇ ଦ୍ରୁପଦ କ୍ଷଣେମାତ୍ର ନରହି ପଳାୟନ କଲେ। କୌରବଙ୍କ ଅପମାନ ଏବଂ ଦ୍ରୋଣଙ୍କ ଦ୍ବାରା ପାଇଥିବା ଜୀବନଦାନ ତାଙ୍କୁ ବୋଝ ଭଳି ଲାଗିଲା। ଘୋର ତପସ୍ୟାରେ ନିମଗ୍ନ ହେଲେ ଦ୍ରୁପଦ। ଦ୍ରୋଣଙ୍କ ଉପରେ ଅପମାନର ପ୍ରତିଶୋଧ ନେବାପାଇଁ ପୁତ୍ରେଷ୍ଟି ଯଜ୍ଞ ଅନୁଷ୍ଠାନ କଲେ। ଉଦ୍ଦେଶ୍ୟ, ଦେବତାମାନଙ୍କୁ ସନ୍ତୁଷ୍ଟ କରି, ବୀରପୁତ୍ର ଲାଭକରି ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା। ଯଜ୍ଞରୁ ଜାତହେଲେ କନ୍ୟା ଯାଜ୍ଞସେନୀ ଏବଂ ପୁତ୍ର ଧୃଷ୍ଟଦ୍ୟୁମ୍ନ।ଯାଜ୍ଞସେନୀ ଜନ୍ମ ହେବା ସମୟରେ ଶୂନ୍ୟବାଣୀ ହେଲା...ଏହି କନ୍ୟା ଭବିଷ୍ୟତରେ ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।


ଯାଜ୍ଞସେନୀ ସେ ସମୟରେ ଆର୍ଯ୍ୟାବର୍ତ୍ତରେ ସବୁଠାରୁ ସୁନ୍ଦରୀ କନ୍ୟା ଥିଲେ; ବର୍ଣ୍ଣ ଥିଲା ଶ୍ୟାମଳ, କୁଞ୍ଚିତ କେଶା, ଏବଂ ରାଜକନ୍ୟାଙ୍କ ଶରୀରରୁ ପଦ୍ମଗନ୍ଧ ପ୍ରସରିତ ହେଉ ଥିଲା । ତାଙ୍କର ଅନେକ ଗୁଡ଼ିଏ ନାମ ଥିଲା.. ଦ୍ରୁପଦଙ୍କ କନ୍ୟା ହୋଇ ଥିବାରୁ "ଦ୍ରୌପଦୀ", ଯଜ୍ଞରୁ ସମ୍ଭୂତା ହୋଇ ଥିବାରୁ "ଯାଜ୍ଞସେନୀ", ବର୍ଣ୍ଣ ଶ୍ୟାମଳ ହୋଇ ଥିବାରୁ "କୃଷ୍ଣା", ଏବଂ ପାଞ୍ଚାଳର ରାଜକନ୍ୟା ହୋଇ ଥିବାରୁ "ପାଞ୍ଚାଳୀ"।  


କ୍ରମଶଃ.....


Rate this content
Log in

Similar oriya story from Classics