କଥା କାଦମ୍ବରୀଭାଗ ୧୮
କଥା କାଦମ୍ବରୀଭାଗ ୧୮
ଅନ୍ଧ ରାଜପୁତ୍ରର ପ୍ରାରବ୍ଧ
ନିଯୋଗ ବିଧାନ ଅନୁସାରେ ଧୃତରାଷ୍ଟ୍ର,ପଣ୍ଡୁ ଏବଂ ବିଦୂର ବ୍ୟାସଦେବଙ୍କ ଔରସରୁ ଜନ୍ମ ନେଲା ପରେ ହସ୍ତିନା ପାଇଁ ଆଉ ଉତ୍ତରାଧିକାର ସମସ୍ୟା ରହିଲା ନାହିଁ।ଦୁଇ ଯୁବରାଜ ଏବଂ ଦାସୀପୁତ୍ର ବିଦୂରଙ୍କୁ ସମସ୍ତ ବିଦ୍ୟାରେ ପାରଙ୍ଗମ କରାଇଲେ ଭୀଷ୍ମ। ସମୟ କ୍ରମେ ଭୀଷ୍ମ ଅନୁଭବ କଲେ ଯେ ହସ୍ତିନାର ସୁରକ୍ଷିତ ରାଜମୁକୁଟ ଦୁଇ ରାଜପୁତ୍ର ମାନଙ୍କ ମଧ୍ୟରୁ ଜଣଙ୍କୁ ଦେବାର ସମୟ ଆସିଯାଇଛି। ସତ୍ୟବତୀଙ୍କ ପାଖରେ ନିଜର ମନୋବାଞ୍ଛା ବ୍ୟକ୍ତ କଲେ ପିତାମହ ଭୀଷ୍ମ।
..... କିନ୍ତୁ କାହା ମସ୍ତକରେ ଶୋଭା ପାଇବ ଏ ରାଜମୁକୁଟ ! "ଜ୍ୟେଷ୍ଠ ପୁତ୍ର ଭାବରେ ସିଂହାସନ ଧୃତରାଷ୍ଟ୍ରଙ୍କର ପ୍ରାପ୍ୟ" ଏହି ମତ, ପୂର୍ଣ୍ଣ ରାଜସଭାରେ ବ୍ୟକ୍ତ କଲେ ପିତାମହ ଭୀଷ୍ମ। ଭୀଷ୍ମଙ୍କ ମତାମତକୁ ପ୍ରାୟତଃ ଗ୍ରହଣ କରିବାକୁ ଯାଉଥିଲେ ସତ୍ୟବତୀଙ୍କ ସମେତ ଅନ୍ୟାନ୍ୟ କୁରୁ ଶ୍ରେଷ୍ଠ। କିନ୍ତୁ ଯୋଡହସ୍ତରେ ନିଜର ମନ୍ତବ୍ୟରେ ବିଜ୍ଞ ବିଦୂର କହିଲେ... ମୋର ଧୃଷ୍ଟତା ମାର୍ଜନା କରନ୍ତୁ ସଭାସଦଗଣ; ହସ୍ତିନାର ରାଜସିଂହାସନରେ ବସିବାର ଯୋଗ୍ୟତା ଜନ୍ମଗତ ଅଧିକାରକୁ ନେଇ ବିବେଚନା କରିବା ଉଚିତ ନୁହେଁ ବରଂ ଶାରୀରିକ ସକ୍ଷମତା ସହିତ ମାନସିକ ଦୃଢ଼ତାକୁ ନେଇ ବିଚାର କରିବା ଉଚିତ୍।"
----- ରାଜମାତା ସତ୍ୟବତୀ କହିଲେ...ତୁମର ମତାମତ ତୁମେ ନିର୍ଭୟରେ ଉପସ୍ଥାପିତ କରିପାର ଵିଜ୍ଞ ବିଦୂର।ବିଦୂର କହିଲେ..
ପାଣ୍ଡିତ୍ୟରେ ଏବଂ ଶାସନ କୁଶଳତାରେ ଉଭୟେ ଧୃତରାଷ୍ଟ୍ର ଏବଂ ପଣ୍ଡୁ ପାରଙ୍ଗମ,କିନ୍ତୁ ଧୃତରାଷ୍ଟ୍ର ଚକ୍ଷୁହୀନ। ରାଜ୍ୟଶାସନ ପାଇଁ ଜ୍ଞାନନେତ୍ର ଯେତିକି ଆବଶ୍ୟକ,ବାସ୍ତବ-ନେତ୍ର ଏବଂ ସମରନୈପୁଣ୍ୟ ମଧ୍ୟ ସେତିକି ଆବଶ୍ୟକ। ତେଣୁ ପଣ୍ଡୁଙ୍କୁ ହସ୍ତିନାର ରାଜଦଣ୍ଡ ଦେବା ଉଚିତ ବୋଲି ମୋର ଅଭିମତ। ଜ୍ୟେଷ୍ଠଭ୍ରାତ ଧୃତରାଷ୍ଟ୍ରଙ୍କ ଉପଦେଶ ନେଇ ପାଣ୍ଡୁ ରାଜ୍ୟ ଶାସନ କରିବା ଉଚିତ।ବିଦୂରଙ୍କର ଏହି ପରାମର୍ଶ ଶୁଣି ଧୃତରାଷ୍ଟ୍ରଙ୍କ ମୁହଁରୁ ଆନନ୍ଦର ଜ୍ୟୋତି ଲିଭିଲା। କିନ୍ତୁ ତାଙ୍କପାଇଁ ଆଉ କିଛି ଉପାୟ ନଥିଲା।ରାଜସଭା ଏହା ଉପରେ ନିର୍ଣ୍ଣୟ ନେଇ ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପୂର୍ବରୁ ଧୃତରାଷ୍ଟ୍ର ପଣ୍ଡୁଙ୍କ ସପକ୍ଷରେ ନିଜର ମତାମତ ଦେବା ଉଚିତ ମନେ କଲେ।
----- ରାଜସଭାରେ ଉପସ୍ଥିତ ଧୃତରାଷ୍ଟ୍ର କହିଥିଲେ..ହେ ବିଜ୍ଞ ସଭାସଦ ଗଣ ! ଜନ୍ମାନ୍ଧ ଏ ଧୃତରାଷ୍ଟ୍ରର ଶକ୍ତି ନାହିଁ ଚାରିପାଖରେ ରହିଥିବା ପଦାର୍ଥ ଦେଖିବା ପାଇଁ ଏବଂ ଘଟୁଥିବା ଘଟଣାବଳୀ ଜାଣିବାପାଇଁ,ଏ ବିଶାଳ ସାମ୍ରାଜ୍ୟ ସେ କିପରି ଶାସନ କରିପାରିବ?ରାଜ୍ୟର ଶକ୍ତି ରାଜାର ଶକ୍ତି ଉପରେ ନିର୍ଭର କରେ;ଏହା ସତ୍ୟ ଯେ ଲୌହ ଗୋଲକ ମୁଁ ବିଧାମାରି ଚୁର୍ଣ୍ଣ କରି ଦେଇ ପାରେ,କିନ୍ତୁ ମୋ ଭଳି ଜଣେ ଅନ୍ଧ ରାଜାକୁ
ସିଂହାସନରେ ଆସୀନ ଦେଖି ପଡୋଶୀ ରାଜ୍ୟ ହସ୍ତିନାକୁ ଦୁର୍ବଳ ମନେକରିବେ।କୁରୁ ବଂଶର ଯେବେ ମୁଁ ଏକମାତ୍ର ଦାୟାଦ ହୋଇଥାନ୍ତି ତାହା ଭିନ୍ନ କଥା;ମୋଠାରୁ ଯୋଗ୍ୟ ମୋର ଅନୁଜ ପାଣ୍ଡୁ,କାରଣ ସେ ଚକ୍ଷୁଷ୍ମାନ।ଭାଗ୍ୟ ଧୃତରାଷ୍ଟ୍ରର ଅନୁକୂଳ ନୁହେଁ;ପ୍ରିୟ ପଣ୍ଡୁଙ୍କୁ ହିଁ ରାଜ୍ୟ ଭାର ଅର୍ପଣ କରାଯାଉ।"
ଧୃତରାଷ୍ଟ୍ର ତାଙ୍କ ମନକଥା ବ୍ୟକ୍ତ କଲାପରେ ସମସ୍ତେ ଅନୁଭବ କଲେ ଯେ ସ୍ବତଃପ୍ରବୃତ ଭାବରେ , ଆନନ୍ଦରେ ଧୃତରାଷ୍ଟ୍ର ପଣ୍ଡୁଙ୍କୁ ରାଜମୁକୁଟ ଦାନ କରିଦେଲେ। ତେଣୁ ପଣ୍ଡୁଙ୍କୁ ହସ୍ତିନାର ସିଂହାସନରେ ମହା ଆଡ଼ମ୍ବରରେ ଅଭିଷିକ୍ତ କରାଗଲା।
କିନ୍ତୁ ବାସ୍ତବରେ ଧୃତରାଷ୍ଟ୍ର ଆନନ୍ଦରେ କନିଷ୍ଠ ପଣ୍ଡୁଙ୍କୁ ସିଂହାସନ ଦାନ କରିନଥିଲେ।ତାଙ୍କ ମନ ଭିତରେ ସିଂହାସନ ପାଇବାର ମହତ ଆକାଂକ୍ଷା ଏବଂ ବିବେକ ଭିତରେ ସବୁବେଳେ ସଂଘର୍ଷ ଲାଗି ରହିଥିଲା।ବ୍ୟାସଦେବଙ୍କ ବରଦାନ ଅନୁସାରେ ତାଙ୍କ ଦେହରେ ଶହେଟି ହାତୀର ବଳ ଥିଲା ଏବଂ ଲୌହ ମୁଦ୍ଗର ବା ଗୋଲକକୁ ହାତରେ ଚିପି ଚୁନା କରିପାରିବା ଶକ୍ତି ତାଙ୍କ ଦେହରେ ଥିଲା, କିନ୍ତୁ ଜନ୍ମାନ୍ଧ ହୋଇ ଥିବାରୁ ଭାଗ୍ୟ ତାଙ୍କ ସହିତ ନଥିଲା।ତାଙ୍କ ଦୁର୍ଭାଗ୍ୟ ପାଇଁ ସେ ସର୍ବଦା ଦୁଇଜଣଙ୍କୁ ଦୋଷ ଦେଉଥିଲେ, ମାତା ଅମ୍ବିକା ଏବଂ ବିଦୂର କାରଣ ନିଯୋଗ ବିଧାନ ସମୟରେ ମାତା ଆଖି ବୁଜି ଦେଇ ନଥିଲେ ସେ ଅନ୍ଧ ହୋଇ ନଥାନ୍ତେ ଏବଂ ବିଦୂର ବିଜ୍ଞତା ଦେଖାଇ ପରାମର୍ଶ ଦେଇନଥିଲେ କୁରୁ-ବରିଷ୍ଠ ମାନେ ତାଙ୍କ ସ୍ଥାନରେ କନିଷ୍ଠ ପଣ୍ଡୁଙ୍କୁ ରାଜମୁକୁଟ ଦାନ କରିନଥାନ୍ତେ।
----- ସେଥିପାଇଁ ଧୃତରାଷ୍ଟ୍ର ଅନ୍ତର ଭିତରେ ବିଦୂରଙ୍କୁ ଭଲ ପାଉନଥିଲେ। ପରବର୍ତ୍ତୀ ସମୟରେ ପଣ୍ଡୁଙ୍କ ଅବର୍ତ୍ତମାନରେ ସେ ଯେତେବେଳେ ରାଜା ହେଲେ ସେତେବେଳେ ନିଜ ପୁତ୍ର ଦୁର୍ଯ୍ୟୋଧନର ବିଦୂରଙ୍କପ୍ରତି ଅସଭ୍ୟ ବ୍ୟବହାରକୁ ସେ ଅଣଦେଖା କରିଦେଉଥିଲେ।ଥରେ ଦୁର୍ଯ୍ୟୋଧନ ବିଦୂରଙ୍କୁ ଦାସୀପୁତ୍ର କହି ଅପମାନିତ କଲାବେଳେ ଧୃତରାଷ୍ଟ୍ର ଏତିକି ମାତ୍ର କହିଥିଲେ... ପ୍ରିୟ ଦୁର୍ଯ୍ୟୋଧନ ! ହସ୍ତିନାର ମହାମନ୍ତ୍ରୀଙ୍କ ପ୍ରତି ଏପରି ଅପଶବ୍ଦ ଶୋଭା ପାଏ ନାହିଁ।"ସେ ସମୟରେ ବିଦୂରଙ୍କୁ "ମହାମନ୍ତ୍ରୀ" ନକହି "କୁରୁବଂଶର ଦାୟାଦ" ବୋଲି କହିଥିଲେ ବିଦୂର ଆନନ୍ଦିତ ହୋଇଥାନ୍ତେ।
---- ନିଜ କର୍ମଫଳ ପାଇଁ ଅନ୍ୟକୁ ଦୋଷଦେବା ସମୀଚିନ ନୁହେଁ। ସେଥିପାଇଁ ମହାଭାରତ ଯୁଦ୍ଧ ଶେଷରେ ଯେତେବେଳେ କାନ୍ଦି କାନ୍ଦି ଶ୍ରୀକୃଷ୍ଣଙ୍କୁ ଧୃତରାଷ୍ଟ୍ର ପଚାରିଲେ ଯେ ଶହେ ପୁତ୍ରଙ୍କୁ ହରାଇ ସାରା ଜୀବନ କାନ୍ଦିବାର ଦୁର୍ଭାଗ୍ୟ କାହିଁକି ତାଙ୍କ ଜୀବନରେ ଆସିଲା, ଶ୍ରୀକୃଷ୍ଣ କହିଥିଲେ...ହେ କୁରୁ ଶ୍ରେଷ୍ଠ! ଏହା ଆପଣଙ୍କ ପୂର୍ବ ଜନ୍ମର କର୍ମଫଳ। ସଂସାରରେ ମନୁଷ୍ୟର ଦୈନନ୍ଦିନ କରୁଥିବା କର୍ମଫଳକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା କ୍ରିୟମାଣ, ସଞ୍ଚିତ ଏବଂ ପ୍ରାରବ୍ଧ।କ୍ରିୟମାଣ କର୍ମରଫଳ, ବର୍ତ୍ତମାନ ଜୀବନକାଳରେ ସଙ୍ଗେ ସଙ୍ଗେ ବା କିଛି ଦିନ/ବର୍ଷ ଭିତରେ ଅନୁଭୂତ ବା ଫଳପ୍ରଦ ହୁଏ।ଫଳବତୀ ନହୋଇ ଥିବା ଏ ଜନ୍ମର ଉଦ୍ବୃତ୍ତ କର୍ମଫଳର ନାମ ସଞ୍ଚିତ କର୍ମଫଳ। ବିଭିନ୍ନ ଜନ୍ମର ସଞ୍ଚିତ କର୍ମଫଳର ସମାହାରର ନାମ ପ୍ରାରବ୍ଧ।ପରଜନ୍ମ ମାନଙ୍କରେ ଉଚିତ ସମୟ ଆସିଲେ ଅନୁଭୂତ ହୁଏ ଏହି ପ୍ରାରବ୍ଧ କର୍ମଫଳ।"
ଶ୍ରୀକୃଷ୍ଣଙ୍କ କଥା ଶୁଣି ସେ ସମୟରେ ଧୃତରାଷ୍ଟ୍ର ପଚାରିଥିଲେ.. ହେ କୃଷ୍ଣ ! ଏ ଅନ୍ଧ ଧୃତରାଷ୍ଟ୍ରକୁ ତାର ପୂର୍ବ କର୍ମ ବିଷୟରେ ସୂଚନା ଦିଅନ୍ତୁ।
----- ଶ୍ରୀକୃଷ୍ଣ କହିଥିଲେ.. ପ୍ରାୟ ପଚାଶ ଜନ୍ମ ପୂର୍ବେ ଆପଣ ଜଣେ କ୍ରୂର ରାଜା ଥିଲେ। ପଶୁପକ୍ଷୀ ମାନଙ୍କୁ ଧରି କ୍ଷନ୍ତ୍ରଣା ଦେବା ଆପଣଙ୍କର ସଉକ୍ ଥିଲା।ଥରେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିବା ଶହେଟି ହଂସ ପକ୍ଷୀଙ୍କୁ ଆପଣ ନିର୍ମମ ଭାବରେ ହତ୍ୟାକରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ପିତା-ପକ୍ଷୀର ଆଖି ମଧ୍ୟ ତାଡିଦେଇ ସେ ପାଉଥିବା ଯନ୍ତ୍ରଣାକୁ ଉପଭୋଗ କରିଥିଲେ। ସେଥିପାଇଁ ଏ ଜନ୍ମରେ ଆପଣ ଜନ୍ମାନ୍ଧ ହୋଇ ପୁତ୍ର ଶୋକ ଭୋଗ କରୁଛନ୍ତି।
ଧୃତରାଷ୍ଟ୍ର ପଚାରିଥିଲେ...ପଚାଶ ଜନ୍ମପୂର୍ବେ କରିଥିବା କର୍ମର ଭୟାନକ ଫଳ ସଙ୍ଗେ ସଙ୍ଗେ ନମିଳି ଏତେ ଜନ୍ମ ପରେ କାହିଁକି ମୋତେ ମିଳିଲା କୃଷ୍ଣ !
---- -- ଶ୍ରୀକୃଷ୍ଣ କହିଲେ...ହେ କୁରୁ ଶ୍ରେଷ୍ଠ ! ସମୟ ପୂର୍ବରୁ କୌଣସି ଘଟଣା ଘଟେ ନାହିଁ, ଏହା ହିଁ ସୃଷ୍ଟିର ନିୟମ। ଆପଣଙ୍କୁ ପଚାଶ ଜନ୍ମର ଅବସର ମିଳିଲା ପୁଣ୍ୟ କର୍ମ କରି ପାପକର୍ମର ଫଳକୁ ହ୍ରାସ କରିବାପାଇଁ। ପ୍ରତି ଜନ୍ମରେ ଘଟୁଥିବା କର୍ମଫଳ ଏହିପରି ସଞ୍ଚିତ ହୋଇ ପ୍ରାରବ୍ଧରେ ପରିଣତ ହୁଏ ଓ ପରଜନ୍ମ ମାନଙ୍କରେ ଫଳବତୀ ହୁଏ। ମନୁଷ୍ୟ ଜାଣିନପାରି ଭାବେ.."ଏ ଜନ୍ମରେ ମୁଁ ଏତେ ପୁଣ୍ୟ କାମ କଲେ ମଧ୍ୟ ତାର ଫଳ ମୋତେ କାହିଁକି ମିଳୁନାହିଁ ?"
-----ପୁରାଣ ଓ ମହାଭାରତର ଚରିତ୍ରମାନଙ୍କରେ ସମାଜରେ ଥିବା ବିଭିନ୍ନ ବ୍ୟକ୍ତି ଚରିତ୍ର ମାନଙ୍କର ପ୍ରତିଫଳନ ଥାଏ। ପଦପଦବୀର ଅଧିକାରୀ ହୋଇ ଉଚ୍ଚକୁଳ ସମ୍ଭୂତ ମହତାକାଂକ୍ଷୀ,ଲୋଭମୋହରେ ଜର୍ଜରିତ ଧୃତରାଷ୍ଟ୍ରମାନଙ୍କର ଅଭାବ ନାହିଁ ସମାଜରେ; ନୀଚ୍ଚକୁଳ ସମ୍ଭୂତ ହୋଇମଧ୍ୟ ଲୋଭ ମୋହ ଶୂନ୍ୟ ବିଦୂରମାନେ ରହିଛନ୍ତି ସଂସାରରେ।
ପ୍ରାରବ୍ଧର ଫଳାଫଳ ସପକ୍ଷରେ ଏବଂ ବିପକ୍ଷରେ ଅନେକ ଯୁକ୍ତି ଥାଇପାରେ, କିନ୍ତୁ ପୁଣ୍ୟକର୍ମ ଏବଂ ପାପକର୍ମର ଫଳ ଯେ ହଠାତ୍ ଫଳେ ନାହିଁ,ଏହାର ଅନେକ ଦୃଷ୍ଟାନ୍ତ ଅଛି।
