STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀଭାଗ ୧୭

କଥା କାଦମ୍ବରୀଭାଗ ୧୭

4 mins
204

କଥା କାଦମ୍ବରୀ

ଭାଗ ୧୭

================================

ଯମଙ୍କ ବିଦୂର ଅବତାର

(ପୂର୍ବ ପ୍ରକାଶିତ ଉତ୍ତାରୁ)

================================

ନିଯୋଗ ବିଧିରେ ଅମ୍ବିକା ଏବଂ ଅମ୍ବାଳିକା ସହିତ ବ୍ୟାସଦେବ ସହବାସ କଲାପରେ ସେମାନଙ୍କ ଗର୍ଭରୂ ଯଥାକ୍ରମେ ଅନ୍ଧ ଧୃତରାଷ୍ଟ୍ର ଏବଂ ପାଣ୍ଡୁର-ବର୍ଣ୍ଣ ପାଣ୍ଡୁ ଜାତହେଲେ।ଅମ୍ବିକାଙ୍କ ଦାସୀଗର୍ଭରୁ ଜାତହେଲେ ସର୍ବଗୁଣସମ୍ପନ୍ନ ଧୀମାନ ପୁତ୍ର ବିଦୂର।

ବିଦୂର ଧର୍ମ(ଯମ)ଙ୍କ ଅବତାର ଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି।

----- ଥରେ ମହର୍ଷି ମାଣ୍ଡବ୍ୟ,ଘୋର ଅରଣ୍ୟରେ,ଆଶ୍ରମ ବାହାରେ, ସତ୍ୟ ସନ୍ଧାନରେ ଘୋର ତପସ୍ୟାରେ ନିମଗ୍ନ ଥିଲେ।ପର୍ଣ୍ଣକୁଟୀର ବାହାରେ ଗୋଟିଏ ବୃକ୍ଷମୂଳରେ ତପସ୍ୟାରେ ଆତ୍ମବିସ୍ମୃତ ଅବସ୍ଥାରେ ରହିଥିବା ବେଳେ,ନଗରରୁ ଲୁଣ୍ଠନ ଦ୍ରବ୍ୟ ଧରି ଦଳେ ତସ୍କର ମହର୍ଷିଙ୍କ ଆଶ୍ରମରେ ପହଞ୍ଚିଲେ। ସେମାନଙ୍କ ପଛରେ ରାଜାଙ୍କ ସୈନ୍ୟମାନେ ପିଛା କରୁଥିଲେ।ସୈନ୍ୟମାନଙ୍କ ଡରରେ ତସ୍କରମାନେ ମହର୍ଷିଙ୍କ କୁଟୀର ଭିତରେ ଲୁଣ୍ଠିତ ପଦାର୍ଥକୁ ଲୁଚାଇ ଦେଇ ଅରଣ୍ୟ ଭିତରକୁ ଚାଲିଗଲେ। ସୈନିକ ମାନେ ଆଶ୍ରମବାହାରେ ଧ୍ୟାନରେ ବସିଥିବା ମାଣ୍ଡବ୍ୟଙ୍କୁ ତସ୍କର ମାନଙ୍କ ବିଷୟରେ ପଚାରିଲେ। ଧ୍ୟାନରତ ମାଣ୍ଡବ୍ୟ କିଛି ଉତ୍ତର ଦେଲେ ନାହିଁ। ସୈନ୍ୟମାନେ ମୁନିଙ୍କ ପର୍ଣ୍ଣକୁଟୀର ଭିତରେ ପଶି ସେଠାରେ ଲୁଣ୍ଠିତ ପଦାର୍ଥ ଦେଖିବାକୁ ପାଇଲେ।ମାଣ୍ଡବ୍ୟଙ୍କୁ ତସ୍କରଙ୍କ ମୁଖିଆ ବୋଲି ମନେକରି, ସୈନିକମାନେ ତାଙ୍କୁ ସେଠାରେ ଜଗି ରହିଲେ ଏବଂ ରାଜାଙ୍କୁ ସବିଶେଷ ବିବରଣୀ ଜଣାଇଲେ।


-----ସୈନିକ ମାନଙ୍କଠାରୁ ସବୁ ଶୁଣି ରାଜା ମଧ୍ୟ ଭାବିନେଲେ ଯେ ଧ୍ୟାନରତ ବ୍ୟକ୍ତି ହିଁ ଚୋରଙ୍କ ସର୍ଦ୍ଦାର।

ମାଣ୍ଡବ୍ୟ ନିରୁତ୍ତର ରହିବାକଥା ଶୁଣି ତାହା ଚୋର ସର୍ଦ୍ଦାରର ଛଳନା ବୋଲି ମନେକରି ରାଜା ତାଙ୍କୁ ଶୂଳି ଚଢାଇ ମାରିବାପାଇଁ ଆଦେଶ ଦେଲେ।ରାଜା ସତ୍ୟାସତ୍ୟ ଜାଣିବା ପାଇଁ ନିଜେ ଯଦି ଋଷିଙ୍କ ଆଶ୍ରମକୁ ଯାଇଥାନ୍ତେ,ତାହେଲେ ମାଣ୍ଡବ୍ୟଙ୍କୁ ଚିହ୍ନି ପାରିଥାନ୍ତେ।ରାଜାଙ୍କର ଏହି ସାମାନ୍ୟ ଭୁଲ୍ ଯୋଗୁଁ ଅଘଟଣ ଘଟିଗଲା। ରାଜାଙ୍କର ଆଦେଶ ତକ୍ଷଣାତ୍ କାର୍ଯ୍ୟରେ ପରିଣତ କରିଦିଆଗଲା।


-----ମାଣ୍ଡବ୍ୟଙ୍କୁ ଶୂଳିରେ ଚଢାଇ ଥିବା ରାଜକର୍ମଚାରୀମାନେ ଆଶ୍ଚର୍ଯ୍ୟ;ତପୋବଳ ଯୋଗୁଁ ମହର୍ଷିଙ୍କ ପ୍ରାଣ ଗଲା ନାହିଁ। ଘଟଣାଟି ରାଜାଙ୍କ କାନକୁ ଗଲା।ରାଜା ଶୂଳି ଦିଆଯାଉଥିବା ସ୍ଥାନରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇ ଗଲେ..ଏ ତ ମାଣ୍ଡବ୍ୟ ଋଷି !

ଋଷିଙ୍କୁ ଶୂଳିରୁ ଅବତରଣ କରାଗଲା।ରାଜା ସାଷ୍ଟାଙ୍ଗ ମାଣ୍ଡଵ୍ୟଙ୍କ ପାଦତଳେ ପଡ଼ି ତାଙ୍କ ଅଜ୍ଞାତରେ ହୋଇ ଥିବା ଅପରାଧ ପାଇଁ କ୍ଷମା ମାଗିଲେ।

 ସେ ସମୟରେ ଅରଣ୍ୟରେ ଥିବା ଅନ୍ୟାନ୍ୟ ମୁନିଋଷିମାନେ ପହଞ୍ଚି ଯାଇଥିଲେ।ସେମାନଙ୍କୁ ଦେଖି ମାଣ୍ଡବ୍ୟ କହିଲେ....କାହାକୁ ମୁଁ ଦୋଷ ଦେବି ? ଯେଉଁମାନେ ପ୍ରଜାଙ୍କୁ ନ୍ୟାୟ ଦେବା କଥା, ସେମାନେ ଏପରି କାର୍ଯ୍ୟ କରୁଛନ୍ତି।


----- ରାଜା,ତାଙ୍କ ଅବିବେକିତାର ଦଣ୍ଡ ପାଇବା ଉଚିତ।ସମସ୍ତେ ଭାବିଥିଲେ ମାଣ୍ଡବ୍ୟ ରାଜାଙ୍କୁ ଅଭିଶାପ ଦେବେ। କିନ୍ତୁ ମାଣ୍ଡବ୍ୟ ତାହା ନକରି,ନିଜର ଅପରାଧ କଣ ଜାଣିବାପାଇଁ ସିଧା ଯମାଳୟରେ ଧର୍ମଦେବତା(ଯମ)ଙ୍କ ନିକଟରେ ପହଞ୍ଚିଲେ।

ମାଣ୍ଡବ୍ୟ କହିଲେ...ଧର୍ମଦଣ୍ଡ ଧାରକ, ପ୍ରାଣୀ ମାନଙ୍କର ପାପ ପୁଣ୍ୟର ବିଚାରକ ହେ ଯନ୍ତୁପତି ! ଜୀବନରେ ଜ୍ଞାତସାରରେ ମୁଁ ପିମ୍ପୁଡ଼ିଟିଏ ମଧ୍ୟ ମାରି ନାହିଁ।ତେବେ ମୋର କେଉଁ ଅପରାଧରେ ମୋତେ ଶୂଳିଦଣ୍ଡ ମିଳିଲା ଜାଣି ପାରେ କି?

ଧର୍ମରାଜ ମାଣ୍ଡବ୍ୟଙ୍କର ତପୋଶକ୍ତି ବିଷୟରେ ଅବଗତ ଥିଲେ।ବିନମ୍ରତା ସହିତ ଯମ କହିଲେ...ମହାଭାଗ ଆପଣ ଗୋଟିଏ କଙ୍କି ଦେହରେ କଣ୍ଟାଟିଏ ଫୋଡିଥିଲେ;ତେଣୁ ସେହି ପ୍ରକାର ଦଣ୍ଡ ଆପଣଙ୍କୁ ମିଳିଲା।ତପୋବଳ ଯୋଗୁଁ ଆପଣଙ୍କର ଦଣ୍ଡ ହ୍ରାସ କରାଯାଇ କେବଳ କିଛିକ୍ଷଣ ପାଇଁ କଷ୍ଟ ଦିଆ ଯାଇଥିଲା,ନଚେତ୍ ଶୂଳି ଦଣ୍ଡରେ ଆପଣ ମୃତ୍ୟୁ ବରଣ କରିଥାନ୍ତେ।


ମାଣ୍ଡବ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ..କେବେ ମୁଁ କଙ୍କିର ପୃଷ୍ଠଭାଗରେ କଣ୍ଟା ଫୋଡିଥିଲି?

ଯମରାଜ କହିଲେ...ଆପଣ ଯେତେବେଳେ ପିଲା, ସେହି ସମୟରେ ଏହି କାମଟି କରିଥିଲେ।

କ୍ରୋଧିତ ହୋଇ ମାଣ୍ଡବ୍ୟ କହିଲେ...ବାଲ୍ୟକାଳରେ ଏକ ଅବୋଧ ବାଳକର ଏହି କାର୍ଯ୍ୟ ପାଇଁ ଏତେ ନିର୍ମମ ଦଣ୍ଡ ?ମୋର ସବୁ ପୁଣ୍ୟକର୍ମ ଅଜ୍ଞାନ ବାଳକ ସମୟର କର୍ମଫଳକୁ ହ୍ରାସ କରିପାରିଲା ନାହିଁ?

ଯମ ହୃଦୟଙ୍ଗମ କଲେ ଯେ ଅପରାଧକୁ ଚାହିଁ,ଜଣେ ଧର୍ମପରାୟଣ ବ୍ୟକ୍ତିଙ୍କୁ ଶୂଳିଦଣ୍ଡ ନିଶ୍ଚିତ ଭାବରେ ଅଧିକ ହୋଇଛି।


----- ମାଣ୍ଡବ୍ୟ କହିଲେ...ତୁମର ଏହି ଅବିଵେକୀ କାର୍ଯ୍ୟ ପାଇଁ ତୁମେ ମର୍ତ୍ତ୍ୟରେ ମନୁଷ୍ୟ ହୋଇ ଜନ୍ମ ନେବ।

ମାଣ୍ଡବ୍ୟ ଋଷିଙ୍କ ଅଭିଶାପର ଫଳ ସ୍ବରୂପ ଯମ (ଧର୍ମ) ମନୁଷ୍ୟ ଯୋନିରେ ବିଦୂର ନାମରେ ଅମ୍ଵିକାଙ୍କ ଦାସୀ ଗର୍ଭରୁ ବ୍ୟାସ ଦେବଙ୍କ ଔରଷରୁ ଜନ୍ମ ହୋଇଥିଲେ।


----- ବିଦୂର ଅତି ଜ୍ଞାନୀ ଏବଂ ଧର୍ମଙ୍କ ଅବତାର ଭାବରେ ପରିଗଣିତ ହେଉଥିଲେ।ଅନ୍ୟାୟକୁ ସେ ପ୍ରଶ୍ରୟ ଦେଉନଥିଲେ। ସ୍ପଷ୍ଟବାଦିତା ତାଙ୍କ ଚରିତ୍ର ର ବିଶେଷତ୍ବ ଥିଲା।

"ବିଦୂର"ଶବ୍ଦର ଅର୍ଥ ବିଶେଷ ଭାବରେ ଦୂରଦର୍ଶୀ। ଜ୍ଞାନରେ ତାଙ୍କ ସମକକ୍ଷ ସେ ସମୟରେ ଆର୍ଯ୍ୟାବର୍ତ୍ତରେ କେହି ନଥିଲେ।ତାଙ୍କର ଦୂରଦୃଷ୍ଟି ଓ ଜ୍ଞାନ ଯୋଗୁଁ ଅତି ଅଳ୍ପ ବୟସରେ ସେ ହସ୍ତିନାର ପ୍ରଧାନ ମନ୍ତ୍ରୀ ଭାବରେ ଭୀଷ୍ମଙ୍କ ଦ୍ବାରା ନିଯୁକ୍ତି ପାଇଥିଲେ।


ତାଙ୍କର ପିତା ଥିଲେ ମହାଜ୍ଞାନୀ ତ୍ରିକାଳଦର୍ଶୀ,ପରାଶରନନ୍ଦନ ବେଦବ୍ୟାସ।ତାଙ୍କ ମାତା ଥିଲେ ଅମ୍ବିକାଙ୍କ ଦାସୀ "ପାରିଶ୍ରମୀ"।ତାଙ୍କ ସହଧର୍ମିଣୀଙ୍କ ନାମ ଥିଲା ସୁଲଭା। ସଦାସର୍ବଦା ଧର୍ମ ମାର୍ଗରେ ପରିଚାଳିତ ହୋଇ ସ୍ପଷ୍ଟ କଥା କହୁଥିବାରୁ ଅଧର୍ମୀ ଦୁର୍ଯ୍ୟୋଧନ ପାଇଁ ସେ ଥିଲେ ଚକ୍ଷୁଶୂଳ।ପାଣ୍ଡବ ମାନେ ଧର୍ମପଥରେ ଯାଉଥିବାରୁ ବିଦୂର ସର୍ବଦା ସେମାନଙ୍କୁ ସମର୍ଥନ କରୁଥିଲେ। ଦୁର୍ଯ୍ୟୋଧନ କପଟକରି ପାଣ୍ଡବ ମାନଙ୍କୁ ବାରୁଣାବନ୍ତରେ ଜତୁଗୃହରେ ଦାହ କରିବାପାଇଁ ଷଡ଼ଯନ୍ତ୍ର କରିଥିଲେ। ସଙ୍କେତ ପାଇବାପରେ ବୁଦ୍ଧିମାନ ଵିଦୂର ଯୁଧିଷ୍ଠିରଙ୍କୁ ଷଡ଼ଯନ୍ତ୍ରର ଆଭାସ ଦେଇଥିଲେ।ଫଳରେ ପାଣ୍ଡବମାନେ ଲାକ୍ଷାଗୃହରୁ ପଳାୟନ କରି ଜୀବନ ରକ୍ଷା କରିପାରିଥିଲେ। 


.------- ଦୁର୍ଯ୍ୟୋଧନ ଏବଂ କୌରବ ଭାଇମାନେ ପୂର୍ଣ୍ଣ ରାଜସଭାରେ ତାଙ୍କୁ ଦାସୀପୁତ୍ର ବୋଲି ହେୟଜ୍ଞାନ କରୁଥିଲେ ଏବଂ ଅପମାନ ଜନକ କଥା କହୁଥିଲେ। ତଥାପି ନିଜକୁ ସେ କୁରୁବଂଶର ଦାୟାଦ ମନେକରି ସବୁ ଅପମାନର ବିଷ ପିଇ ଯାଇଥିଲେ।କୁରୁ ସଭାତଳେ ଦ୍ରୌପଦୀଙ୍କୁ ବିବସନ କରିବା ପ୍ରୟାସ ହେଲାବେଳେ ବିଦୂର ଏହାର ଘୋର ପ୍ରତିବାଦ କରିଥିଲେ।କପଟ ପଶା ନଖେଳିବା‌ ପାଇଁ ସେ ଯୁଧିଷ୍ଠିରଙ୍କୁ ବାରମ୍ବାର ବାରଣ କରିଥିଲେ। ପଶାଖେଳ ପାଇଁ ଧୃତରାଷ୍ଟ୍ର ଯେତେବେଳେ ଦୁର୍ଯ୍ୟୋଧନ କଥାରେ ସମ୍ମତ ହେଲେ, ଧୃତରାଷ୍ଟ୍ରଙ୍କ ପାଦତଳେ ପଡିଯାଇ ଏହାକୁ ରୋକିବା ପାଇଁ ବିଦୂର ଅନୁରୋଧ କରିଥିଲେ, କିନ୍ତୁ ପୁତ୍ର ମୋହରେ ଅନ୍ଧ ଧୃତରାଷ୍ଟ୍ର ବିଦୂରଙ୍କ ଉପଦେଶ ମାନି ନଥିଲେ।ଧୃତରାଷ୍ଟ୍ର ମୋହଗ୍ରସ୍ତ ମନ ହେଲେ ବିଦୂର ଥିଲେ ବିବେକ।ମନ ଯେତେବେଳେ ବିବେକ କଥା ନଶୁଣେ ପରିଣାମ ଭୟଙ୍କର ହୁଏ। ତାହାହିଁ ଘଟିଥିଲା ଧୃତରାଷ୍ଟ୍ରଙ୍କ କ୍ଷେତ୍ରରେ।


----- ବିଦୂର କୃଷ୍ଣ-ପ୍ରାଣ ଥିଲେ। କୃଷ୍ଣଙ୍କ ପ୍ରତି ତାଙ୍କର ଅଚଳା ଭକ୍ତି ଥିଲା। କୃଷ୍ଣଙ୍କ ପରି ସେ ମଧ୍ୟ ଚାହୁଁଥିଲେ ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା।ତାଙ୍କର ସରଳ ଜୀବନଯାପନ କୃଷ୍ଣଙ୍କୁ ଅଭିଭୂତ କରିଥିଲା। ସ୍ବାମୀଙ୍କ ପରି 'ସୁଲଭା' ମଧ୍ୟ କୃଷ୍ଣ-ପ୍ରାଣା ଥିଲେ।ଯୁଦ୍ଧ ଅବ୍ୟବହିତ ପୂର୍ବରୁ ଯେତେବେଳେ ଶ୍ରୀକୃଷ୍ଣ ପାଣ୍ଡବ-କୌରବଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାପାଇଁ ହସ୍ତିନା ଯାଇଥିଲେ,ସେ ଦୁର୍ଯ୍ୟୋଧନଙ୍କ ଆତିଥ୍ୟ ଗ୍ରହଣ ନକରି ବିଦୂରଙ୍କ ଘରେ ଶାଗ ପଖାଳ ଖାଇ ତୃପ୍ତ ହୋଇଥିଲେ।


ଯୁଦ୍ଧ ନକରିବାପାଇଁ ବିଦୂର ପ୍ରବର୍ତ୍ତାଇଲେ ମଧ୍ୟ କୌରବମାନେ ତାଙ୍କ ଉପଦେଶ ଶୁଣି ନଥିଲେ।ତେଣୁ ଶେଷରେ ମନ୍ତ୍ରୀପଦ ତ୍ୟାଗକରି ସେ ନିରପେକ୍ଷ ଭୂମିକା ଗ୍ରହଣ କଲେ। ମହାଭାରତ ଯୁଦ୍ଧରେ ସେ ଅସ୍ତ୍ର ଧରିନଥିଲେ।ମହାଭାରତ ଯୁଦ୍ଧ ପରେ ବିଦୂର ଧୃତରାଷ୍ଟ୍ର, ଗାନ୍ଧାରୀ ଏବଂ କୁନ୍ତୀଙ୍କ ସହିତ ଅରଣ୍ୟକୁ ଚାଲିଯାଇ ଶେଷ ଜୀବନ ଯତିବ୍ରତ ପାଳନରେ ବିତାଇ ଦେଇଥିଲେ।


କ୍ରମଶଃ......


Rate this content
Log in

Similar oriya story from Classics