Kulamani Sarangi

Classics

2  

Kulamani Sarangi

Classics

କଥା କାଦମ୍ବରୀଭାଗ ୧୩

କଥା କାଦମ୍ବରୀଭାଗ ୧୩

4 mins
113



ପ୍ରଣୟିନୀ ଅମ୍ବା 

(ପୂର୍ବ ପ୍ରକାଶିତ ଉତ୍ତାରୁ....)


ରାଜମାତା ସତ୍ୟବତୀଙ୍କୁ ଚାହିଁ ଭୀଷ୍ମ କହିଲେ..କାଶୀ ଅଭିଯାନର ଉଦ୍ଦେଶ୍ୟ ଜାଣିବାକୁ ଚାହୁଁଛନ୍ତି ତ ଜନନୀ, ଶୁଣନ୍ତୁ; କାଶୀ ରାଜପୁରୀରୁ ତିନୋଟି କନ୍ୟା ରତ୍ନଙ୍କୁ ଆଣି ମୁଁ ହସ୍ତିନାର ମହାରାଜା ବିଚିତ୍ର ବୀର୍ଯ୍ୟଙ୍କ ହସ୍ତରେ ସମର୍ପଣ କରିବି;ତା ସଙ୍ଗେ ସଙ୍ଗେ ହସ୍ତିନାପ୍ରତି ହୋଇଥିବା ଅବଜ୍ଞା ଓ ଅପମାନର ପ୍ରତିଶୋଧ ନେବା ମଧ୍ୟ ଏହି ଅଭିଯାନର ଉଦ୍ଦେଶ୍ୟ।" ସତ୍ୟବତୀ ଆନନ୍ଦିତ ହୋଇ କହିଲେ.. ବିଜୟୀ ଭବ ମୋର ବୀରପୁତ୍ର। ମୋର ଆଶୀର୍ବାଦକୁ କବଚ କରି ସାଙ୍ଗରେ ଘେନି ଯାଅ।


----- ତେଣେ କାଶୀ ରାଜଦରବାରରେ ସ୍ବୟଂମ୍ବର ସଭାର ବିପୁଳ ଆୟୋଜନ। ବିଭିନ୍ନ ଦେଶରୁ ଆସିଥିବା ଶତାଧିକ ରାଜପୁତ୍ର ଉଦ୍ବିଘ୍ନ ହୋଇ ଅପେକ୍ଷାରତ। ରାଜକନ୍ୟା ଅମ୍ବା,ଅମ୍ବିକା ଓ ଅମ୍ବାଳିକା ବରଣମାଳା ହାତରେ ଧରି ଅପେକ୍ଷା କରିଛନ୍ତି ନିଜର ମନୋନୀତ ପତିଙ୍କ ଗଳାରେ ବରଣମାଳା ଦେବାପାଇଁ।ଅମ୍ବାଙ୍କ ଆଖି ସୌବଳରାଜ ଶାଲ୍ବଙ୍କ ଉପରେ ନିବଦ୍ଧ।ଚାରିଚକ୍ଷୁର ମିଳନରେ ଅଳ୍ପ ହସିଦେଲେ ଶାଲ୍ୱ।ଲଜ୍ଜାରେ ଆରକ୍ତ ହୋଇଗଲା ଅମ୍ବାଙ୍କ ଗଣ୍ଡମଣ୍ଡଳ।


ଅମ୍ବା ଶାଲ୍ବଙ୍କର ବାଗ୍ଦତ୍ତା। ସ୍ବୟଂମ୍ବରର ଅଳ୍ପଦିନ ପୂର୍ବରୁ କାଶୀ ରାଜବାଟୀକାର ଏକ ନିର୍ଜନ ସ୍ଥାନରେ ବିଜନ ବେଳାରେ ଅମ୍ବାଙ୍କୁ ଶାଲ୍ୱ କହିଥିଲେ.. ସ୍ଵୟମ୍ବର ଶେଷ ହେବା ସଙ୍ଗେ ସଙ୍ଗେ ଦୀର୍ଘଦିନର ଅପେକ୍ଷାର ଅବସାନ ଘଟିବ ଅମ୍ବେ ! ଏପରି ଲୁଚା ଛପା ମିଳନର ଶେଷ ହେବ। ଆଃ ! ସେ ବହୁ ଅପେକ୍ଷମାଣ ମୁହୂର୍ତ୍ତକୁ ମୁଁ ଚାହିଁ ରହିଛି ପ୍ରିୟେ।"


ଅମ୍ବାଙ୍କ ଆଖିରେ ଦୁଷ୍ଟାମି ଭରା ହସ; କହିଲେ..ସେତେବେଳେ ତୁମ ଗଳାରେ ବରଣମାଳା ନଦେଇ ମୁଁ ଯେବେ ଅନ୍ୟ ରାଜପୁତ୍ର ଗଳାରେ ଦିଏ;କିମ୍ବା ଅନ୍ୟ କେହି ଯେବେ ମୋତେ ବଳାତ୍କାରେ ହରଣ କରିନିଏ?"


ଅଳ୍ପ ହସି ଶାଲ୍ୱ କହିଥିଲେ..ମୋ ବ୍ୟତୀତ ତୁମେ ଅନ୍ୟ କାହା ଗଳାରେ ବରଣମାଳା ଦେବନାହିଁ,ଏ ବିଶ୍ବାସ ମୋର ଅଛି;ଆଉ ବଳାତ୍କାର କଥା ଯାହା କହିଲ,ବିଶ୍ବରେ ଏଭଳି କୌଣସି ଶକ୍ତି ନାହିଁ ଶାଲ୍ୱ ହସ୍ତରୁ ତୁମକୁ ଛଡାଇନେବ।"


----- ସ୍ବୟଂବର ସଭା ଆରମ୍ଭ ହେଲା।ଜ୍ୟେଷ୍ଠ କାଶିରାଜ ନନ୍ଦିନୀ ଅମ୍ବା, ଶାଲ୍ବଙ୍କ ଗଳାରେ ବରଣ ମାଳା ଲମ୍ବାଇ ଦେଉ ଦେଉ ହଠାତ୍ ସ୍ବୟଂମ୍ବର ସ୍ଥଳ ବଜ୍ର ନିର୍ଘୋଷ ଶବ୍ଦରେ କମ୍ପି ଉଠିଲା।ଅମ୍ବା ଭୟରେ ଅନ୍ୟ ଦୁଇ ଭଗ୍ନୀଙ୍କ ଗହଣକୁ ଚାଲିଗଲେ।


ତାହା ଥିଲା,ଝଡବେଗରେ ସଭାରେ ପ୍ରବେଶ କରିଥିବା ଗଙ୍ଗାପୁତ୍ର ଭୀଷ୍ମଙ୍କର ଧନୁ-ଟଙ୍କାରର ଶବ୍ଦ। ସଭାସ୍ଥଳରେ ରାଜତ୍ଵ କଲା ସମ୍ପୂର୍ଣ୍ଣ ନୀରବତା।ସମସ୍ତଙ୍କ ଚକ୍ଷୁ ଗଙ୍ଗା ପୁତ୍ରଙ୍କ ଉପରେ ନିବଦ୍ଧ।ବିଶାଳ ଶ୍ବେନପକ୍ଷୀର ଆଗମନରେ ଅନ୍ୟ ସମସ୍ତ ପକ୍ଷୀ ଯେପରି ନୀରବ ହୋଇ ଯାଆନ୍ତି ସେହି ଅବସ୍ଥା ଥିଲା ସ୍ବୟଂବର ସଭାର।


----- ଶାଲ୍ୱ ଜାଣିଥିଲେ ଭୀଷ୍ମ ଅନାହୂତ ହୋଇ ସଭାରେ ପ୍ରବେଶ କରିଛନ୍ତି।ଶାଲ୍ୱ ସାହସୀଥିଲେ। ତାତ୍ସଲ୍ୟ ଭରା କଣ୍ଠରେ ଶାଲ୍ବ ପ୍ରଶ୍ନ କଲେ..ଏ ସ୍ବୟଂମ୍ବର ସଭାକୁ ଚିରକୁମାରଙ୍କର ଆଗମନ କେଉଁ ଉଦ୍ଦେଶ୍ୟରେ ?"

ଶାଲ୍ବଙ୍କଠାରୁ ସାହସ ପାଇ, କଥାରେ କଥା ଯୋଡ଼ି ଅନ୍ୟ ଏକ ରାଜପୁତ୍ର ତାତ୍ସଲ୍ୟ କରି କହିଲେ... ରାଜକୁମାରୀମାନଙ୍କର ରୂପ ଅନଳରେ ବ୍ରହ୍ମଚର୍ଯ୍ୟକୁ ପୂର୍ଣ୍ଣାହୂତି ଦେବାକୁ ଆସିଛନ୍ତି ବୋଧହୁଏ।

ଅନ୍ୟଜଣେ ରାଜକୁମାର ହସିହସି କହିଲେ.. ସତ୍ୟବତୀଙ୍କ ହାତରୁ ଚୁଡି ଭାଙ୍ଗିବା ସଙ୍ଗେ ସଙ୍ଗେ ଭୀଷ୍ମଙ୍କର ପ୍ରତିଜ୍ଞା ମଧ୍ୟ ଚୁଡିପରି ଭାଙ୍ଗିଗଲା କି ?"

----- ଆହତ ସିଂହ ପରି ଗର୍ଜନ କରି ଭୀଷ୍ମ କହିଲେ..ତୁମ୍ଭମାନଙ୍କର ବାଚାଳତା ଶୁଣିବା ପାଇଁ ଏଠାକୁ ଗଙ୍ଗାପୁତ୍ର ଆସିନାହିଁ; ଆସିଛି କାଶୀ ରାଜାଙ୍କ କନ୍ୟାମାନଙ୍କୁ ନେଇ କନିଷ୍ଠ ବିଚିତ୍ର ବୀର୍ଯ୍ୟ ସହିତ ବିବାହ କରାଇବା ପାଇଁ ।

ରାଜପୁତ୍ର ମାନଙ୍କ ମଧ୍ୟରୁ ଜଣେ ଅଟ୍ଟହାସ କରି କହିଲା... ବିଚିତ୍ରବୀର୍ଯ୍ୟ ନିଜେ କାହିଁକି ଆସିପାରିଲେ ନାହିଁ,ସେ କଣ ହସ୍ତିନାର କୃଷକ ମାନଙ୍କ ସହିତ କ୍ଷେତକୁ ଧାନ କାଟିବାକୁ ଯାଇଛନ୍ତି?"

----- ଏହି ସମୟରେ କାଶୀରାଜ ହସ୍ତକ୍ଷେପ କରି କହିଲେ...ଗଙ୍ଗାପୁତ୍ର ଭୀଷ୍ମ ! ଅନାହୂତର ଏହି ସ୍ବୟଂମ୍ବର ସଭାରେ କୌଣସି କାମ ନାହିଁ। ଏଠାରେ ବିଶୃଙ୍ଖଳା ସୃଷ୍ଟିକଲେ ସ୍ବୟଂବରର ନିୟମ ଅନୁସାରେ ଉପସ୍ଥିତ ସବୁ ରାଜାମାନଙ୍କର ମିଳିତ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିବ ତୁମକୁ।ତେଣୁ ନିଜ ପ୍ରାଣ ବଞ୍ଚାଇ ଏଠାରୁ ଶୀଘ୍ର ପଳାୟନ କର ଗଙ୍ଗାପୁତ୍ର।

ଭୀଷ୍ମ କହିଲେ... ଉତ୍ତମ ଉପଦେଶ, ମୁଁ ଚାଲିଯାଉଛି,ସାଙ୍ଗରେ କନ୍ୟାମାନଙ୍କୁ ମଧ୍ୟ ନେଇ ଯାଉଛି। କନିଷ୍ଠ ବିଚିତ୍ର ବୀର୍ଯ୍ୟ ସହିତ ରାଜକୁମାରୀ ମାନଙ୍କର ପରିଣୟ ହେବ। ତୁମ୍ଭଙ୍କୁ ନିମନ୍ତ୍ରଣ ରହିଲା କାଶୀରାଜ।"


----- କନ୍ୟାମାନଙ୍କୁ ନେଇ ଭୀଷ୍ମ ଅଗ୍ରସର ହେଲେ।କ୍ରୋଧାନ୍ଧ ରାଜପୁତ୍ରମାନେ ଭୀଷ୍ମଙ୍କ ଉପରେ ତୀର ବର୍ଷଣ କରିବାରେ ଲାଗିଲେ।କାଶୀ ରାଜ୍ୟର ବିଶାଳ ସେନା ମାଡି ଆସିଲେ ଭୀଷ୍ମଙ୍କ ଉପରେ ଆକ୍ରମଣ ପାଇଁ। ପର୍ଶୁରାମଙ୍କ ଶିଷ୍ୟ ଗଙ୍ଗାପୁତ୍ରଙ୍କ ଆଗରେ ସମସ୍ତ ବୀର ରାଜପୁତ୍ର ଏବଂ କାଶୀର ବିଶାଳ ସେନା ନଗଣ୍ୟ ପ୍ରତୀତ ହେଲେ। ଗୋଟିଏ ତୀରରେ ସମସ୍ତଙ୍କୁ ଅସ୍ତ୍ରହୀନ କରି ଦ୍ବିତୀୟ ତୀରରେ ସମସ୍ତଙ୍କ ମୁକୁଟ ଧରାଶାୟୀ କଲେ ଭୀଷ୍ମ ଏବଂ ‌ଅମ୍ବା,ଅମ୍ବିକା ଓ ଅମ୍ବାଳିକାଙ୍କୁ ରଥରେ ବସାଇ ହସ୍ତିନା ଅଭିମୁଖେ ଯାତ୍ରା କଲେ ।


----- ଯାଦୁକରୀ ମାୟା ଭଳି ଏ ସମସ୍ତ ଘଟଣା ଅତି ଅଳ୍ପ ସମୟ ଭିତରେ ଘଟିଗଲା। କେହି ବାଧା ଦେଇ ପାରିଲେ ନାହିଁ। କିନ୍ତୁ ଶାଲ୍ୱ ଏ ଅପମାନକୁ ସହଜରେ ଆତ୍ମସ୍ଥ କରି ପାରିଲେ ନାହିଁ।ତାଙ୍କ ସମୀପରେ ପ୍ରାଣପ୍ରିୟା ଅମ୍ବାଙ୍କୁ ଗଙ୍ଗାପୁତ୍ର ଭୀଷ୍ମ ହରଣ କରି ନେଇଯିବା ତାଙ୍କ ପାଇଁ ଅସହ୍ୟ ଥିଲା।ଅମ୍ବାଙ୍କୁ ଦେଇଥିବା ବାକ୍ୟ ତାଙ୍କର ମନେ ପଡ଼ିଲା...ବିଶ୍ବରେ ଏପରି କୌଣସି ଶକ୍ତି ନାହିଁ ଯେ ତାଙ୍କଠାରୁ ଅମ୍ବାଙ୍କୁ ଛଡ଼ାଇ ନେଇଯିବ। 


----- ନିଜ ସୈନ୍ୟ ବାହିନୀ ସହିତ ଅନୁଧାବନ କରି ଭୀଷ୍ମଙ୍କର ପଥରୋଧ କଲେ ଶାଲ୍ୱ।ଶାଲ୍ବଙ୍କୁ ପୁନର୍ବାର ସମ୍ମୁଖରେ ଦେଖି

ଭୀଷ୍ମ କହିଲେ... କାହିଁକି ବାରମ୍ବାର ପରାସ୍ତ ହୋଇ ଅପମାନିତ ହେଉଛ ଶାଲ୍ୱ?ଯାଅ ନିଜର ପୈତୃକ ପ୍ରାଣ ନେଇ ଫେରିଯାଅ।ବୀରତ୍ବ ପ୍ରଦର୍ଶନ ପାଇଁ କୌଣସି ଦୁର୍ବଳ ରାଜାକୁ ଆହ୍ବାନ କର।

ଶାଲ୍ୱ କ୍ରୋଧରେ ଅନ୍ଧ ହୋଇ ଗଙ୍ଗା ପୁତ୍ରଙ୍କ ଉପରକୁ ତୀର ବର୍ଷଣ କରିବାରେ ଲାଗିଲେ।


ସାମାନ୍ୟ ଆହତ ହେଲେ ଭୀଷ୍ମ। ବିଶାଳ ବାହୁରୁ ରକ୍ତ ଝରିଯାଉଥାଏ।ନିଜର ରକ୍ତାକ୍ତ ବାହୁକୁ ଥରେ ଚାହିଁଲେ ଏବଂ ଶାଲ୍ବଙ୍କୁ ଚାହିଁ ଭୀଷ୍ମ କହିଲେ...ଶାଲ୍ୱରାଜ ! ଏବେ ମଧ୍ୟ ସମୟ ଅଛି, ଫେରି ଯାଅ। ଶୃଗାଳ ହୋଇ ସିଂହକୁ ଅଯଥା ବିରକ୍ତ କରନାହିଁ।

----- ଶୁଣିଲେ ନାହିଁ ଶାଲ୍ୱ ରାଜ; ପୁନର୍ବାର ଆକ୍ରମଣ କରିବା ପାଇଁ ଆଗେଇ ଆସିଲେ।ଗଙ୍ଗାପୁତ୍ର କାର୍ମୁକ ଟଙ୍କାର କରି ପ୍ରଥମେ ଶାଲ୍ୱ ବାହିନୀକୁ ସତର୍କ କଲେ।ଧନୁନିର୍ଘୋଷରେ କମ୍ପି ଉଠିଲା ସ୍ବର୍ଗ, ମର୍ତ୍ତ୍ୟ ପାତାଳ। ଗୋଟିଏ ତୀରରେ ପ୍ରଥମେ ଶାଲ୍ୱ ବାହିନୀକୁ ଧରାଶାୟୀ କଲେ, ଦ୍ବିତୀୟ ତୀରରେ‌ ଶାଲ୍ୱଙ୍କୁ ନିରସ୍ତ୍ର କଲେ ଏବଂ ତୃତୀୟ ବାଣରେ ଶାଲ୍ବଙ୍କ ନିଜ ରଥରେ ତାଙ୍କୁ ବନ୍ଦୀ କରି ହସ୍ତିନା ଅଭିମୁଖେ ଆଗେଇ ଗଲେ ଗଙ୍ଗାପୁତ୍ର ଭୀଷ୍ମ।ଯିବା ପୂର୍ବରୁ ଶାଲ୍ବଙ୍କୁ କହିଗଲେ...ହେ ବୀରପୁଙ୍ଗବ ! ନିରସ୍ତ୍ରକୁ ହତ୍ୟା କରିବା ଶାସ୍ତ୍ର ବିରୁଦ୍ଧ,ତେଣୁ ତୁମେ ବଞ୍ଚିଗଲ।ଏବେ ପିତୃଦତ୍ତ ପ୍ରାଣ ନେଇ ନିଜ ରାଜ୍ୟକୁ ଫେରିଯାଅ। ଭବିଷ୍ୟତରେ ଭୀଷ୍ମ ସହିତ ଯୁଦ୍ଧ କରିବାର ଦୁଃସାହସ କେବେ କରିବ ନାହିଁ।"


----- ଅମ୍ବା,ଅମ୍ବିକା ଓ ଅମ୍ବାଳିକାଙ୍କୁ ନେଇ ରାଜମାତା ସତ୍ୟବତୀଙ୍କୁ ଭେଟି ଦେଇ ଭୀଷ୍ମ କହିଲେ..ପୁତ୍ର ବିଚିତ୍ର ବୀର୍ଯ୍ୟ ପାଇଁ ଗୋଟିଏ ବଧୂ ଅନ୍ବେଷଣରେ ଥିଲେ ଜନନୀ;ଏଇ ନିଅନ୍ତୁ ତିନୋଟି ପୁତ୍ରବଧୂ। 

-----ସତ୍ୟବତୀଙ୍କ ଚରଣ ତଳେ ପ୍ରଣାମ କରି ଅମ୍ବା କହିଲେ.. ରାଜମାତା, ମୁଁ ଶାଲ୍ୱ ରାଜାଙ୍କର ବାଗ୍ଦତ୍ତା। ଭୀଷ୍ମ ସ୍ବୟଂବର ସଭାକୁ ଆସିବାର କ୍ଷଣିକ ପୂର୍ବରୁ ଶାଲ୍ବଙ୍କୁ ନିର୍ବାଚନ କରି ତାଙ୍କ ଗଳାରେ ବରଣମାଳା ଦେଇ ସାରିଛି। ପୂର୍ବରୁ ଶାଲ୍ୱଙ୍କ ସହିତ ଅନେକ ଥର କାଶୀ ରାଜବାଟୀକାରେ ମୋର ମିଳନ ଘଟିଛି ଏବଂ ମୁଁ ତାଙ୍କୁ ମନପ୍ରାଣ ଦେଇ ସାରିଛି। ଏବେ ବିଚିତ୍ର ବୀର୍ଯ୍ୟଙ୍କୁ ମୁଁ ସ୍ବଇଚ୍ଛାରେ କିପରି ବିବାହ କରିବି ଜନନୀ !


ଆଶ୍ଚର୍ଯ୍ୟ ହେଲେ ଭୀଷ୍ମ, କହିଲେ... ବାସ୍ତବିକ୍ ବଡ଼ ଅଘଟଣ ଘଟିଗଲା ; ଅମ୍ବା ଯେବେ ମୋତେ ଏକଥା ପ୍ରଥମରୁ କହିଥାନ୍ତେ ତାହେଲେ ତାଙ୍କୁ ଛାଡି ମୁଁ ଅନ୍ୟ ଦୁଇ ରାଜପୁତ୍ରୀଙ୍କୁ ନେଇ ଆସିଥାନ୍ତି।ପଥରେ ଯେତେବେଳେ ଶାଲ୍ବଙ୍କ ସହିତ ମୋର ଯୁଦ୍ଧ ହେଉଥିଲା ସେ ସମୟରେ ମଧ୍ୟ ଅମ୍ବା ମୋତେ କିଛି ଆଭାସ ଦେଲେ ନାହିଁ।"

ସତ୍ୟବତୀ ଅମ୍ବାଙ୍କୁ ପଚାରିଲେ...ତୁ ପ୍ରଥମରୁ ଏକଥା ଭୀଷ୍ମକୁ କାହିଁକି କହିଲୁ ନାହିଁ ମା?"

ଅମ୍ବା ଉତ୍ତର ଦେଲେ....ଗଙ୍ଗାପୁତ୍ରଙ୍କର ଭୀଷଣ କ୍ରୋଧ ଦେଖି ମୁଁ ଭୟଭୀତ ହୋଇ ଯାଇଥିଲି।"

ଭୀଷ୍ମ କହିଲେ...ସେ ଯାହା ହେଉ, ବିଚିତ୍ର ବୀର୍ଯ୍ୟଙ୍କ ସହିତ ଅମ୍ବାଙ୍କର ବିବାହ ବର୍ତ୍ତମାନ ଅସମ୍ଭବ। ସସମ୍ମାନେ ତାଙ୍କୁ ଶାଲ୍ୱ ରାଜପୁରୀରେ ପହୁଞ୍ଚାଇ ଦେବାର ଆୟୋଜନ ମୁଁ କରୁଛି।ଆଶାକରେ କାଶୀରାଜନନ୍ଦିନୀ ଏ ସମସ୍ତ ଘଟଣାକୁ ଦୁଃସ୍ବପ୍ନ ଭାବି ଭୁଲିଯିବେ ଏବଂ ଶାଲ୍ବଙ୍କ ସହିତ ଆନନ୍ଦରେ ଦାମ୍ପତ୍ୟ ଅତିବାହିତ କରିବେ।

ଆନନ୍ଦରେ ଆତ୍ମହରା ହୋଇ ପଡିଲେ ଜ୍ୟେଷ୍ଠ କାଶୀ ରାଜ-ନନ୍ଦିନୀ ଅମ୍ବା......




Rate this content
Log in

Similar oriya story from Classics