STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ୫

କଥା କାଦମ୍ବରୀ୫

4 mins
205

କଥା କାଦମ୍ବରୀ

(୫)

===============================

      ଯଯାତିଙ୍କ ଗୁପ୍ତପ୍ରଣୟ

===============================

ଦେବଯାନୀଙ୍କ ସାନ୍ନିଧ୍ୟ ଏବଂ ଦାନବଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଆତିଥ୍ୟରେ କୃତକୃତ୍ୟ ହୋଇ ହସ୍ତିନା ନରେଶ ଯଯାତି ରାଜଧାନୀକୁ ଫେରିଗଲେ। କିନ୍ତୁ ରାଜପ୍ରାସାଦରେ ପହଞ୍ଚି ସେ ଶାନ୍ତିରେ ରହିପାରିବେ ନାହିଁ। ପ୍ରତି ମୁହୂର୍ତ୍ତରେ ଦେବଯାନୀଙ୍କ ଅପରୂପ ସୌନ୍ଦର୍ଯ୍ୟ ତାଙ୍କ ଆଖି ଆଗରେ ନାଚି ଉଠିଲା। ଋଷି କନ୍ୟାଙ୍କର ଚନ୍ଦ୍ର-ବିନିନ୍ଦିତ ମୁଖମଣ୍ଡଳ,ସ୍ବଳ୍ପବସ୍ତ୍ର ପରିହିତ ଚାରୁ ଅଙ୍ଗବଲ୍ଲରୀ,ଟଣାଟଣା ମଦାଳସ ଆଖି, କୂପ ମଧ୍ୟରୁ ଉଦ୍ଧାର କରିବା ସମୟରେ କୋମଳ ହସ୍ତର ସ୍ପର୍ଶ ଏବଂ ସର୍ବୋପରି ତାଙ୍କର ଅଙ୍ଗିକାରପୂର୍ଣ୍ଣ କଥା ରାଜାଙ୍କ ଆଖିରୁ ନିଦ ହଜାଇ ଦେଲା। ଯଯାତି ଭାବିଲେ.... ଦକ୍ଷିଣ ହସ୍ତ ଧରି କୂପ ମଧ୍ୟରୁ ଉଦ୍ଧାର କରିଥିବାରୁ ଋଷିକନ୍ୟା ମୋ ପାଖରେ ପତ୍ନୀ ରୂପରେ ନିଜକୁ ସମର୍ପିତ କରିବାପାଇଁ ପ୍ରସ୍ତୁତ, ଅଥଚ ମୁଁ ସେହି ସ୍ଵପ୍ନ-ସୁନ୍ଦରୀଙ୍କ ମୃଣାଳ କୋମଳ ବାହୁର ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରୁଛି, ଏହା ମୋ ପୁରୁଷତ୍ବ ଏବଂ ତାଙ୍କ ସୌନ୍ଦର୍ଯ୍ୟର ଅପମାନ ନୁହେଁ କି?


===== ଯଯାତି ମନେ ମନେ ଠିକ୍ କଲେ..ଏଥର ଋଷିକନ୍ୟାଙ୍କ ପ୍ରଣୟ ନିବେଦନକୁ ସେ ଅଗ୍ରାହ୍ୟ କରିବେ ନାହିଁ।ଆବଶ୍ୟକ ହେଲେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଯାଇ ମୁନିକନ୍ୟାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେବେ।

ତାହାହିଁ ହେଲା। କିଛି ଦିନ ପରେ, ଅରଣ୍ୟପ୍ରାନ୍ତରେ ଯଯାତିଙ୍କର ଦେବଯାନୀଙ୍କ ସହିତ ଭେଟ ହେଲା। ଏହା ସଂଯୋଗ ନୁହେଁ ତ ଆଉ କ'ଣ? ଦୁହେଁ ଦୁହିଁଙ୍କର ଦର୍ଶନ ଆଶାରେ ବନପ୍ରଦେଶକୁ ଆସିଥିଲେ।ଚାରିଚକ୍ଷୁର ମିଳନ ସମୟରେ କନ୍ଦର୍ପ ବକୁଳ,ଅଶୋକ,ନବମଲ୍ଲୀକା ସମେତ ପାଞ୍ଚଟି ଫୁଲଶର ଉଭୟଙ୍କୁ ପ୍ରହାର କଲେ।ଉଭୟଙ୍କର ହୃଦୟତନ୍ତ୍ରୀରେ ଭରିଗଲା ପ୍ରଣୟ ସିତ୍କାର। 


====ଦେବଯାନୀଙ୍କ ସହିତ ଦାସୀ ଶର୍ମିଷ୍ଠା ଏବଂ ଆଶ୍ରମର ଅନ୍ୟକିଛି ଅନ୍ତେବାସିନୀ ଥିଲେ। ସେମାନଙ୍କ ଚକ୍ଷୁ ଅନ୍ତରାଳରେ ଯଯାତିଙ୍କୁ ବାର୍ତ୍ତାଳାପ ଛଳରେ କିଛିଦୂରକୁ ନେଇ ଦେବଯାନୀ ପୁଣି ଥରେ ପ୍ରେମ ପ୍ରତିବେଦନ କରି କହିଲେ... ଆର୍ଯ୍ୟପୁତ୍ର,କୂପରୁ ଉଦ୍ଧାର କରିବା ସମୟରେ ମୋର ଦକ୍ଷିଣ ହସ୍ତ ଧରିଥିବାରୁ ମୁଁ ଆପଣଙ୍କର ଅର୍ଦ୍ଧାଙ୍ଗିନୀ ହେବାର ସୌଭାଗ୍ୟ ସମ୍ଭାବନା ମନରେ ପୋଷଣ କରିଛି, ମୋତେ ନିରାଶ କରନ୍ତୁ ନାହିଁ।ଉତ୍ତରରେ ଯଯାତି କହିଲେ... ଠିକ୍ ଅଛି ଦେବଯାନୀ,ଚାଲ ତୁମ୍ଭ ପିତା ଶୁକ୍ରାଚାର୍ଯ୍ୟଙ୍କୁ ଜଣାଇବା।ତାଙ୍କର ବିନା ଆଶୀର୍ବାଦରେ ଏ ବିବାହ ସମ୍ଭବ ନୁହେଁ।


====ଆଶ୍ରମ ଅନ୍ତେବାସିନୀ ଏବଂ ଦାସୀ ଶର୍ମିଷ୍ଠାଙ୍କୁ ନେଇ ଦେବଯାନୀ ଆଶ୍ରମକୁ ଫେରିଲେ।ସାଙ୍ଗରେ ଥିଲେ ହସ୍ତିନା ସମ୍ରାଟ ଯଯାତି। ଦେବଯାନୀଙ୍କ ସଖୀ ମେଳରେ ବାରି ହୋଇ ଯାଉଥିଲେ ଶର୍ମିଷ୍ଠା।ଆକାଶରେ ତାରା ମେଳରେ ଚନ୍ଦ୍ର ପରି ସେ ସ୍ଵତନ୍ତ୍ର ଜଣାପଡୁଥିଲେ। ଏହି ଅନନ୍ୟା ସୁନ୍ଦରୀ କନ୍ୟାଟି କିଏ ବୋଲି ପଚାରିଥିଲେ ଯଯାତି। ଯଯାତିଙ୍କର ଏପରି ସ୍ଵତନ୍ତ୍ର ଆଗ୍ରହ ଦେଖି ଦେବଯାନୀ କହିଥିଲେ ଯେ ସେ ଆଶ୍ରମର ନବନିଯୁକ୍ତା ପରିଚାରିକା।


====ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମରେ ପହଞ୍ଚି ନିଜ ନିଜର ମନକଥା ବ୍ୟକ୍ତକଲେ ଯଯାତି ଓ ଦେବଯାନୀ।ସବୁ ଶୁଣିବା ପରେ ଶୁକ୍ରାଚାର୍ଯ୍ୟ କହିଲେ.... ହସ୍ତିନା ନରେଶଙ୍କଠାରୁ ବଳି ଯୋଗ୍ୟ ପାତ୍ର ଦେବଯାନୀ ପାଇଁ ଆଉ କେହି ହୋଇ ପାରିବେ ନାହିଁ, କିନ୍ତୁ ଦେବଯାନୀ ଉଚ୍ଚ ବଂଶଜ ବ୍ରାହ୍ମଣ କନ୍ୟା।ଏଭଳି ବିବାହକୁ ପ୍ରତିଲୋମ ବିବାହ କୁହାଯାଏ,ଯାହାକି ଶାସ୍ତ୍ର ସମ୍ମତ ନୁହେଁ।


ଶୁକ୍ରାଚାର୍ଯ୍ୟଙ୍କର ଏହି ନିର୍ଣ୍ଣୟ ଶୁଣି ଯଯାତି ମୌନ ରହିଲେ। କିନ୍ତୁ ଦେବଯାନୀ ପିତାଙ୍କୁ ଆଶ୍ରମ ଭିତରକୁ ଡ଼ାକିନେଇ ପିତାଙ୍କ ପାଦଧରି , ଯଯାତିଙ୍କୁ ବିବାହ କରିବାପାଇଁ ଅଳିକଲେ।

ଶୁକ୍ରାଚାର୍ଯ୍ୟ କନ୍ୟାର ଲୁହ ଦେଖିପାରିଲେ ନାହିଁ।ମନେପଡିଲା ପୂର୍ବକଥା; ଦେବପୁତ୍ର କଚ ଦେବଯାନୀଙ୍କର ପ୍ରୀତି ନିବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଦେବଯାନୀ ଭାଙ୍ଗି ପଡିଥିଲେ। ବହୁଦିନ ପରେ ଏବେ ଝିଅର ମୁହଁରେ ହସ ଦେଖୁଛନ୍ତି ଶୁକ୍ରାଚାର୍ଯ୍ୟ। ଏହି ନିବେଦନ ଆଗ୍ରାହ୍ୟ କରି ଦେବଯାନୀଙ୍କୁ ଦୁଃଖର ସାଗର ଭିତରକୁ ପୁଣି ଥରେ ଠେଲି ଦେବାପାଇଁ ଚାହୁଁ ନଥିଲେ ଶୁକ୍ରାଚାର୍ଯ୍ୟ।ପରିଶେଷରେ ଯଯାତିଙ୍କ ସହିତ ଦେବଯାନୀଙ୍କର ବିବାହ ପାଇଁ ସମ୍ମତି ଦେଲେ ଦାନବ ଗୁରୁ।


===== ମହା ଆଡ଼ମ୍ବରରେ ଯଯାତିଙ୍କ ସହିତ ଦେବଯାନୀଙ୍କର ପରିଣୟ ସମ୍ପୂର୍ଣ୍ଣ ହେଲା।ସର୍ତ୍ତ ଅନୁଯାୟୀ ଶର୍ମିଷ୍ଠା ଦେବଯାନୀଙ୍କ ସହିତ ତାଙ୍କ ପତିଙ୍କ ଗୃହ ହସ୍ତିନା ପ୍ରାସାଦକୁ ଦାସୀ ଭାବେ ଯିବାକଥା। ଏଠାରେ ଦେବଯାନୀ ଚାହିଁଥିଲେ ଶର୍ମିଷ୍ଠାଙ୍କୁ ସର୍ତ୍ତମୁକ୍ତ କରି ଦାସୀତ୍ବରୁ ମୁକ୍ତି ଦେଇପାରିଥାନ୍ତେ। କିନ୍ତୁ ଦେବଯାନୀ ତାହା କଲେନାହିଁ। ଶର୍ମିଷ୍ଠାଙ୍କ ଉପରେ ତାଙ୍କର କ୍ରୋଧ ପ୍ରଶମିତ ହୋଇନଥିଲା।ସେ ଚାହୁଁଥିଲେ ହସ୍ତିନା ରାଜପ୍ରସାଦରେ ରାଣୀ ହୋଇ,ନିଜର ପ୍ରଭୁତ୍ବ ଦାସୀ ଶର୍ମିଷ୍ଠାଙ୍କ ଉପରେ ଜାହିର୍ କରିବେ।ତେଣୁ ଶର୍ମିଷ୍ଠାଙ୍କୁ ଦାସୀତ୍ବରୁ ମୁକ୍ତି ଦେଲେ ନାହିଁ ଦେବଯାନୀ।


======ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ମନେ ପଡ଼ିଲା କିପରି ବୃହସ୍ପତିଙ୍କ ପୁତ୍ର କଚ ଦେବଯାନୀଙ୍କୁ ଅଭିଶାପ ଦେଇଥିଲେ।କଚ କହିଥିଲେ... ଦେବଯାନୀ,ବିନା ଦୋଷରେ ତୁମେ ମୋତେ ଅଭିଶାପ ଦେଇ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଭୁଲି ଯିବି ବୋଲି କହୁଛ। ମୁଁ ତୁମକୁ ଅଭିଶାପ ଦେଉଛି ତୁମେ ବ୍ରାହ୍ମଣ ଘରେ ବିବାହ କରିବ ନାହିଁ ଏବଂ ତୁମ ପତିଙ୍କର ପରକୀୟା ପ୍ରେମ ଯୋଗୁଁ ତୁମର ଦାମ୍ପତ୍ୟ ଜୀବନ ସୁଖମୟ ହେବନାହିଁ।"

 

କଚ'ଙ୍କର ଅଭିଶାପର ପ୍ରଥମ ଭାଗଟି ପୂର୍ଣ୍ଣ ହୋଇଛି, ଅର୍ଥାତ୍ ଦେବଯାନୀ କ୍ଷତ୍ରିୟ ଘରେ ବିବାହ କରିଛନ୍ତି।ଶୁକ୍ରାଚାର୍ଯ୍ୟ ଯଯାତିଙ୍କୁ ନିକଟକୁ ଡାକି କହିଲେ.... ପୁତ୍ର ଯଯାତି ! ଦେବଯାନୀ ସହିତ ଦାସୀ ଭାବରେ ବୃଷପର୍ବାଙ୍କ ଜେମା ଶର୍ମିଷ୍ଠା ଯାଉଛନ୍ତି।ତୁମେ ତାଙ୍କ ସହିତ କୌଣସି ଭାବପ୍ରବଣତାପୂର୍ଣ୍ଣ ସମ୍ପର୍କ କିମ୍ବା ଦୈହିକ ସମ୍ପର୍କ ରଖିବ ନାହିଁ।


==== ଯଯାତି ଶର୍ମିଷ୍ଠାଙ୍କ ଦାସୀତ୍ୱ ବିଷୟରେ ଆଗରୁ କିଛି ଜାଣି ନଥିଲେ। ବର୍ତ୍ତମାନ ଶ୍ୱଶୁର ଶୁକ୍ରାଚାର୍ଯ୍ୟଙ୍କ ଠାରୁ ସବୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ।ଦେବପୁତ୍ର କଚ'ଙ୍କର ଅଭିଶାପ ଠାରୁ ଆରମ୍ଭକରି ଶର୍ମିଷ୍ଠା ଦାସୀତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସମସ୍ତ ବୃତ୍ତାନ୍ତ ପୂର୍ବାପର ସନ୍ଦର୍ଭ ସହିତ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଶୁଣିବା ପରେ ଶର୍ମିଷ୍ଠାଙ୍କ ପ୍ରତି ଯଯାତିଙ୍କ ମନ ସମବେଦନାରେ ଭରିଗଲା।ସ୍ୱାଭାବିକ ଭାବରେ, ଦେବଯାନୀଙ୍କର କଠୋର ଆଭିମୁଖ୍ୟ ଯଯାତିଙ୍କ ମନରେ ତାଙ୍କ ପ୍ରତି ଭଲ ଧାରଣା ସୃଷ୍ଟି କଲା ନାହିଁ। ଯଯାତି ଭାବିଲେ...ନିଜ ସହଚରୀ ପ୍ରତି ଜଣେ କିପରି ଏତେ କଠୋର ହୋଇପାରିବ !!


====ଯଯାତି ଏବଂ ଦେବଯାନୀ କିଛି କାଳ ଦାମ୍ପତ୍ୟ ଅତିବାହିତ କରି ତିନୋଟି ସନ୍ତାନର ଜନକ ଜନନୀ ହେଲେ। ଦେବଯାନୀଙ୍କ ଗର୍ଭରୁ ଯଦୁ ଏବଂ ତୁର୍ଭାସୁ ନାମକ ଦୁଇଗୋଟି ପୁତ୍ର ଏବଂ ମାଧବୀ ନାମରେ ଗୋଟିଏ କନ୍ୟା ସନ୍ତାନ ଜନ୍ମଲାଭ କଲେ।

====ଇତି ମଧ୍ୟରେ ଯଯାତିଙ୍କର ଶର୍ମିଷ୍ଠାଙ୍କ ପ୍ରତି ସମବେଦନା ଗୁପ୍ତ ପ୍ରଣୟରେ ପରିଣତ ହୋଇଯାଇଥିଲା। ଯଯାତି ରାଜକନ୍ୟାଙ୍କର ରୂପ ଏବଂ ଗୁଣରେ ମୁଗ୍ଧ ଥିଲେ। ରାଜକନ୍ୟା ମଧ୍ୟ ଯଯାତିଙ୍କ ସାନ୍ନିଧ୍ୟ ଚାହୁଁଥିଲେ। ଦୁହେଁ ଗୁପ୍ତରେ ବିବାହିତ ହୋଇଗଲେ। ସେମାନଙ୍କ ଔରସରୁ ଦୃହ୍ୟୁ,ଅନୁ ଏବଂ ପୁରୁ ନାମକ ତିନୋଟି ପୁତ୍ର ଜାତ‌ହେଲେ ।


କିନ୍ତୁ ଯଯାତି ଏବଂ ଶର୍ମିଷ୍ଠାଙ୍କ ସମ୍ପର୍କ ବେଶି ଦିନ ଗୁପ୍ତ ହୋଇ ରହିଲା ନାହିଁ। ଦେବଯାନୀ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ଦାସୀ ଶର୍ମିଷ୍ଠା ତାଙ୍କର ସପତଣୀ ହୋଇଯାଇଛି,ସେ ହସ୍ତିନା ରାଜପ୍ରସାଦରେ ଆଉ ଦଣ୍ଡେ ମାତ୍ର ନରହି ପିତା ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଫେରି ଗଲେ।ତାଙ୍କୁ ବୁଝାଇଶୁଝାଇ ଫେରାଇ ଆଣିବାକୁ ତାଙ୍କ ପଛେ ପଛେ ଆଶ୍ରମରେ ପହଞ୍ଚିଲେ ଯଯାତି।

 

==== ପ୍ରାଣସମା କନ୍ୟା ଦେବଯାନୀଠାରୁ ଯଯାତିଙ୍କର ପରକୀୟା ପ୍ରେମ ସମ୍ବନ୍ଧରେ ଜାଣିବାକୁ ପାଇ ଶୁକ୍ରାଚାର୍ଯ୍ୟ ପ୍ରଚଣ୍ଡ କ୍ରୋଧରେ ଯଯାତିଙ୍କୁ ଭର୍ତ୍ସନାକରି କହିଲେ.....ରେ ସ୍ତ୍ରୈଣ ରାଜା, ମୁଁ ତୋତେ ଆଗରୁ ସାବଧାନ କରିବା ସତ୍ତ୍ୱେ ମୋତେ ହେୟଜ୍ଞାନ କରି ଯୌବନ ଆବେଶରେ ମୋ କନ୍ୟାର ଦାସୀ ସହିତ ପରକୀୟା ପ୍ରେମରେ ନିମଜ୍ଜିତ ହେଲୁ। ଯେଉଁ ଯୌବନ ଆବେଶରେ ତୁ ଏଭଳି ଅପକର୍ମ କରିଛୁ ସେ ଯୌବନ ତୋ ଠାରୁ ବିଲୁପ୍ତ ହୋଇଯାଉ ଏବଂ ତୋତେ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରୁ।

ଚାହୁଁ ଚାହୁଁ ଯଯାତିଙ୍କ ଯୌବନଦିପ୍ତ ଶରୀରକୁ ବାର୍ଦ୍ଧକ୍ୟ ଗ୍ରାସ କଲା ଏବଂ ଗଳିତ ନଖଦନ୍ତ, ଲୋହିତ ଚର୍ମ ହୋଇ ଯଯାତି ଅଶିତିପର ବୃଦ୍ଧ ଭଳି ଦେଖାଗଲେ।


ନିଜର ଏପରି ରୂପ ଦେଖି ବିକଳରେ ବିଳାପ କରିବାକୁ ଲାଗିଲେ ଯଯାତି.....



Rate this content
Log in

Similar oriya story from Classics