କଥା କାଦମ୍ବରୀ
କଥା କାଦମ୍ବରୀ
ଅଶ୍ରୁପୂର୍ଣ୍ଣ ନେତ୍ର ଏବଂ କୋହଭରା କଣ୍ଠରେ ଦେବଯାନୀ ପିତା ଶୁକ୍ରାଚାର୍ଯ୍ୟଙ୍କୁ କହିଲେ.... " ଯେଉଁ ରାଜାଙ୍କ କନ୍ୟା ମୋ ପ୍ରତି ଏବଂ ମୋ ପିତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରି ମୋତେ ଅରଣ୍ୟରେ ଅନ୍ଧକୂପ ଭିତରେ ବଣ୍ୟଯନ୍ତୁଙ୍କ ମୁହଁରେ ଫିଙ୍ଗିଦେଇ ଆସିଲା,ତାଙ୍କ ରାଜ୍ୟରେ ମୁହୂର୍ତ୍ତେ ମଧ୍ୟ ମୁଁ ରହିବି ନାହିଁ ଏବଂ ଯେପର୍ଯ୍ୟନ୍ତ ଆପଣ ମୋ ସହିତ ଏହି ରାଜ୍ୟ ତ୍ୟାଗ ନକରିଛନ୍ତି ସେ ପର୍ଯ୍ୟନ୍ତ ମୁଁ ଅନଶନରେ ବୃକ୍ଷତଳେ ବସିରହିବି।" ଏହା କହି ଦେବଯାନୀ ଆଶ୍ରମ ବାହାରେ ଥିବା ଏକ ବୃକ୍ଷମୂଳରେ ଅନଶନରେ ବସିଗଲେ।
ଶୁକ୍ରାଚାର୍ଯ୍ୟ ପ୍ରାଣସମା କନ୍ୟାର ମନୋବ୍ୟଥା ହୃଦୟଙ୍ଗମ କରି ପାରିଲେ।ସଙ୍ଗେ ସଙ୍ଗେ ସେ ବୃଷପର୍ବାଙ୍କ ରାଜସଭାରେ ପହଞ୍ଚିଲେ।ଗୁରୁଦେବଙ୍କୁ କ୍ରୋଧିତ ଅବସ୍ଥାରେ ଦେଖି ବୃଷପର୍ବା ପ୍ରମାଦ ଗଣିଲେ। ଗୁରୁଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରି କ୍ରୋଧର କାରଣ ପଚାରିଲେ ଦାନବ ରାଜ ବୃଷପର୍ବା।ଶୁକ୍ରାଚାର୍ଯ୍ୟ କହିଲେ...ହେ ଦାନବରାଜ, ବାସ୍ତବରେ ତୁମକୁ କ'ଣ ମୋ କ୍ରୋଧର କାରଣ ଅଗୋଚର ! କରିଥିବା ଅପରାଧର ଦଣ୍ଡ ସଙ୍ଗେ ସଙ୍ଗେ ନହେଲେ ମଧ୍ୟ ଦିନେ ନା ଦିନେ ନିଶ୍ଚିତ ଭାବରେ ମିଳେ।ସେ ସମୟ ବର୍ତ୍ତମାନ ତୁମ ଆଗରେ ଉପସ୍ଥିତ।
ବୃଷପର୍ବା ଯୋଡହସ୍ତରେ ପଚାରିଲେ... ଦୟାକରି କହନ୍ତୁ ଗୁରୁଦେବ ମୋର ଅପରାଧ କଣ?ତାର ପ୍ରତିକାର ମୁଁ ନିଶ୍ଚିତ ଭାବରେ କରିବି।
ଗମ୍ଭୀର ଦୃଷ୍ଟିରେ ଵୃଷପର୍ବାଙ୍କୁ ଚାହିଁ ଶୁକ୍ରାଚାର୍ଯ୍ୟ କହିଲେ.. ମୋ ଗୁରୁକୁଳରେ ଶିକ୍ଷା ନେଉଥିବା ନିରପରାଧ ବ୍ରହ୍ମଚାରୀ କଚ ତୁମର କଣ ଅପରାଧ କରିଥିଲା ଦାନବରାଜ? ଥରେ ନୁହେଁ ତିନିଥର ତାକୁ ମୋ ଅଜ୍ଞାତରେ ତୁମର ଅନୁଚରମାନେ ହତ୍ୟା କରିଛନ୍ତି ଏବଂ ପ୍ରତି ଥର ମୁଁ ତାକୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ପ୍ରୟୋଗ କରି ଜୀବିତ କରିଛି।ଏଭଳି ପଦକ୍ଷେପ ନେବା ପୂର୍ବରୁ ମୋ ସହିତ ପରାମର୍ଶ କରିଥିଲେ ଦାନବରାଜ?ମୋ ଉପରେ ଏତେ ଅବିଶ୍ବାସ କାହିଁକି? କିପରି ଦାନବକୁଳ ଭାବି ପାରିଲା ଯେ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କ ଶିଷ୍ୟ କଚ'କୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଶିକ୍ଷା ଦେଇଦେବେ?ଦାନବ କୁଳର ନିରାପତ୍ତା କଣ ମୋଠାରୁ ଅଧିକ ଆପଣ ଏବଂ ଆପଣଙ୍କର ତଥାକଥିତ ଅନୁଚରମାନେ ଚିନ୍ତା କରନ୍ତି ଦାନବରାଜ? ଏହି ଅବିମୃଶ୍ୟତା ଯୋଗୁଁ କଚ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଲାଭକରି ଫେରି ଯାଇଛି। ଗୁରୁ ଶିଷ୍ୟ ଭିତରେ ଥିବା ବିଶ୍ବାସର ଫୁଲ ଯେବେ କୀଟଦ୍ରଂଷ୍ଟ ହୁଏ , ତାହେଲେ ସେ ସମ୍ପର୍କର ପରିସମାପ୍ତି ହିଁ ଏକମାତ୍ର ବିକଳ୍ପ ଦାନବରାଜ।
ଅଳ୍ପ ନୀରବ ରହି ଗୁରୁ ପୁଣି କହିଲେ...ସେହି କାର୍ଯ୍ୟ କଣ ମୋର ଅପମାନ ପାଇଁ ଯଥେଷ୍ଟ ନଥିଲା ଯେ ରାଜକୁମାରୀ ଶର୍ମିଷ୍ଠା ମୋତେ ଭିକାରି କହି ମୋ କନ୍ୟା ଦେବଯାନୀକୁ ଅରଣ୍ୟ ଭିତରେ ଅନ୍ଧକୂପ ଭିତରକୁ ଠେଲିଦେଇ ବଣ୍ୟଯନ୍ତୁଙ୍କ ଦୟାରେ ଛାଡିଦେଇ ଆସିଲେ ! ଏହା କେଉଁ ପ୍ରକାର ବିବେକ ଅନୁମୋଦିତ କାର୍ଯ୍ୟ ଦାନବରାଜ?ଏତେ ଅପମାନ ପରେ ତୁମର ଏହି ରାଜ୍ୟରେ ଅବସ୍ଥାନ କରିବା ମୋ ପାଇଁ ଆଉ ସମ୍ଭବ ନୁହେଁ। ମୁଁ ମୋର କନ୍ୟା ସହିତ ତୁମ ରାଜ୍ୟ ତ୍ୟାଗ କରୁଛି ବୃଷପର୍ବା।"
ଗୁରୁଙ୍କ କଥା ବୃଷପର୍ବାଙ୍କ ମଥାରେ ବଜ୍ରପାତ କଲା।ଶୁକ୍ରାଚାର୍ଯ୍ୟଙ୍କ ବ୍ୟତୀତ ଦାନବ କୁଳର ପରିଚୟ ବା କ'ଣ?
ଗୁରୁଙ୍କ ପାଦ ଧରି ମଥା ପିଟି ବୃଷପର୍ବା କହିଲେ...ଯଦି ମୋତେ ପରିତ୍ୟାଗ କରିବେ ତା'ହେଲେ ପ୍ରଥମେ ମୋତେ ହତ୍ୟାକରନ୍ତୁ ଗୁରୁଦେବ।କଚ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ମୁଁ ଆପଣଙ୍କ ପାଦ ଧରି କ୍ଷମା ମାଗିନେଉଛି। ଏଭଳି ଅପରାଧ ଭବିଷ୍ୟତରେ ହେବନାହିଁ।ମୋର ଅଜ୍ଞାତରେ କନ୍ୟା ଶର୍ମିଷ୍ଠା ଯେବେ ଅପରାଧ କରିଛି ସେଥିପାଇଁ ମଧ୍ୟ ମୁଁ କ୍ଷମାପ୍ରାର୍ଥନା କରୁଛି ଗୁରୁଦେବ, କିନ୍ତୁ ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ।ଶର୍ମିଷ୍ଠା କଣ ଆପଣଙ୍କର କନ୍ୟା ନୁହେଁ। ନିର୍ବୋଧ କନ୍ୟାକୁ କ୍ଷମା କରନ୍ତୁ ଗୁରୁଦେବ। ଆପଣ ମୋ ରାଜ୍ୟ ପରିତ୍ୟାଗ କରି ଚାଲିଗଲେ ସଙ୍ଗେ ସଙ୍ଗେ ମୁଁ ଅଗ୍ନି ଭିତରେ ପ୍ରବେଶ କରି ପ୍ରାଣ ବିସର୍ଜନ କରିବି। ରାକ୍ଷସ କୁଳ ଧ୍ବଂସ ପାଇଯିବ।"
ଶୁକ୍ରାଚାର୍ଯ୍ୟ କହିଲେ... ମୋ ପ୍ରାଣସମା କନ୍ୟାର ଚିନ୍ତା ମୋ ପାଇଁ ସର୍ବୋପରି। ମୁଁ ହୁଏତ ତୁମର ଦୋଷ କ୍ଷମା କରି ଦେବି, କିନ୍ତୁ ଦେବଯାନୀ ପାଖରେ ଶର୍ମିଷ୍ଠା ଯେଉଁ ଦୋଷ କରିଛି, ତାହା ମୋ କ୍ଷମା-ଅଧିକାରର ଅନ୍ତର୍ଭୁକ୍ତ ନୁହେଁ। ଦେବଯାନୀ ହିଁ ସେଥିପାଇଁ କ୍ଷମା ଦେଇ ପାରିବ।ତୁମ ରାଜ୍ୟ ତ୍ୟାଗ କରିବା ଜିଦ୍'ରେ ଦେବଯାନୀ ଆଶ୍ରମ ବାହାରେ ଅନଶନରେ ବସିଛି।ତାକୁ ତୁମେ ସନ୍ତୁଷ୍ଟ କର।ସେ ଯଦି କ୍ଷମା ଦେବ ଭଲକଥା, ନହେଲେ ମୋ କନ୍ୟା ସହିତ ମୋତେ ରାକ୍ଷସ ରାଜ୍ୟ ପରିତ୍ୟାଗ କରିବାକୁ ପଡ଼ିବ।"
ପରିସ୍ଥିତିରେ ପଡି ପ୍ରାଣୀ ଯେଉଁ କାର୍ଯ୍ୟ କରିଥାଏ ସେଥିରୁ ତାର ପ୍ରକୃତ ଚରିତ୍ର ଜଣାପଡ଼େ ନାହିଁ। ନିଜ କାର୍ଯ୍ୟ ପାଇଁ ସେ ଯେବେ ଅନୁତାପ କରେ ତେବେ ତାହା କ୍ଷମାଯୋଗ୍ୟ। ଶର୍ମିଷ୍ଠା ଅନୁତାପାନଳରେ ଦଗ୍ଧ ହେଉଥିଲେ।ନିଜ କୃତକର୍ମର ପ୍ରାୟଶ୍ଚିତ ପାଇଁ ଦେବଯାନୀଙ୍କର ପାଦଧରି କ୍ଷମା ମାଗିବା ପାଇଁ ପ୍ରସ୍ତୁତ ଥିଲେ ରାଜକନ୍ୟା।
ଅନୁଚର ପରିବେଷ୍ଠିତ ହୋଇ ବୃଷପର୍ବା, କନ୍ୟା ଶର୍ମିଷ୍ଠା ସହିତ ଗୁରୁଙ୍କ ଆଶ୍ରମରେ ପହଞ୍ଚି ଗୁରୁପୁତ୍ରୀଙ୍କଠାରୁ କ୍ଷମା ଯାଚନା କଲେ। ଦେବଯାନୀ କିନ୍ତୁ ନିଜ ଜିଦ୍'ରେ ଅଟଳ ରହିଲେ। ଦେବଯାନୀ କହିଲେ.... ଶର୍ମିଷ୍ଠା ମୋ ପିତାଙ୍କୁ ଦରିଦ୍ର ଭିକାରି କହିଛି ଏବଂ ମୋତେ ତାର ଦାସୀଭଳି ବ୍ୟବହାର କରିଛି। ତେଣୁ ସେ ଯେବେ ସାରା ଜୀବନ ମୋର ଦାସୀତ୍ବ ଗ୍ରହଣ କରିବ ଏବଂ ମୋର ବିବାହପରେ ମୋ ସହିତ ଦାସୀ ହୋଇ ମୋ ଶ୍ବଶୁରାଳୟକୁ ଯିବ ତାହେଲେ ମୁଁ ଏହି ରାଜ୍ୟରେ ରହିବି,ନହେଲେ ନାହିଁ।
ବୃଷପର୍ବା ଦେବଯାନୀକୁ ବୁଝାଇବାକୁ ଚେଷ୍ଟା କଲେ..... ମାଆ,ତୁମେ ମୋର କନ୍ୟା ଠାରୁ ଅଧିକ। ଶର୍ମିଷ୍ଠା ତୁମର ଭଉଣୀ ସହିତ ସମାନ।ତାକୁ କ୍ଷମା କରିଦିଅ।
ଦେବଯାନୀ ଜିଦ୍'ରେ ଅଟଳ ରହିଲେ ଏବଂ ଶର୍ମିଷ୍ଠା ତାଙ୍କ ଦାସୀତ୍ବ ଗ୍ରହଣ ନକଲେ ରାଜ୍ୟ ତ୍ୟାଗକରି ଚାଲିଯିବାର ନିଷ୍ପତ୍ତି ଶୁଣାଇ ଦେଲେ। ଯେଉଁଠାରେ ଅପତ୍ୟସ୍ନେହ ଅପତ୍ୟ ମୋହରେ ପରିଣତ ହୁଏ ସେଠାରେ ବିବେକର ମୃତ୍ୟୁ ହୁଏ; "କ୍ଷମା" ଭଳି ଶବ୍ଦର ଗୁରୁତ୍ବ ରହେ ନାହିଁ। କନ୍ୟାପ୍ରତି ଅତ୍ୟଧିକ ସ୍ନେହ ଯୋଗୁଁ ଶୁକ୍ରାଚାର୍ଯ୍ୟ ଦେବଯାନୀଙ୍କର ପ୍ରତ୍ୟେକ କାର୍ଯ୍ୟ ଭଳି ଏହି କାର୍ଯ୍ୟକୁ ମଧ୍ୟ ସମର୍ଥନ କଲେ ଏବଂ କନ୍ୟା ସହିତ ବୃଷପର୍ବାଙ୍କ ରାଜ୍ୟ ତ୍ୟାଗ କରିବାପାଇଁ ପ୍ରସ୍ତୁତ ହେଲେ।
ଅସହାୟ ଆଖିରେ ଶର୍ମିଷ୍ଠାଙ୍କୁ ଚାହିଁଲେ ବୃଷପର୍ବା।ରାଜକନ୍ୟା ଶର୍ମିଷ୍ଠା ନିଜର କୃତ ଅପରାଧ ପାଇଁ ଦଣ୍ଡ ଭୋଗିବାକୁ ସମ୍ମତି ଦେଇ କହିଲେ...ମୋ ଅପରାଧ ପାଇଁ ମୋ ପିତା ଦାନବରାଜ ବୃଷପର୍ବା ତଥା ସମଗ୍ର ରାକ୍ଷସକୁଳ ସେମାନଙ୍କ ପ୍ରିୟ ଗୁରୁଙ୍କୁ ହରାଇବା ଉଚିତ ହେବନାହିଁ। ମୁଁ ଦେବଯାନୀର ଆଜୀବନ ଦାସୀତ୍ବ ଗ୍ରହଣ କରିବାକୁ ପ୍ରସ୍ତୁତ।
ଏହା ଶୁଣି ଦେବଯାନୀଙ୍କର ଜିଦ୍ ଶେଷ ହେଲା ଏବଂ କ୍ରୋଧ ଶାନ୍ତ ହେଲା। ସେହି ଦିନଠାରୁ ରାଜକନ୍ୟା ଶର୍ମିଷ୍ଠା ଦେବଯାନୀଙ୍କର ଦାସୀ ହୋଇ ରହିଲେ।
ମହାଭାରତର ରାଜନୀତି ସହିତ ଏହି ଘଟଣାର କିପରି ସଂଯୋଗ ରହିଛି ତାହା ପରେ ଆଲୋଚନା କରିବା; କିନ୍ତୁ ଏହି ଘଟଣାରୁ ମନୁଷ୍ୟ ଚରିତ୍ରର ସୁନ୍ଦର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମିଳେ। କ୍ଷମା ଏବଂ ଅନୁତାପ, ଏହି ଦୁଇଟି ଗୁଣ ସ୍ୱର୍ଗୀୟ। ଶର୍ମିଷ୍ଠାଙ୍କ ଅନୁତପ୍ତ ମନର ନମନୀୟତା ଏବଂ କମନୀୟତା ତାଙ୍କର ଚାରିତ୍ରିକ ଉତ୍କର୍ଷ ପ୍ରତିପାଦିତ କରେ। ସ୍ବାର୍ଥପରବଶ ନହୋଇ ଦେଶ ଓ ଜାତି ପାଇଁ ଯେଉଁ ବଳିଦାନ ସେ ଦେଇଛନ୍ତି ତାହା ତାଙ୍କୁ ଏକ ଆଦର୍ଶ ଚରିତ୍ର ଭାବରେ ତୋଳିଧରିଛି।
ଅପର ପକ୍ଷରେ ନିଜ ଜିଦ୍'ରେ ଅଟଳ ଦେବଯାନୀଙ୍କର ଚରିତ୍ରର କୃଷ୍ଣପକ୍ଷ ସ୍ପଷ୍ଟ ପ୍ରତୀୟମାନ ହୁଏ।ନିଜର ଅହଂକାର ଯୋଗୁଁ ଜଣେ ରାଜକୁମାରୀକୁ ଦାସୀରେ ପରିଣତ କରି ସେ କି ଆତ୍ମସନ୍ତୋଷ ପାଇଲେ ତାଙ୍କୁ ଜଣା। ରାଜକୁମାରୀଙ୍କୁ କ୍ଷମା କରିଦେଇଥିଲେ ସେ ଏକ ମହାନ୍ ଚରିତ୍ରରେ ପରିଗଣିତ ହୋଇଥାଆନ୍ତେ।ତାଙ୍କ ଚରିତ୍ରରେ ଏହି ନମନୀୟତାର ଅଭାବ ଯୋଗୁଁ ତାଙ୍କୁ ସମୟ ଏକ ଅହଂକାରୀ ଓ ସ୍ୱାର୍ଥପର ଚରିତ୍ର ଭାବରେ ଚିତ୍ରିତ କରେ।
ରାଜକନ୍ୟାଙ୍କୁ ସେ ସିନା ଦାସୀରେ ପରିଣତ କରିଦେଲେ କିନ୍ତୁ ପରବର୍ତ୍ତୀ ସମୟରେ ସେହି ଜିଦ୍ ତାଙ୍କ ଜୀବନ-ଆକାଶରେ ଅଦିନ ମେଘ ହୋଇ ଦାମ୍ପତ୍ୟ ସୁଖର ପୂର୍ଣ୍ଣ ଚନ୍ଦ୍ରକୁ ଘୋଡାଇ ଦେଇଥିଲା।
