Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ ଭାଗ ୯୨

କଥା କାଦମ୍ବରୀ ଭାଗ ୯୨

4 mins
154



ପୁତ୍ର ଶୋକରେ ବିଦଗ୍ଧ ଅର୍ଜୁନଙ୍କ ପ୍ରତିଜ୍ଞା କଥା ବିଜୁଳି ବେଗରେ କୌରବ ଶିବିରରେ ଗୁପ୍ତଚର ମାଧ୍ୟମରେ ପହଞ୍ଚିଗଲା। ଚତୁର୍ଦ୍ଦଶ ଦିନରେ ସୂର୍ଯ୍ୟାସ୍ତ ପୂର୍ବରୁ ଅର୍ଜୁନ ସିନ୍ଧୁ ରାଜ ଜୟଦ୍ରଥଙ୍କୁ ବଧ ନକଲେ ଅଗ୍ନିରେ ପ୍ରବେଶ କରି ଆତ୍ମାହୁତି ଦେବେ ବୋଲି କରିଥିବା ପଣ କଥା ଶୁଣି ଭୟରେ ଶିହରୀ ଉଠିଲେ ଜୟଦ୍ରଥ।


ଜୟଦ୍ରଥ ହେଉଛନ୍ତି ସିନ୍ଧୁ ରାଜ୍ୟର ମହିପତି ବୃଦ୍ଧକ୍ଷେତ୍ରଙ୍କ ପୁତ୍ର ତଥା ଦୁର୍ଯ୍ୟୋଧନଙ୍କର ଏକମାତ୍ର ଭଗ୍ନୀ ଦୁଃଶୀଳାର ପତି।ତାଙ୍କର ଜନ୍ମ ସମୟରେ ଆକାଶବାଣୀ ହୋଇଥିଲା ଯେ ସେ ଜୀବନରେ ନିଜକୁ ଏକ ମହାନ୍ ବୀର ଭାବରେ ପ୍ରତିଷ୍ଠିତ କରିପାରିବେ କିନ୍ତୁ ତାଙ୍କର ଅନ୍ତ ମଧ୍ୟ ଜଣେ ଶ୍ରେଷ୍ଠ ବୀରଙ୍କ ଦ୍ଵାରା ମସ୍ତକ କର୍ତ୍ତନ ହୋଇ ହେବ। ଏହାଶୁଣି ବୃଦ୍ଧକ୍ଷେତ୍ରଙ୍କ ମନରେ ଗଭୀର ଦୁଃଖ ଆସିଲା।ସେ ନିଜେ ଜଣେ ଉଚ୍ଚବର୍ଗର ତପଶ୍ଚାରୀ ଥିଲେ।ନିଜ ତପସ୍ୟା ଫଳ ବଳରେ ପୁତ୍ରକୁ ବରଦାନ ଦେଇ କହିଥିଲେ... ଯାହା ଦ୍ବାରା ମୋ ପୁତ୍ରର ମସ୍ତକ ଭୁଲୁଣ୍ଠିତ ହେବ ତାର ମସ୍ତକ ମଧ୍ୟ ସଙ୍ଗେ ସଙ୍ଗେ ବିଦୀର୍ଣ୍ଣ ହୋଇଯିବ।


 ଅର୍ଜୁନଙ୍କ ପଣ କଥା ଶୁଣି ଜୟଦ୍ରଥ ଯୁଦ୍ଧ ତ୍ୟାଗ କରି ନିଜ ରାଜ୍ୟକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ଜୟଦ୍ରଥଙ୍କୁ ଭୟଭୀତ ଦେଖି ଦୁର୍ଯ୍ୟୋଧନ କହିଲେ... ଭୟଭୀତ ହୁଅନାହିଁ ସୈନ୍ଧବ ! ଅର୍ଜୁନ ତୁମର କେଶାଗ୍ର ମଧ୍ୟ ସ୍ପର୍ଶ କରିପାରିବ ନାହିଁ।ତୁମର ସହାୟତା ପାଇଁ କର୍ଣ୍ଣ, ଚିତ୍ରସେନ, ବିଭିଂଶତି, ଭୁରିଶ୍ରବା, ଶଲ୍ୟ, ପୁରୁମିତ୍ର, ଜୟ, ଭୋଜ, କାମ୍ବୋଜ, ସୁଦକ୍ଷିଣ, ସତ୍ୟବ୍ରତ, ବିକର୍ଣ୍ଣ, ଦୁର୍ମୁଖ, ଦୁଃଶାସନ, ସୁବାହୁ, କଳିଙ୍ଗେଶ,ବିନ୍ଦ, ଅନୁବିନ୍ଦ, ଶକୁନି, ଦ୍ରୋଣ, ଅଶ୍ଵତ୍ଥାମା, ଆଦି ବୀରମାନେ ନିଜ ନିଜର ଜୀବନକୁ ବାଜି ଲଗାଇଦେବେ। ଆଜି ମୋର ସମଗ୍ର ସେନା ବାହିନୀର ଏକମାତ୍ର ଲକ୍ଷ ରହିବ ତୁମକୁ ସୁରକ୍ଷା ପ୍ରଦାନ କରିବା।"


ଦୁର୍ଯ୍ୟୋଧନଙ୍କର ଏଭଳି ଆଶ୍ବସନା ପାଇ ଜୟଦ୍ରଥ, ସିନ୍ଧୁ ଦେଶ ଫେରି ନଯାଇ ,କୁରୁକ୍ଷେତ୍ରରୁ ବାରମାଇଲ୍ ଦୂରରେ ଉପରୋକ୍ତ ବୀର ମାନଙ୍କ ଦ୍ବାରା ପରିବେଷ୍ଠିତ ହୋଇ ଅର୍ଜୁନଙ୍କ ବାଣ ଆଘାତରୁ ନିଜକୁ ଦୂରେଇ ରଖିଲେ। 


ଅର୍ଜୁନଙ୍କ ଏକମାତ୍ର ଲକ୍ଷ ଥିଲା ଜୟଦ୍ରଥର ମୃତ୍ୟୁ। ଦୁର୍ଯ୍ୟୋଧନ ଭାବିଲେ...ଜୟଦ୍ରଥ ଜୀବିତ ରହନ୍ତୁ ବା ଅର୍ଜୁନଙ୍କ ହାତରେ ମୃତ୍ୟୁ ବରଣ କରନ୍ତୁ,ଆଜି ଅର୍ଜୁନ ବଞ୍ଚିବାର ପ୍ରଶ୍ନ ଉଠୁନାହିଁ। ଜୟଦ୍ରଥଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ ମୃତ୍ୟୁ ଦେଇନପାରିଲେ ଅର୍ଜୁନ ଅଗ୍ନିରେ ପ୍ରବେଶ କରି ପ୍ରାଣ ହରାଇବେ।ଜୟଦ୍ରଥକୁ ବଧ କଲେ ମଧ୍ୟ ତାଙ୍କର ଶିର ଭୂମିରେ ପଡ଼ିବା ସଙ୍ଗେ ସଙ୍ଗେ ଅର୍ଜୁନଙ୍କ ମସ୍ତକ ବିଦୀର୍ଣ୍ଣ ହୋଇଯିଵ। ଅର୍ଜୁନଙ୍କ ମୃତ୍ୟୁ ପରେ ପାଣ୍ଡବ ମାନଙ୍କୁ ସହଜରେ ପରାସ୍ତ କରିହେବ।"


ଚତୁର୍ଦ୍ଦଶ ଦିବସ ଗୁରୁ ଦ୍ରୋଣଙ୍କର ସେନାପତିତ୍ବର ଚରମ ପରୀକ୍ଷାର ଦିନ ଥିଲା।ସେ ଏଭଳି ବ୍ୟୁହ ରଚନା କରିଥିଲେ ଯେ ମହାରଥୀ ମାନଙ୍କୁ ପରାସ୍ତ କରି ଜୟଦ୍ରଥ ପାଖରେ ପହଞ୍ଚିବା ଅସମ୍ଭବ ବ୍ୟାପାର ଥିଲା।


ଏଣେ ଅର୍ଜୁନଙ୍କ ସୈନ୍ଧବ-ମାରଣ ଅଭିଯାନରେ ତାଙ୍କୁ ପ୍ରାଣପଣେ ସହଯୋଗ କରୁଥିଲେ ଭୀମସେନ,ସାତ୍ୟକି,ଧୃଷ୍ଟଦ୍ୟୁମ୍ନ ଇତ୍ୟାଦି ମହାରଥୀ ଗଣ।ପାଣ୍ଡବଙ୍କ ଆଗରେ ଆଜି ଦୁଇଟି ମୁଖ୍ୟ ଲକ୍ଷ୍ୟ; ଯୁଧିଷ୍ଠିରଙ୍କୁ ଗୁରୁଙ୍କ ହାତରେ ବନ୍ଦୀ ହେବାରୁ ବଞ୍ଚାଇବା ଏବଂ ଜୟଦ୍ରଥ-ବଧରେ ଅର୍ଜୁନଙ୍କୁ ସାହାଯ୍ୟ କରି ତାଙ୍କୁ ଆତ୍ମାହୂତିରୁ ରକ୍ଷା କରିବା।ଉଭୟ କାର୍ଯ୍ୟ ମହାକଷ୍ଟସାଧ୍ୟ ଥିଲା।

ପ୍ରଥମେ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଯୁଦ୍ଧରେ ଲିପ୍ତ ରଖିବାକୁ ତାଙ୍କୁ ଆହ୍ବାନ ଦେଲେ। କିଛି ସମୟ ଯୁଦ୍ଧ କରିବା ପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ..ଏ ବ୍ରାହ୍ମଣ ଯୁଦ୍ଧରେ ଅଜେୟ।ତାଙ୍କ ସହିତ ଯୁଦ୍ଧରେ ଲିପ୍ତ ରହିଲେ ତୁମେ କରିଥିବା ପଣ ପୂରଣ ହୋଇ ପାରିବ ନାହିଁ।"ଏହା କହି ଶ୍ରୀକୃଷ୍ଣ ଗୁରୁଙ୍କ ସହିତ ଯୁଦ୍ଧ ଏଡ଼ାଇ, ଅତି ସନ୍ତର୍ପଣରେ ନନ୍ଦିଘୋଷ ଅପସରଣ କରି ଜୟଦ୍ରଥ ରହିଥିବା ଦିଗରେ ରଥ ଝପଟାଇ ଦେଲେ।ପଛରୁ ଆହ୍ବାନ ଦେଉଥିଲେ ଦ୍ରୋଣାଚାର୍ଯ୍ୟ, କିନ୍ତୁ ଅର୍ଜୁନ କହିଲେ.. କ୍ଷମା କରନ୍ତୁ ଗୁରୁଦେବ,ଆଜି ମୋ ପୁତ୍ରହନ୍ତାକୁ ମୃତ୍ୟୁଦଣ୍ଡ ଦେବା ମୋର ପ୍ରମୁଖ ଲକ୍ଷ୍ୟ;ଆଉ ଦିନେ ଆପଣଙ୍କ ଆହ୍ବାନ ଗ୍ରହଣ କରିବି।"


ଅର୍ଜୁନଙ୍କ ବିଦାୟ ପରେ ଗୁରୁଙ୍କ ସହିତ ଘୋର ରଣରେ ମଜ୍ଜିଗଲେ ବୃକୋଦର।ଭୀମଙ୍କର ଭୟଙ୍କର ରୂପରେ ତ୍ରସ୍ତ ସାରା ଯୁଦ୍ଧ କ୍ଷେତ୍ର। କର୍ଣ୍ଣଙ୍କ ସହିତ ମଧ୍ୟ ଯୁଦ୍ଧ କରି ତାଙ୍କୁ ବାରମ୍ବାର ପରାସ୍ତ କରିବା ଦେଖି ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶରେ ତାଙ୍କର ଭାଇମାନେ କର୍ଣ୍ଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ସେମାନଙ୍କ ଭିତରୁ ଅନେକଙ୍କୁ ଯମପୁରକୁ ପଠାଇଲେ ଭୀମସେନ।


ଏଣେ ଭୁରିଶ୍ରବାଙ୍କ ସହିତ ସାତ୍ୟକିଙ୍କର ଭୀଷଣ ଯୁଦ୍ଧ ଲାଗିଥାଏ।ଭୁରିଶ୍ରବା, ଯାଦବ ବୀର ସୋମଦତ୍ତଙ୍କ ପୁତ୍ର ଥିଲେ ଏବଂ ସାତ୍ୟକି ଯାଦବ ବୀର ସିନି'ଙ୍କ ପୌତ୍ର ଥିଲେ।ସୋମଦତ୍ତ ଏବଂ ସିନିଙ୍କ ମଧ୍ୟରେ ପୁରାତନ ପାରିବାରିକ ଶତ୍ରୁତା ଥିଲା। ଯେଉଁ ଅପୂର୍ବ ସୁନ୍ଦରୀ କନ୍ୟାଙ୍କ ବିବାହ ପ୍ରସ୍ତାବ ନେଇ ସୋମଦତ୍ତ ଏବଂ ସିନି'ଙ୍କ ମଧ୍ୟରେ ଉଠିଥିବା ବିବାଦ ଶତ୍ରୁତାରେ ପରିଣତ ହୋଇଥିଲା ସେ ଥିଲେ ଶ୍ରୀକୃଷ୍ଣଙ୍କ ମାତା ଦେବକୀ।ଦେବକୀ ଶେଷରେ ବସୁଦେବଙ୍କୁ ବିବାହ କରିଥିଲେ, କିନ୍ତୁ ଦୁଇ ଯାଦବ ପରିବାର ଭିତରେ ଶତ୍ରୁତାର ଅନ୍ତ ହୋଇପାରିନଥିଲା।

ଯେତେବେଳେ କୁରୁକ୍ଷେତ୍ରରେ ସେମାନେ ମୁହାଁମୁହିଁ ହେଲେ, ସେହି ପୁରାତନ ଶତ୍ରୁତା ତାଜା ହୋଇ ଉଠିଲା।ଭୀଷଣ ଯୁଦ୍ଧରେ ମାତି ଗଲେ ସେମାନେ।


ଦୁଇ କ୍ଷୁଧିତ ସିଂହ ପରି ଯୁଦ୍ଧ କରୁଥିଲେ ସାତ୍ୟକି ଓ ଭୁରିଶ୍ରବା।ଖଡ୍ଗଯୁଦ୍ଧରେ ଦୁଇଜଣଙ୍କର ଖଡ୍ଗ ଖଣ୍ଡବିଖଣ୍ଡିତ ହେବାପରେ ମଲ୍ଲଯୁଦ୍ଧରେ ମାତି ଗଲେ ଦୁହେଁ।ସାତ୍ୟକି ଏହା ପୂର୍ବରୁ ଦ୍ରୋଣ ଏବଂ ଅନ୍ୟ ରଥୀ ମାନଙ୍କ ସହିତ ଯୁଦ୍ଧ କରି କ୍ଲାନ୍ତ ହୋଇ ପଡ଼ିଥିଲେ। ଭୁରିଶ୍ରବା ତାଙ୍କ ଉପରେ ମାଡିବସି ଉର୍ଦ୍ଧ୍ବକୁ ବାହୁ ତୋଳି ମୁଷ୍ଟି ଉପରେ ମୁଷ୍ଟି ଆଘାତ କରିବାରେ ଲାଗିଲେ।

ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ..ଦେଖ ପାର୍ଥ ! ସାତ୍ୟକି ବର୍ତ୍ତମାନ ଦୟନୀୟ ଅବସ୍ଥାରେ,ତାଙ୍କୁ ସହାୟତା ନଦେଲେ ଆଜି ଭୁରିଶ୍ରବାଙ୍କ ହାତରେ ନିଶ୍ଚିତ ଭାବରେ ସେ ମୃତ୍ୟୁ ମୁଖରେ ପଡ଼ିବେ।"


ଅର୍ଜୁନଙ୍କ ମନ କିନ୍ତୁ ଜୟଦ୍ରଥଙ୍କ ମୃତ୍ୟୁ ଚିନ୍ତାରେ ମଗ୍ନ ଥିଲା। ତେଣୁ ସେ କୃଷ୍ଣଙ୍କ କଥାକୁ ଗୁରୁତ୍ବ ଦେଲେ ନାହିଁ।

ଭୁରିଶ୍ରବା ସାତ୍ୟକିଙ୍କୁ ଭୂମିରେ ପକାଇ, ସିଂହ ତା'ର ଶିକାରକୁ ନେଲାପରି ଘୋଷାରି ଘୋଷାରି ନେଉଥିଲେ। ଶ୍ରୀକୃଷ୍ଣ ପୁନର୍ବାର ଏହା ଅର୍ଜୁନଙ୍କ ଦୃଷ୍ଟି ଗୋଚର କରାଇଲେ।

ଅର୍ଜୁନଙ୍କ ମନରେ ଦ୍ଵନ୍ଦ,ଭୁରିଶ୍ରବା ତାଙ୍କୁ ଆହ୍ବାନ ଦେଇ ନାହାନ୍ତି; ତେବେ କାହିଁକି ସେ ହସ୍ତକ୍ଷେପ କରିବେ,ଏହା ଅନ୍ୟାୟ ।


ସାତ୍ୟକିଙ୍କ ବକ୍ଷ ଉପରେ ବସି ଭୁରିଶ୍ରବା ଉନ୍ମୁକ୍ତ ଖଡ୍ଗ ଧରି ଆଘାତ କରିବାକୁ ଉଦ୍ୟତ। ଶ୍ରୀକୃଷ୍ଣ କହିଲେ..ପାର୍ଥ ! ଯେଉଁ ବୃଷ୍ଣିବଂଶୀ ଆର୍ଯ୍ୟ ସାତ୍ୟକି ତୁମପାଇଁ ଯୁଦ୍ଧରେ ପ୍ରାଣ ବିସର୍ଜନ କରିବାପାଇଁ ସଦା ତତ୍ପର, ତାଙ୍କ ପ୍ରତି କଣ ତୁମର‌ କିଛି କର୍ତ୍ତବ୍ୟ ନାହିଁ?"


ବାସ୍,ପରମୁହୂର୍ତ୍ତରେ ଅର୍ଜୁନଙ୍କ ଗାଣ୍ଡିବରୁ ନିର୍ଗତ ହେଲା ବାଣ। ଯେଉଁ ଦକ୍ଷିଣ ଭୁଜରେ ଭୁରିଶ୍ରବା ଖଡ୍ଗ ଉତ୍ତୋଳନ କରିଥିଲେ ସାତ୍ୟକିଙ୍କ ବକ୍ଷ ଭେଦ କରିବା ପାଇଁ ତାହା ଛେଦିତ ହୋଇ ତଳେ ପଡିଲା।ଅନ୍ୟାୟ ଯୁଦ୍ଧରେ ଧାର ଧାର ହୋଇ ବହି ଯାଉଥିବା ଲହୁରେ ଭିଜିଗଲା ଧର୍ମକ୍ଷେତ୍ର କୁରୁକ୍ଷେତ୍ରର ମାଟି।


ଅର୍ଜୁନଙ୍କର ଏଭଳି କାର୍ଯ୍ୟରେ ସ୍ତବ୍ଧ କୁରୁକ୍ଷେତ୍ର।ଅର୍ଜୁନଙ୍କୁ ଧିକ୍କାର କରି ଭୁରିଶ୍ରବା କହିଲେ..ଏଇ ତୁମର କ୍ଷାତ୍ର ଧର୍ମ କୌନ୍ତେୟ !!ସାତ୍ୟକି ସହିତ ମୁଁ ରଣ କରୁଥିବା ସମୟରେ ତୁମେ କେଉଁ ନ୍ୟାୟରେ ମୋର ହସ୍ତଛେଦନ କଲ ଅର୍ଜୁନ !!ତୁମ ଭ୍ରାତା ଧର୍ମପୁତ୍ରଙ୍କ ପାଖରେ କିପରି ଏହି ଅନ୍ୟାୟ ଯୁଦ୍ଧ ଗାଥା ବର୍ଣ୍ଣନା କରିବ? କାହାଠାରୁ ଏହି ଅନ୍ୟାୟ ଶିକ୍ଷା କଲ ପାର୍ଥ ? ପିତା ଇନ୍ଦ୍ରଙ୍କ ଠାରୁ ନାଁ ଗୁରୁ ଦ୍ରୋଣାଚାର୍ଯ୍ୟ ନା କୃପାଚାର୍ଯ୍ୟଙ୍କ ଠାରୁ !!ଏହା ନିଶ୍ଚିତ ଭାବରେ ଘୃଣ୍ୟ ମାନସିକ ଧାରଣ କରିଥିବା ଶ୍ରୀକୃଷ୍ଣର ଉପଦେଶରେ ତୁମେ କରିଛ ପାର୍ଥ;କୁହ ଏହା କେଉଁ ନ୍ୟାୟ !!"


ଅର୍ଜୁନ କହିଲେ ... ଅଯଥା ତୁମେ ବାସୁଦେବଙ୍କୁ ଭର୍ତ୍ସନା କରୁଛ ବୃଦ୍ଧ ଭୁରିଶ୍ରବା। ମୋତେ ଆଉ ନ୍ୟାୟ ଅନ୍ୟାୟ ଶିଖାଅ ନାହିଁ । କେଉଁ ନ୍ୟାୟରେ ସପ୍ତରଥି ମିଳିତ ହୋଇ ମୋ ନିରସ୍ତ୍ର ଅଭିମନ୍ୟୁକୁ ତୁମେ ହତ୍ୟାକଲ? କେଉଁ ନ୍ୟାୟରେ ଏବେ ତୁମେ ନିରସ୍ତ୍ର ସାତ୍ୟକିଙ୍କୁ ଖଡ୍ଗ ପ୍ରହାର କରି ହତ୍ୟା କରିବାକୁ ଯାଉଥିଲ ?"

ଭୁରିଶ୍ରବା କୌଣସି ଉତ୍ତର ନଦେଇ ବାମ ହସ୍ତରେ ତୀରରେ ଗୋଟିଏ ଆସନ ପ୍ରସ୍ତୁତ କରି,ତା ଉପରେ ଯୋଗମୁଦ୍ରାରେ ବସିଗଲେ। ଏହି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଲା।

ଇତି ମଧ୍ୟରେ ସାତ୍ୟକି ଚେତନା ଫେରି ପାଇଲେ।ନିକଟରେ ପଡ଼ିଥିବା ଖଡ୍ଗ ଉଠାଇ ସେ ଭୁରିଶ୍ରବାଙ୍କ ମସ୍ତକ କାନ୍ଧରୁ ବିଚ୍ୟୁତ କରିଦେଲେ।


କୁରୁକ୍ଷେତ୍ରରେ ହାହାକାର ଖେଳିଗଲା।"ଘୋର ଲଜ୍ଜା ଘୋର‌ଲଜ୍ଜା" କହି, କୌରବ ପକ୍ଷର ରଥି ମହାରଥୀ ମାନେ ଚିତ୍କାର କଲେ।



Rate this content
Log in

Similar oriya story from Classics