Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ ଭାଗ ୮୬ (କର୍ଣ୍ଣ)

କଥା କାଦମ୍ବରୀ ଭାଗ ୮୬ (କର୍ଣ୍ଣ)

4 mins
297



ଶରଶଯ୍ୟାରେ ଶାୟିତ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ..ପୁତ୍ର!ଦେଖିଲ ତ କିପରି ଧନଞ୍ଜୟ ମୋର ତୃଷା ନିବାରଣ କରିବାପାଇଁ ପୃଥିବୀ ବକ୍ଷରେ ତୀର ଭେଦ କରି ମାତା ଗଙ୍ଗାଙ୍କୁ ମୋ ନିକଟକୁ ନେଇ ଆସିଲା! ବିଶ୍ୱରେ କେଉଁ ବୀରର ଏପରି ସାମର୍ଥ୍ୟ ଅଛି!ମୋ ଉପଦେଶ ମାନି,ଆଉ ବିଳମ୍ବ ନକରି ପାଣ୍ଡବ ମାନଙ୍କ ସହିତ ଶାନ୍ତି ସ୍ଥାପନ କର।ମୋ ମୃତ୍ୟୁ ସହିତ କୁରୁବଂଶରେ ଏହି ଆହବର ପରିସମାପ୍ତି ହେଉ।"


ପିତାମହଙ୍କର ଉପଦେଶ ଦୁର୍ଯ୍ୟୋଧନଙ୍କର ଶ୍ରୁତିକଟୁ ହେଲା।ବୈଦ୍ୟ ରୋଗ ନିରାକରଣ ପାଇଁ ଦେଇଥବା ତିକ୍ତ ଔଷଧିକୁ ପ୍ରତ୍ୟାଖ୍ୟାନ କରିବା ପରି ଦୁର୍ଯ୍ୟୋଧନ ପିତାମହଙ୍କ ଉପଦେଶକୁ ଗୋଟିଏ କାନରେ ପୁରାଇ ଅନ୍ୟ କାନରେ ବାହାର କରିଦେଲେ।

  

ପିତାମହ ଭୀଷ୍ମ ସେନାପତି ରହିଥିବା ପର୍ଯ୍ୟନ୍ତ ଅଙ୍ଗରାଜ କର୍ଣ୍ଣ ମହାଭାରତ ଯୁଦ୍ଧରୁ ନିଜକୁ ଦୂରେଇ ରଖିଥିଲେ।ଦଶମ ଦିନର ଯୁଦ୍ଧରେ ପିତାମହ, ଅର୍ଜୁନଙ୍କ ହସ୍ତରେ ପରାହତ ହୋଇ ଶର ଶଯ୍ୟାରେ ରହିଥିବା ସମ୍ବାଦ ପାଇ କର୍ଣ୍ଣ ତାଙ୍କୁ ଦର୍ଶନ କରିବା ପାଇଁ କୁରୁକ୍ଷେତ୍ରରେ ପହଞ୍ଚିଲେ।ସାଷ୍ଟାଙ୍ଗ ପ୍ରଣିପାତ କରି କର୍ଣ୍ଣ ଯୋଡହସ୍ତରେ ଭୀଷ୍ମଙ୍କୁ କହିଲେ..ହେ କୁରୁ ବଂଶର ସୂର୍ଯ୍ୟ ! ବିନା ଅପରାଧରେ ଆପଣଙ୍କ କ୍ରୋଧର ଶରବ୍ୟ ହୋଇଥିବା ରାଧେୟ କର୍ଣ୍ଣ ଆପଣଙ୍କ ପଦସ୍ପର୍ଶ କରୁଛି।ଅପରାଧ ଥିଲେ କ୍ଷମା କର ମହାତ୍ମା !"


କର୍ଣ୍ଣଙ୍କ ବିନମ୍ରତା ଦେଖି ଭୀଷ୍ମଙ୍କର ହୃଦୟ ତରଳି ଗଲା। କର୍ଣ୍ଣଙ୍କ ମଥାରେ ହସ୍ତ ରଖି ଭୀଷ୍ମ ଆଶୀର୍ବାଦ ଦେଇ କହିଲେ ..ତୁମେ ରାଧେୟ ନୁହଁ ବତ୍ସ,ତୁମେ କୌନ୍ତେୟ। ମହର୍ଷି ନାରଦଙ୍କ ଠାରୁ ତୁମ ଜନ୍ମ ବୃତ୍ତାନ୍ତ ମୁଁ ବହୁ ପୂର୍ବରୁ ଅବଗତ ଅଛି।ହେ ସୂର୍ଯ୍ୟପୁତ୍ର ! ତୁମପ୍ରତି ମୋ ମନରେ ତିଳେ ମାତ୍ର ଅସୂୟା ଭାବ ନାହିଁ। କିନ୍ତୁ ତୁମର ବିନା କାରଣରେ ପାଣ୍ଡବଙ୍କ ବିରୁଦ୍ଧରେ ବିଷୋଦ୍ଗାରଣ ମୋତେ ମର୍ମାହତ କରେ। ପାଣ୍ଡବମାନେ ତୁମର କେଉଁ କ୍ଷତି କରିଛନ୍ତି ସୂର୍ଯ୍ୟପୁତ୍ର? ତୁମର ପ୍ରଚଣ୍ଡ ବୀରତ୍ବ ବିଷୟରେ ମୁଁ ଅବଗତ ପୁତ୍ର!ତୁମେ ସାଧାରଣ ବୀର ନୁହଁ,ତୁମ ଭିତରେ ଫାଲଗୁନୀ ଏବଂ କେଶବଙ୍କ ଶୌର୍ଯ୍ୟ ଭରିରହିଛି।ବିଧି ନିର୍ଦ୍ଦେଶ ଦେଖ,ତୁମର ଉପଯୁକ୍ତ ପୁରୁଷାକାର ଅନୁପଯୁକ୍ତ ଭାବରେ ସ୍ଥାନିତ ହୋଇଛି। ମୋର ଇଚ୍ଛା ତୁମେ ପାଣ୍ଡବଙ୍କ ସହିତ ମିତ୍ରତା କରି ସେମାନଙ୍କ ହସ୍ତକୁ ଦୃଢକର।ଧର୍ମପଥାଚାରୀ ଯୁଧିଷ୍ଠିର ନିଶ୍ଚିତ ଭାବରେ ତୁମକୁ ଜ୍ୟେଷ୍ଠ ଭ୍ରାତାର ଆସନ ଦେବେ। ଅଧର୍ମପଥଗାମୀ ଶକ୍ତି ମାନଙ୍କର ବିନାଶ କରି ତୁମେ ଧର୍ମରାଜ୍ୟର ପ୍ରତିଷ୍ଠା କର କୌନ୍ତେୟ!।ମୋ ପରେ ନୂତନ ଯୁଗର ଆରମ୍ଭ ତୁମେ ହିଁ କର ।"


ବିନମ୍ର କଣ୍ଠରେ କର୍ଣ୍ଣ କହିଲେ ..ହେ ମହାତ୍ମା ! ଜୀବନରେ ନୀତି ପାଳନ କରିବାରେ ଆପଣଙ୍କଠାରୁ କିଏ ଅଧିକ ଅଭିଜ୍ଞ ?ଆପଣ ତ ଆଚାର-ଶ୍ରେଷ୍ଠ, ମୁଁ ଆପଣଙ୍କୁ ଅଧିକ କଣ କହିବି ?ଆପଣ ନିଜେ କଣ ଦୁର୍ଯ୍ୟୋଧନ ପକ୍ଷ ତ୍ୟାଗ କରି ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇପାରିଲେ ?ଆପଣ କୁରୁ ସିଂହାସନକୁ ସର୍ବାଦୌ ରକ୍ଷା କରିବାର ପଣ ତ୍ୟାଗକରି କାହିଁକି ଧର୍ମପଥାଚାରୀ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଲେ ନାହିଁ ପିତାମହ ?ଆପଣ ତ ଜାଣନ୍ତି ନୀତିଭ୍ରଷ୍ଟ ବ୍ୟକ୍ତି ମେରୁଦଣ୍ଡ ବିହୀନ ପ୍ରାଣୀ ସହିତ ସମାନ।"


କିଛି ନୀରବତା ପରେ କର୍ଣ୍ଣ କହିଲେ.. ମୁଁ ଜାଣେ ପିତାମହ ,ମୁଁ କୌନ୍ତେୟ;ନିଜେ ମାତା କୁନ୍ତୀ ଯୁଦ୍ଧ ପୂର୍ବରୁ ମୋ ପାଖରେ ପହଞ୍ଚି ମୋତେ ସବୁକଥା କହିଛନ୍ତି। କିନ୍ତୁ ହେ କୁରୁକୁଳଶ୍ରେଷ୍ଠ!

ଯେଉଁ ଦୁର୍ଯ୍ୟୋଧନ ମୋତେ ରାଧେୟରୁ ଅଙ୍ଗରାଜରେ ପରିଣତ କରିଛନ୍ତି ତାଙ୍କ ପିଠିରେ ଛୁରୀକାଘାତ କରି କିପରି ମୁଁ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେବି !! ଦୁର୍ଯ୍ୟୋଧନଙ୍କର ବିଶ୍ଵାସ ଓ ମିତ୍ରତା ପାଇଁ ଆବଶ୍ୟକ ହେଲେ ମୁଁ ପ୍ରାଣ ବିସର୍ଜନ କରିଦେବି ସିନା, ନିଜ ସ୍ବାର୍ଥ ସାଧନ ପାଇଁ ମୁଁ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇ ପାରିବି ନାହିଁ।ମୋର କଥାରେ ଏବଂ କାର୍ଯ୍ୟରେ,ଜୀବନରେ ଅନେକ ଭୁଲ୍ ହୋଇଛି। ତାହା ମୋ ଚରିତ୍ରରୁ ଅଲଗା କରିବା ବର୍ତ୍ତମାନ ସମୟରେ ସମ୍ଭବ ନୁହେଁ ;ବହୁ ବିଳମ୍ବ ହୋଇଯାଇଛି ପିତାମହ!,ଶରାସନରୁ ତୀର ନିର୍ଗତ ହୋଇ ସାରିଛି,ତାକୁ ଫେରାଇ ଆଣିବା ଅସମ୍ଭବ। ମୁଁ ଦୁର୍ଯ୍ୟୋଧନଙ୍କ ପକ୍ଷ ତ୍ୟାଗ କରିପାରିବି ନାହିଁ।ମୋତେ ସେଥିପାଇଁ କ୍ଷମା କରନ୍ତୁ।"


କର୍ଣ୍ଣଙ୍କ କଥା ଭୀଷ୍ମଙ୍କୁ ଆନନ୍ଦିତ କଲା।ପିତାମହ କହିଲେ.. ପୁତ୍ର କର୍ଣ୍ଣ! ବିଧାତା ସିନା ଜନ୍ମଦିଅନ୍ତି,ପୁରୁଷାକାର ନିଜେ ବ୍ୟକ୍ତି ସୃଷ୍ଟି କରେ।ବିଭୀଷଣ ସବୁ ସୁଗୁଣର ଅଧିକାରୀ ହୋଇ ମଧ୍ୟ ଶତ୍ରୁପକ୍ଷରେ ଯୋଗ ଦେଇ ନିନ୍ଦିତ ହୋଇଛନ୍ତି।ତୁମର ନୀତିଗତ ଦୃଢ଼ତାକୁ ପ୍ରଶଂସା ନକରି ରହିପାରୁନାହିଁ।ଏବେ ଦୁର୍ଯ୍ୟୋଧନଙ୍କୁ ଜୟଯୁକ୍ତ କରିବାପାଇଁ ଆପ୍ରାଣ ଚେଷ୍ଟା କର।ମୋ ଅବର୍ତ୍ତମାନରେ ତୁମେ ହିଁ ଦୁର୍ଯ୍ୟୋଧନର ସାହା ଭରଷା।"


ଭୀଷ୍ମଙ୍କଠାରୁ ବିଦାୟ ନେଇ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚି ଯୁଦ୍ଧରେ ଯୋଗଦେବାପାଇଁ ଅଭିଳାଷା ବ୍ୟକ୍ତ କଲେ।ନୂତନ ଆଶା ନୂତନ ଉଦ୍ଦିପନା ଖେଳିଗଲା କୌରବ ପକ୍ଷରେ। କର୍ଣ୍ଣଙ୍କ ଉପସ୍ଥିତି କୌରବବାହିନୀକୁ ସୁଦୃଢ କଲା। ଦ୍ରୋଣ ଏବଂ ଅନ୍ୟ ମହାରଥୀଙ୍କ ଉପସ୍ଥିତିରେ ଯୁଦ୍ଧରେ ପରବର୍ତ୍ତୀ ପଥକ୍ଷେପ ବିଷୟରେ ଆଲୋଚନା କରାଗଲା।କର୍ଣ୍ଣଙ୍କୁ ସେନାପତି ପଦ ଅର୍ପଣ କରିବା ପ୍ରଶ୍ନ ଉପରେ ମତ ଦେଇ କର୍ଣ୍ଣ କହିଲେ.. ସେନାପତିଙ୍କ ବ୍ୟକ୍ତିତ୍ଵ ସମସ୍ତଙ୍କର ଗ୍ରହଣୀୟ ହେବା ଉଚିତ। ଦ୍ରୋଣାଚାର୍ଯ୍ୟଙ୍କ ଭଳି ମହାରଥି ଥାଉଁ ଥାଉଁ ଅନ୍ୟ କୌଣସି ଯୋଦ୍ଧା ସେନାପତି ପଦରେ ଆସୀନ ହେବା ଉଚିତ ନୁହେଁ। ତଦନୁଯାୟୀ ଯୁଦ୍ଧର ଏକାଦଶ ଦିନଠାରୁ କୌରବ ପକ୍ଷର ନୂତନ ସେନାପତି ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ।


କର୍ଣ୍ଣ ଏବଂ ଦୁଃଶାସନଙ୍କ ସହିତ ଆଲୋଚନା କରି ଦୁର୍ଯ୍ୟୋଧନ ଏକ ଅଦ୍ଭୁତ ରଣନୀତି କାର୍ଯ୍ୟକାରୀ କରିବାପାଇଁ ଗୁରୁଦ୍ରୋଣଙ୍କୁ ଅନୁରୋଧ କଲେ। ଦୁର୍ଯ୍ୟୋଧନ କହିଲେ..ଗୁରୁଦେବ ! ଆପଣଙ୍କୁ ଆଉ କିଛି କରିବା ଆବଶ୍ୟକ ନାହିଁ,କେବଳ ଯୁଧିଷ୍ଠିରଙ୍କୁ ବନ୍ଦୀ କରି ଆମ ପାଖରେ ଉପସ୍ଥିତ କରନ୍ତୁ। ତାଙ୍କୁ ବନ୍ଦୀଭାବେ ପାଇ ଆଉ ଥରେ ତାଙ୍କୁ କପଟ ପଶା ଖେଳିବାକୁ ପ୍ରରୋଚିତ କରିପାରିଲେ ବିନା ଯୁଦ୍ଧରେ ଲକ୍ଷ୍ୟ ସାଧିତ ହୋଇପାରିବ।ପଣ ରହିବ ଯୁଦ୍ଧ ତ୍ୟାଗ କରି ପୁନର୍ବାର ବନଗମନ ଏବଂ ଦ୍ୟୂତ କ୍ରୀଡାରେ ପରାସ୍ତ ହୋଇ ପାଣ୍ଡବମାନେ ପୁନର୍ବାର ବାରବର୍ଷ ବନବାସ ଯିବେ।"


ଦୁର୍ଯ୍ୟୋଧନଙ୍କର ଏହି କୁଟିଳ ପ୍ରସ୍ତାବ ଦ୍ରୋଣାଚାର୍ଯ୍ୟଙ୍କ ନୀତି ବିରୁଦ୍ଧ ଥିଲା, କିନ୍ତୁ ରାଜାଜ୍ଞା ପାଳନ ବ୍ୟତୀତ ସେନାପତିର କଣ ବା ଉପାୟ ଅଛି ?ଏହା ପରଠାରୁ, ଯୁଧିଷ୍ଠିରଙ୍କୁ କୌଣସିମତେ ବନ୍ଦୀ କରିବା, ଗୁରୁ ଦ୍ରୋଣାଚାର୍ଯ୍ୟ'ଙ୍କ ସେନାପତିତ୍ବରେ ଯୁଦ୍ଧନୀତିର ପ୍ରଥମ ଲକ୍ଷ୍ୟ ରହିଲା।


ମହାଭାରତରେ କର୍ଣ୍ଣ ଏକ ବିବାଦିତ ଚରିତ୍ର। କୁନ୍ତୀଙ୍କ ଗର୍ଭରୁ, ସୂର୍ଯ୍ୟ ଦେବଙ୍କ ଔରସରୁ ଜାତ କର୍ଣ୍ଣଙ୍କ ଧମନୀରେ ପବିତ୍ର କ୍ଷତ୍ରିୟ ରକ୍ତ ପ୍ରବାହିତ ହେଉଥିଲା। ଶୌର୍ଯ୍ୟବୀର୍ଯ୍ୟରେ ସେ ମଧ୍ୟମ ପାଣ୍ଡବ ଧନଞ୍ଜୟଙ୍କ ସମକକ୍ଷ ଥିଲେ। ଦାନ ଧର୍ମରେ ସେ ଥିଲେ ବିଶାଳ ହୃଦୟ; ଏପରି କି ଦାନରେ ନିଜ କବଚ କୁଣ୍ଡଳ ସେ ଇନ୍ଦ୍ରଙ୍କୁ ଦାନଦେଇ ନିଜ ସୁରକ୍ଷାକୁ ବିପଦରେ ପକାଇଥିଲେ। କିନ୍ତୁ ଅପର ପକ୍ଷରେ ସବୁ କୁଟିଳ ମନ୍ତ୍ରଣାରେ ସେ ଶକୁନି ଓ ଦୁର୍ଯ୍ୟୋଧନଙ୍କୁ ପୂର୍ଣ୍ଣ ସହାୟତା କରୁଥିଲେ। ଦ୍ରୌପଦୀଙ୍କୁ ପୂର୍ଣ୍ଣ କୁରୁ ରାଜସଭାରେ ବେଶ୍ୟା ବୋଲି କହିବା,ପାଣ୍ଡବ ମାନଙ୍କୁ ସୁଯୋଗ ମିଳିଲେ ଗାଳିଦେବା, ଘୋଷଯାତ୍ରା ସମୟରେ ଚିତ୍ରସେନ ଗନ୍ଧର୍ବ ସହିତ ଦୁର୍ବ୍ୟବହାର କରିବା ତଥା ମତ୍ସ୍ୟ ଦେଶର ଗୋଧନ ହରଣ ପାଇଁ ଦୁର୍ଯ୍ୟୋଧନଙ୍କୁ ପ୍ରରୋଚିତ କରିବା ଭଳି କାର୍ଯ୍ୟ ତାଙ୍କ ଚରିତ୍ର ଚନ୍ଦ୍ରମାରେ ନିଶ୍ଚିତ ଭାବରେ କଳଙ୍କ ଥିଲା। ଯୁଧିଷ୍ଠିରଙ୍କୁ ନିଜ ଅନୁଜ ବୋଲି ଜାଣିବା ପରେ ମଧ୍ୟ ,ତାଙ୍କୁ ବନ୍ଦୀ କରି କପଟ ପଶା ଖେଳାଇବା ଯୋଜନାରେ ସକ୍ରିୟ ଅଂଶ ଗ୍ରହଣ କରି ସେ ତାଙ୍କ ଚରିତ୍ରକୁ ଆହୁରି ବିବାଦୀୟ କରିଦେଇଛନ୍ତି।ତାଙ୍କ ଚରିତ୍ରରେ ଏ'ସବୁ ବିବାଦୀୟ ଲକ୍ଷଣକୁ ସଙ୍ଗଦୋଷର ପରିଣାମ କୁହାଯାଇପାରେ।

ଧର୍ମ ଏବଂ ଅଧର୍ମର ମଝିରେ ଥିବା ଗଡଖାଇ ଭିତରେ ଫସି ଯାଇଥିବା ଏଭଳି ଅନେକ ଚରିତ୍ର ସବୁ ଯୁଗରେ ରହିଛନ୍ତି। ସାମ୍ପ୍ରତିକ ଭାରତୀୟ ରାଜନୀତିରେ କର୍ଣ୍ଣଙ୍କ ଭଳି କିଛି ଉପଯୁକ୍ତ ଚରିତ୍ର ଅଛନ୍ତି ଯେଉଁମାନେ ବିବଶତା ଯୋଗୁଁ କିଛି ଅନୁପଯୁକ୍ତ ବଂଶବାଦୀ ଦଳର ସଦସ୍ୟ ହୋଇ ରହିଛନ୍ତି।

  

କ୍ରମଶଃ....


Rate this content
Log in

Similar oriya story from Classics