STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ ଭାଗ-୮୨

କଥା କାଦମ୍ବରୀ ଭାଗ-୮୨

4 mins
260


ଅର୍ଜୁନଙ୍କ ବିଷାଦ

===

ଏହା କୌଣସି ସାମାନ୍ୟ ଯୁଦ୍ଧ ନଥିଲା। ଏହା ଥିଲା ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ପାଇଁ ପୁରାଣ ପୁରୁଷ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ ପରିଚାଳିତ ଏକ ଧର୍ମଯୁଦ୍ଧ। ସେ ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ ଏକ ପକ୍ଷରେ ଧର୍ମମାର୍ଗରେ ଥିବା ତଥା ଧର୍ମକୁ ସମର୍ଥନ କରୁଥିବା ନରପତି ଗଣ ଏବଂ ଅପର ପକ୍ଷରେ ଲୋଭ, ମୋହ,ଈର୍ଷାର ବଶବର୍ତ୍ତୀ ଅଧର୍ମ ପଥଗାମୀ ତଥା ଅଧର୍ମକୁ ଅନ୍ଧ ଭାବରେ ସମର୍ଥନ କରୁଥିବା ନରପତି ଓ ଯୋଦ୍ଧା ଗଣ।


ଯୁଦ୍ଧ ପୂର୍ବରୁ ବ୍ୟାସଦେବ, ପୁତ୍ର ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇ ଯୁଦ୍ଧର ଭୟାବହତା ବିଷୟରେ ତାଙ୍କୁ ପୂର୍ବାଭାସ ଦେଇଥିଲେ। ଧୃତରାଷ୍ଟ୍ର କହିଲେ...ସେ ମହାତ୍ମା ! ଯୁଦ୍ଧରେ ଘଟିବାକୁ ଯାଉଥିବା ପ୍ରତିଟି ମୁହୂର୍ତ୍ତ ମୁଁ ଜାଣିବାପାଇଁ ଚାହେଁ।ତାହା ଯେପରି ସମ୍ଭବ ହେବ ତାହାର ବ୍ୟବସ୍ଥା ଆପଣ ଦୟାକରି କରନ୍ତୁ।ମୁନିଶ୍ରେଷ୍ଠ ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଥିଲେ। ସେହି ଦିବ୍ୟଚକ୍ଷୁ ବଳରେ ସେ ଯୁଦ୍ଧର ପ୍ରତିଟି ମୁହୂର୍ତ୍ତ ଦେଖି ପାରିଥାନ୍ତେ। କିନ୍ତୁ ବହୁଦିନ ଧରି ପିଞ୍ଜରାରେ ରହିଥିବା ପକ୍ଷୀକୁ ଯେପରି ସ୍ବାଧୀନତା ଭଲ ଲାଗେନାହିଁ ସେହିପରି ଧୃତରାଷ୍ଟ୍ର ଦିବ୍ୟଦୃଷ୍ଟି ଗ୍ରହଣ କରିବାକୁ ମନା କରିଦେଲେ ଏବଂ ନିଜର ମନ୍ତ୍ରୀ ସଞ୍ଜୟଙ୍କୁ (ସାରଥି ଗବଲଗଣ'ଙ୍କ ପୁତ୍ର) ଦିବ୍ୟ ଦୃଷ୍ଟି ଦାନ କରିବାପାଇଁ ବ୍ୟାସଦେବଙ୍କୁ ଅନୁରୋଧ କଲେ। ସଞ୍ଜୟଙ୍କ ମାଧ୍ଯମରେ ସେ ଯୁଦ୍ଧର ବିବରଣୀ ପୁଙ୍ଖାନୁପୁଙ୍ଖ ଜାଣି ପାରିଥିଲେ। 


ଯୁଦ୍ଧର ପ୍ରଥମ ଦିନ କଥା। କୁରୁକ୍ଷେତ୍ର ରଣ ପ୍ରାଙ୍ଗଣରେ ସମବେତ ହୋଇଥିଲେ ଏକ ପକ୍ଷରେ ଭୀଷ୍ମଙ୍କ ଦ୍ବାରା ପରିଚାଳିତ ଏଗାର ଅକ୍ଷୌହିଣୀର ବିଶାଳ କୌରବ ସେନା ଏବଂ ଅପର ପକ୍ଷରେ ଧୃଷ୍ଟଦ୍ୟୁମ୍ନଙ୍କ ସେନାପତିତ୍ବରେ ପରିଚାଳିତ ସାତ ଅକ୍ଷୌହିଣୀର ଦୁର୍ଦ୍ଧର୍ଷ ପାଣ୍ଡବ ସେନା।ଯୁଦ୍ଧ ଆରମ୍ଭ ପୂର୍ବରୁ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ..ସେ ଜନାର୍ଦ୍ଦନ ! ନନ୍ଦିଘୋଷ ରଥକୁ ଆପଣ ଯୁଦ୍ଧ କ୍ଷେତ୍ରର ମଧ୍ୟସ୍ଥଳରେ ସ୍ଥାପିତ କରନ୍ତୁ; ଯେଉଁ ମାନଙ୍କ ସହିତ ମୁଁ ଯୁଦ୍ଧ କରିବାପାଇଁ ଯାଉଛି,ସେମାନଙ୍କୁ ଥରେ ଦର୍ଶନ କରିବା ଅଭିଳାଷ ମୋର ରହିଛି।


ଶ୍ରୀକୃଷ୍ଣ ଯେତେବେଳେ ଦୁଇ ସେନା ମଧ୍ୟରେ ନନ୍ଦିଘୋଷ ରଥ ସ୍ଥାପନ କଲେ, ଅର୍ଜୁନଙ୍କ ମନ ମୋହ ବଶବର୍ତ୍ତୀ ହୋଇ ବ୍ୟାକୁଳିତ ହେଲା।ଉଭୟ ପକ୍ଷରେ ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ମାନଙ୍କୁ ଉପସ୍ଥିତ ଦେଖି ସେ ଅତ୍ୟନ୍ତ ଅଧୀର ଓ କାତର ହୋଇ ଯୁଦ୍ଧ ନକରିବା ପାଇଁ ସ୍ଥିର କଲେ।"ସେମାନଙ୍କ ରକ୍ତରେ ସିକ୍ତ ରାଜପାଟ ଲୋଡା ନାହିଁ" କହି, ଧନୁର୍ବାଣ ତ୍ୟାଗ କରି ରଥ ଉପରେ ମୌନ ହୋଇ ବସି ରହିଲେ। ଅର୍ଜୁନଙ୍କ କର୍ମବିମୁଖ କାତର ଭାବ ଦେଖି ଶ୍ରୀକୃଷ୍ଣ, ତାଙ୍କ ମୋହ ଭଙ୍ଗକରି କ୍ଷତ୍ରିୟ ଭାବରେ କର୍ତ୍ତବ୍ୟ କର୍ମ କରିବାପାଇଁ ଯେଉଁ ଉପଦେଶ ଦେଇଥିଲେ ତାହା ମହାଭାରତର ଭୀଷ୍ମ ପର୍ବରେ ସନ୍ନିବେଶିତ "ଶ୍ରୀମଦ୍ଭଗବଦତ୍ ଗୀତା" ନାମରେ ,ସର୍ବଜନ ବିଦିତ।


ଯୋଗେଶ୍ଵର କୃଷ୍ଣଙ୍କ ମୁଖନିଶ୍ରୁତ ଯେଉଁ ଅମୃତ ବାଣୀ ସେଥିରେ ସନ୍ନିବେଶିତ ତାହା ଅନବଦ୍ୟ,ଅନିର୍ବଚନୀୟ ତଥା ଗଭୀର ଜୀବନ ଦର୍ଶନବାଦରେ ଅନୁରଣିତ। ଏପରି ଅଲୌକିକ ଶାଶ୍ବତ ମହାନ୍ ବର୍ଣ୍ତନା ଅନ୍ୟ କୌଣସି ଶାସ୍ତ୍ରରେ ଦେଖାଯାଏ ନାହିଁ।ଗୀତାର ପ୍ରତିଟି ଶ୍ଳୋକ ଭିତରେ ଅନ୍ତର୍ଚେତନାର ମହନୀୟ ଭାବ ଝଙ୍କୃତ।ସତେ ଯେମିତି ଏକ ଦକ୍ଷ ମନସ୍ତତ୍ତବିତ୍ ମନୁଷ୍ୟର ଶରୀର ମନ ଓ ଚେତନାକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରି ଜୀବନର ଅନୁସରଣୀୟ ମାର୍ଗ ଦର୍ଶାଇ ଦେଇଛି।ଗୀତା ଭିତରେ ଜୀବନର ସବୁ ସମସ୍ୟା ପାଇଁ ସମାଧାନ ରହିଛି, ତାହା ପୁଣି ଆଧ୍ୟାତ୍ମ୍ୟ ମାର୍ଗ ଅବଲମ୍ବନ କରି। କର୍ମଯୋଗ, ଭକ୍ତିଯୋଗ ଏବଂ ଜ୍ଞାନଯୋଗ ସାହାଯ୍ୟରେ ମନୁଷ୍ୟ କିପରି ସଂସାରରେ ତାର କର୍ତ୍ତବ୍ୟ କର୍ମ ସମ୍ପାଦନ କରି ଅବଶେଷରେ ପରମାତ୍ମାଙ୍କ ସତ୍ତ୍ବରେ ବିଲୀନ ହୋଇଯିବ ତାହା ଏହି ବାଣୀରେ ବର୍ଣ୍ଣିତ।


ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ବିଷାଦ ମୁଦ୍ରା ଦେଖି ଶ୍ରୀକୃଷ୍ଣ କହିଛନ୍ତି..ହେ ଭାରତ ! ଜ୍ଞାନବାନ ବ୍ୟକ୍ତି କେବେ ମୃତ ବା ଜୀବିତଙ୍କ ପାଇଁ ଶୋକ କରନ୍ତି ନାହିଁ କାରଣ ଶରୀରର ମୃତ୍ୟୁ ହେଲେ ମଧ୍ୟ "ଶରୀରୀ"ବା ଆତ୍ମାର ମୃତ୍ୟୁ ହୁଏନାହିଁ। ମୃତ୍ୟୁ ପରେ ଆତ୍ମା ଏକ ଶରୀରରୁ ଅନ୍ୟ ଶରୀରକୁ ଗତି କରିଥାଏ।ଶରୀର ନାଶବାନ, ଆତ୍ମା ଚିରନ୍ତନ। ସେଥିପାଇଁ ନାଶବାନ ଶରୀରର ବିଲୟ ପାଇଁ ପରିବେଦନା କାହିଁକି ? ଯେଉଁ ପରିଜନ ମାନଙ୍କମୃତ୍ୟୁ ପାଇଁ ତୁମେ ଦୁଃଖ କରୁଛ ବାସ୍ତବରେ ସେମାନେ ମରନ୍ତି ନାହିଁ, ସେମାନଙ୍କ ଶରୀର କେବଳ ନଷ୍ଟ ହୁଏ, ଆତ୍ମା ପରମାତ୍ମାର ଅଂଶ; ତାର ଜନ୍ମ ବା ମୃତ୍ୟୁ ନଥାଏ।


ତେଣୁ ହେ ଭରତ ଶ୍ରେଷ୍ଠ ! ମୋହ ବଶବର୍ତ୍ତୀ ନହୋଇ କ୍ଷତ୍ରିୟୋଚିତ କର୍ମ କର। ସଂସାରର ମଙ୍ଗଳ ପାଇଁ ଯେଉଁ ଦେବଦତ୍ତ ଅଧିକାର ତୁମେ ସଙ୍ଗରେ ନେଇ ଆସିଛ ତାହା ନିରାସକ୍ତ ଚିତ୍ତରେ ପାଳନ କର। ତାହା ସଂସାର ମଙ୍ଗଳକାରୀ। ସେଇ ହିଁ ତୁମର କର୍ତ୍ତବ୍ୟ କର୍ମ; ତାହା ହିଁ ଶ୍ରେଷ୍ଠ କର୍ମଯୋଗ।ତୁମେ ସଂସାର ମାୟା ମୋହରେ ନପଡ଼ି ଶ୍ରେଷ୍ଠ କର୍ତ୍ତବ୍ୟ କର୍ମ ସମ୍ପାଦନ କର ପାର୍ଥ ଏବଂ ପରିଶେଷରେ ପରମାତ୍ମା ପ୍ରାପ୍ତ ହୁଅ।"


ଯେଉଁ କର୍ମଯୋଗ ଜ୍ଞାନଯୋଗ ଏବଂ ଭକ୍ତିଯୋଗର ଅବତାରଣା ଶ୍ରୀକୃଷ୍ଣ ଅର୍ଜୁନଙ୍କ ସମକ୍ଷରେ କରିଛନ୍ତି ତାହା ଶରୀର,ମନ ଏବଂ ବୁଦ୍ଧି ସହିତ ଯଥାକ୍ରମେ ସମନ୍ଵିତ।ଶରୀର ମନ ଓ ବୁଦ୍ଧିର ସମନ୍ୱୟ ଏବଂ ସନ୍ତୁଳନ ରକ୍ଷାକରି କର୍ତ୍ତବ୍ୟ କର୍ମ ପାଳନ କଲେ ମନୁଷ୍ୟ ସଂସାରର ସମସ୍ତ ସମସ୍ୟାର ସମାଧାନ କରିପାରିବ। କର୍ମଯୋଗ, ଭକ୍ତିଯୋଗ ଏବଂ ଜ୍ଞାନଯୋଗ ପରିପୂରକ କିନ୍ତୁ ଏହି ତିନୋଟି ଯୋଗ ମଧ୍ୟରେ କର୍ମଯୋଗ ଶ୍ରେଷ୍ଠ।


ଅର୍ଜୁନଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାପାଇଁ ଶ୍ରୀକୃଷ୍ଣ ତାଙ୍କର ବିଶ୍ଵରୂପ ପ୍ରଦର୍ଶନ କରିଛନ୍ତି। ଏହି ବିଶ୍ଵରୂପ କେବଳ ଅର୍ଜୁନଙ୍କ ବ୍ୟତୀତ କୁରୁକ୍ଷେତ୍ରରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଦର୍ଶନ କରିପାରି ନାହାଁନ୍ତି। ଏପରିକି ଭୀଷ୍ମ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଭାବୁଛନ୍ତି ..ଯୁଦ୍ଧ କ୍ଷେତ୍ରର ମଧ୍ୟ ଭାଗରେ ଅର୍ଜୁନଙ୍କୁ କେଉଁ ଉପଦେଶ ଦେଉଛନ୍ତି ଶ୍ରୀକୃଷ୍ଣ !!


ସାଧାରଣ ଚର୍ମଚକ୍ଷୁରେ ବିଶ୍ଵରୂପ ଦର୍ଶନ କରିବା ସମ୍ଭବ ନୁହେଁ। ସେଥିପାଇଁ ଶ୍ରୀକୃଷ୍ଣ ପ୍ରଥମେ ଅର୍ଜୁନଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କରିଛନ୍ତି ଏବଂ ତାପରେ ବିଶ୍ଵରୂପ ଧାରଣ କରିଛନ୍ତି।ସେ ଅଲୌକକ ରୂପ ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।ବିଶାଳ ଅଦ୍ଭୁତ ଶରୀର, ଅଗଣିତ ମୁଖ,ବାହୁ;ଶରୀରରେ ଦିବ୍ୟ ଆଭୂଷଣ ଏବଂ ଆୟୁଧ,ଗଳାରେ ଜ୍ୟୋତିର୍ମୟ ମାଳା; ପରିଧାନରେ ଦିବ୍ୟବସ୍ତ୍ର ଓ ଚନ୍ଦନ ଚର୍ଚ୍ଚିତ ଶରୀର।ସହସ୍ର ସୂର୍ଯ୍ୟଙ୍କର ତେଜ ସେ ଶରୀରରୁ ନିର୍ଗତ ହେଉଥିଲା। ଅନେକ ଭାଗରେ ବିଭକ୍ତ ସମଗ୍ର ଜଗତ ସେ ଶରୀର ଭିତରେ ଦୃଶ୍ୟମାନ ହେଉଥିଲା।ସ୍ଥାବର ଜଙ୍ଗମ, ମର୍ତ୍ତ୍ୟମଣ୍ଡଳ,ଦେବଲୋକ ଏବଂ ପାତାଳଲୋକ ସମସ୍ତେ ସେ ଶରୀରରେ ଦୃଶ୍ୟମାନ ହେଉଥିଲେ।ଧରାରୁ ଆରମ୍ଭ ହୋଇ ସ୍ବର୍ଗକୁ ଲାଗିଥିବା ସେ ବିଶାଳ ଶରୀରରେ ସ୍ବର୍ଗର ଦେବଗଣ , ଭୂଲୋକ ଓ ପାତାଳର ନର,ରାକ୍ଷସ ଏବଂ ନାଗଗଣ ତାଙ୍କ ଶରୀରରେ ପ୍ରବେଶ କରୁଥିଲେ।ବହୁ ମୁଖ,ନେତ୍ର,ପାଦ,ପାଣି, ଚନ୍ଦ୍ର ଏବଂ ସୂର୍ଯ୍ୟ ପରି ବିଶାଳ ଜ୍ଵଳନ୍ତ ନେତ୍ରଯୁଗଳ,ପ୍ରଳୟାଗ୍ନି ପରି ପ୍ରଜ୍ବଳିତ ମୁଖମଣ୍ଡଳ ଅର୍ଜୁନଙ୍କ ମନରେ ଭୀତି ସଞ୍ଚାର କଲା। ଭୀଷ୍ମ,ଦ୍ରୋଣ ,କର୍ଣ୍ଣ, କୁରୁ ଯୋଦ୍ଧା ଏବଂ ପାଣ୍ଡୁ ଯୋଦ୍ଧା ସମସ୍ତେ ସେ ବିଶାଳ ଶରୀର ମଧ୍ୟରେ ପ୍ରବେଶ କରୁଥିଲେ। ଭୟଭୀତ ଅର୍ଜୁନ ପଚାରିଛନ୍ତି ...ହେ ଉଗ୍ରରୂପଧାରୀ ! କୁହ ତୁମେ କିଏ !!

ଉତ୍ତରରେ ଭଗବାନ କହିଛନ୍ତି...


"ପାପ ଧ୍ବଂସକାରୀ ବର୍ଦ୍ଧିତ କାଳ ମୁଁ ଆସିଛି ସଂହାର ପାଇଁ, ଯେତେ ଶତ୍ରୁଛନ୍ତି ଅର୍ଜୁନ ତୁମର କେହି ବି ବଞ୍ଚିବେ ନାହିଁ।

କର ବା ନକର ରଣ ତୁମେ,ସର୍ବେ ଧ୍ବଂସ ହେବେ ହସ୍ତେ ମୋର,

ଭବିତବ୍ୟ ଯାହା ଅବଶ୍ୟ ଘଟିବ ତୁମେ ନିମିତ୍ତ ମାତର।

ତେଣୁ ତୁମେ ଯୁଦ୍ଧ କର ପାର୍ଥ ! ରାଜ୍ୟ,ଯଶ ଲଭ ଶତ୍ରୁ ମାରି,

ମରି ସାରିଛନ୍ତି ଏମାନେ ସମସ୍ତେ ଯେତେ ତୁମ୍ଭର ବଇରୀ।"


ପ୍ରଭୁଙ୍କର ବିଶ୍ଵରୂପ ଦର୍ଶନକରି ଭୟଭୀତ ଅର୍ଜୁନ ଯୋଡ ହସ୍ତରେ କହିଛନ୍ତି.. ଏହି ବିଶ୍ଵରୂପ ତ୍ୟାଗକରି ମୋତେ ଆପଣଙ୍କ ସୌମ୍ୟ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରାନ୍ତୁ ଭଗବାନ ! ମୁଁ ସର୍ବୋତ୍ତ ଭାବରେ ଆପଣଙ୍କ ଶରଣ ଯାଉଛି।"


ତା'ପରେ ଶ୍ରୀକୃଷ୍ଣ ବିଶ୍ଵରୂପ ତ୍ୟାଗକରି ଅର୍ଜୁନଙ୍କୁ ନିଜର ସ୍ବାଭାବିକ ସୌମ୍ୟ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରାଇଲେ। ଅର୍ଜୁନଙ୍କ ଶରୀରରେ ଆସିଲା ଅଦ୍ଭୁତ ଶକ୍ତି।ମନରୁ ସବୁ ମୋହ ଦୂର ହୋଇଗଲା।ଗାଣ୍ଡିବ ଶରାସନ ଧରି ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ ଧନଞ୍ଜୟ।


କ୍ରମଶଃ....


Rate this content
Log in

Similar oriya story from Classics