କଥା କାଦମ୍ବରୀ ଭାଗ ୭୫
କଥା କାଦମ୍ବରୀ ଭାଗ ୭୫
ମାଡି ଆସୁଥିଲା ଯୁଦ୍ଧର ଘନଘଟା। କୌରବ ମାନଙ୍କ ମିତ୍ର ପକ୍ଷର ସୈନ୍ୟମାନଙ୍କ ସଂଖ୍ୟା ଏଗାର ଅକ୍ଷୌହିଣୀରେ ପହଞ୍ଚିଲା। ସେହିପରି ପାଣ୍ଡବ ମାନଙ୍କ ପକ୍ଷରେ ସାତ ଅକ୍ଷୌହିଣୀ ସେନା ଯୁଦ୍ଧ କରିବାପାଇଁ ପ୍ରସ୍ତୁତ ହୋଇ ରହିଲେ।ସେ ସମୟରେ ଏକ ଅକ୍ଷୌହିଣୀ ସେନାର ସଂଖ୍ୟା ଥିଲା ୨୧୮୭୦ ରଥ,ସମସଂଖ୍ୟକ ହସ୍ତୀ, ରଥସଂଖ୍ୟାର ତିନି ଗୁଣ ଅଶ୍ଵ ଏବଂ ପାଞ୍ଚଗୁଣ ପଦାତିକ ସୈନ୍ୟ।ଏଥିରୁ ସହଜରେ ଅନୁମେୟ ଏହି ପ୍ରଳୟଙ୍କରୀ ଯୁଦ୍ଧରେ ଧ୍ବଂସଯିବା ପାଇଁ କେତେ ବୀର ପ୍ରସ୍ତୁତ ହୋଇ ରହିଥିଲେ। ଅଗ୍ନି ପତଙ୍ଗକୁ ଟାଣିଲା ଭଳି ଏହି ଯୁଦ୍ଧପାଇଁ ବିଭିନ୍ନ ରାଜଶକ୍ତି ଆକର୍ଷିତ ହୋଇ ଚାଲି ଆସିଥିଲେ ଏବଂ ନିଜ ନିଜର ପକ୍ଷ ବାଛି ନେଇଥିଲେ।
ଏହା କୌଣସି ବିଶ୍ବଯୁଦ୍ଧ ଠାରୁ କମ୍ ନଥିଲା।କିଏ ନଜାଣେ ଯେ ମହାଭାରତ ଯୁଦ୍ଧ ପରେ ଭାରତ ବୀର ଶୂନ୍ୟ ହୋଇଗଲା; ବୀରଙ୍କ ଦ୍ବାରା ବ୍ୟବହୃତ ହୋଇଥିବା ଦିବ୍ୟାସ୍ତ୍ର ଆଧୁନିକ ଯୁଗର ପରମାଣୁ ଅସ୍ତ୍ର ପରି ଭୟଙ୍କର ଥିଲା। ଏହି ପ୍ରଳୟଙ୍କରୀ ଯୁଦ୍ଧରେ ବ୍ୟବହୃତ ଦିବ୍ୟାସ୍ତ୍ର ମାନଙ୍କର ଭୟାବହତା ଗୋଟିଏ ଘଟଣାରୁ ଜଣାପଡେ। ଯୁଦ୍ଧ ପରେ ଶ୍ରୀକୃଷ୍ଣ ,ନିଜେ ନନ୍ଦିଘୋଷ ତ୍ୟାଗକରି,ଅର୍ଜୁନ ଏବଂ ହନୁମାନଙ୍କୁ ରଥ ତ୍ୟାଗକରିବା ପାଇଁ ନିର୍ଦ୍ଦେଶ ଦେଲେ। ତିନିଜଣ ନନ୍ଦିଘୋଷ ତ୍ୟାଗ କରିବା ପରେ ପରେ ତାହା ନିମିଷ ମାତ୍ରେ ଲେଲି଼ହାନ ଅଗ୍ନି ଗୋଳାରେ ପରିଣତ ହୋଇଗଲା। ଆଶ୍ଚର୍ଯ୍ୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଏହାର କାରଣ ପଚାରିଲେ। ଶ୍ରୀକୃଷ୍ଣ କହିଥିଲେ.. ପାର୍ଥ ! ଏହି ରଥ,ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭଳି ଯୋଦ୍ଧା ମାନଙ୍କର ଦିବ୍ୟାସ୍ତ୍ର ପ୍ରହାରରେ ଜ୍ୱାଳାମୁଖୀ ହୋଇ ରହିଥିଲା; ରଥରେ ମୋର ଏବଂ ହନୁମାନଙ୍କ ଉପସ୍ଥିତି ଯୋଗୁଁ ତାହା ଜଳି ପାରୁ ନଥିଲା।ରଥ ଜଳିଯିବା ଯୋଗୁଁ ସେହି ମାରାତ୍ମକ ଅସ୍ତ୍ର ମାନଙ୍କର ପ୍ରଭାବ ମଧ୍ୟ ଶେଷ ହୋଇଯାଇଛି। ଅନ୍ୟଥା ତାହା ତୁମ ଜୀବନରେ ଅଭିଶାପ ସାବ୍ୟସ୍ତ ହୋଇଥାଆନ୍ତା।"
ମହାଭାରତ କାହାଣୀରୁ ଯୁଦ୍ଧର ଭୟାବହତା ବିଷୟରେ ଜାଣି ମଧ୍ୟ ଆଧୁନିକ ସମାଜ ଶୀତଳ ଯୁଦ୍ଧରୁ କ୍ଷାନ୍ତ ହୋଇନାହିଁ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧରେ ଦୁଇ ଦୁଇଟି ପରମାଣୁ ବୋମା ବ୍ୟବହାର କରିସାରିଛି। ଏହାଠାରୁ ବଳି ଦୁର୍ଭାଗ୍ୟ କଥା ଆଉ କ'ଣ ଥାଇପାରେ !ଏବେ ମଧ୍ୟ ପୃଥିବୀରେ ଶୀତଳ ଯୁଦ୍ଧର ନିଆଁ କୁହୁଳୁଛି।
କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହେଲେ ଧ୍ବଂସର ଭୟାବହତା ବିଷୟରେ ଆଗରୁ ଠିକ୍ ଜାଣି ଥିଲେ ଶ୍ରୀକୃଷ୍ଣ ଏବଂ ଯୁଧିଷ୍ଠିର। ସେଥିପାଇଁ ଶାନ୍ତି ସ୍ଥାପନ କରିବାକୁ ଶେଷ ପର୍ଯ୍ୟନ୍ତ ସେ ଚେଷ୍ଟା ଚଳାଇଥିଲେ। ପ୍ରଥମେ ରାଜା ଦ୍ରୁପଦଙ୍କ ଦରବାରରେ ଥିବା ଜଣେ ଜ୍ଞାନୀ ବ୍ରାହ୍ମଣଙ୍କୁ ମଧ୍ୟସ୍ଥତା କରିବାକୁ ଧୃତରାଷ୍ଟ୍ରଙ୍କ ଦରବାରକୁ ପଠାଇଲେ ଯୁଧିଷ୍ଠିର।
ହସ୍ତିନାର ରାଜଦରବାରରେ ପହଞ୍ଚି ଯୁଧିଷ୍ଠିରଙ୍କ ବାର୍ତ୍ତା ଦେଇ ବ୍ରାହ୍ମଣ କହିଲେ ..ହେ କୁରୁ-ଶ୍ରେଷ୍ଠ ! ସାମାଜିକ ନିୟମ ଅନୁଯାୟୀ ପୈତୃକ ସମ୍ପତ୍ତିର ଅଧିକାର ସମ ଭାବରେ ଦାୟାଦ ମାନଙ୍କର ପ୍ରାପ୍ୟ। ସେହି ଦୃଷ୍ଟିରୁ ହସ୍ତିନାର ପୂର୍ବ ରାଜା ବିଚିତ୍ର ବୀର୍ଯ୍ୟଙ୍କର ଦୁଇ ପୁତ୍ର ଧୃତରାଷ୍ଟ୍ର ଏବଂ ପଣ୍ଢୁ ପ୍ରତ୍ୟେକେ ସମଭାବରେ ହସ୍ତିନା ରାଜ୍ୟରୁ ଅର୍ଦ୍ଧେକ ପାଇବା ଉଚିତ। କିନ୍ତୁ ପଣ୍ଡୁଙ୍କ ପୁତ୍ର ମାନଙ୍କର ରାଜ୍ୟ କପଟ ପଶା ଖେଳରେ ଛଡ଼ାଇ ନେଇ ସେମାନଙ୍କୁ ଆପଣ ଦରିଦ୍ର ବନବାସୀର ଜୀବନ ବିତାଇବାକୁ ବାଧ୍ୟ କରିଛନ୍ତି।ପଶା ଖେଳର ସର୍ତ୍ତ ଅନୁଯାୟୀ ପାଣ୍ଡବମାନେ ବାରବର୍ଷ ବନବାସ ଏବଂ ଏକବର୍ଷ ଅଜ୍ଞାତବାସ ବିତାଇ ଫେରି ଆସିଛନ୍ତି। ସେମାନଙ୍କ ଉପରେ କରାଯାଇଥିବା ଅନ୍ୟାୟକୁ ଭୁଲିଯାଇ ସେମାନେ ଶାନ୍ତିରେ ନିଜ ରାଜ୍ୟ ଶାସନ କରିବାକୁ ଚାହାଁନ୍ତି।ଯୁଦ୍ଧରେ ରାଜ୍ୟ ଜିଣିଵା ସାମର୍ଥ୍ୟ ସେମାନଙ୍କର ଥିଲେ ମଧ୍ୟ ସେମାନେ ଅଯଥା ଯୁଦ୍ଧ କରି ଧ୍ବଂସ ଲୀଳା ସୃଷ୍ଟି କରିବାପାଇଁ ଚାହାନ୍ତି ନାହିଁ।ଆପଣ ସେମାନଙ୍କ ରାଜ୍ୟ ଫେରାଇ ଦିଅନ୍ତୁ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଅନ୍ତୁ।ଏହା ଉଭୟ ପରିବାର ପାଇଁ ମଙ୍ଗଳଦାୟୀ ହେବ "
ଭୀଷ୍ମ ଧୃତରାଷ୍ଟ୍ରଙ୍କୁ ଚାହିଁ କହିଲେ .. ମଧ୍ୟସ୍ଥି ବ୍ରାହ୍ମଣ ଠିକ୍ କହିଛନ୍ତି; ଆମର ସୌଭାଗ୍ୟ ଯେ କଠୋର ସମୟ ମଧ୍ୟରେ ଗତିକରି ପାଣ୍ଡବମାନେ ଜୀବିତ ଅଛନ୍ତି।ସେମାନଙ୍କୁ ଅର୍ଦ୍ଧେକ ରାଜ୍ୟ ଫେରାଇ ଦେଇ ଶାନ୍ତି ସ୍ଥାପନ କରିବା ଉଚିତ। ସେମାନଙ୍କ ସହାୟତା ପାଇଁ ମଧ୍ୟ ଅନେକ ଶକ୍ତିଶାଳୀ ରାଜ୍ୟ ପ୍ରସ୍ତୁତ ଅଛନ୍ତି। ପାଞ୍ଚ ପାଣ୍ଡବଙ୍କ ଭଳି ବୀର ବିଶ୍ବରେ ଅନନ୍ୟ।ବାସୁଦେବ ମଧ୍ୟ ତାଙ୍କର ସହାୟକ।ଯୁଦ୍ଧ ହେଲେ ସେମାନେ ନିଶ୍ଚୟ ଜୟଯୁକ୍ତ ହେବେ ଏବଂ କୌରବମାନେ ଧ୍ବଂସ ପାଇଯିବେ। ସେଥିପାଇଁ ହେ ରାଜନ୍ ! ଯୁଦ୍ଧ ପନ୍ଥା ଛାଡି ଶାନ୍ତିର ଆଶ୍ରୟ ନିଅନ୍ତୁ।"
ପିତାମହ ଭୀଷ୍ମ ତାଙ୍କ ବକ୍ତବ୍ୟ ଶେଷ କରିବା ପୂର୍ବରୁ ଗର୍ଜନ କରି କର୍ଣ୍ଣ, ବ୍ରାହ୍ମଣ ମଧ୍ୟସ୍ଥିଙ୍କୁ କହିଲେ..ଶୁଣ ମଧ୍ୟସ୍ଥି ବ୍ରାହ୍ମଣ ମହାଶୟ। ସେହି ଗୋଟିଏ କଥାକୁ ବାରମ୍ବାର କହି ଲାଭ କଣ ? ପାଣ୍ଡବମାନେ ଦ୍ୟୂତ କ୍ରୀଡାରେ ରାଜ୍ୟ ହରାଇ ସାରିଛନ୍ତି। ସର୍ତ୍ତ ପୂରଣ କରିନ'ପାରି, ଅଜ୍ଞାତବାସ ଶେଷ ହେବା ପୂର୍ବରୁ ଧରା ପଡିଯାଇଛନ୍ତି।ଆଉ ବାରବର୍ଷ ବନକୁ ନଯାଇ ତୁମ ହାତରେ ଶାନ୍ତି ପ୍ରସ୍ତାବ ପଠାଇବା ବଡ଼ ହାସ୍ୟାସ୍ପଦ କଥା।ତା'ଉପରେ ବୀରତ୍ବର ଅହଂକାରରେ ଧମକ ଚମକ ଦେଖ! ଭିକ୍ଷାରେ ରାଜ୍ୟ ମାଗିଥିଲେ ହୁଏତ ମିତ୍ର ଦୁର୍ଯ୍ୟୋଧନ କର୍ଣ୍ଣପାତ କରିଥାନ୍ତେ, କିନ୍ତୁ ଯୁଦ୍ଧର ଧମକ ଦେବା ଆସ୍ପର୍ଦ୍ଧା କିଛି ତ କମ୍ ନୁହେଁ।"
କର୍ଣ୍ଣ ଏବଂ ଶକୁନିଙ୍କ ଭଳି ଚରିତ୍ରମାନେ ଯୁଗେ ଯୁଗେ ସମାଜର ଶାନ୍ତି ଭଙ୍ଗ କରନ୍ତି।କର୍ଣ୍ଣ ନିଜ ରାଜ୍ୟ ଅଙ୍ଗଦେଶରେ ରହି ସୁଶାସନରେ ମନ ଦେଇ, କୁରୁ ପରିବାରର ରାଜନୀତିରେ ଅଯଥା ମୁଣ୍ଡ ଖେଳାଇ ନ'ଥିଲେ ପ୍ରଜାଙ୍କର ମଙ୍ଗଳ ହେବା ସଙ୍ଗେ ସଙ୍ଗେ ଭାରତବର୍ଷରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିଥାନ୍ତା।ଶକୁନି ମଧ୍ୟ ନିଜ ରାଜ୍ୟ ଗାନ୍ଧାର ଛାଡି ପାଣ୍ଡବ-କୌରବ ପାରିବାରିକ ରାଜନୀତିରେ ନିଜକୁ ସଂପୃକ୍ତ ରଖି ପ୍ରଜାଙ୍କର କ୍ଷତି ତଥା ରାଜପରିବାର ଶାନ୍ତି ନଷ୍ଟ କରୁଥିଲେ। ଏଭଳି ଚରିତ୍ର ମାନେ ଆବଶ୍ୟକତା ଠାରୁ ଅଧିକ ଭକ୍ତ(more loyal than the king)ଏପରି "ଏ'ଘର ପିଉସୀ,ସେ'ଘର ମାଉସୀ"ବ୍ୟକ୍ତିତ୍ଵ ମାନଙ୍କଠାରୁ ଦୂରେଇ ରହିବା ଉଚିତ; ମହାଭାରତ ଏହି ମହାନ ଶିକ୍ଷା ଦିଏ।
କର୍ଣ୍ଣଙ୍କ କଥାରେ ବାଧା ଦେଇ ଭୀଷ୍ମ କହିଲେ ..ହେ ରାଧେୟ ! ମଧ୍ୟସ୍ଥି ବ୍ରାହ୍ମଣ ଯାହା କହୁଛନ୍ତି,ଆମେ ତାହା ମାନିନେବା ଉଚିତ, ନହେଲେ ପାଣ୍ଡବଙ୍କ ହାତରେ ଆମେ ସମସ୍ତେ ମୃତ୍ୟୁ ବରଣ କରିଵା। ପାଣ୍ଡବମାନେ କେତେ ଶକ୍ତିଶାଳୀ,ମତ୍ସ୍ୟ ଦେଶର ଗୋଧନ ହରଣ ଏବଂ ଘୋଷଯାତ୍ରା ସମୟରେ ଗନ୍ଧର୍ଵ ଚିତ୍ରସେନ ସହିତ ସେମାନଙ୍କ ଯୁଦ୍ଧରୁ ଆମେ ସମସ୍ତେ ଜାଣି ସାରିଛନ୍ତି।"
ସଭାରେ ଉପସ୍ଥିତ ଥିବା ଦୁର୍ଯ୍ୟୋଧନର ସମର୍ଥକ ମାନଙ୍କୁ ଭୀଷ୍ମଙ୍କ କଥା ଭଲ ଲାଗିଲା ନାହିଁ। ସଭାରେ ହଟ୍ଟଗୋଳ ସୃଷ୍ଟି ହେଲା। କୌଣସି ନିଷ୍ପତ୍ତିରେ ପହଞ୍ଚି ନପାରି ଧୃତରାଷ୍ଟ୍ର ମଧ୍ୟସ୍ଥିଙ୍କୁ କହିଲେ ...ଆପଣ ଯାଆନ୍ତୁ ବାର୍ତ୍ତାବହ, ଅତି ଶୀଘ୍ର ସଞ୍ଜୟଙ୍କ ମାଧ୍ଯମରେ ହସ୍ତିନା ଦରବାରର ନିଷ୍ପତ୍ତି ମୁଁ ଯୁଧିଷ୍ଠିରଙ୍କୁ ଜଣାଇଦେବି।"
ସଞ୍ଜୟ, ଧୃତରାଷ୍ଟ୍ରଙ୍କ ସାରଥୀ ଗବଲଗଣ'ଙ୍କ ପୁତ୍ର ଥିଲେ।ସେ ଜ୍ଞାନୀ,ଗୁଣୀ ତଥା ସନ୍ତୁଳିତ ମସ୍ତିଷ୍କର ବ୍ୟକ୍ତି ଥିଲେ।ସେ ନିଜର ମତାମତ କାହା ଉପରେ ଲଦି ଦେବା ସପକ୍ଷରେ ନଥିଲେ। ଶୁଣିବା ତାଙ୍କର ଅଭ୍ୟାସ ଥିଲା ଏବଂ ସେ କଦାପି ଅଯାଚିତ ମତ ଦେଉନଥିଲେ।ପ୍ରଭୁ-ଭକ୍ତି ତାଙ୍କର ଅନ୍ୟତମ ସୁଗୁଣ ଥିଲା। ସେଥିପାଇଁ ସେ ଧୃତରାଷ୍ଟ୍ରଙ୍କର ଅତି ପ୍ରିୟପିତ୍ର ହୋଇ ପାରିଥିଲେ।ତାଙ୍କୁ ସ୍ବତନ୍ତ୍ର ଦୂତ ଭାବରେ ପାଣ୍ଡବମାନଙ୍କ ପାଖକୁ ଧୃତରାଷ୍ଟ୍ର ପ୍ରେରଣ କଲେ।
ଉପପ୍ଲାବ୍ୟରେ ପହଞ୍ଚି ସଞ୍ଜୟ ଯୁଧିଷ୍ଠିରଙ୍କୁ କହିଲେ ..ଧର୍ମପୁତ୍ର ! ମହାରାଜା ଧୃତରାଷ୍ଟ୍ର ଆପଣଙ୍କୁ ସଦିଚ୍ଛା ଓ ସ୍ନେହ ଜଣାଇଛନ୍ତି। ମହାରାଜା ଯୁଦ୍ଧକୁ ଘୃଣା କରନ୍ତି ଏବଂ ଆପଣଙ୍କ ସହିତ ଶାନ୍ତି ଚାହାନ୍ତି।"
ଏହା ଶୁଣି ଯୁଧିଷ୍ଠିର ଆନନ୍ଦିତ ହୋଇ କହିଲେ ..ଆର୍ଯ୍ୟ ସଞ୍ଜୟ ! ଏହା ଯଦି ସତ୍ୟ ତାହେଲେ କୌରବ ମାନଙ୍କର ପ୍ରାଣ ରକ୍ଷା ହୋଇ ଯିବ।"
ସଞ୍ଜୟ କହିଲେ.. ମହାରାଜା ଧୃତରାଷ୍ଟ୍ର କହିଛନ୍ତି ଯେ ତାଙ୍କ ପୁତ୍ରମାନେ ଦୁଷ୍ଟ, ଅହଂକାରୀ ଓ ଗର୍ବୀ ଅଟନ୍ତି। ସେମାନେ ପିତା ମତାଙ୍କ କଥା ବା ପିତାମହଙ୍କ କଥା କଦାପି ଶୁଣନ୍ତି ନାହିଁ ଏବଂ ସବୁବେଳେ ପାଣ୍ଡବ ମାନଙ୍କ ଅହିତ କାମନା କରନ୍ତି।କିନ୍ତୁ ତୁମେ ତ ଧର୍ମାତ୍ମା ତଥା ଆଚାର, ବିଚାର ଓ ବ୍ୟବହାରରେ ସନ୍ତୁଳିତ।ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ହେଲେ ଉଭୟ ପକ୍ଷର ପ୍ରଭୂତ କ୍ଷତି ହେବ। ଅଯଥା ପରିବାର ସଦସ୍ୟଙ୍କ ଭିତରେ ହଣାକଟା ଚାଲିବ;ରକ୍ତର ନଦୀ ବହିଯିବ ଭାରତ ଭୂଖଣ୍ଡରେ। ତେଣୁ ଦୁର୍ଯ୍ୟୋଧନ ଯେବେ ତୁମକୁ ରାଜ୍ୟ ଫେରାଇ ନଦେବେ,ତୁମେ ଯୁଦ୍ଧ ନିଆଁକୁ ଡେଇଁବା ଉଚିତ ହେବନାହିଁ।ଧର୍ମରାଜ ! ତୁମେ ହିଁ ଚାହିଁଲେ ପୃଥିବୀକୁ ମହା ଧ୍ବଂସରୁ ରକ୍ଷା କରିପାରିବ "
ସଞ୍ଜୟଙ୍କ କଥା ଶୁଣି ହସିଲେ ଯୁଧିଷ୍ଠିର; କହିଲେ..ଏହାର ଅର୍ଥ ଧୃତରାଷ୍ଟ୍ର ଆମ ହୃତ ରାଜ୍ୟ ଫେରାଇବାକୁ ଚାହାଁନ୍ତି ନାହିଁ।ସେ ଶାନ୍ତି ଚାହାଁନ୍ତି, କିନ୍ତୁ ଅଶାନ୍ତିର କାରଣ ଦୂର କରିବାକୁ ଚାହାଁନ୍ତି ନାହିଁ। ସଞ୍ଜୟ! ଧୃତରାଷ୍ଟ୍ରଙ୍କୁ ଯାଇ କହିବ, ଆମେମାନେ ତାଙ୍କର ଭ୍ରାତୃ-ପୁତ୍ର, ତାଙ୍କ ପ୍ରତି ଆମ୍ଭମାନଙ୍କର ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଛି। କିନ୍ତୁ ଆମେ ରାଜ୍ୟ ହରାଇ ଯିବୁ କେଉଁଆଡେ? କ୍ଷତ୍ରିୟ ଭାବରେ ଆମେ ଆମର ଧର୍ମ କିପରି ପାଳନ କରିବୁ?ବାଘକୁ ଘାସ ଖାଇ ବଞ୍ଚିବାକୁ କହିବା ଯାହା କ୍ଷତ୍ରିୟକୁ ରାଜ୍ୟ ତ୍ୟାଗ କରିବାକୁ କହିବା ତାହା। ଏଠାରେ ଗୋବିନ୍ଦ ଉପସ୍ଥିତ ଅଛନ୍ତି।ସେ ଉଭୟ ପକ୍ଷର ହିତୈଷୀ।ଧର୍ମର ମାର୍ଗ ତାଙ୍କୁ ଠିକ ଜଣା।ତାଙ୍କ ସହିତ ପରାମର୍ଶ କରି ମୁଁ ପରବର୍ତ୍ତୀ ନିଷ୍ପତ୍ତି ନେବି।"
ଶ୍ରୀକୃଷ୍ଣ କହିଲେ.. ସଞ୍ଜୟ ! ପାଣ୍ଡବ ଏବଂକୌରବ ,ଉଭୟଙ୍କର ମୁଁ ମଙ୍ଗଳ ଚାହେଁ। ସେଥିପାଇଁ ଆବଶ୍ୟକ ହେଲେ ମଧ୍ୟସ୍ଥତା କରିବାକୁ ମୁଁ ପ୍ରସ୍ତୁତ। ପାଣ୍ଡବମାନେ ଶାନ୍ତିରେ ଜୀବନଯାପନ କରିବାକୁ ଚାହାଁନ୍ତି।ହୃତରାଜ୍ୟ ଫେରି ପାଇଲେ ଧୃତରାଷ୍ଟ୍ରଙ୍କ ପ୍ରତି ତାଙ୍କର ଆନୁଗତ୍ୟ ବଢିଯିବ।ପାଣ୍ଡବ ଏବଂ କୌରବଙ୍କ ମିତ୍ରତା ଆର୍ଯ୍ୟାବର୍ତ୍ତରେ ଧର୍ମ ଓ ଶାନ୍ତି ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ତା'ନହେଲେ ଆବଶ୍ୟକ ପଡିଲେ ଅଧିକାର ସାବ୍ୟସ୍ତ କରିବାକୁ ପାଣ୍ଡବମାନେ ଯୁଦ୍ଧ କରିବା ପାଇଁ ମଧ୍ୟ ପ୍ରସ୍ତୁତ।ଯୁଦ୍ଧହେଲେ କୌରବମାନଙ୍କ ଧ୍ବଂସ ନିଶ୍ଚିତ।ସଞ୍ଜୟ! ଧୃତରାଷ୍ଟ୍ରଙ୍କୁ କହିବ..ଯୁଦ୍ଧ ଏବଂ ଶାନ୍ତି ଭିତରୁ ଯେଉଁ ବିକଳ୍ପ ସେ ଚାହାଁନ୍ତି, ବାଛି ନିଅନ୍ତୁ ସେଥିପାଇଁ ପାଣ୍ଡବମାନେ ପ୍ରସ୍ତୁତ।"
ଯୁଧିଷ୍ଠିର ସଞ୍ଜୟଙ୍କୁ କହିଲେ...ପ୍ରିୟ ସଞ୍ଜୟ! ଫେରି ଯାଇ ଏହି ବାର୍ତ୍ତା କୁରୁଦରବାରରେ ଦେବ ଏବଂ ଭ୍ରାତା ଦୁର୍ଯ୍ୟୋଧନଙ୍କୁ କହିବ..ଆମ ରାଜ୍ୟ ହରଣକରି ସେ ଆମକୁ ଭିକାରିରେ ପରିଣତ କରିଛନ୍ତି; ପୂର୍ଣ୍ଣ ରାଜସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ପ୍ରଚେଷ୍ଟା କରି ଗୃହଲକ୍ଷ୍ମୀର ସମ୍ମାନ ଓ ଅସ୍ମିତା ପ୍ରତି ଅବମମାନା କରି ଛନ୍ତି;ଏହା ସତ୍ତ୍ଵେ ମଧ୍ୟ ଆମେ ଶାନ୍ତି ଚାହୁଁ। କିଛି ନହେଲେ ଆମ ପାଞ୍ଚଭାଇଙ୍କ ପାଇଁ ପାଞ୍ଚ ଖଣ୍ଡ ଗ୍ରାମ ଦାନ କଲେ ଆମେ ସେଥିରେ ସନ୍ତୁଷ୍ଟ ହୋଇ ଶାନ୍ତିରେ ବସବାସ କରିବୁ। ଭ୍ରାତା ଦୁର୍ଯ୍ୟୋଧନଙ୍କୁ କହିବ ସଞ୍ଜୟ,ଆମେ ଉଭୟ ଶାନ୍ତି ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ। ନିଷ୍ପତ୍ତି ତାଙ୍କ ହାତରେ।
===============================
