STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ -ଭାଗ ୭୪ ମାତୁଳ ଶଲ୍ୟ

କଥା କାଦମ୍ବରୀ -ଭାଗ ୭୪ ମାତୁଳ ଶଲ୍ୟ

4 mins
186


ବଡ଼ ପ୍ରତାପୀ ଥିଲେ ମଦ୍ରଦେଶର ରାଜା ଶଲ୍ୟ।ସେ ଥିଲେ ମାଦ୍ରୀଙ୍କ ଭ୍ରାତା ଏବଂ ନକୁଳ,ସହଦେବଙ୍କ ମାତୁଳ।ପାଣ୍ଡବ ମାନଙ୍କର ଅଜ୍ଞାତବାସ ଶେଷ ହେବାପରେ ସେମାନଙ୍କୁ ଭେଟିବା ପାଇଁ ଶଲ୍ୟ ଉପପ୍ଲାବ୍ୟ ଅଭିମୁଖେ ଯାତ୍ରା କଲେ।ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ଯେ ଅବଶ୍ୟମ୍ଭାବୀ ଏହା ଜାଣିସାରିଥିଲେ ଶଲ୍ୟ।ପାଣ୍ଡବ ମାନଙ୍କ ପକ୍ଷରେ ରହି କୌରବ ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ବିଶାଳ ମଦ୍ର-ସେନାବାହିନୀ ସହିତ ସେ ଯାତ୍ରା ଆରମ୍ଭ କରିଦେଲେ।

କଥିତ ଅଛି ଶଲ୍ୟଙ୍କର ସେନା ବାହିନୀ ଏତେ ବିଶାଳ ଥିଲା ଯେ ସେମାନେ ଯାତ୍ରା କରିବା ସମୟରେ ପ୍ରାୟ ପନ୍ଦର ମାଇଲ୍ ସ୍ଥାନ ଅଧିକାର କରନ୍ତି ଏବଂ ପୃଥିବୀ ଥରିଉଠି ଭୂକମ୍ପର ଅନୁଭୂତି ଦିଏ। 


ନିଜ ନିଜ ପକ୍ଷ ପାଇଁ ପାଣ୍ଡବ ଓ କୌରବମାନେ ବିଭିନ୍ନ ରାଜାଙ୍କ ସମର୍ଥନ ଏକତ୍ରିତ କରିବାରେ ଲାଗିଥାନ୍ତି।ଶଲ୍ୟଙ୍କର ଯାତ୍ରାର ସମ୍ବାଦ ପାଇ ଦୁର୍ଯ୍ୟୋଧନ ଏକ ତଞ୍ଚକତାର ଆଶ୍ରୟ ନେଲେ।ପଥ ମଧ୍ୟରେ ଯେଉଁ ସ୍ଥାନମାନଙ୍କରେ ଶଲ୍ୟଙ୍କ ଶିବିର ପଡୁଥିଲା ସେଠାରେ,ରାଜକର୍ମଚାରିଙ୍କ ମାଧ୍ୟମରେ ଶଲ୍ୟ, ତାଙ୍କ ସେନାପତି ଏବଂ ସୈନ୍ୟ ମାନଙ୍କ ପାଇଁ ଦୁର୍ଯ୍ୟୋଧନ ବିପୁଳ ଅଭ୍ୟର୍ଥନାର ଆୟୋଜନ କରିଦେଲେ। ଏଭଳି ରାଜକୀୟ ସମ୍ମାନ ଓ ଅଭ୍ୟର୍ଥନା ପାଇ ଆନନ୍ଦରେ ଗଦ୍ଗଦ ହୋଇ ଉଠିଲେ ମଦ୍ର ନରେଶ।ସେ ଭାବିଥିଲେ ଯେ ଭାଗିନେୟ ଯୁଧିଷ୍ଠିର ଏହି ସମସ୍ତ ଆୟୋଜନ କରୁଛନ୍ତି। 


ଦିନେ,ପଥମଧ୍ୟରେ ଏକ ଶିବିରରେ ଖାଦ୍ୟପେୟ ଏବଂ ରାଜକୀୟ ସମ୍ମାନରେ ଅଭିଭୂତ ହୋଇ ମଦ୍ରରାଜ ଶଲ୍ୟ, ରାଜକର୍ମଚାରୀଙ୍କୁ କହିଲେ... ଯୁଧିଷ୍ଠିରଙ୍କ ଅତିଥି ଚର୍ଚ୍ଚାରେ ମୁଁ ଅଭିଭୂତ। ଯେଉଁ କର୍ମଚାରୀ ମାନେ ଆମ୍ଭମାନଙ୍କର ଏତେ ଖିଆଲ ରଖୁଛନ୍ତି ସେମାନଙ୍କୁ ମୁଁ ପୁରସ୍କୃତ କରିବାପାଇଁ ଚାହେଁ।ଏହା ଧର୍ମପୁତ୍ରଙ୍କୁ ଜଣାଇଦିଅ।


ଶଲ୍ୟଙ୍କର ଏପରି ପ୍ରଶଂସା ଶୁଣି ଦୂତ କ୍ଷୀପ୍ରବେଗରେ ହସ୍ତିନାରେ ପହଞ୍ଚି ଦୁର୍ଯ୍ୟୋଧନଙ୍କୁ ଅବଗତ କରାଇଲେ।କାଳ ବିଳମ୍ବ ନକରି ଦୁର୍ଯ୍ୟୋଧନ ଶଲ୍ୟଙ୍କ ପାଖରେ ପହଞ୍ଚି‌ ତାଙ୍କ ପଦଧୂଳି ମଥାରେ ଲଗାଇ କହିଲେ ... ମାମୁଁ ! ଆପଣ ମୋ ଆତିଥ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ଜାଣି ମୋ ହୃଦୟ ଆନନ୍ଦରେ ଅଧୀର। ଏହି ଭଣଜା ପ୍ରତି ସଦାସର୍ବଦା ଦୟା ରଖିଥାନ୍ତୁ ମାତୁଳ!"


ଆଶ୍ଚର୍ଯ୍ୟରେ ଶଲ୍ୟଙ୍କ ଚକ୍ଷୁ ବିସ୍ଫାରିତ ହୋଇ ଗଲା.. ତା'ହେଲେ ଏହା ଥିଲା ଦୁର୍ଯ୍ୟୋଧନଙ୍କ ଆତିଥ୍ୟ !! ଏପରି ସହୃଦୟତାରେ ବିଗଳିତ ହୋଇ ମଦ୍ରନରେଶ କହିଲେ.. ଦୁର୍ଯ୍ୟୋଧନ ! ମୁଁ ବାସ୍ତବରେ ତୁମ ଆତିଥ୍ୟରେ ଅତ୍ୟନ୍ତ ପ୍ରୀତ।ମୋର ଏହି ବିଶାଳ ସୈନ୍ୟବାହିନୀ ମଧ୍ୟ ତୁମ ପାଖରେ ଋଣୀ। କୁହ ପୁତ୍ର,ତୁମର ଏ ଋଣ ମୁଁ କେଉଁ ପ୍ରକାର ପରିଶୋଧ କରି ପାରିବି ?"

ଦୁର୍ଯ୍ୟୋଧନ କରପତ୍ର ଯୋଡ଼ି କହିଲେ ... ମାମୁଁ ! ଆପଣ ଉଭୟ ପାଣ୍ଡବ ଏବଂ କୌରବଙ୍କର ପାରିବାରିକ ବନ୍ଧୁ। ମୋ ସେବାର ମୂଲ୍ୟ ଯେବେ ଆପଣ ଦେବାକୁ ଚାହୁଁଛନ୍ତି ତାହେଲେ ପାଣ୍ଡବଙ୍କ ସହିତ ହେବାକୁ ଯାଉଥିବା ଆଗାମୀ ଯୁଦ୍ଧରେ ଆପଣ ସଦଳବଳ ମୋ ପକ୍ଷରେ ରହି ମୋର ଜୟଯାତ୍ରାକୁ ସଫଳ କରନ୍ତୁ।"


ଏପରି ଅନୁରୋଧ ଶୁଣି ସ୍ତବ୍ଧ ହୋଇଗଲେ ଶଲ୍ୟ। କୌରବଙ୍କ ଠାରୁ ଏତେବଡ ଆତିଥ୍ୟ ପାଇ, ଦୁର୍ଯ୍ୟୋଧନଙ୍କ ଅନୁରୋଧକୁ କିପରି ପ୍ରତ୍ୟାଖ୍ୟାନ କରିବେ ସେ ?ଏହା ଯେ କୃତଘ୍ନତା ସହିତ ସମାନ ହେବ।ଶଲ୍ୟ କହିଲେ... ତାହା ହିଁ ହେଉ।"


କୌରବଙ୍କ ପକ୍ଷରେ ରହି ଯୁଦ୍ଧ କରିବା ପାଇଁ ପ୍ରତିଶ୍ରୁତି ଦେଇ ଶଲ୍ୟ ମନେ ମନେ ବହୁତ କଷ୍ଟ ଅନୁଭବ କଲେ। ନିଜ ଭାଗିନେୟ ନକୁଳ ଏବଂ ସହଦେବଙ୍କ ପ୍ରତି ଅନ୍ୟାୟ କଲେ ବୋଲି ତାଙ୍କର ହୃଦବୋଧ ହେଲା।ଅଜ୍ଞାତରେ ରାଜଆତିଥ୍ୟ ଗ୍ରହଣ କରିବା କେତେ ମାରାତ୍ମକ ସେ ଅନୁଭବ କରି ପାରିଲେ।

ଦୁର୍ଯ୍ୟୋଧନଙ୍କୁ ଚାହିଁ କହିଲେ ...ପୁତ୍ର ଦୁର୍ଯ୍ୟୋଧନ ! ମୁଁ ତୁମକୁ କଥା ଦେଇଛି, ତାହା କଦାପି ଅନ୍ୟଥା ହେବନାହିଁ। କିନ୍ତୁ ତୁମ ପକ୍ଷକୁ ଯିବା ପୂର୍ବରୁ ମୁଁ ମୋର ଭାଗିନେୟ ପଞ୍ଚପାଣ୍ଡବଙ୍କୁ ସାକ୍ଷାତ କରି ସେମାନଙ୍କ ଭଲ-ମନ୍ଦ ବୁଝି ଆସିବାକୁ ଚାହେଁ।"

ସନ୍ଦେହ ପୂର୍ଣ୍ଣ ଆଖିରେ ଦୁର୍ଯ୍ୟୋଧନ କହିଲେ.., ଯାଆନ୍ତୁ ମାମୁଁ , ଭଣଜା ମାନଙ୍କୁ ଦର୍ଶନ କରନ୍ତୁ, କିନ୍ତୁ ମୋତେ ଦେଇଥିବା ପ୍ରତିଶ୍ରୁତି ଭୁଲିବେ ନାହିଁ। ହସ୍ତିନାରେ ମୁଁ ଆପଣଙ୍କ ଉପସ୍ଥିତି ଅତି ଶୀଘ୍ର କାମନା କରେ।"ଶଲ୍ୟ କହିଲେ..ମନରେ ସନ୍ଦେହ ଆଣ ନାହିଁ ଦୁର୍ଯ୍ୟୋଧନ!ତୁମକୁ ଦେଇଥିବା ବାକ୍ୟ କେବେ ଅନ୍ୟଥା ହେବନାହିଁ।"


ଶଲ୍ୟ, ପାଣ୍ଡବ ମାନଙ୍କୁ ଭେଟିବା ପାଇଁ ଉପପ୍ଲାବ୍ୟରେ ପହଞ୍ଚିଲେ। ମାମୁଁଙ୍କୁ ଦେଖି ନକୁଳ ଓ ସହଦେବ ଆନନ୍ଦରେ ଅଧୀର ହୋଇଗଲେ। ପାଣ୍ଡବମାନେ ଶଲ୍ୟଙ୍କୁ ବିଗତ ଦିନରେ ଘଟିଥିବା ଘଟଣାବଳୀ ବର୍ଣ୍ତନା କରି ଦୁଃଖପୂର୍ଣ୍ଣ ଦିନ ମାନଙ୍କର ବର୍ଣ୍ତନା କଲେ।

ଭାଗିନେୟ ମାନଙ୍କର ଦୁଃଖରେ ସମବେଦନା ଜଣାଇ ଶଲ୍ୟ ଯୁଧିଷ୍ଠିରଙ୍କୁ ଚାହିଁ କହିଲେ ..ତୁମ ଦୁଃଖର ଦିନ ଶେଷ ହୋଇଯାଇଛି ପୁତ୍ର ! ମୁଁ ଶୁଣିଛି ବାସୁଦେବ କୃଷ୍ଣ ତୁମର ସହାୟକ।ଏକା ଅସ୍ତ୍ର ବିହୀନ ଶ୍ରୀକୃଷ୍ଣ ଯାହା ପକ୍ଷରେ ଅଛନ୍ତି ତାଙ୍କୁ ବିଶ୍ବର କୌଣସି ଶକ୍ତି ପରାସ୍ତ କରି ପାରିବ ନାହିଁ।ମୋର ଆଶୀର୍ବାଦ ତୁମ ଉପରେ ସର୍ବଦା ରହିଛି ଏବଂ ରହିଥିବ ପୁତ୍ର ! ପୁନର୍ବାର ଆଶୀର୍ବାଦ ଦେଉଛି,ଯୁଦ୍ଧରେ ବିଜୟଶ୍ରୀ ମଣ୍ଡିତ ହୁଅ।"


ଯୋଡ ହସ୍ତରେ ଯୁଧିଷ୍ଠିର କହିଲେ ..ଏହା ଆପଣଙ୍କ ମହାନୁଭବତା ବ୍ୟତୀତ ଅନ୍ୟ କିଛି ନୁହେଁ ମାମୁଁ;ଆପଣଙ୍କ ସମେତ ବିଶାଳ ମଦ୍ରସେନାବାହିନୀର ସହାୟତା ପାଇଲେ ଯୁଦ୍ଧରେ ଆମର ଆତ୍ମବଳ ଚତୁର୍ଗୁଣିତ ହେବ ।"


ଯୁଧିଷ୍ଠିରଙ୍କଠାରୁ ଏହା ଶୁଣି ଶଲ୍ୟ ମୁଖ ଅବନତ କରି କହିଲେ ..,ବଡ଼ ବିଭ୍ରାଟ ଘଟିଯାଇଛି ପୁତ୍ର ! ମୁଁ ଏହି ଯୁଦ୍ଧରେ ତୁମମାନଙ୍କ ପକ୍ଷ ନେଇ ପାରୁନାହିଁ।"

ଏହାପରେ ଯାହା ସବୁ ଘଟିଯାଇଥିଲା ଅବତାରଣା କରି ଶଲ୍ୟ କହିଲେ.. ଦୁର୍ଯ୍ୟୋଧନର ଆତିଥ୍ୟର ଋଣ ପରିଶୋଧ କରିବା ପାଇଁ ମୁଁ ତାକୁ ପ୍ରତିଶ୍ରୁତି ଦେଇଛି କୌରବପକ୍ଷରେ ସସୈନ୍ୟ ରହି ଯୁଦ୍ଧ କରିବା ପାଇଁ।"


ଏହା ଶୁଣି ପାଣ୍ଡବମାନେ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଦୁଃଖିତ ମଧ୍ୟ ହେଲେ। ନକୁଳ ଏବଂ ସହଦେବ କହିଲେ .. ମାମୁଁ ! ଆଜି ଆପଣ ଲଜ୍ଜାରେ ଆମ ମୁଣ୍ଡ ତଳକୁ କରି ଦେଲେ।‌ସେପାରିରେ ରହି ମାତା ମାଦ୍ରୀ ଆପଣଙ୍କୁ କେବେ କ୍ଷମା ଦେବେ ନାହିଁ।"

ନକୁଳ ଓ ସହଦେବଙ୍କୁ ଶାନ୍ତ୍ବନା ଦେଇ ଯୁଧିଷ୍ଠିର କହିଲେ ..ଦୁର୍ଯ୍ୟୋଧନଙ୍କୁ ଦେଇଥିବା ବାକ୍ୟ ଅନ୍ୟଥା କଲେ ମାମୁଁଙ୍କର ଯଶ କଳଙ୍କିତ ହେବ,ଆମେ ସେକଥା ହୃଦୟଙ୍ଗମ କରିବା ଉଚିତ ପ୍ରିୟ ନକୁଳ,ସହଦେବ। ଏହା ଆମ ଦୁର୍ଭାଗ୍ୟ ଯେ ଆମ ଅବହେଳାରୁ ଆମେ ଭାରତଭୂଖଣ୍ଡର ଜଣେ ଶ୍ରେଷ୍ଠ ମହାରଥୀଙ୍କୁ ଆମପକ୍ଷରୁ ହରାଇଲେ।ଆମେ ପ୍ରଥମେ ମଦ୍ରଦେଶ ଯାଇ ମାମୁଙ୍କ ସହାୟତା ଭିକ୍ଷା କରିଥିଲେ ମାମୁଁ ଆଜି ଆମ ପକ୍ଷରେ ରହିଥାନ୍ତେ।"


କିଛି ନିରବତା ପରେ ଯୁଧିଷ୍ଠିର କହିଲେ.."କିନ୍ତୁ ଆପଣ କିପରି ପ୍ରିୟ ଭଣଜା ମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରିବେ ସେକଥା ମୁଁ ଚିନ୍ତା କରୁଛି ମାମୁଁ;ଆପଣଙ୍କ ହୃଦୟ ବେଦନା ମୁଁ ସହଜରେ ବୁଝିପାରୁଛି।ଯେତେବେଳେ ଆପଣଙ୍କ ପ୍ରିୟ ଅର୍ଜୁନକୁ ରାଧେୟ କର୍ଣ୍ଣ, ବାଣ ଆଘାତରେ ରକ୍ତାକ୍ତ କରୁଥିବ, ସେତେବେଳେ ଆପଣ କିପରି ତାହା ସହ୍ୟ କରିବେ ମାମୁଁ?"


ଭାବପ୍ରବଣ ହୋଇଗଲେ ଶଲ୍ୟ; କହିଲେ.. କର୍ଣ୍ଣାର୍ଜୁନ ଯୁଦ୍ଧ ସମୟରେ, ମୁଁ କର୍ଣ୍ଣର ସାରଥୀ ହେବା ସମ୍ଭାବନା ଅଧିକ। ସେତେବେଳେ ଅର୍ଜୁନର ବୀରତ୍ବର ବାରମ୍ବାର ଭୂୟସୀ ପ୍ରଶଂସା କରି ତଥା ରାଧେୟର ବଳବୀର୍ଯ୍ୟର ଅବମାନନା କରି,କର୍ଣ୍ଣର ଆତ୍ମ ବିଶ୍ବାସକୁ ଆଘାତ ଦେଇ ମୁଁ ଅର୍ଜୁନଙ୍କୁ ପରୋକ୍ଷରେ ସାହାଯ୍ୟ କରିବି ପୁତ୍ର ଯୁଧିଷ୍ଠିର। ଯୁଦ୍ଧରେ ମୋର ଶାରୀରିକ ସମର୍ଥନ କୌରବଙ୍କ ସହିତ ରହିଲେ ମଧ୍ୟ ନୈତିକ ସମର୍ଥନ ତୁମପାଇଁ ରହିବ। ଦୁର୍ଯ୍ୟୋଧନ ଯେଉଁ ତଞ୍ଚକତା କରିଛି ସେଥିପାଇଁ ସେ ଏହି ପରିଣାମ ଭୋଗ କରିବ।"


ମହାଭାରତ ମହାକାବ୍ୟରେ ଏହି ଘଟଣାର ବର୍ଣ୍ଣନା କରି ଗ୍ରନ୍ଥକାର କୌରବ ପକ୍ଷର ଦୁର୍ବଳତାକୁ ସ୍ପଷ୍ଟ କରିଦେବାକୁ ଚାହିଁଛନ୍ତି। ସେମାନଙ୍କ ପକ୍ଷରେ ଭୀଷ୍ମ,ଦ୍ରୋଣ,କୃପ ଏବଂ ଶଲ୍ୟଙ୍କ ପରି ମହାରଥୀ ଥିଲେ ମଧ୍ୟ ଯୁଦ୍ଧ ଜୟ କରିବାର ପ୍ରତିବଦ୍ଧତା କାହାର ମଧ୍ୟ ନଥିଲା। କୁହାଯାଏ ଜଣେ ଭେଦିଆ ହଜାର ହଜାର ଶତ୍ରୁଙ୍କ ସହିତ ସମାନ।ପାଣ୍ଡବ-ସମର୍ଥକ ଶଲ୍ୟଙ୍କର, ଘଟଣା ଚକ୍ରରେ ପଡି କୌରବପକ୍ଷରେ ଯୋଗଦେବା ପାଣ୍ଡବଙ୍କ ପାଇଁ ବରଦାନ ସଦୃଶ ହୋଇଥିଲା।


ମହାଭାରତ ଯୁଗର ଚରିତ୍ରମାନଙ୍କର ପ୍ରତିଫଳନ ଆଧୁନିକ ସମାଜରେ ଛତ୍ରେଛତ୍ରେ ପରିଲକ୍ଷିତ। ରାଜନୀତି ହେଉ ବା ସାମାଜିକ ଜୀବନ,ବାଘ-ଖୋଳ ଭିତରେ ଅନେକ ଭେଡିଆ ସମାଜରେ ଲୁଚି ରହିଛନ୍ତି ଯେଉଁମାନେ ମିତ୍ର ରୂପରେ ଶତ୍ରୁ ପାଇଁ କାମ କରନ୍ତି। ଏହି ଗୁପ୍ତ ଚରିତ୍ରମାନେ ହିଁ ଜରାସନ୍ଧର ଦୁର୍ବଳ ଜରା, ଦୁର୍ଯ୍ୟୋଧନର ଦୁର୍ବଳ ଜାନୁ ଏବଂ ଭସ୍ମାସୁରର ମସ୍ତକ-ଛୁଆଁ ମୃତ୍ୟୁ ଭେଦ ଅଟନ୍ତି।



Rate this content
Log in

Similar oriya story from Classics