Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ-ଭାଗ ୭୩

କଥା କାଦମ୍ବରୀ-ଭାଗ ୭୩

4 mins
162



ମୋର ନାରାୟଣୀ ସେନାରେ କି କାର୍ଯ୍ୟ ମାଧବ !!

====

ଶାନ୍ତି ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଯୁଦ୍ଧ ଯେ ନିଶ୍ଚିତ ଏହା ଉଭୟ କୌରବ ଏବଂ ପାଣ୍ଡବ ପକ୍ଷ ଜାଣି ସାରିଥିଲେ ,କାରଣ ବିନାଯୁଦ୍ଧରେ ସୂଚ୍ୟଗ୍ର ପରିମିତ ଭୂମି ଦେବେ ନାହିଁ ବୋଲି କୁରୁ ଯୁବରାଜ ଦୁର୍ଯ୍ୟୋଧନ ନିଷ୍ପତ୍ତି ନେଇସାରିଥିଲେ। ସେଥିପାଇଁ ଉଭୟ କୌରବ ଏବଂ ପାଣ୍ଡବ ପକ୍ଷ ସମଗ୍ର ଭାରତର ବିଭିନ୍ନ ରାଜଶକ୍ତିଙ୍କ ସମର୍ଥନ ହାସଲ କରିବା ପାଇଁ ଯୋଗାଯୋଗ ଆରମ୍ଭ କରିଦେଲେ।


ସବୁ ଶକ୍ତିମାନଙ୍କ ମଧ୍ୟରେ ପ୍ରମୁଖ ଥିଲା ଦ୍ଵାରକା; କୃଷ୍ଣ ବଳରାମ ସମେତ ବିଶାଳ ନାରାୟଣୀ ସେନା। ସେମାନେ ଯାହା ପକ୍ଷରେ ରହି ଯୁଦ୍ଧ କରିବେ ସେ ପକ୍ଷର ବିଜୟ ସୁନିଶ୍ଚିତ ବୋଲି ସମସ୍ତଙ୍କର ଦୃଢ଼ ଧାରଣା ଥିଲା।ନାରାୟଣୀ ସେନା ଭଳି ସୁଶିକ୍ଷିତ,ସୁପରିଚାଳିତ,ଦୁର୍ଦ୍ଧର୍ଷ ବିଶାଳକାୟ ସେନା ସେ ସମୟରେ ଭାରତ ଭୂଖଣ୍ଡରେ ନଥିଲା। ସେଥିପାଇଁ,ପାଣ୍ଡବଙ୍କ ପୂର୍ବରୁ ଦ୍ବାରକାର ସମର୍ଥନ ଲାଭ କରିବାପାଇଁ ଯୁବରାଜ ଦୁର୍ଯ୍ୟୋଧନ କ୍ଷୀପ୍ରବେଗରେ ଦ୍ବାରାବତୀ ପୁରରେ ପହଞ୍ଚିଲେ।ଯିବା ପୂର୍ବରୁ ଶକୁନି ଦୁର୍ଯ୍ୟୋଧନଙ୍କୁ କହିଥିଲେ.. କୌଣସି ପ୍ରକାରେ ଶ୍ରୀକୃଷ୍ଣଙ୍କ ସମର୍ଥନ ପ୍ରାପ୍ତି କରିବ ପୁତ୍ର,କାରଣ ଯେଉଁ ଆଡେ କୃଷ୍ଣ ସେଇଆଡ଼େ ବଳରାମ; ଶ୍ରୀକୃଷ୍ଣଙ୍କ ମତ ବିପକ୍ଷରେ ବଳରାମ କଦାପି ଯିବେ ନାହିଁ।"


ସେଥିପାଇଁ ଦ୍ବାରକାରେ ପହଞ୍ଚି ଦୁର୍ଯ୍ୟୋଧନ ପ୍ରଥମେ ଶ୍ରୀକୃଷ୍ଣଙ୍କ ଭବନରେ ପହଞ୍ଚିଲେ। କୁରୁ ଓ ପାଣ୍ଡୁ ପରିବାର ଶ୍ରୀକୃଷ୍ଣଙ୍କର ସମ୍ପର୍କୀୟ ହୋଇ ଥିବାରୁ ସେମାନଙ୍କର ଅନ୍ତଃପୁରକୁ ଅବାଧ ପ୍ରବେଶ ଥିଲା। ଦୁର୍ଯ୍ୟୋଧନ ପହଞ୍ଚିବା ସମୟରେ ଶ୍ରୀକୃଷ୍ଣ ଶୟନ-ରତ ଥିଲେ। ତେଣୁ ଦୁର୍ଯ୍ୟୋଧନ ତାଙ୍କ ମସ୍ତକ ନିକଟରେ ପଡ଼ିଥିବା ସିଂହାସନରେ ବସି,ପହୁଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଅପେକ୍ଷା କଲେ।


ଏହା ପରେ ଅର୍ଜୁନ ପହଞ୍ଚି, କୃଷ୍ଣଙ୍କୁ ନିଦ୍ରାମଗ୍ନ ଦେଖି, ତାଙ୍କ ପାଦପାଖରେ ଯୋଡହସ୍ତ ହୋଇ ଠିଆ ହୋଇ ରହିଲେ। ନିଦ୍ରାଭଙ୍ଗ ହେଲା ଶ୍ରୀପୁରୁଷୋତ୍ତମଙ୍କର;ପ୍ରଥମେ ଦୃଷ୍ଟି ପଡ଼ିଲା ଅର୍ଜୁନଙ୍କ ଉପରେ।ସହାସ୍ୟ ବଦନରେ ଶ୍ରୀକୃଷ୍ଣ କହିଲେ ..ଆରେ ପାର୍ଥ ! କେତେବେଳୁ ମୋ ଶଯ୍ୟା ପାଖରେ ତୁମେ ଅପେକ୍ଷା କରିଛ ? ତତ୍ପରେ ଦୁର୍ଯ୍ୟୋଧନଙ୍କ ଉପରେ ଦୃଷ୍ଟି ପଡ଼ିଲା ଗୋବିନ୍ଦଙ୍କର। ସେହି ପ୍ରଶ୍ନ ଦୁର୍ଯ୍ୟୋଧନଙ୍କୁ ଦୋହରାଇ ମାଧବ କହିଲେ .. କିପରି ଏଠାକୁ ଉଭୟଙ୍କର ଏକ ସମୟରେ ଆଗମନ ?"


ଦୁର୍ଯ୍ୟୋଧନ କହିଲେ...ଗୋବିନ୍ଦ! ଅତି ଶୀଘ୍ର ପାଣ୍ଡବ ଏବଂ କୌରବଙ୍କମଧ୍ୟରେ ଯୁଦ୍ଧ ହେବାପାଇଁ ଯାଉଛି। ଏହି ଯୁଦ୍ଧରେ ଦ୍ଵାରକାର ସମର୍ଥନ ଅତି ଗୁରୁତ୍ୱପୂର୍ଣ୍ଣ। ମୁଁ ଏବଂ ଅର୍ଜୁନ ଦୁହେଁ ଆପଣଙ୍କର ପ୍ରିୟ ଏବଂ ସମ୍ପର୍କୀୟ। କିନ୍ତୁ ଅର୍ଜୁନ ପୂର୍ବରୁ ମୁଁ ଆପଣଙ୍କ ସହାୟତା ମାଗିବା ପାଇଁ ଆସି ଅପେକ୍ଷା କରିଛି। ମୁଁ ଜାଣେ ଆପଣ ନ୍ୟାୟବାନ। ତେଣୁ ମୋ ପ୍ରତି ଅନ୍ୟାୟ କରିବେ ନାହିଁ। ମୁଁ ପ୍ରଥମେ ଆସିଥିବାରୁ ମୋ ଅନୁରୋଧ ରକ୍ଷା କରି କୌରବଙ୍କ ପକ୍ଷରେ ଯୋଗଦେବେ।"


ପୁରୁଷୋତ୍ତମ କହିଲେ..ପ୍ରିୟ ଭାଇ ଦୁର୍ଯ୍ୟୋଧନ ! ତୁମେ ଠିକ୍ କହିଛ,ତୁମେ ଦୁହେଁ ମୋର ସମ୍ପର୍କୀୟ ଏବଂ ପରିବାରର ସଦସ୍ୟ ସମାନ। ତୁମେ ପ୍ରଥମେ ଆସିଛ,କିନ୍ତୁ ମୋର ନିଦ୍ରାଭଙ୍ଗ ପରେ ପ୍ରଥମେ ପାର୍ଥ ମୋର ଦୃଷ୍ଟିପଥାରୂଢ ହୋଇଛନ୍ତି।ତେଣୁ ଏଠାରେ ଉଭୟଙ୍କ ଅଧିକାର ସମାନ। କିନ୍ତୁ ଅର୍ଜୁନ ତୁମର କନିଷ୍ଠ। ପରିବାରରେ କିଛି ବାଣ୍ଟିବା ସମୟରେ କନିଷ୍ଠ ସଦସ୍ୟକୁ ଅଗ୍ରାଧିକାର ଦିଆଯାଏ।ଏହା ଆମ ପାରିବାରିକ ସଂସ୍କୃତିର ମାନ୍ୟତା। ତେଣୁ ସହାୟତା ମାଗିବାର ଅଧିକାର ପ୍ରଥମେ ଅର୍ଜୁନଙ୍କର ପ୍ରାପ୍ୟ।"


ଏବେ ସହାୟତା ବିଷୟରେ ମୋର ନିଷ୍ପତ୍ତି ଶୁଣ।ଏକ ପକ୍ଷରେ ବିଶାଳ ନାରାୟଣୀ ସେନା,ଅପର ପକ୍ଷରେ ମୁଁ ଏକା,ନିରସ୍ତ୍ର।ମୋର ପଣ ଅନୁଯାୟୀ ମୁଁ ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ। ଏହି ବିକଳ୍ପ ଭିତରୁ ପ୍ରଥମେ ଅର୍ଜୁନ ଗୋଟିଏ ବାଛିନିଅନ୍ତୁ ,ଅପରଟି ସ୍ବତଃ ଭ୍ରାତା ଦୁର୍ଯ୍ୟୋଧନଙ୍କର ପ୍ରାପ୍ୟ।କୁହ ଅନୁଜ ଅର୍ଜୁନ, ତୁମେ କଣ ଚାହଁ, ଅସ୍ତ୍ରହୀନ କୃଷ୍ଣ ନାଁ ବିଶାଳ ନାରାୟଣୀ ସେନା ?" 


ସଙ୍ଗେ ସଙ୍ଗେ ଅର୍ଜୁନଙ୍କ ମୁଖରୁ ବାହାରି ଆସିଲା .. ମୋର ନାରାୟଣୀ ସେନାର ଆବଶ୍ୟକତା ନାହିଁ,ପାଣ୍ଡବଙ୍କ ପକ୍ଷରେ ଅସ୍ତ୍ରହୀନ କୃଷ୍ଣ ହିଁ ମୋର ଆବଶ୍ୟକ।"


ନାରାୟଣୀ ସେନା ପାଇ ଦୁର୍ଯ୍ୟୋଧନଙ୍କ ମନ ଆନନ୍ଦରେ ଉଛୁଳି ପଡିଲା;ଭାବିଲେ..କେଡେ ମୁର୍ଖ ସତେ ଧନଞ୍ଜୟ ! ବିଶାଳ ନାରାୟଣୀ ସେନା ନମାଗି ଏକା ଅସ୍ତ୍ରହୀନ କୃଷ୍ଣଙ୍କୁ ମାଗି ନେଲା , ଆଶ୍ଚର୍ଯ୍ୟ ! କି ଭାଗ୍ୟବାନ ମୁଁ,ଅଯାଚିତ ଭାବରେ ବିଶାଳ ନାରାୟଣୀ ସେନା ମୋତେ ମିଳିଗଲା।" 


ସେଠାରୁ ଯାଇ ବଳରାମଙ୍କ ପାଖରେ ପହଞ୍ଚି, ଦୁର୍ଯ୍ୟୋଧନ କୃଷ୍ଣଙ୍କ ସହିତ ହୋଇଥିବା କଥୋପକଥନର ଅବତାରଣା କଲେ ଏବଂ କୌରବଙ୍କ ପ୍ରତି ହଳଧରଙ୍କର ସମର୍ଥନ ମାଗିଲେ ।ବଳରାମ କହିଲେ .. ମୁଁ, ଉପପ୍ଲାବ୍ୟ'ଠାରେ, ଅଭିମନ୍ୟୁର ବିବାହ ଉତ୍ସବ ଅବସରରେ ରାଜନ୍ୟବର୍ଗଙ୍କ ଆଗରେ ମୋ ମତାମତ ରଖିସାରିଛି।ଏହି ଭ୍ରାତୃ କନ୍ଦଳରେ ଜଡ଼ିତ ନ'ହେବାପାଇଁ ମୁଁ ନିଷ୍ପତି ନେଇଛି ତଥା କୃଷ୍ଣକୁ ବାରମ୍ବାର କହିଛି,କାରଣ ପାଣ୍ଡବ ଓ କୌରବ ଉଭୟେ ଆମପାଇଁ ସମାନ। କିନ୍ତୁ କାହ୍ନା'ର ନିଷ୍ପତ୍ତିରେ ମୁଁ କେବେ ହସ୍ତକ୍ଷେପ କରେନାହିଁ କିମ୍ବା ବିରୋଧ କରେନାହିଁ।ଯଦି ଯୁଦ୍ଧ ହୁଏ, ମୁଁ କାହାର ପକ୍ଷ ନେଇ ପାରିବି ନାହିଁ। ସର୍ବୋପରି କାହ୍ନା ଯାହାକୁ ସମର୍ଥନ କରିବ ତା' ବିରୁଦ୍ଧ ପକ୍ଷକୁ ମୁଁ ସମର୍ଥନ କରିବା ପ୍ରଶ୍ନ ଉଠୁ ନାହିଁ।"


ଦୁର୍ଯ୍ୟୋଧନଙ୍କ ପ୍ରସ୍ଥାନ ପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପଚାରିଲେ.. ମୁଁ ଚୟନର ଅଗ୍ରାଧିକାର ତୁମକୁ ଦେଉଥିଲି,ତୁମେ ବିଶାଳ ନାରାୟଣୀ ସେନାକୁ ନ'ବାଛି ଅସ୍ତ୍ର-ହୀନ କୃଷ୍ଣକୁ କାହିଁକି ଇଚ୍ଛାକଲ ପାର୍ଥ !"


ଯୋଡ ହସ୍ତରେ ଅର୍ଜୁନ କହିଲେ..ହେ ଜନାର୍ଦ୍ଦନ ! ଏକା ଆପଣ ଲକ୍ଷେ ନାରାୟଣୀ ସେନା ଠାରୁ ଅଧିକ।ଆପଣଙ୍କ ଆଶୀର୍ବାଦ ହିଁ ପାଣ୍ଡବଙ୍କର ପାଥେୟ।ଆପଣ ଯୁଦ୍ଧରେ ଅସ୍ତ୍ର ଧରିବା କଣ ଆବଶ୍ୟକ ! ଗୋପପୁରରେ ଷଣ୍ଢା ବକ ପୁତନା ଆଦିଙ୍କୁ ବଧ କରିବା ସମୟରେ କେଉଁ ଅସ୍ତ୍ର ଥିଲା ଆପଣଙ୍କ ହାତରେ ? କାଳୀୟ ଦଳନ ସମୟରେ ସର୍ପର ଫଣା ଉପରେ, ବଂଶୀ ବଜାଇ ହସି ହସି ନୃତ୍ୟ କରି ତାର ଦର୍ପ ଦଳନ କରିଥିଲେ ଆପଣ। କେଉଁ ଅସ୍ତ୍ରରେ ଗୋବର୍ଦ୍ଧନ ଟେକିଧରି ଆପଣ ଇନ୍ଦ୍ରଙ୍କ ଦର୍ପ ଦଳନ କରିଥିଲେ କେଶବ ? ଶୁଣିଛି ମାତୁଳ କଂସ ଆପଣଙ୍କୁ ଦୂରରୁ ଦେଖି ହୃଦ୍'ଘାତରେ ହିଁ ପ୍ରାଣତ୍ୟାଗ କଲେ।କାଳଯବନ ପର୍ବତ ଗହ୍ୱରରେ ଭସ୍ମରେ ପରିଣତ ହେବା ସମୟରେ କେଉଁ ଅସ୍ତ୍ର ଆପଣ ଧରିଥିଲେ ?ପାଣ୍ଡବଙ୍କ ରାଜସୂୟ ଯଜ୍ଞ ପୂର୍ବରୁ ପାଷଣ୍ଡ ଜରାସନ୍ଧର ମୃତ୍ୟୁ ଆପଣଙ୍କ ଯୋଗୁଁ ସମ୍ଭବ ହୋଇଥିଲା;ସେ ସମୟରେ କେଉଁ ଅସ୍ତ୍ର ଧାରଣ କରିଥିଲେ ଆପଣ !!ହେ କେଶବ ! ନାରାୟଣୀ ସେନାର ଶକ୍ତି ନୁହେଁ,ଆପଣଙ୍କ ଆଶୀର୍ବାଦ ପାଣ୍ଡବଙ୍କୁ ବିଜୟଶ୍ରୀ ମଣ୍ଡିତ କରିବ।"


ଆପଣଙ୍କଠାରେ ଏକା ଅନେକ ଯୁଦ୍ଧ ଜୟକରିବାର ସାମର୍ଥ୍ୟ ରହିଛି କେଶବ।ଆପଣଙ୍କୁ ମୋ ରଥରେ ସାରଥି କରି ମୁଁ ଏକା ଏକା ଏହି ବିଶାଳ ଯୁଦ୍ଧ ଜୟ କରିବାର ଅଭିଳାଷା ପୋଷଣ କରିଛି। ଆଜି ଆପଣ ମୋର ସେ ମନସ୍କାମନା ପୂର୍ଣ୍ଣ କରନ୍ତୁ,ମୋ ରଥରେ ଆପଣ ସାରଥୀ ହେବାର ସୌଭାଗ୍ୟ ମୋତେ ଅର୍ପଣ କରନ୍ତୁ ଜନାର୍ଦ୍ଦନ।"


ଭକ୍ତିପୂର୍ଣ୍ଣ ଆନନ୍ଦାଶ୍ରୁ ଝରି ଯାଉଥିଲା ଅର୍ଜୁନଙ୍କ ନୟନ ଯୁଗଳରୁ। ଆନନ୍ଦ ଚିତ୍ତରେ ଅର୍ଜୁନଙ୍କୁ କୋଳାଗ୍ରତ କଲେ ଶ୍ରୀକୃଷ୍ଣ। ଅର୍ଜୁନଙ୍କ ହୃଦୟ ଫଲ୍'ଗୁ ନଦୀରେ ବହିଗଲା ଭକ୍ତିର ଅନ୍ତଃ ସଲୀଳା,ମନରେ ଅବ୍ୟକ୍ତ ପୁଲକ ଏବଂ ଶରୀରରେ ଶତ ସିଂହର ବଳ।



Rate this content
Log in

Similar oriya story from Classics