Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ ଭାଗ ୭୨(ଉପପ୍ଲାବ୍ୟରେ ମନ୍ତ୍ରଣା)

କଥା କାଦମ୍ବରୀ ଭାଗ ୭୨(ଉପପ୍ଲାବ୍ୟରେ ମନ୍ତ୍ରଣା)

4 mins
174



ଧନଞ୍ଜୟଙ୍କ ବୀରତ୍ବର ଆଲୋଚନା ମତ୍ସ୍ୟ ଦେଶର ଘରେ ଘରେ ଶୁଣିଵାକୁ ମିଳିଲା। କାହାର ଜାଣିବାକୁ ବାକି ରହିଲା ନାହିଁ ଯେ ପାଣ୍ଡବମାନେ ଅଜ୍ଞାତବାସ କଟାଇବା ପାଇଁ ଛଦ୍ମବେଶରେ ବିରାଟଙ୍କ ରାଜପ୍ରସାଦରେ ଆଶ୍ରୟ ନେଇଥିଲେ। ପାଣ୍ଡବ ମାନଙ୍କର ପରାକ୍ରମ ହେତୁ ମତ୍ସ୍ୟଦେଶବାସୀ, ତ୍ରିଗର୍ତ୍ତ ଏବଂ ହସ୍ତିନାର ସଣ୍ଡୁଆଶି ଆକ୍ରମଣରୁ ରକ୍ଷା ପାଇଗଲେ। ପାଣ୍ଡବମାନେ ମତ୍ସ୍ୟ ବାସୀଙ୍କ ପାଇଁ ଦେବତାରେ ପରିଣତ ହୋଇଗଲେ।ରାଜା ବିରାଟ, ଅର୍ଜୁନଙ୍କୁ ଜାମାତା ରୂପେ ବରଣ କରିବା ଇଚ୍ଛା ପ୍ରକାଶ କଲେ। ବିନମ୍ରତା ସହିତ ଅର୍ଜୁନ କହିଲେ ..ରାଜନ୍ ! ଆପଣଙ୍କ ସୁପୁତ୍ରୀ'ର ମୁଁ ନୃତ୍ୟ ଗୁରୁ। ଗୁରୁଙ୍କ ଆସନ ପିତା ସହିତ ସମାନ।କୌରବ ସୈନ୍ୟମାନଙ୍କୁ ଚେତନା ଶୂନ୍ୟ କରି, ସେମାନଙ୍କ ରଙ୍ଗ ବିରଙ୍ଗ ଅଙ୍ଗବସ୍ତ୍ରକୁ ମୁଁ ଉତ୍ତରା'ର କଣ୍ଢେଇ ମାନଙ୍କ ପାଇଁ ଆଣିଥିଲି;ଏଥିରୁ ଉତ୍ତରା ପାଇଁ ମୋ ମନର ବାତ୍ସଲ୍ୟ ମମତା ଆପଣ ସହଜରେ ଅନୁମାନ କରିପାରୁଥିବେ। ଯଦି ଆପଣ ଆମ ସହିତ ବନ୍ଧୁତା ସୂତ୍ରରେ ବାନ୍ଧି ହେବାପାଇଁ ଚାହୁଁଛନ୍ତି ତାହେଲେ କଲ୍ୟାଣୀ ଉତ୍ତରାକୁ ମୋ ପୁତ୍ର ଅଭିମନ୍ୟୁ ସହିତ ବିବାହ ଦିଅନ୍ତୁ।"


ଅର୍ଜୁନଙ୍କର ଏହି ଦି'ପଦ କଥା ଵିରାଟଙ୍କ ପରିବାରରେ ସୁଧାବୃଷ୍ଟି କଲା।ଅର୍ଜୁନଙ୍କ ପୁତ୍ରବଧୂ ହେବେ ବୋଲି ଜାଣି ଆନନ୍ଦରେ ପୁଲକିତ ହେଲା ରାଜକୁମାରୀ ଉତ୍ତରା'ଙ୍କ ମନ; ଅଭିମନ୍ୟୁଙ୍କୁ ପାଇବା ସ୍ବପ୍ନରେ ବିଭୋର ହେଲେ ଉତ୍ତରା। ବିବାହର ସମସ୍ତ ଆୟୋଜନ କରି ଦ୍ବାରକାକୁ ନିମନ୍ତ୍ରଣ ପଠାଇଲେ ରାଜା ବିରାଟ। 

 

ବନବାସ ଏବଂ ଅଜ୍ଞାତବାସ ସମ୍ପୂର୍ଣ୍ଣ ହେଲାପରେ ମତ୍ସ୍ୟଦେଶ ରାଜପରିବାର ଛାଡି ପାଣ୍ଡବମାନେ ସ୍ବାଧୀନ ଭାବରେ 'ଉପପ୍ଲାବ୍ୟ'ରେ ବସବାସ କଲେ।ଉପପ୍ଲାବ୍ୟ ମତ୍ସ୍ୟ ଦେଶର ଏକ ପ୍ରମୁଖ ନଗର ।ବିବାହରେ ଯୋଗଦେବାପାଇଁ ଦ୍ବାରକାରୁ ଶ୍ରୀକୃଷ୍ଣ ଏବଂ ବଳରାମ, ସାଙ୍ଗରେ ସୁଭଦ୍ରା ଓ ଅଭିମନ୍ୟୁଙ୍କୁ ନେଇ ଉପପ୍ଲାବ୍ୟରେ ପହଞ୍ଚିଲେ।ପାଣ୍ଡବଙ୍କ ସମର୍ଥକ ସାତ୍ୟକି ସମେତ ଅନେକ ଯାଦବ ବୀର ମଧ୍ୟ ଆସି ଉପପ୍ଲାବ୍ୟରେ ସମବେତ ହେଲେ। ପାଞ୍ଚାଳ, କାଶୀ ଏବଂ ଶୈବ୍ୟ ଦେଶର ରାଜାମାନେ ନିଜର ସୈନ୍ୟ ସାମନ୍ତ ସହିତ ପାଣ୍ଡବଙ୍କ ପାଖରେ ପହଞ୍ଚିଲେ। ପାଞ୍ଚାଳ-ଯୁବରାଜ ଧୃଷ୍ଟଦ୍ୟୁମ୍ନ,ଭ୍ରାତା ଶିଖଣ୍ଡି ଓ ସତ୍ୟଜିତଙ୍କ ସହିତ ପାଞ୍ଚାଳୀଙ୍କର ପାଞ୍ଚପୁତ୍ରଙ୍କୁ ନେଇ ପାଣ୍ଡୁ ପରିବାର ସହିତ ଉପପ୍ଲାବ୍ୟରେ ଯୋଗଦେଲେ।ମହା ସମାରୋହରେ ଅଭିମନ୍ୟୁ ଓ ଉତ୍ତରାଙ୍କ ବିବାହ ଉତ୍ସବ ସମ୍ପନ୍ନ ହେଲା। ମତ୍ସ୍ୟ ରାଜ୍ୟ ସହିତ ଏହି ବୈବାହିକ ସମ୍ପର୍କ ପାଣ୍ଡବମାନଙ୍କର ସାମରିକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କଲା। ବିରାଟଙ୍କ ସହିତ ତାଙ୍କର ଯେତେ ମିତ୍ର ରାଜ୍ୟ ଥିଲେ ସମସ୍ତେ ପାଣ୍ଡବଙ୍କୁ ସମର୍ଥନ କଲେ। 


ବିବାହ ଉତ୍ସବ ସମାପନ ପରେ ପାଣ୍ଡବମାନେ ମିତ୍ର-ଶକ୍ତି ମାନଙ୍କ ସହିତ ଆଲୋଚନା କରି ଭବିଷ୍ୟତ କର୍ମପନ୍ଥା ସ୍ଥିର କରିବାପାଇଁ ଇଚ୍ଛାକଲେ। ସେଥିପାଇଁ ବିରାଟଙ୍କ ରାଜଦରବାରରେ ଏକ ଭବ୍ୟ ସମ୍ମିଳନୀରେ ସମସ୍ତେ ଏକତ୍ରିତ ହେଲେ।


ସଭାକୁ ସମ୍ବୋଧନ କରି ଶ୍ରୀକୃଷ୍ଣ କହିଲେ.. ଉପସ୍ଥିତ ବୀରଗଣ! ଆପଣମାନେ ସମସ୍ତେ ଜାଣନ୍ତି କିପରି ଛଳନାର ଆଶ୍ରୟନେଇ କୌରବମାନେ ପାଣ୍ଡବ ମାନଙ୍କ ରାଜ୍ୟ ହରଣ କରି ନେଇଛନ୍ତି।ନାରୀର ସମ୍ମାନ ଓ ଅସ୍ମିତା କିପରି ଦୁଷ୍ଟ ମାନଙ୍କ ହାତରେ ପୂର୍ଣ୍ଣ କୁରୁ ରାଜସଭାରେ ଅପମାନିତ ହୋଇଛି ତାହା ମଧ୍ୟ ଜାଣିଛନ୍ତି ଆପଣମାନେ। ରାଜପୁତ୍ର ହୋଇ ଭିକାରିର ଜୀବନ ଅତିବାହିତ କରିଛନ୍ତି ପାଣ୍ଡବମାନେ। ସର୍ବଦା ଧର୍ମପଥଗାମୀ ଯୁଧିଷ୍ଠିର , ଦେଇଥିବା ବଚନ ରକ୍ଷା କରିବା ପାଇଁ ବାରବର୍ଷ ବନବାସ ଏବଂ ଏକବର୍ଷ ଅଜ୍ଞାତବାସ କଟାଇବା ପରେ ,ନିଜ ଅପହୃତ ରାଜ୍ୟ ଫେରିପାଇ ଶାନ୍ତିରେ ରହିବା ଅପେକ୍ଷାରେ ରହିଛନ୍ତି। କିନ୍ତୁ ଦୁର୍ଯ୍ୟୋଧନ ଏବଂ କୁରୁ ରାଜପରିବାରର ମତିଗତିରୁ ଜଣାଯାଏ ଯେ ଯୁଧିଷ୍ଠିର ଏତେ ସହଜରେ ହୃତ ରାଜ୍ୟ ଫେରି ପାଇବେ ନାହିଁ।ଆମେ ସମସ୍ତେ ଶାନ୍ତି ଚାହାଁନ୍ତି,କାରଣ ଯୁଦ୍ଧର ଭୟାବହତା ସମସ୍ତଙ୍କୁ ଜଣା। ଯୁଧିଷ୍ଠିର ମଧ୍ୟ ଶାନ୍ତି ଚାହାଁନ୍ତି। ତେଣୁ ଦୁଇ ପରିବାର ମଧ୍ୟରେ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବାପାଇଁ ଜଣେ ସ୍ଥିର-ମସ୍ତିଷ୍କ ମଧ୍ୟସ୍ଥିଙ୍କୁ କୌରବମାନଙ୍କ ପାଖକୁ ପ୍ରେରଣକରି ପାଣ୍ଡବଙ୍କ ହୃତ-ରାଜ୍ୟ ଫେରାଇ ଆଣିବାକୁ ପ୍ରୟାସ କରାଯିବା ଉଚିତ।"


ସଭାରେ ବଳରାମ ଉପସ୍ଥିତ ଥିଲେ। ଶ୍ରୀକୃଷ୍ଣ ତାଙ୍କ ବକ୍ତବ୍ୟ ଶେଷ କରିବା ପରେ ବଳରାମ କହିଲେ ..କାହ୍ନା ସହିତ ମୁଁ ଏକମତ। ଗୋଟିଏ ପରିବାର ମଧରେ ଭାଇ ଭାଇ ଭିତରେ ଯୁଦ୍ଧକୁ ମୁଁ ମଧ୍ୟ ସମର୍ଥନ କରେନାହିଁ। ମଧ୍ୟସ୍ଥି ମାଧ୍ୟମରେ ଏହାର ସମାଧାନ ହେବା ଉଚିତ। କିନ୍ତୁ ମଧ୍ୟସ୍ଥି ଉପଯୁକ୍ତ ବ୍ୟକ୍ତି ହେବା ଉଚିତ, ଜ୍ଞାନୀ, ଶାନ୍ତ ସ୍ଵଭାବ ଏବଂ ନିରପେକ୍ଷ ହେବା ମଧ୍ୟ ଉଚିତ। କୌରବ ମାନଙ୍କୁ ଅନୁରୋଧ କରି ପାଣ୍ଡବଙ୍କ ରାଜ୍ୟ ଫେରାଇ ଆଣିବାକୁ ଚେଷ୍ଟା କରିବା ଆବଶ୍ୟକ।ସମସ୍ତଙ୍କ ବାରଣ ସତ୍ତ୍ୱେ ଯୁଧିଷ୍ଠିର ପଶାଖେଳରେ ଯେପରି ରାଜ୍ୟ ହରାଇଲେ ତାହା ତାଙ୍କର ଅପରିଣାମଦର୍ଶୀତାର ଫଳ।ଭଲଭାବେ ଯୁଧିଷ୍ଠିର ଜାଣିଥିଲେ ଯେ ପଶାଖେଳରେ ଶକୁନିଙ୍କୁ ହରାଇବା ଅସମ୍ଭବ। ତଥାପି ନିଜସମେତ ଭାଇମାନଙ୍କୁ,ପତ୍ନୀଙ୍କୁ ଏବଂ ରାଜ୍ୟକୁ ବାଜି ପକାଇ ହାରିବା ଅର୍ଥ କ'ଣ? ଥରେ ହରାଇଥିବା ରାଜ୍ୟକୁ ନିଜ ଅଧିକାର ଭାବେ ସେ ଦାବି କରିପାରିବେ ନାହିଁ।ରାଜ୍ୟ ଦେବା ନଦେବା କୌରବ ମାନଙ୍କ ଦୟା ଉପରେ ନିର୍ଭର କରେ।"


ମହାଭାରତକାର ବଳରାମଙ୍କର ଏହି ବକ୍ତବ୍ୟ ମାଧ୍ୟମରେ ଯୁଧିଷ୍ଠିରଙ୍କ ଅପରିଣାମଦର୍ଶୀତାକୁ ସମାଲୋଚନା କରିଛନ୍ତି। ମଦ୍ୟପାନ ଭଳି ଜୁଆଖେଳ ଏକ ଘୃଣ୍ୟ ନିଶା। ପତ୍ନୀକୁ ଜୁଆଖେଳରେ ବାଜି ପକାଇବା କୌଣସି ସୁସ୍ଥ ମସ୍ତିଷ୍କ ବ୍ୟକ୍ତି କରେନାହିଁ। ଏଥିପାଇଁ ବଳରାମ ଯୁଧିଷ୍ଠିରଙ୍କୁ କଦାପି କ୍ଷମା କରିନାହାନ୍ତି। ମହାଭାରତ ଯୁଦ୍ଧରେ ସେ ନିରପେକ୍ଷ ରହିଛନ୍ତି ପଛେ, ଯୁଧିଷ୍ଠିରଙ୍କ ସମର୍ଥନ କରିନାହାନ୍ତି।

 

ବଳରାମଙ୍କର ଏପରି ବକ୍ତବ୍ୟରେ କ୍ରୋଧିତ ଏବଂ ଅସନ୍ତୁଷ୍ଟ ହୋଇ ଯାଦବ ବୀର ସାତ୍ୟକି କହିଲେ..ବଳରାମଙ୍କର ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟ ପୂର୍ଣ୍ଣ। ଯୁଧିଷ୍ଠିରଙ୍କୁ ତଞ୍ଚକତାର ଶିକାର ହେବାକୁ ପଡ଼ିଛି।ପଶାଖେଳର ଆହ୍ବାନକୁ ଗ୍ରହଣ କରିବା ଯୁଗଧର୍ମ ଅନୁସାରେ କ୍ଷତ୍ରିୟର କର୍ତ୍ତବ୍ୟ, କିନ୍ତୁ ସେ ଖେଳରେ ଛଳନାର ଆଶ୍ରୟନେଇ ରାଜ୍ୟ ବାଜି ରଖିବା ପଛରେ ଥିବା ଈର୍ଷାପୂର୍ଣ୍ଣ ଷଡ଼ଯନ୍ତ୍ର କେବେ କୌଣସି ପରିବାର ସଦସ୍ୟ କରନ୍ତି ନାହିଁ। ଯୁଧିଷ୍ଠିର ଯୁଦ୍ଧରେ ରାଜ୍ୟ ହରାଇ ନାହାଁନ୍ତି, ତାଙ୍କ ଠାରୁ ଛଡ଼ାଇ ନିଆଯାଇଛି। ସେଥିପାଇଁ ଆବଶ୍ୟକ ହେଲେ ସେ ଯୁଦ୍ଧକରି ତାହା ହାସଲ କରିବା ଉଚିତ। ପାଣ୍ଡବମାନେ ଭିକାରି ନୁହଁନ୍ତି କିମ୍ବା ଭୀରୁ ନୁହଁନ୍ତି; ସେମାନେ ପରାକ୍ରମୀ କ୍ଷତ୍ରିୟ। କିପରି ନିଜର ଅଧିକାର ସାବ୍ୟସ୍ତ କରାଯାଏ,ସେମାନଙ୍କୁ ଭଲ ଭାବରେ ଜଣା। ମଧ୍ୟସ୍ଥତା ଅସଫଳ ହେଲେ ଯୁଦ୍ଧରେ କୌରବଙ୍କୁ ପରାସ୍ତ କରି ପାଣ୍ଡବମାନେ ହୃତ-ରାଜ୍ୟ ଫେରିପାଇବା ଉଚିତ।ସେ ପ୍ରୟାସରେ ଆମେ ସମସ୍ତେ ପାଣ୍ଡବମାନଙ୍କ ସମର୍ଥନ କରିବା ଆବଶ୍ୟକ ।"


ସାତ୍ୟକିଙ୍କ ମନ୍ତବ୍ୟକୁ ଯାଜ୍ଞସେନ ଦ୍ରୁପଦ ସମର୍ଥନ କରି କହିଲେ.. ସାତ୍ୟକି ଠିକ୍ କହିଛନ୍ତି।ଆମେ ପ୍ରଥମେ ମଧ୍ୟସ୍ଥି ମାଧ୍ୟମରେ ହୃତ ରାଜ୍ୟ ଫେରାଇ ଆଣିବାକୁ ପ୍ରୟାସ କରିବା। ତାହା ସମ୍ଭବ ନହେଲେ ଯୁଦ୍ଧ ଅବଶ୍ୟମ୍ଭାବୀ।ମୋ ଦରବାରରେ ଜଣେ ବିଜ୍ଞ ବ୍ରାହ୍ମଣ ଅଛନ୍ତି।ସେ ଜଣେ ସ୍ଥିର-ମସ୍ତିଷ୍କ, ଜ୍ଞାନୀ ଏବଂ ନିରପେକ୍ଷ ବ୍ୟକ୍ତି।ତାଙ୍କୁ ପ୍ରଥମେ ଧୃତରାଷ୍ଟ୍ରଙ୍କ ପାଖକୁ ପ୍ରେରଣ କରାଯାଉ।"


ଶ୍ରୀକୃଷ୍ଣ କହିଲେ .. ଦେଖନ୍ତୁ ଉପସ୍ଥିତ ବୀରଗଣ ! ଆମେ ଦୁଇ ଭାଇ ,ଉଭୟ ପାଣ୍ଡବ ଏବଂ କୌରବ ପରିବାରଙ୍କର ସମ୍ପର୍କୀୟ। ଭାଗିନେୟ ଅଭିମନ୍ୟୁର ବିବାହ ଉତ୍ସବରେ ଯୋଗଦେବାକୁ ଏସ୍ଥାନକୁ ଆମର ଆଗମନ।ଆମେ ଦୁଇପରିବାର ଭିତରେ ଶାନ୍ତି ଚାହୁଁ ଏବଂ କାହାପ୍ରତି ଅନ୍ୟାୟ ହେବା ଚାହୁଁ ନାହିଁ। ମଧ୍ୟସ୍ଥତା ମାଧ୍ୟମରେ ଯୁଧିଷ୍ଠିରଙ୍କୁ ଯେବେ ନ୍ୟାୟ ମିଳିଲା ଭଲକଥା,ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଆମେମାନେ ଦ୍ଵାରକା ଫେରି ଯାଉଛୁ; ମଧ୍ୟସ୍ଥତାର ଫଳାଫଳ ଆମକୁ ଶୀଘ୍ର ଜଣାଇବେ।"


କୃଷ୍ଣ ବଳରାମ ବିଦାୟ ନେଇ ଦ୍ଵାରକା ଫେରି ଯିବାପାଇଁ ପ୍ରସ୍ତୁତ ହେଲେ।ଦ୍ରୁପଦ ପାଣ୍ଡବମାନଙ୍କୁ କହିଲେ.. ମଧ୍ୟସ୍ଥତାର ଫଳାଫଳ ଉପରେ ମୁଁ ଆଶାବାଦୀ ନୁହେଁ।ରାଜ୍ୟ ଫେରାଇବାର ମାନସିକତା ଦୁର୍ଯ୍ୟୋଧନ କିମ୍ବା ଧୃତରାଷ୍ଟ୍ରଙ୍କର ନାହିଁ।ଭୀଷ୍ମଙ୍କ ଭଳି କୁରୁବୃଦ୍ଧ ସିଂହାସନ ସହିତ ବନ୍ଧା। ସିଂହାସନର ନିଷ୍ପତ୍ତି ଭୁଲ୍ ହେଉ ବା ଠିକ୍,ତାହା ମାନି କାର୍ଯ୍ୟକାରୀ କରିବାକୁ ସେ ତାଙ୍କ କର୍ତ୍ତବ୍ୟ ମନେ କରନ୍ତି।ଦ୍ରୋଣ, ପାଞ୍ଚାଳର ପ୍ରତିଶୋଧାତ୍ମକ ଆକ୍ରମଣରୁ ରକ୍ଷା ପାଇବାପାଇଁ କୌରବ ରାଜଶକ୍ତି ପଛରେ ଲୁଚିଛନ୍ତି। ଦୁର୍ଯ୍ୟୋଧନଙ୍କ ନିଷ୍ପତ୍ତିକୁ ଅନିଚ୍ଛା ସତ୍ତ୍ବେ ସେ ସମର୍ଥନ କରିବେ।କର୍ଣ୍ଣ, ଅନ୍ଧଭାବରେ ଦୁର୍ଯ୍ୟୋଧନଙ୍କୁ ସମର୍ଥନ କରନ୍ତି, କାରଣ ସୂତପୁତ୍ରରୁ ଅଙ୍ଗରାଜ ହେବାର ସୌଭାଗ୍ୟ ସେ ଦୁର୍ଯ୍ୟୋଧନଙ୍କ ଯୋଗୁଁ ପାଇଛନ୍ତି; ସେହି ଋଣଭାରରେ ତାଙ୍କ ମସ୍ତକ ସର୍ବଦା ଦୁର୍ଯ୍ୟୋଧନଙ୍କ ପାଦତଳେ ଅବନତ।

ଏ'ପରିସ୍ଥିତିରେ,ସମସ୍ତ ବିକଳ୍ପ କେବଳ କୁହେଳିକା ବ୍ୟତୀତ ଅନ୍ୟ କିଛି ନୁହେଁ;ଯୁଦ୍ଧ ଅବଶ୍ୟମ୍ଭାବୀ। ସେଥିପାଇଁ ନିଜ ମିତ୍ର-ଶକ୍ତିମାନଙ୍କର ସମର୍ଥନ ପାଇଁ ପାଣ୍ଡବମାନେ ଚେଷ୍ଟା ଅବ୍ୟାହତ ରଖନ୍ତୁ।"


ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଲେ ମଧ୍ୟ ଉଭୟ,ପାଣ୍ଡବ ଏବଂ କୌରବ ପକ୍ଷ ଅବଶ୍ୟମ୍ଭାବୀ ଯୁଦ୍ଧପାଇଁ ରାଜ୍ୟମାନଙ୍କର ସମର୍ଥନପ୍ରାପ୍ତି ପ୍ରୟାସ ଜାରି ରଖିଲେ। 


ସମ୍ମିଳନୀ ପରେ ଶ୍ରୀକୃଷ୍ଣ ଦ୍ବାରକା ଅଭିମୁଖେ ପ୍ରସ୍ଥାନ କରିବା ପୂର୍ବରୁ ଦ୍ରୌପଦୀ କହିଲେ.. ତୁମେ ଏ'କଣ କଲେ କେଶବ ! ଶେଷରେ ଶାନ୍ତି ପ୍ରସ୍ତାବ ଦେଇଦେଲ ! ମୋ କେଶ କଣ ଏମିତି ସବୁବେଳେ ମୁକୁଳା ରହିବ କୃଷ୍ଣ ? ଦୁଃଶାସନର ଲହୁ ପାଇଁ ସଦା ତୃଷିତ ରହିବ ମୋ ମୁକ୍ତ କବରୀ !"

ସେଇ ଚିରାଚରିତ ବିମଳ ହସ ଝଲକି ଉଠିଲା ଶ୍ରୀକୃଷ୍ଣଙ୍କ ଓଠରେ; କହିଲେ ...ମୋ ଉପରେ ବିଶ୍ବାସ ରଖ କଲ୍ୟାଣୀ !



Rate this content
Log in

Similar oriya story from Classics