କଥା କାଦମ୍ବରୀ ଭାଗ- ୬୦
କଥା କାଦମ୍ବରୀ ଭାଗ- ୬୦
ଅଷ୍ଟାବକ୍ର ଚରିତ
=================================
ପାଣ୍ଡବଙ୍କ ବନବାସ ସମୟରେ ମହର୍ଷି ଲୋମଶ ସେମାନଙ୍କ ସହିତ ବିଭିନ୍ନ ତିର୍ଥସ୍ଥାନ ଓ ପୁଣ୍ୟପୀଠ ଭ୍ରମଣ କରୁଥାନ୍ତି। ଥରେ ମହାଜ୍ଞାନୀ ଅଷ୍ଟାବକ୍ରଙ୍କ ଦ୍ବାରା ସ୍ଥାପିତ ଆଶ୍ରମରେ ପହଞ୍ଚି ଲୋମଶ କହିଲେ... ବତ୍ସ ! ଉପନିଷଦରେ ଅମର ହୋଇ ରହିଥିବା ମହର୍ଷି ଅଷ୍ଟାବକ୍ରଙ୍କ ଏ ହେଉଛି ପୁଣ୍ୟ ପୀଠ।ତାଙ୍କ ଜ୍ଞାନ ସମ୍ବନ୍ଧୀୟ ଅମର କାହାଣୀ କହୁଛି ଶୁଣ.....
ବେଦାନ୍ତରେ ଅସାଧାରଣ ବ୍ୟୁତ୍ପତ୍ତି ଲାଭ କରି ଥିବା,ଉଦ୍ଦାଳକ ନାମକ ଜଣେ ମହାନ ଗୁରୁ ଥିଲେ।'କହୋଡ' ନାମକ ତାଙ୍କର ଜଣେ ପୁଣ୍ୟାତ୍ମା ସମର୍ପିତ-ପ୍ରାଣ ଶିଷ୍ୟ ଥିଲେ।କହୋଡ'ଙ୍କର ସମସ୍ତ ଦେବପ୍ରତିମ ଗୁଣ ଥିଲେ ମଧ୍ୟ ସେ ସେଭଳି ଜ୍ଞାନବାନ ନଥିଲେ।ବେଦ ଉଚ୍ଚାରଣ ସମୟରେ ତାଙ୍କର ଅନେକ ଭୁଲ୍ ହେଉଥିଲା। ସେଥିପାଇଁ ଅନେକ ସମୟରେ ଗୁରୁକୁଳରେ ତାଙ୍କ ସହପାଠୀ ମାନେ ତାଙ୍କୁ ବ୍ୟଙ୍ଗ ବିଦ୍ରୂପ କରୁଥିଲେ।
ମହର୍ଷି ଉଦ୍ଦାଳକ,ଶିଷ୍ୟମାନଙ୍କର ଏଭଳି ବ୍ୟବହାରକୁ ଗୁରୁତ୍ତ୍ଵ ନଦେଇ କହୋଡ'ଙ୍କ ଦେବୋପମ ଗୁଣରେ ମୁଗ୍ଧ ହୋଇ ନିଜ କନ୍ୟା 'ସୁଜାତା'ଙ୍କୁ ତାଙ୍କୁ ବିବାହ ଦେଲେ।କିଛି ଦିନ ମଧୁର ଦାମ୍ପତ୍ୟ ଅତିବାହିତ କରିବାପରେ ସୁଜାତା ଗର୍ଭବତୀ ହେଲେ।ତାଙ୍କ ଗର୍ଭରେ ବଢୁଥିବା ସନ୍ତାନ ମାତାମହ ଉଦ୍ଦାଳକଙ୍କ ଭଳି ଅସୀମ ଧିସମ୍ପନ୍ନ ଥିଲେ ଏବଂ ମାତାଙ୍କ ଗର୍ଭରେ ଥାଇ ବେଦ-ବିଶାରଦ ପାଲଟି ଯାଇଥିଲେ ।ପିତା କହୋଡ, ବେଦ ପାଠ ସମୟରେ ଭୁଲ୍ ଉଚ୍ଚାରଣ କଲେ, ଜନନୀ ଜଠରରେ ଥାଇ ଶିଶୁଟିର ଶରୀର ଯନ୍ତ୍ରଣାରେ ମୋଡ଼ି ହୋଇଯାଉଥିଲା।ଫଳରେ ଜନ୍ମ ହେଲାବେଳକୁ ଶିଶୁଟିର ଶରୀରରେ ଆଠ'ଟି ବାଙ୍କ ହୋଇ ଯାଇଥିଲା। ଏପରି ମଧ୍ୟ କଥିତ ଅଛି, ମାତା ଗର୍ଭରେ ଥିବା ସମୟରେ, ପିତା କହୋଡ ବେଦ ଉଚ୍ଚାରଣରେ ଭୁଲ୍ କଲେ ପେଟ ଭିତରୁ ଶିଶୁଟି ପାଟିକରି ଜଣାଇ ଦେଉଥିଲା ଭୁଲ କେଉଁଠି ହେଲା। ଏପରି ବାରମ୍ବାର କରିବାରୁ ପିତା କହୋଡ ଅପମାନିତ ମନେ କଲେ।ଆଠଥର ଏଭଳି କହିବା ପରେ ପିତା ଅଭିଶାପ ଦେଲେ...ତୋ ଦେହରେ ଆଠଟି ବାଙ୍କ ହୋଇ ଯାଉ।" ଦେହରେ ଆଠଟି ବାଙ୍କ ନେଇ ଜନ୍ମ ହୋଇଥିବା ଏହି ବାଳକ ମହାଜ୍ଞାନୀ ଅଷ୍ଟାବକ୍ର ନାମରେ ପରିଚିତ।
କହୋଡଙ୍କ ଦୁର୍ଭାଗ୍ୟ,ଥରେ ମିଥିଳା ରାଜା ଜନକଙ୍କ ଦରବାରରେ ଥିବା ବିଶ୍ବପ୍ରସିଦ୍ଧ ପଣ୍ଡିତ "ବନ୍ଦି"ଙ୍କ ସହିତ ତାଙ୍କର ବେଦଶାସ୍ତ୍ର ଉପରେ ବାଦାନୁବାଦ ଲାଗିଲା। ସର୍ତ୍ତ ଥିଲା, ପ୍ରତିଯୋଗିତାରେ ଯେ ପରାସ୍ତ ହେବ ସେ ସମୁଦ୍ରରେ ଜଳସମାଧି ନେବ। କହୋଡ ବନ୍ଦି'ଙ୍କ ଠାରୁ ପରାସ୍ତ ହୋଇ ଜଳସମାଧି ନେଲେ। ସ୍ବାମୀଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ କଥା, ସୁଜାତା ଅନେକ ଦିନ ପର୍ଯ୍ୟନ୍ତ ପୁତ୍ର ଠାରୁ ଗୁପ୍ତ ରଖିଥିଲେ।
ଅଷ୍ଟାବକ୍ର, ପିତାଙ୍କ ଦୁର୍ଭାଗ୍ୟ ପୂର୍ଣ୍ଣ ମୃତ୍ୟୁ ବିଷୟରେ ଯେତେବେଳେ ଜାଣିବାକୁ ପାଇଲେ ,ବଡ ଦୁଃଖିତ ହେଲେ;ବନ୍ଦିଙ୍କୁ ଶାସ୍ତ୍ର ଆଲୋଚନାରେ ପରାସ୍ତ କରି ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ସମୟ ସୁଯୋଗର ଅପେକ୍ଷାରେ ଥିଲେ ଅଷ୍ଟାବକ୍ର।ମାତ୍ର ବାରବର୍ଷ ବୟସରେ ବେଦ,ବେଦାନ୍ତ ଏବଂ ଅନ୍ୟ ସମସ୍ତ ଶାସ୍ତ୍ରରେ ସେ ମହାନ ପାଣ୍ଡିତ୍ୟ ଲାଭ କରି ସାରିଥିଲେ।
ଦିନେ ଅଷ୍ଟାବକ୍ର ଶୁଣିବାକୁ ପାଇଲେ ଯେ ମିଥିଳା ନରେଶ ଜନକ,ପ୍ରଜାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏକ ବିରାଟ ଯଜ୍ଞ ଅନୁଷ୍ଠାନ ଆୟୋଜନ କରୁଛନ୍ତି। ସେହି ଅନୁଷ୍ଠାନରେ ଯୋଗଦେବାପାଇଁ ଆର୍ଯ୍ୟାବର୍ତ୍ତର ଅନେକ ବିଦ୍ୱାନ ଓ ପଣ୍ଡିତ ଆସୁଛନ୍ତି। ସେଠାରେ ମହାନ୍ ପଣ୍ଡିତ "ବନ୍ଦି" ବେଦାନ୍ତ ଉପରେ ଏକ ତର୍କ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି।ଏ ସୁଯୋଗ ହାତଛଡ଼ା କରିବା ପାଇଁ ଅଷ୍ଟାବକ୍ର ଚାହୁଁ ନଥିଲେ।ଖୁଡୁତା ଶ୍ବେତକେତୁଙ୍କ ସହିତ ସେ ମିଥିଳା ଅଭିମୁଖେ ଯାତ୍ରା କଲେ।
ମିଥିଳା ସେ ସମୟରେ ଯଜ୍ଞ ପାଇଁ ଆନନ୍ଦରେ ମୁଖରିତ। ମିଥିଳାର ରାଜରାସ୍ତା ଉପରେ ଚାଲିଥାନ୍ତି ଅଷ୍ଟାବକ୍ର।ତାଙ୍କ ବିକଳାଙ୍ଗ ଶରୀର ଏବଂ ଚାଲିବା ଭଙ୍ଗି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥାଏ। ଏହି ସମୟରେ ରଥ ଆରୋହଣ କରି ରାଜା ଜନକ ସେହି ବାଟରେ ଆସୁଥିଲେ।ରାଜକର୍ମଚାରୀମାନେ, ଜନସାଧାରଣଙ୍କୁ ରାସ୍ତା ଉପରୁ ଆଡେଇ ଯିବାପାଇଁ ଚିତ୍କାର କରୁଥାନ୍ତି...ପାଖେଇ ଯାଅ ପାଖେଇ ଯାଅ,ରାଜା ଆସୁଛନ୍ତି।"ଅଷ୍ଟାବକ୍ର ରାସ୍ତାରୁ ଘୂଞ୍ଚି ନଯାଇ ରାଜ କର୍ମଚାରୀଙ୍କୁ କହିଲେ..ମହାଶୟ,ଶାସ୍ତ୍ର କହେ ଜଣେ ବିଜ୍ଞ ବ୍ୟକ୍ତି, ରାସ୍ତାରେ ଯାଉଥିବା ଅନ୍ଧ,ବାଳକ,ବିକଳାଙ୍ଗ,ଭାରବାହୀ, ମହିଳା ଏବଂ ବେଦଜ୍ଞ ବ୍ରାହ୍ମଣ ମାନଙ୍କୁ ନିଜେ ବାଟ ଛାଡ଼ିଦେବା ଉଚିତ।ଏ ଶିକ୍ଷା, ରାଜା ଜନକ କଣ ରାଜକର୍ମଚାରୀଙ୍କୁ ଦେଇ ନାହାନ୍ତି?"
ଅଷ୍ଟାବକ୍ରଙ୍କ କଥାକୁ କର୍ଣ୍ଣପାତ ନକରି ରାଜକର୍ମଚାରୀ ତାଙ୍କୁ ବଳପ୍ରୟୋଗ କରି ରାଜରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରୁଥିଲେ।ଅଷ୍ଟାବକ୍ରଙ୍କ କଥା ରାଜର୍ଷି ଜନକ ଶୁଣି ପାରିଲେ।ବାରବର୍ଷ ଵୟସର ବାଳକର ଏପରି ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହୋଇ ଜନକ ତାଙ୍କୁ ବାଟ ଛାଡିଦେଲେ।
ଯଜ୍ଞ ସ୍ଥଳରେ ଅଷ୍ଟାବକ୍ର ପହଞ୍ଚି ପ୍ରତିଯୋଗିତା ମଣ୍ଡପକୁ ଯିବା ସମୟରେ ସେଠାରେ ଥିବା ଦ୍ଵାରପାଳ ବାଟ ଓଗାଳି କହିଲା.. ଏହା ମହାନ ବେଦବିଶାରଦ ମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତା,ବାଳକ ମାନଙ୍କର ଏଠାରେ ପ୍ରବେଶ ନିଷେଧ।କେବଳ ବୟସ୍କମାନେ ଏଥିରେ ଯୋଗ ଦେଇପାରିବେ।"
ଅଷ୍ଟାବକ୍ର କହିଲେ..ଆମକୁ ସାମାନ୍ୟ ବାଳକ ମନେ କରନାହିଁ ମହାଶୟ;ବେଦ ଓ ବେଦାନ୍ତରେ ଆମର ଯଥେଷ୍ଟ ବ୍ୟୁତ୍ପତ୍ତି ରହିଛି। ଯେଉଁମାନେ ବେଦାନ୍ତରେ ବିଜ୍ଞ ସେମାନେ କଦାପି ଅନ୍ୟ ପଣ୍ଡିତମାନଙ୍କୁ ବୟସ କିମ୍ବା ରୂପ ଆଧାରରେ ବିବେଚନା କରନ୍ତି ନାହିଁ।ବୟସ ସହିତ ଜ୍ଞାନର କଣ ସମ୍ପର୍କ ? ଏକଥା ଯାଇ ତୁମ ବିଜ୍ଞ ରାଜା ଏବଂ ପଣ୍ଡିତ "ବନ୍ଦି"ଙ୍କୁ କୁହ, ନିଶ୍ଚିତ ଭାବରେ ସେ ଆମକୁ ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନୁମତି ଦେବେ।"
ଦ୍ଵାରପାଳ ସହିତ ଏଭଳି ଯୁକ୍ତି ଚାଲିଥିବା ସମୟରେ ମିଥିଳା ରାଜା ଜନକ ସେଠାରେ ପହଞ୍ଚିଲେ।ବାଟରେ ଭେଟିଥିବା ଏହି ଅନନ୍ୟ ବାଳକକୁ ଯଜ୍ଞପୀଠରେ ଦେଖି ଜନକଙ୍କ କୌତୁହଳ ବଢ଼ିଗଲା।ସେ କହିଲେ ...ହେ ବିକଳାଙ୍ଗ ବାଳକ ! ଏତେ ଅଳ୍ପ ବୟସରେ ତୁମେ ମହାନ୍ ଶାସ୍ତ୍ରଜ୍ଞ ଓ ପଣ୍ଡିତ ମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ଆସିଛ,ଡର ଲାଗୁନାହିଁ ?"
ଅଷ୍ଟାବକ୍ର କହିଲେ ..ମହାରାଜ ! ଆପଣ ଏପରି ମତ ପୋଷଣ କରୁଥିବା ଦେଖି ମୁଁ ଆଶ୍ଚର୍ଯ୍ୟ। ମନ୍ଦିରର ଆକାର ଓ ଗଠନ ଶୈଳୀ ଯାହା ହେଉନା କାହିଁକି,ତାହା ଦେବତାଙ୍କ ପରିଚୟ ଦିଏନାହିଁ। ଛୋଟ ମନ୍ଦିର ଭିତରେ ରହି ଦେବତା ଛୋଟ ହୋଇଯାଆନ୍ତି ନାହିଁ।ବେଦ ବେଦାନ୍ତରେ ମୁଁ ବ୍ୟୂତ୍ପତ୍ତି ଲାଭ କରିଛି,ମୋର ବୟସ ବା ଶାରୀରିକ ଗଠନ ପ୍ରତିଯୋଗିତାରେ ଭାଗ ନେବାପାଇଁ କିପରି ବାଧକ ହେବ?"
ଜନକ କହିଲେ ...ବାଳକ ! ତୁମେ କଣ ଜାଣିନାହିଁ ଯେ ମୋ'ଦରବାର ପଣ୍ଡିତ ବନ୍ଦି ଅନେକ ଶାସ୍ତ୍ରଜ୍ଞଙ୍କୁ ପ୍ରତିଯୋଗିତାରେ ପରାସ୍ତ କରି ସେମାନଙ୍କୁ ଜଳସମାଧି ନେବାପାଇଁ ବାଧ୍ୟ କରିଛନ୍ତି ? ମୃତ୍ୟୁକୁ ଏତେ ପାଖରେ ଦେଖି ତୁମକୁ କ'ଣ ଡର ଲାଗୁନାହିଁ ବାଳକ ?"
ଏହାଶୁଣି ଅଷ୍ଟାବକ୍ର କହିଲେ ..ଆପଣଙ୍କ ଦରବାରୀ ପଣ୍ଡିତ ବନ୍ଦି ବୋଧହୁଏ ମୋ'ଭଳି ଶାସ୍ତ୍ରଜ୍ଞଙ୍କ ସମ୍ମୁଖୀନ ହୋଇନାହାନ୍ତି।ସହଜ ଲବ୍ଧ ଜୟ ତାଙ୍କୁ ଅବିନୟୀ,ଉଦ୍ଧତ ଏବଂ ଗର୍ବୀ କରି ଦେଇଛି। ଫଳନ୍ତି-ବୃକ୍ଷ ଏବଂ ଗୁଣୀଜନ ମାନଙ୍କ ବ୍ୟବହାରରେ ନମ୍ରତା ଦେଖାଯାଏ, ଯାହା ବନ୍ଦି'ଙ୍କ ପାଖରେ ନାହିଁ।"
କିଛି ନିରବତା ପରେ ଅଷ୍ଟାବକ୍ର କହିଲେ...ରାଜର୍ଷି ଜନକ ! ମୁଁ ଅଷ୍ଟାବକ୍ର,ମୋର ମାତାଙ୍କ ନାମ ସୁଜାତା ଏବଂ ପିତାଙ୍କ ନାମ କହୋଡ।ମୋ ପିତା ଆପଣଙ୍କ ଦରବାରୀ ପଣ୍ଡିତ ବନ୍ଦିଙ୍କ ସହିତ ଶାସ୍ତ୍ର ଆଲୋଚନାରେ ପରାସ୍ତ ହୋଇ, ସର୍ତ୍ତ ଅନୁଯାୟୀ ସମୁଦ୍ରରେ ଜଳସମାଧି ନେଇଛନ୍ତି।ମୋ ଦୁଃଖିନୀ ଜନନୀ, ପିତାଙ୍କ ବିୟୋଗରେ ମହା କଷ୍ଟରେ କାଳାତିପାତ କରୁଛନ୍ତି। ମୁଁ ବନ୍ଦିଙ୍କୁ ପ୍ରତିଯୋଗିତାରେ ପରାସ୍ତ କରି ପିତୃଋଣ ପରିଶୋଧ କରିବା ପାଇଁ ଆସିଛି।ମୋର ବୟସ,ଶରୀର ଗଠନ ବା ଉଚ୍ଚତା ରେ ବିଭ୍ରମିତ ନହୋଇ ମୋତେ ପ୍ରତିଯୋଗୀତାରେ ଭାଗ ନେବାପାଇଁ ଅନୁମତି ଦିଅନ୍ତୁ।"
ଜନକ,ବାଳକର ସ୍ଥିତପ୍ରଜ୍ଞା ଏବଂ ପାଣ୍ଡିତ୍ୟର ଝଲକ ପାଇ ଭାବିଲେ..ଏ'ତ ଜ୍ଞାନର ଅଗ୍ନି ଭଳି ଜଣାଯାଉଛନ୍ତି। ଅଗ୍ନି,ଦୀପ ଶିଖାରେ ରହନ୍ତୁ ଅଥବା ବାଡବାଗ୍ନିରେ, ତାଙ୍କ ପରିଚୟ ଅଗ୍ନି ବ୍ୟତୀତ ଆଉ କିଛି ନୁହେଁ।"
ରାଜାଙ୍କ ଅନୁମତି ପାଇ ପ୍ରତିଯୋଗିତା ସ୍ଥଳରେ ପହଞ୍ଚିଲେ ଅଷ୍ଟାବକ୍ର। ସେଠାରେ ସେ 'ବନ୍ଦି' ତଥା ଅନ୍ୟାନ୍ୟ ବେଦଜ୍ଞ ବ୍ରାହ୍ମଣ ମାନଙ୍କର ବିଦ୍ରୂପର ସମ୍ମୁଖୀନ ହେଲେ;ଏକେ ତ ବୟସ ମାତ୍ର ବାରବର୍ଷ, ଦ୍ବିତୀୟରେ ଦେହରେ ଆଠଟି ବକ୍ର; ବ୍ରାହ୍ମଣ ମାନେ କହିଲେ..କୁଆଡେ ଆସିଲ ବଙ୍କା ଗୋସେଇଁ ? ଏହା ତର୍କସ୍ଥଳ,ପିଲାଖେଳ ନୁହେଁ।"
ଦରବାରୀ ପଣ୍ଡିତ ବନ୍ଦିଙ୍କ ସହିତ ଅଷ୍ଟାବକ୍ରଙ୍କର,ବେଦ ବେଦାନ୍ତ ଉପରେ ଉଚ୍ଚସ୍ତରୀୟ ପ୍ରତି ଯୋଗିତା ଲାଗି ରହିଲା।ଅଷ୍ଟାବକ୍ରଙ୍କ ପାଣ୍ଡିତ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବୀତ କଲା। ଶେଷରେ ବନ୍ଦି ପ୍ରତିଯୋଗୀତାରେ ପରାସ୍ତ ହେଲେ।
ଅଷ୍ଟାବକ୍ର କହିଲେ ... ସର୍ତ୍ତ ଅନୁଯାୟୀ ବର୍ତ୍ତମାନ ବନ୍ଦି ସାଗରରେ ଜଳସମାଧି ନିଅନ୍ତୁ।"
ମଥାନତ କରି ବସିଥିବା ବନ୍ଦି କହିଲେ..ବାସ୍ତବରେ ଯେଉଁମାନେ ଜଳ ସମାଧି ନେଇଛନ୍ତି ସେମାନେ ମୃତ ନୁହନ୍ତି। ସେମାନେ ସମସ୍ତେ ଜଳଦେଵତା ବରୁଣଙ୍କ ଯଜ୍ଞପୀଠରେ ଅଛନ୍ତି। ମୁଁ ବରୁଣଙ୍କ ପୁତ୍ର।ପିତା ବାରବର୍ଷତଳେ ଏକ ମହାଯଜ୍ଞର ଆୟୋଜନ କରିଥିଲେ। ପିତାଙ୍କ ଅନୁରୋଧକ୍ରମେ ମୁଁ ପଣ୍ଡିତ ଓ ବ୍ରାହ୍ମଣମାନଙ୍କୁ ତର୍କବିଦ୍ୟାରେ ପରାସ୍ତ କରି ଜଳ ସମାଧି ଦେଉଥିଲି। ସେମାନେ ସମସ୍ତେ ସାଗର ଭିତରକୁ ଯାଇ ଯଜ୍ଞାନୁଷ୍ଠାନରେ ଯୋଗ ଦେଉଥିଲେ।ଏବେ ସେ ଯଜ୍ଞ ସମାପନ ହୋଇଛି।ତେଣୁ ଆପଣଙ୍କ ପିତା ଶୀଘ୍ର ଫେରି ଆସିବେ।"
ବନ୍ଦିଙ୍କ କଥା ଠିକ୍ ଥିଲା।ଅଷ୍ଟାବକ୍ରଙ୍କ ପିତା କହୋଡ ଶୀଘ୍ର ଫେରି ଆସିଲେ।
ପାଣ୍ଡବ ମାନଙ୍କ ଆଗରେ ମହାଜ୍ଞାନୀ ଅଷ୍ଟାବକ୍ରଙ୍କ ବିଷୟରେ ବର୍ଣ୍ଣନା କରି ଲୋମଶ କହିଲେ..ବତ୍ସ ! ବୟସ ବା ଶାରୀରିକ ଗଠନ ଜ୍ଞାନର ପରିଚାୟକ ନୁହେଁ।ଅଷ୍ଟାବକ୍ର ବେଦାନ୍ତ ଉପରେ ଯେଉଁ ଜ୍ଞାନ ବିତରଣ କରିଯାଇଛନ୍ତି ତାହା ଜଗତକୁ ଜ୍ଞାନାଲୋକ ପ୍ରଦାନ କରିଛି।ରାଜର୍ଷି ଜନକ ଓ ଅଷ୍ଟାବକ୍ରଙ୍କ ମଧ୍ୟରେ ହୋଇଥିବା କଥୋପକଥନ "ଅଷ୍ଟାବକ୍ର ଗୀତା"ନାମରେ ବିଦିତ; ଏହା ଜୀବନ ଦର୍ଶନ ସମ୍ବନ୍ଧୀୟ ଏକ ମହାନ ଗ୍ରନ୍ଥ।
