STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ ଭାଗ-୪୬

କଥା କାଦମ୍ବରୀ ଭାଗ-୪୬

5 mins
267

ରାଜସୂୟ ଯଜ୍ଞ

==========

ଜରାସନ୍ଧ ଭୀମଙ୍କ ହାତରେ ମୃତ୍ୟୁ ବରଣ କରିବା,ତତ୍କାଳୀନ ଭାରତ ଭୂଖଣ୍ଡରେ ଏକ ଅଭାବନୀୟ ଘଟଣା ଥିଲା।ଏହା ଶକ୍ତି କେନ୍ଦ୍ରର ଭାରସାମ୍ୟ ବଦଳାଇ ଦେଲା। ଜରାସନ୍ଧକୁ ଅଜେୟ ଏବଂ ଅମର ଭାବି ଶିଶୁପାଳ,ଦନ୍ତବକ୍ର ଏବଂ ଶାଲ୍ୱ ଆଦି ଯେଉଁ ଦୁଷ୍ଟ ଶକ୍ତିମାନେ ଶ୍ରୀକୃଷ୍ଣଙ୍କୁ ହେୟଜ୍ଞାନ କରୁଥିଲେ ଏବଂ ତାଙ୍କ ଧର୍ମରାଜ୍ୟ ପ୍ରତିଷ୍ଠାକୁ ଅବଜ୍ଞା କରୁଥିଲେ,ପୃଷ୍ଠପୋଷକ ଜରାସନ୍ଧ ନିଧନରେ ଏବେ ସେମାନେ କୃଷ୍ଣଙ୍କୁ ଡରିବା ଆରମ୍ଭ କଲେ; "ବିରି ମାଡ଼ ଦେଖି କୋଳଥ ଚେପା" ନ୍ୟାୟରେ।ଭାରତ ଭୂଖଣ୍ଡର ରାଜା ମହାରାଜା ମାନେ ବିଶ୍ବାସ କଲେ ଯେ କୃଷ୍ଣ ସାଧାରଣ ମନୁଷ୍ୟ ନୁହଁନ୍ତି,ସେ ନରରୂପୀ ନାରାୟଣ। କୌଣସି ସିଂହାସନରେ ଅସୀନ ନହୋଇ ମଧ୍ୟ ସେ ଦ୍ବାରକାପତି ନାମରେ ସମଗ୍ର ଆର୍ଯ୍ୟାବର୍ତ୍ତରେ ପରିଚିତ ହେଲେ।


ଦ୍ବାରକାପତି ଶ୍ରୀକୃଷ୍ଣଙ୍କ ପୃଷ୍ଠପୋଷକତା ଯୋଗୁଁ ପାଣ୍ଡବ ମାନଙ୍କ ଖ୍ୟାତି ବଢ଼ିଗଲା। ଏହା ପାଣ୍ଡବ ମାନଙ୍କୁ ରାଜସୂୟ ଯଜ୍ଞ ଅନୁଷ୍ଠିତ କରିବାପାଇଁ ସାହାଯ୍ୟ କଲା।ଭୀମ ଅର୍ଜୁନ,ନକୁଳ ଓ ସହଦେବ ଚାରିଦିଗକୁ ଯାଇ, ରାଜସୂୟ ଯଜ୍ଞପାଇଁ ସବୁ ରାଜାମାନଙ୍କର ଅନୁବର୍ତ୍ତୀତା ଏବଂ ସାହଚର୍ଯ୍ୟ ଲାଭ କରି ଫେରିଲେ।


ରାଜସୂୟ ଯଜ୍ଞରେ ଯୋଗଦେବାପାଇଁ ଗୋଟିଏ ଦିନ ଆଗରୁ ସବୁ ରାଜାମାନେ ଏବଂ ଋଷି ମାନେ ଇନ୍ଦ୍ରପ୍ରସ୍ଥରେ ପହଞ୍ଚି ଯାଇଥିଲେ।ଜରାସନ୍ଧର ମିତ୍ର ଚେଦି-ରାଜ ଶିଶୁପାଳ,ମିତ୍ରର ମୃତ୍ୟୁ ପାଇଁ ପାଣ୍ଡବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ମଧ୍ୟ ଭୀମସେନ ଅନୁରୋଧ କରି କହିଲେ...ଦେଖ ଚେଦିରାଜ ! ସମ୍ବନ୍ଧରେ ଆମେ ମାଉସୀ ପୁଅ ଭାଇ,କାରଣ ତୁମ ମାତା ଶ୍ରୁତଶ୍ରବା ଆମ ମାତା କୁନ୍ତୀଙ୍କ ନିଜ ଭଉଣୀ; ତେଣୁ ରାଜସୂୟ ଯଜ୍ଞରେ ଯୋଗ ନଦେଲେ ବନ୍ଧୁ ଅମର୍ଯ୍ୟଦା ହେବ।"

ଶିଶୁପାଳ ସେଥିପାଇଁ ସମ୍ମତ ହୋଇଥିଲା ଯଜ୍ଞରେ ଯୋଗ ଦେବାପାଇଁ। ଶିଶୁପାଳ ଯୋଗଦେବାରୁ ମୃତ ଜରାସନ୍ଧଙ୍କର ଅନ୍ୟ ମିତ୍ର କରୁଶ-ରାଜ ଦନ୍ତବକ୍ର ମଧ୍ୟ ଯୋଗଦେଲେ।


ଯଜ୍ଞପାଇଁ ଆସିଥିବା ଋଷି ମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଧୌମ୍ୟ,ଗର୍ଗ,ସନ୍ଦିପନି ଏବଂ ମୁନିଶ୍ରେଷ୍ଠ ବ୍ୟାସଦେବ।ତା'ଛଡା ଅନେକ ଶ୍ରୋତ୍ରିୟ(ବେଦଜ୍ଞ) ବ୍ରାହ୍ମଣ ଯଜ୍ଞପାଇଁ ଆମନ୍ତ୍ରିତ ହୋଇଥିଲେ। ହସ୍ତିନାରୁ କୁଳବୃଦ୍ଧ ଭୀଷ୍ମ, ଦୁର୍ଯ୍ୟୋଧନ ସମେତ ଶହେ ଭାଇ, ମାମୁଁ ଶକୁନି,ରାଜପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ବ୍ୟତୀତ କୁଳଗୁରୁ କୃପାଚାର୍ଯ୍ୟ, ଶସ୍ତ୍ର-ଗୁରୁ ଦ୍ରୋଣାଚାର୍ଯ୍ୟ ଏବଂ ଗୁରୁ-ପୁତ୍ର ଅଶ୍ଵତ୍ଥାମା ମଧ୍ୟ ନିମନ୍ତ୍ରଣ ପାଇ ଆସିଥିଲେ।


କୃଷ୍ଣ,ବଳରାମ,ସାତ୍ୟକି ଏବଂ ଉଦ୍ଧବ ସମେତ ଅନେକ ଯାଦବ ବୀର ଏହି ଯଜ୍ଞକୁ ଆମନ୍ତ୍ରିତ ହୋଇଥିଲେ। ରାଜସୂୟ ଯଜ୍ଞର ଏହି ଅନୁଷ୍ଠାନକୁ, ଯୁଧିଷ୍ଠିର କୌରବ ଏବଂ ପାଣ୍ଡବ ପରିବାର ଭିତରେ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାର ସମ୍ଭାବନା ଭାବରେ ଦେଖୁଥିଲେ।ତେଣୁ କୌରବ ପରିବାରର ସମସ୍ତ ସଦସ୍ୟଙ୍କୁ ମୂଖ୍ୟ ଦାୟିତ୍ୱ ସବୁ ଅର୍ପଣ କରିଥିଲେ। ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟଙ୍କୁ ସାମୁହିକ ପରିଚାଳନା ଦାୟିତ୍ଵ ଦିଆଯାଇଥିଲା। ଅଶ୍ଵତ୍ଥାମାଙ୍କ ଦାୟିତ୍ଵ ଥିଲା ଶ୍ରୋତ୍ରିୟ ବ୍ରାହ୍ମଣ ମାନଙ୍କୁ ସ୍ବାଗତ କରି ସେମାନଙ୍କ ଯତ୍ନ ନେବା, ଦୁର୍ଯ୍ୟୋଧନଙ୍କ ଦାୟିତ୍ଵ ଥିଲା ଅତିଥି ମାନଙ୍କଠାରୁ ଉପହାର ଗ୍ରହଣ କରିବା, ଦୁଃଶାସନ ଏବଂ ମନ୍ତ୍ରୀ ସଞ୍ଜୟ ରାଜଅତିଥି ମାନଙ୍କର ଯତ୍ନ ନେଵା ଦାୟିତ୍ଵରେ ଥିଲେ।ନିଜେ ଶ୍ରୀକୃଷ୍ଣ ଶ୍ରୋତ୍ରିୟ ବ୍ରାହ୍ମଣ ମାନଙ୍କର ପଦ ପ୍ରକ୍ଷାଳନ ଦାୟିତ୍ଵ ଗ୍ରହଣ କରିଥିଲେ।


ଯଜ୍ଞ ଦିନ ରାଜା-ମହାରାଜା ମାନେ ନିଜର ଆସନ ଗ୍ରହଣ କଲେ। ବେଦିକାରେ ଯୁଧିଷ୍ଠିର ଯଜମାନ ଭାବରେ ବସିବାପରେ ମୁନି ଋଷି ଏବଂ କୁଳପୁରୋହିତ ଯଜ୍ଞକାର୍ଯ୍ୟ ଆରମ୍ଭକଲେ।

ଯଜ୍ଞ ଆରମ୍ଭରେ ଏକ ପ୍ରମୁଖ କାର୍ଯ୍ୟ ଥିଲା ଜଣେ ମୁନି କିମ୍ବା ପ୍ରମୁଖ ବ୍ୟକ୍ତିଙ୍କୁ ଅଗ୍ରପୂଜା ଅର୍ପଣ କରି ଯଜ୍ଞର ସଂରକ୍ଷକ ଭାବରେ ସମ୍ମାନିତ କରି ଯଜ୍ଞକୁଣ୍ଡରେ ପ୍ରଥମ ଆହୂତି ଦେବା।

ଚେଦି ରାଜା ଶିଶୁପାଳ ଏବଂ ତାଙ୍କର ସମର୍ଥକ ଦନ୍ତବକ୍ର ତଥା ଅନ୍ୟ ସମର୍ଥକ ମାନେ ଭାବିଥିଲେ ଯେ ଶିଶୁପାଳ ହିଁ ଅଗ୍ରପୂଜା ଅଧିକାର/ସମ୍ମାନ ପାଇବେ। କିନ୍ତୁ ତାହା ହେଲାନାହିଁ। 


ଅଗ୍ରପୂଜ୍ୟ ବ୍ୟକ୍ତି ନିର୍ବାଚନ ସମୟ ଯେତେବେଳେ ଆସିଲା ଯୁଧିଷ୍ଠିର ସେ ଦାୟିତ୍ଵ ପିତାମହ ଭୀଷ୍ମଙ୍କ ଉପରେ ନ୍ୟସ୍ତ କରିଦେଲେ।ପିତାମହଙ୍କର ଦୃଷ୍ଟିରେ ଏକମାତ୍ର ଶ୍ରୀକୃଷ୍ଣ ହିଁ ଏହି ସମ୍ମାନର ଅଧିକାରୀ ଥିଲେ; କଂସ,ଚାଣୂର, ମୁଷ୍ଟିକ,ଅଘା,ବକା, ଜରାସନ୍ଧ,କାଳଯବନ ଆଦି ରାକ୍ଷସ ମାନଙ୍କୁ ନିଃଶେଷ କରିବା ଯୋଗୁଁ ଆର୍ଯ୍ୟମାନେ ଶାନ୍ତିରେ ନିଶ୍ୱାସ ମାରି ପାରୁଥିଲେ,ତାଙ୍କ ଯୋଗୁଁ ପାଣ୍ଡବମାନେ ସ୍ବୟଂବରରେ ଦ୍ରୌପଦୀଙ୍କୁ ଲାଭକରି ଆଜି ଚକ୍ରବର୍ତ୍ତୀ ପଦରେ ଆସୀନ। କୌରବ ଏବଂ ପାଣ୍ଡବଙ୍କ ଭିତରେ ଶାନ୍ତି ସ୍ଥାପନ ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ। ଆର୍ଯ୍ୟାବର୍ତ୍ତରେ ଧର୍ମରାଜ୍ୟ ପ୍ରତିଷ୍ଠା ପାଇଁ ତାଙ୍କର ପ୍ରଚେଷ୍ଟା ଅତୁଳନୀୟ। ସମସ୍ତଙ୍କର ବିଶ୍ବାସ ଯେ ସେ ବିଷ୍ଣୁଙ୍କ ଅବତାର।ତାଙ୍କ ବ୍ୟତୀତ ଅନ୍ୟ କିଏ ଅଛି ଏହି ସମ୍ମାନନୀୟ ପଦ ପାଇଁ?


ପିତାମହ ଭୀଷ୍ମ ଅଗ୍ରପୂଜ୍ୟ ପଦ ପାଇଁ ଶ୍ରୀକୃଷ୍ଣଙ୍କ ନାମ ଘୋଷଣା କରିବାକୁ ଯାଇ କହିଲେ... ଉପସ୍ଥିତ ରାଜନ୍ୟ ମଣ୍ଡଳି !, ଆମ୍ଭମାନଙ୍କ ଭିତରେ ଶୌର୍ଯ୍ୟ,ବୀର୍ଯ୍ୟ, ବୁଦ୍ଧିମତାରେ ସର୍ବଶ୍ରେଷ୍ଠ, ଆର୍ଯ୍ୟଧର୍ମ ରକ୍ଷାକାରୀ ଯେଉଁ କେଶବ ଉପସ୍ଥିତ ଅଛନ୍ତି, ସେ ଆମ୍ଭର ଏହି ଯଜ୍ଞାନୁଷ୍ଠାନର ଅଗ୍ରପୂଜ୍ୟ ବ୍ୟକ୍ତି ଅଟନ୍ତି।"


ଏହି ଘୋଷଣା ପରେ ସାଧୁବାଦ ଏବଂ କରତାଳିରେ ଯଜ୍ଞଗୃହ କମ୍ପି ଉଠିଲା। କିନ୍ତୁ ଚେଦିରାଜ ଶିଶୁପାଳ ପାଇଁ ଏହା ଗ୍ରହଣୀୟ ନଥିଲା। ଋକ୍ମିଣୀଙ୍କ ସ୍ବୟଂବର ସମୟରେ ଶ୍ରୀକୃଷ୍ଣ, ଶିଶୁପାଳ ପାଇଁ ଉଦ୍ଦିଷ୍ଟ କନ୍ୟା ହରଣ କରି ତାକୁ ଘୋର ଅପମାନିତ କରିଥିଲେ।ତା'ପରଠାରୁ କୃଷ୍ଣଙ୍କ ନାମ ଶୁଣିଲେ ସେ କ୍ରୋଧରେ ହତଜ୍ଞାନ ହୋଇ ଯାଉଥିଲା। ଶ୍ରୀକୃଷ୍ଣଙ୍କୁ ଅପମାନିତ କରିବାର କୌଣସି ସୁଯୋଗ ସେ ହାତଛଡ଼ା କରୁନଥିଲା।ଅଗ୍ରପୂଜ୍ୟ ଭାବରେ କୃଷ୍ଣଙ୍କ ନାମ ଶୁଣି ସେ ଭୟଙ୍କର କ୍ରୋଧରେ ଥରି ଉଠିଲା। ପ୍ରକମ୍ପିତ ହସ୍ତ ଏବଂ ରକ୍ତାଭ ଚକ୍ଷୁରେ କହିଲା... ବାଃ କି ପ୍ରହସନ ! 

ଏହି ନାରୀଚୋର,ମାତୁଳହନ୍ତା,ଲମ୍ପଟ,ରଣଛଡା,ଗୋପାଳ କଣ ଅଗ୍ରପୂଜ୍ୟ ହେବାପାଇଁ ଯୋଗ୍ୟ ବ୍ୟକ୍ତି?ହେ ଗଙ୍ଗାପୁତ୍ର ଭୀଷ୍ମ!ବାର୍ଦ୍ଧକ୍ୟ କଣ ଆପଣଙ୍କର ବୁଦ୍ଧିବୃତ୍ତି ନଷ୍ଟ କରିଦେଇଛି ? ଏଠାରେ ଅନ୍ୟ କୌଣସି ବ୍ୟକ୍ତି ଉପଯୁକ୍ତ ଦେଖାଗଲେ ନାହିଁ ଆପଣଙ୍କୁ?ଏଠାରେ ଉପସ୍ଥିତ ଅଛନ୍ତି ବ୍ୟାସଦେବ,ଗୁରୁଶ୍ରେଷ୍ଠ ଦ୍ରୋଣ,ଯାଜ୍ଞସେନ ଦ୍ରୁପଦ,କୁରୁ ଯୁବରାଜ ମାନଗୋବିନ୍ଦ,ଆଚାର-ଶ୍ରେଷ୍ଠ କୃପାଚାର୍ଯ୍ୟ; ଏ'ସମସ୍ତ ଆପଣଙ୍କ ଆଖିରେ କଣ ଗୋପାଳ କୃଷ୍ଣଠାରୁ ନ୍ୟୂନ !! ପାଣ୍ଡବ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏ ସଂକୀର୍ଣ୍ଣ ମନୋଭାବ ଆପଣଙ୍କ ଭଳି ଜଣେ କୁଳବୃଦ୍ଧଙ୍କୁ ଶୋଭା ପାଏ ନାହିଁ ଭୀଷ୍ମ !"


ଯୁଧିଷ୍ଠିର ଶିଶୁପାଳକୁ ଶାନ୍ତ କରିବାକୁ ଯାଇ କହିଲେ .. କ୍ରୋଧର ବଶବର୍ତ୍ତୀ ହୋଇ ତୁମେ ଅନ୍ୟାୟ କରୁଛ ଦମଘୋଷଙ୍କ ପୁତ୍ର ! ଭୀଷ୍ମ ଆମର ପୂଜ୍ୟ।ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍। ଶ୍ରୀକୃଷ୍ଣ ଆମର ଅଗ୍ରପୂଜ୍ୟ। ବାସୁଦେବ କୃଷ୍ଣ ଆର୍ଯ୍ୟଧର୍ମ ରକ୍ଷାକାରୀ ଅଟନ୍ତି।"


ଭୟଙ୍କର କ୍ରୋଧରେ ଯୁଧିଷ୍ଠିରଙ୍କ ପ୍ରତି ଅଜସ୍ର ଅପଶବ୍ଦ ପ୍ରୟୋଗ କଲା ଶିଶୁପାଳ। କହିଲା...... ତୁମେ, କୃଷ୍ଣକୁ ଆର୍ଯ୍ୟଧର୍ମ ରକ୍ଷାକାରୀ କହୁଛ,ସେ ଗୋଟାଏ ହତ୍ୟାକାରୀ, ଛଳନାରେ ତା' ମାମୁଁ କଂସଙ୍କୁ ହତ୍ୟା କରିଛି,କପଟତାର ଆଶ୍ରୟକରି ଭୀମ ଦ୍ଵାରା ମୋ ବନ୍ଧୁ ଜରାସନ୍ଧକୁ ହତ୍ୟା କରିଛି, ବିବାହ ବେଦୀରେ କନ୍ୟା ହରଣ କରିବାଭଳି ଧର୍ମକାମ ମଧ୍ୟ ସେ କରେ।ତୁମେ ମାନେ ତ ଜାରଜ ସନ୍ତାନ,ତାଛଡା ଗୋଟାଏ ସ୍ତ୍ରୀ କୁ ପାଞ୍ଚଜଣ ବିବାହ କରିଛ, ତେଣୁ ତୁମକୁ କୃଷ୍ଣର ସବୁ କାମ ଧର୍ମ କାମ ଭଳି ଦେଖାଯିବା ସ୍ବାଭାବିକ।"


ଶିଶୁପାଳର ଏପରି ଅପଶବ୍ଦ ଶୁଣି ଭୀମସେନ ଭୟଙ୍କର ବେଗରେ ମାଡି ଆସିଲେ। ଶିଶୁପାଳ ଏବଂ ତା'ର ସମର୍ଥକ ମାନେ ଅସ୍ତ୍ରଧରି ପ୍ରସ୍ତୁତ ହେଲେ ପାଣ୍ଡବଙ୍କୁ ଆକ୍ରମଣ କରିବାପାଇଁ। ପାଣ୍ଡବମାନେ ଯଜ୍ଞକାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅସ୍ତ୍ରଶସ୍ତ୍ର ଧାରଣ କରି ନଥିଲେ। ସମସ୍ତେ ପ୍ରମାଦ ଗଣିଲେ କାଳେ ଶିଶୁପାଳ ସେମାନଙ୍କୁ ହତ୍ୟା କରିବ।


ଶ୍ରୀକୃଷ୍ଣ ଆଗେଇ ଆସି ଶିଶୁପାଳ ଆଗରେ ଉଭା ହୋଇ କହିଲେ.. ଭ୍ରାତା ଶିଶୁପାଳ ! ତୁମେ ଯାଦବ ମାନଙ୍କର ଅନେକ କ୍ଷତି କରିଛ।ଜରାସନ୍ଧ ସହିତ ମିଳିତ ହୋଇ ମଥୁରାରେ ନିଆଁ ଲଗାଇଛ।ଆମ ଦୁଇ ଭାଇଙ୍କ ଅନୁପସ୍ଥିତିରେ, ଅଶ୍ଵମେଧ ଯଜ୍ଞ ସମୟରେ ଯାଦବଙ୍କ ଯଜ୍ଞଅଶ୍ବ ମଧ୍ୟ ହରଣ କରିଛ।ଜରାସନ୍ଧ ସତର ଥର ମଥୁରା ଆକ୍ରମଣ କରିବା ସମୟରେ ତୁମେ ତାଙ୍କୁ ସାହାଯ୍ୟ କରି ମଥୁରାର ଅଶେଷ କ୍ଷତି ସାଧନ କରିଛ।ତୁମର ଏହି ସବୁ ଦୋଷ ପାଇଁ ମୁଁ ତୁମକୁ କ୍ଷମା କରିଆସିଛି,କାରଣ ତୁମେ ମୋର ପିଉସୀ ଶ୍ରୁତଶ୍ରବାଙ୍କ ପୁତ୍ର। ମୁଁ ତାଙ୍କୁ କଥା ଦେଇଥିଲି ତୁମର ଏକଶତ ଦୋଷ କ୍ଷମା କରିବି।ତୁମେ ଶହେ ଦୋଷ କରିସାରିଛ ଶିଶୁପାଳ ! ଆଉ ଗୋଟିଏ ମାତ୍ର ଦୋଷ ଅର୍ଜିଲେ ତୁମକୁ ମୃତ୍ୟୁ ପୁରୀକୁ ପଠାଇବା ପାଇଁ ମୁଁ ପଛଘୁଞ୍ଚା ଦେବିନାହିଁ। ତୁମେ ଯଦି ଅସନ୍ତୁଷ୍ଟ ଏ ସ୍ଥାନ ଛାଡି ଚାଲିଯାଅ।ଶୁଭ କାର୍ଯ୍ୟରେ ଏଠାରେ ମୁଁ ରକ୍ତପାତ ଚାହେଁ ନାହିଁ।ପିତାମହଙ୍କ ନିଷ୍ପତ୍ତି ଅନୁଯାୟୀ ମୁଁ ଅଗ୍ରପୂଜ୍ୟ ଭାବରେ ଏଠାରେ ଯଜ୍ଞର ରକ୍ଷାକର୍ତ୍ତା। ଆଉ ଏକମାତ୍ର ଭୁଲ୍ କଲେ ଯଜ୍ଞର ରକ୍ଷାକର୍ତ୍ତା ଭାବରେ ମୁଁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବି।


ଅବଜ୍ଞା କରି ଅଟ୍ଟହାସ କରି ଉଠିଲା ଶିଶୁପାଳ...ମୂର୍ଖ ଗୋପାଳ ! ଆଜି ଏହି ଖଡ୍ଗରେ ମୁଁ ତୋତେ ପ୍ରେତପୁର ପଠାଇ ତାପରେ ପାଣ୍ଡବମାନଙ୍କ କଥା ବୁଝିବି;ତୋ ହାତରେ ତ ଅସ୍ତ୍ରଶସ୍ତ୍ର ନାହିଁ, କେଉଁଥିରେ ମୋତେ ହତ୍ୟା କରିବୁ ?ଜାଦୁ ମନ୍ତ୍ରରେ ! "


ବାସ୍, ତାହାହିଁ ଥିଲା ଏକଶତ-ଏକତମ ଦୋଷ। ଶ୍ରୀକୃଷ୍ଣ ଆବାହନ କଲେ ସୁଦର୍ଶନ ଚକ୍ରଙ୍କୁ।ଘୋର ଘର୍ଘର ଶବ୍ଦରେ ଶୂନ୍ୟରେ ଦେଖାଗଲେ ବହୁଧାରଯୁକ୍ତ ଶାଣିତ ସୁଦର୍ଶନ ଚକ୍ର।ଯଜ୍ଞ ମଣ୍ଡପ ଆଲୋକିତ ହୋଇଗଲା। ସଂହାର ମୂର୍ତ୍ତିରେ ଉଭା ଶ୍ରୀକୃଷ୍ଣ। ଦକ୍ଷିଣ ହସ୍ତର ଆଙ୍ଗୁଳିରେ ସୁଦର୍ଶନ ଚକ୍ରକୁ ତୋଳି ନେଲେ ଶ୍ରୀକୃଷ୍ଣ ଏବଂ ଶିଶୁପାଳ ଉପରକୁ ନିକ୍ଷେପ କଲେ।

ଭୟରେ ଶିହରୀ ଉଠିଲା ଶିଶୁପାଳ। ଶିଶୁପାଳ କିଛି କରିବା ପୂର୍ବରୁ ସୁଦର୍ଶନ ତାଙ୍କ କାମ ଶେଷ କରିସାରିଥିଲେ।ଭୂମିରେ ପତିତ ହେଲା ଶିଶୁପାଳର ଶିର। ଶିଶୁପାଳର ସମର୍ଥକମାନେ ସ୍ଥାନ ତ୍ୟାଗକରି ପଳାୟନ କଲେ। ନିର୍ଦ୍ବନ୍ଦ୍ବରେ ସମାହିତ ହେଲା ରାଜସୂୟ ଯଜ୍ଞ।



Rate this content
Log in

Similar oriya story from Classics