କଥା କାଦମ୍ବରୀ-ଭାଗ ୩୯
କଥା କାଦମ୍ବରୀ-ଭାଗ ୩୯
ତୁମେ ହସୁଛ କେଶବ !!
*****
ଅର୍ଜୁନଙ୍କ ଗଳାରେ ବରଣମାଳା ଦେଲାବେଳେ ଯାଜ୍ଞସେନୀଙ୍କ ହୃଦୟ ସିନ୍ଧୁ ଆନନ୍ଦରେ ଉଛୁଳି ପଡୁଥିଲା।ମଧ୍ୟମ ପାଣ୍ଡବଙ୍କ ସହିତ ମିଳିତ ହୋଇଗଲା ଚାରିଚକ୍ଷୁ, ଲଜ୍ଜାବନତ ବଦନରେ ତାଙ୍କ ବାମ ପାଖରେ ଉଭା ହେଲେ ପାଞ୍ଚାଳୀ। ରାଜ ଅବରୋଧ ରେ ଆନନ୍ଦ ଲହରୀ ଖେଳିଗଲା। ବ୍ରାହ୍ମଣଙ୍କ ମେଳରେ ପଣ୍ଡୁପୁତ୍ରମାନେ ଆନନ୍ଦରେ କୋଳାକୋଳି ହେଲେ।
ପ୍ରଚଣ୍ଡ କ୍ରୋଧରେ ଜଳିଗଲେ ଉପସ୍ଥିତ ରାଜା ଓ ରାଜପୁତ୍ର ମାନେ; କ୍ଷତ୍ରିୟ ମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ବୟଂବରରେ ବ୍ରାହ୍ମଣ କିପରି ପ୍ରତିଯୋଗୀ ହେବେ, ଏହା ଥିଲା ସେମାନଙ୍କ ଅଭିଯୋଗ। ସେମାନେ ସଶସ୍ତ୍ର ଆକ୍ରମଣ କରିବାକୁ ଆଗେଇ ଆସିଲେ। କ୍ଷତ୍ରିୟ ମାନଙ୍କର ଏପ୍ରକାର କାର୍ଯ୍ୟ କଳାପ ଦେଖି ମହାବଳୀ ଭୀମସେନ ଗୋଟିଏ ବୃକ୍ଷ ଉତ୍ପାଟନ କରି ପ୍ରବଳ ବେଗରେ ମାଡିଆସିଲେ ସେମାନଙ୍କୁ ପ୍ରତି ଆକ୍ରମଣ କରିବାପାଇଁ।
କୃଷ୍ଣ ଏବଂ ବଳରାମ ପରିସ୍ଥିତିକୁ ସମ୍ଭାଳି ନେଲେ। ଶ୍ରୀକୃଷ୍ଣ କ୍ଷତ୍ରିୟ ମାନଙ୍କୁ ସମ୍ବୋଧନ କରି କହିଲେ... ଏଠାରେ କୌଣସି ଅନ୍ୟାୟ କାର୍ଯ୍ୟ ହୋଇନାହିଁ। କ୍ଷତ୍ରିୟ ମାନଙ୍କ ଅପାରଗତା ପ୍ରମାଣିତ ହେବାପରେ ବ୍ରାହ୍ମଣ ଯୁବକଙ୍କୁ ସୁଯୋଗ ଦେବାରେ କାହାର କିଛି ଆପତ୍ତି କରିବାର ନାହିଁ; ବର୍ଣ୍ଣଭେଦରେ କ୍ଷତ୍ରିୟ ମାନଙ୍କ ଉପରେ ବ୍ରାହ୍ମଣ,ତେଣୁ ଏହା ଅନୁଲୋମ ବିବାହ ଏବଂ ଶାସ୍ତ୍ର ସମ୍ମତ। କ୍ଷତ୍ରିୟ ମାନେ ଏଠାରେ ଅଧିକ ବିଭ୍ରାଟ ସୃଷ୍ଟି କରିବାପାଇଁ ଚେଷ୍ଟା କଲେ ଯାଦବ ବାହିନୀ ପାଞ୍ଚାଳ ବାହିନୀ ସହିତ ମିଶି ସେମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପଛେଇବ ନାହିଁ।
ଶ୍ରୀକୃଷ୍ଣଙ୍କର ଏହି ଚେତାବନୀ ଯଥେଷ୍ଟ ଥିଲା। ରାଜାମାନେ ଯେ ଯାହା ବାଟରେ ନିଜ ନିଜର ରାଜ୍ୟକୁ ଫେରିଗଲେ। ପାଣ୍ଡବମାନେ ମଧ୍ୟ ରାଜକନ୍ୟାଙ୍କୁ ନେଇ,ନଗର ଉପାନ୍ତରେ ଥିବା କୁମ୍ଭାର ଶାଳ ଦିଗରେ ଚାଲିଲେ;ସେଠାରେ ମାତା କୁନ୍ତୀ ପୁତ୍ର ମାନଙ୍କପାଇଁ ଅପେକ୍ଷାରତ ଥିଲେ।
ପାଣ୍ଡବ ମାନଙ୍କ ପ୍ରସ୍ଥାନ ପରେ ରାଜା ଦ୍ରୁପଦ ପୁତ୍ର ଧୃଷ୍ଟଦ୍ୟୂମ୍ନଙ୍କୁ କହିଲେ..ପୁତ୍ର ! ଏମାନେ ପାଣ୍ଡବ ପାଞ୍ଚଭାଇ ଭଳି ଜଣା ଯାଉଛନ୍ତି।ଲକ୍ଷ୍ୟଭେଦ କରିଥିବା ଯୁବକ ଅର୍ଜୁନ ବ୍ୟତୀତ ଅନ୍ୟ କେହି ନୁହନ୍ତି। ମନେହୁଏ ମାତା କୁନ୍ତୀଙ୍କ ପାଖକୁ ସେମାନେ ଯାଉଛନ୍ତି। ସେମାନଙ୍କୁ ଅନୁସରଣ କର ଏବଂ ସସମ୍ମାନେ , ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ ସେମାନଙ୍କୁ ରାଜପ୍ରାସାଦକୁ ଆମନ୍ତ୍ରିତ କର।
ଧୃଷ୍ଟଦ୍ୟୁମ୍ନ ସେମାନଙ୍କୁ ଅନୁସରଣ କଲେ। ନଗର ଉପାନ୍ତରେ ପାଞ୍ଚଭାଇ କୁମ୍ଭାର ଶାଳ ନିକଟରେ ପହଞ୍ଚିଲେ। ଦ୍ବାର ଦେଶରେ ରହି ଆନନ୍ଦ ମନରେ ପାଞ୍ଚଭାଇ କହିଲେ .. ଜନନୀ ! ଆଜି ଭିକ୍ଷାରେ ଆମେ ଏକ ଅପୂର୍ବ ଦ୍ରବ୍ୟ ଲାଭ କରିଛୁ;ଦେଖିଲେ ତୁମ ମନ ଆନନ୍ଦରେ ଉତ୍'ଫୁଲ୍ଲିତ ହୋଇଯିବ।"
ଗୃହ ଭିତରେ ଥାଇ କୁନ୍ତୀ କହିଲେ..ବାବୁରେ ଯାହା ଆଣିଛ, ଉଣା ଅଧିକ ନକରି ସମଭାବରେ ବାଣ୍ଟି ନିଅ।"
ମାତାଙ୍କ ଏଭଳି ଆଦେଶ ଶୁଣି ସ୍ତବ୍ଧ ହୋଇଗଲେ ପାଞ୍ଚଭାଇ। ଯୁଧିଷ୍ଠିର କହିଲେ..ଏ' କି ଆଦେଶ ଦେଲ ମାତା ! ସବୁବେଳେ ଆମେ ତୁମ ଆଦେଶ ଶିରୋଧାର୍ଯ୍ୟ କରିଥାଉ। କିନ୍ତୁ ଏହି ଆଦେଶ ମାନିଲେ ମହା ବିଭ୍ରାଟ ଘଟିଯିବ।ଏହା ବାଣ୍ଟିବା ଯୋଗ୍ୟ ପଦାର୍ଥ ନୁହେଁ;ଏହା ବଣ୍ଟନ କଲେ ନିଶ୍ଚିତ ଭାବରେ ରାଜକନ୍ୟାଙ୍କ ଭାଗ୍ୟ ବିଡ଼ମ୍ବିତ ହେବ।"
ପାଞ୍ଚ ଭାଇଙ୍କର ବ୍ୟସ୍ତତା ଦେଖି କୁନ୍ତୀ ଘର ଭିତରୁ ବାହାରି ଆସି , ରାଜକନ୍ୟାଙ୍କୁ ଭାଇ ମାନଙ୍କ ଗହଣରେ ଦେଖି ଜିଭ କାମୁଡି ପକାଇ କହିଲେ.. ଓଃ ,ଏ' ମୁଁ କଣ କଲି ! ସଦା ସର୍ବଦା ମୋ କଥା ମାନିବା ପାଇଁ ମୋର ପୁତ୍ରମାନେ ସତ୍ୟ କରିଛନ୍ତି।ନମାନିଲେ ନିଶ୍ଚିତ ଭାବରେ ରୀଷ୍ଟ ଉପୁଜିବ।"
ତ୍ରେତୟା ଓ ଦ୍ଵାପର ଯୁଗରେ "ସତ୍ୟ କରିବା"ବା ଶପଥନେବା କାର୍ଯ୍ୟକୁ ସମାଜରେ ଶ୍ରେଷ୍ଠତ୍ବ ଦିଆଯାଉଥିଲା ଏବଂ ତାହା ପାଳନ ନକରିବା ବ୍ୟକ୍ତି ମନୁଷ୍ୟ ପଦବାଚ୍ୟ ହେଉନଥିଲା। ସେଥିପାଇଁ ସତ୍ୟପାଳନ କରି ରାଜା ଶିବି ନିଜ ଅଙ୍ଗ କାଟି ବାଜପକ୍ଷୀକୁ ଦେଇଥିଲେ,ସତ୍ୟ ପାଳନ କରି ରାଜା ହରିଶ୍ଚନ୍ଦ୍ର ରାଜ୍ୟ ଏବଂ ପରିବାର ହରାଇଥିଲେ, ପିତୃସତ୍ୟ ମାନି ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯାଇଥିଲେ; ଭୀଷ୍ମ ଶପଥକରି ଚିର କୌମାର୍ଯ୍ୟ ଗ୍ରହଣ କରିଥିଲେ।
ପାଞ୍ଚଭାଇଙ୍କ ଭିତରେ ଏକତା ଅତୁଟ ରଖିବାପାଇଁ କୁନ୍ତୀ ଭାଇମାନଙ୍କୁ ଶପଥ କରାଇଥିଲେ ଯେ ମାତାଙ୍କ ମୁଖ ନିସ୍ରୁତ ବାକ୍ୟ ସେମାନେ ଅନ୍ୟଥା କରିବେ ନାହିଁ। ସେଥିପାଇଁ ବର୍ତ୍ତମାନ ଧର୍ମଶଙ୍କଟ ଉପସ୍ଥିତ।ମାତାଙ୍କ ମୁଖ ନିସ୍ରୁତ ବାଣୀ ନ'ମାନିଲେ ସତ୍ୟଭଗ୍ନ ପାପରେ କଳୁଷିତ ହେବ ପଣ୍ଡୁ ପରିବାର;ମାନିଲେ ବିଡ଼ମ୍ବିତ ହେବ ରାଜକନ୍ୟାଙ୍କ ଭାଗ୍ୟ।
ପୃଥା ଜାଣିବାକୁ ପାଇଲେ ଯେ ପୁତ୍ର ଅର୍ଜୁନ ଲକ୍ଷ୍ୟଭେଦ କରି କନ୍ୟା ଲାଭ କରିଛି। ଅପୂର୍ବ ସୁନ୍ଦରୀ ସ୍ବର୍ଗପରୀ ଯାଜ୍ଞସେନୀ ସମ୍ମୁଖରେ ଦଣ୍ଡାୟମାନ।କି ଭାଗ୍ୟ ଆଜି ପଣ୍ଡୁ ପରିବାରର ! ପ୍ରଥମେ କୁଳବଧୂଙ୍କୁ ବନ୍ଦାପନା କରି ଗୃହମଧ୍ୟକୁ ନେଇ ଆସିଲେ କୁନ୍ତୀ, ତା'ପରେ ମାଡ଼ି ବସିଲା ଚିନ୍ତାର ପାହାଡ଼।କପାଳରେ ହାତଦେଇ ବସିଥିଲେ ଯୁଧିଷ୍ଠିର, ବିଷମ ଚିନ୍ତାରେ ମଗ୍ନଥିଲେ ଭୀମ।ଅର୍ଜୁନ ଚିନ୍ତା କରୁଥିଲେ..ଆମ ପାଞ୍ଚଭାଇଙ୍କ ଶରୀର ସିନା ଭିନ୍ନ କିନ୍ତୁ ଆତ୍ମା ଏକ;ମାତାଙ୍କ ସ୍ନେହ ରଜ୍ଜୁରେ ବନ୍ଧା ଆମେ ପାଞ୍ଚଭାଇ, ସର୍ବଦା ମାତାଙ୍କ ଆଦେଶ ଆମେ ପାଳନ କରିଛୁ।ଆଜି ସତ୍ୟ ଓ ଧର୍ମ ପାଇଁ ଆବଶ୍ୟକ ହେଲେ ପ୍ରାଣସମା ଦ୍ରୌପଦୀଙ୍କୁ ଭାଇମାନଙ୍କ ସହିତ ଭାଗ କରିବାକୁ ପଡ଼ିବ।'
ଯାଜ୍ଞସେନୀଙ୍କ ଅବସ୍ଥା ଅବର୍ଣ୍ଣନୀୟ; କଇଁ କଇଁ ହୋଇ କାନ୍ଦୁଛନ୍ତି ରାଜଜେମା, ନିନ୍ଦା କରୁଛନ୍ତି ନିଜ ଭାଗ୍ୟକୁ।
ପାଣ୍ଡବ ମାନଙ୍କ ପରିଚୟ ପାଇ ଅତ୍ୟନ୍ତ ଆନନ୍ଦିତ ହେଲେ ଧୃଷ୍ଟଦ୍ୟୁମ୍ନ। ସମସ୍ତଙ୍କୁ ଆନନ୍ଦରେ ସମ୍ଭାଷଣ କରି କୋଳାଗ୍ରତ କଲେ। କିନ୍ତୁ ପଣ୍ଡୁ ପରିବାରର ବିଷମ ସମସ୍ୟା ବିଷୟରେ ଅବଗତ ହୋଇ ଅତ୍ୟନ୍ତ ବ୍ୟଥିତ ହେଲେ ପାଞ୍ଚାଳ ଯୁବରାଜ।ପାଣ୍ଡବଙ୍କୁ ପ୍ରାସାଦକୁ ନିମନ୍ତ୍ରଣ କରି କହିଲେ... ଏହି ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ମୁନିଶ୍ରେଷ୍ଠ ବ୍ୟାସଦେବ ଦେଇପାରିବେ କାରଣ ସେ ସର୍ବଶାସ୍ତ୍ରଜ୍ଞାତା ଏବଂ ପ୍ରତି ସମସ୍ୟାର ସମାଧାନ ତାଙ୍କ ପାଖରେ ଥାଏ। କାଲି ସେ ପ୍ରାସାଦକୁ ଆସୁଛନ୍ତି।ତା'ଛଡା କୃଷ୍ଣ ବାସୁଦେବ ମଧ୍ୟ ଆମ ଗହଣରେ ଅଛନ୍ତି,ନିଶ୍ଚୟ କିଛି ନା କିଛି ସମାଧାନ ବାହାରିବ। ବର୍ତ୍ତମାନ ପାଇଁ କିଛି ଚିନ୍ତା ନକରି ସମସ୍ତେ ରାଜପ୍ରସାଦକୁ ଚାଲନ୍ତୁ; ପିତାଙ୍କ ନିର୍ଦ୍ଦେଶ, ସେହି ଠାରେ ବିବାହ ଉତ୍ସବ ଅନୁଷ୍ଠିତ ହେବ।"
ପଣ୍ଡୁ ପରିବାର ସହିତ ଧୃଷ୍ଟଦ୍ୟୁମ୍ନ ଯାଜ୍ଞସେନୀଙ୍କୁ ନେଇ ପାଞ୍ଚାଳ ରାଜପ୍ରସାଦରେ ପହଞ୍ଚିଲେ। ସେଠାରେ କୃଷ୍ଣାଙ୍କ ପାଇଁ ଅପେକ୍ଷା କରିଥିଲେ ମାୟାଧର ଶ୍ରୀକୃଷ୍ଣ।ସବୁ ତାଙ୍କରି ମାୟା, କିଛି ନ'ଜାଣିଲାପରି ଦ୍ରୌଦୀଙ୍କୁ ପଚାରିଲେ ..କଣ ହେଲା କଲ୍ୟାଣୀ ! ମୁହଁ କାହିଁକି ଶୁଖିଲା ଦିଶୁଛି !ଶାଶୁ ଗାଳିଦେଲେ କି ?"
ଧାର ଧାର ହୋଇ ଲୁହ ଝରି ଯାଉଥିଲା ଯାଜ୍ଞସେନୀଙ୍କ ଆଖିରୁ। ଅସହାୟ ହୋଇ କାନ୍ଦୁଥିଲେ ରାଜକନ୍ୟା। ଶ୍ରୀକୃଷ୍ଣଙ୍କ ମନ୍ଦ ମନ୍ଦ ହସ ଦେଖି କହିଲେ ...ମୋ ଦୁଃଖରେ ତୁମେ କିପରି ହସିପାରୁଛ ମାୟାଧର !ମୋର ବର୍ତ୍ତମାନ,ଆଗତ ଭବିଷ୍ୟତ ପରା ତୁମ ହାତରେ ସମର୍ପଣ କରି ଦେଇଛି ସଖା ! ସବୁବେଳେ ତୁମ କଥା ମାନିଛି;ଆଜି କ'ଣ ହେଲା ମୋ ଭାଗ୍ୟ ! କି ବିଡମ୍ବନା ସତେ ! ପାଞ୍ଚ ପତିଙ୍କୁ ମୁଁ କିପରି ବିବାହ କରିବି କେଶବ!
ଏମାନେ ପରା ଯୁଗପୁରୁଷ ! ଶ୍ରେଷ୍ଠ ବୀର ଭାବରେ ତୁମର ସମର୍ଥନ ପାଇଛନ୍ତି; ନାରୀକୁ ପଣ୍ୟଦ୍ରବ୍ୟ ଭାବି ମୋ ସହିତ ଏମାନେ କି ବ୍ୟବହାର କଲେ !ନାରୀ କଣ ବାଣ୍ଟିବା ପଦାର୍ଥ !!ମୋ ଅସହାୟତା ଉପରେ ତୁମେ କିପରି ହସିପାରୁଛ ମାୟାଧର !!ଏମାନଙ୍କ କାର୍ଯ୍ୟ ପଛରେ କ'ଣ ତୁମର ସମର୍ଥନ ଅଛି କେଶବ ?ତୁମେ ଅନ୍ତର୍ଯ୍ୟାମୀ,ନାରାୟଣ,ସବୁ ଆପଦ ବିପଦରେ ମୁଁ ଶରଣ ଯାଇଛି ତୁମ ପାଦତଳେ। ଏହି ବିପଦ ସମୟରେ ମୋତେ ଉଦ୍ଧାର କର ପ୍ରଭୁ,ପ୍ରଭୁପଣ ନିନ୍ଦିତ ନହେଉ।"
ଚିରାଚରିତ ଅମୀୟ ହସ ଶ୍ରୀକୃଷ୍ଣଙ୍କ ମୁହଁରେ ଲାଗିରହିଛି; ଧୀର କଣ୍ଠରେ କହିଲେ ...ଶାନ୍ତ ହୁଅ କଲ୍ୟାଣୀ ! ତୁମର ମନେଅଛି?,
ଶିବଙ୍କୁ ଘୋର ତପସ୍ୟାରେ ସନ୍ତୁଷ୍ଟ କରି ଥରେ ବର ମାଗିଥିଲ....ହେ ଆଶୁତୋଷ ! ମୋତେ ଏଭଳି ସ୍ବାମୀ ପ୍ରଦାନ କର ଯେ ଏକାଧାରରେ ଧର୍ମାତ୍ମା, ବଳଶାଳୀ, କର୍ମବୀର, କନ୍ଦର୍ପ ଭଳି ସୁନ୍ଦର ଏବଂ ଆଗତ ଭବିଷ୍ୟତ ଜ୍ଞାତା ହୋଇଥିବ।ଶିବ ତଥାସ୍ତୁ ତ କହିଦେଲେ କିନ୍ତୁ ମନ୍ତବ୍ୟ ଦେଇ କହିଥିଲେ ଯେ ଏ ସମସ୍ତ ଗୁଣ ଜଣକ ପାଖରେ ମିଳିବା ସମ୍ଭବ ନୁହେଁ।ସେ ସମୟରେ କଥାର ଗୁରୁତ୍ୱକୁ ତୁମେ ଉପଲବ୍ଧି କରି ପାରି ନଥିଲ କଲ୍ୟାଣୀ !"
କିଛି ନିରବତା ପରେ ଶ୍ରୀକୃଷ୍ଣ କହିଲେ ...ଏ ସମସ୍ତ ଗୁଣ ପାଞ୍ଚଭାଇଙ୍କ ପାଖରେ ଭିନ୍ନ ଭିନ୍ନ ଭାବରେ ରହିଛି। ଯୁଧିଷ୍ଠିର ହେଉଛନ୍ତି ଧର୍ମର ଅବତାର,ଭୀମ ପ୍ରବଳ ପରାକ୍ରାନ୍ତ,ଅର୍ଜୁନ ବିଶ୍ବର ଶ୍ରେଷ୍ଠ ଧନୁର୍ଦ୍ଧର ଓ କର୍ମବୀର, ନକୁଳ କନ୍ଦର୍ପଙ୍କ ଭଳି ସୁନ୍ଦର ଏବଂ ସହଦେବ ଆଗତ ଭବିଷ୍ୟତ ଜ୍ଞାତା।ଶରୀର ପାଞ୍ଚ କିନ୍ତୁ ଗୋଟିଏ ଆତ୍ମା ପାଣ୍ଡବଙ୍କର। ତୁମ ଅଭିଳାଷା ଅନୁସାରେ ତୁମେ ଫଳଲାଭ କରିବ ଯାଜ୍ଞସେନୀ।
ଯାହା ଭବିତବ୍ୟ ତାକୁ କିଏ ଅନ୍ୟଥା କରିବ ?ତୁମ ଭାଗ୍ୟରେ ପରିସୀମା ବିଧି ନିର୍ଦ୍ଦେଶିତ କଲ୍ୟାଣୀ,ତା ଉପରେ ମୋର କିଛି କରିବାର ନାହିଁ।ସେହି ଭାଗ୍ୟ ପରିସୀମା ଭିତରେ ତୁମେ ତୁମର ସମସ୍ୟାର ସମାଧାନ ଖୋଜି ବାହାର କର।ଧର୍ମରକ୍ଷା ପାଇଁ ତୁମେ ଯଜ୍ଞରୁ ସମ୍ଭୂତା ହୋଇଛ।ସେହି ଅନୁସାରେ ବିଧାତା ତୁମର ଭାଗ୍ୟ ଗଢ଼ିଛନ୍ତି।ତୁମର ବିବାହ ପାଣ୍ଡବଙ୍କ ସହିତ ହେଲେ ଦୁଇ ରାଜବଂଶର ହିତ ସାଧିତ ହେବ।ତୁମେ ଏକା ଅର୍ଜୁନଙ୍କୁ ବିବାହ କରିବାକୁ ଚାହିଲେ,ପଣ୍ଡୁ ପରିବାର ସେଥିପାଇଁ ସମ୍ମତ ହେବେ ନାହିଁ,କାରଣ ମାତୃସତ୍ୟ ପାଳନ ସେମାନଙ୍କ ପାଇଁ ବିବାହ ଠାରୁ ଉର୍ଦ୍ଧ୍ବ ରେ।ତୁମେ ବିବାହ ନକଲେ ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବା ଶପଥ କଳ୍ପନାରେ ରହିଯିବ। ତୁମେ ବରମାଲ୍ୟ ଅର୍ଜୁନଙ୍କୁ ଦେଇସାରିଛ, ତେଣୁ ତୁମକୁ ଅନ୍ୟ କୌଣସି ରାଜା ବା ରାଜପୁତ୍ର ଗ୍ରହଣ କରିବେ ନାହିଁ।ତୁମ ଜୀବନର ସମୀକରଣ ବଦଳି ଯିବ ଯାଜ୍ଞସେନୀ।
ତଥାପି ମୁଁ ତୁମକୁ କୌଣସି ନିଷ୍ପତ୍ତି ନେବାପାଇଁ ବାଧ୍ୟ କରୁନାହିଁ କଲ୍ୟାଣୀ! କାଲି ପାଞ୍ଚାଳକୁ ମୁନିଶ୍ରେଷ୍ଠ ବ୍ୟାସଦେବଙ୍କ ଆଗମନ ହେଉଛି।ସେ ଏହି ଯୁଗର ସାମାଜିକ ନୀତି ନିର୍ଦ୍ଧାରକ।ସବୁ ସମସ୍ୟାର ଶାସ୍ତ୍ରଗତ ସମାଧାନ ତାଙ୍କ ପାଖରେ ରହିଛି। ତାଙ୍କ ପରାମର୍ଶ ଅନୁଯାୟୀ ତୁମେ ନିଜର ଭାଗ୍ୟ ନିର୍ଦ୍ଧାରଣ କର ଯାଜ୍ଞସେନୀ।
