STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ(ଭାଗ ୩୫)

କଥା କାଦମ୍ବରୀ(ଭାଗ ୩୫)

4 mins
218


ଯେଉଁ ଶ୍ରୀକୃଷ୍ଣଙ୍କ ପ୍ରଶଂସାରେ ଆଚାର୍ଯ୍ୟ ସନ୍ଦିପନି ଶତମୁଖ, ଯାହାର ମହିମା ଆର୍ଯ୍ୟାବର୍ତ୍ତରେ ଘରେ ଘରେ ମୁଖରିତ,ଯେ ଯୁଗପୁରୁଷ ଭାବରେ ଧର୍ମ ସଂସ୍ଥାପନା ପାଇଁ ଧରାରେ ଅବତୀର୍ଣ୍ଣ, ତାଙ୍କୁ ଏତେ ପାଖରେ ପାଇ ଦର୍ଶନ କରିବା ଲୋଭ ଯାଜ୍ଞସେନୀ କେମିତି ସମ୍ବରଣ କରିଥାଆନ୍ତେ !! ପିତା ଦ୍ରୁପଦଙ୍କୁ ସେ ଅନୁରୋଧ କଲେ ଶ୍ରୀକୃଷ୍ଣଙ୍କ ସହିତ ଥରଟିଏ ମାତ୍ର ସାକ୍ଷାତ କରାଇବା ପାଇଁ। କୃଷ୍ଣ ଏବଂ ଦ୍ରୁପଦଙ୍କ ଭିତରେ ପୂର୍ବଦିନ ଯାହା କଥାବାର୍ତ୍ତା ହୋଇଥିଲା ସେଥିରୁ ଯାଜ୍ଞସେନୀ ଜାଣି ଥିଲେ ଯେ ତାଙ୍କୁ ବିବାହ କରିବାକୁ ଶ୍ରୀ କୃଷ୍ଣ ଆଗ୍ରହୀ ନୁହଁନ୍ତି। ତଥାପି ତାଙ୍କର ହୃଦୟଙ୍ଗମ ହେଲା, କୃଷ୍ଣଙ୍କ ସହିତ ତାଙ୍କର ସମ୍ପର୍କ ଶାଶ୍ବତ,ଚନ୍ଦ୍ର ଓ ଚକୋରୀର ସମ୍ପର୍କ ପରି।ଚକୋରୀ ସିନା ଚନ୍ଦ୍ରକୁ ପାଇପାରେ ନାହିଁ,ଦୂରରୁ ଜ୍ୟୋତ୍ସ୍ନା ପିଇ ଅବ୍ୟକ୍ତ ଆନନ୍ଦ ତ ଅନୁଭବ କରେ !


ଦ୍ରୌପଦୀ ପିତାଙ୍କ ପାଖରେ ଅଳି କଲେ..ପିତାଶ୍ରୀ ! ଥରଟିଏ ମାତ୍ର ମୋ ଦେବତାଙ୍କ ସହିତ ସାକ୍ଷାତ କରାଇ ଦିଅନ୍ତୁ।"


ଦ୍ରୁପଦଙ୍କ ଅନୁରୋଧ ଶୁଣି ଶ୍ରୀକୃଷ୍ଣ କହିଲେ... ରାଜନ୍ ! ଯାଜ୍ଞସେନୀଙ୍କ ଅଲୌକକତାର ଆଭାସ ଆମେ ସମସ୍ତେ ପାଇସାରିଛନ୍ତି। ଯେଉଁ କନ୍ୟା ଯଜ୍ଞରୁ ସମ୍ଭୂତା ହେବା ସମୟରେ ଶୂନ୍ୟବାଣୀ ହୋଇଥଲା ଯେ ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ପାଇଁ ତାଙ୍କର ପ୍ରମୁଖ ଭୂମିକା ରହିବ,ତାଙ୍କ ସହିତ ସାକ୍ଷାତ ପାଇଁ ମୁଁ ମଧ୍ୟ ବ୍ୟଗ୍ର।"


ପ୍ରାସାଦରେ ସ୍ବତନ୍ତ୍ର ଅତିଥି ଗୃହରେ କୃଷ୍ଣାଙ୍କର କୃଷ୍ଣ'ଙ୍କ ସହିତ ସାକ୍ଷାତ ପାଇଁ ବ୍ୟବସ୍ଥା କରାଗଲା। କନିଷ୍ଠ ଭ୍ରାତା ସତ୍ୟଜିତ ସହିତ ଆସି କୃଷ୍ଣଙ୍କ ସମ୍ମୁଖରେ ପହଞ୍ଚି ସଲ୍ଲଜ ମୁଖରେ ଅଭିବାଦନ କରି ଆସନ ଗ୍ରହଣ କଲେ ଦ୍ରୌପଦୀ। ଜେମାଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେଲେ ଶ୍ରୀକୃଷ୍ଣ। ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଆଗରୁ ଅନେକ ପ୍ରଶଂସା ଶୁଣିଥିଲେ କେଶବ।ଏବେ ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟିଗଲା।ମୁଖ ଅବନତି କରି ବୀଣାଜୀଣା ସଲ୍ଲଜ କଣ୍ଠରେ ରାଜଜେମା କହିଲେ... ଅନୁରୋଧ ରକ୍ଷାକରି ଦର୍ଶନ ଦେଇଥିବାରୁ ଏ ନଗଣ୍ୟା ଆପଣଙ୍କ ପାଖରେ କୃତଜ୍ଞ ଦ୍ବାରକାଧିଶ। 

ଆଚାର୍ଯ୍ୟ ସନ୍ଦିପନିଙ୍କ ଠାରୁ ଶୁଣିଛି କିପରି ଆପଣ ମୋହନ ବଂଶୀ ସ୍ବନର ଜାଦୁରେ ବିବୁଗ୍ଧ କରିଛନ୍ତି ଗୋପବୃନ୍ଦାବନକୁ, ଅବଲୀଳାକ୍ରମେ ବିନାଶ କରିଛନ୍ତି କଂସର ଦୁରାତ୍ମା ଅସୁରମାନଙ୍କୁ, କିପରି ମହାବଳୀ କଂସ ଏବଂ ଦୁର୍ଜୟ ଦୁର୍ବାର କାଳଯବନକୁ ମୃତ୍ୟୁ ଦାନ କରି ଜଗତର କଲ୍ୟାଣ କରିଛନ୍ତି। ଶୁଣିଛି ମଧ୍ୟ ପ୍ରଭୁ ! କିପରି ଆପଣ ଜରାସନ୍ଧର ମଥୁରା ଉପରେ ସତର ବାର ଆକ୍ରମଣକୁ ପ୍ରତିହତ କରି, ପ୍ରତି ଥର ପରାସ୍ତ କରିଛନ୍ତି ତାକୁ। ମଥୁରା ବାସୀଙ୍କୁ ନିରାପତ୍ତା ଦେବାପାଇଁ ସମୁଦ୍ର ଭିତରେ ଗଢ଼ିଛନ୍ତି ସ୍ବର୍ଗସମ ସୁଷମା ଶାଳିନୀ ଭବ୍ୟ ଦ୍ଵାରକା ନଗ୍ର।"


ଶ୍ରୀକୃଷ୍ଣ କହିଲେ .. ବାସ୍ ବାସ୍ କଲ୍ୟାଣୀ ! ମୋତେ ପ୍ରଶଂସା କରିବା ଆଚାର୍ଯ୍ୟ ସନ୍ଦିପନିଙ୍କ ବଡପଣ ଛଡ଼ା ଅନ୍ୟ କିଛି ନୁହେଁ।

ମୁଁ ସାଧାରଣ ମନୁଷ୍ୟ। ଆଚାର୍ଯ୍ୟ ମୋତେ ମାଟିରୁ ନେଇ ସ୍ବର୍ଗରେ ବସାଇ ଛନ୍ତି।"


ଶ୍ରୀକୃଷ୍ଣଙ୍କ "କଲ୍ୟାଣୀ"ସମ୍ବୋଧନ ଶୁଣି ରୋମାଞ୍ଚିତ ହୋଇଗଲା ଦ୍ରୌପଦୀଙ୍କ ଶରୀର।ମଥାଟେକି କୃଷ୍ଣଙ୍କ ମୁହଁକୁ ଚାହିଁଲେ ଦ୍ରୌପଦୀ;ନିର୍ମଳ ହସରୁ ଝରି ଯାଉଥିଲା ତାଙ୍କ ପାଇଁ ସ୍ବର୍ଗ ଗଙ୍ଗାର ସ୍ନେହ ଝରଣା।କି ସୁନ୍ଦର ମଧୁମୟ ସୁଧାମୟ ରୂପ କୃଷ୍ଣଙ୍କର ! ଶାଶ୍ବତ ପ୍ରେମର ଝରଣାରେ ଆପେ ଆପେ ଦ୍ରବିଗଲା ଜେମାଙ୍କର ମନ ଓ ପ୍ରାଣ।ନୀଳ ଜୀମୂତ ଦେହର କାନ୍ତି ସହିତ ପୀତ ବସନର ଅପୂର୍ବ ସମନ୍ବୟ ,ଗଳାରେ ଜ୍ୟୋତିର୍ମୟ କୌସ୍ତୁଭ ମାଳ,ଶରୀରରେ ମନଲୋଭା ଲାସ୍ୟ,ଖାଲି ଯାହା ଅଭାବ ଥିଲା ହାତରେ ମୋହନ ମୁରଲୀର।


ଦ୍ରୌପଦୀ ପଚାରିଲେ... ଗିରିଧାରୀ ! କେଉଁଠି ଛାଡି ଆସିଲେ ମୋହନ ବଂଶୀ ଆପଣଙ୍କର ! ସେ ମୋହନ ମୁରଲୀର ଅମୃତମୟୀ ସ୍ବନ ଆମକୁ କଣ ଶୁଣିବାକୁ ମିଳିବ ନାହିଁ ! କେଉଁଠି ତାକୁ ଛାଡି ଆସିଲେ ? ଶୁଣିଛି, ଆପଣ ରାଧାରାଣୀଙ୍କ ପାଖରେ ରଖିଦେଇ ଆସିଛନ୍ତି ସବୁ ମଧୁର ସଂଗୀତ। ଆମପାଇଁ ତାହେଲେ କି ଉପହାର ଆଣିଛନ୍ତି ?"

 

ସ୍ମିତ ହସି ଶ୍ରୀକୃଷ୍ଣ କହିଲେ.. ବଂଶୀ ଯାହାର,ସେ ରହିଲା ତା ପାଖରେ;ତୁମ ପାଇଁ ରହିଛି ମୋର ଏ ସ୍ନେହ ଓ ଆଶୀର୍ବାଦ ଭରା ହୃଦୟ। ଆର୍ଯ୍ୟାବର୍ତ୍ତରେ ଧର୍ମ ସଂସ୍ଥାପନା ମହାଯଜ୍ଞରେ ତୁମ ସହାୟତା ବିନା ମୁଁ ପୂର୍ଣ୍ଣାହୂତି ଦେଇ ପାରିବି ନାହିଁ କଲ୍ୟାଣୀ !"


ମଥାନତ କରି ଯାଜ୍ଞସେନୀ କହିଲେ...ସଦା ସର୍ବଦା ଏହିପରି ସ୍ନେହ ଓ ଆଶୀର୍ବାଦ ମୋ ଉପରେ ରହିଥାଉ କେଶବ।"

କିଛି ସମୟ ନିରବତା ପରେ ଶ୍ରୀକୃଷ୍ଣ କହିଲେ ... ରାଜା ଦ୍ରୁପଦ ତୁମ ସହିତ ମୋ ବିବାହ ପ୍ରସ୍ତାବ ଦେଇଛନ୍ତି,ଏହା କିପରି ସମ୍ଭବ କୃଷ୍ଣା !"

ମଥା ତଳକୁ କରି ଦ୍ରୌପଦୀ ପଚାରିଲେ ... କାହିଁକି, ମୁଁ କଣ ଏତେ ଖରାପ ଯେ ଦ୍ବାରକାପତି ମୋତେ ଗ୍ରହଣ କରିବାପାଇଁ ଅନିଚ୍ଛୁକ ?


କୃଷ୍ଣ କହିଲେ ... କଲ୍ୟାଣୀ ! ତୁମେ ଅଦ୍ୱିତୀୟା ନାରୀ-ଶକ୍ତିର ପ୍ରତୀକ;କାହାର ଅଙ୍କଲକ୍ଷ୍ମୀ ହୋଇ ପ୍ରାସାଦ ଭିତରେ ଲୁଚି ରହିବା ପାଇଁ ତୁମର ଜନ୍ମ ନୁହେଁ।ଆର୍ଯ୍ୟଭୂମି ଭାରତର ସମସ୍ତ ଦୁଷ୍ଟ ଶକ୍ତିର ବିନାଶ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ତୁମର‌ ଜନ୍ମ।ମୋର ସହାୟିକା ହୋଇ ଧର୍ମସ୍ଥାପନାରେ ସାହାଯ୍ୟ କରିବା ପାଇଁ ତୁମର ଆବିର୍ଭାବ।ତୁମେ ମୋର ସଖୀ,ପ୍ରଣୟିନୀ ନୁହଁ କଲ୍ୟାଣୀ ।"


କୃଷ୍ଣ-ଭାବରେ ହଜିଗଲେ ଦ୍ରୌପଦୀ, କହିଲେ..ଆପଣଙ୍କର ପ୍ରତିଟି ନିର୍ଦ୍ଦେଶ ମୋ ପାଇଁ ଆଦେଶ ଲୀଳାମୟ। କିନ୍ତୁ ମୋ ପିତାଙ୍କୁ ଅପମାନିତ କରିଥିବା ଦ୍ରୋଣଙ୍କ ସମେତ କୁରୁ ପୁତ୍ର ମାନଙ୍କର ବିନାଶ ମୋର ପ୍ରଥମ ଲକ୍ଷ।"

ହସିଲେ କୃଷ୍ଣ, କହିଲେ ...ଏତେ କ୍ରୋଧ ମନ ଭିତରେ ପାଳନ କରି ରଖିଛ !"


ଦ୍ରୌପଦୀ କହିଲେ... ବ୍ରାହ୍ମଣର କାର୍ଯ୍ୟ ଗୁରୁକୁଳ ସମ୍ଭାଳିବା। ତାହା ନକରି ଆଚାର୍ଯ୍ୟ ଦ୍ରୋଣ ମୋ ପିତାଙ୍କୁ ପାଞ୍ଚାଳ ରାଜ୍ୟରୁ ଅର୍ଦ୍ଧେକ ମାଗି ବସିଲେ। ତାହା ନଦେବାରୁ କୌରବ ଓ ପାଣ୍ଡବ ମାନଙ୍କ ସହାୟତାରେ ତାଙ୍କୁ ଅତର୍କିତ ଆକ୍ରମଣ କରି,ଯୁଦ୍ଧରେ ପରାସ୍ତ କରି, ବନ୍ଦୀ କରି ଘୋର ଅପମାନ ଦେଲେ ଏବଂ ପାଞ୍ଚାଳର ଅହିଛତ୍ର କ୍ଷେତ୍ର ଛଡ଼ାଇ ନେଲେ।କୁରୁପୁତ୍ରମାନେ, ବିଶେଷ କରି ଦୁର୍ଯ୍ୟୋଧନ ଓ ତାଙ୍କର ଶତଭ୍ରାତା ଯେପରି ମୋ ପିତାଙ୍କୁ ଗଳାଧକ୍କା ମାରି ଦ୍ରୋଣଙ୍କର ପାଦତଳେ ନିକ୍ଷେପ କଲେ ତା'ଠାରୁ ବଳି ଅଧିକ ଅପମାନ କଣ ଥାଇପାରେ ! ମୋ ପିତାଙ୍କ ପ୍ରତି ଦୁର୍ବ୍ୟବହାର ଦେଖି କେବଳ ପାଣ୍ଡବ ଭାଇମାନେ, ଜଣେ ରାଜାଙ୍କ ପ୍ରତି ଏଭଳି ବ୍ୟବହାରର ନିନ୍ଦା କରୁଥିଲେ;କିଏ ସେ ନିନ୍ଦାକୁ ଭୃକ୍ଷେପ କଲା ! ଏଭଳି ଅପମାନର ପ୍ରତିଶୋଧ ଆମେ ନିଶ୍ଚିତ ଭାବରେ ନେବୁ।"


ଏଭଳି କହିବା ସମୟରେ ଦ୍ରୌପଦୀ ଖୁବ୍ ଉତେଜିତ ଜଣା ପଡୁଥିଲେ। ତାଙ୍କୁ ଶାନ୍ତ କରି ଶ୍ରୀକୃଷ୍ଣ କହିଲେ .. ସେଥିପାଇଁ ମୁଁ କହୁଛି କଲ୍ୟାଣୀ, ତୁମେ ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ବୀରକୁ ବିବାହ କର।ତୁମ ସ୍ବୟଂବର ଆୟୋଜନ କରିବାପାଇଁ ପିତାଙ୍କ ସହିତ ମୁଁ ଆଲୋଚନା କରିଛି। କଠିନ ଲକ୍ଷ୍ୟ ଭେଦ ସ୍ପର୍ଦ୍ଧାରେ ଜୟଯୁକ୍ତ ହେବା ବୀରକୁ ତୁମେ ଜୀବନ ସାଥୀ ଭାବରେ ଗ୍ରହଣ କଲେ ସେ ତୁମ ସମସ୍ୟାର ସମାଧାନ କରିବ କଲ୍ୟାଣୀ !"


ଧୀର କଣ୍ଠରେ ଦ୍ରୌପଦୀ କହିଲେ...ଆପଣଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି କେଶବ।ମୋର ହୃଦ୍'ବୋଧ ହେଉଛି ଆପଣ ମୋ ପିତାଙ୍କର ଏବଂ ମୋର ମଙ୍ଗଳ ପାଇଁ ଆମ ପଛରେ ସବୁବେଳେ ରହିବେ।ତେଣୁ ମୋ ଜୀବନ ଆପଣଙ୍କ ପାଖରେ ସମର୍ପିତ।ଆପଣ ଯାହା କହିବେ, ଯେପରି କହିବେ ଆମେ କରିବାପାଇଁ ପ୍ରସ୍ତୁତ। ଆପଣଙ୍କ କୂଟନୀତି ଅଦ୍ୱିତୀୟ; କୌଣସି କାର୍ଯ୍ୟରେ ଆପଣ ଅସଫଳ ହୋଇନାହାନ୍ତି।"


ଏହି ସମୟରେ ରାଜା ଦ୍ରୁପଦ ଆସି ଆଲୋଚନାରେ ଯୋଗ ଦେଲେ। ସ୍ବୟଂବର ପାଇଁ ସମ୍ମତି ଦେବା ସହିତ ଦ୍ରୁପଦ କହିଲେ

... ମଗଧ ସମ୍ରାଟ ଜରାସନ୍ଧ ତାଙ୍କ ପୌତ୍ର ମେଘ ସନ୍ଧି ପାଇଁ ଯେଉଁ ବିବାହ ପ୍ରସ୍ତାବ ପଠାଇଛନ୍ତି ତାହା ଅଗ୍ରାହ୍ୟ କଲେ ନିଶ୍ଚିତ ଭାବରେ କ୍ରୋଧାନ୍ୱିତ ହୋଇ ସେ ପାଞ୍ଚାଳ ଆକ୍ରମଣ କରି କନ୍ୟା ହରଣ କରିନେବା ପାଇଁ ଚେଷ୍ଟା କରିବେ।ସେ ସମୟରେ ଆପଣ ଆମ ପଛରେ ରହିବେ ତ?


ଶ୍ରୀକୃଷ୍ଣ କହିଲେ ... ମହାଭାଗ !‌ ଆପଣଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି,କେବଳ ମୁଁ ନୁହେଁ,ମୋର ବିଶାଳ ନାରାୟଣୀ ସେନା ମଧ୍ୟ ଆପଣଙ୍କ ପଛରେ ରହିବ।"


କୁଳଗୁରୁଙ୍କ ସହିତ ଆଲୋଚନା କରି ପୌଷମାସ ଶୁକ୍ଳପକ୍ଷ ଏକାଦଶୀ ଦିନଟି ଦ୍ରୌପଦୀଙ୍କ ସ୍ବୟଂବର ପାଇଁ ସ୍ଥିର କଲେ ଦ୍ରୁପଦ।


ପାଞ୍ଚାଳ ଛାଡ଼ିବା ପୂର୍ବରୁ ଶ୍ରୀକୃଷ୍ଣ ପ୍ରତିଶ୍ରୁତି ଦେଇ ଦ୍ରୁପଦଙ୍କୁ କହିଲେ.. ମୁଁ ଆଚାର୍ଯ୍ୟ ସନ୍ଦିପନିଙ୍କ ସହିତ ପରାମର୍ଶ କରି, "ଲକ୍ଷ୍ୟଭେଦ"ର ନିୟମ ଶୀଘ୍ର ନିର୍ଣ୍ଣୟ କରି ଆପଣଙ୍କୁ ଜଣାଇବି। ଆଚାର୍ଯ୍ୟ ଆସି ନିଜ ତତ୍ବାବଧାନରେ ଲକ୍ଷ୍ୟଭେଦ ପାଇଁ ମଣ୍ଡପନିର୍ମାଣ କରିବେ।ଇତି ମଧ୍ୟରେ ଆପଣ ସ୍ବୟଂମ୍ବର ପାଇଁ ବିଭିନ୍ନ ଦେଶର ରାଜାଙ୍କୁ ନିମନ୍ତ୍ରଣ କରନ୍ତୁ।ମୋର ଅନୁରୋଧ ଆପଣ ଶତ୍ରୁ ମିତ୍ର ଭେଦଭାବ ନରଖି ସବୁ ରାଜାଙ୍କୁ ନିମନ୍ତ୍ରଣ କରିବେ, କୌରବ ମାନଙ୍କୁ ମଧ୍ୟ। ଲକ୍ଷ୍ୟଭେଦ ସମୟରେ ସମସ୍ତେ ଛାଣି ହୋଇ ଯିବେ। ଅସଫଳତା ଆପଣଙ୍କ ଶତ୍ରୁମାନଙ୍କୁ ଆପେ ଅପମାନିତ କରିବ।



Rate this content
Log in

Similar oriya story from Classics