STORYMIRROR

Kulamani Sarangi

Classics

3  

Kulamani Sarangi

Classics

କଥା କାଦମ୍ବରୀ -ଭାଗ ୩୪

କଥା କାଦମ୍ବରୀ -ଭାଗ ୩୪

5 mins
223


କୁନ୍ତୀ, ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କର ନିଜ ଭଉଣୀ ଥିଲେ।କୁନ୍ତଭୋଜ ରାଜାଙ୍କର ଅବଶ୍ୟ ସେ ପାଳିତା କନ୍ୟା ଥିଲେ। ସମ୍ପର୍କରେ କୁନ୍ତୀ ଶ୍ରୀକୃଷ୍ଣଙ୍କର ନିଜ ପିଉସୀ ଥିଲେ। ଶ୍ରୀକୃଷ୍ଣ ପୀଉସୀଙ୍କ ସହିତ ଗଭୀର ସ୍ନେହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ। ଏକଦା ପାଞ୍ଚ ପୁତ୍ରଙ୍କ ସହିତ କିଛି ଦିନ ପାଇଁ କୁନ୍ତୀ ମଥୁରା ରାଜପ୍ରାସାଦରେ ଆତିଥ୍ୟ ଗ୍ରହଣ କରିଥିଲେ। ସେହି ସମୟରେ ପାଣ୍ଡବ ପାଞ୍ଚଭାଇଙ୍କ ସହିତ ଶ୍ରୀକୃଷ୍ଣ ଓ ବଳରାମ ଅତି ଅନ୍ତରଙ୍ଗ ହୋଇ ଯାଇଥିଲେ। ଯୁଧିଷ୍ଠିରଙ୍କ ଠାରୁ କୃଷ୍ଣ ବୟସରେ ସାନ ଥିବାରୁ ସେ ଜ୍ୟେଷ୍ଠ ପାଣ୍ଡବଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ। ଭୀମସେନ ମଧ୍ୟ ବୟସରେ ଅଳ୍ପ ବଡ ଥିଲେ। ଭୀମସେନଙ୍କ ବିଶାଳ ହୃଦୟ, ଖୋଲା ମନ ଏବଂ ସ୍ପଷ୍ଟବାଦିତା କେଶବଙ୍କୁ ବହୁତ ପ୍ରଭାବିତ କରିଥିଲା। ଅର୍ଜୁନ ସମ-ବୟସ୍କ ଥିଲେ। ତେଣୁ ତାଙ୍କୁ ଅନ୍ତରଙ୍ଗ ବନ୍ଧୁ ଠାରୁ ଅଧିକ ଭଲ ପାଉଥିଲେ କୃଷ୍ଣ ଏବଂ ସଖା ବୋଲି ସମ୍ବୋଧନ କରୁଥିଲେ।ନକୁଳ ଏବଂ ସହଦେବଙ୍କୁ ନିଜର ଛୋଟ ଭାଇ ଭଳି ସ୍ନେହ ବନ୍ଧନରେ ବାନ୍ଧି ଦେଇଥିଲେ ଯାଦବେଶ କୃଷ୍ଣ।


ସନ୍ଦେହ ଜନକ ପରିସ୍ଥିତିରେ ଜତୁଗୃହରେ ପାଞ୍ଚ ଭାଇ ସହିତ ପିଉସୀ କୁନ୍ତୀଙ୍କର ମର୍ମନ୍ତୁଦ ମୃତ୍ୟୁ ସମ୍ବାଦ ଶୁଣି ଦୁଃଖରେ ମ୍ରିୟମାଣ ହୋଇ ପଡିଲେ ଶ୍ରୀକୃଷ୍ଣ। ହସ୍ତିନା ଯାତ୍ରା କରି, ରାଜପରିବାରରେ ସମବେଦନା ଜ୍ଞାପନ କରିବା ସହିତ ପ୍ରକୃତ ଘଟଣା ଜାଣିବା ପାଇଁ ବ୍ୟଗ୍ର ଥିଲେ କେଶବ। ଏହି ସମୟରେ ଆଚାର୍ଯ୍ୟ ସନ୍ଦିପନି ଦ୍ବାରକାରେ ପହଞ୍ଚି କୃଷ୍ଣଙ୍କୁ ସାକ୍ଷାତ କଲେ। ଗୁରୁଙ୍କର ପାଦ ବନ୍ଦନା କରି କୃଷ୍ଣ କହିଲେ..ପୂଜ୍ୟ ଆଚାର୍ଯ୍ୟ ! ଶୁଣିଥିଲି ଆପଣ ପାଞ୍ଚାଳ ଯାତ୍ରା କରିଥିଲେ; ସେଠାରେ, ପ୍ରତିଶୋଧ ଅଗ୍ନିରେ ଜଳୁଥିବା ରାଜା ଦ୍ରୁପଦ ଏବଂ ଯଜ୍ଞସମ୍ଭୂତା ଦ୍ରୌଦୀଙ୍କ ସମ୍ବାଦ କଣ ?"


ସନ୍ଦିପନି କହିଲେ ..କେଶବ ! ରାଜା ଦ୍ରୁପଦଙ୍କ ହୃଦୟରେ ଦ୍ରୋଣଙ୍କ ପ୍ରତି ଜଳୁଥିବା ପ୍ରତିଶୋଧ ଅଗ୍ନି ତିଳେ ମାତ୍ର କମ୍ ହୋଇନାହିଁ, ବରଂ ବିବାହ ଯୋଗ୍ୟା କନ୍ୟା ଯାଜ୍ଞସେନୀଙ୍କୁ ସେ ଏପରି ବ୍ୟକ୍ତିଙ୍କୁ ବିବାହ ଦେବାକୁ ଚାହାନ୍ତି ଯେ ଦ୍ରୋଣଙ୍କର ଉପରେ ପ୍ରତିଶୋଧ ନେଇପାରିବ।

କୃଷ୍ଣ କହିଲେ ..ଗୁରୁଦେବ,କିଏ ଏପରି ବ୍ୟକ୍ତି ଆର୍ଯ୍ୟାବର୍ତ୍ତରେ ଅଛି ?ସେ ଜରାସନ୍ଧ ପୌତ୍ର ମେଘସନ୍ଧିଙ୍କ ସହିତ କନ୍ୟାର ବିବାହ ଦେବାକୁ ଚାହୁଁ ନାହାନ୍ତି ତ ?


ସନ୍ଦିପନି କହିଲେ... କେଶବ ! ମଗଧ ସମ୍ରାଟ ଜରାସନ୍ଧ ନିଜ ପୌତ୍ର ମେଘସନ୍ଧି ସହିତ ଦ୍ରୌଦୀଙ୍କର ବିବାହ ପ୍ରସ୍ତାବ ଦ୍ରୁପଦଙ୍କ ପାଖକୁ ପଠାଇଥିଲେ,କିନ୍ତୁ ଅଧର୍ମର ପୃଷ୍ଠପୋଷକ ଜରାସନ୍ଧ ଗୃହରେ କନ୍ୟାଦାନ କରିବାପାଇଁ ଦ୍ରୁପଦଙ୍କର ଇଚ୍ଛା ନାହିଁ।"

ଉଦ୍ବିଘ୍ନ ହୋଇ କୃଷ୍ଣ ପଚାରିଲେ... ତାହେଲେ କ'ଣ ଜରାସନ୍ଧର ଏ ପ୍ରସ୍ତାବ ଦ୍ରୁପଦ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ?


ସନ୍ଦିପନି କହିଲେ... ନାଁ ବାସୁଦେବ ! ଏପର୍ଯ୍ୟନ୍ତ ପ୍ରତ୍ୟାଖ୍ୟାନ କରିନାହାନ୍ତି;ଏ ବିଷୟରେ ତୁମ ସହିତ ଆଲୋଚନା କରିବାକୁ ଚାହାଁନ୍ତି ଦ୍ରୁପଦ।ତାଙ୍କ ଇଚ୍ଛା ତୁମେ କୃଷ୍ଣାଙ୍କୁ ବିବାହ କଲେ ଦୁଇ ଧର୍ମପଥଗାମୀ ଶକ୍ତି ଯାଦବ ଏବଂ ପାଞ୍ଚାଳ ଏକତ୍ରିତ ହୋଇ ଆର୍ଯ୍ୟାବର୍ତ୍ତରେ ମହାଶକ୍ତି ଭାବରେ ପରିଗଣିତ ହେବେ ଏବଂ ଅଧର୍ମର ବିଲୋପ ହୋଇ ଧର୍ମ ସଂସ୍ଥାପନା ହେବ ତଥା ଦ୍ରୋଣଙ୍କ ଉପରେ ସେ ପ୍ରତିଶୋଧ ନେଇ ପାରିବେ।


ହସିଲେ କେଶବ;କହିଲେ.... ଓଃ ,ତାହେଲେ ଦ୍ରୁପଦ ମୋତେ କଳ୍ପନାରେ ଜାମାତା କରିସାରିଛନ୍ତି ! ଦ୍ରୁପଦଙ୍କ ସ୍ଵପ୍ନ ପୂରଣ ହେଉ ବା ନହେଉ, ମୋତେ ନିଶ୍ଚିତ ଭାବରେ ପାଞ୍ଚାଳ ଯିବାପାଇଁ ପଡ଼ିବ,ନହେଲେ ଜରାସନ୍ଧ ଗୃହରେ ଯଦି ଦ୍ରୁପଦ ବନ୍ଧୁ ବାନ୍ଧିବେ ତେବେ ଆର୍ଯ୍ୟାବର୍ତ୍ତରେ ଆମର ଧର୍ମ ସସ୍ଥାପନା ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ। ହସ୍ତିନାରେ କୁରୁ ପରିବାର ସହିତ ଭେଟ ହେବାପରେ ମୁଁ ନିଶ୍ଚିତ ଭାବରେ ପାଞ୍ଚାଳ ଯାଇ ଦ୍ରୁପଦଙ୍କ ସହିତ ଆଲୋଚନା କରିବି।ଆପଣ ମୋତେ ଆଶୀର୍ବାଦ ଦିଅନ୍ତୁ ଗୁରୁଦେବ,ମୋ ଲକ୍ଷ ପଥରେ ମୁଁ ସଫଳ ହୁଏ।"


ଗୁରୁଙ୍କଠାରୁ ବିଦାୟ ନେଇ ହସ୍ତିନା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀକୃଷ୍ଣ।ସାଙ୍ଗରେ ଥିଲେ ଉଦ୍ଧବ ଏବଂ ଯାଦବ ବୀର ତଥା ଶ୍ରୀକୃଷ୍ଣଙ୍କ ଅନୁଗତ ସାତ୍ୟକି।ହସ୍ତିନାରେ ପହଞ୍ଚି, କୃଷ୍ଣ-ପ୍ରାଣ ବିଜ୍ଞ ବିଦୁରଙ୍କ ବାସ ଭବନରେ ପହଞ୍ଚିଲେ କେଶବ।ଅତୀତରେ ଯେତେଥର ସେ ହସ୍ତିନା ଆସିଛନ୍ତି, ବିଦୂରଙ୍କ ଘରେ ତାଙ୍କ ପତ୍ନୀ କୃଷ୍ଣ-ପ୍ରାଣା 'ସୁଲଭା'ଙ୍କ ହାତରୁ ଶାଗଭଜା ଭାତ ଖାଇ ଅମୃତ-ଆହାରର ତୃପ୍ତି ଲାଭ କରିଛନ୍ତି।


ବିଦୂରଙ୍କ ସହିତ କଥୋପକଥନରୁ କୃଷ୍ଣ ପାଣ୍ଡବ ମାନଙ୍କର ବଞ୍ଚିଥିବାର ଆଭାସ ପାଇଲେ।ବିଦୁର କହିଲେ ..ହେ କେଶବ ! ପାଣ୍ଡବ ମାନେ ଜତୁଗୃହରୁ ପଳାଇଯାଇ ବଞ୍ଚି ଯାଇଥିବା ସମ୍ବାଦ ମୁଁ ସମସ୍ତଙ୍କ ଠାରୁ ଗୋପ୍ୟ ରଖିଛି।କେବଳ ଭୀଷ୍ମ ଓ ରାଜମାତା ସତ୍ୟବତୀଙ୍କ ବ୍ୟତୀତ ଏହା ଅନ୍ୟ କେହି ଜାଣନ୍ତି ନାହିଁ।ପ୍ରତି ମୁହୂର୍ତ୍ତରେ ସେମାନଙ୍କ ମୁଣ୍ଡ ଉପରେ ବିପଦର ଛଞ୍ଚାଣ ଉଡ଼ି ବୁଲୁଛନ୍ତି। ଯେବେ ପାଣ୍ଡବମାନେ ଆପଣଙ୍କ ସହାୟତା ପାଇବେ ତାହେଲେ ଏହି ଗୋପନୀୟତା ଭଙ୍ଗ କରାଯାଇପାରେ।"


କୃଷ୍ଣ କହିଲେ..ବିଜ୍ଞ ବିଦୁର ! ଯାଦବ ମାନଙ୍କର ସହାୟତା ତ ସର୍ବଦା ପାଣ୍ଡବଙ୍କ ପଛରେ ଅଛି, କିନ୍ତୁ ମୁଁ ଚାହେଁ ତାହା ସହିତ ଅନ୍ୟ ଏକ ଧର୍ମପଥଗାମୀ ଦୃଢ଼ ରାଜଶକ୍ତିର ସହାୟତା ପାଇଲେ, ପାଣ୍ଡବମାନେ ଅଜେୟ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ। ସେଥିପାଇଁ ମୁଁ ପ୍ରୟାସରତ।ମୋଠାରୁ ନିର୍ଦ୍ଦେଶ ନପାଇବା ପର୍ଯ୍ୟନ୍ତ ପାଣ୍ଡବମାନେ ଜୀବିତ ଥିବା କଥା ଗୋପନୀୟ ରଖାଯାଉ।"

ଏକଥା କହିଲାବେଳେ କୃଷ୍ଣ ଦ୍ରୁପଦ ରାଜପରିବାର କଥା ଭାବୁଥିଲେ। ପାଞ୍ଚାଳ ସହିତ ପାଣ୍ଡବ ମାନଙ୍କର ବୈବାହିକ ସମ୍ବନ୍ଧ ସ୍ଥାପିତ ହୋଇ ପାରିଲେ ସେମାନଙ୍କ ଭାଗ୍ୟ ଖୋଲିଯାଆନ୍ତା ବୋଲି କେଶବ ଚିନ୍ତା କରୁଥିଲେ।


କୌରବ ମାନଙ୍କର ମନୋଭାବ ଜାଣିବା ପାଇଁ ଶ୍ରୀକୃଷ୍ଣ ହସ୍ତିନା ରାଜ ପ୍ରାସାଦରେ ପହଞ୍ଚିଲେ।ଅନ୍ଧ ରାଜାଙ୍କ ସହିତ ଏକଶତ କୁରୁପୁତ୍ର, କୃଷ୍ଣଙ୍କ ଆଗମନରେ ସେମାନଙ୍କର କୁମ୍ଭୀର କାନ୍ଦଣାର ସ୍ବର ବଢାଇଦେଲେ।କେବଳ ଗାନ୍ଧାରୀଙ୍କ ଦୁଃଖ ପ୍ରକାଶ ଭିତରେ କିଛି ସତ୍ୟତା ଦେଖିପାରିଲେ କୃଷ୍ଣ।


କୁରୁ ପରିବାର ଠାରୁ ବିଦାୟ ନେଇ କୃଷ୍ଣ ପାଞ୍ଚାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ।ବାଟରେ ଉଦ୍ଧବଙ୍କୁ କହିଲେ ..ଆର୍ଯ୍ୟ ଉଦ୍ଧବ! ପାଣ୍ଡବମାନେ ବଞ୍ଚିଥିବା ସମ୍ବାଦ ମୋର ଶ୍ରୁତି ଗୋଚର ହୋଇଛି।ସେମାନେ ରାକ୍ଷାସାବର୍ତ୍ତ ଅଭିମୁଖେ ଯାତ୍ରା କରିଥିବା ଅନୁମାନ କରାଯାଏ। ଗଙ୍ଗା ନଦୀ ପାର ହୋଇ କୂଳେ କୂଳେ ତୁମେ ସେମାନଙ୍କ ସନ୍ଧାନରେ ଯିବ।ପାଣ୍ଡବ ମାନଙ୍କ ସନ୍ଧାନ ନେଇ ସେମାନଙ୍କ ଭଲ-ମନ୍ଦ ବୁଝି ମୋ ତରଫରୁ ନିର୍ଭର ପ୍ରତିଶ୍ରୁତି ଦେବ;କହିବ ଯେ ସେମାନେ ନିଜକୁ ଅସହାୟ ମନେ କରିବେ ନାହିଁ; ସେମାନଙ୍କ ସହାୟତା ପାଇଁ କୃଷ୍ଣ ଓ ବିଶାଳ ଯାଦବ ସେନା ତାଙ୍କ ପଛରେ ରହିଛନ୍ତି।"


କୃଷ୍ଣଙ୍କର ପାଞ୍ଚାଳ ଅଭିମୁଖେ ଯାତ୍ରାର ସମ୍ବାଦ ପାଇ ସାରିଥିଲେ ଦ୍ରୁପଦ। ତାଙ୍କୁ ସ୍ୱାଗତ କରିବାପାଇଁ ଭବ୍ୟ ଆୟୋଜନ ହୋଇଥାଏ। ଅତିଥି ଗୃହରେ ଆର୍ଯ୍ୟ ସାତ୍ୟକିଙ୍କ ଅବସ୍ଥାନର ବ୍ୟବସ୍ଥାକରି ଶ୍ରୀକୃଷ୍ଣଙ୍କୁ ବ୍ୟକ୍ତିଗତ ଆଲୋଚନା ପାଇଁ ଡକାଇଲେ ଦ୍ରୁପଦ।ଗୃହ ଅନାମେୟ ଆଦାନପ୍ରଦାନ ପରେ ଦ୍ରୁପଦ କହିଲେ ...ଯାଦବେଶ ! ବିନା ଗୌରଚନ୍ଦ୍ରିକାରେ ମୁଁ ପଚାରିବା ପାଇଁ ଚାହେଁ, ପାଞ୍ଚାଳ ଆପଣଙ୍କୁ ଯେଉଁ ଅମୂଲ୍ୟ କନ୍ୟା ରତ୍ନ ଦେବାପାଇଁ ବ୍ୟଗ୍ର, ତାହା ଆପଣ ଗ୍ରହଣ କରିବେ ତ?"

ଗୁରୁ ସନ୍ଦିପନିଙ୍କ ଠାରୁ ଏହାର ଆଭାସ ପାଇଥିଲେ କୃଷ୍ଣ; ତେଣୁ ଏହି ପ୍ରସ୍ତାବ ତାଙ୍କୁ ଅପ୍ରତ୍ୟାଶିତ ଲାଗିଲା ନାହିଁ।ସ୍ମିତ ହସରେ, ଧୀରକଣ୍ଠରେ ଶ୍ରୀ କୃଷ୍ଣ କହିଲେ... ରାଜନ୍ ! ମୋତେ ଯାଦବେଶ କହନ୍ତୁ ନାହିଁ, ମୁଁ ସାଧାରଣ ଗୋପାଳ'ଟିଏ;ଆଗରୁ ବଂଶୀ ବଜାଇ ଗୋପରେ ଗାଈ ଚରାଉଥିଲି,ମାମୁଙ୍କ ମୃତ୍ୟୁପରେ ବାପ ମାଆଙ୍କ ପାଖରେ ମଥୁରାରେ ଅଜାଘରେ ରହିଛି।ଅଜା ଉଗ୍ରସେନ ପ୍ରକୃତରେ ଯାଦବେଶ, ମୁଁ ତାଙ୍କର ଆଜ୍ଞାକାରୀ ପ୍ରଜା। ରାଜକୁମାରୀ ଯାଜ୍ଞସନୀଙ୍କ ପାଇଁ ମୁଁ ଉପଯୁକ୍ତ ନୁହେଁ।ଆପଣ ଜେମାଙ୍କ ବିବାହ ଉପଯୁକ୍ତ ରାଜପରିବାରେ କରନ୍ତୁ, ଜେମା ସୁଖରେ ରହିବେ।"


କୃଷ୍ଣଙ୍କ କଥା ଶୁଣି ଦ୍ରୁପଦ କହିଲେ...ଆପଣ କ'ଣ ଆମେ ଭଲଭାବରେ ଜାଣିଛୁ ଦ୍ଵାରକାପତି।ମୋ କନ୍ୟାକୁ ଗ୍ରହଣ କରି ମୋତେ ଅନୁଗୃହିତ କରିବା ସଙ୍ଗେ ସଙ୍ଗେ ଆର୍ଯ୍ୟାବର୍ତ୍ତରେ ଧର୍ମପଥଗାମୀ ଶକ୍ତିର ହସ୍ତ ଦୃଢ଼ କରନ୍ତୁ। ପାଞ୍ଚାଳ ଏବଂ ଦ୍ଵାରକା ଏକତ୍ରିତ ହେଲେ ଆର୍ଯ୍ୟାବର୍ତ୍ତରେ ଅଧର୍ମର ବିନାଶ ହେବା ସଙ୍ଗେ ସଙ୍ଗେ ମୋର ଚିରଶତ୍ରୁ ଦ୍ରୋଣ ଏବଂ ଅଧର୍ମୀ କୁରୁ ପୁତ୍ର ମାନଙ୍କର ବିନାଶ ମଧ୍ୟ ହେବ।"


ବିନମ୍ରତା ସହିତ କୃଷ୍ଣ କହିଲେ..ମୋତେ କ୍ଷମା କରନ୍ତୁ ରାଜନ୍। କୌରବ ମାନଙ୍କ ସହିତ ଯାଦବ ମାନଙ୍କର ପାରିବାରିକ ସମ୍ପର୍କ ରହିଛି। ତେଣୁ ଯାଜ୍ଞସେନୀଙ୍କୂ ବିବାହ କରି ଗୁରୁଦ୍ରୋଣ ଏବଂ କୁରୁବଂଶ ବିରୁଦ୍ଧରେ ଯୁଦ୍ଧ କରିବା ମୋ ପାଇଁ ସମ୍ଭବ ହେବନାହିଁ।"

ନିରାଶ ହୋଇ ଦ୍ରୁପଦ କହିଲେ ...ତା'ହେଲେ ବାଧ୍ୟହୋଇ ମୋତେ ଜରାସନ୍ଧ ପରିବାର ସହିତ ବୈବାହିକ ସମ୍ପର୍କ ଯୋଡିବା ପାଇଁ ପଡିବ।ଜରାସନ୍ଧ, ପୌତ୍ର ମେଘସନ୍ଧି ସହିତ କୃଷ୍ଣାର ବିବାହ ପାଇଁ ଯେଉଁ ପ୍ରସ୍ତାବ ପଠାଇଛନ୍ତି ତାହା ମୋତେ ଗ୍ରହଣ କରିବା ପାଇଁ ପଡିବ।"


ଶ୍ରୀକୃଷ୍ଣ କହିଲେ.. ହେ ଧର୍ମଧ୍ବଜାଧାରୀ ମହାନ୍ ରାଜା ! ସର୍ବଦା ଦାନଧର୍ମ ଏବଂ ଯଜ୍ଞକର୍ମରେ ଲିପ୍ତ ରହିଥାନ୍ତି ବୋଲି ଆପଣଙ୍କ ନାମ ଯାଜ୍ଞସେନ। ଦ୍ରୋଣଙ୍କ ଉପରେ ପ୍ରତିଶୋଧ ନେବାପାଇଁ ଆପଣ କଣ ଅଧର୍ମ ଶକ୍ତି ସହିତ ହାତ ମିଳାଇବେ !! ଜରାସନ୍ଧ ସହିତ ବନ୍ଧୁ ବାନ୍ଧିଲେ ଆର୍ଯ୍ୟାବର୍ତ୍ତରେ ନିଆଁ ଜଳିଉଠିବ, ଏକଥା ଜାଣି ପାରୁଛନ୍ତି ତ ?

ବିବ୍ରତ ହୋଇପଡ଼ି ଦ୍ରୁପଦ କହିଲେ .."ତା'ହେଲେ ମୁଁ କଣ କରିବି କୁହନ୍ତୁ କେଶବ ?"


ଶ୍ରୀକୃଷ୍ଣ କହିଲେ ..ରାଜଜେମାଙ୍କ ପାଇଁ ଆପଣ ସ୍ବୟଂବର ଆୟୋଜନ କରନ୍ତୁ। ଲକ୍ଷ୍ୟଭେଦ ସ୍ପର୍ଦ୍ଧାର ଆୟୋଜନ କରନ୍ତୁ। ସମଗ୍ର ଭାରତର ବିଭିନ୍ନ ଦେଶରୁ ଯୋଗ୍ୟ ରାଜପୁତ୍ର ମାନେ ସେଥିରେ ଯୋଗଦେବେ।ଆପଣଙ୍କର ସମ୍ମାନ ବହୁଗୁଣିତ ହେବ। ସେମାନଙ୍କ ମଧ୍ୟରେ ଅନେକ ବନ୍ଧୁ ପାଇବେ ଆପଣ। ଯେଉଁ ଯୋଗ୍ୟ ବୀର ଲକ୍ଷ୍ୟ ଭେଦ କରି ପାରିବେ ସେ କନ୍ୟାର ପାଣି ଗ୍ରହଣ କରିବେ ସେ ଆପଣଙ୍କ ସ୍ବପ୍ନ ସାକାର କରିବେ।"

ଦ୍ରୁପଦ ଗଭୀର ଦୃଷ୍ଟିରେ କୃଷ୍ଣଙ୍କୁ ଚାହିଁ କହିଲେ...ଲକ୍ଷ୍ୟଭେଦ ଯଦି ଅନେକ ବୀର କରନ୍ତି ଅଥବା ଦୁର୍ଯ୍ୟୋଧନ, ଶିଶୁପାଳ,ଜରାସନ୍ଧ ଭଳି ଅଧର୍ମୀ ମାନେ କରନ୍ତି, ତାହେଲେ କ'ଣ ଯାଜ୍ଞସେନୀ ତାଙ୍କୁ ବିବାହ କରିବ?"


ଧୀର ଅଥଚ ଦୃଢ କଣ୍ଠରେ କୃଷ୍ଣ କହିଲେ.. ସେଭଳି ହେବାର ପ୍ରଶ୍ନ ଉଠୁନାହିଁ। ପ୍ରଥମତଃ ଲକ୍ଷ୍ୟଭେଦର ମାନ ଏପରି ଉଚ୍ଚ ସ୍ତରୀୟ ହେବ ଯେ କେବଳ ସର୍ବଶ୍ରେଷ୍ଠ ବୀର ହିଁ ତାହା ଭେଦ କରିପାରିବ। ଦ୍ବିତୀୟତଃ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିଙ୍କୁ ବିବାହ କରିବା,ନକରିବା ନିଷ୍ପତ୍ତି କନ୍ୟା ଉପରେ।"

ହସି ଉଠିଲେ ଦ୍ରୁପଦ, କହିଲେ ... ସେଠାରେ ଗୋଟିଏ ରଣକ୍ଷେତ୍ର ସୃଷ୍ଟି ହେବ ଏବଂ ଆମେ ସମସ୍ତେ ଯୁଦ୍ଧ ନିଆଁ ରେ ଜଳିଯିବୁ।"


ଶ୍ରୀକୃଷ୍ଣ କହିଲେ...କାହାର ଏଭଳି ସାହସ ଆପଣଙ୍କୁ ଆକ୍ରମଣ କରିବ ?ଆପଣଙ୍କ ପଛରେ ଦୁର୍ଜୟ ନାରାୟଣୀ ସେନା ସହିତ ମୁଁ ରହିଥିବି ରାଜନ୍।ଆପଣଙ୍କ କେଶାଗ୍ର ପର୍ଯ୍ୟନ୍ତ କେହି ସ୍ପର୍ଶ କରିପାରିବେ ନାହିଁ।"

ଦ୍ରୁପଦଙ୍କ ମନରେ କୃଷ୍ଣ ହିଁ ଜାମାତା ଭାବରେ ଆସ୍ଥାନ ଜମେଇ ବସିଥିଲେ।ଦ୍ରୁପଦ କହିଲେ ...ସେ ସ୍ବୟଂବରରେ କୃଷ୍ଣା ଯେବେ ଆପଣଙ୍କୁ ବରମାଲ୍ୟ ଦିଏ।"

ହସିଦେଲେ କେଶବ, କହିଲେ ..ମୋଠାରୁ ବହୁଗୁଣରେ ସୁନ୍ଦର ଏକ ଧନୁର୍ଦ୍ଧର ବୀର ଜେମାଙ୍କ ପାଇଁ ମୁଁ ଯୋଗାଡ଼ କରି ଦେବି।"

ଏହା କହିବା ସମୟରେ ଶ୍ରୀକୃଷ୍ଣ ଙ୍କ ଆଖି ଆଗରେ ଅର୍ଜୁନଙ୍କ ରୂପ ଭାସି ଯାଉଥିବା।



Rate this content
Log in

Similar oriya story from Classics