STORYMIRROR

Kulamani Sarangi

Classics

4  

Kulamani Sarangi

Classics

କଥା କାଦମ୍ବରୀ ଭାଗ ୨୧

କଥା କାଦମ୍ବରୀ ଭାଗ ୨୧

4 mins
195


ସ୍ବୟଂବର ସଭାରେ କୁନ୍ତୀ ପଣ୍ଡୁଙ୍କ ଗଳାରେ ବରଣମାଳା ଦେଇ ତାଙ୍କୁ ଜୀବନସାଥି ଭାବରେ ବାଛି ନେଲେ। କିଛି ଦିନ ଭିତରେ ମଦ୍ରଦେଶର ରାଜକନ୍ୟା ମାଦ୍ରୀଙ୍କୁ ମଧ୍ୟ ଦ୍ବିତୀୟ ପତ୍ନୀ ରୂପରେ ପଣ୍ଡୁ ଗ୍ରହଣ କଲେ। ସପତଣୀ ହେଲେ ମଧ୍ୟ ଦୁଇ ରାଣୀଙ୍କ ମନରେ ପରସ୍ପର ପ୍ରତି ଈର୍ଷା ଭାବ ନଥିଲା।ରାଜା ନିଜର ହୃଦୟକୁ ସମ ଭାବରେ ଦୁଇ ରାଣୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଦେହରେ ଶତ ହସ୍ତୀର ବଳ,ମୁଖରେ ସୂର୍ଯ୍ୟଙ୍କ ଦୀପ୍ତି,ବିଶାଳ ହସ୍ତିନା ସାମ୍ରାଜ୍ୟରେ ପଣ୍ଡୁ ଶାନ୍ତିରେ ଶାସନ କରୁଥିଲେ। ଦିଗ ବିଦିଗରେ ତାଙ୍କର ଯଶ ବ୍ୟାପି ଯାଇଥିଲା କାରଣ ବୀରତ୍ବରେ ଏବଂ ପ୍ରଜା ରଞ୍ଜନ କାର୍ଯ୍ୟରେ କୁରୁବଂଶୀ ପଣ୍ଡୁଙ୍କର ସମକକ୍ଷ ସେ ସମୟରେ ଆର୍ଯ୍ୟାବର୍ତ୍ତରେ କେହି ନଥିଲେ। ହସ୍ତିନାର ବୈଭବ ବର୍ଣ୍ଣନା କରିବାକୁ ଯାଇ କବି ଲେଖନ୍ତି:....


"ଅମରାବତୀରୁ ବଳି ଶୋଭୁଥିଲା ଗଙ୍ଗାକୁଳେ ତାଙ୍କ ରାଜ୍ୟ,

ଧନ ଧାନ୍ୟ ମଣି ମାଣିକ୍ୟରେ ପୂର୍ଣ୍ଣ ଅକଳନୀୟ ପ୍ରାଚୁର୍ଯ୍ୟ।

ଭିକାରି ଶବ୍ଦର ଅର୍ଥ ସେ ରାଜ୍ୟରେ ବୁଝି ନପାରନ୍ତି କେହି,

କୁଟୀର କହିଲେ ଯାହାକୁ ବୁଝାଏ ଦ୍ବିତଳ ପ୍ରାସାଦ ସେହି।

ପ୍ରାସାଦ ଉପରେ ସୁବର୍ଣ୍ଣ କଳସ ଯେତେ ଅଧିକ ଯାହାର,

ସେ ମାନଦଣ୍ଡରେ ଧନିକ ପଣରେ ଗଣତି ହୁଏ ତାହାର।

ଗଙ୍ଗା ନଦୀ ଧାରେ ଦେଶ ଦେଶାନ୍ତରେ ବାଣିଜ୍ୟ କରି ସାଧବେ,

ବୋହି ଆଣୁଥିଲେ ବିପୁଳ ସମ୍ପଦ ସୁଖରେ ଥିଲେ ସରବେ।"


ଧର୍ମ ଦଣ୍ଡ ଧରି ନ୍ୟାୟ ପରାୟଣ ପଣ୍ଡୁ ରାଜ୍ୟ ଶାସନ କରୁଥିଲେ।ତାଙ୍କ ଦରବାରରେ ତିଳେ ମାତ୍ର ଅନ୍ୟାୟ କାହାପ୍ରତି କରାଯାଉନଥିବା।ପିତାମହ ଭୀଷ୍ମଙ୍କ ଅଧ୍ୟକ୍ଷତାରେ ଦୁର୍ଦ୍ଧାନ୍ତ ସେନାବାହିନୀ ରାଜ୍ୟ ପରେ ରାଜ୍ୟ ପଦାନତ କରି ଚାଲିଥିଲେ।ଧନ ଧାନ୍ୟରେ ପରିପୂର୍ଣ୍ଣ ଥିଲା ରାଜ୍ୟରେ ସମସ୍ତ ପ୍ରଜାଙ୍କ ଗୃହ।ଇନ୍ଦ୍ରଙ୍କ ଆଦେଶରେ ମେଘ ସମୂହ ଠିକ୍ ସମୟରେ ବର୍ଷା କରି ସମଗ୍ର ହସ୍ତିନାରେ ଶ୍ୟାମଳ ଗାଲିଚା ବିଛାଇ ଦେଇଥିଲେ।ସପତଣୀ ହେଲେ ମଧ୍ୟ ଲକ୍ଷ୍ମୀ ଓ ସରସ୍ଵତୀ ମହାଆନନ୍ଦରେ, ବିନା କଳହରେ ହସ୍ତିନାର ପୁରପଲ୍ଲୀରେ ଘରେ ଘରେ ନିବାସ କରୁଥିଲେ। ଦେବତା ମାନଙ୍କର ଆଶୀର୍ବାଦ ନେଇ ପଣ୍ଡୁ ମହା ଶାନ୍ତିରେ ରାଜ୍ୟ ଶାସନ କରୁଥିଲେ।


କୌଣସି ସନ୍ଥ ବ୍ୟକ୍ତି କେବେ ହସ୍ତିନା ରାଜ୍ୟରେ କଷ୍ଟ ପାଉ ନଥିଲେ , କୃଷକମାନେ ଜମି କର୍ଷଣକରି ନିର୍ଭୟରେ ଶସ୍ୟ ଭୋଗ କରୁଥିଲେ। ଯେତେ ବେଦଜ୍ଞ ବ୍ରାହ୍ମଣ,ଦୁଗ୍ଧବତୀ ଧେନୁ,ସାଧ୍ବୀ ପୁରନାରୀ ହସ୍ତିନାରେ ଥିଲେ ସମସ୍ତେ

ଧର୍ମଦଣ୍ଡଧାରୀ ରାଜାଙ୍କ ସମ୍ମାନ ପାଉଥିଲେ ।ସନ୍ଥ ପାଳନ, ଦୁଷ୍ଟ ନିବାରଣ ଏବଂ ପ୍ରଜାରଞ୍ଜନ ମନ୍ତ୍ରରେ ଉଦ୍ବୁଧ ପଣ୍ଡୁ କୁଶଳତା ସହିତ ପ୍ରଜାପାଳନ କରୁଥିଲେ। ଗଙ୍ଗା କୂଳରେ ଶସ୍ତ୍ର ଓ ଶାସ୍ତ୍ର ଶିକ୍ଷା ପାଇଁ ଗୁରୁକୁଳ ଗଢି ଉଠିଥିଲା।ସାର୍ବଭୌମ ଚକ୍ରବର୍ତ୍ତୀ ନାମ ଧାରଣ କରିଥିଲେ ହସ୍ତିନାର ରାଜା ପାଣ୍ଡୁ।


ସମୟ ସବୁବେଳେ ସମାନ ଯାଏ ନାହିଁ। ଦିନେ ପଣ୍ଡୁଙ୍କ ଜୀବନରେ ମାଡିଆସିଲା ଦୁର୍ଦ୍ଦିନ।

ସେଦିନ ପ୍ରଭାତରେ ପଣ୍ଡୁ ଧନୁଶର ଧରି ସଜ୍ଜିତ ରଥ ଆରୋହଣ କରି ଏକା ଏକା ମୃଗୟା ନିମିତ୍ତ ବାହାରିଗଲେ। ସାଙ୍ଗରେ ସୈନ୍ୟ ସାମନ୍ତ କେହି ନଥିଲେ।ବନପଥ ଅନୁସରଣ କରି ଯାଉ ଯାଉ କ୍ରମେ ଅରଣ୍ୟ ନିବିଡ଼ରୁ ନିବିଡ଼ତର ହେଲା।କଳାମେଘ ଦେହରେ ବିଜୁଳି ଖେଳିଲା ପରି ପଣ୍ଡୁଙ୍କ ରୂପା-ଛାଉଣିର ଶ୍ବେତ ରଥ ସବୁଜ ବନପ୍ରଦେଶ ଅତିକ୍ରମ କରି ଚାଲିଥାଏ। ହଠାତ୍ ନିଘଞ୍ଚ ବନାନୀ ଭିତରେ ଗୋଟିଏ ସ୍ଥାନରେ ପଣ୍ଡୁ ଚକିତ ହୋଇ ରହିଗଲେ।


 ସେଠାରେ ଥିଲା ଏକ ରମଣୀୟ ହ୍ରଦ।ସୁଶୀତଳ ମନ୍ଦ ମଳୟ ସ୍ପର୍ଶରେ ବୃକ୍ଷଲତା ସବୁ ପୁଲକିତ ହୋଇ ଉଠୁଥିଲେ।ଶୁକ ଶାରୀ ଏବଂ ନାନାଜାତିର ପକ୍ଷୀ ଗଛରୁ ଗଛକୁ ଡେଇଁ ଆନନ୍ଦରେ କଳରବ କରୁଥିଲେ। ନାନାଜାତିର ଫୁଲର ସୁଗନ୍ଧରେ ପୂରିଉଠୁଥିଲା ପରିବେଶ।କାନନ ହ୍ରଦରେ ପରିପୂର୍ଣ୍ଣ ହୋଇ ରହିଥିଲା ସୁରମ୍ୟ ପଦ୍ମ ଏବଂ କଇଁ ଫୁଲ।ରଙ୍ଗ ବିରଙ୍ଗ ପ୍ରଜାପତି ଫୁଲରୁ ଫୁଲକୁ ଉଡ଼ି ମଧୁ ଆସ୍ବାଦନ କରୁଥିଲେ।କାନନ ହ୍ରଦରେ ସୂର୍ଯ୍ୟ କିରଣ ପଡି ତାର ପ୍ରତିଫଳନ ବୃକ୍ଷଲତାରେ ହେଉଥିଲା। ଏଭଳି ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କ୍ଲାନ୍ତକଳେବର ପଣ୍ଡୁ ଦ୍ରଦ ନିକଟରେ ଶ୍ରମ ଅପନୋଦନ ପାଇଁ ବସିଗଲେ। 


ଏହି ସମୟରେ ପଣ୍ଡୁ ଦେଖିଲେ ଲତା ଗହଳରେ ଗୋଟିଏ ମୃଗ ମୃଗୁଣୀ ସହିତ ପ୍ରେମରେ ମଗ୍ନ ହୋଇଯାଇଛି।ବିଧାତାର ବିଧାନ କି ପ୍ରକାର, ଯେଉଁ ପଣ୍ଡୁ ସଦା ସର୍ବଦା ସ୍ଥିରଚିତ୍ତ ର‌ହିଥାନ୍ତି ଆଜି ରତିରସରେ ମଗ୍ନ ମୃଗମୃଗୀଙ୍କୁ ବଧ କରିବାପାଇଁ ଇଚ୍ଛା କଲେ।ଧନୁରେ ତୀର ଖଞ୍ଜି ରାଜା ରତିମଗ୍ନ ମୃଗମୃଗୀଙ୍କ ଉପରକୁ ପ୍ରହାର କଲେ। ଆଶ୍ଚର୍ଯ୍ୟ କଥା ତୀର ବିଦ୍ଧ ହେବାପରେ ସଙ୍ଗେ ସଙ୍ଗେ ମନୁଷ୍ୟର କରୁଣ ସ୍ବର ଭାସି ଆସିଲା।ନିକଟକୁ ଯାଇ ରାଜା ଦେଖିଲେ ଶରବିଦ୍ଧ ହୋଇ ଜଣେ ମୁନି ଏବଂ ତାଙ୍କ ପତ୍ନୀ ମରଣ କାଳୀନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଆଶ୍ଚର୍ଯ୍ୟ ହେଲେ ପଣ୍ଡୁ;ତୀରବିଦ୍ଧ ମୃଗ-ମୃଗୁଣୀ କିପରି ମନୁଷ୍ୟରେ ପରିବର୍ତ୍ତିତ ହେଲେ,ପଣ୍ଡୁ ଚିନ୍ତା କରୁଥିଲେ।


ବାସ୍ତବରେ ସେ ଥିଲେ କିନ୍ଦମ ନାମକ ଜଣେ ଋଷି।କାନନର ପୁଲକିତ ପରିବେଶ ଦେଖି ସେ କାମ ମତ୍ତ ହୋଇ,ମୃଗ-ମୃଗୁଣୀ ରୂପରେ ପତ୍ନୀ ସହିତ ରତିକ୍ରିଡାରେ ମଗ୍ନଥିଲେ।କରପତ୍ର ଯୋଡି ପଣ୍ଡୁ ପଚାରିଲେ ...ହେ ମହାତ୍ମା ! ଆପଣ ମୃଗମୃଗୁଣୀ ରୂପ କାହିଁକି ଧାରଣ କରିଥିଲେ? ମୃତ୍ୟୁ ଯନ୍ତ୍ରଣାରେ ବିଦଗ୍ଧ କିନ୍ଦମ କହିଲେ..ତପୋବଳ ଯୋଗୁଁ ଆମେ ବିଭିନ୍ନ ପଶୁ ପକ୍ଷୀଙ୍କ ରୂପ ଧାରଣ କରିପାରୁ। ମନୁଷ୍ୟ ରୂପରେ, ଏଠିକାର ମୁନି ଋଷିଙ୍କ ଆଗରେ ଆଦିରସ ପ୍ରେମରେ ମଗ୍ନ ହେଲେ ଦୃଷ୍ଟିକଟୁ ହେବବୋଲି ଆମେ ପତିପତ୍ନୀ ମୃଗମୃଗୁଣୀ ରୂପରେ ରତିମଗ୍ନ ଥିଲୁ।ତୁମ ବାଣରେ ମୋ ପତ୍ନୀ ନିହତ ହୋଇଛନ୍ତି ଏବଂ ବର୍ତ୍ତମାନ ମୋ ପ୍ରାଣ କଣ୍ଠାଗ୍ରତ।ଆମକୁ ହତ୍ୟାକରି ତୁମର କେଉଁ ପ୍ରକାର ଯଶ ଲାଭ ହେଲା ହସ୍ତିନା ନରେଶ ! ରତିମଗ୍ନ ପ୍ରାଣୀକୁ ହତ୍ୟା କରିବା ଶାସ୍ତ୍ର ବିରୁଦ୍ଧ। ତୁମର ବିବେକ କିପରି ବାଧା ଦେଲା ନାହିଁ ରାଜା ?ସର୍ପ ହେଲେ ମଧ୍ୟ ରତିମଗ୍ନ ଥିବା ସମୟରେ ସେମାନଙ୍କୁ ବଧ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ଶରଣାଗତ,ନିରସ୍ତ୍ର ଏବଂ ରତିମଗ୍ନ ପ୍ରାଣୀଙ୍କ ପ୍ରତି ଅସ୍ତ୍ର ଚାଳନା କରିବା ଅନୁଚିତ।ରାଜା ହୋଇ ଏପରି ଅବିବେକୀ କାର୍ଯ୍ୟ !


ନିକଟ ସରସୀରୁ ଜଳ ଆଣି,ମୃତ୍ୟୁ ଯନ୍ତ୍ରଣାରେ ବଛଟପଟ ହେଉଥିବା କିନ୍ଦମଙ୍କୁ‌ କୋଳରେ ଧରି ରାଜା ମୁଖରେ ଜଳ ଦେଲେ।କିନ୍ଦମଙ୍କ ଯନ୍ତ୍ରଣା ବଢିଚାଲିଥାଏ।ରାଜାଙ୍କ ମୁହଁକୁ ଚାହିଁ ଋଷି କହିଲେ...ଥାଉ,ଆଉ ଏତେ ଦୟା ଦେଖାଇବା ଆବଶ୍ୟକ ନାହିଁ ରାଜା।ରତିମଗ୍ନ ପ୍ରାଣୀଙ୍କୁ ହତ୍ୟା କରିଥିବାରୁ ମୁଁ ତୁମକୁ ଅଭିଶାପ ଦେଉଛି ଯେ ଯେତେବେଳେ ମଧ୍ୟ ତୁମେ ତୁମ ପତ୍ନୀଙ୍କ ସହିତ ରତିମଗ୍ନ ହେବ ସଙ୍ଗେ ସଙ୍ଗେ ତୁମର ପ୍ରାଣ ଚାଲିଯିବ।"


ଏହିପରି ଅଭିଶାପ ଦେଇ ମୁନିଙ୍କ ପ୍ରାଣବାୟୁ ଉଡିଗଲା। ଏଭଳି ଅଭାବନୀୟ ଘଟଣାରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ ପଣ୍ଡୁ। ଗଭୀର ଦୁଃଖରେ ମଗ୍ନ ପଣ୍ଡୁ ହସ୍ତିନା ଫେରି ଆସି ସମସ୍ତଙ୍କ ଆଗରେ ଘଟିଯାଇଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବର୍ଣ୍ଣନା କଲେ। ପ୍ରତି ମୁହୂର୍ତ୍ତରେ ଦୁଃଖରେ ଘାରି ହେଲେ ରାଜା।ଆଖି ଆଗରେ ସବୁବେଳେ କିନ୍ଦମ'ଙ୍କ ମୃତ୍ୟୁ କାଳୀନ ମୁଖ ଭାସି ଯାଉଥିଲା।ରାଜ୍ୟ, ରାଜସୁଖ ଅଳିକ, ଅର୍ଥହୀନ ଲାଗିଲା।ସହଜେ ତ ପତ୍ନୀଙ୍କ ସହିତ ଦୈହିକ ମିଳନର ପ୍ରଶ୍ନ ନଥିଲା। ଦିନେ ହସ୍ତିନାର ରାଜଦଣ୍ଡ ଜ୍ୟେଷ୍ଠ ଧୃତରାଷ୍ଟ୍ରଙ୍କ ହାତରେ ସମର୍ପଣ କରିଦେଇ ବାନପ୍ରସ୍ଥ ଜୀବନ ବିତାଇବାକୁ ସ୍ଥିର କଲେ ରାଜା ପଣ୍ଡୁ।ତାଙ୍କ ମାନସିକ ଅବସ୍ଥା ଦେଖି ଏହି ନିଷ୍ପତ୍ତି ଉପରେ ସମର୍ଥନ ଦେଲେ ଭୀଷ୍ମ, ସତ୍ୟବତୀ ଏବଂ ଅନ୍ୟାନ୍ୟ କୁରୁଶ୍ରେଷ୍ଠ ଗଣ।ପଣ୍ଡୁଙ୍କ ସହିତ ଦୁଇପତ୍ନୀ କୁନ୍ତୀ ଏବଂ ମାଦ୍ରୀ ମଧ୍ୟ ବନରେ ଜୀବନ ଯାପନ କରିବାକୁ ଚାଲିଗଲେ।


ମହାଭାରତ ଗ୍ରନ୍ଥକାରଙ୍କର ଏହି ରୋଚକ ଉପାଖ୍ୟାନ ସମାଜ ପାଇଁ ଅନେକ ସାଙ୍କେତିକ ବାର୍ତ୍ତା ବହନ କରେ। ଋଷି କିନ୍ଦମଙ୍କର ପତ୍ନୀଙ୍କ ସହିତ ପଶୁ ରୂପରେ ଆଦି ରସାତ୍ମକ ପ୍ରେମ "ପ୍ରକୃତି"ସ୍ବରୂପ ସହିତ ସମାନ। ତାକୁ ବିକୃତ କରିବାର ଅଧିକାର କାହାର ନାହିଁ। ଶିକାରକୁ ଏକ କ୍ରୀଡା ଭାବି ଅବିବେକ ପଣରେ ରାଜାମାନେ ଯେପରି ପଶୁ ହତ୍ୟା କରୁଥିଲେ, ତାହା କଦାପି ଗ୍ରହଣୀୟ ନୁହେଁ। ବଳବାନର ଅଧିକାର ଉପରେ ବିଧାତାର ନିଷ୍ପତ୍ତି ବଳବତ୍ତର,ସୂଚନା ଦିଏ ଏହି ଉପାଖ୍ୟାନ।  



Rate this content
Log in

Similar oriya story from Classics