କଥା କାଦମ୍ବରୀ (ଭାଗ ୨)
କଥା କାଦମ୍ବରୀ (ଭାଗ ୨)
ଭାଗ-୨
ଦେବଯାନୀଙ୍କ ଆଖିରୁ ଧାରଧାର ହୋଇ ଲୁହ ବହି ଯାଉଥିଲା। କଚଙ୍କୁ ସେ ଜୀବନରୁ ବଳି ଭଲ ପାଉଥିଲେ। ତଞ୍ଚକତା କରି ଆଜି ଅସୁରମାନେ ତାଙ୍କୁ ଚିରଦିନ ପାଇଁ ଦୂର କରିଦେଇଛନ୍ତି।ଅନଶନରେ ପ୍ରାଣତ୍ୟାଗ କରିବାପାଇଁ ବସିଗଲେ ଦେବଯାନୀ।ପ୍ରାଣସମା କନ୍ୟାର ଏଭଳି ଅବସ୍ଥା ଦେଖି ଗଭୀର ଦୁଃଖ ଓ ମନସ୍ତାପରେ ଭାଙ୍ଗି ପଡ଼ିଲେ ଶୁକ୍ରାଚାର୍ଯ୍ୟ। ଅସୁରମାନଙ୍କ ଉପରେ ଭୀଷଣ କ୍ରୋଧ ଜାତ ହେଲା। ଶଠତାର ଆଶ୍ରୟ ନେଇ,କଚ ଶରୀରକୁ ଦଗ୍ଧକରି, ସୁରାରେ ଭସ୍ମକୁ ମିଶାଇ ସେମାନେ ତାଙ୍କୁ ପାନ କରାଇଥିବାରୁ ଗୁରୁଙ୍କର ମନରେ ପ୍ରବଳ କ୍ରୋଧ-ଅଗ୍ନି ଜଳି ଉଠିଲା। ସୁରା ପାନ କରିଥିବାରୁ ନିଜକୁ ଧିକ୍କାର କରି ସେ କହିଲେ.. ଆଜିଠାରୁ ସୁରାପାନ ଘୃଣ୍ୟ କାର୍ଯ୍ୟ ଭାବରେ ଜଗତରେ ପରିଗଣିତ ହେବ।ସେ ସମୟରେ ମୁନିୠଷି ମାନେ ଯେଉଁ ନିର୍ଦ୍ଦେଶ ଦେଉଥିଲେ ତାହା ସମାଜରେ ଅବଧାରିତ ନିୟମ ଭାବରେ ଗ୍ରହଣ କରାଯାଉଥିଲା।
ଶୁକ୍ରାଚାର୍ଯ୍ୟ ଦୁଃଖରେ ମ୍ରିୟମାଣା ଦେବଯାନୀଙ୍କୁ କହିଲେ...ମୋର ପ୍ରାଣସମା କନ୍ୟା,ଏବେ ତୋ ଆଗରେ ଦୁଇଟି ବିକଳ୍ପ।କଚ ବଞ୍ଚିପାରିବ,କିନ୍ତୁ ମୋତେ ମରିବାକୁ ହେବ। ମୋ ଶରୀର ଭିତରେ ଥିବା କଚକୁ ମୁଁ ଜୀବନ୍ୟାସ ଦେଲେ ସେ ମୋ ଉଦର ଚିରି ବାହାରକୁ ଆସିବ,ଫଳରେ ମୋର ମୃତ୍ୟୁ ସୁନିଶ୍ଚିତ।
ତୋର କ'ଣ ଦର୍କାର,କଚ ନା ପିତା?
କାନ୍ଦି କାନ୍ଦି ଦେବଯାନୀ କହିଲେ....ମୋର ଉଭୟେ ଆବଶ୍ୟକ।କଚ ବିନା ମୁଁ ତ ବଞ୍ଚି ପାରିବି ନାହିଁ,ଆପଣଙ୍କ ବିନା ମଧ୍ୟ ମୋର ଜୀବନ ଅର୍ଥହୀନ।
ଶୁକ୍ରାଚାର୍ଯ୍ୟ ଦେବଯାନୀଙ୍କ ଆଖିରୁ ଲୁହ ପୋଛି ଦେଇ କହିଲେ...ମାଆରେ ! ବଡ଼ ବିଚିତ୍ର ବିଧାତାଙ୍କର ବିଧାନ। ଯେଉଁ ଗର୍ବୀ ଓ ଅହଂକାରୀ ଦେବତା ମାନଙ୍କୁ ନିଶ୍ଚିହ୍ନ କରିବାପାଇଁ ମୁଁ ମହାଦେବଙ୍କ ପାଖରେ କୃଚ୍ଛ୍ର ସାଧନା କରି ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ଶିକ୍ଷା କରିଥିଲି, ଆଜି ସେହି ମନ୍ତ୍ର ମୋତେ ଦେବପୁତ୍ର କଚକୁ ଶିଖାଇବାକୁ ପଡିବ।ମୋ ଉଦର ଭିତରୁ ବାହାରି କଚ ସେହି ମନ୍ତ୍ର ବଳରେ ମତେ ଜୀବନ୍ୟାସ ଦେବେ। ତା'ଦ୍ବାରା ହିଁ ତୋ ଇଚ୍ଛା ପୂର୍ଣ୍ଣ ହେବ ଦେବଯାନୀ।
ପିତାଙ୍କ କଥା ଶୁଣି ଦେବଯାନୀ ଆଖିରେ ଆଶାର ଆଲୋକ ଝଲସି ଉଠିଲା।ତା'ପରେ ଆଚାର୍ଯ୍ୟ ମୃତ୍ୟୁସଞ୍ଜିବନୀ ମନ୍ତ୍ର ସାହାଯ୍ୟରେ କଚକୁ ଜୀବନ୍ୟାସ ଦେଲାପରେ ପଚାରିଲେ...ଏବେ କେଉଁଠାରେ ଅଛ ଦେବପୁତ୍ର?
କଚ ଉତ୍ତର ଦେଲେ...ଆପଣଙ୍କ ଉଦର ଭିତରେ ରହିଛି ପ୍ରଣମ୍ୟ।
ହସି ହସି ଗୁରୁ ପଚାରିଲେ...ମୋ ଉଦର ଭିତରେ ତୁମର କି କାର୍ଯ୍ୟ ଅଙ୍ଗିରା ପୌତ୍ର? ସେଠାରେ କଣ ଗୋରୁ ପଲ ଚରାଉଛ ନାଁ ଫୁଲ ତୋଳୁଛ?
କଚ କହିଲେ...ମୋତେ ଦାନବ ମାନେ ହତ୍ୟା କରିଛନ୍ତି ଗୁରୁଦେବ।ତାପରେ ମୁଁ ଆପଣଙ୍କ ଉଦରକୁ କିପରି ଆସିଲି ମୋତେ ଜଣାନାହିଁ।
ଶୁକ୍ରାଚାର୍ଯ୍ୟ କହିଲେ... ଏ'ସବୁ ଦେବତା ମାନଙ୍କର କୂଟ ଦେବପୁତ୍ର। ଦାନବ ମାନେ କେବଳ ଉପଲକ୍ଷ। ଏହି ପ୍ରକାର ତଞ୍ଚକତା ଯୋଗୁଁ ମୁଁ ଦେବତା ମାନଙ୍କୁ ଘୃଣା କରେ। ମହର୍ଷି ଅଙ୍ଗିରା ମୋର ଗୁରୁ ଥିଲେ।ତୁମ ପିତା ତଥା ଅଙ୍ଗିରାଙ୍କ ପୁତ୍ର ବୃହସ୍ପତି ମୋର ସହପାଠୀ ଥିଲେ। ମୁଁ ବୃହସ୍ପତିଙ୍କ ଠାରୁ ଅଧିକ ବିଦ୍ୱାନ ଥିଲି। କିନ୍ତୁ ପୁତ୍ରମୋହର ବଶବର୍ତ୍ତୀ ହୋଇ ମହର୍ଷି ଅଙ୍ଗିରା ମୋ'ପ୍ରତି ଭେଦଭାବ ସୃଷ୍ଟିକଲେ। ବୃହସ୍ପତିଙ୍କୁ ବିଦ୍ୟାଦାନ କରି ମୋତେ ଆଶ୍ରମର ଇତର କାର୍ଯ୍ୟରେ ନିୟୋଜିତ କରୁଥିଲେ। ତଥାପି ଗୁରୁକୁଳରେ ମୁଁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିପାରିଲି।
ଦେବତା ମାନଙ୍କ ପ୍ରତାରଣା ଏହିଠାରେ ଶେଷ ହୋଇ ନଥିଲା। ଯେତେବେଳେ "ଦେବଗୁରୁ ପଦ" ପାଇଁ ନିଯୁକ୍ତି ସମୟ ଆସିଲା,ସେତେବେଳେ,ମୋର ଜ୍ଞାନଗରିଷ୍ଠତା ସତ୍ବେ ପକ୍ଷପାତିତା କରି ବୃହସ୍ପତିଙ୍କୁ "ଦେବଗୁରୁ" ପଦରେ ନିଯୁକ୍ତି ଦିଆଗଲା। ସେଥିପାଇଁ ଘୋର ମନସ୍ତାପରେ ମୋତେ ସ୍ବର୍ଗତ୍ୟାଗକରି ଦାନବଙ୍କ ଗୁରୁ-ପଦ ଗ୍ରହଣ କରିବାପାଇଁ ପଡ଼ିଲା।
କେବଳ ସେତିକିରେ ଦେବତା ମାନଙ୍କର ନୀଚ୍ଚ ମନୋବୃତ୍ତିର ଅନ୍ତ ହେଲାନାହିଁ। ଯେଉଁ ସମୟରେ ମୁଁ ଆଶୁତୋଷ ଶିବଙ୍କ ପାଖରେ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ଶିକ୍ଷା ପାଇଁ ହିମାଳୟରେ ତପସ୍ୟାରତ ଥିଲି,ସେ ସମୟରେ ଦେବଗଣ ମୋ ଆଶ୍ରମକୁ ଆକ୍ରମଣ କରି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ ଏବଂ ଅନେକ ଦାନବ ସମେତ ମୋ ମାତା "କାବ୍ୟାଦେବୀ"ଙ୍କୁ ମଧ୍ୟ ହତ୍ୟାକରିଥିଲେ।
ହିମାଳୟରୁ ଫେରିଆସି ଆଶ୍ରମର ଏ ଅବସ୍ଥା ଦେଖି ମୁଁ ବିଚଳିତ ହୋଇ ପଡିଥିଲି।ସଞ୍ଜିବନୀମନ୍ତ୍ର ବଳରେ ମାତା କାବ୍ୟାଙ୍କୁ ଜୀବନ୍ୟାସ ଦେଇ ପରିସ୍ଥିତି ଆୟାତ୍ତାଧୀନ କରିଥିଲି। ତା'ପରେ ଦେବତା ମାନଙ୍କ ଉପରେ ପ୍ରତିଶୋଧ ନେବା ମୋ ଜୀବନର ପ୍ରମୁଖ ଲକ୍ଷ୍ୟ ଥିଲା; ପ୍ରତି ଯୁଦ୍ଧରେ ଦେବତା ମାନଙ୍କୁ ପରାସ୍ତ କରିପାରୁଥିଲି କାରଣ ମୃତ୍ୟୁସଞ୍ଜିବନୀ ମନ୍ତ୍ର ବଳରେ ସବୁ ମୃତ ଦାନବ ମାନେ ଜୀବନ୍ୟାସ ପାଇ ପାରୁଥିଲେ। ମୃତ୍ୟୁ ସଞ୍ଜିବନୀ ନିଜେ ବୃହସ୍ପତି ଲାଭ କରିପାରିଲେ ନାହିଁ।ଶେଷରେ ଦେବତା ମାନେ ତୁମକୁ ମୋ ପାଖକୁ ପଠାଇଲେ ମନ୍ତ୍ର ଶିକ୍ଷା କରିବା ପାଇଁ।
ସବୁ ସମୟରେ ଦାନବ ମାନଙ୍କୁ ମୁର୍ଖ ବୋଲି କହିଆସିଛନ୍ତି ଦେବତାମାନେ। କିନ୍ତୁ ଏହି ମୁର୍ଖତା ପାଇଁ ଦାୟୀ କିଏ? ଯେଉଁ ବାକ୍ୟଦେବୀ ମାନସିକ ସ୍ଥିତିର ନିୟନ୍ତ୍ରଣ କରନ୍ତି, ସେ ମଧ୍ୟ ଦେବଲୋକର ସଦସ୍ୟା। ତେଣୁ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦେବମାୟା ବ୍ୟତୀତ ଅନ୍ୟ କିଛି ନୁହେଁ।
ଠିକ୍ ଅଛି ଦେବ-ପୁତ୍ର କଚ। ଦେବତା ମାନଙ୍କର ଏ ଆହ୍ବାନ ମଧ୍ୟ ମୁଁ ଗ୍ରହଣ କରୁଛି। ମୃତ୍ୟୁସଞ୍ଜିବନୀ ମନ୍ତ୍ର ଏବେ ସମସ୍ତଙ୍କର ସମ୍ପତ୍ତି ହେଉ। ତା'ପରେ ଦେବତା ଏବଂ ଦାନବଙ୍କ ମଧ୍ୟରେ ବଳ କଷାକଷି ହେଉ।ସାରା ସୃଷ୍ଟି ଦେବତା ମାନଙ୍କ ଛଳନା ବିଷୟରେ ଅବଗତ ହେଉ।
ମୁଁ ତୁମକୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ପଢି ଶୁଣାଇବି ଦେବପୁତ୍ର କଚ। ତା'ପରେ ତୁମେ ମୋ ଉଦର ଚିରି ବାହାରକୁ ଆସିବାପରେ ସେହି ମନ୍ତ୍ର ପ୍ରୟୋଗ କରି ମୋତେ ଜୀବନ୍ୟାସ ଦେବ।"ଏହା କହି ଶୁକ୍ରାଚାର୍ଯ୍ୟ ଉଦର ଭିତରେ ଥିବା କଚଙ୍କୁ ମୃତ୍ୟୁସଞ୍ଜିବନୀ ମନ୍ତ୍ର ଶିକ୍ଷା ଦେଲେ।କଚ ଗୁରୁଙ୍କ ଉଦର ଚିରି ବାହାରକୁ ଆସିବା ପରେ ଗୁରୁଙ୍କୁ ସଙ୍ଗେ ସଙ୍ଗେ ମନ୍ତ୍ର ପାଠ କରି ଜୀବନ୍ୟାସ ପ୍ରଦାନ କଲେ।
ଶୁକ୍ରାଚାର୍ଯ଼୍ୟଙ୍କ ପାଦତଳେ ଆଭୂମ ପ୍ରଣିପାତ କରି କଚ କହିଲେ...ହେ ଆର୍ଯ୍ୟ ! ବିଦ୍ୟା ଦାନ କରି ସହଯେ ତ ଆପଣ ମୋର ପିତା ଥିଲେ।ଏବେ ଆପଣ ମୋତେ ଉଦରରେ ଧାରଣ କରି ମୋର ମାତା ହୋଇଗଲେ।ତେଣୁ ଆପଣ ମୋର ଉଭୟ ମାତା ଏବଂ ପିତା।ଗୁରୁ ଭାବରେ ଆପଣ ମୋତେ ଯେଉଁ ଶିକ୍ଷା ଦାନ କଲେ ତାହା ଜଗତରେ ବିତରଣ କରିବା ଦାୟିତ୍ବ ମୋର।
ଗୁରୁକୁଳରେ ବିଦ୍ୟାଶିକ୍ଷା ପରେ କଚ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାହାରିଲେ।ଗୁରୁପୁତ୍ରୀ ଦେବଯାନୀ ନିଜର ମନକଥା ପ୍ରକାଶ କରି କହିଲେ....ହେ ଦେବପୁତ୍ର, ମୋର ପ୍ରଣୟ ପୁଷ୍ପାଞ୍ଜଳି ତୁମ ପାଦରେ ଅର୍ପଣ କରୁଛି,ମୋତେ ପତ୍ନୀ ରୂପରେ ଗ୍ରହଣ କର।
କଚ ଦୁଇପାଦ ପଛକୁ ଘୁଞ୍ଚିଗଲା।କହିଲେ...ଏବେ ତାହା ସମ୍ଭବ ନୁହେଁ ; ଗୁରୁଙ୍କ ଉଦରରୁ ପୁନର୍ଜନ୍ମ ପାଇ ମୁଁ ତୁମର ଭାଇ ପାଲଟି ଯାଇଛି ସୁଶୀଳେ।ଭାଇ-ଭଉଣୀଙ୍କ ମଧ୍ୟରେ ବିବାହ କଣ ସମ୍ଭବ !
ଦେବଯାନୀ ଅନେକ ଯୁକ୍ତିକରି କହିଲେ ଯେ କଚ ଭାଇ ନୁହଁନ୍ତି, ବରଂ ବୃହସ୍ପତିଙ୍କ ପୁତ୍ର;ତେଣୁ ବିବାହ କରିବାରେ କୌଣସି ବାଧା ନାହିଁ। କିନ୍ତୁ କଚ ମାନିଲେ ନାହିଁ।
କଚଙ୍କ ପ୍ରତ୍ୟାଖ୍ୟାନ ପରେ ଅପମାନିତା ଦେବଯାନୀ ଅଭିଶାପ ଦେଇ କହିଲେ....ଦେବପୁତ୍ର,ତୁମେ ମୃତ୍ୟୁସଞ୍ଜିବନୀ ମନ୍ତ୍ର ପାଇବା ପାଇଁ ପ୍ରେମର ଛଳନା କରି ମୋତେ ପ୍ରଣୟରେ ଧୋକା ଦେଇଛ। ଯେଉଁ ମନ୍ତ୍ର ଲାଭକରି ତୁମେ ଇପ୍ସିତ ପଦାର୍ଥ ପାଇଗଲ ବୋଲି ଭାବୁଛ,ସେ ମନ୍ତ୍ର ତୁମଦ୍ଵାରା କାର୍ଯ୍ୟକାରୀ ହେବନାହିଁ।
କଚ କହିଲେ... ସେଥିପାଇଁ ମୋ ମନରେ ଦୁଃଖ ନାହିଁ। ମୁଁ ଗୁରୁକୁଳ ପ୍ରତିଷ୍ଠା କରି, ଶିଷ୍ୟମାନଙ୍କୁ ସେହି ମନ୍ତ୍ର ଶିକ୍ଷା ଦେଇ ସେହି ଜ୍ଞାନକୁ ସାର୍ବଜନୀନ କରିବି।ମୋ ଦ୍ବାରା ଫଳବତୀ ନହେଲେ କଣ ହେଲା, ଅନ୍ୟମାନଙ୍କ ଦ୍ଵାରା ତ ଫଳବତୀ ହୋଇପାରିବ। କିନ୍ତୁ ବିନା ଦୋଷରେ ତୁମେ ମତେ ଅଭିଶାପ ଦେବା ଠିକ କଥା ନୁହେଁ। ସେଥିପାଇଁ ତୁମେ ଜୀବନରେ କେବେ ସ୍ବାମୀଙ୍କର ଏକକ ପ୍ରେମ ପାରିବନାହିଁ। ସ୍ବାମୀଙ୍କର ପରକୀୟା ପ୍ରେମ ଯୋଗୁଁ ତୁମେ ଅଶାନ୍ତି ଭୋଗ କରିବ।
